ସପ୍ତମ ସ୍କନ୍ଧ
ପଞ୍ଚମ ଅଧ୍ୟାୟ
ନାରଦ ଉବାଚ
ଅସୁରକୁଳେ ପୁରୋହିତ । ସର୍ବଜ୍ଞ ଶୁକ୍ର ଭୃଗୁସୁତ ॥ ୧
ମୁନିଙ୍କ ପୁତ୍ର ବେନିଭାଇ । ଶଣ୍ଡ ଅମର୍କ ନାମେ ଦୁଇ ॥ ୨
ରାଜା ଆଚାର୍ଯ୍ୟ ତାଙ୍କୁ କଲେ । ପୁତ୍ରମାନଙ୍କୁ ପଢ଼ାଇଲେ ॥ ୩
ରାଜା ମନ୍ଦିରେ ବେନିଭାଇ । ଦୈତ୍ୟପୁତ୍ରଙ୍କୁ ସଙ୍ଗେ ଲଇ ॥ ୪
ଯେ ଷଡ଼ନୀତି ରାଜକୁଳେ । ସର୍ବେ ପଢ଼ନ୍ତି ଏକମେଳେ ॥ ୫
ତାହାଙ୍କ ମଧ୍ୟେ ପ୍ରହଲ୍ଲାଦ । ସକଳ-ଶାସ୍ତ୍ରେ ହେଲେ ସିଦ୍ଧ ॥ ୬
ଗୁରୁଙ୍କ ମୁଖୁଁ ବେଳେ ଶୁଣି । ତକ୍ଷଣେ ଚିତ୍ତେ ପରିମାଣି ॥ ୭
ଚିତ୍ତ ନିର୍ମଳେ ତାହା ଜାଣେ । କେବଳ ମନେ ନ ପ୍ରମାଣେ ॥ ୮
ବିଚାର କରେ ଅନ୍ତର୍ଗତେ । କେ ରିପୁ କେ ମିତ୍ର ଜଗତେ ॥ ୯
ଏକଇ ଆତ୍ମା ନରହରି । ସମେ ସକଳଘଟେ ପୂରି ॥ ୧୦
ଏକଥା ଅଟଇ ପ୍ରମାଣ । ସକଳ ଆତ୍ମା ନରାୟଣ ॥ ୧୧
ଯେ ପାଠ ପଢ଼େ ବାହ୍ୟମତେ । ଦୃଢ଼େ ନ ଧରେ ଅନ୍ତର୍ଗତେ ॥ ୧୨
ଦିନେକ ପ୍ରହଲ୍ଲାଦ ଆଣି । କୋଳେ ବସାଇ ନୃପମଣି ॥ ୧୩
ଅନେକ ଅଳଙ୍କାର ଦେଇ । ସାନନ୍ଦେ ପୁତ୍ରକୁ ପୁଚ୍ଛଇ ॥ ୧୪
ହିରଣ୍ୟକଶିପୁ ଉବାଚ
ହେ ପୁତ୍ର ଶୁଣ ବାକ୍ୟ ମୋର । ଯେ ଷଡ଼ନୀତି ରାଜାଙ୍କର ॥ ୧୫
ତୁ ତାହା ଗୁରୁମୁଖୁଁ ଶୁଣୁ । ସୁଦୃଢ଼ଚିତ୍ତେ ନ ପ୍ରମାଣୁ ॥ ୧୬
ମୁଁ ଭଲେ ଶୁଣିଲଇଁ ତାହା । କହ ତୁ ସାଧୁ ମଣୁ ଯାହା ॥ ୧୭
ଯେ ରାଜନୀତି ଚିତ୍ତେ ଧରେ । କେବେ ହେଁ ଶତ୍ରୁକୁ ନ ଡରେ ॥ ୧୮
ସଂଗ୍ରାମେ ରିପୁ ଜୟକରେ । ସେ ରାଜା ସୁଖ ଭୁଞ୍ଜେ ଭଲେ ॥ ୧୯
ବିଦ୍ୟା ପଢ଼ିଲୁ ଏତେ କାଳ । ଭଲ କି ମଣୁ ମୋତେ ବୋଲ ॥ ୨୦
ପିତା-ବଚନ ପୁତ୍ର ଶୁଣି । ଶିରେ ନିବେଶି ବେନି ପାଣି ॥ ୨୧
ସାନନ୍ଦେ ବାକ୍ୟ ଗଦଗଦ । କହେ ବାଳକ ପ୍ରହଲ୍ଲାଦ ॥ ୨୨
ପ୍ରହ୍ଲାଦ ଉବାଚ
ଶୁଣ ଭୋ ତାତ ଏକଚିତ୍ତେ । ଯେ ସାଧୁ ମଣେ ମୋର ମତେ ॥ ୨୩
ସଂସାର ସାଗର ପରାୟେ । ପ୍ରାଣୀଙ୍କୁ ଉଦବେଗ ଦିଏ ॥ ୨୪
ଦେଖ ଏ ଗୃହ-ଅନ୍ଧକୂପ । ଆତ୍ମା ନିପାତ ମହାତାପ ॥ ୨୫
ଏହାକୁ ଦୂରେ ପରିହର । ଅରଣ୍ୟେ କୃଷ୍ଣ ଆଶ୍ରେକର ॥ ୨୬
ସାଧୁ ମଣଇ ଏହା ଚିତ୍ତେ । ସତ୍ୟ କହିଲି ତୋ ଅଗ୍ରତେ ॥ ୨୭
ନାରଦ ଉବାଚ
ଏମନ୍ତେ ପୁତ୍ରବାକ୍ୟ ଶୁଣି । ଶତ୍ରୁର ପକ୍ଷ ପ୍ରାୟେ ମଣି ॥ ୨୮
ଉଚ୍ଚେ ହସିଲା ଅତିରେକ । ବୋଲଇ ପୁତ୍ର ଅବିବେକ ॥ ୨୯
ଏପରି ପରବୁଦ୍ଧି ବଳେ । ନଷ୍ଟ ହୁଅନ୍ତି ସର୍ବକାଳେ ॥ ୩୦
ଏହାର ବୁଦ୍ଧି କେ ହରିଲା । ଏ ମୋର ଶତ୍ରୁକୁ ଭଜିଲା ॥ ୩୧
କୋଳୁ ବାଳକ ତଳେ ଥୋଇ । ବୋଲେ ସେବକ ମୁଖ ଚାହିଁ ॥ ୩୨
ଗୁରୁ-ଭୁବନେ ନେଇ ଦିଅ । ଏକଥା ଗୁରୁ ଆଗେ କହ ॥ ୩୩
ଏ ମୋର ବାଳକର ମନ । ବିଷ୍ଣୁବିଷୟେ କିବା ଛନ୍ନ ॥ ୩୪
ଏହାର ମନ ବିଷ୍ଣୁ ପକ୍ଷେ । ଯେମନ୍ତେ ନ ଘଟେ ପ୍ରତ୍ୟକ୍ଷେ ॥ ୩୫
ରାଜାର ଆଜ୍ଞା ଭୃତ୍ୟେ ପାଇ । ବାଳକ ଗୁରୁଘରେ ନେଇ ॥ ୩୬
ବ୍ରାହ୍ମଣଗୋଷ୍ଠୀ ମଧ୍ୟେ ଦେଲା । ରାଜା ବଚନ ଜଣାଇଲା ॥ ୩୭
ତା ଶୁଣି ବିପ୍ର ଉଦବେଗେ । ବୋଲନ୍ତି ପ୍ରହଲ୍ଲାଦ ଆଗେ ॥ ୩୮
ସାଧୁ ବଚନ ବାକ୍ୟମତେ । କହନ୍ତି ହସ୍ତଧରି ହସ୍ତେ ॥ ୩୯
ହେ ବତ୍ସ ପ୍ରହଳ୍ଲାଦ ଶୁଣ । ସର୍ବଦା ହେଉ ତୋ କଲ୍ୟାଣ ॥ ୪୦
ଆମ୍ଭଙ୍କୁ ଲାଗଇ ସଂଶୟ । ମିଥ୍ୟା ତୁ ତେଜି ସତ୍ୟ କହ ॥ ୪୧
ବାଳକବୁଦ୍ଧି ତୋ ନ ଦେଖି । ଅଦ୍ଭୁତ ପ୍ରାୟେ ଉପଲକ୍ଷି ॥ ୪୨
ତୋହର ବୁଦ୍ଧି କେ ହରିଲା । ଶତ୍ରୁ-ଭଜନେ ଶିକ୍ଷା ଦେଲା ॥ ୪୩
କିବା ଏ ସ୍ୱଭାବ ତୋହର । ଆମ୍ଭଙ୍କୁ ଲାଗେ ଅଗୋଚର ॥ ୪୪
କହ କେ ତୋତେ ଦେଲା ଦୀକ୍ଷା । ଆମ୍ଭେ ଶ୍ରବଣେ କରୁ ଇଚ୍ଛା ॥ ୪୫
ପ୍ରହ୍ଲାଦ ଉବାଚ
ଯାହାର ମାୟାବଳେ ଜନ । ସ୍ୱ-ପର ବୁଦ୍ଧି କରେ ଭିନ୍ନ ॥ ୪୬
ଯାହାର ନାହିଁ ପରାପର । ତାହାଙ୍କୁ ମୋର ନମସ୍କାର ॥ ୪୭
ଯାହାଙ୍କ ଆଜ୍ଞା ପରମାଣେ । ପ୍ରାଣୀ ନିସ୍ତରେ ଭବ-ବଣେ ॥ ୪୮
ସେ ସର୍ବଆତ୍ମା ଯୋଗେଶ୍ୱର । ତାହାର ନାହିଁ ଆତ୍ମାପର ॥ ୪୯
ଯାହାକୁ ହରି କରେ ଦୟା । ତାହାର ଯାଏ ଭେଦମାୟା ॥ ୫୦
ବାସନାବଳେ ସର୍ବଜନ୍ତୁ । ଭୁଞ୍ଜନ୍ତି ପରାପର-ହେତୁ ॥ ୫୧
ତାହାର ମାର୍ଗେ ଶିବ-ବ୍ରହ୍ମ । ଗତି ନ ଲଭି ହୋନ୍ତି ଭ୍ରମ ॥ ୫୨
ସେ ମୋର ମନ ଭିନ୍ନ କଲା । ପର ଅପର ନ କହିଲା ॥ ୫୩
ଯେସନେ ଅୟସ୍କାନ୍ତ ଗୁଣେ । ଲୌହ ଭ୍ରମଇ ଆକର୍ଷଣେ ॥ ୫୪
ମୋହର ମନ ସେହିମତେ । ଭ୍ରମଇ ବିଷ୍ଣୁର ଆୟତ୍ତେ ॥ ୫୫
ନାରଦ ଉବାଚ
ଗୁରୁଙ୍କୁ କହି ଏ ବଚନ । ପ୍ରହ୍ଲାଦ ହୋଇଲା ମଉନ ॥ ୫୬
ବାଳକ ବାଣୀ ଶୁଣି କର୍ଣ୍ଣେ । କୋପ ବସିଲା ଗୁରୁ ମନେ ॥ ୫୭
ସମୀପେ ଥିଲେ ରାଜାଲୋକ । ଗୁରୁହିଁ ରାଜାର ସେବକ ॥ ୫୮
କୋପେ କମ୍ପିଲେ ବାକ୍ୟ ଶୁଣି । ତକ୍ଷଣେ ଘରୁ ବେତ ଆଣି ॥ ୫୯
ରାଜାର ବଂଶେ ଦୁରାଚାର । ନିଶ୍ଚେ ଜନ୍ମିଲା କୁଳାଙ୍ଗାର ॥ ୬୦
ଦୁର୍ବୁଦ୍ଧି ପଣ ଏ ବାଳକ । ଏହାକୁ ଦଣ୍ଡେ ହେଁ ନ ରଖ ॥ ୬୧
ଚନ୍ଦନବନେ କଣ୍ଟାବୃକ୍ଷ । ଦେଖ ହୋ ଜନ୍ମିଲା ପ୍ରତ୍ୟକ୍ଷ ॥ ୬୨
କଣ୍ଟକ ବୃକ୍ଷ ଯେବେ ମାରି । ଚନ୍ଦନ ବନ ଯତ୍ନ କରି ॥ ୬୩
ତେବେ ନିର୍ଭୟେ ଭୋଗକରି । କଣ୍ଟକ ଥିଲେ ନିତ୍ୟେ ଡରି ॥ ୬୪
ଚନ୍ଦନ ବନ ଦୈତ୍ୟଗଣ । ବିଷ୍ଣୁ ଯେ କୁଠାର ସମାନ ॥ ୬୫
କୁଠାର ବେଣ୍ଟ ଏହୁ ହୋଇ । ଏ ଥିଲେ ଆମ୍ଭ ଭଲ ନାହିଁ ॥ ୬୬
ଏମନ୍ତେ କରାଇଲେ ଭୟେ । ତର୍ଜ୍ଜିଲେ ବିବିଧ ଉପାୟେ ॥ ୬୭
ପୁଣି ଆଶ୍ୱାସ ତାକୁ କରି । ଗୁରୁ ପଢ଼ାନ୍ତି ହସ୍ତଧରି ॥ ୬୮
ଯେ ଧର୍ମ-ଅର୍ଥ-କାମଫଳେ । ସେ ବିଦ୍ୟା ପଢ଼ାଇଲେ ବଳେ ॥ ୬୯
ମୋକ୍ଷ ହିଁ ଅଛି ତାର ତହିଁ । ଏମନ୍ତ ବାଳକେ ପଢ଼ାଇ ॥ ୭୦
ମାତାଙ୍କ ଆଗେ ନେଇ ଦେଲେ । ସେ ତାକୁ ଅଳଙ୍କୃତ କଲେ ॥ ୭୧
ରାଜା ସମୀପେ ଦେଲେ ନେଇ । ତା ଦେଖି ରାଜା ତୋଷହୋଇ ॥ ୭୨
ଚରଣ ତଳେ ପୁତ୍ର ଚାହିଁ । ତକ୍ଷଣେ କୋଳ କଲା ନେଇ ॥ ୭୩
ଆନନ୍ଦେ ଗାତ୍ରେ ହସ୍ତ ଦେଇ । ସ୍ନେହରେ କୋଳରେ ବସାଇ ॥ ୭୪
ପୁତ୍ର ସ୍ୱଭାବେ ପ୍ରୀତିକରି । କଲ୍ୟାଣ କରେ କୋଳେ ଧରି ॥ ୭୫
ପ୍ରସନ୍ନ ବଦନେ ଅନାଇଁ । ସଧୀରେ ପୁତ୍ରକୁ ବୋଲଇ ॥ ୭୬
ହିରଣ୍ୟକଶିପୁ ଉବାଚ
ହେ ପୁତ୍ର ଶୁଣ ମୋ ବଚନ । ଗୁରୁ ଭୁବନେ ଏତେ ଦିନ ॥ ୭୭
ତୁ ଯେ ପଢ଼ିଲୁ ବାଳଭାବେ । ମୋର ସମ୍ମୁଖେ କହ ଏବେ ॥ ୭୮
ଉତ୍ତମ ବିଦ୍ୟା ପୁତ୍ର କହ । ମୋ ମନେ ନ ରହୁ ସନ୍ଦେହ ॥ ୭୯
ପ୍ରହ୍ଲାଦ ଉବାଚ
ଶୁଣ ହେ ତାତ ମନଦେଇ । ଯେ ବିଦ୍ୟା ଉତ୍ତମ ମଣଇ ॥ ୮୦
ଶ୍ରୀକୃଷ୍ଣ ଶ୍ରବଣ କୀର୍ତ୍ତନ । ସ୍ମରଣ ଚରଣସେବନ ॥ ୮୧
ସର୍ବସମ୍ପଦ ସମର୍ପିବ । ଚରଣେ ଦାସ ପଣେ ଥିବ ॥ ୮୨
ସଖ୍ୟ ଭାବରେ ନେବ ଦିନ । କରିବ ଆତ୍ମନିବେଦନ ॥ ୮୩
ଏତେ ପ୍ରକାରେ ବିଷ୍ଣୁଭାବ । ନିରତେ ଚିତ୍ତେ ସୁମରିବ ॥ ୮୪
ଏହା ମୁଁ ଉତ୍ତମ ମଣଇ । କହିଲି ତୋର ଆଗେ ମୁହିଁ ॥ ୮୫
ଏ ନବଲକ୍ଷଣେ ଭକତି । ଯେ ନର ଗୋବିନ୍ଦେ କରନ୍ତି ॥ ୮୬
ଉତ୍ତମ ବିଦ୍ୟା ବୋଲି ତାହା । ଯେଣେ ନ ଲାଗେ ବିଷ୍ଣୁମାୟା ॥ ୮୭
ଏମନ୍ତ ପୁତ୍ରମୁଖୁଁ ଶୁଣି । କୋପେ ଉଠିଲା ଶିର ଝୁଣି ॥ ୮୮
ଆରକ୍ତ ବେନିଚକ୍ଷୁ ତାର । ପ୍ରଚଣ୍ଡେ କମ୍ପଇ ଅଧର ॥ ୮୯
ଗୁରୁପୁତ୍ରର ମୁଖ ଚାହିଁ । ବୋଲଇ କୋପଭର ହୋଇ ॥ ୯୦
ତୁ ବ୍ରହ୍ମବନ୍ଧୁ ଗୁରୁସୁତ । ଏ ତ ତୋହର ବିପରୀତ ॥ ୯୧
ମୋର ବିପକ୍ଷ-ସ୍ତୁତି ଯେତେ । ଏହା ଶିଖାଇଲୁ କେମନ୍ତେ ॥ ୯୨
ଅସାର ବିଦ୍ୟା ଶିଖାଇଲୁ । ତୁ ତ ଅବଜ୍ଞା ମୋତେ କଲୁ ॥ ୯୩
ଅସାଧୁଲୋକ ଏ ସଂସାରେ । ଅଛନ୍ତି କୈତବ ବେଭାରେ ॥ ୯୪
ତାହାଙ୍କ ଦୋଷ ତାଙ୍କୁ ମାରେ । ରୋଗ ଯେସନେ କଳେବରେ ॥ ୯୫
ଯେ ପ୍ରାଣୀ ବ୍ରହ୍ମହତ୍ୟା କରେ । ସେ କ୍ଷୟରୋଗୀ ଜନ୍ମାନ୍ତରେ ॥ ୯୬
ଯେ ନିତ୍ୟ ମଦ୍ୟପାନ କରେ । ବିକଟଦନ୍ତ ତା ଅଧରେ ॥ ୯୭
ସୁବର୍ଣ୍ଣ ହରିଥାଇ ଯେପେ । କୁନଖୀ ହୋଇ ଜନ୍ମ ଲଭେ ॥ ୯୮
ଗୁରୁକାମିନୀ ଯେହୁ ରତେ । ଧବଳକୁଷ୍ଠ ମୁଖ ହସ୍ତେ ॥ ୯୯
ଏମନ୍ତେ ଅସୁର ବଚନେ । କହନ୍ତି ଗୁରୁଙ୍କ ନନ୍ଦନେ ॥ ୧୦୦
ଗୁରୁପୁତ୍ର ଉବାଚ
ମୋହର ଶିକ୍ଷା ଏ ନୁହଁଇ । ଆନ ବା ପଢ଼ାଇବ କେହି ॥ ୧୦୧
ତୋର ପୁତ୍ରର ଏ ସ୍ୱଭାବ । ଜାଣି ତୁ ଚିନ୍ତ ପରାଭବ ॥ ୧୦୨
ନାରଦ ଉବାଚ
ଏମନ୍ତେ ଗୁରୁବାକ୍ୟ ଶୁଣି । ସଂଶୟଚିତ୍ତେ ନୃପମଣି ॥ ୧୦୩
ପୁତ୍ରକୁ ଚାହିଁ କୋପଭରେ । ବୋଲଇ କୁତ୍ସିତ-ବେଭାରେ ॥ ୧୦୪
ହିରଣ୍ୟକଶିପୁ ଉବାଚ
ଏ ବିଦ୍ୟା ଗୁରୁବାକ୍ୟ ନୋହେ । କେ ଅବା ତୋର ମନ ମୋହେ ॥ ୧୦୫
ପ୍ରହ୍ଲାଦ ଉବାଚ
ଶୁଣ ହେ ତ୍ରୈଲୋକ୍ୟ ଈଶ୍ୱର । ମତିର ଗତି ଚକ୍ରଧର ॥ ୧୦୬
ଯେ ପ୍ରାଣୀ ଗୃହକୃତ୍ୟ କରେ । ତା ମତି କୃଷ୍ଣ ନ ସୁମରେ ॥ ୧୦୭
ଗୁରୁବଚନ କି କରିବ । ଯାହାର ଯେମନ୍ତ ସ୍ୱଭାବ ॥ ୧୦୮
ଅସାଧ୍ୟ ଇନ୍ଦ୍ରିୟଙ୍କ ବଳେ । ଗୃହସ୍ଥ ପଡ଼େ ରସାତଳେ ॥ ୧୦୯
କୁଳବେଭାରେ ବଶହୋଇ । ଚର୍ବିତ ଚର୍ବଣ କରଇ ॥ ୧୧୦
ତାହାଙ୍କ ମତି କୃଷ୍ଣଠାବେ । କେବେହେଁ ନୋହେ ଭକ୍ତିଭାବେ ॥ ୧୧୧
ଯେ ପ୍ରାଣୀ ଦୁରାଶୟ ପଣେ । ଅନର୍ଥ ଅର୍ଥ ପ୍ରାୟେ ମଣେ ॥ ୧୧୨
ସେ କାହିଁ କୃଷ୍ଣଙ୍କୁ ପାଇବ । ଯେ ବ୍ରହ୍ମାଶଙ୍କରେ ଦୁର୍ଲ୍ଲଭ ॥ ୧୧୩
ଯାହାର ମତି ଅର୍ଥ ଧ୍ୟାୟି । ସେ ପ୍ରାଣୀ ଲଭିବ ତା କାହିଁ ॥ ୧୧୪
ଅନ୍ଧକୁ ଅନ୍ଧ ଯେହ୍ନେ ବହେ । ସେ ଈଶତନ୍ତ୍ରେ ଭ୍ରମେ ମୋହେ ॥ ୧୧୫
ଏମନ୍ତ ପ୍ରାଣୀଙ୍କ ସ୍ୱଭାବ । କେମନ୍ତେ କୃଷ୍ଣଙ୍କୁ ଲଭିବ ॥ ୧୧୬
କୃଷ୍ଣ-ଚରଣ-ପଦ୍ମ ଦୁଇ । ଏ ଘେନି ଲଭି ନ ପାରଇ ॥ ୧୧୭
ଯାହାର ଚରଣର ଅର୍ଥ । ସ୍ମରଣେ ଖଣ୍ଡଇ ଅନର୍ଥ ॥ ୧୧୮
ଯାହାଙ୍କ ଚରଣାରବିନ୍ଦ । ସେବି ନ ପାନ୍ତି ସୁରବୃନ୍ଦ ॥ ୧୧୯
ବିଷ୍ଣୁଭକତ ପାଦଧୂଳି । ଉଦକ ସେଙ୍ଗ ଶିରେ ବୋଳି ॥ ୧୨୦
ତହିଁ ଯେ ସ୍ନାନ ନ କରଇ । ହରିଙ୍କି ଲଭିବ ସେ କାହିଁ ॥ ୧୨୧
ଏମନ୍ତ କହି ଦୈତ୍ୟବଳା । ଅନ୍ତରେ ମଉନ ହୋଇଲା ॥ ୧୨୨
ଶୁଣି ଅସୁର କୋପାନଳେ । କୋଳରୁ ପକାଇଲା ତଳେ ॥ ୧୨୩
ରୋଷେ ଅରୁଣଚକ୍ଷୁ କଲା । ଅସୁରଗଣେ ଆଜ୍ଞା ଦେଲା ॥ ୧୨୪
ହିରଣ୍ୟକଶିପୁ ଉବାଚ
ଶୁଣ ହେ ନଈରତଗଣ । ମୋର ପୁତ୍ରର ଦୁଷ୍ଟପଣ ॥ ୧୨୫
ମରଣ ଅର୍ଜିଲା ବେଭାରେ । ଏହାକୁ ରାଜ୍ୟୁ କର ଦୂରେ ॥ ୧୨୬
ମୋର ଅନୁଜ ନାଶ କରି । ଯେ ବିଷ୍ଣୁ ମୋହର ବଇରୀ ॥ ୧୨୭
ତାହାର ପକ୍ଷ ଏ ଧଇଲା । ନିଜ ସୁହୃଦ ଉପେକ୍ଷିଲା ॥ ୧୨୮
ବିଷ୍ଣୁର ଦାସପଣେ ରହେ । କେ ପ୍ରାଣ ଥାଉଁ ଏହା ସହେ ॥ ୧୨୯
ବିଷ୍ଣୁର ଆଶ୍ରେ ଏ ମୋହର । ନିଶ୍ଚେ କରିବ ଅପକାର ॥ ୧୩୦
ପିତା ସୁହୃଦ ପୁତ୍ରଙ୍କର । ଦୁସ୍ତ୍ୟଜ୍ୟ ଏ ଶାସ୍ତ୍ର ବେଭାର ॥ ୧୩୧
ଏ ପଞ୍ଚବରଷର ସୁତ । ପିତାମାତାରେ ଅଭକତ ॥ ୧୩୨
ପରର ପୁତ୍ର ହୋଇ ଯେବେ । ଆପଣା ହିତ ଅନୁଭାବେ ॥ ୧୩୩
ତାହାକୁ ଜାଣି ନିଜ ସୁତ । ରୋଗକୁ ଔଷଧ ଯେମନ୍ତ ॥ ୧୩୪
ଆପଣା ତହୁଁ ଜାତ ହୋଇ । ପରର ହିତେ ଯେବେ ଥାଇ ॥ ୧୩୫
ବ୍ୟାଧିର ପ୍ରାୟ ଜନ୍ମ ତାର । ତା ମଲେ ଆତ୍ମାର ନିସ୍ତାର ॥ ୧୩୬
ଯେ ଅଙ୍ଗେ ସର୍ପାଘାତ କରେ । ସେ ଅଙ୍ଗ ଦୋଷେ ପ୍ରାଣୀ ମରେ ॥ ୧୩୭
ସେ ଅଙ୍ଗ ଛେଦି ପକାଇଲେ । ଦେହେ ଜୀବନ ରହେ ଭଲେ ॥ ୧୩୮
ଯେ ହିତ କରେ ପର ହୋଇ । ତା ତହୁଁ ଆର ବନ୍ଧୁ କାହିଁ ॥ ୧୩୯
ଅହିତ କରେ ବନ୍ଧୁ ଯେବେ । ତାହାକୁ ଲେଖି ଶତ୍ରୁଭାବେ ॥ ୧୪୦
ଦେହରୁ ବ୍ୟାଧି ଜନ୍ମ ହୋଇ । ଆତ୍ମା ସହିତେ ସଂହାରଇ ॥ ୧୪୧
ଅରଣ୍ୟୁ ଅଉଷଧି ଆଣି । ରୋଗ-ସଙ୍କଟୁ ତରେ ପ୍ରାଣୀ ॥ ୧୪୨
ପର ଅପର ଏ ବିଚାର । କେ ରିପୁ କେବା ଆପଣାର ॥ ୧୪୩
ସୁହୃଦ ହୋଇ ଶତ୍ରୁପଣେ । ପାପ ଚିନ୍ତଇ ଅନୁକ୍ଷଣେ ॥ ୧୪୪
ନାନା-ଉପାୟେ ତାକୁ ମାରି । ସେ ମଲେ ସୁଖେ ପ୍ରାଣ ଧରି ॥ ୧୪୫
ଯୋଗୀଙ୍କ ଯୋଗଧ୍ୟାନ କାଳେ । ଦୁଷ୍ଟଇନ୍ଦ୍ରିୟ ଯେବେ ବଳେ ॥ ୧୪୬
ତାହାକୁ ଯେବେ କରେ ସାଧ୍ୟ । ତେବେ ଲଭଇ ବ୍ରହ୍ମପଦ ॥ ୧୪୭
ଏ ମିତ୍ରବେଶଧାରୀ ପର । ଏହାକୁ ବେଗେ ବଧ କର ॥ ୧୪୮
ଭୋଜନ ଶୟନ ଆସନେ । ଉପାୟ କର ତା ମରଣେ ॥ ୧୪୯
ଏମନ୍ତେ ରାଜା ଆଜ୍ଞା ପାଇ । ଅସୁରେ ଅସ୍ତ୍ର ଘେନି ଧାଇଁ ॥ ୧୫୦
ବାଳକ-ନାଶ ମନେ ଚିନ୍ତି । ଶୂଳ ଅନ୍ତରୀକ୍ଷେ ବୁଲାନ୍ତି ॥ ୧୫୧
ସୁତୀକ୍ଷ୍ଣ ଦିଶେ ଦନ୍ତପନ୍ତି । କରାଳ-ବଦନେ ଚାହାନ୍ତି ॥ ୧୫୨
ତମ୍ବାର ବର୍ଣ୍ଣ ପ୍ରାୟେ ଦାଢ଼ି । ଶିରେ କପିଳଜଟା ବେଢ଼ି ॥ ୧୫୩
ନାଚନ୍ତି ଭଇରବ ନାଦେ । ଅସୁରେ ଛନ୍ଦି ପାଦ ପାଦେ ॥ ୧୫୪
ଶୂଳ ବୁଲାଇ ମହାଘୋରେ । ପିଟିଲେ ବାଳକ ଉପରେ ॥ ୧୫୫
ତା ଦେଖି ଅସୁରକୁମର । ମନେ ଚିନ୍ତିଲା ଚକ୍ରଧର ॥ ୧୫୬
ଗୋବିନ୍ଦପାଦେ ଚିତ୍ତ ଦେଇ । ବୋଲଇ ଅସୁରଙ୍କୁ ଚାହିଁ ॥ ୧୫୭
ତୁମ୍ଭର ଦେହେ ଯେବେ ହରି । ଆତ୍ମା-ସ୍ୱରୂପେ ଛନ୍ତି ପୂରି ॥ ୧୫୮
ସକଳ ଶସ୍ତ୍ରେ ହରି ଯେବେ । ଘଟଣେ ଛନ୍ତି ଆତ୍ମାଭାବେ ॥ ୧୫୯
ଏକଥା ସତ୍ୟ ଯେବେ ହୋଇ । ଶସ୍ତ୍ର ନ କାଟୁ ମୋର ଦେହୀ ॥ ୧୬୦
ଶୁଣି ଅସୁର କୋପଭରେ । ଅନେକଶସ୍ତ୍ର ପ୍ରହାରିଲେ ॥ ୧୬୧
ପ୍ରହଲ୍ଲାଦର ଦେହେ ବାଜି । ସକଳ ଶସ୍ତ୍ରେ ଗଲେ ଭାଜି ॥ ୧୬୨
ଅପୁଣ୍ୟବନ୍ତପ୍ରାଣୀ ଦେହେ । ସାତ୍ତ୍ୱିକଫଳ ଯେହ୍ନେ ନୋହେ ॥ ୧୬୩
ଅଦ୍ଭୁତ-କର୍ମ ତାର ଦେଖି । ତକ୍ଷଣେ ଆସନ ଉପେକ୍ଷି ॥ ୧୬୪
ଭିତରେ ପଶିଲା ଅସୁର । ଭୟରେ କମ୍ପେ ଥରହର ॥ ୧୬୫
ମନ୍ତ୍ରୀ ସଙ୍ଗତେ ବିଚାରିଲା । ବାଳକ-ମରଣ ଚିନ୍ତିଲା ॥ ୧୬୬
ଅଇରାବତ ଆଦି ନାଗେ । ତାହାଙ୍କୁ ଅଣାଇଲା ବେଗେ ॥ ୧୬୭
ବୋଲଇ ଦନ୍ତାଘାତ କର । ଯେମନ୍ତେ ମରଇ କୁମର ॥ ୧୬୮
ଶୁଣି ଅନେକ ହସ୍ତୀ ତୁଲେ । ବାଳକ-ସମୀପେ ମିଳିଲେ ॥ ୧୬୯
ହସ୍ତୀଙ୍କି ଚାହିଁ ଦୈତ୍ୟବଳା । ଅନ୍ତରେ କୃଷ୍ଣ ସୁମରିଲା ॥ ୧୭୦
ମହାକ୍ରୋଧରେ ଗଜବରେ । ନିଷ୍ଠୁର-ଦନ୍ତର ଅଗ୍ରରେ ॥ ୧୭୧
ନିର୍ଘାତେ କରନ୍ତେ ପ୍ରହାର । ସକଳ ଦନ୍ତ ହେଲା ଚୂର ॥ ୧୭୨
ଭୟେ ଭାଜିଲେ ହସ୍ତୀବଳ । ଦେଖି ଅସୁର କୋପାନଳ ॥ ୧୭୩
ତକ୍ଷକ ଆଦି ଅଷ୍ଟନାଗେ । ଥିଲେ ଯେ ଅନ୍ତରୀକ୍ଷ ମାର୍ଗେ ॥ ୧୭୪
ତାହାଙ୍କୁ ରାଇ ନୃପବର । ନିଷ୍ଠୁରେ ବୋଲଇ ଉତ୍ତର ॥ ୧୭୫
ଏ କୁଳାଙ୍ଗାର ମୋ କୁମର । ଏହାର ପ୍ରାଣ ବେଗେ ହର ॥ ୧୭୬
ନାଗକୁ ଦେଖି ପ୍ରହଲ୍ଲାଦ । ଚିତ୍ତେ ଚିନ୍ତିଲା କୃଷ୍ଣପାଦ ॥ ୧୭୭
ତକ୍ଷଣେ କୋପେ ନାଗେ ଗଲେ । ବାଳକ ଶରୀରେ ଦଂଶିଲେ ॥ ୧୭୮
ମୁଖରୁ ଦନ୍ତ ଝଡ଼ିଗଲା । ନାଗଙ୍କ ଫଣା ବଥାଇଲା ॥ ୧୭୯
ନାଗେ ପଳାଇଗଲେ ବେଗେ । ଜୀବନ ଭୟେ ଦଶଦିଗେ ॥ ୧୮୦
ପୁଣି ସେ କୃତ୍ୟାହୋମ କଲା । ପର୍ବତ ଶିଖୁ କଚାଡ଼ିଲା ॥ ୧୮୧
ଶମ୍ବର ହସ୍ତେ ମାୟା କଲା । କେବେହେଁ ପ୍ରାଣ ତା ନଗଲା ॥ ୧୮୨
ବନ୍ଧନ କରି ହସ୍ତପାଦ । ମେଲିଲା ଅଗାଧ ସମୁଦ୍ର ॥ ୧୮୩
ବନ୍ଧନ କରି ପ୍ରତିଦିନେ । ମରିବ ବୋଲଇ କେସନେ ॥ ୧୮୪
ଭର୍ତ୍ସନା କଲା ପ୍ରତିଦିନେ । ଗରଳ ଦେଲା ଅନ୍ନପାନେ ॥ ୧୮୫
କେତେହେଁ ଦିନ ଅଭୋଜନ । ବଞ୍ଚିଲା ଅସୁରନନ୍ଦନ ॥ ୧୮୬
ହିମ ପବନ ଅଗ୍ନି ଜଳେ । ପର୍ବତ ଚାପି କୋପାନଳେ ॥ ୧୮୭
ନାନାପ୍ରକାରେ କଷ୍ଟ ଦେଲା । କେବେହେଁ ବାଳକ ନ ମଲା ॥ ୧୮୮
ସ୍ୱଭାବେ ପାପ ତାର ନାହିଁ । ଦଣ୍ଡ ବାଧିବ ତାକୁ କାହିଁ ॥ ୧୮୯
କେବେହେଁ ମାରି ନ ପାରିଲା । ଚିନ୍ତାସାଗରେ ନିମଜ୍ଜିଲା ॥ ୧୯୦
ଜାଗ୍ରତ ସ୍ୱପ୍ନ ପ୍ରାୟେ ହୋଇ । କେବେହେଁ ଶାନ୍ତି ନ ଭଜଇ ॥ ୧୯୧
ଦେଖ ଏ ବାଳକ ବିଷୟେ । କେତେ ନ ଚିନ୍ତିଲି ଉପାୟେ ॥ ୧୯୨
ଶତ୍ରୁର ପ୍ରାୟେ ପଛେ ଥାନ୍ତେ । କେବେହେଁ ନ ଡରଇ ଚିତ୍ତେ ॥ ୧୯୩
କଷଣ ଦେଲି ଯେତେ ମୁହିଁ । କିଛି ଏହାର ହେଲା ନାହିଁ ॥ ୧୯୪
ଶୁନଃଶେଫର ପ୍ରାୟେ ସହେ । କି ଆଉ କରିବି ଉପାୟେ ॥ ୧୯୫
ମହାନୁଭବ ଏ କୁମର । ମନବଚନେ ଅଗୋଚର ॥ ୧୯୬
ନିର୍ଭୟେ ଏତେ ଦୁଃଖ ସହେ । ଏଣୁ ମୋ ଚିତ୍ତେ ମହାଭୟେ ॥ ୧୯୭
ଏହାର ତୁଲେ ବାଦ କଲେ । ପ୍ରାଣ ମୁଁ ନ ପାଇବି ଭଲେ ॥ ୧୯୮
ଏମନ୍ତେ ଭାଳି ମନଦୁଃଖେ । ଦଣ୍ଡେ ରହିଲା ଅଧୋମୁଖେ ॥ ୧୯୯
ସାଧୁ ବିଷୟେ ଦ୍ରୋହ କଲେ । କେବା ସଂସାରେ ଥିବ ଭଲେ ॥ ୨୦୦
ଗୁରୁ କୁମରେ ତାହା ଶୁଣି । ଅସୁର ମୁଖ ଚାହିଁ ଭଣି ॥ ୨୦୧
ଗୁରୁପୁତ୍ର ଉବାଚ
ଶୁଣ ହେ ନୃପ ଚୂଡ଼ାମଣି । ତପେ ତୁ ତ୍ରିଭୁବନ ଜିଣି ॥ ୨୦୨
ଆତ୍ମାର ସୁଖେ ଭୋଗକରୁ । ଯେହ୍ନେ ଅଚଳ-ମହମେରୁ ॥ ୨୦୩
ତୋହର ରିପୁ ଏ ସଂସାରେ । ନ ଦେଖି ଶରୀର-ବେଭାରେ ॥ ୨୦୪
ଏ ବାଳକୁମର ତୋହର । ଏହାକୁ କିମ୍ପା ତୋର ଡର ॥ ୨୦୫
ବାଳକ ଗୁଣ-ଦୋଷ ନାହିଁ । ସଂଶୟ କରୁ କିମ୍ପା ତୁହି ॥ ୨୦୬
ଯେବେ ସଂଶୟ ତୋର ମନେ । କହିବା ଶୁଣ ସାବଧାନେ ॥ ୨୦୭
ଏହାକୁ ବରୁଣର ପାଶେ । ବନ୍ଧନ କର ତୁ ବିଶ୍ୱାସେ ॥ ୨୦୮
ନିକଟେ ରଖ ତୋ ଆୟତ୍ତେ । ଭୟ ନ ଲାଗୁ ତୋର ଚିତ୍ତେ ॥ ୨୦୯
ବାଳୁତ-ଦଶା ଏ ଛାଡ଼ିଲେ । ସୁବୁଦ୍ଧି ପ୍ରକାଶିବ ଭଲେ ॥ ୨୧୦
ବ୍ରହ୍ମାର ପୁରୁ ଆମ୍ଭ ତାତ । ତୋ ପାଶେ ନ ଆସେ ଯାବତ ॥ ୨୧୧
ତାବତ ଥାଉ ଏହିମତେ । ସଂଶୟ ନ କର ତୁ ଚିତ୍ତେ ॥ ୨୧୨
ଗୁରୁପୁତ୍ରଙ୍କ ବାକ୍ୟ ଶୁଣି । ସନ୍ତୋଷେ କହେ ନୃପମଣି ॥ ୨୧୩
ହିରଣ୍ୟକଶିପୁ ଉବାଚ
ଶୁଣ ହେ ଗୁରୁଙ୍କ କୁମର । ଏବେ ମୋହର ବୋଲ କର ॥ ୨୧୪
ଗୃହସ୍ଥାଶ୍ରମ ଧର୍ମ ଯେତେ । ସେ ରାଜଧର୍ମ ନୀତି ଯୁକ୍ତେ ॥ ୨୧୫
ତ୍ରିବର୍ଗ ଧର୍ମ-ଅର୍ଥ-କାମେ । ଯେମନ୍ତେ ପଢ଼େ ଅନୁକ୍ରମେ ॥ ୨୧୬
ଏମନ୍ତେ ରାଜାର ବଚନେ । ପ୍ରହ୍ଲାଦେ ଗୁରୁ ବେନିଜନେ ॥ ୨୧୭
ଅନେକ ଯତ୍ନେ ପଢ଼ାଇଲେ । ଅସୁରକୁମରଙ୍କ ତୁଲେ ॥ ୨୧୮
ଗୁରୁଙ୍କ ମୁଖୁଁ ଯେତେ ଶୁଣେ । ଅନ୍ତରେ ସାଧୁ ତା ନମଣେ ॥ ୨୧୯
ଗୃହସ୍ଥ-ଧର୍ମର ବ୍ୟବସ୍ଥା । ଆତ୍ମାର ନିପାତ ଏ କଥା ॥ ୨୨୦
ଏ ଧର୍ମେ ମୋହିହୋନ୍ତି ଜନ । ଏଣେ କି ମୋର ପ୍ରୟୋଜନ ॥ ୨୨୧
ଏମନ୍ତେ କରଇ ବିଚାର । ଏବେ ହୋ ଶୁଣ ନୃପବର ॥ ୨୨୨
ପଢ଼ଇ ବାଳକଙ୍କ ମେଳେ । ଗୁରୁ ଯେ ଗୃହକର୍ମେ ଗଲେ ॥ ୨୨୩
ସେ ପ୍ରହଲ୍ଲାଦ ଦୟାବହି । ବୋଲେ ବାଳକ ମୁଖ ଚାହିଁ ॥ ୨୨୪
ଶୁଣ ହେ ଅସୁରକୁମରେ । ଯେ ବିଦ୍ୟା ସଂସାରୁ ଉଦ୍ଧରେ ॥ ୨୨୫
ମଞ୍ଚେ ମାନବ ଦେହ ବହି । ଆତ୍ମା ଜ୍ଞାନଟି ଯାର ନାହିଁ ॥ ୨୨୬
ତାର ଜୀବନ ଅକାରଣ । ଏବେ ହୋ ସାବଧାନେ ଶୁଣ ॥ ୨୨୭
ଏ ପିତାପୁତ୍ରଙ୍କ ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ॥ ୨୨୮
କହଇ ଦାସ ଜଗନ୍ନାଥ । ସପ୍ତମ ସ୍କନ୍ଧେ ଭାଗବତ ॥ ୨୨୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ସପ୍ତମସ୍କନ୍ଧେ ପ୍ରହ୍ଲାଦାନୁଚରିତେ ପଞ୍ଚମୋଽଧ୍ୟାୟଃ ॥
* * *