ସପ୍ତମ ସ୍କନ୍ଧ

ଚତୁର୍ଥ ଅଧ୍ୟାୟ

ନାରଦ ଉବାଚ

ଶୁଣ ରାଜନ ସ୍ଥିରଚିତ୍ତେ । କହିବୁ ଯାହା ତୋ ଅଗ୍ରତେ ॥

ହିରଣ୍ୟ-ତପେ ତୋଷ ହୋଇ । ବ୍ରହ୍ମା ବୋଲନ୍ତି ତାକୁ ଚାହିଁ ॥

ବ୍ରହ୍ମା ଉବାଚ

ଶୁଣ ହେ ଅସୁରପୁଙ୍ଗବ । ତୋହର ତପ ଏ ଦୁର୍ଲ୍ଲଭ ॥

ଯେତେ ମାଗିଲୁ ବର ମୋତେ । ପ୍ରାଣୀଙ୍କି ଦୁର୍ଲ୍ଲଭ ଜଗତେ ॥

ତୋହର ତପେ ତୋଷହୋଇ । ଦେବି ଅନ୍ୟଥା ଏଥେ ନାହିଁ ॥

ହେଉ ତୋ ମନବାଞ୍ଛା ସିଦ୍ଧି । ଏମନ୍ତ କହି ବେଦନିଧି ॥

ତକ୍ଷଣେ ଗଲେ ଅନ୍ତର୍ଦ୍ଧାନେ । ବିଜୟେ ଆପଣା ଭୁବନେ ॥

ଏମନ୍ତେ ବ୍ରହ୍ମା ବର ପାଇ । ସୁବର୍ଣ୍ଣମୟ-ତନୁ ବହି ॥

ବିଷ୍ଣୁ-ବିଷୟେ କ୍ରୋଧକରି । ଅନୁଜ-ମରଣ ସୁମରି ॥

ବଳେ ତ୍ରାସିଲା ଦଶଦିଶ । ତିନିଭୁବନ କଲା ବଶ ॥ ୧୦

ଦେବ ଅସୁର ନୃପସର୍ବ । ଉରଗ ଗରୁଡ଼ ଗନ୍ଧର୍ବ ॥ ୧୧

ସିଦ୍ଧ ଚାରଣ ବିଦ୍ୟାଧର । ଋଷି ପିତର ମନୁବର ॥ ୧୨

ପିଶାଚ ଯକ୍ଷ ରକ୍ଷଗଣ । ଭୂତ ବେତାଳ ରୁଦ୍ରଗଣ ॥ ୧୩

ସକଳ ପ୍ରାଣୀ ଦର୍ପହରି । ବିଶ୍ୱ-ସଂସାର ବଶ କରି ॥ ୧୪

ଦିଗପାଳଙ୍କ ଘରୁ ଆଣି । ଅମୂଲ୍ୟ ଧନରତ୍ନ ମଣି ॥ ୧୫

ସ୍ୱର୍ଗଭୁବନେ ଭୋଗ ଯେତେ । ବିଚିତ୍ର ରଥ ବଳ ଯୁଥେ ॥ ୧୬

ସକଳ ବଳେ ଆବୋରିଲା । ଇନ୍ଦ୍ରଭୁବନେ ବିଜେ କଲା ॥ ୧୭

ବିଶ୍ୱକର୍ମାର ଶିଳ୍ପ ଯହିଁ । ଭୁବନେ ପଟାନ୍ତର ନାହିଁ ॥ ୧୮

ତ୍ରୈଲୋକ୍ୟଲକ୍ଷ୍ମୀ ଯହିଁ ବସେ । ଅଶେଷ ସମ୍ପଦ ପ୍ରକାଶେ ॥ ୧୯

ମର୍କତଭୂମି ଯହିଁ ସାଜେ । ପ୍ରବାଳ ପାବଚ୍ଛ ବିରାଜେ ॥ ୨୦

ସ୍ପଟିକ ପାଚେରୀ ଆରମ୍ଭ । ନିର୍ମିତ ବଇଦୂର୍ଯ୍ୟ ସ୍ତମ୍ଭ ॥ ୨୧

ଉପରେ ବିଚିତ୍ର ବିତାନ । ମାଣିକ୍ୟ ଘଟିତ ଆସନ ॥ ୨୨

ଶଯ୍ୟା ରଚିତ ଯହିଁ ହୋଏ । ଦିଶନ୍ତି ଦୁଗ୍ଧଫେନ ପ୍ରାୟେ ॥ ୨୩

ଲମ୍ବଇ ମୁକୁତାର ଝରା । ସୁବର୍ଣ୍ଣପୁଷ୍ପ କେରାକେରା ॥ ୨୪

ଦିବ୍ୟ କାମିନୀଗଣ ତହିଁ । ଚଳନ୍ତି ଇତସ୍ତତ ହୋଇ ॥ ୨୫

ଚରଣେ ନୂପୁର ବାଜେଣୀ । ରତ୍ନ ମେଖଳାର ସାଜେଣି ॥ ୨୬

ରତ୍ନମେଖଳା ପୂର୍ଣ୍ଣ ଜ୍ୟୋତି । ତଡ଼ିତ ପ୍ରାୟ ଝଟକନ୍ତି ॥ ୨୭

ଆପଣା ମୁଖ ରତ୍ନକାନ୍ଥେ । ହରଷେ ଦେଖନ୍ତି ଏକାନ୍ତେ ॥ ୨୮

ଏମନ୍ତେ ଇନ୍ଦ୍ରର ଭୁବନେ । ଅସୁର ବସେ ତୋଷମନେ ॥ ୨୯

ତିନିଭୁବନେ ଏକ ରାଜା । ଦେବେ କରନ୍ତି ପାଦପୂଜା ॥ ୩୦

ପ୍ରଚଣ୍ଡ ତେଜେ ଆଜ୍ଞା କରେ । ଯମର ପ୍ରାୟେ ରୋଷଭରେ ॥ ୩୧

ସୁଗନ୍ଧ ମଦ୍ୟ କରେ ପାନ । ସ୍ୱଭାବେ ଘୂର୍ଣ୍ଣିତ ଲୋଚନ ॥ ୩୨

ତମ୍ବାର ପ୍ରାୟେ ଚକ୍ଷୁଜଳେ । ଦେବେ ମିଳିଲେ ପାଦତଳେ ॥ ୩୩

ହସ୍ତରେ ଘେନି ଉପାୟନ । ଦିଶନ୍ତି ଅରକ୍ଷ ଯେସନ ॥ ୩୪

ସ୍ୱଭାବେ ତପ-ଯୋଗ-ବଳେ । ବିରାଜେ ଆଦିତ୍ୟ ମଣ୍ଡଳେ ॥ ୩୫

ସର୍ବଦେବତା ତାର ପାଶେ । ଖଟନ୍ତି ଜୀବନର ଆଶେ ॥ ୩୬

ବିଧାତା ବିଷ୍ଣୁ ମହେଶ୍ୱର । ଏହୁ ରହିଲେ ନିଜପୁର ॥ ୩୭

ଏହାଙ୍କୁ ଛାଡ଼ି ସର୍ବଦେବା । ତାର ଚରଣେ କଲେ ସେବା ॥ ୩୮

ଇନ୍ଦ୍ର ଆସନେ କରି ବିଜେ । ଇନ୍ଦ୍ରହୁଁ ଅଧିକ ବିରାଜେ ॥ ୩୯

ଗନ୍ଧର୍ବେ ମିଳି ତା ଚରଣେ । ସଙ୍ଗତେ ଅପସରାଗଣେ ॥ ୪୦

ତୁମ୍ବୁରୁ ନାରଦ ସହିତେ । ମିଳିଲେ ବିଶ୍ୱାବସୁ ଯେତେ ॥ ୪୧

ମିଳିଲେ ସିଦ୍ଧ ଋଷିଗଣେ । ସଭୟେ ଅସୁର ଚରଣେ ॥ ୪୨

ସ୍ତୁତି କରନ୍ତି ଅନୁକ୍ଷଣେ । ଗନ୍ଧର୍ବେ ନୃତ୍ୟଗୀତ ଗାନେ ॥ ୪୩

ବ୍ରାହ୍ମଣଆଦି ଚାରିବର୍ଣ୍ଣେ । ଅପରେ ଯେ ଚାରି ଆଶ୍ରମେ ॥ ୪୪

ପୂଜନ୍ତି ପିତୃଦେବ ଯଜ୍ଞେ । ତାର ଚରଣେ ହବିର୍ଭାଗେ ॥ ୪୫

ସପତଦ୍ୱୀପ ମହୀତଳେ । ବିନାକର୍ଷଣେ ଶସ୍ୟଫଳେ ॥ ୪୬

ମଧୁ ସ୍ରବନ୍ତି ବୃକ୍ଷପନ୍ତି । ଗାବେ କଳ୍ପିତ କ୍ଷୀର ଦ୍ୟନ୍ତି ॥ ୪୭

ଫୁଲ-ଫଳରେ ଭୂମି ପୂରି । ହୋଇଲା କାମଧେନୁ ସରି ॥ ୪୮

ଷଡ଼ଋତୁର ଅନ୍ତରାଳେ । ଶୁଭେ ଖଟନ୍ତି ଯେଝାକାଳେ ॥ ୪୯

ସମୁଦ୍ରେ ରତ୍ନମାନ ଦ୍ୟନ୍ତି । ନଦୀଏ ଊର୍ମି ଉଛୁଳାନ୍ତି ॥ ୫୦

ଲବଣ ଈକ୍ଷୁ ସୁରା ଘୃତ । ଦଧି ଦୁଗ୍ଧ ଜଳେ ପୂରିତ ॥ ୫୧

ପର୍ବତ ଦ୍ରୋଣି କ୍ରୀଡ଼ାସ୍ଥାନେ । ସକଳ ଋତୁ ପୁଷ୍ପମାନେ ॥ ୫୨

ଦିଗପାଳଙ୍କ ଗୁଣ ଯେତେ । ରହିଲେ ଅସୁର ଆୟତ୍ତେ ॥ ୫୩

ଏମନ୍ତେ ଦଶଦିଗ ଜିଣି । ସପତଦ୍ୱୀପେ ନୃପମଣି ॥ ୫୪

ସକଳ ଭୋଗ୍ୟ ଭୋଗକଲା । କେବେହେଁ ସନ୍ତୋଷ ନୋହିଲା ॥ ୫୫

ବିଶେଷେ ତପ-ଗର୍ବ ମୋହ । ସ୍ୱଭାବେ ଅଜିତ ଇନ୍ଦ୍ରିୟ ॥ ୫୬

ଅଜିତ ଇନ୍ଦ୍ରିୟ ସନ୍ତୋଷ । ମନବାରଣ ନିରଙ୍କୁଶେ ॥ ୫୭

ଅଜିତଇନ୍ଦ୍ରିୟର ବଳେ । ଘୃତେ ଅନଳ ଯେହ୍ନେ ଜଳେ ॥ ୫୮

ଐଶ୍ୱର୍ଯ୍ୟମଦେ ମତ୍ତ ହୋଇ । ଈଶ୍ୱର ବାକ୍ୟ ନ ମାନଇ ॥ ୫୯

ଏ ଅନ୍ତେ ବହୁକାଳ ଗଲା । ସନକ-ଶାପ ପ୍ରବେଶିଲା ॥ ୬୦

ତାହାର ଉପଦ୍ରବ ଦେଖି । ତ୍ରିଦଶେ ଭୁବନ ଉପେକ୍ଷି ॥ ୬୧

ଅନ୍ୟତ୍ର ଶରଣ ନ ପାଇ । ସକଳ ଦେବେ ରୁଣ୍ଡ ହୋଇ ॥ ୬୨

ଭାଳନ୍ତି ଏକଚିତ୍ତ ହୋଇ । କାହିଁ ଲୁଚିବୁ ଆମ୍ଭେ ଯାଇ ॥ ୬୩

ଯେ ଦିଗେ ଛନ୍ତି ଚକ୍ରଧର । ତହିଁକି କଲେ ନମସ୍କାର ॥ ୬୪

ନିର୍ମଳ ଯୋଗୀଜନେ ଯହିଁ । ଗଲେ ପୁନରାବୃତ୍ତି ନାହିଁ ॥ ୬୫

ଏମନ୍ତେ ଏକମନେ ଭାଳି । କ୍ଷୀରସମୁଦ୍ର ତୀରେ ମିଳି ॥ ୬୬

ଉନିଦ୍ର ପବନ ଭୋଜନ । ଡାକନ୍ତି ରଖ ଭଗବାନ ॥ ୬୭

ଅନେକମତେ କରି ସ୍ତୁତି । ଜଳଧି-ପୁଳିନେ ଭ୍ରମନ୍ତି ॥ ୬୮

ମସ୍ତକେ ଦେଇ ବେନିକର । ଡାକନ୍ତି ରଖ ଚକ୍ରଧର ॥ ୬୯

ମହାମହିମ ଭଗବାନ । ପରମଆତ୍ମା ନିରଞ୍ଜନ ॥ ୭୦

ବିଶୁଦ୍ଧ-ଆନନ୍ଦ-ସମୂହ । ନମସ୍ତେ ପ୍ରଭୁ ଦିବ୍ୟଦେହ ॥ ୭୧

ଏମନ୍ତେ ଦେବସ୍ତୁତି ଶୁଣି । ଶୁଭିଲା ଅନ୍ତରୀକ୍ଷ ବାଣୀ ॥ ୭୨

ମେଘ-ଗମ୍ଭୀର ପ୍ରାୟେ ସ୍ଫୁରେ । ସାଧୁଜନଙ୍କ ଦୁଃଖ ହରେ ॥ ୭୩

ଭୟ ନ କର ଦେବଗଣ । ତୁମ୍ଭର ହୋଇବ କଲ୍ୟାଣ ॥ ୭୪

ମୋହର ଦରଶନ ଲାଭ । ଅଶେଷ ସମ୍ପଦ ସମ୍ଭବ ॥ ୭୫

ପାପୀ ଅସୁର ଦୁଷ୍ଟପଣେ । ଭୟେ କମ୍ପିଲେ ଦେବଗଣେ ॥ ୭୬

ଏ ଭୟ କରିବି ମୁଁ ଶାନ୍ତି । ତୁମ୍ଭେ ନ କର ମନେ ଭ୍ରାନ୍ତି ॥ ୭୭

ଅଳପକାଳ ଦୁଃଖ ସହ । ନାଶିବି ତୁମ୍ଭର ସନ୍ଦେହ ॥ ୭୮

ବେଦବଚନ ପୁରାତନ । ଭୋଦେବ ସାବଧାନେ ଶୁଣ ॥ ୭୯

ଏ ଯେବେ ଦେବଙ୍କୁ ନିନ୍ଦିବ । ଗୋରୁ-ବ୍ରାହ୍ମଣ ବିନାଶିବ ॥ ୮୦

ସାଧୁଜନଙ୍କୁ ଦୁଷ୍ଟପଣେ । ଯେବେ ହିଂସିବ ଅକାରଣେ ॥ ୮୧

ନିର୍ଦ୍ଧୋଷ-ପ୍ରାଣୀଙ୍କର ମନେ । କ୍ଳେଶ-ସମ୍ପାଦେ ଅନୁକ୍ଷଣେ ॥ ୮୨

ମୋତେ କରିବ ରିପୁଭାବ । ତେବେ ଏ ବେଗେ ନାଶଯିବ ॥ ୮୩

ଏବେ ଏହାର ନିଜ ସୁତ । ହୋଇବ ଗୋବିନ୍ଦ ଭକତ ॥ ୮୪

ସମଦରଶୀ ସାଧୁ ଧୀର । ପ୍ରହଲାଦ ନାମ ତାହାର ॥ ୮୫

ତାହାକୁ ଅସୁର ଲଂଘିବ । କୋପେ ଅନେକ ଦୁଃଖ ଦେବ ॥ ୮୬

ତାହାକୁ ସଙ୍କଟୁ ରଖିବି । ବ୍ରହ୍ମାର ବର ବିନାଶିବି ॥ ୮୭

ଉଶ୍ୱାସ କରି ମହୀଭାର । ଦୁଃଖ ବିନାଶିବି ତୁମ୍ଭର ॥ ୮୮

କହନ୍ତି ବ୍ରହ୍ମାର କୁମର । ଶୁଣ ହେ ରାଜା ଯୁଧିଷ୍ଠିର ॥ ୮୯

ନାରଦ ଉବାଚ

ଏମନ୍ତେ ଆକାଶର ବାଣୀ । ଶୁଣି ନମିଲେ ଚକ୍ରପାଣି ॥ ୯୦

ଗୋବିନ୍ଦ ବଚନେ ବିଶ୍ୱାସ । ଜାଣିଲେ ନିଶ୍ଚେ ଯିବ ନାଶ ॥ ୯୧

ବିଷ୍ଣୁଙ୍କ ପାଦପଦ୍ମେ ନମି । ଦେବେ ଚଳିଲେ ନିଜ ଭୂମି ॥ ୯୨

ଏବେ ହୋ ଶୁଣ ଧର୍ମସୁତ । ଭକତ ପ୍ରହ୍ଲାଦ ଚରିତ ॥ ୯୩

ଯାହା ଶୁଣନ୍ତେ ପ୍ରାଣୀ ଦେହେ । ଅଶେଷ ଦୂରିତ ନ ରହେ ॥ ୯୪

ହିରଣ୍ୟକଶିପୁର ପୁରେ । ତାହାର ପତ୍ନୀର ଉଦରେ ॥ ୯୫

ଜନ୍ମ ଲଭିଲେ ଚାରିସୁତ । ତେଜେ ବିରାଜେ କି ଆଦିତ୍ୟ ॥ ୯୬

ସେ ପ୍ରହଲ୍ଳାଦ ଜ୍ୟେଷ୍ଠସୁତ । କୃଷ୍ଣ ଭଜଇ ଅବିରତ ॥ ୯୭

ଗୁଣେ କି ଦେବା ପଟାନ୍ତର । କୃଷ୍ଣ ଭକତ ମଧ୍ୟେ ବର ॥ ୯୮

ସତ୍ୟ-ସମ୍ପନ୍ନ-ଶୀଳ ଗୁଣେ । ସେବଇ ବିଷ୍ଣୁର ଚରଣେ ॥ ୯୯

ସର୍ବଭୂତଙ୍କ ମଧ୍ୟେ ପ୍ରିୟ । ସ୍ୱଭାବେ ବିଜିତ-ଇନ୍ଦ୍ରିୟ ॥ ୧୦୦

ସନ୍ଥ ଚରଣେ ଦାସ ପ୍ରାୟେ । ଦୁଃଖିଙ୍କି ସେବେ ପିତୃସ୍ନେହେ ॥ ୧୦୧

ସମାନେ ଭଜେ ଭ୍ରାତୃଭାବେ । ଗୁରୁଙ୍କୁ ଈଶ୍ୱର ସ୍ୱଭାବେ ॥ ୧୦୨

ବିଦ୍ୟାର୍ଥୀ ରୂପେ ସ୍ନେହ ସାର । ସ୍ୱଭାବେ ଗର୍ବ ନାହିଁ ତାର ॥ ୧୦୩

ଦୁଃଖେ ଦୁଃଖିତଚିତ୍ତ ନୋହେ । ଜ୍ଞାନ ଗୋଚରେ ସର୍ବେ ସହେ ॥ ୧୦୪

ଅସୁର ବଂଶେ ଜାତ ହୋଇ । ଅସୁର ଭାବ ହୃଦେ ନାହିଁ ॥ ୧୦୫

ବିପଦେ ଧୀର ଭାବ ବହି । ସମସ୍ତ ନଶ୍ୱର ଭାବଇ ॥ ୧୦୬

ଇନ୍ଦ୍ରିୟ ବୁଦ୍ଧି ଜୟ କରି । ଶାନ୍ତ ଭାବରେ ଦେହ ଧରି ॥ ୧୦୭

ନିଶ୍ଚଳ ଦୁଷ୍ଟ-ଶ୍ରୁତଗୁଣେ । ବସ୍ତୁ-ଅବସ୍ତୁ ପରିମାଣେ ॥ ୧୦୮

ଦୁଃଖୀ ବାଳକ ପ୍ରାୟେ ରହେ । ସ୍ୱଭାବେ ତପକ୍ଳେଶ ସହେ ॥ ୧୦୯

ପ୍ରଶାନ୍ତଚିତ୍ତ ନିତ୍ୟେ ବହେ । ମଦମତ୍ସର ନାହିଁ ଦେହେ ॥ ୧୧୦

ତାହାର ମହାଗୁଣମାନ । ମୁନି କହନ୍ତି ପୁଣ ପୁଣ ॥ ୧୧୧

ସେ ପୁଣି ବିଷ୍ଣୁର ବିଷୟେ । ଲକ୍ଷିତେ ଅଲକ୍ଷିତ ରହେ ॥ ୧୧୨

ସୁରସଭାରେ ଯାର କଥା । ନିତ୍ୟେ ଗାବନ୍ତି ସାଧୁ ଗାଥା ॥ ୧୧୩

ଶତ୍ରୁଙ୍କୁ ମିତ୍ର ପ୍ରାୟ ଦିଶେ । ଯାର ମହିମା ବିଷ୍ଣୁ ଅଂଶେ ॥ ୧୧୪

ତାହାଙ୍କୁ ସାଧୁ ସଭାମଧ୍ୟେ । ପ୍ରଶଂସା କରନ୍ତି ଆନନ୍ଦେ ॥ ୧୧୫

ଯାର ମହିମା ମୁନିଗଣେ । ଚିତ୍ତେ ଭାବନ୍ତି ଅନୁକ୍ଷଣେ ॥ ୧୧୬

ସ୍ୱଭାବେ ତାର ଶୁଦ୍ଧମତି । ହରି ଚରଣେ ନିତ୍ୟେ ରତି ॥ ୧୧୭

ବାଳକମେଳେ କ୍ରୀଡ଼ା କରେ । କ୍ରୀଡ଼ା-କନ୍ଦୁକ ନ ସୁମରେ ॥ ୧୧୮

ଜଡ଼ର ପ୍ରାୟ ହୋଇ ଖେଳେ । ଚିତ୍ତ ଗୋବିନ୍ଦ-ପାଦତଳେ ॥ ୧୧୯

ନଥାଏ ସଂଜ୍ଞା ତାର ଦେହେ । କୃଷ୍ଣେ ଆବିଷ୍ଟ ହୋଇଥାଏ ॥ ୧୨୦

ମନ ତା ଗୋବିନ୍ଦ ଚରଣେ । ସଂସାରସୁଖ ସେ ନ ମଣେ ॥ ୧୨୧

ଜାଗ୍ରତେ ଶୟନେ ଭୋଜନେ । ଭ୍ରମଣେ ବାକ୍ୟ-ଆଳାପନେ ॥ ୧୨୨

କୃଷ୍ଣଚରଣେ ଚିତ୍ତ ଦେଇ । ବିଷୟ ରସେ ଜ୍ଞାନ ନାହିଁ ॥ ୧୨୩

କୃଷ୍ଣଚରଣ ଚିନ୍ତାବଳେ । କି ଅବା ବୋଲେ କିବା କରେ ॥ ୧୨୪

ନିର୍ଲ୍ଲଜ ପ୍ରାୟ ନୃତ୍ୟ କରେ । ହସି କାନ୍ଦଇ ଉଚ୍ଚସ୍ୱରେ ॥ ୧୨୫

କୃଷ୍ଣ ଗାୟନ ସେ ଆନନ୍ଦେ । ନିର୍ମଳ ଭକ୍ତିଭାବ ଭେଦେ ॥ ୧୨୬

କୃଷ୍ଣର ଚେଷ୍ଟା ନିତ୍ୟେ କରେ । ସୁଜନଜନଙ୍କ ସଙ୍ଗରେ ॥ ୧୨୭

କୃଷ୍ଣଚରଣେ ଭାବେ ମଜ୍ଜି । ପୁଲକ କରେ ରୋମରାଜି ॥ ୧୨୮

ଆନନ୍ଦେ ଅଶ୍ରୁ ଝରଝର । ନିରତେ ବହେ ଚକ୍ଷୁଦ୍ୱାର ॥ ୧୨୯

କୃଷ୍ଣଚରଣ-ସେବା-ଭୋଳେ । ରମଇ ଅକିଞ୍ଚନ ମେଳେ ॥ ୧୩୦

ଆତ୍ମା-ନିବୃତ୍ତ ଅନୁକ୍ଷଣେ । ବିଷୟସଙ୍ଗ ଦୁଃଖ ମଣେ ॥ ୧୩୧

ଏମନ୍ତେ ପୁତ୍ରର ବିଷୟେ । ହିରଣ୍ୟକଶିପୁ ନିର୍ଦ୍ଧୟେ ॥ ୧୩୨

ଯାତନା କରେ ଅତିରେକେ । କେ ସହିପାରେ ନରଲୋକେ ॥ ୧୩୩

ଯୁଧିଷ୍ଠିର ଉବାଚ

ହେ ଦେବଋଷି ସତ୍ୟବ୍ରତ । କହିଲ ଅଦ୍‌ଭୁତ ଚରିତ ॥ ୧୩୪

ନିଜ ସୁତକୁ ତାତ ଯେବେ । ଦଣ୍ଡିଲା ଶତ୍ରୁଜନ ଭାବେ ॥ ୧୩୫

ସେ ଶୁଦ୍ଧଚେତା ପ୍ରହଲ୍ଲାଦ । କିମ୍ପାଇଁ ଅର୍ଜିଲା ପ୍ରମାଦ ॥ ୧୩୬

କୁପୁତ୍ରପଣ ଯେ କରନ୍ତି । ପିତାକୁ ରିପୁ ପ୍ରାୟ ଚିନ୍ତି ॥ ୧୩୭

ପୁତ୍ର-କୁଶଳେ ଶିକ୍ଷା ଅର୍ଥେ । ପିତା ଚିନ୍ତଇ ଦିବାରାତ୍ରେ ॥ ୧୩୮

ନିଜ ପୁତ୍ରକୁ ପିତା କେବେ । ନ ଦଣ୍ଡେ ଅପର ସ୍ୱଭାବେ ॥ ୧୩୯

ସେ ପୁତ୍ର ପିତା-ଅନୁଚର । ସ୍ୱଭାବେ ଶୁଦ୍ଧ ସାଧୁ ଧୀର ॥ ୧୪୦

ଏହାକୁ କିମ୍ପା ଦୁଃଖ ଦେଲା । ମୋତେ ତ ସନ୍ଦେହ ଲାଗିଲା ॥ ୧୪୧

ଯେ ପିତା ପୁତ୍ରେ ଦିଏ ଦୁଃଖ । ସେ କଥା ମରଣୁଁ ଅଧିକ ॥ ୧୪୨

ଏଣୁ ଦୁଃଖିତ ମୋର ମନ । କହ ହେ ବ୍ରହ୍ମାଙ୍କ ନନ୍ଦନ ॥ ୧୪୩

ଶୁକ ଉବାଚ

ଏମନ୍ତେ ଧର୍ମସୁତ ବାଣୀ । ନାରଦ ସଭା ମଧ୍ୟେ ଶୁଣି ॥ ୧୪୪

କୃଷ୍ଣଚରଣେ ଦେଇ ଚିତ୍ତ । କହିଲେ ବିଷ୍ଣୁର ଚରିତ ॥ ୧୪୫

ସେ ବ୍ରହ୍ମମୁନିର ଚରଣେ । ସୁଜନେ ନମ ଅନୁକ୍ଷଣେ ॥ ୧୪୬

ତୁମ୍ଭର ହିତେ ଭାଗବତ । ଭାଷା-ପ୍ରବନ୍ଧେ କଲି ଗୀତ ॥ ୧୪୭

ସପ୍ତମ ସ୍କନ୍ଧେ ଏହି ତତ୍ତ୍ୱ । କହଇ ଦାସ ଜଗନ୍ନାଥ ॥ ୧୪୮

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ସପ୍ତମସ୍କନ୍ଧେ ପ୍ରହ୍ଲାଦ ଚରିତେ ଚତୁର୍ଥୋଽଧ୍ୟାୟଃ ॥

* * *