ସପ୍ତମ ସ୍କନ୍ଧ

ଦ୍ୱିତୀୟ ଅଧ୍ୟାୟ

ନାରଦ ଉବାଚ

କହନ୍ତି ବ୍ରହ୍ମାଙ୍କ ନନ୍ଦନ । ରାଜନ ସାବଧାନେ ଶୁଣ ॥

ଅସୁର କୁଳେ ଜାତ ହୋଇ । ଜୟ-ବିଜୟ ବେନିଭାଇ ॥

ହିରଣ୍ୟ-ହିରଣ୍ୟାକ୍ଷ ବୀର । ତପେ ତୋଷିଲେ ବେଦବର ॥

ତିନିଭୁବନେ ମହାତେଜେ । ଅସୁର ବଳ ଘେନି ରାଜେ ॥

ହିରଣ୍ୟକଶିପୁ ଅସୁର । ବଳେ ହୋଇଲା ରାଜେଶ୍ୱର ॥

ଲୋକ ବିପ୍ଳବ ଭୟଙ୍କର । ତ୍ରାସେ କମ୍ପିଲେ ସୁରନର ॥

ତାର ଅନୁଜ ହିରଣ୍ୟାକ୍ଷ । ଗଦା-ସଂଗ୍ରାମେ ମହାଦକ୍ଷ ॥

ଦେବ-ମନୁଷ୍ୟ ତାର ତୁଲେ । ଗଦା ସଂଗ୍ରାମେ ଭାଜିଗଲେ ॥

ଏ ବେନି ଲୋକ ଜିଣି ବଳେ । ବିଜୟ କଲା ସେ ପାତାଳେ ॥

ବରୁଣ ପୁରେ ଯାଇ ମିଳି । ପ୍ରଚଣ୍ଡ ଗଦା ଊର୍ଦ୍ଧେ ତୋଳି ॥ ୧୦

ବୋଇଲା ମୋତେ ଯୁଦ୍ଧ ଦିଅ । ନୋହିଲେ ପାତାଳେ ନଥାଅ ॥ ୧୧

ମୋର ଏ ପାତାଳଭୁବନ । ଏମନ୍ତେ ଗଲା କେତେଦିନ ॥ ୧୨

ଯଜ୍ଞବରାହ ରୂପେ ହରି । ଦନ୍ତାଗ୍ରେ ଧରଣୀ ଉଦ୍ଧରି ॥ ୧୩

ସେ ହରି ଥିଲେ ତାର ପୁରେ । ତିନିଭୁବନେ ଉପକାରେ ॥ ୧୪

ଅସୁର ଦେଖି ଗଦାଧର । ଗଦାପ୍ରହାରେ କଲେ ଚୂର ॥ ୧୫

ହିରଣ୍ୟକଶିପୁ ତା ଶୁଣି । କୋପେ କମ୍ପିଲା ଶିର ଝୁଣି ॥ ୧୬

ଅଧର ଦଶନେ କାମୁଡ଼ି । ହା- ହା ଶବଦେ ଶିର ତାଡ଼ି ॥ ୧୭

ଭ୍ରାତୃ ନିଧନେ ସେ ବିକଳେ । ଚାହିଁଲା ଆକାଶ ମଣ୍ଡଳେ ॥ ୧୮

ସଧୂମ ଦିଶେ ଦଶଦିଶ । ତା’ ଦେଖି କଲା ମହାରୋଷ ॥ ୧୯

କରାଳ ଦନ୍ତ ଉଗ୍ର ଦୃଷ୍ଟି । ଲଲାଟେ କୁଟୀଳ ଭ୍ରୂକୁଟି ॥ ୨୦

ଶୂଳ ଉଞ୍ଚାଇ ସଭା ମଧ୍ୟେ । ବୋଲଇ ଭ୍ରାତୃ ଶୋକବାଦେ ॥ ୨୧

ଭୋ ଭୋ ଦାନବ ଦୈତ୍ୟଗଣ । କହଇ ସାବଧାନେ ଶୁଣ ॥ ୨୨

ଦିମୂର୍ଦ୍ଧା ତ୍ରିନେତ୍ର ସମ୍ବର । ହେ ଶତବାହୁ ହୟଶିର ॥ ୨୩

ନମୁଚି ହେ ପାକ ଇଲ୍ୱଳ । ହେ ବିପ୍ରଚିତ୍ତି ଶୁଣ ବୋଲ ॥ ୨୪

ପୁଲୋମା ଶକୁନି ସହିତେ । ଏ ମୋର ସଭାମଧ୍ୟେ ଯେତେ ॥ ୨୫

ମୋହର ବୋଲ ବେଗେ କର । ଏ ଶୋକସାଗରୁ ଉଦ୍ଧର ॥ ୨୬

ମୋର ବଇରୀ ଦେବଲୋକେ । ମନୁଷ୍ୟ ମଧ୍ୟେ ଛନ୍ତି ଥୋକେ ॥ ୨୭

ହରିଙ୍କି ଭଜନ୍ତି ଯେ ନିତ୍ୟେ । ବିଚାର କରି ଏକମତେ ॥ ୨୮

ହରିର ପକ୍ଷ ଆଶ୍ରେ କଲେ । ମୋର ଭ୍ରାତାକୁ ସଂହାରିଲେ ॥ ୨୯

ସେ ହରି ମୋହର ବଇରୀ । ଅତି ନିର୍ଦ୍ଦୟ ଅହଂକାରୀ ॥ ୩୦

ମାୟାରେ ନାନା ରୂପ ଧରେ । ଭକତ ସଙ୍ଗେ ସେ ବିହରେ ॥ ୩୧

ବାଳକ ପ୍ରାୟ ତାର ଗତି । ଏଣୁ ଅସ୍ଥିର ମୋର ମତି ॥ ୩୨

ଏ ଶୂଳ ମାରି ତା’ ଶରୀରେ । ତର୍ପଣ କରିବି ରୁଧିରେ ॥ ୩୩

ମୋ ଭାଇ ପ୍ରେତ କାର୍ଯ୍ୟଅର୍ଥେ । କହିଲି ତୁମ୍ଭର ଅଗ୍ରତେ ॥ ୩୪

ସେ ହରି ନଷ୍ଟ ଦୁରାଚାର । ତାର ବିଶ୍ୱାସୀ ବେଗେ ମାର ॥ ୩୫

ସେ ମଲେ ମରିବେ ସକଳେ । ମୂଳ କାଟିଲେ ଯେହ୍ନେ ଡାଳେ ॥ ୩୬

ଯାବତ ନମରଇ ହରି । ତାବତ ଭ୍ରମ ବସୁନ୍ଧରୀ ॥ ୩୭

ବ୍ରାହ୍ମଣ କ୍ଷତ୍ରୀ ବୈଶ୍ୟ ଯେତେ । କୃଷ୍ଣ ଭଜନ୍ତି ଅବିରତେ ॥ ୩୮

ତପସ୍ୱୀ ଜନ ବେଗେ ମାର । ଯଜ୍ଞର ଅଗ୍ନି ନାଶକର ॥ ୩୯

ଋତ୍ୱିକ ଅଗ୍ନିହୋତ୍ର ଯେତେ । ତାହାଙ୍କୁ ମାର ଅବିରତେ ॥ ୪୦

ଯେ ଧର୍ମ କ୍ରିୟା ମୂଳ ହରି । ସେ ଥାଇ ସର୍ବଘଟେ ପୂରି ॥ ୪୧

ଋଷି ଦେବତା ପିତୃଗଣେ । ଯେ ଥାନ୍ତି ଧର୍ମପରାୟଣେ ॥ ୪୨

ଗୁରୁ ବ୍ରାହ୍ମଣ ଯହିଁ ତହିଁ । ବେଦ ପଠନେ ମନ୍ତ୍ରଧ୍ୟାୟୀ ॥ ୪୩

ଆଶ୍ରମବେତ୍ତା ଯହିଁ ପାଅ । ଜଳେ ବୁଡ଼ାଇ ଅଗ୍ନି ଦିଅ ॥ ୪୪

ଏମନ୍ତ ରାଜା ଆଜ୍ଞା ପାଇଁ । ଅସୁରେ ଗଲେ ସଜ ହୋଇ ॥ ୪୫

ସ୍ୱଭାବେ ଅସୁର ନିର୍ଦ୍ଦୟ । ପ୍ରାଣୀ ମାରଣେ ବଡ଼ ପ୍ରିୟ ॥ ୪୬

ଋଷି ଆଶ୍ରମ ତପୋବନେ । ତୀର୍ଥ ପବିତ୍ର ନାନାସ୍ଥାନେ ॥ ୪୭

ତତ୍‌କ୍ଷଣେ ପଶି ଗ୍ରାମପୁରେ । ଗିରି-ବନସ୍ତ କ୍ଷେତ୍ରଦ୍ୱାରେ ॥ ୪୮

ଖେଟ ଖର୍ବଟ ନାନାସ୍ଥାନେ । ଋଷି ଆଶମ୍ର ତପୋବନେ ॥ ୪୯

ଗୋରୁ ବ୍ରାହ୍ମଣ ଯଜ୍ଞସ୍ଥାନ । ଅନଳେ ଦହିଲେ ତକ୍ଷଣ ॥ ୫୦

ଖନିତ୍ର ଘେନି ମହାସୁରେ । ଭେଦିଲେ ପ୍ରାକାର ଗୋପୁରେ ॥ ୫୧

ସୁଗନ୍ଧ ପୁଷ୍ପ ବୃକ୍ଷ ଛେଦି । ଚୂତ ଚମ୍ପକ ତୁଳୁସାଦି ॥ ୫୨

ଚଳନ୍ତି ଗିରିବର ଭେଦି । ବୃକ୍ଷକୁ ପକାଇଲେ ଛେଦି ॥ ୫୩

ଅସୁର ବଳ ବେଗେ ବ୍ୟାପି । ଛେଦି ପକାଇଲେ ବିଟପୀ ॥ ୫୪

ଜୀବିକା-ବୃକ୍ଷ ଯେତେ ଥିଲେ । ପରଶୁ ହସ୍ତେ ତା’ ଛେଦିଲେ ॥ ୫୫

ଏମନ୍ତ ରାଜାର ଆଦେଶେ । ଧର୍ମ ନାଶିଲେ ମହାରୋଷେ ॥ ୫୬

ନିରତେ ପ୍ରାଣୀ ନାଶକଲେ । ଦେବେ ଆକାଶୁ ପକାଇଲେ ॥ ୫୭

ଲୁଚିଲେ ବନ-ଗିରି-ଦ୍ରୋଣେ । ଯେହ୍ନେ କାନନେ ପଶୁଗଣେ ॥ ୫୮

ଏମନ୍ତେ ପ୍ରାଣୀ ନାଶକରି । ଭ୍ରାତୃମରଣେ ଶୋକକରି ॥ ୫୯

ଭାଇର ପ୍ରେତ କାର୍ଯ୍ୟକଲା । ଅନେକ ଅନ୍ନଦାନ ଦେଲା ॥ ୬୦

ତର୍ପଣ-ଶ୍ରାଦ୍ଧ କର୍ମସାରି । ଭ୍ରାତୃପୁତ୍ରଙ୍କୁ କୋଳେଧରି ॥ ୬୧

ତକ୍ଷଣେ ଅନ୍ତଃପୁରେ ଯାଇ । ସୁହୃଦ ଅସୁରଙ୍କୁ ରାଇ ॥ ୬୨

ଶକୁନି ସମ୍ବର ଧୃଷ୍ଟିକ । ଭୂତ ସନ୍ତାପନ ଯେ ବୃକ ॥ ୬୩

ଯେ କାଳନାଭ ମହାନାଭ । ହରିତଶ୍ମଶ୍ରୁ ଭଇରବ ॥ ୬୪

ଉତ୍କଟ ବିକଟ ବସାଇ । ଅନୁଜ ପତ୍ନୀକି ଅନାଇଁ ॥ ୬୫

ତାହାର ନାମ ରୁଷାଭାନୁ । ସ୍ୱାମୀ ମରଣେ ମହାମନ୍ୟୁ ॥ ୬୬

ମାତା ସଙ୍ଗତେ ତାକୁ ଆଣି । ବସାଇ କହେ ମଞ୍ଜୁବାଣୀ ॥ ୬୭

ହିରଣ୍ୟକଶିପୁ ଉବାଚ

ହେ ମାତା ବଧୂପୁତ୍ରେ ଶୁଣ । ଏ ମାୟା-ସଂସାର ଭିଆଣ ॥ ୬୮

ମୃତ ପ୍ରାଣୀକି ନ ସୁମରି । ଏ ଜୀବ ନୁହଇ କାହାରି ॥ ୬୯

ବୀର ମରଣ ରିପୁମୁଖେ । ଲଭେ ଅକ୍ଷୟ-ସ୍ୱର୍ଗସୁଖେ ॥ ୭୦

ତାର ମରଣେ ଚିନ୍ତା ନାହିଁ । ସ୍ୱର୍ଗେ ବସିଲା ମୋର ଭାଇ ॥ ୭୧

ଏ ଭବ-ସଂସାର-ସାଗର । କୃଷ୍ଣର କ୍ରୀଡ଼ାର ମନ୍ଦିର ॥ ୭୨

ଏ ଭବେ କିଛି ସ୍ଥିର ନୋହେ । ପଥେ ପଥୁକୀଜନ ପ୍ରାୟେ ॥ ୭୩

ପୂର୍ବଜନ୍ମର କର୍ମଫଳେ । ପ୍ରାଣୀଏ ମିଳନ୍ତି ସଂସାରେ ॥ ୭୪

ଜଳଛତ୍ରରେ ପ୍ରାଣୀ ଯେହ୍ନେ । ଶ୍ରମେ ମିଳନ୍ତି ଜଳପାନେ ॥ ୭୫

ବସିଣ ଜଳପାନ କରି । ତହୁଁ ଚଳନ୍ତି ଶ୍ରମ ସାରି ॥ ୭୬

ସେ ଯେହ୍ନେ ନୁହଇ କାହାରି । ସଂସାରେ ଘଟେ ସେହିପରି ॥ ୭୭

ଉପାଧି ବସ୍ତୁ ନାଶ ଯାଇ । ଆତ୍ମା କେବେ ହେଁ ନ ମରଇ ॥ ୭୮

ଏ ଆତ୍ମା ନିତ୍ୟ ସର୍ବଗତ । ଅବ୍ୟୟ ଶୁଦ୍ଧଗୁଣ ସତ୍ତ୍ୱ ॥ ୭୯

ସର୍ବଜ୍ଞ ସର୍ବପରେ ରହେ । ଆତ୍ମାରୁ ଆତ୍ମରୂପ ବହେ ॥ ୮୦

ସେ ଆତ୍ମା ଦେହରୁ ଚଳିଲେ । ଦେହ ବିନାଶ ଲଭେ ଭଲେ ॥ ୮୧

ବୃକ୍ଷର ଛାଇ ଜଳେ ଥିଲେ । ସେ ଜଳ ପବନେ ଚଳିଲେ ॥ ୮୨

ବୃକ୍ଷ ଚଳିଲା ପ୍ରାୟ ଦିଶେ । ସେ ଯେହ୍ନେ ଉଦକେ ନ ମିଶେ ॥ ୮୩

ବାଳକେ କ୍ରୀଡ଼ାରେ ଘୂରନ୍ତି । ଭ୍ରମିଣ ଭୂମିରେ ପଡ଼ନ୍ତି ॥ ୮୪

ଚାହାନ୍ତେ ଭ୍ରମଇ ସଂସାର । ଏମନ୍ତେ ମାୟା-କ୍ରୀଡ଼ାଘର ॥ ୮୫

ଏଣୁ ଏ ଭ୍ରମ ଗୁଣ ଦୋଷେ । ମନ ନ ରହଇ ବିଶ୍ୱାସେ ॥ ୮୬

ଅଦେହ ହୋଇ ଦେହବନ୍ତ । ଅଜ୍ଞାନୀ ଜନଙ୍କର ମତ ॥ ୮୭

ଅର୍ଜିଲା କର୍ମଫଳ ବଳେ । ପ୍ରାଣୀ ଭ୍ରମନ୍ତି ମହୀତଳେ ॥ ୮୮

ସଂସାର ସଂଯୋଗ-ବିଯୋଗେ । ଶୋକ ହରଷ ବେନିମାର୍ଗେ ॥ ୮୯

ଏ ଅର୍ଥେ ଇତିହାସ କହି । ଶୁଣ ଜନନୀ ମନଦେଇ ॥ ୯୦

ପୂର୍ବେ ଯେ ପ୍ରେତ-ବନ୍ଧୁ ତୁଲେ । ଯେବା ସମ୍ବାଦ ଯମ କଲେ ॥ ୯୧

ଶୁଣ ଜନନୀ ମନ ତୋଷେ । ଯେ କଥା ଉଶୀନର ଦେଶେ ॥ ୯୨

ସୁଯଜ୍ଞ ନାମେ ରାଜା ଥିଲା । ଶତ୍ରୁ-ସଂଗ୍ରାମେ ପ୍ରାଣ ଦେଲା ॥ ୯୩

ତା’ ଶୁଣି ତାର ଜ୍ଞାତି ଜନେ । ମିଳିଲେ ମୃତପିଣ୍ଡ ସ୍ଥାନେ ॥ ୯୪

ଦେଖିଲେ ରାଜାର ଶରୀର । ରୁଧିରେ ଧୂଳିରେ ଧୂସର ॥ ୯୫

ରତ୍ନକବଚ ଖଣ୍ଡ ଖଣ୍ଡ । ବିଭ୍ରମ ଅଳଂକାର ପିଣ୍ଡ ॥ ୯୬

ଶରେ ବିଚ୍ଛିନ୍ନ କଳେବର । ଶୟନ ଶ୍ମଶାନ-ଭୂମିର ॥ ୯୭

ବିବର୍ଣ୍ଣ କେଶ ତାର ମୁଣ୍ଡେ । ବହେ ରୁଧିର ଧାରା ତୁଣ୍ଡେ ॥ ୯୮

ଲଲାଟେ ଲୁଚିଛି ଲୋଚନ । ଓଷ୍ଠ ତା’ ଦିଶଇ ବିବର୍ଣ୍ଣ ॥ ୯୯

ରଜେ କୁଣ୍ଠିତ ନାସାଦ୍ୱାର । ଛିନ୍ନ ଆୟୁଧ ଅଛି କର ॥ ୧୦୦

ଏମନ୍ତେ ମିଳି ତା’ ସମୀପେ । କାମିନୀଗଣ ଶୋକତାପେ ॥ ୧୦୧

ବନ୍ଧୁ ବାନ୍ଧବ ତୁଲେ ଯାଇ । କାନ୍ଦନ୍ତି ରାଜା ମୁଖ ଚାହିଁ ॥ ୧୦୨

ଭୋ ନାଥ ତୋହର ମରଣେ । ତୋର ସକଳ ବଧୂଗଣେ ॥ ୧୦୩

ଜୀବନ ଥାଉଁ ଆମ୍ଭେ ମଲୁ । ବିଧି ଏମନ୍ତ ଭିଆଇଲୁ ॥ ୧୦୪

ହୃଦରେ ବେନି କରତାଡ଼ି । କାନ୍ଦନ୍ତି ମହୀତଳେ ପଡ଼ି ॥ ୧୦୫

ଚରଣ ପୁଣ ପୁଣ ଧରି । ଉଚ୍ଚେ କାନ୍ଦନ୍ତି ତାର ନାରୀ ॥ ୧୦୬

ଚରଣେ ସିଞ୍ଚି ଅଶ୍ରୁଜଳ । ଲୋତକେ ମିଶ୍ରିତ କଜ୍ଜ୍ୱଳ ॥ ୧୦୭

କୁଚ-କୁଙ୍କୁମ ଅଶ୍ରୁଜଳେ । ପଡ଼ଇ ରାଜା ପାଦତଳେ ॥ ୧୦୮

କେଶ-ବସନ ଅସମ୍ଭାଳ । ଶୁଭେ ରୋଦନ ମହାଗୋଳ ॥ ୧୦୯

ହା-ହା ଦଇବ ତୁ ନିର୍ଦ୍ଦୟ । ଦୂରେ ଛେଦିଲୁ ଆମ୍ଭ ସ୍ନେହ ॥ ୧୧୦

ଅଦୃଷ୍ଟ ଅଚିନ୍ତିତ କର୍ମ । ଭିଆଇ କଲୁ ମତିଭ୍ରମ ॥ ୧୧୧

ପୂର୍ବେ ଆମ୍ଭଙ୍କୁ ସୁଖ ଦେଲୁ । ଏବେ ତୁ ନିଷ୍ଠୁର ହୋଇଲୁ ॥ ୧୧୨

ପୁଣି ରାଜାର ପାଦଧରି । ଉଚ୍ଚେ କାନ୍ଦନ୍ତି ତାର ନାରୀ ॥ ୧୧୩

ଆମ୍ଭର ପ୍ରାଣନାଥ ତୁହି । ମୁହୂର୍ତ୍ତେ ତୋ ମୁଖ ନଚାହିଁ ॥ ୧୧୪

କେମନ୍ତେ ଧରିବୁ ଜୀବନ । ଦିଶଇ ଦଶଦିଗ ଶୂନ୍ୟ ॥ ୧୧୫

କହ କେବଣ ଦିଗେ ଯିବୁ । ତୋ ବିନୁ ଶରୀର ଦହିବୁ ॥ ୧୧୬

ଏମନ୍ତେ ପତିପାଦ ଧରି । ଉଚ୍ଚେ ରୋଦନ୍ତି ସର୍ବନାରୀ ॥ ୧୧୭

ଦହନ କରି ନଦିଅନ୍ତି । ଦୁଃଖ ରହିଲେ ଗୋତ୍ରଜ୍ଞାତି ॥ ୧୧୮

ଏମନ୍ତେ ରବି ଅସ୍ତ ଗଲା । ଘୋର-ତିମିରି ଆଚ୍ଛାଦିଲା ॥ ୧୧୯

ଅତି କାରୁଣ୍ୟ ତାଙ୍କ ଦେଖି । ଶମନ ଭୁବନ ଉପେକ୍ଷି ॥ ୧୨୦

ଶୋକ-ନିବାରେ ଇଚ୍ଛାକରି । ଯମ ବାଳକ ରୂପ ଧରି ॥ ୧୨୧

ମିଳିଣ ତାଙ୍କ ସନ୍ନିଧ୍ୟାନେ । କହନ୍ତି କୋମଳ ବଚନେ ॥ ୧୨୨

ଯମ ଉବାଚ

ଅହୋ ଅଦ୍ଭୁତ କର୍ମ ଦେଖ । ଏ ସର୍ବେ ବୟସେ ଅଧିକ ॥ ୧୨୩

ବାଳକ ପ୍ରାୟେ ନଜାଣନ୍ତି । ବିମୋହେ ରୋଦନ କରନ୍ତି ॥ ୧୨୪

ଏ ପ୍ରାଣ ଯହୁଁ ଆସିଥିଲା । କର୍ମ-ସଙ୍ଗତେ କରି ଖେଳା ॥ ୧୨୫

ତହିଁକି ଗଲା କର୍ମଅନ୍ତେ । ଜାଣି ନଜାଣନ୍ତି କେମନ୍ତେ ॥ ୧୨୬

କର୍ମର ତୁଲେ ରହେ ଦେହୀ । କର୍ମ ସରିଲେ କେବା ରହି ॥ ୧୨୭

ଏଣୁ ଏ କର୍ମମୟ ଦେହୀ । କର୍ମୁ ଅଧିକ କେହି ନାହିଁ ॥ ୧୨୮

ଯହୁଁ ଅଇଲା ତା’ ନଜାଣେ । ଦେହକୁ ନିତ୍ୟ ପ୍ରାୟ ମଣେ ॥ ୧୨୯

ଅନ୍ତେ ଯହିଁକି ପ୍ରାଣ ଯିବ । ଏହା ନଜାଣେ ବ୍ରହ୍ମା ଶିବ ॥ ୧୩୦

ସଂସାର ମଧ୍ୟେ ଦେହ ବହି । ବାଳକ-ଜନ୍ମେ ଧନ୍ୟ ମୁହିଁ ॥ ୧୩୧

ପିତା-ଜନନୀ ମୋର ନାହିଁ । ବୁଲଇ ଅରକ୍ଷିତ ହୋଇ ॥ ୧୩୨

ବ୍ୟାଘ୍ର ଭଲ୍ଲୁକ ଜନ୍ତୁ ଯେତେ । କେହି ତ ନ ଭକ୍ଷିଲେ ମୋତେ ॥ ୧୩୩

ଗର୍ଭେ ଯେ ରକ୍ଷାକଲା ମୋତେ । ଏବେ ସେ ଅଛି ମୋ ସଙ୍ଗତେ ॥ ୧୩୪

ଈଶ୍ୱର ଇଚ୍ଛାରେ ସର୍ଜଇ । ପାଳଇ ପୁଣି ସଂହାରଇ ॥ ୧୩୫

ତାହାର କ୍ରୀଡ଼ା ଏ ଜଗତ । କେ ଅବା ସୁତ ତାତ ମାତ ॥ ୧୩୬

ଯେ ପ୍ରାଣୀ ନିଜ ପଥ ହୁଡ଼େ । ନିୟତ କର୍ମ ଯେବେ ଛାଡ଼େ ॥ ୧୩୭

କର୍ମ ତାହାକୁ କରେ ରକ୍ଷା । ଗୁରୁଙ୍କ ପ୍ରାୟେ ଦେଇ ଦୀକ୍ଷା ॥ ୧୩୮

ବାଳକ ଗୃହେ ଥାଏ ଯେବେ । କର୍ମେ ନଥିବ ଭାଗ୍ୟ ତେବେ ॥ ୧୩୯

ରକ୍ଷକ ଥିଲେ ହେଁ ମରଇ । ଅତି ଯତନେ ଯେବେ ଥାଇ ॥ ୧୪୦

ଯେ ବାଳ ବନେ ବିସର୍ଜିତ । ସ୍ୱଭାବେ ହୋଇ ଅରକ୍ଷିତ ॥ ୧୪୧

ତାହାକୁ ଦଇବ ରଖଇ । ବେଦ ପୁରାଣେ ଏହା କହି ॥ ୧୪୨

ଏଣୁ ପ୍ରାଣୀଏ କର୍ମଫଳେ । ଜନ୍ମ-ମରଣ ଏ ଶୟଳେ ॥ ୧୪୩

ଆତ୍ମା ସକଳ ଦେହେ ଥାଇ । ଶରୀରୁ ଭିନ୍ନ ସେ ଅଟଇ ॥ ୧୪୪

ଆତ୍ମାରୁ ଶରୀର ବିଖ୍ୟାତ । ମୋହ ଗହନେ ହୋଇ ଜାତ ॥ ୧୪୫

ଗୃହସ୍ଥ ଗୃହେ ଥାଇ ଯେହ୍ନେ । ଆତ୍ମାକୁ ଗୃହ ଅନୁମାନେ ॥ ୧୪୬

ଯେହ୍ନେ ବୁଦ୍‍ବୁଦ୍ ଜଳୁ ଜାତ । ମାଟିରୁ ଘଟ ଯେ ସମ୍ଭୂତ ॥ ୧୪୭

ମୃତ୍ତିକା ଯେହ୍ନେ ଜଳେ ମାଡ଼ି । ଚକ୍ରେ ବସାଇ ରୂପ ଗଢ଼ି ॥ ୧୪୮

ଅଗ୍ନି ସଂଯୋଗେ ଦୃଢ଼େ ଦହି । ନାନା ପ୍ରକାରେ ବସ୍ତୁ ବିହି ॥ ୧୪୯

ସେ ଭାଣ୍ଡ ପ୍ରୟୋଜନ ଅନ୍ତେ । ପୁଣି ପଡ଼ଇ ଭୂମିଗତେ ॥ ୧୫୦

ସ୍ୱର୍ଣ୍ଣରୁ କୁଣ୍ଡଳ ହୁଅଇ । ବିନାଶେ ନିଜତ୍ୱ ରହଇ ॥ ୧୫୧

ମିଶଇ ବୁଦ୍‍ବୁଦ୍ ଜଳରେ । ଘଟ ବିଲୀନ ମୃତ୍ତିକାରେ ॥ ୧୫୨

ତେସନେ କାଳ ଭୋଗେ ଜାତ । କର୍ମ ଭୋଗେଣ ଜୀବ ମୃତ ॥ ୧୫୩

ବିନଷ୍ଟ ହୁଅଇ ଶରୀର । ଆତ୍ମା ଚଳଇ ନିରନ୍ତର ॥ ୧୫୪

ଅନଳ ଯେହ୍ନେ ଦାରୁ ମଧ୍ୟେ । ଭିନ୍ନେ ପ୍ରକାଶେ ବସ୍ତୁ ଭେଦେ ॥ ୧୫୫

ପବନ ଦେହ ମଧ୍ୟେ ଥାଇ । ନାସିକା ରନ୍ଧ୍ରେ ସଞ୍ଚରଇ ॥ ୧୫୬

ସେହି ନ ଲାଗେ ତାର ଦେହେ । ସର୍ବ ସଞ୍ଚରି ଭିନ୍ନେ ରହେ ॥ ୧୫୭

ଆକାଶ ସର୍ବବ୍ୟାପୀ ହୋଇ । କାହାରି ସଙ୍ଗେ ଲିପ୍ତ ନୋହି ॥ ୧୫୮

ଏ ଜୀବ ପୁରୁଷ ତେମନ୍ତ । ସ୍ୱଭାବେ ତ୍ରିଗୁଣେ ଯନ୍ତ୍ରିତ ॥ ୧୫୯

ସୁଯଜ୍ଞ ରାଜା ଏ ନୁହଇ । ରୋଦନ କର କାହିଁପାଇଁ ॥ ୧୬୦

ଶ୍ରୋତା ବକତା ନାହିଁ ଏଥେ । ରୋଦନ ଶୁଣିବ କେମନ୍ତେ ॥ ୧୬୧

ଏ ଦେହ ମଧ୍ୟେ ଆତ୍ମା ଥାଇ । ଇନ୍ଦ୍ରିୟ ସଙ୍ଗେ ପ୍ରକାଶଇ ॥ ୧୬୨

ସେ ଏଥୁ ଗଲା ଅନ୍ତରୀକ୍ଷେ । ଦେଖ ଏ ମୃତ୍ତିକା ପ୍ରତ୍ୟକ୍ଷେ ॥ ୧୬୩

ପାର୍ଥିବ-ବିକାର ଏ ଦେହୀ । ପୃଥିବୀ ସଙ୍ଗେ ଅଛି ଶୋଇ ॥ ୧୬୪

ଯାହାକୁ ଶୋକ ତୁମ୍ଭେ କର । ସେ ପ୍ରାଣ ଏ ଦେହରୁ ପର ॥ ୧୬୫

ଏ ପଞ୍ଚଭୂତ ଇନ୍ଦ୍ରିଗଣ । ମନଟି ଏହାଙ୍କ କାରଣ ॥ ୧୬୬

ଆତ୍ମାଟି ଏହାଙ୍କର ସଙ୍ଗେ । ପ୍ରକାଶ ଉଚ୍ଚ-ନୀଚ ଅଙ୍ଗେ ॥ ୧୬୭

ସେ ନିଜ ତେଜେ ପ୍ରକାଶଇ । ଶରୀର ଘେନଇ ଛାଡ଼ଇ ॥ ୧୬୮

ଯାବତ ଆତ୍ମା ଦେହେ ଥାଇ । ତାବତ ଲିଙ୍ଗ ରୂପ ବହି ॥ ୧୬୯

ଏ ଜୀବ କର୍ମରେ ବନ୍ଧନ । ଏହା ନ ଜାଣେ ମୂଢ଼ଜନ ॥ ୧୭୦

ଏଣୁ ଏ ଗତାଗତ-ପଥେ । କ୍ଳେଶ ଲଭଇ ଅବିରତେ ॥ ୧୭୧

ସେ ପୁଣି ମିଥ୍ୟା-କଳେବରେ । ଅତଥ୍ୟ ତଥ୍ୟପ୍ରାୟ ସ୍ଫୁରେ ॥ ୧୭୨

ଯେମନ୍ତେ ସ୍ୱପ୍ନ ମନୋରଥେ । ଭ୍ରମଇ ଇନ୍ଦ୍ରିୟଙ୍କ ଅର୍ଥେ ॥ ୧୭୩

ଦେଖଇ ସତ୍ୟ ପ୍ରାୟେ ତାହା । ନିଦ୍ରାର ଅନ୍ତେ ହୁଏ ମାୟା ॥ ୧୭୪

ଏହାଙ୍କୁ ନିତ୍ୟାନିତ୍ୟମତେ । ପଣ୍ଡିତେ ନ ଘେନନ୍ତି ଚିତ୍ତେ ॥ ୧୭୫

କର୍ମ ଅନ୍ୟଥା କେ କରିବ । ଯାହା ନ ମୁଞ୍ଚେ ବ୍ରହ୍ମାଶିବ ॥ ୧୭୬

ଶୁଣ କହିବା ପୂର୍ବବାଣୀ । ମୁଁ ଯେ ବାଳକ ଅଛି ଶୁଣି ॥ ୧୭୭

ଲୁବ୍ଧକ ପକ୍ଷୀଙ୍କ ମାରଣେ । ଦିନେ ପଶିଲା ଘୋରବନେ ॥ ୧୭୮

ବୁଲଇ ହସ୍ତେ ପାଶ ଲଇ । ପକ୍ଷୀଙ୍କ କାଳପ୍ରାୟ ହୋଇ ॥ ୧୭୯

ଲତାଗହଳେ ସେ ପଶିଲା । ଅନ୍ତରେ ଜାଲ ପ୍ରସାରିଲା ॥ ୧୮୦

ଆହାର ଜାଲତଳେ ଥୋଇ । ଲୁଚିଲା ଲତା ମଧ୍ୟେ ଯାଇ ॥ ୧୮୧

କୁଲିଙ୍ଗପକ୍ଷୀ ପତ୍ନୀମେଳେ । ବସି ଯେ ଥିଲା ବୃକ୍ଷ ଡାଳେ ॥ ୧୮୨

ଆହାର ଦେଖି ଜାଲତଳେ । ପଶିଲା କ୍ଷୁଧାର ବିକଳେ ॥ ୧୮୩

ଲୁବ୍ଧକ ଜାଲ ପାଶେ ଛନ୍ଦି । ତାର ପକ୍ଷିଣୀ ହେଲା ବନ୍ଦୀ ॥ ୧୮୪

ପତ୍ନୀ ବନ୍ଧନ ପତି ଦେଖି । ତକ୍ଷଣେ ଆସନ ଉପେକ୍ଷି ॥ ୧୮୫

ବୃକ୍ଷର ଉଚ୍ଚଡ଼ାଳେ ବସି । ନିର୍ଘାତେ ନିଃଶ୍ୱାସ ସାହାସି ॥ ୧୮୬

ଅତି ବ୍ୟାକୁଳେ ଦୁଃଖମନେ । ଲୋତକ ବହଇ ନୟନେ ॥ ୧୮୭

କର୍ମ ଆଦରି ଶୂନ୍ୟେ ଚାହିଁ । ବୋଲଇ ସୂର୍ଯ୍ୟଙ୍କୁ ଅନାଇଁ ॥ ୧୮୮

ହା- ହା ଦଇବ ତୁ ନିର୍ଦ୍ଧୟ । ମୋର ବିଷୟେ କଲୁ କୋହ ॥ ୧୮୯

କଷଣ ଦେଲୁ ପତ୍ନୀହୀନେ । ଏ ଦେହ ଧରିବି କେସନେ ॥ ୧୯୦

ଶରୀର ଅର୍ଦ୍ଧଅଙ୍ଗ ନାରୀ । ଅର୍ଦ୍ଧକେ କେବା ଦେହଧରି ॥ ୧୯୧

ବାଳକେ ଅଛନ୍ତି ମୋ ବାସେ । କି ଘେନି ଯିବି ତାଙ୍କ ପାଶେ ॥ ୧୯୨

ତାହାଙ୍କ ଦେହେ ପକ୍ଷ ନାହିଁ । କେମନ୍ତେ ପୋଷିବଇଁ ମୁହିଁ ॥ ୧୯୩

ବାଳକେ ମୋର ମାତୃହୀନେ । ଜୀବନ ଧରିବେ କେସନେ ॥ ୧୯୪

ମାତାକୁ ଲୋଡ଼ିବେ ନିରତେ । ମୁଁ ତାହା ସହିବି କେମନ୍ତେ ॥ ୧୯୫

ଏମନ୍ତେ ବୃକ୍ଷଡ଼ାଳେ ଥାଇ । ବିକଳେ କୁଲିଙ୍ଗ କାନ୍ଦଇ ॥ ୧୯୬

ପତ୍ନୀର ଦେହେ ଦେଇ ମନ । କ୍ଷଣକ୍ଷଣକେ ଅଚେତନ ॥ ୧୯୭

ଏମନ୍ତେ ବ୍ୟାଧ ବୃକ୍ଷତଳେ । ମିଳିଲା ଚରଣ ନିଶ୍ଚଳେ ॥ ୧୯୮

ନାରାଚ ବିନ୍ଧି ତାକୁ ମାରି । ମୁଦିଣ ଥୋଇଲା ପଞ୍ଜରୀ ॥ ୧୯୯

ତକ୍ଷଣେ ନିଜ ପୁରେ ଗଲା । ଶୁଣ ଗୋ ନୃପତି ଅବଳା ॥ ୨୦୦

ଆତ୍ମାର ଗତି ତ ନ ଜାଣ । ସୁଜନ ବଚନ ନ ଶୁଣ ॥ ୨୦୧

ଶତେ ବରଷ ଏହି ଠାବେ । ରୋଦନ କରୁଥିବ ଯେବେ ॥ ୨୦୨

ତେବେ କି ଉଠିବ ଶରୀର । ଏ ଜ୍ଞାନ ବୁଡ଼ିଲା ତୁମ୍ଭର ॥ ୨୦୩

ହିରଣ୍ୟକଶିପୁ ଉବାଚ

ବାଳକ ବଚନ ଏମନ୍ତେ । ଶୁଣି ସକଳ ଏକଚିତ୍ତେ ॥ ୨୦୪

ମାୟା ଛାଡ଼ିଲେ ଜ୍ଞାନ ପାଇ । ଉଠିଲେ ଏକୁ ଆରେ ଚାହିଁ ॥ ୨୦୫

ବୋଲନ୍ତି ମିଥ୍ୟା ଏ ସଂସାର । ଅନିତ୍ୟ ଜୀବନ ଶରୀର ॥ ୨୦୬

ଯମ ଏ ଉପଦେଶ ଦେଲା । ତକ୍ଷଣେ ଅନ୍ତର୍ଦ୍ଧାନେ ଗଲା ॥ ୨୦୭

ତହୁଁ ସେ ଜ୍ଞାତିଗୋତ୍ର ମେଳେ । ରାଜାର ପ୍ରେତକାର୍ଯ୍ୟ କଲେ ॥ ୨୦୮

ଏଣୁ ମୋ ଅନୁଜ ମରଣେ । ଶୋକ କରିବା କି କାରଣେ ॥ ୨୦୯

ଏମନ୍ତ ମାୟା ଏ ସଂସାର । କେ ନିଜ କେବା ଅଛି ପର ॥ ୨୧୦

କହନ୍ତି ବ୍ରହ୍ମାଙ୍କ ନନ୍ଦନ । ଶୁଣ ରାଜନ ତୋଷମନ ॥ ୨୧୧

ନାରଦ ଯୁଧିଷ୍ଠିର ପାଶେ । ତତ୍ତ୍ୱ କହନ୍ତି ଇତିହାସେ ॥ ୨୧୨

ନାରଦ ଉବାଚ

ଏମନ୍ତ ଶୁଣି ପୁତ୍ରକଥା । ଶୋକ ଛାଡ଼ିଲା ରାଜମାତା ॥ ୨୧୩

ପୁତ୍ରବଧୂଙ୍କୁ ଶାନ୍ତି କରି । ତତ୍ତ୍ୱବଚନ ମନେ ଧରି ॥ ୨୧୪

ଦିତି ଛାଡ଼ିଲା ପୁତ୍ର ଶୋକ । ବ୍ରହ୍ମରେ ନିବେଶି ବିବେକ ॥ ୨୧୫

ନାରଦ ମୁନି ଅନୁରାଗେ । କହିଲେ ଧର୍ମସୁତ ଆଗେ ॥ ୨୧୬

ଏ ବାଣୀ ତତ୍ତ୍ୱଜ୍ଞାନସାର । ଶୁଣି ସଂସାରୁ ପ୍ରାଣୀ ତର ॥ ୨୧୭

ଦେଖ ଏ ତତ୍ତ୍ୱଦିବ୍ୟଜ୍ଞାନ । ବାସନାବଳେ ଭ୍ରମେ ମନ ॥ ୨୧୮

କହଇ ଦାସ ଜଗନ୍ନାଥ । ସପ୍ତମ ସ୍କନ୍ଧେ ଭାଗବତ ॥ ୨୧୯

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ସପ୍ତମସ୍କନ୍ଧେ ଦିତି ଶୋକାପନୟନଂ ନାମ ଦ୍ୱିତୀୟୋଧ୍ୟାୟଃ ॥

* * *