ସପ୍ତମ ସ୍କନ୍ଧ

ପ୍ରଥମ ଅଧ୍ୟାୟ

ନମଇଁ ନୃସିଂହ ଚରଣ । ଅନାଦି ପରମ କାରଣ ॥

ଲୀଳା-ବିହାରେ ତନୁ ଧରି । ମର୍ତ୍ତ୍ୟେ କେ ପାରେ ସାଧ୍ୟ କରି ॥

କୃଷ୍ଣ ଚରଣେ ଦେଇ ଚିତ୍ତ । ବୋଲନ୍ତି ବ୍ୟାସଙ୍କର ସୁତ ॥

ଶୁକ ଉବାଚ

ଏବେ ହୋ ଶୁଣ କୁରୁମଣି । ହରିଚରିତ ସୁଧାବାଣୀ ॥

ଜନ୍ମବାସନା କର୍ମଫଳେ । ପ୍ରାଣୀ ଭୁଞ୍ଜନ୍ତି ଏ ଶୟଳେ ॥

ସପ୍ତମସ୍କନ୍ଧେ ଭାଗବତେ । କହିବା ଶୁଣ ଏକଚିତ୍ତେ ॥

କହିବା ପଞ୍ଚତତ୍ତ୍ୱ ଗୁଣ । ଶୁଣ ନୃପତି ସାବଧାନ ॥

କର୍ମବାସନା ରୂପ ଧରି । ବେନି ପ୍ରକାରେ ସେ ସଞ୍ଚରି ॥

ଶୁଭ ଅଶୁଭ ବେନି ପଦେ । ପ୍ରକାଶ କରେ ହେତୁ ଭେଦେ ॥

ମହତ ଅପମାନ କୋପେ । ଅସୁର ଜନ୍ମ ପୁତ୍ରରୂପେ ॥ ୧୦

ପୁଣ ମହତ ଅନୁଗ୍ରହେ । ସେ କର୍ମ ଶୁଭଫଳ ବହେ ॥ ୧୧

ଶୁଣ କହିବା ପ୍ରିୟଭାବେ । ଯେ ଯହିଁ ଯେମନ୍ତ ପ୍ରସ୍ତାବେ ॥ ୧୨

ବୈକୁଣ୍ଠେ ହରି ଦ୍ୱାରପାଳ । ଜୟ ବିଜୟ ମହାବଳ ॥ ୧୩

ସେ ବେନିଭାଇ ହରିଦ୍ୱାରେ । ଖଟନ୍ତି ସେବା ଅନୁସାରେ ॥ ୧୪

ଚତୁଃସନଙ୍କ କୋପ ଫଳେ । ଜନ୍ମିଲେ ଅସୁରଙ୍କ କୁଳେ ॥ ୧୫

ବ୍ରାହ୍ମଣେ ଅପରାଧ କରି । ଜନ୍ମ ଲଭିଲେ ଦେହଧରି ॥ ୧୬

ଅସୁର ଅଂଶେ ଅବତାର । ହିରଣ୍ୟକଶିପୁ କୁମର ॥ ୧୭

ସେ ପଦ୍ମଚରଣରେ ମୁହିଁ । ନିରତେ ଶରଣ ପଶଇ ॥ ୧୮

ସପ୍ତମ ସ୍କନ୍ଧେ ପ୍ରହଲ୍ଲାଦ । ଚରିତ ଅମୃତ ସମ୍ବାଦ ॥ ୧୯

ନୃସିଂହ ଅମୃତ ଚରିତ । ଆଜ୍ଞାରେ ରହୁ ମୋର ଚିତ୍ତ ॥ ୨୦

ସାଧୁ ସୁଜନେ କୃପାକର । ମୁଁ ତୁମ୍ଭ ଚରଣେ କିଙ୍କର ॥ ୨୧

ଏମନ୍ତେ ଶୁଣ ହେ ରାଜନ । ହରି ଚରିତ ସୁଧାପାନ ॥ ୨୨

ସେ ପ୍ରହଲ୍ଲାଦ ଦୈତ୍ୟଦେହେ । ନାରଦ ମୁନି ଅନୁଗ୍ରହେ ॥ ୨୩

ଶ୍ରୀକୃଷ୍ଣ-ଚରଣ-କମଳେ । ନିଶ୍ଚଳ ଭକ୍ତି-ଯୋଗବଳେ ॥ ୨୪

ଜନ୍ମ-ବାସନା-ହେତୁ ସ୍ମରି । କୃଷ୍ଣ-ଭକତି ଦୃଢେ଼ ଧରି ॥ ୨୫

ବିଷ୍ଣୁଭକତ ହୋଇ ଯେବେ । ଭକତି କରେ ସେହୁ ଭାବେ ॥ ୨୬

ତାହାକୁ ରଖେ ଭଗବାନ । ନ ସହେ ଭକ୍ତ ଅପମାନ ॥ ୨୭

ଜୟ ବିଜୟ ବେନିଭାଇ । ଅସୁର ଅଂଶେ ଜନ୍ମ ହୋଇ ॥ ୨୮

ହରିଙ୍କି ଅପରାଧ କଲେ । ତୃତୀୟ ଜନ୍ମେ ନିସ୍ତରିଲେ ॥ ୨୯

ଏଣୁ ପଣ୍ଡିତ ପ୍ରାଣୀମାନେ । ମହତ ଅନୁଗ୍ରହ ଧ୍ୟାନେ ॥ ୩୦

ଯତ୍ନ କରନ୍ତି ନିରନ୍ତରେ। ଆତ୍ମାକୁ ଆପଣେ ଉଦ୍ଧରେ ॥ ୩୧

ଏ ଭାବ ମୁନିଗଣେ ଚିନ୍ତି । ଭବସାଗରୁ ତରିଯାନ୍ତି ॥ ୩୨

ଏ ଆଦି-ଅନ୍ତ ତୋତେ କହି । ଶୁଣ ପରୀକ୍ଷ ମନଦେଇ ॥ ୩୩

ଦିତି ଉଦରେ ଦେହ ବହି । ଜୟବିଜୟ ବେନିଭାଇ ॥ ୩୪

ବିଷ୍ଣୁ ବଇରୀ ନିରନ୍ତରେ । ସ୍ୱଭାବେ ଅସୁର ବେଭାରେ ॥ ୩୫

ତାହାଙ୍କ କୁଳେ ପ୍ରହଲ୍ଲାଦ। ଶ୍ରୀକୃଷ୍ଣ ଭକ୍ତ ମଧ୍ୟେ ବୁଧ ॥ ୩୬

ଏ ପିତାପୁତ୍ର ମଧ୍ୟଗତେ । ପୂର୍ବବାସନା ଅନୁମତେ ॥ ୩୭

ମହାନ୍ତ-କୋପ-ଅନୁଗ୍ରହ । ବାସନାଭେଦ ଏ ନିଶ୍ଚୟ ॥ ୩୮

ବାସନାବଳେ କର୍ମ ଜାତ । ଦଶଅଧ୍ୟାୟ ଏ ଚରିତ ॥ ୩୯

ପଞ୍ଚପ୍ରସ୍ତାବ-ଶେଷେ ଜାଣ । ଧର୍ମର ନିର୍ଣ୍ଣୟ ଲକ୍ଷଣ ॥ ୪୦

ପ୍ରଥମ ଅଧ୍ୟାରେ ପ୍ରସ୍ତାବ । କହିବା ପିତାପୁତ୍ର ଭାବ॥ ୪୧

ହିରଣ୍ୟକଶିପୁ-କୁମର । କୃଷ୍ଣ ଭକତ ମଧ୍ୟେ ବର ॥ ୪୨

ବ୍ରାହ୍ମଣ ଶାପେ ବେନିଭାଇ । ଅସୁର ଅଂଶେ ଜାତ ହୋଇ ॥ ୪୩

ଇନ୍ଦ୍ରର ଅର୍ଥେ ଭଗବାନ । ଅସୁର କଲେକ ନିଧନ ॥ ୪୪

ତେଣୁ କଶ୍ୟପ ଋଷି-ନାରୀ । ସେ ଦିତି ମନେ କୋପ କରି ॥ ୪୫

ପୁତ୍ରଙ୍କ ମରଣ ବିଶ୍ୱାସେ । ନିର୍ଘାତେ ରୋଦେ ଦଶଦିଶେ ॥ ୪୬

ଏମନ୍ତ ଶୁକ ବାକ୍ୟ ଶୁଣି । ବୋଲେ ପାଣ୍ଡବ-ଚୂଡ଼ାମଣି ॥ ୪୭

ପରୀକ୍ଷିତ ଉବାଚ

ଭୋ ମୁନି ଶୁଣ ମୋ ବଚନ । ସେ ହରି ସର୍ବଘଟେ ପୂର୍ଣ୍ଣ ॥ ୪୮

ପ୍ରିୟ ଅପ୍ରିୟ ନାହିଁ ଯାର । ବିଶେଷେ ଶରଣସୋଦର ॥ ୪୯

ସେ କିମ୍ପା ଇନ୍ଦ୍ରଙ୍କ ବୋଲରେ । ନିର୍ଦ୍ଦୟେ ଅସୁର ସଂହାରେ ॥ ୫୦

ବିଷମ ମତ ଏ ତାହାର । ଯେ ହରି ଜଗତ ସୋଦର ॥ ୫୧

ସୁରଗଣଙ୍କ ପକ୍ଷଧରେ । ନିଷ୍ଠୁରେ ଅସୁର ସଂହାରେ ॥ ୫୨

ଯେ ହରି ସର୍ବ ଜୀବଗତି । ସେ ନିକି ଆଚାରେ ଅନୀତି ॥ ୫୩

ଅଶେଷ ଜନ୍ତୁ ହୃଦେ ଥାଇ । ଅନ୍ତରେ ସର୍ବ ସେ ଦେଖଇ ॥ ୫୪

ଆତ୍ମାର ନିସ୍ତାରଣ କରେ । ସେ କିମ୍ପା ଭେଦବୁଦ୍ଧି ଧରେ ॥ ୫୫

ଦେବ-ଅସୁର ତାର ଦେହୀ । ସମ-ବିଷମ ତାର କାହିଁ ॥ ୫୬

ସ୍ୱଭାବେ ତ୍ରିଗୁଣ ଶରୀର । ଯେ ନିରଞ୍ଜନ ନିର୍ବିକାର ॥ ୫୭

ନିର୍ଗୁଣ ନିତ୍ୟ ଦେବପତି । ସକଳ ଭୂତେ ତାର ସ୍ଥିତି ॥ ୫୮

ଏଣୁ ଗୋବିନ୍ଦ ଗୁଣ କର୍ମେ । ସଂଶୟେ ମୋର ଚିତ୍ତ ଭ୍ରମେ ॥ ୫୯

ପୁଚ୍ଛଇ ଚରଣେ ତୁମ୍ଭର । ମନୁ ସଂଶୟ ଦୂରକର ॥ ୬୦

ଶୁକ ଉବାଚ

ଭୋ ନୃପ ସାଧୁ ତୋର ବାଣୀ । ତୁ ଯେ ପଚାରୁ ପରିମାଣି ॥ ୬୧

ଅଦ୍ଭୁତ କୃଷ୍ଣର ମହିମା । କେ ଜାଣିପାରେ ଗୁଣ ସୀମା ॥ ୬୨

ଏ ଗ୍ରନ୍ଥ ଭାଗବତ ଶୁଣ । କୃଷ୍ଣର ଭକତି ଲକ୍ଷଣ ॥ ୬୩

ପରମ-ଜ୍ଞାନମୟ ବାଣୀ । ଯେ ଶୁଣେ ଯେବା ମୁଖେ ଭଣି ॥ ୬୪

ନାରଦ ଆଦି ମୁନିଗଣେ । ଯାହା ଗାବନ୍ତି ଅନୁକ୍ଷଣେ ॥ ୬୫

ବ୍ୟାସଚରଣେ ସେବି ମୁହିଁ । କହିବି ଯେ ଅବା ଜାଣଇ ॥ ୬୬

ସେ ହରି ସ୍ୱଭାବେ ନିର୍ଗୁଣ । ଅଜନ୍ମା ଅବ୍ୟକ୍ତ କାରଣ ॥ ୬୭

ସ୍ୱଭାବେ ସର୍ବଗୁଣ ପର । ବ୍ରହ୍ମା ଶଙ୍କରେ ଅଗୋଚର ॥ ୬୮

ସେ ମାୟାଗୁଣ ଆଶ୍ରେ କରି । ବଧ୍ୟ ବଧିକ ରୂପ ଧରି ॥ ୬୯

ଯେ ସତ୍ତ୍ୱ ରଜ ତମ ଗୁଣ । ପ୍ରକୃତି ଏହାଙ୍କ କାରଣ ॥ ୭୦

ଆତ୍ମାର ଗୁଣ ଏ ନୁହନ୍ତି । ପ୍ରକୃତି ରୂପେ ପ୍ରକାଶନ୍ତି ॥ ୭୧

ଉଦୟ ଅସ୍ତ ଏକାବେଳେ । ନୁହଁନ୍ତି ଗୁଣ କାଳବଳେ ॥ ୭୨

ସୃଷ୍ଟି ପାଳନ କରେ ହରି । ସତ୍ତ୍ୱଗୁଣକୁ ଆଶ୍ରେ କରି ॥ ୭୩

ଦେବତା-ଋଷି-ରୂପ ହୋଇ । ସ୍ୱଧର୍ମେ ସୃଷ୍ଟି ସେ ପାଳଇ ॥ ୭୪

ରଜଗୁଣକୁ ଆଶ୍ରେ କରି । ଅସୁରମାନଙ୍କୁ ବିସ୍ତାରି ॥ ୭୫

ଯକ୍ଷ ରାକ୍ଷସ ତମଗୁଣେ । ସୃଜଇ କାଳର ପ୍ରମାଣେ ॥ ୭୬

ଜ୍ୟୋତି ସ୍ୱରୂପେ ପ୍ରକାଶଇ । ବିଚାରେ କାହିଁ ନ ମିଶଇ ॥ ୭୭

କାଷ୍ଠ-ସଂଯୋଗେ ଅଗ୍ନି ଯେହ୍ନେ । ଜଳେ ଯେସନେ ପାତ୍ର ସ୍ଥାନେ ॥ ୭୮

ଆକାଶ ଯେହ୍ନେ ଜଳଘଟେ । ତେମନ୍ତ ରୂପେ ସେ ପ୍ରକଟେ ॥ ୭୯

ମାୟାରେ ନାନାରୂପ ହୋଇ । ସେ ମାୟା ତାକୁ ନ ଲାଗଇ ॥ ୮୦

ଏହା ବିଚାରି ମୁନିଜନେ । ଆତ୍ମାକୁ ଆତ୍ମା ଅନୁମାନେ ॥ ୮୧

ସଂଶୟ ନ କରନ୍ତି ମନେ । ହରି-ବିଷୟ କ୍ରୀଡ଼ାସ୍ଥାନେ ॥ ୮୨

ସେ କାଳମାୟା-ଯୋଗ-ଯୁତେ । ପୁର ସର୍ଜଇ ଏ ଜଗତେ ॥ ୮୩

ରଜ-ଗୁଣରେ ସୃଷ୍ଟି କରେ । କାରଣୁ ବ୍ରହ୍ମରୂପ ଧରେ ॥ ୮୪

ଦେବାଧିଦେବ ଦେହ ମଧ୍ୟେ । ବସଇ ସତ୍ତ୍ୱ-ଅନୁବାଦେ ॥ ୮୫

ରମିବା ଅର୍ଥେ ଭାବଗ୍ରାହୀ । ଅଶେଷ ଜନ୍ତୁ ହୃଦେ ଥାଇ ॥ ୮୬

କ୍ରୀଡ଼ାର ଅନ୍ତେ ସେ ଆପଣେ । ସୃଷ୍ଟି-ସଂହରେ ତମୋଗୁଣେ ॥ ୮୭

ସେ ସୃଷ୍ଟି-ଆଦ୍ୟକାଳେ ହରି । ଜୀବ ପ୍ରକୃତି ରୂପ ଧରି ॥ ୮୮

ପ୍ରଧାନ ପୁରୁଷ ଏ ବେନି । ଜଗତ ପିଅର-ଜନନୀ ॥ ୮୯

ନିମିତ୍ତେ ଏହା ସଙ୍ଗେ ଘେନି । ହରି ବିହରେ ଏ ମେଦିନୀ ॥ ୯୦

ତାଙ୍କ ଆଶ୍ରୟ ସଙ୍ଗମେଳେ । ଜଗତ ଭିଆଇଲା କାଳେ ॥ ୯୧

ସେ କାଳ ହରି ଆଜ୍ଞା ଘେନି । ପ୍ରଧାନ-ପୁରୁଷ ଏ ବେନି ॥ ୯୨

ଉଭୟମତେ ନାନାଗୁଣେ । ହୋଇଲେ ସୃଷ୍ଟିର କାରଣେ ॥ ୯୩

ସେ ହରି କାଳ ରୂପ ଧରେ । ସାତ୍ତ୍ୱିକେ ଦେବଙ୍କୁ ଉଦ୍ଧରେ ॥ ୯୪

ଦେବଙ୍କ ପ୍ରିୟକର୍ମ କରେ । ଅସୁରବଳକୁ ସଂହାରେ ॥ ୯୫

ଏଣୁ ସେ ପ୍ରଭୁ ଭଗବାନ । ବହଇ ସୁରପ୍ରିୟ ନାମ ॥ ୯୬

ରଜ ତାମସ ଗୁଣ ଯେତେ । ତାଙ୍କୁ ସଂହାରେ ଅବିରତେ ॥ ୯୭

ଏବେ ହୋ ଶୁଣ ନରନାଥ । କୃଷ୍ଣ ଚରିତ ଭାଗବତ ॥ ୯୮

ତାହାଙ୍କ ମହିମା ବିଶେଷ । ଶୁଣ କହିବା ଇତିହାସ ॥ ୯୯

ରାଜୁସି ଯଜ୍ଞ ସଭା ଅନ୍ତେ । ଧର୍ମନନ୍ଦନର ଅଗ୍ରତେ ॥ ୧୦୦

ନାରଦ ମୁନି ଯାହା କହି । ସେ ସଭା ମଧ୍ୟେ ପାଞ୍ଚ ଭାଇ ॥ ୧୦୧

ଦେବକୀନନ୍ଦନର ତୁଲେ । ଧର୍ମନନ୍ଦନ ପଚାରିଲେ ॥ ୧୦୨

ସେ ସଭାମଧ୍ୟେ ଧର୍ମବଳା । ନୟନେ ଅଦ୍ଭୁତ ଦେଖିଲା ॥ ୧୦୩

ଶିଶୁପାଳର ପଞ୍ଚପ୍ରାଣ । ଗୋବିନ୍ଦେ ପଶିଲା ତକ୍ଷଣ ॥ ୧୦୪

ସଭାଲୋକଙ୍କ ଦୃଷ୍ଟିମାର୍ଗେ । ବିଜୁଳି ଯେହ୍ନେ ନୀଳମେଘେ ॥ ୧୦୫

ଯୁଧିଷ୍ଠିର ଉବାଚ

ଭୋ ମୁନି ଅଦ୍‌ଭୁତ ଏ କଥା । ଦେଖି ମୋ ମନେ ଗରୁଚିନ୍ତା ॥ ୧୦୬

ଅଷ୍ଟାଙ୍ଗଯୋଗେ ମୁନିଗଣ । ଚିନ୍ତନ୍ତି ଯେ ହରିଚରଣ ॥ ୧୦୭

ଏକାନ୍ତ ଭକ୍ତିଯୋଗେ ଚିନ୍ତି । ଯା ରୂପ କେହି ନ ଦେଖନ୍ତି ॥ ୧୦୮

ଦେବ ମାନବେ ଅଗୋଚର । ଯେ ବ୍ରହ୍ମ ନିତ୍ୟ-ନିରାକାର ॥ ୧୦୯

ଏ ଦମଘୋଷର କୁମର । ସ୍ୱଭାବେ ଦୁଷ୍ଟ-ଦୁରାଚାର ॥ ୧୧୦

କୃଷ୍ଣେ ଅନେକ ନିନ୍ଦାକଲା । ସେ କିମ୍ପା କୃଷ୍ଣଙ୍କୁ ପାଇଲା ॥ ୧୧୧

ଏ ସଭା ମଧ୍ୟେ ଏକେ ମୁହିଁ । ତୁମ୍ଭର ଛାମୁରେ ପୁଚ୍ଛଇ ॥ ୧୧୨

କହ ହେ କେବଣ କାରଣେ । ଶୁଣନ୍ତୁ ସକଳେ ଶ୍ରବଣେ ॥ ୧୧୩

ବିଷ୍ଣୁଙ୍କୁ ବିଷ୍ଣୁଜନ-ମେଳେ । ଯେବା ନିନ୍ଦନ୍ତି ଜ୍ଞାନଭୋଳେ ॥ ୧୧୪

ସେ ପ୍ରାଣୀ ନରକେ ପଡ଼ନ୍ତି । ମହାନ୍ତେ ଏମନ୍ତ କହନ୍ତି ॥ ୧୧୫

ସେ ଦମଘୋଷ-ସୁତ ବାଣୀ । ସଭାରେ ଦନ୍ତବକ୍ର ଶୁଣି ॥ ୧୧୬

ସେହି ଅନେକ ନିନ୍ଦାକଲା । ମୋତେ ତ ସନ୍ଦେହ ଲାଗିଲା ॥ ୧୧୭

ଏ ବେନିଜନେ ନିନ୍ଦାକଲେ । ସଭାର ମଧ୍ୟେ ଏକତୁଲେ ॥ ୧୧୮

କୃଷ୍ଣଙ୍କୁ ନିନ୍ଦାକରି ତୁଣ୍ଡେ । କିମ୍ପା ନଗଲେ ଯମଦଣ୍ଡେ ॥ ୧୧୯

କେବଣ ହେତୁ ବେନିବୀରେ । ପଶିଲେ କୃଷ୍ଣର ଶରୀରେ ॥ ୧୨୦

ଏଣେ ଭ୍ରମଇ ମୋର ମନ । ବନେ ଯେସନେ ହୁତାଶନ ॥ ୧୨୧

କାରଣ କହ ମୁନି ମୋତେ । ଶୁଣିଲେ ଯିବଇଁ ପରତେ ॥ ୧୨୨

ଶୁକ ଉବାଚ

ଏମନ୍ତେ ଧର୍ମସୁତ-ବାଣୀ । ଆନନ୍ଦେ ଶୁଣି ବ୍ରହ୍ମମୁନି ॥ ୧୨୩

କହନ୍ତି ରାଜାର ଅଗ୍ରତେ । ସକଳେ ଶୁଣନ୍ତି ଯେମନ୍ତେ ॥ ୧୨୪

ନାରଦ ଉବାଚ

ଏ ଯେତେ ନିନ୍ଦା-ସ୍ତୁତି ଅର୍ଥେ । ମନୁଷ୍ୟ ଶରୀର ଜଗତେ ॥ ୧୨୫

ପ୍ରକୃତି- ପୁରୁଷ-ସଂଯୋଗେ । ଜନ୍ମଇଁ ଅବିବେକ ଭାବେ ॥ ୧୨୬

ବହଇ ହିଂସା ଅଭିମାନ । ଦଣ୍ଡ ପୌରୁଷ ସାବଧାନ ॥ ୧୨୭

ମୁହିଁ ମୋହର ବୋଲି ଜାଣେ । ଯାବତ ବଶ ତିନିଗୁଣେ ॥ ୧୨୮

ଶରୀର ସ୍ୱଭାବ ଏମନ୍ତେ । ସଂସାର ମଧ୍ୟେ ଛନ୍ତି ଯେତେ ॥ ୧୨୯

ଆତ୍ମାଭିମାନେ ଦେହ ବହି । ଲୁବୁଧେ ପ୍ରାଣୀ ବଧ ହୋଇ ॥ ୧୩୦

ସେ ପୁଣି କୈବଲ୍ୟ ଆସ୍ଥାନେ । ନ ଘଟେ ଆତ୍ମା-ଅନୁମାନେ ॥ ୧୩୧

ହରି ବିଷୟେ କର୍ମ ଯେତେ । କୈବଲ୍ୟ ଭୁଞ୍ଜେ ପ୍ରାଣୀ ଅନ୍ତେ ॥ ୧୩୨

କେ ଭଜେ ରିପୁ-ଅନୁବନ୍ଧେ । କେ ଅବା ମିତ୍ରଭାବେ ସଧେ ॥ ୧୩୩

କେ ଅବା ଭଜେ ତାକୁ ଡରେ । କେ ଅବା ପ୍ରିୟଭାବ କରେ ॥ ୧୩୪

କେ କାମଭାବେ ଅନୁସରେ । କେ ଅବା ସ୍ନେହେ ଚିନ୍ତା କରେ ॥ ୧୩୫

ଏ ସର୍ବଜନେ ଅନ୍ତଃକାଳେ । ପଶନ୍ତି ଚରଣକମଳେ ॥ ୧୩୬

ନିତ୍ୟେ ବଇରୀ ଭାବେ ଚିନ୍ତି । ହରିଙ୍କି ଯେମନ୍ତେ ଲଭନ୍ତି ॥ ୧୩୭

ନିଶ୍ଚଳଚିତ୍ତେ ନିତ୍ୟେ ଧ୍ୟାୟୀ । ଯୋଗୀଏ ଲଭିବେ ତା’ କାହିଁ ॥ ୧୩୮

ଏ ଭାବ ନିଶ୍ଚେ ମୋର ମନେ । ଏବେ ହୋ ଶୁଣ ସାବଧାନେ ॥ ୧୩୯

ଭ୍ରମର ଯେତେ କୀଟ ମାରେ । ନେଇ ସ୍ଥାପଇ ନିଜ ଘରେ ॥ ୧୪୦

ସେ କୀଟ ପ୍ରାଣଯିବା କାଳେ । ସଭୟେ ଦେଖିଥାଇ ଡୋଳେ ॥ ୧୪୧

ସ୍ୱଭାବେ ଭୟଯୋଗେ ମରେ । ତାର ସ୍ୱରୂପ ଅନ୍ତେ ଧରେ ॥ ୧୪୨

ଏମନ୍ତେ କୃଷ୍ଣର ବିଷୟେ । ସେ ମାୟା ମନୁଷ୍ୟର ଦେହେ ॥ ୧୪୩

ବଇରୀ ପଣେ ତାକୁ ଚିନ୍ତି । ନିର୍ମଳ-ହୃଦୟେ ପଶନ୍ତି ॥ ୧୪୪

ଏ ଘେନି କାମ-କ୍ରୋଧ-ଭୟେ । ଯେବା ଭଜନ୍ତି ମିତ୍ରସ୍ନେହେ ॥ ୧୪୫

କୃଷ୍ଣବିଷୟେ ଚିତ୍ତ ଦେଇ । ଅନେକ ଗଲେ ମୋକ୍ଷ ହୋଇ ॥ ୧୪୬

ଗୋପନଗରେ ଗୋପୀ ଯେତେ । କୃଷ୍ଣ ଭଜିଲେ କାମଚିତ୍ତେ ॥ ୧୪୭

ବ୍ରାହ୍ମଣପତ୍ନୀ ଦେବନାରୀ । ମଥୁରାପୁର-ମନୋହାରୀ ॥ ୧୪୮

ରାଜକୁମାରୀ-ଆଦି ଯେତେ । ତରିଲେ ଭାବି କାମଚିତ୍ତେ ॥ ୧୪୯

କଂସାଦି ଦୈତ୍ୟେ ଭୟକଲେ । ଅନ୍ତେ ସେ ଗୋବିନ୍ଦେ ପଶିଲେ ॥ ୧୫୦

କ୍ଷତ୍ରିୟ-ଶିଶୁପାଳ ଆଦି । ତରିଲେ ହୋଇଣ ବିବାଦୀ ॥ ୧୫୧

ଯାଦବ-ବୃଷ୍ଣିବଂଶ ଯେତେ । ତୁ ଭଜୁ ଭ୍ରାତୃ ସ୍ନେହମତେ ॥ ୧୫୨

ମୁହିଁ ତା’ ଚରଣକମଳେ । ଭକତି କରଇ ନିଶ୍ଚଳେ ॥ ୧୫୩

ପୂର୍ବେ ଯେ ବେଣ ସତ୍ୟଯୁଗେ । ନିତ୍ୟେ ଭଜିଲେ ଶତ୍ରୁଭାବେ ॥ ୧୫୪

ବ୍ରାହ୍ମଣ-ଶାପୁଁ ନାଶ ଗଲା । ଅନ୍ତେ ସେ ନରକେ ପଡ଼ିଲା ॥ ୧୫୫

ଏଣୁ ହରିଙ୍କି ନାନାମତେ । ଯେ ଭଜିପାରେ ଦୃଢ଼ଚିତ୍ତେ ॥ ୧୫୬

ନିର୍ଭୟେ ଗୋବିନ୍ଦେ ପଶନ୍ତି । ଜନ୍ମ-ମରଣୁଁ ନିସ୍ତରନ୍ତି ॥ ୧୫୭

ଯେ ଦମଘୋଷର କାମିନୀ । ତୋହର ମାତାର ଭଗିନୀ ॥ ୧୫୮

ତାର ଉଦରୁ ବେନିବାଳ । ଯେ ଦନ୍ତବକ୍ର ଶିଶୁପାଳ ॥ ୧୫୯

ପୂର୍ବେ ଏ ହରିଦ୍ୱାରେ ଥିଲେ । ବ୍ରାହ୍ମଣେ ଅପରାଧ କଲେ ॥ ୧୬୦

ଏ ବେନିଭାଇ ସହୋଦର । କୃଷ୍ଣସେବକ ମଧ୍ୟେ ବର ॥ ୧୬୧

ମହାନ୍ତ-ଅପରାଧ ଫଳେ । ଜନ୍ମିଲେ ଅସୁରର କୁଳେ ॥ ୧୬୨

ଏ ଜନ୍ମେ ମନୁଷ୍ୟ ଶରୀରେ । ଏବେ ମିଳିଲେ ହରିଦ୍ୱାରେ ॥ ୧୬୩

ନାରଦ ମୁଖୁଁ ଏ ଚରିତ । ଶୁଣି ବୋଲନ୍ତି ଧର୍ମସୁତ ॥ ୧୬୪

ଯୁଧିଷ୍ଠିର ଉବାଚ

ଯେ ହରିନାମ ଉଚ୍ଚାରନ୍ତି । ସେ ସର୍ବସଂକଟୁ ତରନ୍ତି ॥ ୧୬୫

ଯେ ହରି-ଦ୍ୱାରପାଳ ପଣେ । ପାଣେ ଖଟନ୍ତି ଅନୁକ୍ଷଣେ ॥ ୧୬୬

ତାହାଙ୍କୁ କେବା ଶାପ ଦେଲା । ମୋତେ ତ ସନ୍ଦେହ ଲାଗିଲା ॥ ୧୬୭

ଯେ ବଇକୁଣ୍ଠପୁରେ ଥାନ୍ତି । ସେ ତ ସଂସାରେ ନ ପଡ଼ନ୍ତି ॥ ୧୬୮

ଦେହ ସମ୍ଭବ ଯହିଁ ନାହିଁ । ସେ କିମ୍ପା ବହେ ନରଦେହୀ ॥ ୧୬୯

କିକେ ହୋଇଲେ ଦୁରାଚାର । ଏଣୁ ସଂଶୟ ଚିତ୍ତେ ମୋର ॥ ୧୭୦

ଭୋ ମୁନି ନମୁଁ ତୋ ଚରଣ । କହ ଏ କେବଣ କାରଣ ॥ ୧୭୧

ଏମନ୍ତ ଯୁଧିଷ୍ଠି ବଚନ । ଶୁଣିଣ ବ୍ରହ୍ମାଙ୍କ ନନ୍ଦନ ॥ ୧୭୨

ନାରଦ ଉବାଚ

ଶୁଣ ରାଜନ ସାବଧାନେ । ଯେ କଥା ବିଷ୍ଣୁର ଭୁବନେ ॥ ୧୭୩

ବ୍ରହ୍ମାଙ୍କ ପୁତ୍ରେ ବେଦବାଦୀ । ସନକ ସନାତନ ଆଦି ॥ ୧୭୪

ସେ ଚାରିଭାଇ ଏକଦିନେ । ଭ୍ରମନ୍ତି ଏ ତିନିଭୁବନେ ॥ ୧୭୫

ପୁଣି ସେ ଅନ୍ତରୀକ୍ଷେ ଗଲେ । ବିଷ୍ଣୁର ଭୁବନେ ମିଳିଲେ ॥ ୧୭୬

ପ୍ରବେଶ ହେଲେ ଦ୍ୱାରଦେଶେ । ବିଷ୍ଣୁର ଦର୍ଶନ ଲାଳସେ ॥ ୧୭୭

ପଞ୍ଚ ଷଟ ବରଷ ପ୍ରାୟେ । ସର୍ବେ ଦିଶନ୍ତି ଏକଦେହେ ॥ ୧୭୮

ବାଳସ୍ୱଭାବେ ଦିଗମ୍ବର । ସ୍ୱଭାବେ ବ୍ରହ୍ମାଙ୍କ କୁମର ॥ ୧୭୯

ମରୀଚି ଆଦି ମୁନିଗଣେ । ସେବନ୍ତି ତାହାଙ୍କ ଚରଣେ ॥ ୧୮୦

ତାଙ୍କୁ ବାଳକ ପ୍ରାୟେ ଚାହିଁ । ଜୟ ବିଜୟ ବେନିଭାଇ ॥ ୧୮୧

ଉଲଗ୍ନ ଦେଖି ଦ୍ୱାରପାଳେ । ଦ୍ୱାର ନିରୋଧ କଲେ ବଳେ ॥ ୧୮୨

ତାହାଙ୍କ ମନ ହରିପାଦେ । ପଶି ନପାରିଲେ ପ୍ରମାଦେ ॥ ୧୮୩

ଦ୍ୱାରପାଳଙ୍କ ମୁଖ ଚାହିଁ । କୋପେ ବୋଇଲେ ଚାରିଭାଇ ॥ ୧୮୪

ତୁମ୍ଭେ ଯେ ଦୁଷ୍ଟ ବେନିଭାଇ । ଏ ପୁରେ ଥିବା ନ ଯୋଗାଇ ॥ ୧୮୫

ଏ ପୁର ବଇକୁଣ୍ଠ ଧାମ । ଏଥେ ନପଶେ ରଜ ତମ ॥ ୧୮୬

ଏଥେ ନ ଥାଅ ଭାଇ ବେନି । ମର୍ତ୍ତ୍ୟେ ଜନ୍ମିବ ଦେହ ଘେନି ॥ ୧୮୭

ଅତି ପାପିଷ୍ଠ ତୁମ୍ଭ ଦେହ । ଅସୁରକୁଳେ ଜନ୍ମହୁଅ ॥ ୧୮୮

ତକ୍ଷଣେ ବିପ୍ରଶାପ ପାଇ । ଦ୍ୱାରୁ ଖସିଲେ ବେନି ଭାଇ ॥ ୧୮୯

ଊର୍ଦ୍ଧ୍ୱ-ଚରଣ ଅଧୋମୁଖ । ତକ୍ଷଣେ ଦେଖି ତାଙ୍କ ଦୁଃଖ ॥ ୧୯୦

ଦୟା ବସିଲା ତାଙ୍କ ଦେହି । ସ୍ନେହେ ବୋଇଲେ ଚାରିଭାଇ ॥ ୧୯୧

ଅସୁର ହୋଇ ବେନିଜନ୍ମ । ନିତ୍ୟେ କରିବ ଦୁଷ୍ଟକର୍ମ ॥ ୧୯୨

ତୃତୀୟ ଜନ୍ମେ ନର ହୋଇ । ଶାପୁ ତରିବ ବେନିଭାଇ ॥ ୧୯୩

ବିଷ୍ଣୁଙ୍କୁ ଚିନ୍ତି ଅପରାଧ । ପୁଣି ଲଭିବ ବିଷ୍ଣୁପାଦ ॥ ୧୯୪

ପ୍ରଥମେ କଶ୍ୟପଙ୍କ ଘରେ । ଜନ୍ମିବ ଦିତିର ଉଦରେ ॥ ୧୯୫

ଜନ୍ମିଲେ ହିରଣ୍ୟକଶିପୁ । ହିରଣ୍ୟାକ୍ଷ ଯେ ମହାବପୁ ॥ ୧୯୬

ଦେବ-ଦାନବ ତାଙ୍କ ପାଦେ । ଖଟନ୍ତି ନିତ୍ୟେ ଅପ୍ରମାଦେ ॥ ୧୯୭

ହିରଣ୍ୟାକ୍ଷର ଗର୍ବ ଭରେ । ମହୀ କମ୍ପଇ ଥରହରେ ॥ ୧୯୮

ସେ କଷ୍ଟ ହରି ନ ସହିଲେ । ଶୂକର ରୂପକୁ ଧଇଲେ ॥ ୧୯୯

ଧରଣୀ ଉଦ୍ଧାରଣ ପାଇଁ । ବରୁଣପୁରେ ହେଲେ ଯାଇ ॥ ୨୦୦

ସେ ଦୁଷ୍ଟ ହିରଣ୍ୟାକ୍ଷ ବୀର । ଅସୀମ ବଳ ଅଟେ ଯାର ॥ ୨୦୧

ବରାହ ରୂପ ଦେଖି କୋପେ । ମିଳିଲା ଗୋବିନ୍ଦ ସମୀପେ ॥ ୨୦୨

ଅନେକ ଗଦାଯୁଦ୍ଧ କଲା । ଶବଦେ ବ୍ରହ୍ମାଣ୍ଡ କମ୍ପିଲା ॥ ୨୦୩

ବିଷ୍ଣୁର ଗଦାଘାତ ବଳେ । ପ୍ରାଣ ଛାଡ଼ିଲା ରସାତଳେ ॥ ୨୦୪

ବିଷ୍ଣୁ ନୃସିଂହ ରୂପ ଧରି । ହିରଣ୍ୟକଶିପୁ ବିଦାରି ॥ ୨୦୫

ହିରଣ୍ୟକଶିପୁର ସୁତ । ପ୍ରହ୍ଲାଦ ଗୋବିନ୍ଦ ଭକତ ॥ ୨୦୬

ତାକୁ ଅନେକ ଦୁଃଖ ଦେଇ । କୃଷ୍ଣ ଭଜନ ନସହଇ ॥ ୨୦୭

ସେ ପୁଣି ବିଷ୍ଣୁଭକ୍ତି ବଳେ । ଅଜେୟ ଏ ମହୀମଣ୍ଡଳେ ॥ ୨୦୮

ତାକୁ ଅନେକ ଦୁଃଖ ଦେଲା । କେବେହେଁ ମାରି ନ ପାରିଲା ॥ ୨୦୯

ଲୀଳାଏ ହରି ତାକୁ ମାରି । ପୁଣି ଜନ୍ମିଲେ ଦେହ ଧରି ॥ ୨୧୦

ପୁଣି ରାକ୍ଷସୀକୋଳେ ଯାଇ । ବିଶ୍ରବା ଗୃହେ ବେନି ଭାଇ ॥ ୨୧୧

କେଶିନୀଗର୍ଭେ ହୋଇ ଜନ୍ମ । ଅନେକ କଲେ ମନ୍ଦ କର୍ମ ॥ ୨୧୨

ରାବଣ କୁମ୍ଭକର୍ଣ୍ଣ ରୂପେ । ତ୍ରୈଲୋକ୍ୟ ବଶ କଲେ ଦର୍ପେ ॥ ୨୧୩

ତାହାଙ୍କୁ ରାମରୂପେ ମାରି । ରାକ୍ଷସ ଜନ୍ମରୁ ଉଦ୍ଧରି ॥ ୨୧୪

ସେ ରାମଚରିତ ତୁ ସୁଖେ । ଶୁଣିବୁ ମାରକଣ୍ଡ ମୁଖେ ॥ ୨୧୫

ପୁଣି ସେ ମହୀତଳେ ଜାତ । ତୋ ମାତା ଭଗିନୀର ସୁତ ॥ ୨୧୬

ଏବେ ତୋ ଯଜ୍ଞସଭା ମଧ୍ୟେ । କୃଷ୍ଣଙ୍କୁ ନିନ୍ଦି ଅପରାଧେ ॥ ୨୧୭

ଗୋବିନ୍ଦ ଚକ୍ରେ ଛେଦହୋଇ । ମୋକ୍ଷ ଲଭିଲେ ବେନିଭାଇ ॥ ୨୧୮

ବୈରାନୁବନ୍ଧେ କରି ଧ୍ୟାନ । ତେଣେ ପାଇଲେ ଦିବ୍ୟଜ୍ଞାନ ॥ ୨୧୯

ତୃତୀୟ ଜନ୍ମେ ମୋକ୍ଷ ହୋଇ । ଜୟ ବିଜୟ ବେନିଭାଇ ॥ ୨୨୦

ପୁଣି ମିଳିଲେ ନିଜପୁରେ । ବିଷ୍ଣୁର ବୈକୁଣ୍ଠ ଦୁଆରେ ॥ ୨୨୧

ଏମନ୍ତେ ଶୁଣି ଧର୍ମସୁତ । ମୁନି ଚରଣେ ଦେଇ ହସ୍ତ ॥ ୨୨୨

ଭାବେ ପୁଲକ ତାର ଦେହି । ବୋଲେ ନାରଦ ମୁଖ ଚାହିଁ ॥ ୨୨୩

ଯୁଧିଷ୍ଠିର ଉବାଚ

ହିରଣ୍ୟକଶିପୁର ସୁତ । ସେ ଯେବେ ଗୋବିନ୍ଦ ଭକତ ॥ ୨୨୪

ତାହାକୁ ପୁତ୍ରସ୍ନେହ ଛାଡ଼ି । ନିଷ୍ଠୁରପଥେ କିମ୍ପା ବଢ଼ି ॥ ୨୨୫

ହିରଣ୍ୟକଶିପୁ କିମ୍ପାଇ । ପୁତ୍ରକୁ ଦ୍ରୋହ ଆଚରଇ ॥ ୨୨୬

ଅସୁରେ ଜାତ ପ୍ରହଲ୍ଲାଦ । କିମ୍ପା ଭଜିଲା କୃଷ୍ଣପାଦ ॥ ୨୨୭

ବୋଇଲ ଦାସ ଜଗନ୍ନାଥ । ନାରଦ ଆଗେ କୁନ୍ତୀସୁତ ॥ ୨୨୮

ଯେ ପ୍ରଶ୍ନ ସଭାମଧ୍ୟେ କଲା । ଶ୍ରୀଭାଗବତ କୃଷ୍ଣଲୀଳା ॥ ୨୨୯

ସପ୍ତମ ସ୍କନ୍ଧେ ହରିବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୨୩୦

ଶ୍ରୀଶୁକ କହେ ତୋଷଚିତ୍ତେ । ପରୀକ୍ଷ ରାଜାର ଅଗ୍ରତେ ॥ ୨୩୧

ଶୁଣି ରାଜନ କୃତକୃତ୍ୟ । ବିଷ୍ଣୁଚରଣେ ଦେଲା ଚିତ୍ତ ॥ ୨୩୨

ଯେ ଭାବେ ପାର ଦୃଢେ଼ ଧର । ପାରି କରିବେ ଚକ୍ରଧର ॥ ୨୩୩

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ସପ୍ତମସ୍କନ୍ଧେ ପ୍ରହ୍ଲାଦଚରିତ ଉପକ୍ରମେ ପ୍ରଥମୋଽଧ୍ୟାୟଃ ॥

* * *