ଷଷ୍ଠ ସ୍କନ୍ଧ

ଉନବିଂଶ ଅଧ୍ୟାୟ

ପରୀକ୍ଷିତ ଉବାଚ

ଭୋ ମୁନି ଶୁଣ ସାବଧାନ । ଯେ ବ୍ରତ ନାମ ପୁଂସବନ ॥

ତୁମ୍ଭେ ଯେ କହିଲ ବିଧାନ । ପୁଣି ଶ୍ରବଣେ ମୋର ମନ ॥

ଯେ ବ୍ରତ ପ୍ରସାଦରୁ କରି । ପ୍ରସନ୍ନ ହୁଅନ୍ତି ମୁରାରି ॥

ଶୁକ ଉବାଚ

ପ୍ରଥମେ ମାର୍ଗଶିର ମାସ । ଶୁକ୍ଳ ପ୍ରତିପଦ ଦିବସ ॥

ଭର୍ତ୍ତାର ଆଜ୍ଞା ପରମାଣେ । ବ୍ରତ କରିବେ ସ୍ତିରୀଗଣେ ॥

ଏ ବ୍ରତେ ହୋଇ ସର୍ବସିଦ୍ଧି । ଆଦରେ କଲେ ଯଥାବିଧି ॥

ବ୍ରାହ୍ମଣେ କରିଣ ବରଣ । ଶୁଣିବ ମରୁତଙ୍କ ଜନ୍ମ ॥

ଶୁଚି ହୋଇବ କରି ସ୍ନାନ । ଶୁକ୍ଳବସନ ପରିଧାନ ॥

ପୂର୍ବରୁ ଭୋଜନ ନ କରି । ଚଞ୍ଚଳମନ ସ୍ଥିରେ ଧରି ॥

ଲକ୍ଷ୍ମୀ ସହିତେ ଭଗବାନ । ପୂଜିବ ହୋଇ ତୋଷମନ ॥ ୧୦

ପଦ୍ମଚରଣ ଚିନ୍ତି ଧ୍ୟାନେ । ସ୍ତୁତି କରିବ ଏ ବିଧାନେ ॥ ୧୧

ହେ ନିରପେକ୍ଷ ପୂର୍ଣ୍ଣକାମ । ନମସ୍ତେ ପ୍ରଭୁ ଆତ୍ମାରାମ ॥ ୧୨

ନମୋ ମହାବିଭୁ ଈଶ୍ୱର । ସକଳ ସିଦ୍ଧିର ଠାକୁର ॥ ୧୩

ଅନନ୍ତଗୁଣେ ଯୁକ୍ତ ତୁହି । ନମସ୍ତେ ପ୍ରଭୁ ଭାବଗ୍ରାହୀ ॥ ୧୪

ଭୋ ଦେବି ଗୋବିନ୍ଦ ଘରଣି । ଅଶେଷଗୁଣେ ସୁଲକ୍ଷଣୀ ॥ ୧୫

ଲୋକମାତ ସୃଷ୍ଟିକାରଣ । ମୋହରେ ହୁଅ ତୁ ପ୍ରସନ୍ନ ॥ ୧୬

ନମଇଁ ତୋହର ଚରଣ । ଜଗତ ଯାହାର ଭିଆଣ ॥ ୧୭

ନମଇଁ ପ୍ରଭୁ ଭଗବତ । ମହାପୁରୁଷ ଆଦିଭୂତ ॥ ୧୮

ମହାବିଭୂତି-ପତି ତୁହି । ମହାବିଭୂତି-ଯୁକ୍ତ ହୋଇ ॥ ୧୯

ଅଖିଳ-ବ୍ରହ୍ମାଣ୍ତŠ-ଈଶ୍ୱର । ଗ୍ରହଣ କର ଉପହାର ॥ ୨୦

ଏମନ୍ତ କରି ଆରାଧନ । ପୂଜିବ ଲକ୍ଷ୍ମୀ-ନାରାୟଣ ॥ ୨୧

ପାଦ୍ୟ ଅର୍ଘ୍ୟ ଯେ ଆବାହନ । ବିଧିରେ କରାଇ ସ୍ନାହାନ ॥ ୨୨

ଦିବ୍ୟବସନ ସମର୍ପିବ । ଶୁକ୍ଳଉତ୍ତରୀ ନିବେଦିବ ॥ ୨୩

ନାନାଭୂଷଣ ଗନ୍ଧଧୂପ । ପ୍ରସନ ଉପହାର ଦୀପ ॥ ୨୪

ଆବର ଯେତେ ଉପହାର । ସ୍ଥାପିବ ବିଷ୍ଣୁର ଛାମୁର ॥ ୨୫

ବିଷ୍ଣୁରେ ଦେଇ ଯେତେ ଦ୍ରବ୍ୟ । ଆନନ୍ଦେ ତାହା ସମର୍ପିବ ॥ ୨୬

କୃଷ୍ଣର ଯେତେ ଭାବରସ । ଆନନ୍ଦେ କରିବ ପ୍ରକାଶ ॥ ୨୭

ହବି ଆହୂତି ଯେ ଦ୍ୱାଦଶ । ଅନଳେ ଦେବ ଅବଶେଷ ॥ ୨୮

ନମୋ ଭଗବାନ ଈଶ୍ୱର । ମହାପୁରୁଷ ଦେବବର ॥ ୨୯

ମହାବିଭୂତିପତି ତୁହି । ସ୍ୱାହା ବୋଲି ଅର୍ପିବ ତହିଁ ॥ ୩୦

ଲକ୍ଷ୍ମୀ ଅଚ୍ୟୁତ ବେନିଜନ । ବରଦାୟକ ନରାୟଣ ॥ ୩୧

ଭକ୍ତିରେ ନିତ୍ୟେ ଯେ ପୂଜିବ । ସର୍ବସମ୍ପଦ ସେ ଲଭିବ ॥ ୩୨

ଭାବରେ ହୋଇ ଭକ୍ତିଯୁକ୍ତ । ସାଷ୍ଟାଙ୍ଗେ କରି ଦଣ୍ଡବତ ॥ ୩୩

ମନ୍ତ୍ର ଜପିବ ଦଶବାର । ଏ ସ୍ତୋତ୍ର କରିବ ଉଚ୍ଚାର ॥ ୩୪

ତୁମ୍ଭେ ଯେ ତ୍ରୈଲୋକ୍ୟ ଈଶ୍ୱର । ସକଳ-ବ୍ରହ୍ମାଣ୍ତŠ-ଠାକୁର ॥ ୩୫

ସଂସାର-ପରମକାରଣ । ତୁମ୍ଭେ ଯେ ପ୍ରଭୁ ନାରାୟଣ ॥ ୩୬

ଏ ଯେ ସୂକ୍ଷ୍ମମାୟା-ପ୍ରକୃତି । ଦୁରନ୍ତ ଅଟଇ ଶକତି ॥ ୩୭

ଏହାର ତୁମ୍ଭେ ଅଧୀଶ୍ୱର । ସାକ୍ଷାତ ପୁରୁଷଙ୍କ ପର ॥ ୩୮

ତୁମ୍ଭେ ସକଳ-ଯଜ୍ଞମୟ । ପତ୍ନୀରୂପରେ ଲକ୍ଷ୍ମୀ ହୁଅ ॥ ୩୯

ଅଶେଷ-କ୍ରିୟାର ଈଶ୍ୱରୀ । ଫଳଭୋକତା ନରହରି ॥ ୪୦

ଗୁଣାଦି ଗୁଣର କାରଣ । ତତ୍ତ୍ୱଭାବନ ଭଗବାନ ॥ ୪୧

ସର୍ବଶରୀରେ ଆତ୍ମା ତୁହି । ଲକ୍ଷ୍ମୀ ଇନ୍ଦ୍ରିୟ ପ୍ରାଣ ହୋଇ ॥ ୪୨

ନାମ ରୂପ ଏ ଭଗବତୀ । ଆଶ୍ରୟରୂପେ ତୁମ୍ଭ ସ୍ଥିତି ॥ ୪୩

ଯେମନ୍ତେ ତୁମ୍ଭେ ବ୍ରହ୍ମାଣ୍ତŠର । ବର-ଦିଅନ୍ତା ହେ ଈଶ୍ୱର ॥ ୪୪

ତେମନ୍ତ ହୋଇ ଚକ୍ରଧର । ସର୍ବମଙ୍ଗଳ ହେଉ ମୋର ॥ ୪୫

ଲକ୍ଷ୍ମୀନିବାସ ଯେ ପୁରୁଷ । ଏହି ସ୍ତୁତିରେ କରି ତୋଷ ॥ ୪୬

ପୂଜିବ ଲକ୍ଷ୍ମୀନାରାୟଣ । ଯେ ପ୍ରଭୁ ବ୍ରହ୍ମାŠଣ୍ତ-କାରଣ ॥ ୪୭

ପୂଜା-ଉପଚାର ଲେଛିବ । ସନ୍ତୋଷେ ଆଚମନ ଦେବ ॥ ୪୮

ଏଥିଉତ୍ତାରୁ ପୁନର୍ବାର । ଅର୍ଚ୍ଚନା କରିବ ଈଶ୍ୱର ॥ ୪୯

ଯଜ୍ଞ-ଉଚ୍ଛିଷ୍ଟ ଯେବାଥିବ । ମନ ସନ୍ତୋଷେ ତା ଭକ୍ଷିବ ॥ ୫୦

ଚିତ୍ତରେ ହୋଇ ଭାବଭକ୍ତି । ପୁଣି କରିବ ନାନା ସ୍ତୁତି ॥ ୫୧

ସ୍ୱାମୀଙ୍କି ଭକ୍ତିରେ ପୂଜିବ । ଈଶ୍ୱରଭାବରେ ଚିନ୍ତିବ ॥ ୫୨

ନାନାପ୍ରୀତିରେ ବାକ୍ୟ ଭରି । ସ୍ୱାମୀ ତୋଷିବ ନିଜନାରୀ ॥ ୫୩

ପତ୍ନୀ ସହିତ ହୋଇ କରି । ସର୍ବକର୍ମ ସ୍ୱାମୀ ଆଚରି ॥ ୫୪

ଏ ବ୍ରତ ପତିପତ୍ନୀ ଧରିବ । ଅଭାବେ ଏକା ବା କରଇ ॥ ୫୫

ଏ ବିଷ୍ଣୁବ୍ରତକୁ ଧରିବ । କେବେହେଁ ଭଗ୍ନ ନ କରିବ ॥ ୫୬

ଗନ୍ଧମାଲ୍ୟ ମଣିଭୂଷଣେ । ବ୍ରତେ ତୋଷିବ ବିପ୍ରଗଣେ ॥ ୫୭

ଭକ୍ତିରେ ଯୁକ୍ତ କରି ମନ । ନିୟମେ ଥିବ ପ୍ରତିଦିନ ॥ ୫୮

ସାଷ୍ଟାଙ୍ଗେ ଈଶ୍ୱର ନମିବ । ସ୍ୱସ୍ଥାନେ ନେଇ ବସାଇବ ॥ ୫୯

ଭକ୍ତିଭାବରେ ବେନିଜନ । ନିର୍ମାଲ୍ୟ କରିବ ଭୋଜନ ॥ ୬୦

ସର୍ବକାମନା ପୂର୍ଣ୍ଣ ପାଇଁ । କରିବ ଭକ୍ତିଯୁକ୍ତ ହୋଇ ॥ ୬୧

ଏ ପୂଜାବିଧି ବାରମାସ । କରିବ ଏକଇ ବରଷ ॥ ୬୨

ଏ ମଧ୍ୟେ ମଳମାସ ଯେବେ । ଛାଡିବ-ଏକମାସ ତେବେ ॥ ୬୩

କାର୍ତ୍ତିକପୂ‰ର୍ଣ୍ଣିମା ଦିବସେ । ରହିବ ପୁଣି ଉପବାସେ ॥ ୬୪

ତାହାର ଯେଉଁ ପରଦିନ । ପ୍ରଭାତେ କରି ଆଚମନ ॥ ୬୫

ପୂର୍ବର ପ୍ରାୟେ କରି ପୁଣି । ବିଷ୍ଣୁ ଅର୍ଚ୍ଚିବ ତହୁଁ ଆଣି ॥ ୬୬

ଚରୁ ଘୃତ ସମିଧ କ୍ଷୀରେ । ହୋମ କରିବ ଏ ବିଧିରେ ॥ ୬୭

ଯଜ୍ଞବିଧାନେ ପାକ ଶେଷ । ଆହୁତି ଦେବ ଯେ ଦ୍ୱାଦଶ ॥ ୬୮

ଆଶିଷ ଘେନିବ ମସ୍ତକେ । ବ୍ରାହ୍ମଣମାନଙ୍କର ବାକ୍ୟେ ॥ ୬୯

ସାଷ୍ଟାଙ୍ଗେ କରି ନମସ୍କାର । ଆଜ୍ଞା ଘେନିବ ବିପ୍ରଙ୍କର ॥ ୭୦

ଆଚାର୍ଯ୍ୟ କରିଣ ଅଗ୍ରତେ । ଶୁଚି ହୋଇ ବନ୍ଧୁ ସହିତେ ॥ ୭୧

ପତ୍ନୀକି ଚରୁ ଦେବ ନେଇ । ସୁପୁତ୍ର ସୌଭାଗ୍ୟର ପାଇଁ ॥ ୭୨

ଏ ବିଷ୍ଣୁବ୍ରତ ଯେ କରଇ । ବାଞ୍ଛିତଫଳ ସେ ଲଭଇ ॥ ୭୩

ଯେ ସ୍ତିରୀ ଏ ବ୍ରତ ଆଚରି । ସୌଭାଗ୍ୟ ଲଭେ ସେ ସୁନ୍ଦରୀ ॥ ୭୪

ଉତ୍ତମପୁତ୍ର ସ୍ୱାମୀ ଯଶ । ଏ ସର୍ବ ଲଭଇ ଅକ୍ଳେଶ ॥ ୭୫

ଏ ବ୍ରତେ କନ୍ୟା ଲଭେ ବର । ଉତ୍ତମଲକ୍ଷଣ ଯାହାର ॥ ୭୬

ବିଧବା ଅପୁତ୍ରିକ ନୋହି । ସେ ନାରୀ ନିଷ୍ପାପ ହୁଅଇ ॥ ୭୭

ଦୁର୍ଭଗା ସୌଭାଗ୍ୟ ଲଭଇ । ବିରୂପ ସୁରୂପ ହୁଅଇ ॥ ୭୮

ମୃତବ›ତ୍ସିକା ଯେବା ନାରୀ । ଚିରଞ୍ଜିବୀ ପୁତ୍ର ତାହାରି ॥ ୭୯

ସର୍ବରୋଗରୁ ମୁକ୍ତ ହୋଇ । ନିର୍ମଳ ହୋଏ ତାର ଦେହୀ ॥ ୮୦

ସୌଭାଗ୍ୟବତୀ ଧନେଶ୍ୱରୀ । ଅନ୍ତେ ଲଭନ୍ତି ବିଷ୍ଣୁପୁରୀ ॥ ୮୧

ସକଳ କର୍ମର ଅନ୍ତରେ । ଯେ ଏହା ପଢ଼େ ନିରନ୍ତରେ ॥ ୮୨

ପିତୃଦେବତା ତୋଷ ହୋଇ । ବାଞ୍ଛିତଫଳ ତାରେ ଦେଇ ॥ ୮୩

ହୋମର ଅବସାନେ ତାର । ସନ୍ତୋଷ ଅଗ୍ନି ଚକ୍ରଧର ॥ ୮୪

ମରୁତଜନ୍ମ ହେ ରାଜନ । ତୁମ୍ଭେ ଯେ ମୋତେ କଲ ପ୍ରଶ୍ନ ॥ ୮୫

ଦିତିର ବ୍ରତ ଆଦି କରି । ତୋ ଆଗେ କହିଲୁ ବିସ୍ତାରି ॥ ୮୬

ଏଣେ ଯେ ହୋନ୍ତି ସାବଧାନ । ଲଭନ୍ତି ଧର୍ମ ଅର୍ଥ କାମ ॥ ୮୭

ଅନ୍ତେ ପଶନ୍ତି ହରିଦେହେ । ଶ୍ରୀମୁଖେ କହେ ଦେବରାୟେ ॥ ୮୮

ଏଣୁ ଯେ ସୁବୋଧ ପଣ୍ଡିତ । ନିତ୍ୟେ ଶୁଣିବ ଏ ଚରିତ ॥ ୮୯

ତାହାର ପାପବନ୍ଧ ନାହିଁ । ଅବଶ୍ୟ ବୈକୁଣ୍ଠ ଲଭଇ ॥ ୯୦

ବୋଲଇ ଦାସ ଜଗନ୍ନାଥ । ପବନ ଜନ୍ମର ଚରିତ ॥ ୯୧

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ବୈୟାସିକ୍ୟାଂ

ଅଷ୍ଟାଦଶ ସାହସ୍ର୍ୟାଂ ପାରମହଂସ୍ୟାଂ ସଂହିତାୟାଂ ଷଷ୍ଠସ୍କନ୍ଧେ

ପୁଂସବନବ୍ରତ କଥନଂ ନାମ ଏକୋନବିଂଶୋଽଧ୍ୟାୟଃ ॥

* * *