ଷଷ୍ଠ ସ୍କନ୍ଧ
ଉନବିଂଶ ଅଧ୍ୟାୟ
ପରୀକ୍ଷିତ ଉବାଚ
ଭୋ ମୁନି ଶୁଣ ସାବଧାନ । ଯେ ବ୍ରତ ନାମ ପୁଂସବନ ॥ ୧
ତୁମ୍ଭେ ଯେ କହିଲ ବିଧାନ । ପୁଣି ଶ୍ରବଣେ ମୋର ମନ ॥ ୨
ଯେ ବ୍ରତ ପ୍ରସାଦରୁ କରି । ପ୍ରସନ୍ନ ହୁଅନ୍ତି ମୁରାରି ॥ ୩
ଶୁକ ଉବାଚ
ପ୍ରଥମେ ମାର୍ଗଶିର ମାସ । ଶୁକ୍ଳ ପ୍ରତିପଦ ଦିବସ ॥ ୪
ଭର୍ତ୍ତାର ଆଜ୍ଞା ପରମାଣେ । ବ୍ରତ କରିବେ ସ୍ତିରୀଗଣେ ॥ ୫
ଏ ବ୍ରତେ ହୋଇ ସର୍ବସିଦ୍ଧି । ଆଦରେ କଲେ ଯଥାବିଧି ॥ ୬
ବ୍ରାହ୍ମଣେ କରିଣ ବରଣ । ଶୁଣିବ ମରୁତଙ୍କ ଜନ୍ମ ॥ ୭
ଶୁଚି ହୋଇବ କରି ସ୍ନାନ । ଶୁକ୍ଳବସନ ପରିଧାନ ॥ ୮
ପୂର୍ବରୁ ଭୋଜନ ନ କରି । ଚଞ୍ଚଳମନ ସ୍ଥିରେ ଧରି ॥ ୯
ଲକ୍ଷ୍ମୀ ସହିତେ ଭଗବାନ । ପୂଜିବ ହୋଇ ତୋଷମନ ॥ ୧୦
ପଦ୍ମଚରଣ ଚିନ୍ତି ଧ୍ୟାନେ । ସ୍ତୁତି କରିବ ଏ ବିଧାନେ ॥ ୧୧
ହେ ନିରପେକ୍ଷ ପୂର୍ଣ୍ଣକାମ । ନମସ୍ତେ ପ୍ରଭୁ ଆତ୍ମାରାମ ॥ ୧୨
ନମୋ ମହାବିଭୁ ଈଶ୍ୱର । ସକଳ ସିଦ୍ଧିର ଠାକୁର ॥ ୧୩
ଅନନ୍ତଗୁଣେ ଯୁକ୍ତ ତୁହି । ନମସ୍ତେ ପ୍ରଭୁ ଭାବଗ୍ରାହୀ ॥ ୧୪
ଭୋ ଦେବି ଗୋବିନ୍ଦ ଘରଣି । ଅଶେଷଗୁଣେ ସୁଲକ୍ଷଣୀ ॥ ୧୫
ଲୋକମାତ ସୃଷ୍ଟିକାରଣ । ମୋହରେ ହୁଅ ତୁ ପ୍ରସନ୍ନ ॥ ୧୬
ନମଇଁ ତୋହର ଚରଣ । ଜଗତ ଯାହାର ଭିଆଣ ॥ ୧୭
ନମଇଁ ପ୍ରଭୁ ଭଗବତ । ମହାପୁରୁଷ ଆଦିଭୂତ ॥ ୧୮
ମହାବିଭୂତି-ପତି ତୁହି । ମହାବିଭୂତି-ଯୁକ୍ତ ହୋଇ ॥ ୧୯
ଅଖିଳ-ବ୍ରହ୍ମାଣ୍ତ-ଈଶ୍ୱର । ଗ୍ରହଣ କର ଉପହାର ॥ ୨୦
ଏମନ୍ତ କରି ଆରାଧନ । ପୂଜିବ ଲକ୍ଷ୍ମୀ-ନାରାୟଣ ॥ ୨୧
ପାଦ୍ୟ ଅର୍ଘ୍ୟ ଯେ ଆବାହନ । ବିଧିରେ କରାଇ ସ୍ନାହାନ ॥ ୨୨
ଦିବ୍ୟବସନ ସମର୍ପିବ । ଶୁକ୍ଳଉତ୍ତରୀ ନିବେଦିବ ॥ ୨୩
ନାନାଭୂଷଣ ଗନ୍ଧଧୂପ । ପ୍ରସନ ଉପହାର ଦୀପ ॥ ୨୪
ଆବର ଯେତେ ଉପହାର । ସ୍ଥାପିବ ବିଷ୍ଣୁର ଛାମୁର ॥ ୨୫
ବିଷ୍ଣୁରେ ଦେଇ ଯେତେ ଦ୍ରବ୍ୟ । ଆନନ୍ଦେ ତାହା ସମର୍ପିବ ॥ ୨୬
କୃଷ୍ଣର ଯେତେ ଭାବରସ । ଆନନ୍ଦେ କରିବ ପ୍ରକାଶ ॥ ୨୭
ହବି ଆହୂତି ଯେ ଦ୍ୱାଦଶ । ଅନଳେ ଦେବ ଅବଶେଷ ॥ ୨୮
ନମୋ ଭଗବାନ ଈଶ୍ୱର । ମହାପୁରୁଷ ଦେବବର ॥ ୨୯
ମହାବିଭୂତିପତି ତୁହି । ସ୍ୱାହା ବୋଲି ଅର୍ପିବ ତହିଁ ॥ ୩୦
ଲକ୍ଷ୍ମୀ ଅଚ୍ୟୁତ ବେନିଜନ । ବରଦାୟକ ନରାୟଣ ॥ ୩୧
ଭକ୍ତିରେ ନିତ୍ୟେ ଯେ ପୂଜିବ । ସର୍ବସମ୍ପଦ ସେ ଲଭିବ ॥ ୩୨
ଭାବରେ ହୋଇ ଭକ୍ତିଯୁକ୍ତ । ସାଷ୍ଟାଙ୍ଗେ କରି ଦଣ୍ଡବତ ॥ ୩୩
ମନ୍ତ୍ର ଜପିବ ଦଶବାର । ଏ ସ୍ତୋତ୍ର କରିବ ଉଚ୍ଚାର ॥ ୩୪
ତୁମ୍ଭେ ଯେ ତ୍ରୈଲୋକ୍ୟ ଈଶ୍ୱର । ସକଳ-ବ୍ରହ୍ମାଣ୍ତ-ଠାକୁର ॥ ୩୫
ସଂସାର-ପରମକାରଣ । ତୁମ୍ଭେ ଯେ ପ୍ରଭୁ ନାରାୟଣ ॥ ୩୬
ଏ ଯେ ସୂକ୍ଷ୍ମମାୟା-ପ୍ରକୃତି । ଦୁରନ୍ତ ଅଟଇ ଶକତି ॥ ୩୭
ଏହାର ତୁମ୍ଭେ ଅଧୀଶ୍ୱର । ସାକ୍ଷାତ ପୁରୁଷଙ୍କ ପର ॥ ୩୮
ତୁମ୍ଭେ ସକଳ-ଯଜ୍ଞମୟ । ପତ୍ନୀରୂପରେ ଲକ୍ଷ୍ମୀ ହୁଅ ॥ ୩୯
ଅଶେଷ-କ୍ରିୟାର ଈଶ୍ୱରୀ । ଫଳଭୋକତା ନରହରି ॥ ୪୦
ଗୁଣାଦି ଗୁଣର କାରଣ । ତତ୍ତ୍ୱଭାବନ ଭଗବାନ ॥ ୪୧
ସର୍ବଶରୀରେ ଆତ୍ମା ତୁହି । ଲକ୍ଷ୍ମୀ ଇନ୍ଦ୍ରିୟ ପ୍ରାଣ ହୋଇ ॥ ୪୨
ନାମ ରୂପ ଏ ଭଗବତୀ । ଆଶ୍ରୟରୂପେ ତୁମ୍ଭ ସ୍ଥିତି ॥ ୪୩
ଯେମନ୍ତେ ତୁମ୍ଭେ ବ୍ରହ୍ମାଣ୍ତର । ବର-ଦିଅନ୍ତା ହେ ଈଶ୍ୱର ॥ ୪୪
ତେମନ୍ତ ହୋଇ ଚକ୍ରଧର । ସର୍ବମଙ୍ଗଳ ହେଉ ମୋର ॥ ୪୫
ଲକ୍ଷ୍ମୀନିବାସ ଯେ ପୁରୁଷ । ଏହି ସ୍ତୁତିରେ କରି ତୋଷ ॥ ୪୬
ପୂଜିବ ଲକ୍ଷ୍ମୀନାରାୟଣ । ଯେ ପ୍ରଭୁ ବ୍ରହ୍ମାଣ୍ତ-କାରଣ ॥ ୪୭
ପୂଜା-ଉପଚାର ଲେଛିବ । ସନ୍ତୋଷେ ଆଚମନ ଦେବ ॥ ୪୮
ଏଥିଉତ୍ତାରୁ ପୁନର୍ବାର । ଅର୍ଚ୍ଚନା କରିବ ଈଶ୍ୱର ॥ ୪୯
ଯଜ୍ଞ-ଉଚ୍ଛିଷ୍ଟ ଯେବାଥିବ । ମନ ସନ୍ତୋଷେ ତା ଭକ୍ଷିବ ॥ ୫୦
ଚିତ୍ତରେ ହୋଇ ଭାବଭକ୍ତି । ପୁଣି କରିବ ନାନା ସ୍ତୁତି ॥ ୫୧
ସ୍ୱାମୀଙ୍କି ଭକ୍ତିରେ ପୂଜିବ । ଈଶ୍ୱରଭାବରେ ଚିନ୍ତିବ ॥ ୫୨
ନାନାପ୍ରୀତିରେ ବାକ୍ୟ ଭରି । ସ୍ୱାମୀ ତୋଷିବ ନିଜନାରୀ ॥ ୫୩
ପତ୍ନୀ ସହିତ ହୋଇ କରି । ସର୍ବକର୍ମ ସ୍ୱାମୀ ଆଚରି ॥ ୫୪
ଏ ବ୍ରତ ପତିପତ୍ନୀ ଧରିବ । ଅଭାବେ ଏକା ବା କରଇ ॥ ୫୫
ଏ ବିଷ୍ଣୁବ୍ରତକୁ ଧରିବ । କେବେହେଁ ଭଗ୍ନ ନ କରିବ ॥ ୫୬
ଗନ୍ଧମାଲ୍ୟ ମଣିଭୂଷଣେ । ବ୍ରତେ ତୋଷିବ ବିପ୍ରଗଣେ ॥ ୫୭
ଭକ୍ତିରେ ଯୁକ୍ତ କରି ମନ । ନିୟମେ ଥିବ ପ୍ରତିଦିନ ॥ ୫୮
ସାଷ୍ଟାଙ୍ଗେ ଈଶ୍ୱର ନମିବ । ସ୍ୱସ୍ଥାନେ ନେଇ ବସାଇବ ॥ ୫୯
ଭକ୍ତିଭାବରେ ବେନିଜନ । ନିର୍ମାଲ୍ୟ କରିବ ଭୋଜନ ॥ ୬୦
ସର୍ବକାମନା ପୂର୍ଣ୍ଣ ପାଇଁ । କରିବ ଭକ୍ତିଯୁକ୍ତ ହୋଇ ॥ ୬୧
ଏ ପୂଜାବିଧି ବାରମାସ । କରିବ ଏକଇ ବରଷ ॥ ୬୨
ଏ ମଧ୍ୟେ ମଳମାସ ଯେବେ । ଛାଡିବ-ଏକମାସ ତେବେ ॥ ୬୩
କାର୍ତ୍ତିକପୂର୍ଣ୍ଣିମା ଦିବସେ । ରହିବ ପୁଣି ଉପବାସେ ॥ ୬୪
ତାହାର ଯେଉଁ ପରଦିନ । ପ୍ରଭାତେ କରି ଆଚମନ ॥ ୬୫
ପୂର୍ବର ପ୍ରାୟେ କରି ପୁଣି । ବିଷ୍ଣୁ ଅର୍ଚ୍ଚିବ ତହୁଁ ଆଣି ॥ ୬୬
ଚରୁ ଘୃତ ସମିଧ କ୍ଷୀରେ । ହୋମ କରିବ ଏ ବିଧିରେ ॥ ୬୭
ଯଜ୍ଞବିଧାନେ ପାକ ଶେଷ । ଆହୁତି ଦେବ ଯେ ଦ୍ୱାଦଶ ॥ ୬୮
ଆଶିଷ ଘେନିବ ମସ୍ତକେ । ବ୍ରାହ୍ମଣମାନଙ୍କର ବାକ୍ୟେ ॥ ୬୯
ସାଷ୍ଟାଙ୍ଗେ କରି ନମସ୍କାର । ଆଜ୍ଞା ଘେନିବ ବିପ୍ରଙ୍କର ॥ ୭୦
ଆଚାର୍ଯ୍ୟ କରିଣ ଅଗ୍ରତେ । ଶୁଚି ହୋଇ ବନ୍ଧୁ ସହିତେ ॥ ୭୧
ପତ୍ନୀକି ଚରୁ ଦେବ ନେଇ । ସୁପୁତ୍ର ସୌଭାଗ୍ୟର ପାଇଁ ॥ ୭୨
ଏ ବିଷ୍ଣୁବ୍ରତ ଯେ କରଇ । ବାଞ୍ଛିତଫଳ ସେ ଲଭଇ ॥ ୭୩
ଯେ ସ୍ତିରୀ ଏ ବ୍ରତ ଆଚରି । ସୌଭାଗ୍ୟ ଲଭେ ସେ ସୁନ୍ଦରୀ ॥ ୭୪
ଉତ୍ତମପୁତ୍ର ସ୍ୱାମୀ ଯଶ । ଏ ସର୍ବ ଲଭଇ ଅକ୍ଳେଶ ॥ ୭୫
ଏ ବ୍ରତେ କନ୍ୟା ଲଭେ ବର । ଉତ୍ତମଲକ୍ଷଣ ଯାହାର ॥ ୭୬
ବିଧବା ଅପୁତ୍ରିକ ନୋହି । ସେ ନାରୀ ନିଷ୍ପାପ ହୁଅଇ ॥ ୭୭
ଦୁର୍ଭଗା ସୌଭାଗ୍ୟ ଲଭଇ । ବିରୂପ ସୁରୂପ ହୁଅଇ ॥ ୭୮
ମୃତବତ୍ସିକା ଯେବା ନାରୀ । ଚିରଞ୍ଜିବୀ ପୁତ୍ର ତାହାରି ॥ ୭୯
ସର୍ବରୋଗରୁ ମୁକ୍ତ ହୋଇ । ନିର୍ମଳ ହୋଏ ତାର ଦେହୀ ॥ ୮୦
ସୌଭାଗ୍ୟବତୀ ଧନେଶ୍ୱରୀ । ଅନ୍ତେ ଲଭନ୍ତି ବିଷ୍ଣୁପୁରୀ ॥ ୮୧
ସକଳ କର୍ମର ଅନ୍ତରେ । ଯେ ଏହା ପଢ଼େ ନିରନ୍ତରେ ॥ ୮୨
ପିତୃଦେବତା ତୋଷ ହୋଇ । ବାଞ୍ଛିତଫଳ ତାରେ ଦେଇ ॥ ୮୩
ହୋମର ଅବସାନେ ତାର । ସନ୍ତୋଷ ଅଗ୍ନି ଚକ୍ରଧର ॥ ୮୪
ମରୁତଜନ୍ମ ହେ ରାଜନ । ତୁମ୍ଭେ ଯେ ମୋତେ କଲ ପ୍ରଶ୍ନ ॥ ୮୫
ଦିତିର ବ୍ରତ ଆଦି କରି । ତୋ ଆଗେ କହିଲୁ ବିସ୍ତାରି ॥ ୮୬
ଏଣେ ଯେ ହୋନ୍ତି ସାବଧାନ । ଲଭନ୍ତି ଧର୍ମ ଅର୍ଥ କାମ ॥ ୮୭
ଅନ୍ତେ ପଶନ୍ତି ହରିଦେହେ । ଶ୍ରୀମୁଖେ କହେ ଦେବରାୟେ ॥ ୮୮
ଏଣୁ ଯେ ସୁବୋଧ ପଣ୍ଡିତ । ନିତ୍ୟେ ଶୁଣିବ ଏ ଚରିତ ॥ ୮୯
ତାହାର ପାପବନ୍ଧ ନାହିଁ । ଅବଶ୍ୟ ବୈକୁଣ୍ଠ ଲଭଇ ॥ ୯୦
ବୋଲଇ ଦାସ ଜଗନ୍ନାଥ । ପବନ ଜନ୍ମର ଚରିତ ॥ ୯୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ବୈୟାସିକ୍ୟାଂ
ଅଷ୍ଟାଦଶ ସାହସ୍ର୍ୟାଂ ପାରମହଂସ୍ୟାଂ ସଂହିତାୟାଂ ଷଷ୍ଠସ୍କନ୍ଧେ
ପୁଂସବନବ୍ରତ କଥନଂ ନାମ ଏକୋନବିଂଶୋଽଧ୍ୟାୟଃ ॥
* * *