ଷଷ୍ଠ ସ୍କନ୍ଧ
ଅଷ୍ଟାଦଶ ଅଧ୍ୟାୟ
ଶୁକ ଉବାଚ
ଶୁକ କହନ୍ତି ହରଷିତ । ସାନନ୍ଦେ ଶୁଣ ପରୀକ୍ଷିତ ॥ ୧
ସବିତା ପତ୍ନୀ ପୃଶ୍ନୀ ହୋଇ । ବ୍ୟାହୃତି ସାବିତ୍ରୀ ଯେ ତ୍ରୟୀ ॥ ୨
ଏ ତିନି କନ୍ୟାଟି ତାହାର । ପୁତ୍ରର ନାମ ଶୁଣ ତାର ॥ ୩
ଅଗ୍ନିହୋତ୍ର ଯେ ପଶୁ ସୋମ । ଚାତୁର୍ମାସ୍ୟ ଯେ ମହାଯଜ୍ଞ ॥ ୪
ଏ ରୂପେ ପୁତ୍ରଙ୍କର ନାମ । ଭଗର ବଂଶ ଏବେ ଶୁଣ ॥ ୫
ଭଗର ପତ୍ନୀ ସିଦ୍ଧିନାମ । ତା ପୁତ୍ର ବିଭୁ ମହିମାନ ॥ ୬
ପ୍ରଭୁ ଆଶିଷ ଚାରିନାମ । କନ୍ୟାଏ ବରାରୋହା ଜନ୍ମ ॥ ୭
ଆଶିଷ ବରାରୋହା ତାର । କନ୍ୟା ହୋଇଲା ସେ ସିଦ୍ଧିର ॥ ୮
ଧାତାର ତହୁଁ ଚାରିସୁତ । କୁହୂ ଭାର୍ଯ୍ୟାରୁ ସାୟଂ ଜାତ ॥ ୯
ସନୀବାଲୀର ପୁତ୍ର ଦର୍ଶ । ଅନୁମତିର ପୂର୍ଣ୍ଣମାସ ॥ ୧୦
ରାକାର ତହୁଁ ହେଲା ପ୍ରାତଃ । ଏ ରୂପେ ଧାତାବଂଶ ଖ୍ୟାତ ॥ ୧୧
ବିଧାତାର ଯେ କ୍ରିୟାପତ୍ନୀ । ତହୁଁ ହୋଇଲେ ପଞ୍ଚଅଗ୍ନି ॥ ୧୨
ବରୁଣ ଭାର୍ଯ୍ୟା ଚରଷଣୀ । ତାହାର ତହୁଁ ଭୃଗୁ ଜନ୍ମି ॥ ୧୩
ବାଲ୍ମୀକି ମହାଯୋଗେଶ୍ୱର । ବଲ୍ମୀକୁଁ ଜାତ ତାହାଙ୍କର ॥ ୧୪
ଅଗସ୍ତି ବଶିଷ୍ଠ ବ୍ରାହ୍ମଣ । କୁମ୍ଭରୁ ତାହାଙ୍କର ଜନ୍ମ ॥ ୧୫
ରେବତୀ ମିତ୍ରୁଁ ପୁତ୍ରଜାତ । ପିପ୍ଳ ଉର୍ତ୍ସଗ ଅରିଷ୍ଟ ॥ ୧୬
ପୌଲମୀ ଇନ୍ଦ୍ର ନିଜ ନାରୀ । ତିନିତନୟ ତାହାଙ୍କରି ॥ ୧୭
ଜୟନ୍ତ ଋଷଭକୁମର । ମୀଢୂଷ ଶୁଣ ନୃପବର ॥ ୧୮
ଉରୁକ୍ରମ ମାୟାବାମନ । ତାହାଙ୍କ ପତ୍ନୀ କୀର୍ତ୍ତି ନାମ ॥ ୧୯
ତାଠାରୁ ବୃହତ୍ଶ୍ଲୋକ ନାମ । ତନୟ ହୋଇଲା ଜନମ ॥ ୨୦
ସୌଭାଗ ଆଦି ତାହାଙ୍କର । କୁମର ହୋଇଲେ ଅପାର ॥ ୨୧
କଶ୍ୟପସୁତ ଯେ ବାମନ । ତାହାଙ୍କ ଜନ୍ମକର୍ମ ଗୁଣ ॥ ୨୨
ଅଦିତି ଗର୍ଭେ ତାହାଙ୍କର । ଯେମନ୍ତେ ହେଲା ଅବତାର ॥ ୨୩
ପଛେ ତାହାଙ୍କର ଚରିତ । କହିବା ଶୁଣ ଏକଚିତ୍ତ ॥ ୨୪
କଶ୍ୟପ-ବିର୍ଯ୍ୟେ ଦିତିଗର୍ଭେ । ଦାନବବଂଶ ଶୁଣ ଏବେ ॥ ୨୫
କଶ୍ୟପବଂଶେ ଯେ ଦଇତ୍ୟ । ବଳି ପ୍ରହ୍ଲାଦ ଭାଗବତ ॥ ୨୬
ଅଶେଷ ତାହାଙ୍କ ଚରିତ । କହିବା ଶୁଣ ଏକଚିତ୍ତ ॥ ୨୭
ଦିତିର ବେନି ଯେ ନନ୍ଦନ । ଦୈତ୍ୟ-ଦାନବଙ୍କ ବନ୍ଦନ ॥ ୨୮
ହିରଣ୍ୟକଶିପୁ ପ୍ରଥମ । ଦ୍ୱିତୀୟେ ହରିଣ୍ୟାକ୍ଷ ନାମ ॥ ୨୯
ହିରଣ୍ୟକଶିପୁ ଯେ ବୀର । କୟାଧୁ ନାମେ ପତ୍ନୀ ତାର ॥ ୩୦
ଜମ୍ଭର କନ୍ୟା ସେ ଯୁଗତେ । ପ୍ରସବ କଲା ଚାରିସୁତେ ॥ ୩୧
ସଂହ୍ଲାଦ ଅନୁହ୍ଲାଦ ବୀର । ପ୍ରହ୍ଲାଦ ହ୍ଲାଦ ତା କୁମର ॥ ୩୨
ଏକ ଭଗିନୀ ତାହାଙ୍କର । ସିଂହିକା ନାମଟି ଯାହାର ॥ ୩୩
ରାହୁ ଯେ ତାହାର କୁମର । ଜନ୍ମ ବିପ୍ରଚିତ୍ତି-ବୀର୍ଯ୍ୟର ॥ ୩୪
ଅମୃତପାନେ ଚକ୍ରଧର । ବକ୍ରେ ଛେଦିଲେ ତାରଶିର ॥ ୩୫
ଅମୃତପାନେ ସେ ନ ମଲା । ରାହୁ କେତୁ ଦ୍ୱିରୂପ ହେଲା ॥ ୩୬
ସଂହ୍ଲାଦ ପତ୍ନୀ କୃତ ନାମ । ସୁତ ତାହାର ପଞ୍ଚଜନ ॥ ୩୭
ଧମନୀ ପତ୍ନୀ ଯେ ହ୍ଲାଦର । ବାତାପି ଇଲ୍ୱଳ କୁମର ॥ ୩୮
ଅଗସ୍ତି ପେଟେ ମେଷରୂପେ । ଯେ ଭସ୍ମ ହୋଇଲା ସ୍ୱରୂପେ ॥ ୩୯
ଅନୁହ୍ଲାଦର ସୂର୍ମ୍ୟା ପତ୍ନୀ । ବାଷ୍କଳ ମର୍ହିଷ ଏ ବେନି ॥ ୪୦
ପ୍ରହ୍ଲାଦ ସୁତ ବିରୋଚନ । ଦେବୀ ତାହାର ପତ୍ନୀନାମ ॥ ୪୧
ତାହାର ବଳି ଯେ କୁମର । ତ୍ରୈଲୋକ୍ୟ ବିଖ୍ୟାତ ସେ ବୀର ॥ ୪୨
ଅଶନାଠାରେ ହେଲା ତାର । ବାଣ ଆଦି ଶତକୁମାର ॥ ୪୩
ବାଣର ପ୍ରତାପ ଯେ ତେଜ । ପଛେ କହିବା ମହାରାଜ ॥ ୪୪
ବାଣ ଆରଧି ଈଶ୍ୱରଙ୍କୁ । ଲଭିଲା ପଣ ପ୍ରଭୃତ୍ୱକୁ ॥ ୪୫
ପୁରପାଳକ ହୋଇ ହର । ଅଦ୍ୟାପି ଅଛନ୍ତି ଯାହାର ॥ ୪୬
ଦିତିର ତନୟ ମରୁତ । ଊନପଚାଶ ରୂପେ ଜାତ ॥ ୪୭
ଜନ୍ମ ନିକଟେ ବଜ୍ରେ ହାଣି । ଦେବତା କଲେ ବଜ୍ରପାଣି ॥ ୪୮
ପରୀକ୍ଷିତ ଉବାଚ
କେମନ୍ତେ ଅସୁର-ସ୍ୱଭାବ । ଛାଡ଼ିଲେ ଭୋ ମୁନି କହିବ ॥ ୪୯
ଇନ୍ଦ୍ରରେ ସପକ୍ଷ ହୋଇଲେ । କି ସାଧୁକର୍ମ ସେହି କଲେ ॥ ୫୦
ଶ୍ରଦ୍ଧା ଅଧିକ ଏଣୁ ମୋର । ଶୁଣିବି ବୋଲି ମୁନିବର ॥ ୫୧
ମୋହର ଜ୍ଞାନଉଦେ ଯହିଁ । ବିସ୍ତାରି କହିବା ଗୋସାଇଁ ॥ ୫୨
ସୂତ ଉବାଚ
ଭକ୍ତିଚିତ୍ତରେ ରାଜାବାଣୀ । ଶୁଣିଣ ସେ ବାଦରାୟଣି ॥ ୫୩
ରାଜାକୁ ଧନ୍ୟ ଧନ୍ୟ କରି । ଚଞ୍ଚଳଚିତ୍ତ ସ୍ଥିର କରି ॥ ୫୪
କହନ୍ତି ରାଜାମୁଖ ଚାହିଁ । ଶୁଣ ରାଜନ ମନଦେଇ ॥ ୫୫
ଶୁକ ଉବାଚ
ହେ ରାଜା ସାବଧାନେ ଶୁଣ । ଯେ ତୋର ପ୍ରଶନ କାରଣ ॥ ୫୬
ସେ ଦିତି କଶ୍ୟପଙ୍କ ନାରୀ । ଇନ୍ଦ୍ରର ପକ୍ଷ ମନେ ଧରି ॥ ୫୭
ବିଷ୍ଣୁରେ କରି ହତସୁତ । ତେଣୁ ହୋଇଣ ମୋହଗତ ॥ ୫୮
କ୍ରୋଧ-ଶୋକରେ ପରଜ୍ୱଳି । ଚିନ୍ତା କରଇ ମନେ ଭାଳି ॥ ୫୯
କନିଷ୍ଠ-ଭାତୃହନ୍ତା ଏହି । କେବେ ମରିବ ପାପଦେହୀ ॥ ୬୦
କୁଟିଳ ହୃଦୟ ଏ ଜନ । ଏ ମଲେ ସୁଖେ ମୋ ଶୟନ ॥। ୬୧
କୃମି ବିଷ୍ଠା ଭସ୍ମ ସମାନେ । ଯେ ଦେହ ହୋଏ ଅବସାନେ ॥ ୬୨
ସେ ଦେହ ପାଇଁ ପ୍ରାଣୀ ନାଶ । କରି ନରକେ ପରବେଶ ॥ ୬୩
ଯେ ପ୍ରାଣୀ ଆତ୍ମାକୁ ଜାଣଇଁ । ସେ ପାପେ ପ୍ରବର୍ତ୍ତଇ ନାହିଁ ॥ ୬୪
ଏ ଯେ ପାପିଷ୍ଠ ମୂଢ଼ମତି । ଏହାର ନାହିଁ ଧର୍ମଗତି ॥ ୬୫
କେମନ୍ତେ ପୁତ୍ର ହେବ ଜାତ । ଇନ୍ଦ୍ରକୁ କରିବ ନିପାତ ॥ ୬୬
ଏହା ମୁଁ କରିବି ବିଧାନେ । ଏମନ୍ତ ବିଚାରିଣ ମନେ ॥ ୬୭
ଭର୍ତ୍ତାର ନିକଟେ ମିଳିଲା । ପ୍ରୀତିଭାବକୁ ଆଚରିଲା ॥ ୬୮
ନାନା-ପ୍ରକାରେ ସେବା କରି । ବିନୟଭାବକୁ ଆଚରି ॥ ୬୯
ପରମ-ପ୍ରୀତିଯୁକ୍ତ ହୋଇ । ମନୋଜ୍ଞବଚନ ବୋଲଇ ॥ ୭୦
ସସ୍ମିତ-ଅପାଙ୍ଗ-ବୀକ୍ଷଣେ । ସ୍ୱାମୀ ସ୍ୱବଶ କଲା ଗୁଣେ ॥ ୭୧
ଏମନ୍ତ କଶ୍ୟପ ଯେ ମୁନି । ପତ୍ନୀ-ବିନୟଭାବ ଘେନି ॥ ୭୨
ତାହାର ବଶ ସେ ହୋଇଲେ । ବାଞ୍ଛିତ ଦେବଇଁ ବୋଇଲେ ॥ ୭୩
ସ୍ତିରୀର ବଶ ହୋଇବାରେ । ବିଚିତ୍ର ନୁହଁଇ ସଂସାରେ ॥ ୭୪
ଆଦିସୃଷ୍ଟିରେ ପ୍ରଜାପତି । ପ୍ରାଣୀମାନଙ୍କୁ ସଞ୍ଚିଛନ୍ତି ॥ ୭୫
ପୁରୁଷ-ଅର୍ଦ୍ଧଅଙ୍ଗ ନାରୀ । ନର-ସ୍ୱଭାବେ ବଶ ସ୍ତିରୀ ॥ ୭୬
ଦିତି ଯେ ହୋଇ ସୁବେଶିତ । ପ୍ରଭୁ-ସେବାରେ ଉପଗତ ॥ ୭୭
ଦିତିରେ ହୋଇଣ ସେବିତ । ସେ ଯେ କଶ୍ୟପ ତପୋବନ୍ତ ॥ ୭୮
ପରମ ସନ୍ତୋଷ ହୋଇଲେ । ଏମନ୍ତ ବଚନ ବୋଇଲେ ॥ ୭୯
କଶ୍ୟପ ଉବାଚ
ବର ତୁ ମାଗ ଯେ ମନରେ । ପ୍ରସନ୍ନ ହୋଇଲି ତୋହରେ ॥ ୮୦
କାନ୍ତ-ପ୍ରସନ୍ନେ ସ୍ତିରୀଙ୍କର । ଦୁର୍ଲଭ କିବା ଇହପର ॥ ୮୧
ସ୍ୱାମୀଦେବତା ନାରୀଙ୍କର । ଦେବେ କହନ୍ତି ଧର୍ମସାର ॥ ୮୨
ସର୍ବଭୂତରେ ଆତ୍ମା ହୋଇ । ଅଛନ୍ତି ପ୍ରଭୁ ଭାବଗ୍ରାହୀ ॥ ୮୩
ସେ ପ୍ରଭୁ ନାନା ଦେବମତେ । ରୂପକୁ ଧରିଛି ଜଗତେ ॥ ୮୪
ଗୋବିନ୍ଦ ପୂଜନ୍ତି ଯେ ଜନେ । ନାନା ଯଜ୍ଞବେଦ ବିଧାନେ ॥ ୮୫
ଯେ ପତିବ୍ରତା ନାରୀମାନେ । ଆତ୍ମାଶ୍ରେୟକୁ ଚିନ୍ତି ମନେ ॥ ୮୬
ଅନ୍ୟୋନ୍ୟଭାବେ ଏ ଜଗତେ । ସ୍ୱାମୀ ପୂଜନ୍ତି ବେଦମତେ ॥ ୮୭
ସ୍ୱଭାବେ ମୁହିଁ ଗୋ ସୁନ୍ଦରି । ପ୍ରସନ୍ନ ହୋଇଲି ତୋହରି ॥ ୮୮
ଯେବା ଅଭିଳାଷ ତୋହରି । ପୂର୍ଣ୍ଣ କରିବି କୃଶୋଦରୀ ॥ ୮୯
ମୁଁ ଯେଉଁ ବର ଦେବି ତୋରେ । ଦୁର୍ଲଭ ଅନ୍ୟସ୍ତିରୀଙ୍କରେ ॥ ୯୦
ଦିତି ଉବାଚ
ଭୋସ୍ୱାମୀ ବର ଯେବେ ଦେବ । ଏକକୁମର ମୋ ହୋଇବ ॥ ୯୧
ଅମର ହେବ ମୋର ସୁତ । ଇନ୍ଦ୍ରକୁ ନାଶିବ ଯୁକତ ॥ ୯୨
ଯେଣୁ ମୋ ପୁତ୍ର ମରାଇଲା । ପୁତ୍ରଶୋକକୁ ମତେ ଦେଲା ॥ ୯୩
ଶୁଣିଣ ଦିତିର ବଚନ । କଶ୍ୟପ ହୋଇଲେ ମଉନ ॥ ୯୪
ମନରେ ଗରୁ-ତାପଭର । କୋପେ ଚିନ୍ତନ୍ତି ମୁନିବର ॥ ୯୫
ଆଜ କି ଅଧର୍ମ ମହତ । ହୋଇଲା ମୋରେ ଉପଗତ ॥ ୯୬
ସ୍ତିରୀରେ କରି ମୋର ମନ । ହୋଇଲା ମହାହତଜ୍ଞାନ ॥ ୯୭
ଅନ୍ତେ ମୁଁ ଘୋର ନରକରେ । ନିଶ୍ଚୟେ ପଡ଼ିବି ନିର୍ଭରେ ॥ ୯୮
ସ୍ତିରୀର କି ଅବା ଏ ଦୋଷ । ସ୍ୱଭାବେ ସ୍ତିରୀ ଅବିଶ୍ୱାସ ॥ ୯୯
ଅବୋଧ ମୁହିଁ ଯେ ପାମର । ଧିକ ହେଉ ଏ ଜନ୍ମ ମୋର ॥ ୧୦୦
ଶରଦପଙ୍କଜ ଯେସନ । ସ୍ତିରୀମାନଙ୍କର ବଦନ ॥ ୧୦୧
ବଚନ ସୁଧାଶ୍ରବଣର । ହୃଦୟ ଯେହ୍ନେ କ୍ଷୁରଧାର ॥ ୧୦୨
ଏମନ୍ତ ସ୍ତିରୀଙ୍କ ସ୍ୱଭାବ । ଏହାଙ୍କ ଚେଷ୍ଟା କେ ଜାଣିବ ॥ ୧୦୩
ପ୍ରିୟ ନାହିଁକେ ସ୍ତିରୀଙ୍କର । କ୍ଷଣିକ-ବୁଦ୍ଧିଟି ଯାହାର ॥ ୧୦୪
ଯେ ପତି ପୁତ୍ର ଅବା ଭାଇ । ମାରନ୍ତି ନିଜ କାର୍ଯ୍ୟ ପାଇଁ ॥ ୧୦୫
ଅଥବା ଇତର-ଜନର । ହସ୍ତରେ କରନ୍ତି ସଂହାର ॥ ୧୦୬
କରି ଯେ ଅଛି ଅଙ୍ଗୀକାର । ଏହାରେ ଦେବି ବୋଲିବର ॥ ୧୦୭
ମୋହର ବାକ୍ୟ ମିଥ୍ୟା କାହିଁ । ଇନ୍ଦ୍ର ତ ବଧଯୋଗ୍ୟ ନୋହି ॥ ୧୦୮
ଏମନ୍ତ ହୋଇ ଯେ ବିଷୟ । ତହିଁକି କଳ୍ପିବା ଉପାୟ ॥ ୧୦୯
ଅତ୍ୟନ୍ତ ଚିନ୍ତାକରି ମୁନି । ଶୁଣ କହିବା ନୃପମଣି ॥ ୧୧୦
ଆତ୍ମାର ନିନ୍ଦାଭାବ ବହି । ବୋଲନ୍ତି ପତ୍ନୀମୁଖ ଚାହିଁ ॥ ୧୧୧
କଶ୍ୟପ ଉବାଚ
ଭୋ ସଖି ପୁତ୍ର ତୋ ହୋଇବ । ନିଶ୍ଚୟ ଇନ୍ଦ୍ରକୁ ମାରିବ ॥ ୧୧୨
ଏକବରଷ ଶୁଚି ହୋଇ । ଏ ବ୍ରତ ଯେବେ ଧରୁ ତୁହି ॥ ୧୧୩
ତୋହର ପୁତ୍ର ଯେ ହୋଇବ । ଇନ୍ଦ୍ରହନ୍ତା ସେ ବୋଲାଇବ ॥ ୧୧୪
କିନ୍ତୁ ବ୍ରତର ବିଘ୍ନ ହେଲେ । ଦେବଙ୍କ ମିତ୍ର ହେବ ଭଲେ ॥ ୧୧୫
ଦିତି ଉବାଚ
ଭୋ ସ୍ୱାମୀ ବ୍ରତ ଧରିବଇଁ । ବିଧାନ କହିବା ବୁଝାଇ ॥ ୧୧୬
ବ୍ରତ ଖଣ୍ତନ ଯେ କରଇ । କି ଅବା ନିଷେଧ ଅଛଇ ॥ ୧୧୭
କଶ୍ୟପ ଉବାଚ
ପ୍ରାଣୀଙ୍କି ହିଂସା ନ କରିବ । କ୍ରୋଧରେ ଶାପକୁ ନ ଦେବ ॥ ୧୧୮
ମିଥ୍ୟା ନ କହିବ ବଚନେ । ଛେଦିବ ନାହିଁ ନଖ-ରୋମେ ॥ ୧୧୯
ଅମଙ୍ଗଳ ଯେ ଦ୍ରବ୍ୟ ହୋଇ । କେବେହେଁ ସ୍ପରଶିବ ନାହିଁ ॥ ୧୨୦
ଜଳରେ ପଶିଣ ଯେ ସ୍ନାନ । କେବେହେଁ ନ କରିବ ଜାଣ ॥ ୧୨୧
ଦୁର୍ଜନ ସଙ୍ଗତେ ଆଳାପ । ଆବର ନ କରିବ ପାପ ॥ ୧୨୨
ଅଧୌତବସ୍ତ୍ର ନ ପିନ୍ଧିବ । ଛଡାମାଳକୁ ନ ଘେନିବ ॥ ୍ ୧୨୩
ପର-ଉଚ୍ଛିଷ୍ଟ ଦେବୀଅନ୍ନ । କେବେ ନ କରିବ ଗ୍ରହଣ ॥ ୧୨୪
ଆମିଷ ନ କରି ଭୋଜନ । ହସ୍ତେ ନ କରି ଜଳପାନ ॥ ୧୨୫
ଉଚ୍ଛିଷ୍ଟ ହୋଇ ଜଳବିନେ । କେବେହେଁ ନ ରହିବ କ୍ଷଣେ ॥ ୧୨୬
ବହୁ ବଚନ ନ କହିବ । ସନ୍ଧ୍ୟାରେ କେଶ ନ ମେଲିବ ॥ ୧୨୭
ସତ୍ୱରେ ଅସମ୍ଭାଳ ହୋଇ । କେବେ ବାହାର ହେବ ନାହିଁ ॥ ୧୨୮
ଅଧୌତ-ଆର୍ଦ୍ରପଦ ଯେବେ । ଶୟନ ନ କରିବ ତେବେ ॥ ୧୨୯
ଉତ୍ତର-ପଶ୍ଚିମକୁ ଶିର । ଶୟନ ନ ଉଭୟସନ୍ଧ୍ୟାର ॥ ୧୩୦
ଉଲଗ୍ନଭାବରେ ଶୟନ । ଏତେ ନ କରି ଆଚରଣ ॥ ୧୩୧
ଧଉତବସ୍ତ୍ର ପରିଧାନ । ଶୁଚି ହୋଇବ ଅନୁକ୍ଷଣ ॥ ୧୩୨
ପ୍ରାତଃକାଳରୁ ଉଠିକରି । ସର୍ବମଙ୍ଗଳ ବିଷ୍ଣୁସ୍ମରି ॥ ୧୩୩
ଲକ୍ଷ୍ମୀ ସହିତେ ନାରାୟଣ । ପୂଜିବ ଗୁରୁ ଗୋ-ବ୍ରାହ୍ମଣ ॥ ୧୩୪
ସଧବା-ସ୍ତିରୀଙ୍କି ଆଣିବ । ମାଳ-ଚନ୍ଦନେ ପୂଜା ଦେବ ॥ ୧୩୫
ଯଥାବିଧାନେ ନିଜପତି । ପୂଜିବ ସ୍ଥିରକରି ମତି ॥ ୧୩୬
ଯେ ଅନ୍ତର୍ଗତ-ଭଗବାନ । ତାହାଙ୍କୁ ଧ୍ୟାନ କରି ପୁଣ ॥ ୧୩୭
ନିଗମ-ପୁରାଣ ଶୁଣିବ । ବିଷ୍ଣୁରେ ମନଧ୍ୟାନ ଥିବ ॥ ୧୩୮
ପରମବ୍ରହ୍ମ ଯେ ପଦର । ଜପିବ ଦ୍ୱାଦଶଅକ୍ଷର ॥ ୧୩୯
ଅତିଥି ବ୍ରାହ୍ମଣ ପୂଜିବ । ମନସନ୍ତୋଷେ ତାଙ୍କୁ ଦେବ ॥ ୧୪୦
ଯେ ଭାବେ ଗୋବିନ୍ଦର ଭାବ । କହିଲେ ଏ ବ୍ରତ ଦୁର୍ଲ୍ଲଭ ॥ ୧୪୧
ଏକ ଅୟନ ଦୃଢ଼ଚିତ୍ତେ । ଧରିବ ପୁଂସବନବ୍ରତେ ॥ ୧୪୨
ତେବେ ଇନ୍ଦ୍ରହନ୍ତା କୁମର । ପାଇବୁ ଅଜର ଅମର ॥ ୧୪୩
ବ୍ରତକୁ ଧରିବି ବୋଇଲା । ଚଞ୍ଚଳଚିତ୍ତ ସ୍ଥିର କଲା ॥ ୧୪୪
କଶ୍ୟପ-ବୀର୍ଯ୍ୟ ଗର୍ଭେ ଧରି । ବିଧିରେ ବ୍ରତକୁ ଆଚରି ॥ ୧୪୫
ଦିତିର ଏମନ୍ତ ବିଧାନ । ଇନ୍ଦ୍ର ଜାଣିଲେ ହେ ରାଜନ ॥ ୧୪୬
ଦିତିର ବ୍ରତ ଦେଖିକରି । ଇନ୍ଦ୍ର ତା ସେବାକୁ ଆଚରି ॥ ୧୪୭
ପବିତ୍ର ଶୁଚିମନ୍ତ ହୋଇ । ତାହାଙ୍କ ସଙ୍ଗତେ ବୁଲଇ ॥ ୧୪୮
ନିତ୍ୟେ ବନରୁ ପୁଷ୍ପଫଳ । ସମିଧ କୁଶ କନ୍ଦମୂଳ ॥ ୧୪୯
ପତ୍ର ଅଙ୍କୁର ଜଳ ଆଣି । ସମୀପେ ଦ୍ୟନ୍ତି ବଜ୍ରପାଣି ॥ ୧୫୦
ଏମନ୍ତେ ବ୍ରତ-ଛିଦ୍ର ତାର । ଇନ୍ଦ୍ର ଇଚ୍ଛଇ ନୃପବର ॥ ୧୫୧
ଯେମନ୍ତେ ବ୍ୟଧ ଯେ ମୃଗର । ଛିଦ୍ର ଟାକଇ ନିରନ୍ତର ॥ ୧୫୨
କେବେହେଁ ବ୍ରତଛିଦ୍ର ସେହି । ଅନେକ ଯତ୍ନେ ନ ଦେଖଇ ॥ ୧୫୩
ତୀବ୍ରଚିନ୍ତାରେ ଇନ୍ଦ୍ର ମନ । ଛନ୍ନ ହୋଇଲା ହେ ରାଜନ ॥ ୧୫୪
ଶକ୍ର ବିଚାରୁଅଛି ମନେ । ମୋ ଶତ୍ରୁ ନାଶିବି କେସନେ ॥ ୧୫୫
ଏମନ୍ତେ ଗଲା କେତେଦିନ । ଶୁଣ ବିଧାତା ବିଡ଼ମ୍ବନ ॥ ୧୫୬
ବ୍ରତରେ କୁଶ ହୋଇଛନ୍ତି । ସନ୍ଧ୍ୟାରେ ଏକଦିନେ ଦିତି ॥ ୧୫୭
ବିଧାତାବଶେ ମୋହ ହୋଇ । ଉଚ୍ଛିଷ୍ଟେ ଜଳସ୍ପର୍ଶ ନାହିଁ ॥ ୧୫୮
ପାଦଧଉତ ନ କରିଣ । କଲେ ସେ ଭୂମିରେ ଶୟନ ॥ ୧୫୯
ନିଦ୍ରାରେ ହତ ତାର ଜ୍ଞାନ । ଶକ୍ର ଦେଖିଲେ ବ୍ରତହୀନ ॥ ୧୬୦
ଯୋଗବଳରେ ଦେବଈଶ । ଦିତିର ଗର୍ଭରେ ପ୍ରବେଶ ॥ ୧୬୧
ସେ ବଜ୍ରଧର ବଜ୍ରଧରି । ସପତଖଣ୍ଡ ଗର୍ଭ କରି ॥ ୧୬୨
ଶୁଦ୍ଧକନକ ପ୍ରାୟ ହୋଇ । ଗର୍ଭ ତାହାର ବିରାଜଇ ॥ ୧୬୩
ବଜ୍ରରେ ସାତଖଣ୍ଡ ହୋଇ । ରୋଦନ କରନ୍ତି ଯେ ସେହି ॥ ୧୬୪
ଏକକୁ ସାତଖଣ୍ଡ କରି । ନ କାନ୍ଦ ବୋଲେ ବଜ୍ରଧାରୀ ॥ ୧୬୫
ଯେ ସପ୍ତଖଣ୍ଡ ହୋଇଛନ୍ତି । ଇନ୍ଦ୍ରକୁ ବଚନ ବୋଲନ୍ତି ॥ ୧୬୬
ଭୋ ଇନ୍ଦ୍ର ତୁ ଆମ୍ଭମାନଙ୍କୁ । କିମ୍ପାଇ ଭଜିଲୁ ହିଂସାକୁ ॥ ୧୬୭
ତୋହର ଆମ୍ଭେମାନେ ଭାଇ । ମରୁତ ଆମ୍ଭନାମ ହୋଇ ॥ ୧୬୮
ତୁମ୍ଭର ସଖାଭାବେ ଥିବୁ । ସୁରଭାବକୁ ଆଚରିବୁ ॥ ୧୬୯
ଇନ୍ଦ୍ର ବୋଇଲେ ଭାଇମାନେ । ଭୟ ନ କର ତୁମ୍ଭେ ମନେ ॥ ୧୭୦
ଅନନ୍ୟଭାବକୁ ଆଚର । ହୋଇବ ପାରିଷଦ ମୋର ॥ ୧୭୧
ଶୁକ ଉବାଚ
ମରୁତ ହୋଇ ଅଣଚାଶ । ରହିଲେ ଦେବରାଜ ପାଶ ॥ ୧୭୨
ଦିତିର ଗର୍ଭେ ଯେ ନ ମଲେ । ବିଷ୍ଣୁର ଅନୁକମ୍ପା ବଳେ ॥ ୧୭୩
ଅନେକ ବାର ସେହି ମାନ । କୁଳିଶେ ହୋଇଁଲେ ଛେଦନ ॥ ୧୭୪
ଦ୍ରୋଣକୁମର ଶରେ ତୁହି । ଯେମନ୍ତ ହେଲୁ କୁରୁସାଇଁ ॥ ୧୭୫
ମେଘ ଆଶ୍ରୟ କରି ସେହି । ରହିଲେ ଇନ୍ଦ୍ର ଆଜ୍ଞା ପାଇ ॥ ୧୭୬
ବାରେକ ଗୋବିନ୍ଦ ଭଜନେ । ପାପ ନାଶନ୍ତି ପ୍ରାଣୀମାନେ ॥ ୧୭୭
କିଛି ନିଉନ ସମ୍ବତ୍ସର । ଯେଣୁ ପୂଜିଲା ସେ ଈଶ୍ୱର ॥ ୧୭୮
ଏହି କାରଣୁ ଇନ୍ଦ୍ରେ କରି । ପବନ ଦେବ ଦେହ ଧରି ॥ ୧୭୯
ଅସୁରଭାବକୁ ଛାଡ଼ିଲେ । ଅମରଭାବ ଆଚରିଲେ ॥ ୧୮୦
ନିଦ୍ରା ଉପେକ୍ଷିଣ ବସିଲେ । ଦିତି ପୁତ୍ରଙ୍କୁ ଅନାଇଲେ ॥ ୧୮୧
ଅନଳ ପ୍ରଭା ପ୍ରାୟ ହୋଇ । କୁମରମାନେ ଛନ୍ତି ରହି ॥ ୧୮୨
ଈନ୍ଦ୍ର-ସମେତେ ପୁତ୍ରଗଣେ । ଦେଖି ବିସ୍ମୟ ଦିତି ମନେ ॥ ୧୮୩
ଇନ୍ଦ୍ରର ଚାହିଁଣ ବଦନ । ଦିତି ଯେ ବୋଲନ୍ତି ବଚନ ॥ ୧୮୪
ଅଦିତି-ପୁତ୍ରଙ୍କୁ ମୋହର । ଭୟକୁ ଦେବ ଏ କୁମର ॥ ୧୮୫
ଏମନ୍ତ ମୁହିଁ ଇଚ୍ଛାକଲି । ଦୁସ୍ତର-ବ୍ରତ ଆଚରିଲି ॥ ୧୮୬
ହେ ତାତ ଏକଇ-କୁମର । ମୁହିଁ ଯେ ମାଗିଥିଲି ବର ॥ ୧୮୭
ସପତ-ସପ୍ତ ଏ କେସନେ । କହ ଏ କେବଣ ବିଧାନେ ॥ ୧୮୮
ତୋହର ମୁଖୁ ଏ ବିଧାନ । ଶୁଣିବି ମୁହିଁ ଭୋ ନନ୍ଦନ ॥ ୧୮୯
ସତ୍ୟ କହିବୁ ମୋର ଆଗେ । ମିଥ୍ୟା ନ କହି ଅନୁରାଗେ ॥ ୧୯୦
ଇନ୍ଦ୍ର ଉବାଚ
ଭୋ ମାତ ଶୁଣ ସାବଧାନ । କହଇ ଏଥିର ବିଧାନ ॥ ୧୯୧
ଭୂମିରେ କଲ ଯେ ଶୟନ । ନିଦ୍ରା ମୋହିତ ତବ ମନ ॥ ୧୯୨
ତୁମ୍ଭର ବ୍ରତ-ଛିଦ୍ର ଚାହିଁ । ନିକଟେ ମିଳିଲି ମୁଁ ଯାଇ ॥ ୧୯୩
ଗର୍ଭ ଛେଦିଲି ଆତ୍ମହିତେ । ବିଚାର ନାହିଁ ଧର୍ମପଥେ ॥ ୧୯୪
ଗର୍ଭକୁ ସାତଖଣ୍ଡ କରି । ଛେଦିଲି ଧର୍ମ ନ ବିଚାରି ॥ ୧୯୫
ସାତକୁମରେ ହେଲେ ଜାତ । ଏକକୁ କଲି ସାତ ସାତ ॥ ୧୯୬
ତେବେହେଁ ନ ମଲେ ଏ କେହି । ଏ ତ ସଂଶୟ ବଡ଼ ହୋଇ ॥ ୧୯୭
ସେବାରୁ ମହାପୁରୁଷର । ସିଦ୍ଧି ଯେ ହୋଇଛି ତୁମ୍ଭର ॥ ୧୯୮
ପରମେଶ୍ୱର-ଆରାଧନ । ସକଳମଙ୍ଗଳ କାରଣ ॥ ୧୯୯
ନିରତେ କରନ୍ତି ଯେ ନରେ । ଆତ୍ମଜ୍ଞାନୀ ବୋଲି ତାହାରେ ॥ ୨୦୦
ଭଗବାନର ଆରାଧନ । ଯେ ନର ନିଷ୍କାମ ମନେଣ ॥ ୨୦୧
ମୋକ୍ଷ ହିଁ ନକରଇ ଇଚ୍ଛା । କେବଳ କୃଷ୍ଣରେ ସଦିଚ୍ଛା ॥ ୨୦୨
ନିତ୍ୟେ କରନ୍ତି ଯେ ଭଜନ । ସକଳଦୁଃଖ ତା ମୋଚନ ॥ ୨୦୩
ଆତ୍ମପଦ ଯେ ଭଗବାନ । ତାହାଙ୍କୁ କଲେ ଆରାଧନ ॥ ୨୦୪
ତାହାର ନାହିଁ ଅକୁଶଳ । ସେ ସର୍ବ ପରମମଙ୍ଗଳ ॥ ୨୦୫
ଦୁର୍ଜନଭାବ ଏ ମୋହର । ଭୋ ମାତ ଦୋଷ କ୍ଷମାକର ॥ ୨୦୬
ସ୍ୱଭାବେ ବାଳିଶ ମୁଁ ହୋଇ । ତୁମ୍ଭର ସହିବା ଯୋଗାଇ ॥ ୨୦୭
ମୃତ୍ୟୁରୁ ଏ ଯେ ତୋ କୁମରେ । ରହିଲେ ତୁମ୍ଭର ଭାଗ୍ୟରେ ॥ ୨୦୮
ତୋହର ମୁହିଁ ଯେ କୁମର । ରହିବି ତୋର ବଚନର ॥ ୨୦୯
ଶୁକ ଉବାଚ
ଆଜ୍ଞା ମାଗିଣ ସୁନାସୀର । ଶୁଦ୍ଧଭାବ ଘେନି ମନର ॥ ୨୧୦
ମରୁତଗଣଙ୍କୁ ଘେନିଲେ । ଆନନ୍ଦେ ଦିତିଙ୍କି ନମିଲେ ॥ ୨୧୧
ଶୁଣ ରାଜନ ଚୂଡ଼ାମଣି । ସ୍ୱର୍ଗକୁ ଗଳେ ବଜ୍ରପାଣି ॥ ୨୧୨
ଯେ ପ୍ରଶ୍ନ କଲୁ ତୁ ଆମ୍ଭରେ । କହିଲି ଜନହିତସାରେ ॥ ୨୧୩
ମଙ୍ଗଳ-ମରୁତଙ୍କ ଜନ୍ମ । ଈଶ୍ୱର-ମହିମା କଥନ ॥ ୨୧୪
ବୋଲଇ ଦାସ ଜଗନ୍ନାଥ । ଦେବ-ଅସୁରଙ୍କ ଚରିତ ॥ ୨୧୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ମରୁତ୍ ଉତ୍ପତ୍ତି କଥନେ
ନାମ ଅଷ୍ଟାଦଶୋଽଧ୍ୟାୟଃ ॥
* * *