ଷଷ୍ଠ ସ୍କନ୍ଧ
ସପ୍ତଦଶ ଅଧ୍ୟାୟ
ଶୁକ ଉବାଚ
ଯେ ଦିଗେ ଅନନ୍ତ ଈଶ୍ୱର । ସେଠାରୁ ହୋଇଲେ ଅନ୍ତର ॥ ୧
ଚିତ୍ରକେତୁ ଯେ ବିଦ୍ୟାଧର । ସେ ଦିଗେ କରି ନମସ୍କାର ॥ ୨
ତକ୍ଷଣେ ହରଷ ହୋଇଲା । ଗଗନମାର୍ଗେ ଚଳିଗଲା ॥ ୩
ଲକ୍ଷେବରଷ ଅବ୍ୟାହତ । ବଳ-ଇନ୍ଦ୍ରିୟେ ହୋଇଯୁତ ॥ ୪
ସିଦ୍ଧ ଚାରଣ ମୁନିଯେତେ । ସ୍ତୁତି କରନ୍ତି ଅବିରତେ ॥ ୫
ମହାଯୋଗୀ ସେ ସିଦ୍ଧେଶ୍ୱର । ରହେ କୁଳାଚଳ ଦ୍ରୋଣିର ॥ ୬
ଆନନ୍ଦେ ବିଦ୍ୟାଧରୀ ସଙ୍ଗେ । କ୍ରୀଡା କରଇ ନାନାରଙ୍ଗେ ॥ ୭
ପରମଈଶ୍ୱରର ନାମ । କରାଇ କରଇ ଗାୟନ ॥ ୮
ସେ ପୁଣି ଅକାରଣେ କରି । ଐଶ୍ୱର୍ଯ୍ୟବଳେ ଗର୍ବକରି ॥ ୯
ପୂର୍ବର କର୍ମେଣ ତାହାର । ଦୁର୍ଗାଶାପେ ହେଲା ଅସୁର ॥ ୧୦
ତାହା କହିବା ଶୁଣ ନୃପ । ଯେମନ୍ତେ ପାଇଲା ସେ ଶାପ ॥ ୧୧
ଏକ ସମୟେ ସେ ରାଜନ । ଆରୋହୀ ଅମୂଲ୍ୟବିମାନ ॥ ୧୨
ତେଜେ ଗଞ୍ଜଇ ଦିନକର । ବିଷ୍ଣୁ ଦେଇଛି ତାକୁ ବର ॥ ୧୩
ଗିରିଶ ଦେଖିବାର ପାଇଁ । ଗଲା ସେ ସିଦ୍ଧଗଣ ଲଇଁ ॥ ୧୪
ମୁନିଏ ଅଛନ୍ତି ପାଶରେ । ଦୁର୍ଗାଙ୍କୁ ବସାଇ କୋଳରେ ॥ ୧୫
ବାହୁରେ କରି ଆଲିଙ୍ଗନ । ବସି ଅଛନ୍ତି ତ୍ରିଲୋଚନ ॥ ୧୬
ତାହାଙ୍କ ନିକଟରେ ଯାଇ । ଉଚ୍ଚେ ହସିଣ ସେ ବୋଲଇ ॥ ୧୭
ଚିତ୍ରକେତୁ ଉବାଚ
ଧର୍ମବକତା ଲୋକଙ୍କର । ଜଗତଗୁରୁ ଏ ଶଙ୍କର ॥ ୧୮
ସଭାର ମଧ୍ୟେ ସ୍ତିରୀସଙ୍ଗେ । ମୈଥୁନଭାବେ ନାନାରଙ୍ଗେ ॥ ୧୯
ଶିରରେ ବହି ଜଟାଭାର । କେ କହୁ ତପ ଏହାଙ୍କର ॥ ୨୦
ଜଗତସ୍ୱାମୀ ବ୍ରହ୍ମବାଦୀ । ଅଷ୍ଟ ଐଶ୍ୱର୍ଯ୍ୟ ଯାର ସିଦ୍ଧି ॥ ୨୧
ଅଛନ୍ତି ପତ୍ନୀ ଅଙ୍କେ ଲଇଁ । ନିର୍ଲ୍ଲଜଲୋକ ପ୍ରାୟ ହୋଇ ॥ ୨୨
ଏକାନ୍ତେ ପ୍ରାକୃତସ୍ୱଭାବେ । ରହନ୍ତି ସ୍ତିରୀବଶ ଭାବେ ॥ ୨୩
ଏ ଯେ ସ୍ୱଭାବେ ଦେବବର । ଏହାଙ୍କୁ ବୋଲି ବ୍ରତଧର ॥ ୨୪
ସଭାରେ ମଧ୍ୟେ ସ୍ତିରୀ ଘେନି । ଅଛନ୍ତି ଯେହ୍ନେ ନୀଚଯୋନି ॥ ୨୫
ଶୁକ ଉବାଚ
ଏ ରୂପେ ଚିତ୍ରକେତୁଙ୍କର । ଶୁଣିଣ ଉପହାସ-ଗିର ॥ ୨୬
ଅଖିଳ ବ୍ରହ୍ମାଣ୍ଡ-ଠାକୁର । ଜାଣନ୍ତି ସକଳ ଅନ୍ତର ॥ ୨୭
ଈଶ୍ୱର ତୂଷ୍ଣୀଭୂତ ହୋଇ । ରହିଲେ କିଛିହିଁ ନ କହି ॥ ୨୮
ଅଗାଧବୁଦ୍ଧି ହେ ରାଜନ । ହସିଣ ହୋଇଲେ ମଉନ ॥ ୨୯
ଜାଣେ ସେ ଜିତେନ୍ଦ୍ରିୟ ମୁହିଁ । ସମୃଦ୍ଧିଲାଭେ ଗର୍ବ ବହି ॥ ୩୦
ବଡିମାପଣେ ବାରମ୍ବାର । ନିନ୍ଦିଲା ଶିବଙ୍କୁ ଅପାର ॥ ୩୧
ଈଶ୍ୱର ମହିମା ନ ଜାଣି । ଯେତେ ବୋଇଲା ପରିମାଣି ॥ ୩୨
ସେଠାରେ ଯେତେ ଦେବେଥିଲେ । ସେ ସର୍ବେ ଶୁଣି ତୁନି ହେଲେ ॥ ୩୩
ଚିତ୍ରକେତୁର ଏହି ରୀତି । ସହି ନ ପାରି ଭଗବତୀ ॥ ୩୪
ପାଞ୍ଚିଲେ ଦୁଷ୍ଟ ପାମରର । ଗର୍ବ ହୋଇଛି ଗୁରୁତର ॥ ୩୫
ଯୋଗ୍ୟ ନୁହଁଇ ଏ ପାମର । ଗନ୍ଧର୍ବରାଜନ ପଦର ॥ ୩୬
ବ୍ରହ୍ମା ନାରଦ ଭୃଗୁଋଷି । ସେବନ୍ତି ଯାର ପାଦେ ଆସି ॥ ୩୭
ତାହାଙ୍କୁ କରେ ଅପମାନ । ଏଣୁ ଏ ଦଣ୍ଡକୁ ଭାଜନ ॥ ୩୮
ଜିତଇନ୍ଦ୍ରିୟ ଅଭିମାନୀ । ତାହାକୁ ବୋଲନ୍ତି ଭବାନୀ ॥ ୩୯
ମନରେ ଦଣ୍ଡ ଅବଧାରୀ । ବୋଇଲେ ସମ୍ବୋଧନ କରି ॥ ୪୦
ଦୁର୍ଗା ଉବାଚ
ଶୁଣିମା ଜଗତ ଗୋସାଇଁ । ଏ ନୂଆ ଦଣ୍ଡଧର ହୋଇ ॥ ୪୧
ଆମ୍ଭର ପରା ଦୁଷ୍ଟଜନ । ନିର୍ଲ୍ଲଜ ଅଛନ୍ତି ଯେ ପୁଣ ॥ ୪୨
ତାହାଙ୍କ ଶାସନର ପାଇଁ । ଏଠାକୁ ଏବେ ଆସିଛଇଁ ॥ ୪୩
ଯେ ପଦ୍ମଯୋନି ଆଦିଛନ୍ତି । ଏମାନେ ଧର୍ମ ନ ଜାଣନ୍ତି ॥ ୪୪
ବ୍ରହ୍ମାର ପୁତ୍ର ଛନ୍ତି ଯେତେ । ଭୃଗୁ-ନାରଦର ସହିତେ ॥ ୪୫
କୁମାର-କପିଳାଦି ଯେହି । ଧର୍ମକୁ ନ ଜାଣନ୍ତି କେହି ॥ ୪୬
ମୋର ନିକଟେ ନିତ୍ୟେ ଥାନ୍ତି । କେହିତ ନିନ୍ଦା ନ କରନ୍ତି ॥ ୪୭
ନିତ୍ୟେ ଭଜନ ଏହାଙ୍କର । ପାଦ-ପଙ୍କଜ ହୃଦେ ଯାର ॥ ୪୮
ଜଗତଗୁରୁ ଯା ମହିମା । ସକଳ-ମଙ୍ଗଳର ସୀମା ॥ ୪୯
ଯେଣୁ ନିନ୍ଦିଲା ଏ ଈଶ୍ୱର । ଦଣ୍ଡକୁ ଯୋଗ୍ୟ ଏ ପାମର ॥ ୫୦
ଯୋଗ୍ୟ ନୁହଇ ଏ ପାମର । ବୈକୁଣ୍ଠ-ପଦ ଆଶ୍ରୟର ॥ ୫୧
ସ୍ଥିରମତି ଯେ ସାଧୁଜନ । ଯେ ପାଦ କରନ୍ତି ସେବନ ॥ ୫୨
ଏହି କାରଣେ ଦୁଷ୍ଟମତି । ଯାଅ ତୁ ଏଥେ ନାହିଁ ସ୍ଥିତି ॥ ୫୩
ପାପିଷ୍ଠ ଅସୁର ଯୋନିରେ । ଜନ୍ମ ତୁ ଲଭ ତମ ଘୋରେ ॥ ୫୪
ଶୁକ ଉବାଚ
ଶାପକୁ ପାଇଣ ରାଜନ । ବିମାନୁଁ ଓହ୍ଲାଇ ତକ୍ଷଣ ॥ ୫୫
ନତମସ୍ତକେ ସିଦ୍ଧପତି । ପ୍ରସନ୍ନ କରାଇଲା ସତୀ ॥ ୫୬
ଚିତ୍ରକେତୁ ଉବାଚ
ଭୋ ମାତ ଶୁଣ ମୋ ବଚନ । ଶାପ ମୁଁ ଘେନିଲି ଶିରେଣ ॥ ୫୭
ହେ ଦେବି ! ଅସୁର-ଯୋନିରେ । ଜନ୍ମ ଯେ ବିହିଲ ମୋହରେ ॥ ୫୮
ସେ ମୋର ପୂର୍ବ-ଅରଜନ । କହିବି ସାବଧାନେ ଶୁଣ ॥ ୫୯
ସଂସାରେ ଯେତେ ଜନ୍ତୁ ଛନ୍ତି । ଅଜ୍ଞାନ ମୋହରେ ବଞ୍ଚନ୍ତି ॥ ୬୦
ଭ୍ରମଣ କରି ଅନୁକ୍ଷଣ । ଭୁଞ୍ଜନ୍ତି ସୁଖଦୁଃଖମାନ ॥ ୬୧
ଈଶ୍ୱର-ମହିମା ନ ଜାଣି । ଯେତେ ବୋଇଲି ପରିମାଣି ॥ ୬୨
ସଭାର ମଧ୍ୟେ ଦୁଷ୍ଟମତି । ହେବାରୁ ପାଇଲି ଦୁର୍ଗତି ॥ ୬୩
ଯେ ଆତ୍ମାପର ଅବା କେହି । ଦୁଃଖସୁଖର କର୍ତ୍ତା ନୋହି ॥ ୬୪
ଯେ ଅଜ୍ଞପ୍ରାଣୀମାନେଛନ୍ତି । ଏହାଙ୍କୁ କର୍ତ୍ତା ବୋଲୁଥାନ୍ତି ॥ ୬୫
ଗୁଣର ପ୍ରବାହଟି ଏହି । ଶାପ ବା ଅନୁଗ୍ରହ କାହିଁ ॥ ୬୬
କି ଅବା ସ୍ୱର୍ଗ କି ନରକ । କି ଅବା ସୁଖ କିବା ଦୁଃଖ ॥ ୬୭
ଏକଇ ପ୍ରଭୁ ଆଦିମୂଳ । ମାୟାରେ ସୃଜଇ ସକଳ ॥ ୬୮
ଏହାଙ୍କ ବଦ୍ଧ-ମୋକ୍ଷ ଦୁଇ । ଦୁଃଖସୁଖକୁ ଦେଇଥାଇ ॥ ୬୯
ଏକଇ ପୁରୁଷ ମୁରାରି । ନାହିଁ ତାହାର ମିତ୍ର-ଅରି ॥ ୭୦
ଜ୍ଞାତିବାନ୍ଧବ ନିଜ ପର । ପ୍ରିୟ-ଅପ୍ରିୟ ନାହିଁ ଯାର ॥ ୭୧
ସର୍ବଭୂତରେ ସମ ସେହି । ରାଗ-ଦ୍ୱେଷାଦି ତାର ନାହିଁ ॥ ୭୨
ତାହାର କ୍ରୀଡାରେ ଜଗତ । ହେଉଅଛନ୍ତି ଆତଯାତ ॥ ୭୩
ଏହାର ବଦ୍ଧ-ମୋକ୍ଷ-ସୁଖ । ହିତ-ଅହିତ ଅବା ଦୁଃଖ ॥ ୭୪
ଏହାଙ୍କ ଜନ୍ମ ଅବା ମୃତ୍ୟୁ । ହୁଅଇ ତାର ଶକ୍ତି ହେତୁ ॥ ୭୫
ହେ ମାତ ହୋଇ ସାବଧାନ । ଶୁଣିମା ମୋହର ବଚନ ॥ ୭୬
ଶାପରୁ ମୋକ୍ଷ ହେବା ପାଇଁ । ତୁମ୍ଭଙ୍କୁ କିଛି ନ ମାଗଇ ॥ ୭୭
ସଭାରେ ମୁଁ ମନ୍ଦବଚନେ । ତୁମ୍ଭଙ୍କୁ ବୋଇଲି ଅଜ୍ଞାନେ ॥ ୭୮
ସାଧୁନିନ୍ଦନ ମୋର ବାଣୀ । କ୍ଷମା କରିବା ହେ ଭବାନି ॥ ୭୯
ଶୁକ ଉବାଚ
ପ୍ରସନ୍ନ କରି ଶିବ-ସତୀ । ସେ ଚିତ୍ରକେତୁ ନରପତି ॥ ୮୦
ଆପଣା ବିମାନେ ବସିଲା । ନିଜ ମନ୍ଦିରେ ବିଜେକଲା ॥ ୮୧
ଏ ଅନନ୍ତରେ ସେ ଈଶ୍ୱର । ଦୁର୍ଗାଙ୍କୁ କହନ୍ତି ଏ ଗିର ॥ ୮୨
ଋଷି ଦଇତ୍ୟ ସିଦ୍ଧଗଣ । ଶୁଣୁଅଛନ୍ତି ସେ ବଚନ ॥ ୮୩
ମହାଦେବ ଉବାଚ
ଅଦ୍ଭୁତକର୍ମା ଯେ ଈଶ୍ୱର । ପ୍ରଭାବ ଦେଖ ତା ଭୃତ୍ୟର ॥ ୮୪
ନିସ୍ପୃହ-ମହାତ୍ମା ସେମାନେ । ସୁଶ୍ରୋଣି ! ଦେଖ ବିଦ୍ୟମାନେ ॥ ୮୫
ବିଷ୍ଣୁଭକତ ଯେତେ ଜନେ । ଭୟ ତାହାଙ୍କ ନାହିଁ ମନେ ॥ ୮୬
ସ୍ୱର୍ଗ ବା ମୋକ୍ଷ ବା ନରକ । ସମାନ ଦେଖନ୍ତି ସେ ଲୋକ ॥ ୮୭
ଦେହୀର ଦେହ-ସଂଯୋଗରୁ । ପରମ-ଈଶ୍ୱର-ଲୀଳାରୁ ॥ ୮୮
ଜନ୍ମ ବା ମୃତ୍ୟୁ ଅବା ସୁଖ । ଶାପ ବା ଅନୁଗ୍ରହ -ଦୁଃଖ ॥ ୮୯
ପୁରୁଷ ଅବିବେକ ସେହି । ଏଭାବେ ଭିନ୍ନ ଯେ ଦେଖଇ ॥ ୯୦
ଯାହାର ବାସୁଦେବ ପ୍ରୀତି । ଶୁଦ୍ଧ ତାହାର ଦୃଢ଼ମତି ॥ ୯୧
ଜ୍ଞାନ ବୈରାଗ୍ୟ ଅଛି ଯାର । ପୃଥକଭାବ ନାହିଁ ତାର ॥ ୯୨
ମୁହିଁ ବିରଞ୍ଚି ଯେ କୁମାର । ନାରଦ ଆଦି ମୁନିବର ॥ ୯୩
ଇନ୍ଦ୍ରାଦି ଯେତେ ଦେବବର । ନ ଜାଣୁ ମହିମା ତାହାର ॥ ୯୪
ତାହାର ପ୍ରିୟ ନାହିଁ କେହି । ଅପ୍ରିୟଜନ କେହି ନାହିଁ ॥ ୯୫
ମିତ୍ର ଅଇରି ନାହିଁ ଯାର । ସମାନ ଦେଖେ ଆତ୍ମପର ॥ ୯୬
ସକଳ ପ୍ରାଣୀଙ୍କର ପ୍ରିୟ । ଯେଣୁ ସେ ସର୍ବଭୂତମୟ ॥ ୯୭
ଏ ଚିତ୍ରକେତୁ ମହାଭାଗ । ତା ଠାରେ ବିଷ୍ଣୁ ଅନୁରାଗ ॥ ୯୮
ସର୍ବତ୍ର ସମଦୃଷ୍ଟି ଏହି । ଅଚ୍ୟୁତ ପ୍ରିୟ ଯେହ୍ନେ ମୁହିଁ ॥ ୯୯
ମହାତ୍ମାପୁରୁଷ ଯେ ସେହି । ଏଣୁ ବିସ୍ମୟ ତାର ତହିଁ ॥ ୧୦୦
ନକର ସ୍ଥିରକର ମନ । ବିଷ୍ଣୁଭକତ ଏହୁଜନ ॥ ୧୦୧
ସମଦରଶୀ ଶାନ୍ତ ସେହି । ବିସ୍ମୟ ଏଥି ଅଛି କାହିଁ ॥ ୧୦୨
ଶୁକ ଉବାଚ
ଶିବଙ୍କ ଭାଗବତ ବାଣୀ । ହରଷେ ଶୁଣିଣ ଭବାନୀ ॥ ୧୦୩
ହେ ନୃପ ସ୍ଥିରକଲେ ମନ । ବିସ୍ମୟ ଛାଡିଲେ ବହନ ॥ ୧୦୪
ସେ ଚିତ୍ରକେତୁ ଏ ପ୍ରକାରେ । ଦେବୀର ଶାପ ଘେନିଶିରେ ॥ ୧୦୫
ତାହାର ଏ ସାଧୁ ଲକ୍ଷଣ । ଯେଣୁ କଲା ଶାପ ଗ୍ରହଣ ॥ ୧୦୬
ତ୍ୱଷ୍ଟାର ଦକ୍ଷିଣ-ଅଗ୍ନିରେ । ଜନ୍ମିଲା ଦାନବୀ-ଉଦରେ ॥ ୧୦୭
ବୃତ୍ର ହୋଇଲା ତାର ନାମ । ଜ୍ଞାନବିଜ୍ଞାନରେ ସମ୍ପନ୍ନ ॥ ୧୦୮
ସକଳ ତୁମ୍ଭଙ୍କୁ କହିଲୁ । ଆମ୍ଭଙ୍କୁ ଯେତେ ପ୍ରଶ୍ନ କଲୁ ॥ ୧୦୯
ଗୋବିନ୍ଦେ ମତି ବୃତ୍ରାସୁର । ଜନ୍ମର କାରଣ ତାହାର ॥ ୧୧୦
ଏ ଇତିହାସ ପୁଣ୍ୟସାର । ମହାତ୍ମା ଏ ଚିତ୍ରକେତୁର ॥ ୧୧୧
ବିଷ୍ଣୁଭକତ ପ୍ରାଣୀ ଯେହି । ତାହାଙ୍କ ଗୁଣ ଯେ ଶୁଣଇ ॥ ୧୧୨
ସକଳବନ୍ଧୁ ମୁକ୍ତ ହୋଇ । ବୈକୁଣ୍ଠପଦକୁ ଲଭଇ ॥ ୧୧୩
ଏ ଇତିହାସ ଯେ ପ୍ରଭାତେ । ଶୁଣାଇ ଶୁଣି ସ୍ଥିରଚିତ୍ତେ ॥ ୧୧୪
ହରି ସ୍ମରଣକୁ କରଇ । ପରମଗତିକି ଲଭଇ ॥ ୧୧୫
ନିରତେ ଭଜେ କୃଷ୍ଣପାଦ । ହରଇ ବିଷୟା-ବିଷାଦ ॥ ୧୧୬
ଭକ୍ତନୁଗ୍ରହ-ଭାବ ଏହି । ତାରନ୍ତି ପ୍ରଭୁ ଭାବଗ୍ରାହୀ ॥ ୧୧୭
ଏ ଗୀତେ ସ୍ଥିରକର ମନ । ଫିଟିବ ମୋହଭ୍ରାନ୍ତିମାନ ॥ ୧୧୮
ଗୋବିନ୍ଦ-ପାଦପଦ୍ମେ ଚିତ୍ତ । ନିବେଶି ଷଷ୍ଠସ୍କନ୍ଧ ଗୀତ ॥ ୧୧୯
ବୋଲଇ ଦାସ ଜଗନ୍ନାଥ । ଚିତ୍ରକେତୁ-ରାଜା ଚରିତ ॥ ୧୨୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ଚିତ୍ରକେତୁ ଶାପୋ ନାମ
ସପ୍ତଦଶୋଽଧ୍ୟାୟଃ ॥
* * *