ଷଷ୍ଠ ସ୍କନ୍ଧ

ସପ୍ତଦଶ ଅଧ୍ୟାୟ

ଶୁକ ଉବାଚ

ଯେ ଦିଗେ ଅନନ୍ତ ଈଶ୍ୱର । ସେଠାରୁ ହୋଇଲେ ଅନ୍ତର ॥

ଚିତ୍ରକେତୁ ଯେ ବିଦ୍ୟାଧର । ସେ ଦିଗେ କରି ନମସ୍କାର ॥

ତକ୍ଷଣେ ହରଷ ହୋଇଲା । ଗଗନମାର୍ଗେ ଚଳିଗଲା ॥

ଲକ୍ଷେବରଷ ଅବ୍ୟାହତ । ବଳ-ଇନ୍ଦ୍ରିୟେ ହୋଇଯୁତ ॥

ସିଦ୍ଧ ଚାରଣ ମୁନିଯେତେ । ସ୍ତୁତି କରନ୍ତି ଅବିରତେ ॥

ମହାଯୋଗୀ ସେ ସିଦ୍ଧେଶ୍ୱର । ରହେ କୁଳାଚଳ ଦ୍ରୋଣିର ॥

ଆନନ୍ଦେ ବିଦ୍ୟାଧରୀ ସଙ୍ଗେ । କ୍ରୀଡା କରଇ ନାନାରଙ୍ଗେ ॥

ପରମଈଶ୍ୱରର ନାମ । କରାଇ କରଇ ଗାୟନ ॥

ସେ ପୁଣି ଅକାରଣେ କରି । ଐଶ୍ୱର୍ଯ୍ୟବଳେ ଗର୍ବକରି ॥

ପୂର୍ବର କର୍ମେଣ ତାହାର । ଦୁର୍ଗାଶାପେ ହେଲା ଅସୁର ॥ ୧୦

ତାହା କହିବା ଶୁଣ ନୃପ । ଯେମନ୍ତେ ପାଇଲା ସେ ଶାପ ॥ ୧୧

ଏକ ସମୟେ ସେ ରାଜନ । ଆରୋହୀ ଅମୂଲ୍ୟବିମାନ ॥ ୧୨

ତେଜେ ଗଞ୍ଜଇ ଦିନକର । ବିଷ୍ଣୁ ଦେଇଛି ତାକୁ ବର ॥ ୧୩

ଗିରିଶ ଦେଖିବାର ପାଇଁ । ଗଲା ସେ ସିଦ୍ଧଗଣ ଲଇଁ ॥ ୧୪

ମୁନିଏ ଅଛନ୍ତି ପାଶରେ । ଦୁର୍ଗାଙ୍କୁ ବସାଇ କୋଳରେ ॥ ୧୫

ବାହୁରେ କରି ଆଲିଙ୍ଗନ । ବସି ଅଛନ୍ତି ତ୍ରିଲୋଚନ ॥ ୧୬

ତାହାଙ୍କ ନିକଟରେ ଯାଇ । ଉଚ୍ଚେ ହସିଣ ସେ ବୋଲଇ ॥ ୧୭

ଚିତ୍ରକେତୁ ଉବାଚ

ଧର୍ମବକତା ଲୋକଙ୍କର । ଜଗତଗୁରୁ ଏ ଶଙ୍କର ॥ ୧୮

ସଭାର ମଧ୍ୟେ ସ୍ତିରୀସଙ୍ଗେ । ମୈଥୁନଭାବେ ନାନାରଙ୍ଗେ ॥ ୧୯

ଶିରରେ ବହି ଜଟାଭାର । କେ କହୁ ତପ ଏହାଙ୍କର ॥ ୨୦

ଜଗତସ୍ୱାମୀ ବ୍ରହ୍ମବାଦୀ । ଅଷ୍ଟ ଐଶ୍ୱର୍ଯ୍ୟ ଯାର ସିଦ୍ଧି ॥ ୨୧

ଅଛନ୍ତି ପତ୍ନୀ ଅଙ୍କେ ଲଇଁ । ନିର୍ଲ୍ଲଜଲୋକ ପ୍ରାୟ ହୋଇ ॥ ୨୨

ଏକାନ୍ତେ ପ୍ରାକୃତସ୍ୱଭାବେ । ରହନ୍ତି ସ୍ତିରୀବଶ ଭାବେ ॥ ୨୩

ଏ ଯେ ସ୍ୱଭାବେ ଦେବବର । ଏହାଙ୍କୁ ବୋଲି ବ୍ରତଧର ॥ ୨୪

ସଭାରେ ମଧ୍ୟେ ସ୍ତିରୀ ଘେନି । ଅଛନ୍ତି ଯେହ୍ନେ ନୀଚଯୋନି ॥ ୨୫

ଶୁକ ଉବାଚ

ଏ ରୂପେ ଚିତ୍ରକେତୁଙ୍କର । ଶୁଣିଣ ଉପହାସ-ଗିର ॥ ୨୬

ଅଖିଳ ବ୍ରହ୍ମାŠଣ୍ଡ-ଠାକୁର । ଜାଣନ୍ତି ସକଳ ଅନ୍ତର ॥ ୨୭

ଈଶ୍ୱର ତୂଷ୍ଣୀଭୂତ ହୋଇ । ରହିଲେ କିଛିହିଁ ନ କହି ॥ ୨୮

ଅଗାଧବୁଦ୍ଧି ହେ ରାଜନ । ହସିଣ ହୋଇଲେ ମଉନ ॥ ୨୯

ଜାଣେ ସେ ଜିତେନ୍ଦ୍ରିୟ ମୁହିଁ । ସମୃଦ୍ଧିଲାଭେ ଗର୍ବ ବହି ॥ ୩୦

ବଡିମାପଣେ ବାରମ୍ବାର । ନିନ୍ଦିଲା ଶିବଙ୍କୁ ଅପାର ॥ ୩୧

ଈଶ୍ୱର ମହିମା ନ ଜାଣି । ଯେତେ ବୋଇଲା ପରିମାଣି ॥ ୩୨

ସେଠାରେ ଯେତେ ଦେବେଥିଲେ । ସେ ସର୍ବେ ଶୁଣି ତୁନି ହେଲେ ॥ ୩୩

ଚିତ୍ରକେତୁର ଏହି ରୀତି । ସହି ନ ପାରି ଭଗବତୀ ॥ ୩୪

ପାଞ୍ଚିଲେ ଦୁଷ୍ଟ ପାମରର । ଗର୍ବ ହୋଇଛି ଗୁରୁତର ॥ ୩୫

ଯୋଗ୍ୟ ନୁହଁଇ ଏ ପାମର । ଗନ୍ଧର୍ବରାଜନ ପଦର ॥ ୩୬

ବ୍ରହ୍ମା ନାରଦ ଭୃଗୁଋଷି । ସେବନ୍ତି ଯାର ପାଦେ ଆସି ॥ ୩୭

ତାହାଙ୍କୁ କରେ ଅପମାନ । ଏଣୁ ଏ ଦଣ୍ଡକୁ ଭାଜନ ॥ ୩୮

ଜିତଇନ୍ଦ୍ରିୟ ଅଭିମାନୀ । ତାହାକୁ ବୋଲନ୍ତି ଭବାନୀ ॥ ୩୯

ମନରେ ଦଣ୍ଡŠ ଅବଧାରୀ । ବୋଇଲେ ସମ୍ବୋଧନ କରି ॥ ୪୦

ଦୁର୍ଗା ଉବାଚ

ଶୁଣିମା ଜଗତ ଗୋସାଇଁ । ଏ ନୂଆ ଦଣ୍ଡଧର ହୋଇ ॥ ୪୧

ଆମ୍ଭର ପରା ଦୁଷ୍ଟଜନ । ନିର୍ଲ୍ଲଜ ଅଛନ୍ତି ଯେ ପୁଣ ॥ ୪୨

ତାହାଙ୍କ ଶାସନର ପାଇଁ । ଏଠାକୁ ଏବେ ଆସିଛଇଁ ॥ ୪୩

ଯେ ପଦ୍ମଯୋନି ଆଦିଛନ୍ତି । ଏମାନେ ଧର୍ମ ନ ଜାଣନ୍ତି ॥ ୪୪

ବ୍ରହ୍ମାର ପୁତ୍ର ଛନ୍ତି ଯେତେ । ଭୃଗୁ-ନାରଦର ସହିତେ ॥ ୪୫

କୁମାର-କପିଳାଦି ଯେହି । ଧର୍ମକୁ ନ ଜାଣନ୍ତି କେହି ॥ ୪୬

ମୋର ନିକଟେ ନିତ୍ୟେ ଥାନ୍ତି । କେହିତ ନିନ୍ଦା ନ କରନ୍ତି ॥ ୪୭

ନିତ୍ୟେ ଭଜନ ଏହାଙ୍କର । ପାଦ-ପଙ୍କଜ ହୃଦେ ଯାର ॥ ୪୮

ଜଗତଗୁରୁ ଯା ମହିମା । ସକଳ-ମଙ୍ଗଳର ସୀମା ॥ ୪୯

ଯେଣୁ ନିନ୍ଦିଲା ଏ ଈଶ୍ୱର । ଦଣ୍ଡକୁ ଯୋଗ୍ୟ ଏ ପାମର ॥ ୫୦

ଯୋଗ୍ୟ ନୁହଇ ଏ ପାମର । ବୈକୁଣ୍ଠ-ପଦ ଆଶ୍ରୟର ॥ ୫୧

ସ୍ଥିରମତି ଯେ ସାଧୁଜନ । ଯେ ପାଦ କରନ୍ତି ସେବନ ॥ ୫୨

ଏହି କାରଣେ ଦୁଷ୍ଟମତି । ଯାଅ ତୁ ଏଥେ ନାହିଁ ସ୍ଥିତି ॥ ୫୩

ପାପିଷ୍ଠ ଅସୁର ଯୋନିରେ । ଜନ୍ମ ତୁ ଲଭ ତମ ଘୋରେ ॥ ୫୪

ଶୁକ ଉବାଚ

ଶାପକୁ ପାଇଣ ରାଜନ । ବିମାନୁଁ ଓହ୍ଲାଇ ତକ୍ଷଣ ॥ ୫୫

ନତମସ୍ତକେ ସିଦ୍ଧପତି । ପ୍ରସନ୍ନ କରାଇଲା ସତୀ ॥ ୫୬

ଚିତ୍ରକେତୁ ଉବାଚ

ଭୋ ମାତ ଶୁଣ ମୋ ବଚନ । ଶାପ ମୁଁ ଘେନିଲି ଶିରେଣ ॥ ୫୭

ହେ ଦେବି ! ଅସୁର-ଯୋନିରେ । ଜନ୍ମ ଯେ ବିହିଲ ମୋହରେ ॥ ୫୮

ସେ ମୋର ପୂର୍ବ-ଅରଜନ । କହିବି ସାବଧାନେ ଶୁଣ ॥ ୫୯

ସଂସାରେ ଯେତେ ଜନ୍ତୁ ଛନ୍ତି । ଅଜ୍ଞାନ ମୋହରେ ବଞ୍ଚନ୍ତି ॥ ୬୦

ଭ୍ରମଣ କରି ଅନୁକ୍ଷଣ । ଭୁଞ୍ଜନ୍ତି ସୁଖଦୁଃଖମାନ ॥ ୬୧

ଈଶ୍ୱର-ମହିମା ନ ଜାଣି । ଯେତେ ବୋଇଲି ପରିମାଣି ॥ ୬୨

ସଭାର ମଧ୍ୟେ ଦୁଷ୍ଟମତି । ହେବାରୁ ପାଇଲି ଦୁର୍ଗତି ॥ ୬୩

ଯେ ଆତ୍ମାପର ଅବା କେହି । ଦୁଃଖସୁଖର କର୍ତ୍ତା ନୋହି ॥ ୬୪

ଯେ ଅଜ୍ଞପ୍ରାଣୀମାନେଛନ୍ତି । ଏହାଙ୍କୁ କର୍ତ୍ତା ବୋଲୁଥାନ୍ତି ॥ ୬୫

ଗୁଣର ପ୍ରବାହଟି ଏହି । ଶାପ ବା ଅନୁଗ୍ରହ କାହିଁ ॥ ୬୬

କି ଅବା ସ୍ୱର୍ଗ କି ନରକ । କି ଅବା ସୁଖ କିବା ଦୁଃଖ ॥ ୬୭

ଏକଇ ପ୍ରଭୁ ଆଦିମୂଳ । ମାୟାରେ ସୃଜଇ ସକଳ ॥ ୬୮

ଏହାଙ୍କ ବଦ୍ଧ-ମୋକ୍ଷ ଦୁଇ । ଦୁଃଖସୁଖକୁ ଦେଇଥାଇ ॥ ୬୯

ଏକଇ ପୁରୁଷ ମୁରାରି । ନାହିଁ ତାହାର ମିତ୍ର-ଅରି ॥ ୭୦

ଜ୍ଞାତିବାନ୍ଧବ ନିଜ ପର । ପ୍ରିୟ-ଅପ୍ରିୟ ନାହିଁ ଯାର ॥ ୭୧

ସର୍ବଭୂତରେ ସମ ସେହି । ରାଗ-ଦ୍ୱେଷାଦି ତାର ନାହିଁ ॥ ୭୨

ତାହାର କ୍ରୀଡାରେ ଜଗତ । ହେଉଅଛନ୍ତି ଆତଯାତ ॥ ୭୩

ଏହାର ବଦ୍ଧ-ମୋକ୍ଷ-ସୁଖ । ହିତ-ଅହିତ ଅବା ଦୁଃଖ ॥ ୭୪

ଏହାଙ୍କ ଜନ୍ମ ଅବା ମୃତ୍ୟୁ । ହୁଅଇ ତାର ଶକ୍ତି ହେତୁ ॥ ୭୫

ହେ ମାତ ହୋଇ ସାବଧାନ । ଶୁଣିମା ମୋହର ବଚନ ॥ ୭୬

ଶାପରୁ ମୋକ୍ଷ ହେବା ପାଇଁ । ତୁମ୍ଭଙ୍କୁ କିଛି ନ ମାଗଇ ॥ ୭୭

ସଭାରେ ମୁଁ ମନ୍ଦବଚନେ । ତୁମ୍ଭଙ୍କୁ ବୋଇଲି ଅଜ୍ଞାନେ ॥ ୭୮

ସାଧୁନିନ୍ଦନ ମୋର ବାଣୀ । କ୍ଷମା କରିବା ହେ ଭବାନି ॥ ୭୯

ଶୁକ ଉବାଚ

ପ୍ରସନ୍ନ କରି ଶିବ-ସତୀ । ସେ ଚିତ୍ରକେତୁ ନରପତି ॥ ୮୦

ଆପଣା ବିମାନେ ବସିଲା । ନିଜ ମନ୍ଦିରେ ବିଜେକଲା ॥ ୮୧

ଏ ଅନନ୍ତରେ ସେ ଈଶ୍ୱର । ଦୁର୍ଗାଙ୍କୁ କହନ୍ତି ଏ ଗିର ॥ ୮୨

ଋଷି ଦଇତ୍ୟ ସିଦ୍ଧଗଣ । ଶୁଣୁଅଛନ୍ତି ସେ ବଚନ ॥ ୮୩

ମହାଦେବ ଉବାଚ

ଅଦ୍ଭୁତକର୍ମା ଯେ ଈଶ୍ୱର । ପ୍ରଭାବ ଦେଖ ତା ଭୃତ୍ୟର ॥ ୮୪

ନିସ୍ପୃହ-ମହାତ୍ମା ସେମାନେ । ସୁଶ୍ରୋଣି ! ଦେଖ ବିଦ୍ୟମାନେ ॥ ୮୫

ବିଷ୍ଣୁଭକତ ଯେତେ ଜନେ । ଭୟ ତାହାଙ୍କ ନାହିଁ ମନେ ॥ ୮୬

ସ୍ୱର୍ଗ ବା ମୋକ୍ଷ ବା ନରକ । ସମାନ ଦେଖନ୍ତି ସେ ଲୋକ ॥ ୮୭

ଦେହୀର ଦେହ-ସଂଯୋଗରୁ । ପରମ-ଈଶ୍ୱର-ଲୀଳାରୁ ॥ ୮୮

ଜନ୍ମ ବା ମୃତ୍ୟୁ ଅବା ସୁଖ । ଶାପ ବା ଅନୁଗ୍ରହ -ଦୁଃଖ ॥ ୮୯

ପୁରୁଷ ଅବିବେକ ସେହି । ଏଭାବେ ଭିନ୍ନ ଯେ ଦେଖଇ ॥ ୯୦

ଯାହାର ବାସୁଦେବ ପ୍ରୀତି । ଶୁଦ୍ଧ ତାହାର ଦୃଢ଼ମତି ॥ ୯୧

ଜ୍ଞାନ ବୈରାଗ୍ୟ ଅଛି ଯାର । ପୃଥକଭାବ ନାହିଁ ତାର ॥ ୯୨

ମୁହିଁ ବିରଞ୍ଚି ଯେ କୁମାର । ନାରଦ ଆଦି ମୁନିବର ॥ ୯୩

ଇନ୍ଦ୍ରାଦି ଯେତେ ଦେବବର । ନ ଜାଣୁ ମହିମା ତାହାର ॥ ୯୪

ତାହାର ପ୍ରିୟ ନାହିଁ କେହି । ଅପ୍ରିୟଜନ କେହି ନାହିଁ ॥ ୯୫

ମିତ୍ର ଅଇରି ନାହିଁ ଯାର । ସମାନ ଦେଖେ ଆତ୍ମପର ॥ ୯୬

ସକଳ ପ୍ରାଣୀଙ୍କର ପ୍ରିୟ । ଯେଣୁ ସେ ସର୍ବଭୂତମୟ ॥ ୯୭

ଏ ଚିତ୍ରକେତୁ ମହାଭାଗ । ତା ଠାରେ ବିଷ୍ଣୁ ଅନୁରାଗ ॥ ୯୮

ସର୍ବତ୍ର ସମଦୃଷ୍ଟି ଏହି । ଅଚ୍ୟୁତ ପ୍ରିୟ ଯେହ୍ନେ ମୁହିଁ ॥ ୯୯

ମହାତ୍ମାପୁରୁଷ ଯେ ସେହି । ଏଣୁ ବିସ୍ମୟ ତାର ତହିଁ ॥ ୧୦୦

ନକର ସ୍ଥିରକର ମନ । ବିଷ୍ଣୁଭକତ ଏହୁଜନ ॥ ୧୦୧

ସମଦରଶୀ ଶାନ୍ତ ସେହି । ବିସ୍ମୟ ଏଥି ଅଛି କାହିଁ ॥ ୧୦୨

ଶୁକ ଉବାଚ

ଶିବଙ୍କ ଭାଗବତ ବାଣୀ । ହରଷେ ଶୁଣିଣ ଭବାନୀ ॥ ୧୦୩

ହେ ନୃପ ସ୍ଥିରକଲେ ମନ । ବିସ୍ମୟ ଛାଡିଲେ ବହନ ॥ ୧୦୪

ସେ ଚିତ୍ରକେତୁ ଏ ପ୍ରକାରେ । ଦେବୀର ଶାପ ଘେନିଶିରେ ॥ ୧୦୫

ତାହାର ଏ ସାଧୁ ଲକ୍ଷଣ । ଯେଣୁ କଲା ଶାପ ଗ୍ରହଣ ॥ ୧୦୬

ତ୍ୱଷ୍ଟାର ଦକ୍ଷିଣ-ଅଗ୍ନିରେ । ଜନ୍ମିଲା ଦାନବୀ-ଉଦରେ ॥ ୧୦୭

ବୃତ୍ର ହୋଇଲା ତାର ନାମ । ଜ୍ଞାନବିଜ୍ଞାନରେ ସମ୍ପନ୍ନ ॥ ୧୦୮

ସକଳ ତୁମ୍ଭଙ୍କୁ କହିଲୁ । ଆମ୍ଭଙ୍କୁ ଯେତେ ପ୍ରଶ୍ନ କଲୁ ॥ ୧୦୯

ଗୋବିନ୍ଦେ ମତି ବୃତ୍ରାସୁର । ଜନ୍ମର କାରଣ ତାହାର ॥ ୧୧୦

ଏ ଇତିହାସ ପୁଣ୍ୟସାର । ମହାତ୍ମା ଏ ଚିତ୍ରକେତୁର ॥ ୧୧୧

ବିଷ୍ଣୁଭକତ ପ୍ରାଣୀ ଯେହି । ତାହାଙ୍କ ଗୁଣ ଯେ ଶୁଣଇ ॥ ୧୧୨

ସକଳବନ୍ଧୁ ମୁକ୍ତ ହୋଇ । ବୈକୁଣ୍ଠପଦକୁ ଲଭଇ ॥ ୧୧୩

ଏ ଇତିହାସ ଯେ ପ୍ରଭାତେ । ଶୁଣାଇ ଶୁଣି ସ୍ଥିରଚିତ୍ତେ ॥ ୧୧୪

ହରି ସ୍ମରଣକୁ କରଇ । ପରମଗତିକି ଲଭଇ ॥ ୧୧୫

ନିରତେ ଭଜେ କୃଷ୍ଣପାଦ । ହରଇ ବିଷୟା-ବିଷାଦ ॥ ୧୧୬

ଭକ୍ତନୁଗ୍ରହ-ଭାବ ଏହି । ତାରନ୍ତି ପ୍ରଭୁ ଭାବଗ୍ରାହୀ ॥ ୧୧୭

ଏ ଗୀତେ ସ୍ଥିରକର ମନ । ଫିଟିବ ମୋହଭ୍ରାନ୍ତିମାନ ॥ ୧୧୮

ଗୋବିନ୍ଦ-ପାଦପଦ୍ମେ ଚିତ୍ତ । ନିବେଶି ଷଷ୍ଠସ୍କନ୍ଧ ଗୀତ ॥ ୧୧୯

ବୋଲଇ ଦାସ ଜଗନ୍ନାଥ । ଚିତ୍ରକେତୁ-ରାଜା ଚରିତ ॥ ୧୨୦

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଷଷ୍ଠସ୍କନ୍ଧେ ଚିତ୍ରକେତୁ ଶାପୋ ନାମ

ସପ୍ତଦଶୋଽଧ୍ୟାୟଃ ॥

* * *