ଷଷ୍ଠ ସ୍କନ୍ଧ

ଷୋଡ଼ଶ ଅଧ୍ୟାୟ

ଶୁକ ଉବାଚ

ଶୁଣ ରାଜନ ପରୀକ୍ଷିତ । ଅଦ୍ଭୂତ ଗୋବିନ୍ଦ ଚରିତ ॥

ଚିତ୍ରକେତୁ ଶୋକେ ମଜ୍ଜିଣ । ରହିଲା ସ୍ତମ୍ଭୀଭୂତେ ପୁଣ ॥

ନାରଦ ନାମ ନ ଜାଣିଲେ । ତହିଁକି ଉପାୟ ରଚିଲେ ॥

ଏବେ ତୁ ଏକମନେ ଶୁଣ । ମଲା ଯେ ନୃପତିନନ୍ଦନ ॥

ସେ ଶବପାଶେ ମୁନିଯାଇ । ବୋଲନ୍ତି ଜୀବ ଶୁଣ ତୁହି ॥

ନାରଦ ଉବାଚ

ଦେଖ ତୋ ଜ୍ଞାତି - ସହୋଦର । ପଡିଣ ଅଛନ୍ତି ଭୂମିର ॥

ହେ ଜୀବ ଦେଖ ତୋର ମାତା । ଶୋକେ ମୋହିତ ତୋର ପିତା ॥

ବନ୍ଧୁବାନ୍ଧବ ଯେ ତୋହର । ଶୋକ-ମୋହରେ ଗୁରୁତର ॥

ଆପଣା କଳେବରେ ପଶ । ଶେଷ ତୋ ଯେତେକ ଆୟୁଷ ॥

ସୁହୃଦଗଣେ ବୃତ ହୋଇ । ନାନାଭୋଗକୁ ଭୁଞ୍ଜ ତୁହି ॥ ୧୦

ନୃପଆସନେ ବିଜେ କର । ପିତାର ଶୋକ ମୋହ ହର ॥ ୧୧

ଜୀବ ଉବାଚ

କେଉଁ ଜନ୍ମରେ ଏ ମୋହର । ହୋଇଛନ୍ତି ମାତା ପିଅର ॥ ୧୨

ଦେବତା ମନୁଷ୍ୟ ପଶୁରେ । ମୁହିଁ ଭ୍ରମଇଁ ମୋ କର୍ମରେ ॥ ୧୩

ଗୃହସ୍ଥ-ଗୃହଶ୍ୱାନ ଯେହ୍ନେ । ସେ ଯେହ୍ନେ ଭ୍ରମେ ଏଣେତେଣେ ॥ ୧୪

ଏମନ୍ତ ପ୍ରାୟେ ଭ୍ରମ ମୋର । ଭ୍ରମଇଁ ଅଶେଷ-ଯୋନିର ॥ ୧୫

ବାନ୍ଧବ ଜ୍ଞାତି ମିତ୍ର ଅରି । ଉଦାସୀନ ବା ଦ୍ୱେଷକାରୀ ॥ ୧୬

ଏ ସର୍ବେ ପରସ୍ପରେ ଥାନ୍ତି । କେବେ ବା ହୁଅନ୍ତି ନୁହଁନ୍ତି ॥ ୧୭

କ୍ରୟବିକ୍ରୟ ବ୍ୟବହାରେ । ଭ୍ରମନ୍ତି ନାନାଲୋକଠାରେ ॥ ୧୮

ହେମାଦି ପଣ୍ୟଦ୍ରବ୍ୟ ଯେହ୍ନେ । ଯୋନିରେ ଜୀବଟି ତେସନେ ॥ ୧୯

ସତ୍ୟ ଯେ ସମ୍ବନ୍ଧ ଲୋକରେ । ଅସତ୍ୟ ହୋଇ ସେ ବେଭାରେ ॥ ୨୦

ସମ୍ବନ୍ଧ ଯାବତ ଯାହାର । ତାବତ ମମତା ତାହାର ॥ ୨୧

ଯାବତ ଦେହେ ଅହଙ୍କାର । ତାବତ ତହିଁ ଅଧିକାର ॥ ୨୨

ଦେହ ଛାଡିଲେ ଜୀବ ନିତ୍ୟ । ଆଉ ଦେହରେ କାହିଁ ସତ୍ତ୍ୱ ॥ ୨୩

ଏ ଜୀବ ନିତ୍ୟ ଯେ ଅବ୍ୟୟ । ସୂକ୍ଷ୍ମ-ସ୍ୱରୂପ ସର୍ବାଶ୍ରୟ ॥ ୨୪

ଆତ୍ମମାୟାଗୁଣରୁ କରି । ଆତ୍ମାର ସୃଷ୍ଟିକି ଆଚରି ॥ ୨୫

ଏହାର ଅତିପ୍ରିୟ କେହି । ଅପ୍ରିୟଜନ କେହି ନାହିଁ ॥ ୨୬

ଏହାର ନିଜ-ପର ନାହିଁ । କେବଳ ଗୁଣ-ଦୋଷ ରହି ॥ ୨୭

ଗୁଣ-ଦୋଷ କ୍ରିୟାର ଫଳ । ଗ୍ରହଣ ନ କରେ ସକଳ ॥ ୨୮

ଉଦାସୀନର ପ୍ରାୟ ହୋଇ । ପର-ଅପରକୁ ଦେଖଇ ॥ ୨୯

ଏମନ୍ତ ଏକ ସେ ଈଶ୍ୱର । ସଂସାର ନିର୍ମିତ ତାହାର ॥ ୩୦

ଶୁକ ଉବାଚ

ଏମନ୍ତ କହିଣ ବଚନ । ଜୀବ ଚଳିଲା ହେ ରାଜନ ॥ ୩୧

ବିସ୍ମୟେ ତାର ବନ୍ଧୁଗଣ । ଶୋକ ଛାଡିଲେ ତତକ୍ଷଣ ॥ ୩୨

ତା ତହୁଁ ଜ୍ଞାନକୁ ଶୁଣିଲେ । ସ୍ନେହ-ଶାଙ୍କୋଳିକି ଛେଦିଲେ ॥ ୩୩

ଏ ଅନନ୍ତରେ ଜ୍ଞାତିଜନ । ବେଦଉଚିତ କର୍ମମାନ ॥ ୩୪

ଲୋକବିଧିରେ ତାହାକଲେ । ସମସ୍ତ ତାପକୁ ଛାଡିଲେ ॥ ୩୫

ଯେ ଶୋକ ମୋହ ସ୍ନେହୁଁ ହୋଇ । ତାହା ଛାଡିଲେ ଜ୍ଞାନ ପାଇ ॥ ୩୬

ଚିତ୍ରକେତୁର ଯେତେ ନାରୀ । ଲାଜ ପାଇ ମନେ ବିଚାରି ॥ ୩୭

ବାଳକହତ୍ୟାପାପୁଁ କରି । ହତ ହୋଇଲା ତାଙ୍କ ଶିରୀ ॥ ୩୮

ବ୍ରାହ୍ମଣେ ପୁଚ୍ଛିଲେ ଉଚିତ । ବାଳକ-ହତ୍ୟା-ହତବ୍ରତ ॥ ୩୯

ଯମୁନାକୂଳକୁ ସେ ଗଲେ । ବାଳକହତ୍ୟା-ବ୍ରତ କଲେ ॥ ୪୦

ବ୍ରାହ୍ମଣଆଜ୍ଞା ପରମାଣେ । କମେ ସେ ବେଦର ବିଧାନେ ॥ ୪୧

ଏମନ୍ତେ ଶୁଣ ହେ ରାଜନ । ଚିତ୍ରକେତୁ ବିପ୍ର-ବଚନ ॥ ୪୨

ତକ୍ଷଣେ ଶୁଣି ଜ୍ଞାନପାଇ । ଗୃହକପୁଁ ବାହାର ହୋଇ ॥ ୪୩

ଶୁଣି ଉଦୟ ହେଲା ଜ୍ଞାନ । ମନସଂଶୟ ତା ଖଣ୍ଡନ ॥ ୪୪

ସରୋବର-ପଙ୍କରୁ ଯେହ୍ନେ । ଗଜ ବାହାର ବିଦ୍ୟମାନେ ॥ ୪୫

ତେସନେ ରାଜା ସର୍ବଛାଡି । ଗୋବିନ୍ଦପାଦେ ଚିତ୍ତ ବଢି ॥ ୪୬

କାଳିନ୍ଦୀଜଳେ ସ୍ନାନକଲା । ପୁଣ୍ୟକ୍ରିୟାକୁ ଆଚରିଲା ॥ ୪୭

ମଉନବ୍ରତେ ମହାରାଜା । ମୁନିଚରଣେ କଲେ ପୂଜା ॥ ୪୮

ଏଥୁଅନ୍ତରେ ନୃପବର । ଭକତି ଦେଖିଣ ରାଜାର ॥ ୪୯

ନାରଦ ଅନୁଗ୍ରହ କଲେ । ଏ ଜ୍ଞାନ ତାହାଙ୍କୁ କହିଲେ ॥ ୫୦

ପରମାନନ୍ଦରେ ନିବୃତ୍ତି । ଧ୍ୟାନେ ଗୋବିନ୍ଦେ କଲା ସ୍ତୁତି ॥ ୫୧

ନାରଦ ଉବାଚ

ନମସ୍ତେ ପ୍ରଭୁ ନାରାୟଣ । ବାସୁଦେବ ସର୍ବକାରଣ ॥ ୫୨

ପ୍ରଦ୍ୟୁମ୍ନ ଅନିରୁଦ୍ଧ ବେନି । ନମସ୍ତେ ସଙ୍କର୍ଷଣ ପୁଣି ॥ ୫୩

ନମସ୍ତେ ଜ୍ଞାନର ଈଶ୍ୱର । ପରମାନନ୍ଦ-ମୂର୍ତ୍ତି ଯାର ॥ ୫୪

ନମସ୍ତେ ଶାନ୍ତ ଆତ୍ମାରାମ । ଅବ୍ୟୟରୂପ ପୂର୍ଣ୍ଣକାମ ॥ ୫୫

ନମସ୍ତେ ବଇକୁଣ୍ଠବାସୀ । ନମସ୍ତେ ପ୍ରଭୁ ବ୍ରହ୍ମରାଶି ॥ ୫୬

ସ୍ୱରୂପାନନ୍ଦ ଅନୁଭୂତି । ତେଣୁ ନିରସ୍ତ ଉର୍ମିଶକ୍ତି ॥ ୫୭

ଭୋ ହୃଷୀକେଶ ହେ ମହତ । ନମସ୍ତେ ମର୍ତ୍ତି ହେ ଅନନ୍ତ ॥ ୫୮

ମନବଚନ-ଅଗୋଚର । ମହିମା ନାମ ରୂପ ଯାର ॥ ୫୯

ଚିନ୍ମୟ ଯାହାର ଶରୀର । ରଖନ୍ତୁ ସଦସଦପର ॥ ୬୦

ଚିନ୍ତାମାତ୍ରକେ ଯେଉଁ ନାମ । ଖଣ୍ଡଇ ସର୍ବପାପମାନ ॥ ୬୧

ଅରୂପରେଖ ଭଗବାନ । ସଚରାଚର ବିଶ୍ୱଧାମ ॥ ୬୨

ଯାହାର ତହୁଁ ଏ ଜଗତ । ହେଉ ଅଛନ୍ତି ଆତଯାତ ॥ ୬୩

ମୃତ୍ତିକାଠାରୁ ନାନାପାତ୍ର । ଯେସନେ ହେଉଅଛି ଜାତ ॥ ୬୪

ସୃଷ୍ଟି ପ୍ରଳୟ ସ୍ଥିତି ଯହିଁ । ସେ ଯୋଗେଶ୍ୱରେ ମୁଁ ନମଇଁ ॥ ୬୫

ବୁଦ୍ଧି ଇନ୍ଦ୍ରିୟ ଆଦି ମନ । ଯାହାକୁ ନ ଜାଣଇ ପ୍ରାଣ ॥ ୬୬

ବାହ୍ୟ-ଅନ୍ତରେ ବ୍ୟାପ୍ତହୋଇ । ଆକାଶପ୍ରାୟ ଯେ ଅଛଇ ॥ ୬୭

ତାହାଙ୍କୁ ମୋର ନମସ୍କାର । ଯେ ପ୍ରଭୁ ଜଗତଠାକୁର ॥ ୬୮

ଅଶେଷ-କ୍ଷେତ୍ରେ ଯା ବିହାର । ଅଚ୍ୟୁତ ପରମଈଶ୍ୱର ॥ ୬୯

ଦେହ ଇନ୍ଦ୍ରିୟ ପ୍ରାଣ ମନ । ବୁଦ୍ଧି ଅହଙ୍କାର ଚେତନ ॥ ୭୦

ଯାର ଆଜ୍ଞାରେ ଏ ନିର୍ମାଣ । କର୍ମରେ କରନ୍ତି ଭ୍ରମଣ ॥ ୭୧

ଭଗବାନ ମହାପୁରୁଷ । ଯାହାର ଭାବରେ ପ୍ରକାଶ ॥ ୭୨

ମହାବିଭୂତିର ଈଶ୍ୱର । ସକଳ-ଭକ୍ତଜନଙ୍କର ॥ ୭୩

କରକମଳଦଳେ କରି । ସେବିତ ଚରଣ ଯାହାରି ॥ ୭୪

ଏମନ୍ତ ପରମଈଶ୍ୱର । ତାହାଙ୍କୁ ମୋର ନମସ୍କାର ॥ ୭୫

ଶୁକ ଉବାଚ

ଭକତରାଜାଙ୍କୁ ନାରଦେ । ଏ ବିଦ୍ୟା ଦେଲେ ଅପ୍ରମାଦେ ॥ ୭୬

ଅଙ୍ଗିରା ସହିତେ ରାଜନ । ଗଲେ ସେ ବ୍ରହ୍ମାର ଭୁବନ ॥ ୭୭

ଚିତ୍ରକେତୁ ସେ ବିଦ୍ୟାଘେନି । ଯେମନ୍ତ କହିଥିଲେ ମୁନି ॥ ୭୮

ଧଇଲା ସପ୍ତରାତ୍ର ସେହି । ପବିତ୍ର ନିରାହାର ହୋଇ ॥ ୭୯

ସପତରାତ୍ରେ ଅପ୍ରମାଦେ । ନାରଦବିଦ୍ୟାର ପ୍ରସାଦେ ॥ ୮୦

ବିଦ୍ୟାଧର-ଅଧିପପଣ । ଲଭିଲେ ଚିତ୍ରକେତୁରାଣ ॥ ୮୧

ଶୁଣ ରାଜନ ଏକମନେ । ଏ ଅନନ୍ତରେ କେତେଦିନେ ॥ ୮୨

ବିଦ୍ୟାରୁ କରି ଶୁଦ୍ଧମତି । ନିଶ୍ଚଳେ ଲଭିଲା ନୃପତି ॥ ୮୩

ଅନନ୍ତ ଦେବଦେବେଶ୍ୱର । ଗଲା ନିକଟେ ତାହାଙ୍କର ॥ ୮୪

ମୃଣାଳପ୍ରାୟ ଶୋଭାବନ । ନୀଳବସନ ପରିଧାନ ॥ ୮୫

ଶୋଭିତ କିରୀଟ କେୟୁର । ମେଖଳା କଙ୍କଣ ଆବର ॥ ୮୬

ପ୍ରସନ୍ନ ରୁଚିର ବଦନ । ଅରୁଣ ରାଜୀବଲୋଚନ ॥ ୮୭

ବେଢିଅଛନ୍ତି ସିଦ୍ଧେଶ୍ୱର । ଦେଖିଲା ଯାଇ ନୃପବର ॥ ୮୮

ତାହାଙ୍କ ଦରଶନ ପାଇ । ସକଳପାପୁଁ ମୁକ୍ତହୋଇ ॥ ୮୯

ଅନ୍ତଃକରଣ ଶୁଦ୍ଧହେଲା । ଅଶ୍ରୁରେ ଲୋଚନ ପୂରିଲା ॥ ୯୦

ଭକ୍ତିରୁ ରୋମାଞ୍ଚ ହୋଇଲା । ଆଦିପୁରୁଷଙ୍କୁ ନମିଲା ॥ ୯୧

ସେ ଚିତ୍ରକେତୁ ହୃଷ୍ଟହୋଇ । ନୟନଜଳେ ପାଦ ଧୋଇ ॥ ୯୨

ପ୍ରେମେ କୁଣ୍ଠିତକଣ୍ଠ ହୋଇ । ସ୍ତୁତି କରିଣ ନ ପାରଇ ॥ ୯୩

ହରଷେ ପୂର୍ଣ୍ଣଇନ୍ଦ୍ରିଗଣ । କ୍ରମରେ କରି ନିବାରଣ ॥ ୯୪

ଜଗତଗୁରୁ ଗୁରୁବର । ଯାଦବଂଶର ଠାକୁର ॥ ୯୫

ତାହାଙ୍କ ପାଦେ ଦେଇମନ । କହଇ ମଧୁରବଚନ ॥ ୯୬

ଚିତ୍ରକେତୁ ଉବାଚ

ତୁହି ଯେ ଅଜିତ ସ୍ୱଭାବେ । ଭକତ ତୋତେ ଜିତେ ଭାବେ ॥ ୯୭

ସୁସିଦ୍ଧଆତ୍ମା -ଲୋକଙ୍କର । ଜିତ ତୁ ହେଉ ହେ ଈଶ୍ୱର ॥ ୯୮

ଯେଣୁ ତୁ ଅତିହିଁ କରୁଣ । ତେଣୁ ତୁ ଭକ୍ତର ଅଧୀନ ॥ ୯୯

ନିଷ୍କାମେ ଯେଣୁ ଯେ ଭଜନ୍ତି । ତେଣୁ ତୋହରେ ସେ ଜିଣନ୍ତି ॥ ୧୦୦

ଯେ ତୋତେ କରଇ ଭଜନ । ତାର କାମନା କରୁ ପୂର୍ଣ୍ଣ ॥ ୧୦୧

ଅତି ଦୟାଳୁ ରୂପଧର । ଜଗତ ବିଭବ ତୋହର ॥ ୧୦୨

ଅନାଦି ତୁହି ତୋର ତହିଁ । ଉଦୟସ୍ଥିତି ଅନ୍ତ ହୋଇ ॥ ୧୦୩

ସୃଷ୍ଟିକରତା ଅଛି ଆର । ବୋଲଇ ଅଜ୍ଞ ଯେଉଁ ନର ॥ ୧୦୪

ପରମଅଣୁରୂପ ହେଉ । ମହତତେଜକୁ ତୁ ବହୁ ॥ ୧୦୫

ଆଦ୍ୟନ୍ତ ଅନ୍ତରାଳେ ସ୍ଥିତ । ଆଦ୍ୟନ୍ତ-ମଧ୍ୟ ତୋ ରହିତ ॥ ୧୦୬

ହେ ଦେବ ପ୍ରାଣୀମାନଙ୍କର । ସାକ୍ଷୀରୂପକୁ ତୁମ୍ଭେ ଧର ॥ ୧୦୭

କ୍ଷିତି ଆଦି ଯେ ପଞ୍ଚଭୂତ । ଏଥିରେ ହୋଇଣ ନିର୍ମିତ ॥ ୧୦୮

ଯେହି ମହତ-ଅŠଣ୍ତକୋଷ । ତାହାର ତୋର ତହିଁ ବାସ ॥ ୧୦୯

ବିଷୟା-ଜଡେ ମୋହିହୋଇ । ଯେ ଜନ ବିଭୂତି ଚିନ୍ତଇ ॥ ୧୧୦

ତୋ ପଦ୍ମଚରଣ ନ ଚିନ୍ତେ । ଗ୍ରାମର ପଶୁ ଯେ ଯୁଗତେ ॥ ୧୧୧

ଭୋ ପ୍ରଭୁ ତାହାର କଲ୍ୟାଣ । କେବେହେଁ ନୁହଁଇଟି ପୁଣ ॥ ୧୧୨

ଜ୍ଞାନାତ୍ମାମୟ ତୁ ଅଗୁଣ । ସକାମେ ଯେ ତୋର ଚରଣ ॥ ୧୧୩

ପୂଜନ୍ତି ଜନ୍ମ ତାଙ୍କ ନାହିଁ । ଭର୍ଜିତ ବୀଜ ପ୍ରାୟେ ହୋଇ ॥ ୧୧୪

ତୁମ୍ଭେ ଯେ ଭାଗବତଧର୍ମ । କହିଲ ପୁରୁଷଉତ୍ତମ ॥ ୧୧୫

ଅକିଞ୍ଚନ ଯେ ଆତ୍ମାରାମ । ଏମନ୍ତ ଯେଉଁ ମୁନିଜନ ॥ ୧୧୬

ମୋକ୍ଷ ନିମନ୍ତେ ସେହି ଧର୍ମ । କରନ୍ତି ନିତ୍ୟ ଉପାସନ ॥ ୧୧୭

ବିଷମମତିଟି ଯାହାର । ଏ ଧର୍ମୁ ସେ ଜନ ବାହାର ॥ ୧୧୮

ଯେଉଁ ଧର୍ମରେ ତୁହି ମୁହିଁ । ତୋହର ମୋର ଭେଦ ନାହିଁ ॥ ୧୧୯

କିବା କୁଶଳ ସେ ଲଭନ୍ତି । ସ୍ୱଦେହେ ପରେ ଯେ ପୀଡନ୍ତି ॥ ୧୨୦

ସ୍ୱଦ୍ରୋହେ ଆତ୍ମପୀଡ଼ା ପୁଣ । ପର ପୀଡ଼ନେ ଅଧରମ ॥ ୧୨୧

ବିହିତ ଧର୍ମ ଭାଗବତ । ନ ଛାଡେ କେବେ ପରମାର୍ଥ ॥ ୧୨୨

ସ୍ଥାବର ଚରଜୀବଙ୍କରେ । ଅଭିନ୍ନଭାବ ଯେହୁ କରେ ॥ ୧୨୩

ସେ ନିତ୍ୟ ପାଦପଦ୍ମେ ତୋର । ସେବା କରଇ ନିରନ୍ତର ॥ ୧୨୪

ପାଷŠଣ୍ତମତ୍ତ ଯେଉଁନର । ଏ ପାଦ ଦୁର୍ଲ୍ଲଭ ତାହାର ॥ ୧୨୫

ଯେ ପାଦପଲ୍ଲବ ସୁଧାମ । ପରମମଙ୍ଗଳ ତା ନାମ ॥ ୧୨୬

ଯେ ନାମ ସୁମରଣ କରି । ପ୍ରାଣୀ ସଂସାରୁ ଯାନ୍ତିତରି ॥ ୧୨୭

ହେ ଦେବଦେବ ନାରାୟଣ । ହେ ପ୍ରଭୁ ଅଖିଳକାରଣ ॥ ୧୨୮

ତୋ ରୂପ ଦରଶନେ ମୁହିଁ । ପବିତ୍ର ହୋଇଲି ଗୋସାଇଁ ॥ ୧୨୯

ନାରଦ-ବଚନର ଫଳେ । ତୋତେ ହୋଇଲି ଚର୍ମଡୋଳେ ॥ ୧୩୦

ଜଗତଆତ୍ମା ହେ ଅନନ୍ତ । ସକଳ ଜାଣୁ ତୁ ତଦନ୍ତ ॥ ୧୩୧

ଏ ଘୋର ସଂସାରରେ ଜନ । କେ ତୋତେ ଜାଣୁଁ ଭଗବାନ ॥ ୧୩୨

ତୁମ୍ଭେ ଆଦିତ୍ୟ ଦେବରାୟେ । ନର ଯେ ଖଦ୍ୟୋତ ପରାୟେ ॥ ୧୩୩

ଜଗତ ଉତ୍ପତ୍ତି ପାଳନ । ପ୍ରଳୟ ହେତୁ ନାରାୟଣ ॥ ୧୩୪

ପରମହଂସରୂପ ତୁହି । ନମସ୍ତେ ପ୍ରଭୁ ଭାବଗ୍ରାହୀ ॥ ୧୩୫

ଯାର ଶ୍ୱାସକୁ ଅନୁସରି । କମ୍ପିତହେ ଏ ବସୁନ୍ଧରୀ ॥ ୧୩୬

ପ୍ରାଣୀସମୂହ ଦ୍ରୂମ-ଗିରି । ଅବନୀ ଅଛି ଯେହୁ ଧରି ॥ ୧୩୭

ସହସ୍ରମସ୍ତକ-ଈଶ୍ୱର । ନମସ୍ତେ ବ୍ରହ୍ମାŠଣ୍ଡଠାକୁର ॥ ୧୩୮

ଶୁକ ଉବାଚ

ଏମନ୍ତ ସ୍ତୁତି ତାର ଶୁଣି । ଅନନ୍ତ ପ୍ରଭୁ ହଳପାଣି ॥ ୧୩୯

ଯେ ଚିତ୍ରକେତୁ ବିଦ୍ୟାଧର । ତାହାଙ୍କୁ ବୋଲନ୍ତି ଉତ୍ତର ॥ ୧୪୦

ଭଗବାନ ଉବାଚ

ଶୁଣ ରାଜନ ପୁଣ୍ୟଦେହ । ମୋର ଭକତ ଅନୁଗ୍ରହ ॥ ୧୪୧

ନାରଦ ଅଙ୍ଗିରା ତୋହରେ । କହିଲେ ଯେଉଁ ବିଦ୍ୟାସାରେ ॥ ୧୪୨

ତେଣୁ ସିଦ୍ଧହୋଇ ରାଜନ । ପାଇଲୁ ମୋର ଦରଶନ ॥ ୧୪୩

ମୁଁ ସର୍ବପ୍ରାଣୀ ଆଦିଶେଷ । ଆତ୍ମାରୂପରେ ମୋର ବାସ ॥ ୧୪୪

ପରମବ୍ରହ୍ମ ଯାରେ କହି । ସେ ମୋର ଶରୀର ଅଟଇ ॥ ୧୪୫

ଯେ ଆତ୍ମା ବ୍ୟାପ୍ତ ଲୋକଠାରେ । ଲୋକବ୍ୟାପିତ ଯେ ଆତ୍ମାରେ ॥ ୧୪୬

ଉଭୟେ ବ୍ୟାପ୍ତହୋଇ ମୁହିଁ । ସଂସାରେ ଅଛି ଦେହ ବହି ॥ ୧୪୭

ଯେସନେ ନିଦ୍ରାପାଇ ନରେ । ବିଶ୍ୱକୁ ଦେଖନ୍ତି ଆତ୍ମାରେ ॥ ୧୪୮

ନିଦ୍ରାଉପେକ୍ଷି ପୁଣ ସେହି । ଏକଦେଶେ ଆତ୍ମା ଦେଖଇ ॥ ୧୪୯

ଉଠିଣ ଜ୍ଞାନପାଇ ଯେହ୍ନେ । ସକଳ ମିଥ୍ୟାକରି ମାନେ ॥ ୧୫୦

ଯେଉଁ ପୁରୁଷ ତା ଦେଖଇ । ତାହାକୁ ଚିନ୍ତ ମନ ଦେଇ ॥ ୧୫୧

ଯାହାର ବଳେ ସୁପ୍ତ ହୋଇ । ସୁଖ ବା ସ୍ୱପନ ଜାଣଇ ॥ ୧୫୨

ସେ ଆତ୍ମା ନିର୍ଗୁଣ ଯେ ବ୍ରହ୍ମ । ସେହିଟି ମୁହିଁ ବୋଲି ଜାଣ ॥ ୧୫୩

ନିଦ୍ରାରେ ଜାଗ୍ରତରେ ପୁଣ । ଉଭୟେ ଯା ତହୁଁ ସ୍ମରଣ ॥ ୧୫୪

ଏ ମୋର ଭିନ୍ନଭାବ ଦୁଇ । ମୋ ବିନୁ ଅନ୍ୟ କେହି ନାହିଁ ॥ ୧୫୫

ଯେଣୁ ମୋ ଭାବ ପ୍ରାଣୀମାନେ । ଚିନ୍ତନ୍ତି ଭିନ୍ନକରି ମନେ ॥ ୧୫୬

ଏଣୁ ଏ ଅଖିଳସଂସାରେ । ଜନ୍ମ-ମୃତ୍ୟୁ ଲଭନ୍ତି ନରେ ॥ ୧୫୭

ମନୁଷ୍ୟଜନ୍ମ ଆଶ୍ରେ କରି । ଜ୍ଞାନ-ବିଜ୍ଞାନେ ଦେହ ଧରି ॥ ୧୫୮

ଆତ୍ମାକୁ ନ ଜାଣେ ଯେ ନର । କେବେହେଁ ସୁଖ ନାହିଁ ତାର ॥ ୧୫୯

ଚେଷ୍ଟା କରଇ କାର୍ଯ୍ୟ ପାଇଁ । ନାନା-ଯାତନା ଲଭେ ତହିଁ ॥ ୧୬୦

ସଙ୍କଳ୍ପ ଛାଡି ଯେ ଭଜଇ । ମୋକ୍ଷର ଫଳକୁ ଲଭଇ ॥ ୧୬୧

ଦୁଃଖ-ନିବୃତ୍ତି ସୁଖ ପାଇଁ । ଦମ୍ପତିକର୍ମ ଆଚରଇ ॥ ୧୬୨

ସୁଖ ଦୁଃଖର ଭୋଗ ତହିଁ । କେବେ ଲଭଇ ନ ଲଭଇ ॥ ୧୬୩

ଏମନ୍ତ ବିଚାର ଯେ ଜାଣି । କର୍ମ କରଇ ଯେଉଁ ପ୍ରାଣୀ ॥ ୧୬୪

ସୂକ୍ଷ୍ମ ଆତ୍ମଗତି ତା ଠାରେ । ବିମୁକ୍ତ ହୋଇ ସେ ସଂସାରେ ॥ ୧୬୫

ଜ୍ଞାନସମ୍ପନ୍ନ ହୋଇନର । ଭକ୍ତିକି ଲଭଇ ମୋହର ॥ ୧୬୬

ପ୍ରାଣୀର ପରଧର୍ମ ଏହି । ସମଦରଶୀ ଯେବେ ହୋଇ ॥ ୧୬୭

ଯୋଗ-ନିପୁଣ-ବୁଦ୍ଧି-ଲୋକ । ଜୀବପରମ ଦେଖେ ଏକ ॥ ୧୬୮

ଶ୍ରଦ୍ଧାରେ ଯେବେ ତୁ ରାଜନ । ଘେନିବୁ ମୋହର ବଚନ ॥ ୧୬୯

ଜ୍ଞାନସମ୍ପନ୍ନ ହୋଇ ତୁହି । ସିଦ୍ଧ ହୋଇବୁ ବେଗ ହୋଇ ॥ ୧୭୦

ତୁ ଏବେ ମୋର ପାଦେ ଭକ୍ତି । ଲଭିଣ ପାଅ ସିଦ୍ଧଗତି ॥ ୧୭୧

ସୁଖଦୁଃଖରେ ମୋର ଭାବ । କେବେହେଁ ତୋ ମନୁ ନଯିବ ॥ ୧୭୨

ଶୁକ ଉବାଚ

ଏମନ୍ତ କହି ବାସୁଦେବ । ଯେ ବିଷ୍ଣୁ ଋଷଭମାଧବ ॥ ୧୭୩

ଚିତ୍ରକେତୁକୁ ଆଶ୍ୱାସିଣ । ଜଗତଗୁରୁ ଭଗବାନ ॥ ୧୭୪

ଦେଖୁ ଯେ ଥିଲା ସେ ରାଜନ । କୃଷ୍ଣ ହୋଇଲେ ଅନ୍ତର୍ଦ୍ଧାନ ॥ ୧୭୫

ବୋଲଇ ଦାସ ଜଗନ୍ନାଥ । ଚିତ୍ରକେତୁ-ରାଜା-ଚରିତ ॥ ୧୭୬

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଷଷ୍ଠସ୍କନ୍ଧେ ଚିତ୍ରକେତୋଃ ପରମାତ୍ମଦର୍ଶନଂ ନାମ

ଷୋଡ଼ଶୋଽଧ୍ୟାୟଃ ॥

* * *