ଷଷ୍ଠ ସ୍କନ୍ଧ
ପଞ୍ଚଦଶ ଅଧ୍ୟାୟ
ଶୁକ ଉବାଚ
ଶୁଣ ସାନନ୍ଦେ କୁରୁଶ୍ରେଷ୍ଠ । ସେ ମୃତପୁତ୍ରର ନିକଟ ॥ ୧
ଶୋକରେ ଜ୍ଞାନଭ୍ରଷ୍ଟ ହୋଇ । ଚିତ୍ରକେତୁ ପଡି ଅଛଇ ॥ ୨
ନାରଦ-ଅଙ୍ଗିରସ ଦୁଇ । ମିଳିଲେ ତାର ପାଶେ ଯାଇ ॥ ୩
ଉତ୍ତମ-ବାକ୍ୟମାନ କହି । ବୋଧୁଅଛନ୍ତି ରାଜା ଚାହିଁ ॥ ୪
ଭୋ ଚିତ୍ରକେତୁ ନୃପବର । ତୁମ୍ଭେ ଯା ପାଇଁ ଶୋକ କର ॥ ୫
ତୋହର ଏ କିସ ଅଟଇ । ତୁହି ଏହାର କି ବା ହୋଇ ॥ ୬
ଏହାର ପୂର୍ବେ ସୁତ ତୁହି । ପିତା ତୁ କେତେ ଜନ୍ମ ହୋଇ ॥ ୭
ଏବେ ତୁମ୍ଭର ସୁତ ଏହି । ସଂସାର-ମାୟା ଏ ଅଟଇ ॥ ୮
ଯେସନେ ନଦୀସ୍ରୋତଜଳେ । ବାଲୁକା ନ ରହେ ନିଶ୍ଚଳେ ॥ ୯
ସଂଯୋଗ-ବିଯୋଗ ହୁଅଇ । ବାଲୁକା ଭାସି ଯାଉଥାଇ ॥ ୧୦
ତେସନେ ପ୍ରାଣୀ ଯଥାକାଳେ । ଆସଇ ଯାଇ କର୍ମବଳେ ॥ ୧୧
ବୀଜରୁ ବୀଜ ହୋଇ ନୋହି । ପ୍ରାଣୀହିଁ ତେମନ୍ତ ଅଟଇ ॥ ୧୨
ଈଶ୍ୱରମାୟାରେ ଜଗତ । ଉତ୍ପତ୍ତି ନାଶ ସର୍ବଭୂତ ॥ ୧୩
ନର ଅମରଆଦି ଯେତେ । ଚର-ଅଚରଙ୍କ ସହିତେ ॥ ୧୪
ଜନ୍ମ-ମରଣ ଆଗପଛ । ହୁଅଇ ଦେଖ ତୁ ପ୍ରତ୍ୟକ୍ଷ ॥ ୧୫
ଭୂତରେ କରିଣ ଈଶ୍ୱର । ଜନ୍ମାଇ ଅଖିଳ-ସଂସାର ॥ ୧୬
ପ୍ରତିପାଳନ କରି ପୁଣ । ସଂହାର କରଇ ତକ୍ଷଣ ॥ ୧୭
ଆୟତ୍ତ ନୁହଁଇ କାହାର । ଯେହ୍ନେ ବାଳକ-ଖେଡ଼ଘର ॥ ୧୮
ଦେହରୁ ଦେହ ହୋଇ ଜାତ । ରାଜନ ଶୁଣ ଏକଚିତ୍ତ ॥ ୧୯
ବୀଜରୁ ବୀଜ ଯେହ୍ନେ ଜାତ । ଆତ୍ମାରୁ ନିର୍ମିତ ଜଗତ ॥ ୨୦
ଆତ୍ମା ଶରୀର ଭିନ୍ନ କରି । ପୂର୍ବେ ଯେ ବିଧାତା ବିଚାରି ॥ ୨୧
ଜାତି-ସଜ୍ଞାରେ କରେ ଭିନ୍ନେ । ସୁବର୍ଣ୍ଣେ ନାନାଦ୍ରବ୍ୟ ଯେହ୍ନେ ॥ ୨୨
ଶୁକ ଉବାଚ
ଉତ୍ତମ-ବାକ୍ୟ ବିପ୍ରଙ୍କର । ଶୁଣି ଆଶ୍ୱସ୍ତ ନୃପବର ॥ ୨୩
ମଳିନମୁଖ ଆପଣାର । ପୋଛିଣ କହଇ ମଧୁର ॥ ୨୪
ଚିତ୍ରକେତୁ ଉବାଚ
କେ ତୁମ୍ଭେ ବିପ୍ର ଦୁଇଜଣ । ଅଶେଷଜ୍ଞାନେ ପରିପୂର୍ଣ୍ଣ ॥ ୨୫
ଜ୍ଞାନୀମାନଙ୍କେ ତୁମ୍ଭେ ବର । ଅବଧୂତବେଶ ତୁମ୍ଭର ॥ ୨୬
ସ୍ୱଭାବେ ଗୁପ୍ତପ୍ରାୟ ହୋଇ । ଆସି ମିଳିଲ ତୁମ୍ଭେ ଦୁଇ ॥ ୨୭
ବିଷ୍ଣୁର ଦୂତପ୍ରାୟ ହୋଇ । ଭ୍ରମଣ କରୁଅଛ ମହୀ ॥ ୨୮
ମୋହର ପ୍ରାୟେ ଦୁଃଖୀ ହୋଇ । ସଂସାରେ ଯେ ଅବା ଅଛଇ ॥ ୨୯
ତାହାଙ୍କ ହିତ କରିବାରେ । ଭ୍ରମଣ ତୁମ୍ଭର ସଂସାରେ ॥ ୩୦
ଗୌତମ ଅସିତ ଦେବଳ । କୁମାର ବଶିଷ୍ଠ କପିଳ ॥ ୩୧
ମାରକଣ୍ତ ବ୍ୟାସ ଅଙ୍ଗିରା । ରୋମଶ ଦତ୍ତ ବେଦଶିରା ॥ ୩୨
ଦୁର୍ବାସା ଯାଜ୍ଞବଲ୍କ୍ୟ ମୁନି । ଜାତୂକର୍ଣ୍ଣ୍ୟ ବାଦରାୟଣି ॥ ୩୩
ଋତଧ୍ୱଜ ଯେ ଶ୍ରୁତଦେବ । ପଞ୍ଚଶିଖ ହିରଣ୍ୟନାଭ ॥ ୩୪
କୌଶଲ୍ୟ ନାରଦ ଆସୁରି । ଧୌମ୍ୟ ଚ୍ୟବନ ପତଞ୍ଜଳି ॥ ୩୫
ଋଭୁ ସହିତେ ସିଦ୍ଧେଶ୍ୱରେ । ଏମାନେ ଭ୍ରମନ୍ତି ସଂସାରେ ॥ ୩୬
ପ୍ରାଣୀଙ୍କ ମଙ୍ଗଳ କାରଣେ । ଭ୍ରମୁ ଅଛନ୍ତି ଅନୁକ୍ଷଣେ ॥ ୩୭
ସ୍ୱଭାବେ ଗ୍ରାମ୍ୟପଶୁ ମୁହିଁ । ଅନ୍ଧତମରେ ବୁଡିଛଇଁ ॥ ୩୮
କେ ତୁମ୍ଭେ ଦୁଇସିଦ୍ଧ କହ । ଜ୍ଞାନଦୀପକୁ ମୋତେ ଦିଅ ॥ ୩୯
ଅଙ୍ଗିରା ଉବାଚ
ହେ ଚିତ୍ରକେତୁ ନୃପବର । ମୁଁ ଦେଇଥିଲି ଏ କୁମର ॥ ୪୦
ଅଙ୍ଗିରା ନାମଟି ମୋହର । ଏ ଦେଖ ବ୍ରହ୍ମାଙ୍କ କୁମର ॥ ୪୧
ପରମ-ବିଷ୍ଣୁଭକ୍ତ ଏହି । ନାରଦ ବୋଲି ଯାକୁ କହି ॥ ୪୨
ଶୋକସାଗରେ ମଗ୍ନ ତୋର । ଦେଖିଲୁ ଯହୁଁ ନୃପବର ॥ ୪୩
ତୋହର ଯୋଗ୍ୟ ଏ ନୁହଁଇ । ଏହା ବିଚାରି ଆମ୍ଭେ ଦୁଇ ॥ ୪୪
ତୋ ଠାରେ ଅନୁଗ୍ରହ କରି । ଅଇଲୁ ଶୁଣ ଦଣ୍ତଧାରୀ ॥ ୪୫
ବ୍ରହ୍ମଣ୍ୟ-କୃଷ୍ଣଭକ୍ତ ହେଉ । ଶୋକେ ନ ବୁଡ଼ ମହାବାହୁ ॥ ୪୬
ପୂର୍ବେ ତୋ ଗୃହେ ଆସିଥିଲି । ପରମଜ୍ଞାନ ଦେବି ବୋଲି ॥ ୪୭
ପୁତ୍ର-ବିଷୟେ ମନ ତୋର । ଜାଣିଣ ଦେଲୁ ପୁତ୍ରବର ॥ ୪୮
ଏବେ ତୁ ପୁତ୍ରଶୋକଭର । ଅନୁଭବିଲୁ ନୃପବର ॥ ୪୯
ଐଶ୍ୱର୍ଯ୍ୟ ଦାରା ଗୃହ ଧନ । ଭୃତ୍ୟ ଅମାତ୍ୟ ପ୍ରିୟଜନ ॥ ୫୦
ବିଷୟ ରାଜ୍ୟ ସୈନ୍ୟ କୋଷ । ଆତ୍ମାପୂରଣେ ନୋହେ ତୋଷ ॥ ୫୧
ଏ ସର୍ବ ଶୋକ-ମୋହକର । ଭୟ ଉଦବେଗର ଘର ॥ ୫୨
କର୍ମକୁ ଧ୍ୟାୟି ଯେଉଁଜନ । କରଇ ନାନାକର୍ମମାନ ॥ ୫୩
ନାନାକର୍ମରେ ମନ ତାର । ପ୍ରବେଶ ହୋଏ ନିରନ୍ତର ॥ ୫୪
ଏମନ୍ତେ ଦେହୀମାନଙ୍କର । ଦେହଟି ଏ ମାୟାସଂସାର ॥ ୫୫
ବିବିଧ-କ୍ଲେଶ ଯେ ତାଙ୍କର । ସନ୍ତାପ କାରଣ ଅପାର ॥ ୫୬
ଏହି କାରଣୁ ହେ ରାଜନ । ଆତ୍ମାର ହିତେ କର ମନ ॥ ୫୭
ଏ ବିଶ୍ୱ-ସଂସାର ଅସାର । ଦେହର ଗତିକୁ ବିଚାର ॥ ୫୮
ଶୋକ ନ କରି ନୃପବର । ଆତ୍ମାମନକୁ ସ୍ଥିର କର ॥ ୫୯
ନାରଦ ଉବାଚ
ଏ ଯେ ମୋହର ମନ୍ତ୍ରଦୀକ୍ଷା । ଶୁଚି ହୋଇଣ କର ଶିକ୍ଷା ॥ ୬୦
ଏ ବିଦ୍ୟା ଧରି ସାତଦିନ । ଦେଖିବୁ ପ୍ରଭୁ ସଙ୍କର୍ଷଣ ॥ ୬୧
ପଦପଙ୍କଜଟି ଯାହାର । ଆଶ୍ରୟ କରିଣ ଶଙ୍କର ॥ ୬୨
ସର୍ବବିଷୟକୁ ଛାଡିଲେ । ତକ୍ଷଣେ ସେ ପଦ ଲଭିଲେ ॥ ୬୩
ତୁମ୍ଭେ ଏ ବିଦ୍ୟାର ପ୍ରସାଦେ । ତାହା ଲଭିବ ଅପ୍ରମାଦେ ॥ ୬୪
ଚିତ୍ରକେତୁ ଶୋକ-ଖଣ୍ତନ । ସୁଜନେ ଏଣେ ଦିଅ ମନ ॥ ୬୫
ତୁମ୍ଭର ତାପ କ୍ଷୟ ଯାଉ । ଶରଣ ପଶ ମହାବାହୁ ॥ ୬୬
ନ ଲାଗେ ମୋହ ଶୋକପାଶ । ଅନ୍ତେ ଶ୍ରୀକୃଷ୍ଣ-ରସେ ରସ ॥ ୬୭
ବୋଲଇ ଦାସ ଜଗନ୍ନାଥ । ହରିଚରିତ ଭାଗବତ ॥ ୬୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚିତ୍ରକେତୁସାନ୍ତ୍ୱନଂ ନାମ
ପଞ୍ଚଦଶୋଽଧ୍ୟାୟଃ ॥
* * *