ଷଷ୍ଠ ସ୍କନ୍ଧ

ପଞ୍ଚଦଶ ଅଧ୍ୟାୟ

ଶୁକ ଉବାଚ

ଶୁଣ ସାନନ୍ଦେ କୁରୁଶ୍ରେଷ୍ଠ । ସେ ମୃତପୁତ୍ରର ନିକଟ ॥

ଶୋକରେ ଜ୍ଞାନଭ୍ରଷ୍ଟ ହୋଇ । ଚିତ୍ରକେତୁ ପଡି ଅଛଇ ॥

ନାରଦ-ଅଙ୍ଗିରସ ଦୁଇ । ମିଳିଲେ ତାର ପାଶେ ଯାଇ ॥

ଉତ୍ତମ-ବାକ୍ୟମାନ କହି । ବୋଧୁଅଛନ୍ତି ରାଜା ଚାହିଁ ॥

ଭୋ ଚିତ୍ରକେତୁ ନୃପବର । ତୁମ୍ଭେ ଯା ପାଇଁ ଶୋକ କର ॥

ତୋହର ଏ କିସ ଅଟଇ । ତୁହି ଏହାର କି ବା ହୋଇ ॥

ଏହାର ପୂର୍ବେ ସୁତ ତୁହି । ପିତା ତୁ କେତେ ଜନ୍ମ ହୋଇ ॥

ଏବେ ତୁମ୍ଭର ସୁତ ଏହି । ସଂସାର-ମାୟା ଏ ଅଟଇ ॥

ଯେସନେ ନଦୀସ୍ରୋତଜଳେ । ବାଲୁକା ନ ରହେ ନିଶ୍ଚଳେ ॥

ସଂଯୋଗ-ବିଯୋଗ ହୁଅଇ । ବାଲୁକା ଭାସି ଯାଉଥାଇ ॥ ୧୦

ତେସନେ ପ୍ରାଣୀ ଯଥାକାଳେ । ଆସଇ ଯାଇ କର୍ମବଳେ ॥ ୧୧

ବୀଜରୁ ବୀଜ ହୋଇ ନୋହି । ପ୍ରାଣୀହିଁ ତେମନ୍ତ ଅଟଇ ॥ ୧୨

ଈଶ୍ୱରମାୟାରେ ଜଗତ । ଉତ୍ପତ୍ତି ନାଶ ସର୍ବଭୂତ ॥ ୧୩

ନର ଅମରଆଦି ଯେତେ । ଚର-ଅଚରଙ୍କ ସହିତେ ॥ ୧୪

ଜନ୍ମ-ମରଣ ଆଗପଛ । ହୁଅଇ ଦେଖ ତୁ ପ୍ରତ୍ୟକ୍ଷ ॥ ୧୫

ଭୂତରେ କରିଣ ଈଶ୍ୱର । ଜନ୍ମାଇ ଅଖିଳ-ସଂସାର ॥ ୧୬

ପ୍ରତିପାଳନ କରି ପୁଣ । ସଂହାର କରଇ ତକ୍ଷଣ ॥ ୧୭

ଆୟତ୍ତ ନୁହଁଇ କାହାର । ଯେହ୍ନେ ବାଳକ-ଖେଡ଼ଘର ॥ ୧୮

ଦେହରୁ ଦେହ ହୋଇ ଜାତ । ରାଜନ ଶୁଣ ଏକଚିତ୍ତ ॥ ୧୯

ବୀଜରୁ ବୀଜ ଯେହ୍ନେ ଜାତ । ଆତ୍ମାରୁ ନିର୍ମିତ ଜଗତ ॥ ୨୦

ଆତ୍ମା ଶରୀର ଭିନ୍ନ କରି । ପୂର୍ବେ ଯେ ବିଧାତା ବିଚାରି ॥ ୨୧

ଜାତି-ସଜ୍ଞାରେ କରେ ଭିନ୍ନେ । ସୁବର୍ଣ୍ଣେ ନାନାଦ୍ରବ୍ୟ ଯେହ୍ନେ ॥ ୨୨

ଶୁକ ଉବାଚ

ଉତ୍ତମ-ବାକ୍ୟ ବିପ୍ରଙ୍କର । ଶୁଣି ଆଶ୍ୱସ୍ତ ନୃପବର ॥ ୨୩

ମଳିନମୁଖ ଆପଣାର । ପୋଛିଣ କହଇ ମଧୁର ॥ ୨୪

ଚିତ୍ରକେତୁ ଉବାଚ

କେ ତୁମ୍ଭେ ବିପ୍ର ଦୁଇଜଣ । ଅଶେଷଜ୍ଞାନେ ପରିପୂର୍ଣ୍ଣ ॥ ୨୫

ଜ୍ଞାନୀମାନଙ୍କେ ତୁମ୍ଭେ ବର । ଅବଧୂତବେଶ ତୁମ୍ଭର ॥ ୨୬

ସ୍ୱଭାବେ ଗୁପ୍ତପ୍ରାୟ ହୋଇ । ଆସି ମିଳିଲ ତୁମ୍ଭେ ଦୁଇ ॥ ୨୭

ବିଷ୍ଣୁର ଦୂତପ୍ରାୟ ହୋଇ । ଭ୍ରମଣ କରୁଅଛ ମହୀ ॥ ୨୮

ମୋହର ପ୍ରାୟେ ଦୁଃଖୀ ହୋଇ । ସଂସାରେ ଯେ ଅବା ଅଛଇ ॥ ୨୯

ତାହାଙ୍କ ହିତ କରିବାରେ । ଭ୍ରମଣ ତୁମ୍ଭର ସଂସାରେ ॥ ୩୦

ଗୌତମ ଅସିତ ଦେବଳ । କୁମାର ବଶିଷ୍ଠ କପିଳ ॥ ୩୧

ମାରକଣ୍ତŠ ବ୍ୟାସ ଅଙ୍ଗିରା । ରୋମଶ ଦତ୍ତ ବେଦଶିରା ॥ ୩୨

ଦୁର୍ବାସା ଯାଜ୍ଞବଲ୍‌କ୍ୟ ମୁନି । ଜାତୂକର୍ଣ୍ଣ୍ୟ ବାଦରାୟଣି ॥ ୩୩

ଋତଧ୍ୱଜ ଯେ ଶ୍ରୁତଦେବ । ପଞ୍ଚଶିଖ ହିରଣ୍ୟନାଭ ॥ ୩୪

କୌଶଲ୍ୟ ନାରଦ ଆସୁରି । ଧୌମ୍ୟ ଚ୍ୟବନ ପତଞ୍ଜଳି ॥ ୩୫

ଋଭୁ ସହିତେ ସିଦ୍ଧେଶ୍ୱରେ । ଏମାନେ ଭ୍ରମନ୍ତି ସଂସାରେ ॥ ୩୬

ପ୍ରାଣୀଙ୍କ ମଙ୍ଗଳ କାରଣେ । ଭ୍ରମୁ ଅଛନ୍ତି ଅନୁକ୍ଷଣେ ॥ ୩୭

ସ୍ୱଭାବେ ଗ୍ରାମ୍ୟପଶୁ ମୁହିଁ । ଅନ୍ଧତମରେ ବୁଡିଛଇଁ ॥ ୩୮

କେ ତୁମ୍ଭେ ଦୁଇସିଦ୍ଧ କହ । ଜ୍ଞାନଦୀପକୁ ମୋତେ ଦିଅ ॥ ୩୯

ଅଙ୍ଗିରା ଉବାଚ

ହେ ଚିତ୍ରକେତୁ ନୃପବର । ମୁଁ ଦେଇଥିଲି ଏ କୁମର ॥ ୪୦

ଅଙ୍ଗିରା ନାମଟି ମୋହର । ଏ ଦେଖ ବ୍ରହ୍ମାଙ୍କ କୁମର ॥ ୪୧

ପରମ-ବିଷ୍ଣୁଭକ୍ତ ଏହି । ନାରଦ ବୋଲି ଯାକୁ କହି ॥ ୪୨

ଶୋକସାଗରେ ମଗ୍ନ ତୋର । ଦେଖିଲୁ ଯହୁଁ ନୃପବର ॥ ୪୩

ତୋହର ଯୋଗ୍ୟ ଏ ନୁହଁଇ । ଏହା ବିଚାରି ଆମ୍ଭେ ଦୁଇ ॥ ୪୪

ତୋ ଠାରେ ଅନୁଗ୍ରହ କରି । ଅଇଲୁ ଶୁଣ ଦଣ୍ତŠଧାରୀ ॥ ୪୫

ବ୍ରହ୍ମଣ୍ୟ-କୃଷ୍ଣଭକ୍ତ ହେଉ । ଶୋକେ ନ ବୁଡ଼ ମହାବାହୁ ॥ ୪୬

ପୂର୍ବେ ତୋ ଗୃହେ ଆସିଥିଲି । ପରମଜ୍ଞାନ ଦେବି ବୋଲି ॥ ୪୭

ପୁତ୍ର-ବିଷୟେ ମନ ତୋର । ଜାଣିଣ ଦେଲୁ ପୁତ୍ରବର ॥ ୪୮

ଏବେ ତୁ ପୁତ୍ରଶୋକଭର । ଅନୁଭବିଲୁ ନୃପବର ॥ ୪୯

ଐଶ୍ୱର୍ଯ୍ୟ ଦାରା ଗୃହ ଧନ । ଭୃତ୍ୟ ଅମାତ୍ୟ ପ୍ରିୟଜନ ॥ ୫୦

ବିଷୟ ରାଜ୍ୟ ସୈନ୍ୟ କୋଷ । ଆତ୍ମାପୂରଣେ ନୋହେ ତୋଷ ॥ ୫୧

ଏ ସର୍ବ ଶୋକ-ମୋହକର । ଭୟ ଉଦବେଗର ଘର ॥ ୫୨

କର୍ମକୁ ଧ୍ୟାୟି ଯେଉଁଜନ । କରଇ ନାନାକର୍ମମାନ ॥ ୫୩

ନାନାକର୍ମରେ ମନ ତାର । ପ୍ରବେଶ ହୋଏ ନିରନ୍ତର ॥ ୫୪

ଏମନ୍ତେ ଦେହୀମାନଙ୍କର । ଦେହଟି ଏ ମାୟାସଂସାର ॥ ୫୫

ବିବିଧ-କ୍ଲେଶ ଯେ ତାଙ୍କର । ସନ୍ତାପ କାରଣ ଅପାର ॥ ୫୬

ଏହି କାରଣୁ ହେ ରାଜନ । ଆତ୍ମାର ହିତେ କର ମନ ॥ ୫୭

ଏ ବିଶ୍ୱ-ସଂସାର ଅସାର । ଦେହର ଗତିକୁ ବିଚାର ॥ ୫୮

ଶୋକ ନ କରି ନୃପବର । ଆତ୍ମାମନକୁ ସ୍ଥିର କର ॥ ୫୯

ନାରଦ ଉବାଚ

ଏ ଯେ ମୋହର ମନ୍ତ୍ରଦୀକ୍ଷା । ଶୁଚି ହୋଇଣ କର ଶିକ୍ଷା ॥ ୬୦

ଏ ବିଦ୍ୟା ଧରି ସାତଦିନ । ଦେଖିବୁ ପ୍ରଭୁ ସଙ୍କର୍ଷଣ ॥ ୬୧

ପଦପଙ୍କଜଟି ଯାହାର । ଆଶ୍ରୟ କରିଣ ଶଙ୍କର ॥ ୬୨

ସର୍ବବିଷୟକୁ ଛାଡିଲେ । ତକ୍ଷଣେ ସେ ପଦ ଲଭିଲେ ॥ ୬୩

ତୁମ୍ଭେ ଏ ବିଦ୍ୟାର ପ୍ରସାଦେ । ତାହା ଲଭିବ ଅପ୍ରମାଦେ ॥ ୬୪

ଚିତ୍ରକେତୁ ଶୋକ-ଖŠଣ୍ତନ । ସୁଜନେ ଏଣେ ଦିଅ ମନ ॥ ୬୫

ତୁମ୍ଭର ତାପ କ୍ଷୟ ଯାଉ । ଶରଣ ପଶ ମହାବାହୁ ॥ ୬୬

ନ ଲାଗେ ମୋହ ଶୋକପାଶ । ଅନ୍ତେ ଶ୍ରୀକୃଷ୍ଣ-ରସେ ରସ ॥ ୬୭

ବୋଲଇ ଦାସ ଜଗନ୍ନାଥ । ହରିଚରିତ ଭାଗବତ ॥ ୬୮

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଚିତ୍ରକେତୁସାନ୍ତ୍ୱନଂ ନାମ

ପଞ୍ଚଦଶୋଽଧ୍ୟାୟଃ ॥

* * *