ଷଷ୍ଠ ସ୍କନ୍ଧ

ଚତୁŸର୍ଦ୍ଦଶ ଅଧ୍ୟାୟ

ଶୁକ ଚରଣ ଧରି ରାଜା । ସାନନ୍ଦମନେ କଲେ ପୂଜା ॥

ପରୀକ୍ଷିତ ଉବାଚ

ଭୋ ମୁନି ଶୁଣ ସାବଧାନେ । ଏ ତ ସଂଶୟ ମୋର ମନେ ॥

ଭୋ ମୁନି ଅସମ୍ଭବ କଥା । ବୃତ୍ର ଅସୁରର ବ୍ୟବସ୍ଥା ॥

ରଜ ତାସମ ଭାବ ତାର । ପାପୀ ଅଟଇ ବୃତ୍ରାସୁର ॥

ଅଖିଳ-ହେତୁ ଭଗବାନେ । ତାହାର ମତି ବା କେସନେ ॥

ସତ୍ତ୍ୱପ୍ରଧାନ ଦେବଗଣ । ନିର୍ମଳଆତ୍ମା ମୁନିଜନ ॥

ମୁକୁଦ-ପାଦପଙ୍କଜରେ । ଏହାଙ୍କ ମନ ନୋହେ ସ୍ଥିରେ ॥

ରଜଗୁଣରେ ଯୁକ୍ତ ହୋଇ । ସଂସାରେ ଯେତେକ ଅଛଇ ॥

ଏହାଙ୍କ ମଧ୍ୟେ କେହି ଜନ । ଶ୍ରେୟ କରଇ ଆଚରଣ ॥

ଏହାଙ୍କ ମଧ୍ୟେ କେହି ନରେ । ମୋକ୍ଷ ବା‚ଞ୍ଛନ୍ତି ଏ ସଂସାରେ ॥ ୧୦

ତାହାଙ୍କ ମଧ୍ୟେ କେହି ଜନ । କଷ୍ଟେ ଲଭନ୍ତି ଭଗବାନ ॥ ୧୧

ଦୁର୍ଲ୍ଲଭ ମୁନିମାନଙ୍କର । ବିଷ୍ଣୁଭକତ ଯେଉଁ ନର ॥ ୧୨

କୋଟିକେ ଗୋଟିଏ ଯେ ଥାଇ । ଶୁଣିମା ସାବଧାନ ହୋଇ ॥ ୧୩

ସ୍ୱଭାବେ ବୃତ୍ର ଅତିପାପ । ଲୋକଙ୍କୁ ଦେଇଅଛି ତାପ ॥ ୧୪

କେମନ୍ତେ ମହାଘୋରରଣେ । ତା ମତି ହେଲା ନାରାୟଣେ ॥ ୧୫

ଏଣେ ସଂଶୟ ମନ ମୋର । ଫେଡ଼ି କହିବା ମୁନିବର ॥ ୧୬

ଯେ ବୃତ୍ର ଘୋରସଂଗ୍ରାମରେ । ବଳେ ତୋଷିଲା ବଜ୍ରଧରେ ॥ ୧୭

ସୂତ ଉବାଚ

ସନ୍ତୋଷେ ରାଜା ପ୍ରଶ୍ନ ଶୁଣି । ଆନନ୍ଦେ ଯେ ବାଦରାୟଣି ॥ ୧୮

ହରଷ ହୋଇ ମୁନିବର । ବଚନ କହନ୍ତି ମଧୁର ॥ ୧୯

ଶୁକ ଉବାଚ

ଶୁଣ ରାଜନ ଏକମନେ । ଯେ ଇତିହାସ ପୁରାତନେ ॥ ୨୦

ବେଦବ୍ୟାସଙ୍କ ବାକ୍ୟ ମୁହିଁ । ନାରଦ ତହୁଁ ଶୁଣିଛଇଁ ॥ ୨୧

ପୂର୍ବେ ଶୂରସେନ - ଦେଶର । ଥିଲା ଯେ ଏକ ନୃପବର ॥ ୨୨

ଚିତ୍ରକେତୁ ନାମ ତାହାର । କାମଧେନୁ ପୃଥ୍ୱୀ ଯାହାର ॥ ୨୩

ଦଶନିୟୁତ ପତ୍ନୀ ତାର । ରୂପେ କି ଦେବା ପଟାନ୍ତର ॥ ୨୪

ଯେତେକ ଥିଲେ ତାର ନାରୀ । ପୁତ୍ର ଯେ ନୋହିଲା କାହାରି ॥ ୨୫

ରୂପେ ସୁନ୍ଦର ମନୋହର । ବିଦ୍ୟା ସମ୍ପଦ ମତି ଧୀର ॥ ୨୬

ଏ ସର୍ବଗୁଣ ଅଛି ତାର । ସୁତ ନ ଲଭି ଚିନ୍ତାଭର ॥ ୨୭

ଅମାତ୍ୟ ସମ୍ପଦ ସହିତେ । ପଟ୍ଟମହିଷୀ ତାର ଯେତେ ॥ ୨୮

କାମଦୁଘାର ପ୍ରାୟେ ମହୀ । ସୁଖ ନୋହିଲେ ତାର କେହି ॥ ୨୯

ଶୁଣ ରାଜନ ଏକଦିନେ । ସେ ଚିତ୍ରକେତୁର ଭୁବନେ ॥ ୩୦

ଅଙ୍ଗିରାଋଷି ବ୍ରହ୍ମସୁତ । ମିଳିଲେ ରାଜାର ଅଗ୍ରତ ॥ ୩୧

ସ୍ୱଇଚ୍ଛାଲୋକରେ ବିହାର । ମିଳିଲେ ଚିତ୍ରକେତୁ ପୁର ॥ ୩୨

ତାହାଙ୍କୁ ଦେଖି ନୃପବର । ସତ୍ୱରେ କଲେ ନମସ୍କାର ॥ ୩୩

ଉତ୍ତମ-ଆସନେ ବସାଇ । ପୂଜିଲେ ପାଦ୍ୟଅର୍ଘ୍ୟ ଦେଇ ॥ ୩୪

ସୁଖେ ଆସନେ ବସି ଋଷି । ଚିତ୍ରକେତୁକୁ ପରଶଂସି ॥ ୩୫

ଭକତି ଦେଖିଣ ତାହାର । ଆଶିଷ ଦେଲେ ମୁନିବର ॥ ୩୬

ରାଜାକୁ କରି ଆଶ୍ୱାସନ । କହନ୍ତି ମଧୁର-ବଚନ ॥ ୩୭

ହେ ରାଜା ଚିତ୍ରକେତୁ ଶୁଣ । ତୁମ୍ଭର ପରମ କଲ୍ୟାଣ ॥ ୩୮

ତୁମ୍ଭର ପାତ୍ରମନ୍ତ୍ରୀ ଯେତେ । କୁଶଳଟି କି ଏ ସମସ୍ତେ ॥ ୩୯

ଦାରା ତନୟ ଭୃତ୍ୟ ଯେତେ । ସୁହୃଦ ପରଜା ସହିତେ ॥ ୪୦

ଯାହାର ଆତ୍ମା ଆତ୍ମବଶ । ତାହାର ବଶ ଏ ଅଶେଷ ॥ ୪୧

ଯାହାର ଆତ୍ମା ବଶ ହୋଇ । ସର୍ବତ୍ର ପୂଜ୍ୟ ସେ ଅଟଇ ॥ ୪୨

ଆତ୍ମସମ୍ପଦ ତୋର ଯେତେ । ଅମାତ୍ୟ ପୁରବାସୀ ଯେତେ ॥ ୪୩

ତୁମ୍ଭର ପ୍ରିୟ ନୋହେ କେହି । ଏମନ୍ତ ପ୍ରାୟ ମୁଁ ମଣଇଁ ॥ ୪୪

ଚିନ୍ତା-ମଳିନ ମୁଖ ତୋର । ଅଲବ୍ଧକାମ ନୃପବର ॥ ୪୫

ଶୁକ ଉବାଚ

ଶୁଣ ପରୀକ୍ଷ ନୃପମଣି । ସେ ରାଜା ମୁନିବାକ୍ୟ ଶୁଣି ॥ ୪୬

ହୃଦରେ ପୁତ୍ରକାମୀ ହୋଇ । ବିରସେ ମୁନିଙ୍କି କହଇ ॥ ୪୭

ଚିତ୍ରକେତୁ ଉବାଚ

ଭୋ ମୁନି ତୁମ୍ଭ ଅଗୋଚରେ । କି ଅବା ଅଛି ଏ ସଂସାରେ ॥ ୪୮

ପ୍ରାଣୀର ଅନ୍ତର ବାହାରେ । ଦେଖ ତପସ୍ୟା-ପ୍ରଭାବରେ ॥ ୪୯

ତଥାପି ଆଜ୍ଞା ପରମାଣେ । କହିବି ଶୁଣ ସାବଧାନେ ॥ ୫୦

ମନରେ ଯେବା ଚିନ୍ତା ମୋର । ପ୍ରଶ୍ନ ଯେ କଲ ମୁନିବର ॥ ୫୧

ଦେବଗଣଙ୍କୁ ଯେ ଦୁର୍ଲ୍ଲଭ । ସାମ୍ରାଜ୍ୟ ସମ୍ପଦ ବିଭବ ॥ ୫୨

ପୁତ୍ର-ବିହୀନେ ମୋର ଦେହୀ । କେବେହେଁ ସୁଖ ନ ଲଭଇ ॥ ୫୩

କ୍ଷୁଧା ତୃଷାରେ ଖିନ୍ନଜନ । ନ ଲୋଡେ ବିନୁ ଅନ୍ନପାନ ॥ ୫୪

ଭୋ ମହାଭାଗ ମୁନିବର । କେମନ୍ତେ ତରିବି ସଂସାର ॥ ୫୫

ପିତୃଋଣରୁ ମୋତେ ପାର । କରିବାହେଉ ମୁନିବର ॥ ୫୬

ପୁତ୍ର ଯେମନ୍ତେ ମୋର ହୋଇ । ସଂସାର-ଦୁଃଖରୁ ତରଇ ॥ ୫୭

ଶୁକ ଉବାଚ

ରାଜାର ଶୁଣି ଏ ବଚନ । କୃପାଳୁ ବ୍ରହ୍ମାଙ୍କ ନନ୍ଦନ ॥ ୫୮

ଯଜ୍ଞ କରିଣ ମୁନିବର । ଆରାଧି ଅଖିଳ ଈଶ୍ୱର ॥ ୫୯

ରାଜାର ଜ୍ୟେଷ୍ଠ ଯେହୁନାରୀ । କୃତଦ୍ୟୁତି ନାମ ତାହାରି ॥ ୬୦

ଯଜ୍ଞର ଚରୁ ତାକୁ ଦେଲେ । ରାଜାକୁ ଏମନ୍ତ କହିଲେ ॥ ୬୧

ଭୋ ଚିତ୍ରକେତୁ ନୃପବର । ହୋଇବ ଏକ ତୋ କୁମର ॥ ୬୨

ହରଷ-ଶୋକ ଦେବ ତୋତେ । କହି ଚଳିଲେ ଶୂନ୍ୟପଥେ ॥ ୬୩

ଚିତ୍ରକେତୁର ତହୁଁ ସେହି । କୃତଦ୍ୟୁତି ଯେ ମହାଦେଈ ॥ ୬୪

ଚରୁର ଭୋଜନ ମାତ୍ରକେ । ଗର୍ଭ ଧଇଲେ ସେହୁ ସୁଖେ ॥ ୬୫

ଅଙ୍ଗିରାମୁନିର ପ୍ରସାଦେ । ଗର୍ଭ ହୋଇଲା ଅପ୍ରମାଦେ ॥ ୬୬

ଅଗ୍ନିରୁ କୃତ୍ତିକା ଯେମନ୍ତ । ଗର୍ଭ ଧଇଲା ସେହିମତ ॥ ୬୭

ତାହାର ଗର୍ଭ ପ୍ରତିଦିନେ । ଶୁକ୍ଳପକ୍ଷର ଚନ୍ଦ୍ର ଯେହ୍ନେ ॥ ୬୮

ଚିତ୍ରକେତୁ-ତେଜେ ରାଜନ । ଗର୍ଭବଢ଼ିଲା ଦିନୁଦିନ ॥ ୬୯

ଏମନ୍ତେ ପୂର୍ଣ୍ଣ ସମ୍ବତ୍ସ›ରେ । ଜନ୍ମିଲା ତାହର କୁମରେ ॥ ୭୦

ଶୂରସେନରେ ଯେତେ ଲୋକ । ହରଷ ଲଭିଲେ ଅନେକ ॥ ୭୧

ପରମାନନ୍ଦେ ସେ ରାଜନ । ତକ୍ଷଣେ କଲାକ ସ୍ନାହାନ ॥ ୭୨

ଶୁଚି ହୋଇଣ ନୃପବର । ଭୂଷିତ ହୋଇ ଅଳଙ୍କାର ॥ ୭୩

ବ୍ରାହ୍ମଣ ଆଣି ବେଦଧର୍ମ । କଲା ସେ ପୁତ୍ର ଜାତକର୍ମ ॥ ୭୪

ବ୍ରାହ୍ମଣେ ସୁବର୍ଣ୍ଣ ରଜତ । ଦେଲା ସେ ଧେନୁ ଶତଶତ ॥ ୭୫

ପୃଥିବୀ ଗଜ ହୟମାନ । ଦେଲା ସେ ବିବିଧବସନ ॥ ୭୬

ଯେ ଲୋକେ ଯାହା ବାଞ୍ଛାକଲେ । ମନ-ସନ୍ତୋଷେ ତା ଲଭିଲେ ॥ ୭୭

ପ୍ରାଣୀ - ସନ୍ତୋଷେ ମଘବାନ । ବରଷା କରଇ ଯେସନ ॥ ୭୮

ପୁତ୍ର ଆୟୁଷ ଯଶ ଧର୍ମ । ବିବୃଦ୍ଧି ଅର୍ଥେ ଦେଲା ଦାନ ॥ ୭୯

କଷ୍ଟରେ ଲଭିଲା ଯେ ସୁତ । ତାଠାରେ ସ୍ନେହ ତା ବହୁତ ॥ ୮୦

ଦରିଦ୍ର ଯେହ୍ନେ ଧନ ପାଇ । ତେସନେ ହରଷ ସେ ହୋଇ ॥ ୮୧

ମାତା ଯେ ଅତି ସ୍ନେହଭରେ । ମୋହ ହୋଇଲା ପୁତ୍ରଠାରେ ॥ ୮୨

କୃତଦ୍ୟୁତି ସପତ୍ନୀମାନେ । ଦୁଃଖିତ ସନ୍ତତି ବିହୀନେ ॥ ୮୩

ଚିତ୍ର କେତୁର ସ୍ନେହ ହୋଇ । ପୁତ୍ରବତୀ ଭାରିଯା ତହିଁ ॥ ୮୪

ଅନ୍ୟ ଯେ ପତ୍ନୀମାନେ ଥାନ୍ତି । ସେଭାବେ ନାହିଁ ସ୍ନେହମତି ॥ ୮୫

ଅପରେ ଦୁଃଖ ତାହାଙ୍କର । ରାଜାର ଯେଣୁ ଅନାଦର ॥ ୮୬

ସେମାନେ ମନେ ଦୁଃଖ କରି । ଆତ୍ମାର ନିନ୍ଦାକୁ ଆଚରି ॥ ୮୭

ପାପିଷ୍ଠୀ ଏହୁ କୃତଦ୍ୟୁତି । ଧିକ ଏହାର ଏ ସନ୍ତତି ॥ ୮୮

ଗୃହ ସମ୍ପଦ ଯେ ସ୍ୱାମୀର । ଧିକ ଏ ହେଉ ଦୁରାଚାର ॥ ୮୯

ଏ ସପତଣୀର ଚରଣେ । ଦାସୀ ହୋଇଲୁ ଅକାରଣେ ॥ ୯୦

ଦାସୀର କି ଅବା ସନ୍ତାପ । ଯେ ସେବେ ସ୍ୱାମୀର ସମୀପ ॥ ୯୧

ମାନ ନ ଲଭୁ ଆମ୍ଭେ କ୍ଷଣେ । ଦାସୀର ଦାସୀ ହୋଇ ଯେହ୍ନେ ॥ ୯୨

ସପତ୍ନୀ-ପୁତ୍ର-ବିଭୂତିରେ । ଅନ୍ଧ ହୋଇଲେ କ୍ରୋଧଭରେ ॥ ୯୩

ସକଳେ ଏକଚିତ୍ତ ହେଲେ । ରାଜାର ହିଂସା ଆଚରିଲେ ॥ ୯୪

ଦାରୁଣଚିତ୍ତ ସ୍ତିରୀଜନ । କ୍ରୋଧେ ହୋଇଲେ ହତଜ୍ଞାନ ॥ ୯୫

ସ୍ୱାମୀକୁ ଅତି କ୍ରୋଧକଲେ । ଗରଳ କୁମରକୁ ଦେଲେ ॥ ୯୬

ଏହା ନ ଜାଣେ କୃତଦ୍ୟୁତି । ସପତ୍ନୀମାନଙ୍କର ଗତି ॥ ୯୭

ପୁତ୍ର ଶୁଆଇଥିଲା ଘରେ । ଗଲା ସେ ଗୃହ ଅଭ୍ୟନ୍ତରେ ॥ ୯୮

ଅନେକବେଳ ତହୁଁ ଗଲା । ପୁତ୍ର ଆଣିବ ମନେ କଲା ॥ ୯୯

ଧାଈକି ବୋଲଇ ଉତ୍ତର । ଭୋ ସଖି ପୁତ୍ର ଆଣ ମୋର ॥ ୧୦୦

ତାହାର ଆଜ୍ଞା ପାଇ ଧାଈ । ବାଳକ ନିକଟେ ମିଳଇ ॥ ୧୦୧

ଦେଖିଲା ଶୋଇଅଛି ପୁତ୍ର । ଲେଉଟି ପଡିଛି ତା ନେତ୍ର ॥ ୧୦୨

ପ୍ରାଣ ଇନ୍ଦ୍ରିୟ ନାହିଁ ତାର । ଦେଖି ସେ ପଡିଲା ଭୂମିର ॥ ୧୦୩

ହତ ହୋଇଲି ବୋଲି ଧାଈ । ପଡ଼ିଲା ଚେତନା ହରାଇ ॥ ୧୦୪

ବେନିକରରେ ହୃଦ ତାଡି । ଆରତେ ପାଡିଲା ଯେ ରଡି ॥ ୧୦୫

ତା ଶୁଣି ପାଟ ମହାଦେଈ । ଧାଇଁଲା ଅସମ୍ଭାଳ ହୋଇ ॥ ୧୦୬

ପୁତ୍ରର ନିକଟେ ମିଳିଲା । ମୃତପୁତ୍ରକୁ ସେ ଦେଖିଲା ॥ ୧୦୭

ରମ୍ଭାଦ୍ରୁମ କି ବାତଭରେ । ତେସନେ ପଡିଲା ଭୂମିରେ ॥ ୧୦୮

ତକ୍ଷଣେ ମୋହ ସେ ପାଇଲା । କେଶ-ବସନ ଖସିଗଲା ॥ ୧୦୯

ରାଜାର ଅନ୍ତଃପୁରଜନ । ସ୍ତିରୀ ପୁରୁଷ ହେ ରାଜନ ॥ ୧୧୦

ରୋଦନ ଶୁଣିଣ ଅଇଲେ । ସମସ୍ତେ ଶୋକରେ ମଜ୍ଜିଲେ ॥ ୧୧୧

କହିବା ଶୁଣ ନୃପବର । ଯେତେକ ସପତ୍ନୀ ତାହାର ॥ ୧୧୨

ଅନ୍ତରେ ସୁଖ ସେ ଆଚରି । ବାହ୍ୟେ କପଟ-ଶୋକ କରି ॥ ୧୧୩

ପୁତ୍ର-ମରଣ ରାଜା ଶୁଣି । ମୃତ୍ୟୁର କାରଣ ନ ଜାଣି ॥ ୧୧୪

ମୋହରେ ନଦିଶଇ ପଥ । ପଦପାଦକେ ଜ୍ଞାନହତ ॥ ୧୧୫

ସ୍ନେହବନ୍ଧନୁ ଶୋକ ବଢ଼ି । ମୂର୍ଚ୍ଛିତ ହୋଇ ଛାଡେ ରଡି ॥ ୧୧୬

ଅମାତ୍ୟ ଆଦି ଯେତେଜନ । ଦେଖୁଅଛନ୍ତି ସେ ରାଜନ ॥ ୧୧୭

ମୃତବାଳକ-ପାଦତଳେ । ପଡ଼ିଲା ଯାଇ ମତିଭୋଳେ ॥ ୧୧୮

ଖସିଣ ପଡିଅଛି କେଶ । ବିଚିତ୍ର-ପରିଧାନ-ବାସ ॥ ୧୧୯

ଦୀର୍ଘନିଃଶ୍ୱାସ ସେ ଛାଡ଼ଇ । ନୟନୁ ଅଶ୍ରୁଜଳ ବହି ॥ ୧୨୦

ନିରୋଧ କଣ୍ଠଦ୍ୱାର ହୋଇ । ବଚନ ନ ପାରଇ କହି ॥ ୧୨୧

ପତିକୁ ଦେଖି ଶୋକଭର । ମରଣ ଦେଖି କୁମରର ॥ ୧୨୨

କୃତଦ୍ୟୁତି ଯେ ମହାଦେଈ । ବିଚିତ୍ର-ବିଳାପ କରଇ ॥ ୧୨୩

ସ୍ତନଯୁଗଳ ଯେ ତାହାର । ମଣ୍ଡିତ କୁଙ୍କୁମପଙ୍କର ॥ ୧୨୪

ଅଞ୍ଜନ ସହିତେ ଲୋତକ । ଧଉତ କଲା ତାର ବକ୍ଷ ॥ ୧୨୫

କେଶ ହୋଇଲା ଅସମ୍ଭାଳ । ଖସି ପଡ଼ିଲା ପୁଷ୍ପମାଳ ॥ ୧୨୬

କୁରରୀ ପ୍ରାୟେ ଶୋକଭରେ । ରୋଦନ କରେ ଉଚ୍ଚସ୍ୱରେ ॥ ୧୨୭

ହେ ବିଧି ମତି ତୋ ଦାରୁଣ । ବାଳକ ପ୍ରାୟ ଆଚରଣ ॥ ୧୨୮

ସକଳ କରି ନିରିମାଣ । ଆପଣେ କରୁ ତୁ ଭଞ୍ଜନ ॥ ୧୨୯

ସାନ ମରଇ ବଡ ଥାଇ । ଏହାର ନିଦାନ ନ ପାଇ ॥ ୧୩୦

ଯେବେ ସଂସାରେ ପ୍ରାଣୀଙ୍କର । ଅକ୍ରମ ଜନ୍ମ ମରଣର ॥ ୧୩୧

ସ୍ନେହପାଶକୁ ବଢ଼ାଇଣ । କିମ୍ପାଇଁ କରୁ ରଣଭଣ ॥ ୧୩୨

ଏମନ୍ତେ ସୃଷ୍ଟି ତୋ ଭିଆଣ । ଅଜ୍ଞାନୀ ପରାଣୀ ଯେସନ ॥ ୧୩୩

ହେ ତାତ ତନୟ ମୋହର । ଦେଖୁ କି ନାହୁଁ ତୋ ପିଅର ॥ ୧୩୪

ଶୋକସାଗରେ ମୋତେ ଥୋଇ । ଛାଡ଼ିଣ ନ ଯା ବାବୁ ତୁହି ॥ ୧୩୫

ମୁଁ ଯେ ପାପିଷ୍ଠୀ ଦୁଃଖୀଜନ । ତୁ ମୋତେ ନ ଯାଅ ଛାଡ଼ିଣ ॥ ୧୩୬

ତୋର ଆଶ୍ରୟେ ଅବା ମୁହିଁ । ଦୁସ୍ତର ତମରୁ ତରଇ ॥ ୧୩୭

ଦାରୁଣଯମ-ବଶ ହୋଇ । ଛାଡ଼ି ନ ଯାଅ ମୋତେ ତୁହି ॥ ୧୩୮

ଉଠ ହେ ନୃପତିନନ୍ଦନ । ଆନନ୍ଦେ କର ସ୍ତନ୍ୟପାନ ॥ ୧୩୯

ସମବୟସୀ ଯେ କୁମରେ । ଡାକୁଅଛନ୍ତି ବାବୁ ତୋତେ ॥ ୧୪୦

ବାଳୁତସଙ୍ଗେ ତୁ ବିହର । ବହୁତ ନିଦ୍ରା ଦୂରକର ॥ ୧୪୧

ମୋହର ଶୋକ ତୁ ନିବାର । ରୋଦନ୍ତି ପିଅର ତୋହର ॥ ୧୪୨

ହରଷ ଆନନ୍ଦପଙ୍କଜ । ତୋହର ନ ଦେଖି ତନୁଜ ॥ ୧୪୩

ଦାରୁଣଯମ କି ତୋହରେ । ଘେନାଇ ଗଲା ନିଜପୁରେ ॥ ୧୪୪

ଏଣୁ ତୋ କୋମଳବଚନ । ଶୁଣଇ ନାହିଁରେ ନନ୍ଦନ ॥ ୧୪୫

ଶୁକ ଉବାଚ

ମୃତପୁତ୍ରର ଠାରେ ତାର । ବିଳାପ ଶୁଣି ନୃପବର ॥ ୧୪୬

ଚିତ୍ରକେତୁ ମଗ୍ନ ଶୋକରେ । ରୋଦନକରେ ଉଚ୍ଚସ୍ୱରେ ॥ ୧୪୭

ବିଳାପ ପତ୍ନୀର ସହିତେ । ନୃପର ଦେଖିଣ ସମସ୍ତେ ॥ ୧୪୮

ଯେତେ ଅମାତ୍ୟଆଦି ତାର । ରୋଦନ କଲେ ଉଚ୍ଚସ୍ୱର ॥ ୧୪୯

ସ୍ତିରୀ-ପୁରୁଷ ଯେତେଜନ । ସକଳେ ହେଲେ ଅଚେତନ ॥ ୧୫୦

ଏମନ୍ତେ ଶୁଣ ନୃପବର । ସକଳେ ଅତି-ଦୁଃଖତର ॥ ୧୫୧

ରାଜନ-ଦୁଃଖ ଦେଖି ମୁନି । ଅଙ୍ଗିରା ନାରଦଙ୍କୁ ଘେନି ॥ ୧୫୨

ଶୀଘ୍ରେଣ ବେନିଜନେ ଗଲେ । ରାଜାର ନବରେ ମିଳିଲେ ॥ ୧୫୩

ବୋଲଇ ଦାସ ଜଗନ୍ନାଥ । ଚିତ୍ରକେତୁ-ଶୋକ-ଚରିତ ॥ ୧୫୪

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଷଷ୍ଠସ୍କନ୍ଧେ ଚିତ୍ରକେତୁବିଳାପୋ

ନାମ ଚତୁŸର୍ଦ୍ଦଶୋଽଧ୍ୟାୟଃ ॥

* * *