ଷଷ୍ଠ ସ୍କନ୍ଧ
ଚତୁର୍ଦ୍ଦଶ ଅଧ୍ୟାୟ
ଶୁକ ଚରଣ ଧରି ରାଜା । ସାନନ୍ଦମନେ କଲେ ପୂଜା ॥ ୧
ପରୀକ୍ଷିତ ଉବାଚ
ଭୋ ମୁନି ଶୁଣ ସାବଧାନେ । ଏ ତ ସଂଶୟ ମୋର ମନେ ॥ ୨
ଭୋ ମୁନି ଅସମ୍ଭବ କଥା । ବୃତ୍ର ଅସୁରର ବ୍ୟବସ୍ଥା ॥ ୩
ରଜ ତାସମ ଭାବ ତାର । ପାପୀ ଅଟଇ ବୃତ୍ରାସୁର ॥ ୪
ଅଖିଳ-ହେତୁ ଭଗବାନେ । ତାହାର ମତି ବା କେସନେ ॥ ୫
ସତ୍ତ୍ୱପ୍ରଧାନ ଦେବଗଣ । ନିର୍ମଳଆତ୍ମା ମୁନିଜନ ॥ ୬
ମୁକୁଦ-ପାଦପଙ୍କଜରେ । ଏହାଙ୍କ ମନ ନୋହେ ସ୍ଥିରେ ॥ ୭
ରଜଗୁଣରେ ଯୁକ୍ତ ହୋଇ । ସଂସାରେ ଯେତେକ ଅଛଇ ॥ ୮
ଏହାଙ୍କ ମଧ୍ୟେ କେହି ଜନ । ଶ୍ରେୟ କରଇ ଆଚରଣ ॥ ୯
ଏହାଙ୍କ ମଧ୍ୟେ କେହି ନରେ । ମୋକ୍ଷ ବାଞ୍ଛନ୍ତି ଏ ସଂସାରେ ॥ ୧୦
ତାହାଙ୍କ ମଧ୍ୟେ କେହି ଜନ । କଷ୍ଟେ ଲଭନ୍ତି ଭଗବାନ ॥ ୧୧
ଦୁର୍ଲ୍ଲଭ ମୁନିମାନଙ୍କର । ବିଷ୍ଣୁଭକତ ଯେଉଁ ନର ॥ ୧୨
କୋଟିକେ ଗୋଟିଏ ଯେ ଥାଇ । ଶୁଣିମା ସାବଧାନ ହୋଇ ॥ ୧୩
ସ୍ୱଭାବେ ବୃତ୍ର ଅତିପାପ । ଲୋକଙ୍କୁ ଦେଇଅଛି ତାପ ॥ ୧୪
କେମନ୍ତେ ମହାଘୋରରଣେ । ତା ମତି ହେଲା ନାରାୟଣେ ॥ ୧୫
ଏଣେ ସଂଶୟ ମନ ମୋର । ଫେଡ଼ି କହିବା ମୁନିବର ॥ ୧୬
ଯେ ବୃତ୍ର ଘୋରସଂଗ୍ରାମରେ । ବଳେ ତୋଷିଲା ବଜ୍ରଧରେ ॥ ୧୭
ସୂତ ଉବାଚ
ସନ୍ତୋଷେ ରାଜା ପ୍ରଶ୍ନ ଶୁଣି । ଆନନ୍ଦେ ଯେ ବାଦରାୟଣି ॥ ୧୮
ହରଷ ହୋଇ ମୁନିବର । ବଚନ କହନ୍ତି ମଧୁର ॥ ୧୯
ଶୁକ ଉବାଚ
ଶୁଣ ରାଜନ ଏକମନେ । ଯେ ଇତିହାସ ପୁରାତନେ ॥ ୨୦
ବେଦବ୍ୟାସଙ୍କ ବାକ୍ୟ ମୁହିଁ । ନାରଦ ତହୁଁ ଶୁଣିଛଇଁ ॥ ୨୧
ପୂର୍ବେ ଶୂରସେନ - ଦେଶର । ଥିଲା ଯେ ଏକ ନୃପବର ॥ ୨୨
ଚିତ୍ରକେତୁ ନାମ ତାହାର । କାମଧେନୁ ପୃଥ୍ୱୀ ଯାହାର ॥ ୨୩
ଦଶନିୟୁତ ପତ୍ନୀ ତାର । ରୂପେ କି ଦେବା ପଟାନ୍ତର ॥ ୨୪
ଯେତେକ ଥିଲେ ତାର ନାରୀ । ପୁତ୍ର ଯେ ନୋହିଲା କାହାରି ॥ ୨୫
ରୂପେ ସୁନ୍ଦର ମନୋହର । ବିଦ୍ୟା ସମ୍ପଦ ମତି ଧୀର ॥ ୨୬
ଏ ସର୍ବଗୁଣ ଅଛି ତାର । ସୁତ ନ ଲଭି ଚିନ୍ତାଭର ॥ ୨୭
ଅମାତ୍ୟ ସମ୍ପଦ ସହିତେ । ପଟ୍ଟମହିଷୀ ତାର ଯେତେ ॥ ୨୮
କାମଦୁଘାର ପ୍ରାୟେ ମହୀ । ସୁଖ ନୋହିଲେ ତାର କେହି ॥ ୨୯
ଶୁଣ ରାଜନ ଏକଦିନେ । ସେ ଚିତ୍ରକେତୁର ଭୁବନେ ॥ ୩୦
ଅଙ୍ଗିରାଋଷି ବ୍ରହ୍ମସୁତ । ମିଳିଲେ ରାଜାର ଅଗ୍ରତ ॥ ୩୧
ସ୍ୱଇଚ୍ଛାଲୋକରେ ବିହାର । ମିଳିଲେ ଚିତ୍ରକେତୁ ପୁର ॥ ୩୨
ତାହାଙ୍କୁ ଦେଖି ନୃପବର । ସତ୍ୱରେ କଲେ ନମସ୍କାର ॥ ୩୩
ଉତ୍ତମ-ଆସନେ ବସାଇ । ପୂଜିଲେ ପାଦ୍ୟଅର୍ଘ୍ୟ ଦେଇ ॥ ୩୪
ସୁଖେ ଆସନେ ବସି ଋଷି । ଚିତ୍ରକେତୁକୁ ପରଶଂସି ॥ ୩୫
ଭକତି ଦେଖିଣ ତାହାର । ଆଶିଷ ଦେଲେ ମୁନିବର ॥ ୩୬
ରାଜାକୁ କରି ଆଶ୍ୱାସନ । କହନ୍ତି ମଧୁର-ବଚନ ॥ ୩୭
ହେ ରାଜା ଚିତ୍ରକେତୁ ଶୁଣ । ତୁମ୍ଭର ପରମ କଲ୍ୟାଣ ॥ ୩୮
ତୁମ୍ଭର ପାତ୍ରମନ୍ତ୍ରୀ ଯେତେ । କୁଶଳଟି କି ଏ ସମସ୍ତେ ॥ ୩୯
ଦାରା ତନୟ ଭୃତ୍ୟ ଯେତେ । ସୁହୃଦ ପରଜା ସହିତେ ॥ ୪୦
ଯାହାର ଆତ୍ମା ଆତ୍ମବଶ । ତାହାର ବଶ ଏ ଅଶେଷ ॥ ୪୧
ଯାହାର ଆତ୍ମା ବଶ ହୋଇ । ସର୍ବତ୍ର ପୂଜ୍ୟ ସେ ଅଟଇ ॥ ୪୨
ଆତ୍ମସମ୍ପଦ ତୋର ଯେତେ । ଅମାତ୍ୟ ପୁରବାସୀ ଯେତେ ॥ ୪୩
ତୁମ୍ଭର ପ୍ରିୟ ନୋହେ କେହି । ଏମନ୍ତ ପ୍ରାୟ ମୁଁ ମଣଇଁ ॥ ୪୪
ଚିନ୍ତା-ମଳିନ ମୁଖ ତୋର । ଅଲବ୍ଧକାମ ନୃପବର ॥ ୪୫
ଶୁକ ଉବାଚ
ଶୁଣ ପରୀକ୍ଷ ନୃପମଣି । ସେ ରାଜା ମୁନିବାକ୍ୟ ଶୁଣି ॥ ୪୬
ହୃଦରେ ପୁତ୍ରକାମୀ ହୋଇ । ବିରସେ ମୁନିଙ୍କି କହଇ ॥ ୪୭
ଚିତ୍ରକେତୁ ଉବାଚ
ଭୋ ମୁନି ତୁମ୍ଭ ଅଗୋଚରେ । କି ଅବା ଅଛି ଏ ସଂସାରେ ॥ ୪୮
ପ୍ରାଣୀର ଅନ୍ତର ବାହାରେ । ଦେଖ ତପସ୍ୟା-ପ୍ରଭାବରେ ॥ ୪୯
ତଥାପି ଆଜ୍ଞା ପରମାଣେ । କହିବି ଶୁଣ ସାବଧାନେ ॥ ୫୦
ମନରେ ଯେବା ଚିନ୍ତା ମୋର । ପ୍ରଶ୍ନ ଯେ କଲ ମୁନିବର ॥ ୫୧
ଦେବଗଣଙ୍କୁ ଯେ ଦୁର୍ଲ୍ଲଭ । ସାମ୍ରାଜ୍ୟ ସମ୍ପଦ ବିଭବ ॥ ୫୨
ପୁତ୍ର-ବିହୀନେ ମୋର ଦେହୀ । କେବେହେଁ ସୁଖ ନ ଲଭଇ ॥ ୫୩
କ୍ଷୁଧା ତୃଷାରେ ଖିନ୍ନଜନ । ନ ଲୋଡେ ବିନୁ ଅନ୍ନପାନ ॥ ୫୪
ଭୋ ମହାଭାଗ ମୁନିବର । କେମନ୍ତେ ତରିବି ସଂସାର ॥ ୫୫
ପିତୃଋଣରୁ ମୋତେ ପାର । କରିବାହେଉ ମୁନିବର ॥ ୫୬
ପୁତ୍ର ଯେମନ୍ତେ ମୋର ହୋଇ । ସଂସାର-ଦୁଃଖରୁ ତରଇ ॥ ୫୭
ଶୁକ ଉବାଚ
ରାଜାର ଶୁଣି ଏ ବଚନ । କୃପାଳୁ ବ୍ରହ୍ମାଙ୍କ ନନ୍ଦନ ॥ ୫୮
ଯଜ୍ଞ କରିଣ ମୁନିବର । ଆରାଧି ଅଖିଳ ଈଶ୍ୱର ॥ ୫୯
ରାଜାର ଜ୍ୟେଷ୍ଠ ଯେହୁନାରୀ । କୃତଦ୍ୟୁତି ନାମ ତାହାରି ॥ ୬୦
ଯଜ୍ଞର ଚରୁ ତାକୁ ଦେଲେ । ରାଜାକୁ ଏମନ୍ତ କହିଲେ ॥ ୬୧
ଭୋ ଚିତ୍ରକେତୁ ନୃପବର । ହୋଇବ ଏକ ତୋ କୁମର ॥ ୬୨
ହରଷ-ଶୋକ ଦେବ ତୋତେ । କହି ଚଳିଲେ ଶୂନ୍ୟପଥେ ॥ ୬୩
ଚିତ୍ରକେତୁର ତହୁଁ ସେହି । କୃତଦ୍ୟୁତି ଯେ ମହାଦେଈ ॥ ୬୪
ଚରୁର ଭୋଜନ ମାତ୍ରକେ । ଗର୍ଭ ଧଇଲେ ସେହୁ ସୁଖେ ॥ ୬୫
ଅଙ୍ଗିରାମୁନିର ପ୍ରସାଦେ । ଗର୍ଭ ହୋଇଲା ଅପ୍ରମାଦେ ॥ ୬୬
ଅଗ୍ନିରୁ କୃତ୍ତିକା ଯେମନ୍ତ । ଗର୍ଭ ଧଇଲା ସେହିମତ ॥ ୬୭
ତାହାର ଗର୍ଭ ପ୍ରତିଦିନେ । ଶୁକ୍ଳପକ୍ଷର ଚନ୍ଦ୍ର ଯେହ୍ନେ ॥ ୬୮
ଚିତ୍ରକେତୁ-ତେଜେ ରାଜନ । ଗର୍ଭବଢ଼ିଲା ଦିନୁଦିନ ॥ ୬୯
ଏମନ୍ତେ ପୂର୍ଣ୍ଣ ସମ୍ବତ୍ସରେ । ଜନ୍ମିଲା ତାହର କୁମରେ ॥ ୭୦
ଶୂରସେନରେ ଯେତେ ଲୋକ । ହରଷ ଲଭିଲେ ଅନେକ ॥ ୭୧
ପରମାନନ୍ଦେ ସେ ରାଜନ । ତକ୍ଷଣେ କଲାକ ସ୍ନାହାନ ॥ ୭୨
ଶୁଚି ହୋଇଣ ନୃପବର । ଭୂଷିତ ହୋଇ ଅଳଙ୍କାର ॥ ୭୩
ବ୍ରାହ୍ମଣ ଆଣି ବେଦଧର୍ମ । କଲା ସେ ପୁତ୍ର ଜାତକର୍ମ ॥ ୭୪
ବ୍ରାହ୍ମଣେ ସୁବର୍ଣ୍ଣ ରଜତ । ଦେଲା ସେ ଧେନୁ ଶତଶତ ॥ ୭୫
ପୃଥିବୀ ଗଜ ହୟମାନ । ଦେଲା ସେ ବିବିଧବସନ ॥ ୭୬
ଯେ ଲୋକେ ଯାହା ବାଞ୍ଛାକଲେ । ମନ-ସନ୍ତୋଷେ ତା ଲଭିଲେ ॥ ୭୭
ପ୍ରାଣୀ - ସନ୍ତୋଷେ ମଘବାନ । ବରଷା କରଇ ଯେସନ ॥ ୭୮
ପୁତ୍ର ଆୟୁଷ ଯଶ ଧର୍ମ । ବିବୃଦ୍ଧି ଅର୍ଥେ ଦେଲା ଦାନ ॥ ୭୯
କଷ୍ଟରେ ଲଭିଲା ଯେ ସୁତ । ତାଠାରେ ସ୍ନେହ ତା ବହୁତ ॥ ୮୦
ଦରିଦ୍ର ଯେହ୍ନେ ଧନ ପାଇ । ତେସନେ ହରଷ ସେ ହୋଇ ॥ ୮୧
ମାତା ଯେ ଅତି ସ୍ନେହଭରେ । ମୋହ ହୋଇଲା ପୁତ୍ରଠାରେ ॥ ୮୨
କୃତଦ୍ୟୁତି ସପତ୍ନୀମାନେ । ଦୁଃଖିତ ସନ୍ତତି ବିହୀନେ ॥ ୮୩
ଚିତ୍ର କେତୁର ସ୍ନେହ ହୋଇ । ପୁତ୍ରବତୀ ଭାରିଯା ତହିଁ ॥ ୮୪
ଅନ୍ୟ ଯେ ପତ୍ନୀମାନେ ଥାନ୍ତି । ସେଭାବେ ନାହିଁ ସ୍ନେହମତି ॥ ୮୫
ଅପରେ ଦୁଃଖ ତାହାଙ୍କର । ରାଜାର ଯେଣୁ ଅନାଦର ॥ ୮୬
ସେମାନେ ମନେ ଦୁଃଖ କରି । ଆତ୍ମାର ନିନ୍ଦାକୁ ଆଚରି ॥ ୮୭
ପାପିଷ୍ଠୀ ଏହୁ କୃତଦ୍ୟୁତି । ଧିକ ଏହାର ଏ ସନ୍ତତି ॥ ୮୮
ଗୃହ ସମ୍ପଦ ଯେ ସ୍ୱାମୀର । ଧିକ ଏ ହେଉ ଦୁରାଚାର ॥ ୮୯
ଏ ସପତଣୀର ଚରଣେ । ଦାସୀ ହୋଇଲୁ ଅକାରଣେ ॥ ୯୦
ଦାସୀର କି ଅବା ସନ୍ତାପ । ଯେ ସେବେ ସ୍ୱାମୀର ସମୀପ ॥ ୯୧
ମାନ ନ ଲଭୁ ଆମ୍ଭେ କ୍ଷଣେ । ଦାସୀର ଦାସୀ ହୋଇ ଯେହ୍ନେ ॥ ୯୨
ସପତ୍ନୀ-ପୁତ୍ର-ବିଭୂତିରେ । ଅନ୍ଧ ହୋଇଲେ କ୍ରୋଧଭରେ ॥ ୯୩
ସକଳେ ଏକଚିତ୍ତ ହେଲେ । ରାଜାର ହିଂସା ଆଚରିଲେ ॥ ୯୪
ଦାରୁଣଚିତ୍ତ ସ୍ତିରୀଜନ । କ୍ରୋଧେ ହୋଇଲେ ହତଜ୍ଞାନ ॥ ୯୫
ସ୍ୱାମୀକୁ ଅତି କ୍ରୋଧକଲେ । ଗରଳ କୁମରକୁ ଦେଲେ ॥ ୯୬
ଏହା ନ ଜାଣେ କୃତଦ୍ୟୁତି । ସପତ୍ନୀମାନଙ୍କର ଗତି ॥ ୯୭
ପୁତ୍ର ଶୁଆଇଥିଲା ଘରେ । ଗଲା ସେ ଗୃହ ଅଭ୍ୟନ୍ତରେ ॥ ୯୮
ଅନେକବେଳ ତହୁଁ ଗଲା । ପୁତ୍ର ଆଣିବ ମନେ କଲା ॥ ୯୯
ଧାଈକି ବୋଲଇ ଉତ୍ତର । ଭୋ ସଖି ପୁତ୍ର ଆଣ ମୋର ॥ ୧୦୦
ତାହାର ଆଜ୍ଞା ପାଇ ଧାଈ । ବାଳକ ନିକଟେ ମିଳଇ ॥ ୧୦୧
ଦେଖିଲା ଶୋଇଅଛି ପୁତ୍ର । ଲେଉଟି ପଡିଛି ତା ନେତ୍ର ॥ ୧୦୨
ପ୍ରାଣ ଇନ୍ଦ୍ରିୟ ନାହିଁ ତାର । ଦେଖି ସେ ପଡିଲା ଭୂମିର ॥ ୧୦୩
ହତ ହୋଇଲି ବୋଲି ଧାଈ । ପଡ଼ିଲା ଚେତନା ହରାଇ ॥ ୧୦୪
ବେନିକରରେ ହୃଦ ତାଡି । ଆରତେ ପାଡିଲା ଯେ ରଡି ॥ ୧୦୫
ତା ଶୁଣି ପାଟ ମହାଦେଈ । ଧାଇଁଲା ଅସମ୍ଭାଳ ହୋଇ ॥ ୧୦୬
ପୁତ୍ରର ନିକଟେ ମିଳିଲା । ମୃତପୁତ୍ରକୁ ସେ ଦେଖିଲା ॥ ୧୦୭
ରମ୍ଭାଦ୍ରୁମ କି ବାତଭରେ । ତେସନେ ପଡିଲା ଭୂମିରେ ॥ ୧୦୮
ତକ୍ଷଣେ ମୋହ ସେ ପାଇଲା । କେଶ-ବସନ ଖସିଗଲା ॥ ୧୦୯
ରାଜାର ଅନ୍ତଃପୁରଜନ । ସ୍ତିରୀ ପୁରୁଷ ହେ ରାଜନ ॥ ୧୧୦
ରୋଦନ ଶୁଣିଣ ଅଇଲେ । ସମସ୍ତେ ଶୋକରେ ମଜ୍ଜିଲେ ॥ ୧୧୧
କହିବା ଶୁଣ ନୃପବର । ଯେତେକ ସପତ୍ନୀ ତାହାର ॥ ୧୧୨
ଅନ୍ତରେ ସୁଖ ସେ ଆଚରି । ବାହ୍ୟେ କପଟ-ଶୋକ କରି ॥ ୧୧୩
ପୁତ୍ର-ମରଣ ରାଜା ଶୁଣି । ମୃତ୍ୟୁର କାରଣ ନ ଜାଣି ॥ ୧୧୪
ମୋହରେ ନଦିଶଇ ପଥ । ପଦପାଦକେ ଜ୍ଞାନହତ ॥ ୧୧୫
ସ୍ନେହବନ୍ଧନୁ ଶୋକ ବଢ଼ି । ମୂର୍ଚ୍ଛିତ ହୋଇ ଛାଡେ ରଡି ॥ ୧୧୬
ଅମାତ୍ୟ ଆଦି ଯେତେଜନ । ଦେଖୁଅଛନ୍ତି ସେ ରାଜନ ॥ ୧୧୭
ମୃତବାଳକ-ପାଦତଳେ । ପଡ଼ିଲା ଯାଇ ମତିଭୋଳେ ॥ ୧୧୮
ଖସିଣ ପଡିଅଛି କେଶ । ବିଚିତ୍ର-ପରିଧାନ-ବାସ ॥ ୧୧୯
ଦୀର୍ଘନିଃଶ୍ୱାସ ସେ ଛାଡ଼ଇ । ନୟନୁ ଅଶ୍ରୁଜଳ ବହି ॥ ୧୨୦
ନିରୋଧ କଣ୍ଠଦ୍ୱାର ହୋଇ । ବଚନ ନ ପାରଇ କହି ॥ ୧୨୧
ପତିକୁ ଦେଖି ଶୋକଭର । ମରଣ ଦେଖି କୁମରର ॥ ୧୨୨
କୃତଦ୍ୟୁତି ଯେ ମହାଦେଈ । ବିଚିତ୍ର-ବିଳାପ କରଇ ॥ ୧୨୩
ସ୍ତନଯୁଗଳ ଯେ ତାହାର । ମଣ୍ଡିତ କୁଙ୍କୁମପଙ୍କର ॥ ୧୨୪
ଅଞ୍ଜନ ସହିତେ ଲୋତକ । ଧଉତ କଲା ତାର ବକ୍ଷ ॥ ୧୨୫
କେଶ ହୋଇଲା ଅସମ୍ଭାଳ । ଖସି ପଡ଼ିଲା ପୁଷ୍ପମାଳ ॥ ୧୨୬
କୁରରୀ ପ୍ରାୟେ ଶୋକଭରେ । ରୋଦନ କରେ ଉଚ୍ଚସ୍ୱରେ ॥ ୧୨୭
ହେ ବିଧି ମତି ତୋ ଦାରୁଣ । ବାଳକ ପ୍ରାୟ ଆଚରଣ ॥ ୧୨୮
ସକଳ କରି ନିରିମାଣ । ଆପଣେ କରୁ ତୁ ଭଞ୍ଜନ ॥ ୧୨୯
ସାନ ମରଇ ବଡ ଥାଇ । ଏହାର ନିଦାନ ନ ପାଇ ॥ ୧୩୦
ଯେବେ ସଂସାରେ ପ୍ରାଣୀଙ୍କର । ଅକ୍ରମ ଜନ୍ମ ମରଣର ॥ ୧୩୧
ସ୍ନେହପାଶକୁ ବଢ଼ାଇଣ । କିମ୍ପାଇଁ କରୁ ରଣଭଣ ॥ ୧୩୨
ଏମନ୍ତେ ସୃଷ୍ଟି ତୋ ଭିଆଣ । ଅଜ୍ଞାନୀ ପରାଣୀ ଯେସନ ॥ ୧୩୩
ହେ ତାତ ତନୟ ମୋହର । ଦେଖୁ କି ନାହୁଁ ତୋ ପିଅର ॥ ୧୩୪
ଶୋକସାଗରେ ମୋତେ ଥୋଇ । ଛାଡ଼ିଣ ନ ଯା ବାବୁ ତୁହି ॥ ୧୩୫
ମୁଁ ଯେ ପାପିଷ୍ଠୀ ଦୁଃଖୀଜନ । ତୁ ମୋତେ ନ ଯାଅ ଛାଡ଼ିଣ ॥ ୧୩୬
ତୋର ଆଶ୍ରୟେ ଅବା ମୁହିଁ । ଦୁସ୍ତର ତମରୁ ତରଇ ॥ ୧୩୭
ଦାରୁଣଯମ-ବଶ ହୋଇ । ଛାଡ଼ି ନ ଯାଅ ମୋତେ ତୁହି ॥ ୧୩୮
ଉଠ ହେ ନୃପତିନନ୍ଦନ । ଆନନ୍ଦେ କର ସ୍ତନ୍ୟପାନ ॥ ୧୩୯
ସମବୟସୀ ଯେ କୁମରେ । ଡାକୁଅଛନ୍ତି ବାବୁ ତୋତେ ॥ ୧୪୦
ବାଳୁତସଙ୍ଗେ ତୁ ବିହର । ବହୁତ ନିଦ୍ରା ଦୂରକର ॥ ୧୪୧
ମୋହର ଶୋକ ତୁ ନିବାର । ରୋଦନ୍ତି ପିଅର ତୋହର ॥ ୧୪୨
ହରଷ ଆନନ୍ଦପଙ୍କଜ । ତୋହର ନ ଦେଖି ତନୁଜ ॥ ୧୪୩
ଦାରୁଣଯମ କି ତୋହରେ । ଘେନାଇ ଗଲା ନିଜପୁରେ ॥ ୧୪୪
ଏଣୁ ତୋ କୋମଳବଚନ । ଶୁଣଇ ନାହିଁରେ ନନ୍ଦନ ॥ ୧୪୫
ଶୁକ ଉବାଚ
ମୃତପୁତ୍ରର ଠାରେ ତାର । ବିଳାପ ଶୁଣି ନୃପବର ॥ ୧୪୬
ଚିତ୍ରକେତୁ ମଗ୍ନ ଶୋକରେ । ରୋଦନକରେ ଉଚ୍ଚସ୍ୱରେ ॥ ୧୪୭
ବିଳାପ ପତ୍ନୀର ସହିତେ । ନୃପର ଦେଖିଣ ସମସ୍ତେ ॥ ୧୪୮
ଯେତେ ଅମାତ୍ୟଆଦି ତାର । ରୋଦନ କଲେ ଉଚ୍ଚସ୍ୱର ॥ ୧୪୯
ସ୍ତିରୀ-ପୁରୁଷ ଯେତେଜନ । ସକଳେ ହେଲେ ଅଚେତନ ॥ ୧୫୦
ଏମନ୍ତେ ଶୁଣ ନୃପବର । ସକଳେ ଅତି-ଦୁଃଖତର ॥ ୧୫୧
ରାଜନ-ଦୁଃଖ ଦେଖି ମୁନି । ଅଙ୍ଗିରା ନାରଦଙ୍କୁ ଘେନି ॥ ୧୫୨
ଶୀଘ୍ରେଣ ବେନିଜନେ ଗଲେ । ରାଜାର ନବରେ ମିଳିଲେ ॥ ୧୫୩
ବୋଲଇ ଦାସ ଜଗନ୍ନାଥ । ଚିତ୍ରକେତୁ-ଶୋକ-ଚରିତ ॥ ୧୫୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ଚିତ୍ରକେତୁବିଳାପୋ
ନାମ ଚତୁର୍ଦ୍ଦଶୋଽଧ୍ୟାୟଃ ॥
* * *