ଷଷ୍ଠ ସ୍କନ୍ଧ
ତ୍ରୟୋଦଶ ଅଧ୍ୟାୟ
ଶୁକ ଉବାଚ
ବୃତ୍ର ହୋଇଲା ଯହୁଁ ହତ । ଶୁଣି ହରଷ ତ୍ରିଜଗତ ॥ ୧
ଯେତେ ଏ ଦିଗପାଳଗଣ । ନିଶ୍ଚିନ୍ତ ହୋଇଲେ ତକ୍ଷଣ ॥ ୨
ଇନ୍ଦ୍ରର ବିନୁ ଯେତେ ଜନ । ହରଷ ହୋଇଲେ ରାଜନ ॥ ୩
ଅମର ଦେବଋଷିଗଣ । ପିତୃ ଦୈବତ ଯେତେ ପୁଣ ॥ ୪
ବ୍ରହ୍ମା ଶଙ୍କର ବଜ୍ରଧର । ଗଲେ ସେ ଯେ ଯାହା ମନ୍ଦିର ॥ ୫
ରାଜା ଉବାଚ
ଭୋ ମୁନି ହୁଅ ସାବଧାନ । ଏହା ଶୁଣିବାକୁ ମୋ ମନ ॥ ୬
କିମ୍ପା ହରଷ ଦେବଗଣେ । ଇନ୍ଦ୍ର ବିଷାଦ କି କାରଣେ ॥ ୭
କିମ୍ପାଇଁ ତାଙ୍କ ଦୁଃଖମନ । କହିବ ମୋତେ ତପୋଧନ ॥ ୮
କହିବା ଏଥିର କାରଣ । ନମଇଁ ତୁମ୍ଭର ଚରଣ ॥ ୯
ଶୁକ ଉବାଚ
ବୃତ୍ର ବିକ୍ରମ ଦେଖି ଦେବେ । ମହତ ଋଷି ଆଦି ସର୍ବେ ॥ ୧୦
କହିଲେ ଇନ୍ଦ୍ରଙ୍କୁ ସେ ଯାଇ । ଭୟେ ଉଦ୍ଦେଗ ମନ ହୋଇ ॥ ୧୧
ଭୋଦେବଦେବଙ୍କ ଈଶ୍ୱର । ବୃତ୍ର ଅସୁରକୁ ସଂହର ॥ ୧୨
ବୃତ୍ର ଯେ ବ୍ରାହ୍ମଣକୁମର । ଇନ୍ଦ୍ର ନ କଲେ ସିଉକାର ॥ ୧୩
ଇନ୍ଦ୍ର ଉବାଚ
ଯେବେ ମାରିଲି ବିଶ୍ୱରୂପ । ଘେନିଲି ବ୍ରହ୍ମହତ୍ୟା ପାପ ॥ ୧୪
ଭୂ ଜଳ ସ୍ତିରୀ ଦ୍ରୁମମାନେ । ପାପ ଘେନିଲେ ବିଦ୍ୟମାନେ ॥ ୧୫
ଏବେ ବୃତ୍ରକୁ ବିନାଶିବି । କେମନ୍ତେ ପାପୁଁ ନିସ୍ତରିବି ॥ ୧୬
ଶୁକ ଉବାଚ
ଇନ୍ଦ୍ରବଚନେ ଋଷିଗଣ । ଶୁଣି ସେ କହନ୍ତି ବଚନ ॥ ୧୭
ଋଷିଗଣ ଉବାଚ
ଅଶ୍ୱମେଧ-ଯଜ୍ଞକୁ କରି । ଏ ପାପ ନାଶିବୁ ତୋହରି ॥ ୧୮
ମହାପୁରୁଷ ଆତ୍ମାପର । ଅଖିଳ-ଜଗତ-ଈଶ୍ୱର ॥ ୧୯
ଯେ ଦେବ ପ୍ରଭୁ ନାରାୟଣ । ଯଜ୍ଞରେ କରାଇ ପ୍ରସନ୍ନ ॥ ୨୦
ବୃତ୍ରର ବଧୁ ଦେବବର । ଅବହେଳାରେ ହେବୁ ପାର ॥ ୨୧
ବ୍ରାହ୍ମଣ ଗୁରୁ ପିତାମାତା । ଯେ ଜନ ଆଚାର୍ଯ୍ୟର ହନ୍ତା ॥ ୨୨
ଶ୍ୱାନକୁ ଖାଇ ଅବା ଯେହୁ । ଶୁଣ କହିବା ମହାବାହୁ ॥ ୨୩
ଯେବା ବୃଷଳୀପତି ହୋଇ । ସୁରାପାନ ଯେବା କରଇ ॥ ୨୪
ଗୋବିନ୍ଦନାମ ଯେହୁ ଧରେ । ଏ ସର୍ବ ପାପୁଁ ସେହୁ ତରେ ॥ ୨୫
ମହାଯଜ୍ଞକୁ କରି ତୁହି । ଜପିବୁ ପ୍ରଭୁ ଭାବଗ୍ରାହୀ ॥ ୨୬
ତାଙ୍କ ପ୍ରସନ୍ନେ ଦେବବର । ଦୁରିତ କେତେକ ମାତର ॥ ୨୭
ଶୁକ ଉବାଚ
ଶୁଣିଣ ଋଷିଙ୍କ ବଚନ । ଶତ୍ରୁ ମାଇଲେ ମଘବାନ ॥ ୨୮
ତକ୍ଷଣେ ବ୍ରହ୍ମହତ୍ୟା ଗଲା । ଇନ୍ଦ୍ରଦେବଙ୍କୁ ଆଶ୍ରେ କଲା ॥ ୨୯
ତାହାଙ୍କୁ ଦେଖି ଦୁଃଖ ପାଇ । ଦେବେନ୍ଦ୍ର ଗଲାକ ପଳାଇ ॥ ୩୦
ଚାଣ୍ଡାଳୀ ରୂପକୁ ଧଇଲା । ଇନ୍ଦ୍ରର ପଛେ ଗୋଡାଇଲା ॥ ୩୧
ବୃଦ୍ଧାରୂପକୁ ଧରି ସେହି । ଯକ୍ଷ୍ମାରୋଗରେ ଗ୍ରସ୍ତହୋଇ ॥ ୩୨
ଶୋଣିତପ୍ରାୟେ ବସ୍ତ୍ର ତାର । ବିବର୍ଣ୍ଣ କେଶ ମସ୍ତକର ॥ ୩୩
ରହ ରହ ବୋଲି ଡାକଇ । ଆମିଷଗନ୍ଧ ତାର ଦେହୀ ॥ ୩୪
ଆକାଶେ ସକଳଦିଗରେ । ଇନ୍ଦ୍ର ପଳାନ୍ତି ଖରତରେ ॥ ୩୫
ଉତ୍ତରଦିଗକୁ ସେ ଗଲେ । ମାନସରୋବରେ ଲୁଚିଲେ ॥ ୩୬
ପୁଷ୍କରନାଳେ ଦେବବର । ଚଞ୍ଚଳମନ କରି ସ୍ଥିର ॥ ୩୭
ସହସ୍ରସମ୍ଭତ୍ସର ତହିଁ । ବ୍ରହ୍ମଭାବନେ ମନ ଦେଇ ॥ ୩୮
ବ୍ରହ୍ମବଧରୁ ମୋକ୍ଷ ପାଇଁ । ରହିଲେ ନିରାହାର ହୋଇ ॥ ୩୯
ତାବତ ନହୁଷରାଜନ । ସ୍ୱର୍ଗରେ କଲେ ଇନ୍ଦ୍ରପଣ ॥ ୪୦
ବିଦ୍ୟା ତପସ୍ୟା ଯୋଗବଳେ । ସ୍ୱର୍ଗସମ୍ପଦ ଭୋଗକରେ ॥ ୪୧
ଐଶ୍ୱର୍ଯ୍ୟ ସମ୍ପଦଭୋଗରେ । ନହୁଷ ମଦାନ୍ଧବୁଦ୍ଧିରେ ॥ ୪୨
ଇନ୍ଦ୍ରପତ୍ନୀଙ୍କ ଇଚ୍ଛା କଲା । ସ୍ୱର୍ଗଲୋକରୁ ଚ୍ୟୁତ ହେଲା ॥ ୪୩
ନହୁଷ ସ୍ୱର୍ଗେ ଇନ୍ଦ୍ରହୋଇ । ବାରତା ଇନ୍ଦ୍ରାଣୀକୁ ଦେଇ ॥ ୪୪
ଇନ୍ଦ୍ର ମୁଁ ସ୍ୱର୍ଗଭୁବନରେ । ତୁ ମୋତେ ଭଜ ଗୋ ବିଧିରେ ॥ ୪୫
ଇନ୍ଦ୍ରାଣୀ ଗୁରୁଙ୍କୁ କହିଲେ । ପ୍ରତିଉତ୍ତର ଗୁରୁ ଦେଲେ ॥ ୪୬
ଗୁରୁ ଏମନ୍ତ ବିଚାରିଲେ । ଅତି ଅସମ୍ଭବ ବୋଇଲେ ॥ ୪୭
ଅନେକ ତପସ୍ୟାର ଫଳେ । ମନୁଷ୍ୟ ହୋଇ ଦେବ ପାଳେ ॥ ୪୮
ବ୍ରାହ୍ମଣ କୋପ-ଶାପୁଁ କରି । ହତ ହୋଇବ ଏହା ଶିରୀ ॥ ୪୯
ନହୁଷେ ଏମନ୍ତ କହିବ । ଋଷିଙ୍କ କନ୍ଧେ ଦୋଳା ଥିବ ॥ ୫୦
ତୁମ୍ଭେ ଦୋଳାରେ ବସିଥିବ । ଆମ୍ଭର ପୁରକୁ ଆସିବ ॥ ୫୧
ଦେବେ ଯେ ତୁମ୍ଭଙ୍କୁ ଭଜିବୁ । ସ୍ୱର୍ଗେ ଇନ୍ଦ୍ରବୋଲି ଜାଣିବୁ ॥ ୫୨
ବ୍ରାହ୍ମଣେ କ୍ରୋଧ ଉପୁଜିବ । ତେବେ ସେ ସ୍ୱର୍ଗୁ ଚ୍ୟୁତ ହେବ ॥ ୫୩
ଏମନ୍ତ ଗୁରୁଆଜ୍ଞା ଶୁଣି । ନହୁଷେ କହିଲେ ଇନ୍ଦ୍ରାଣୀ ॥ ୫୪
ଶୁଣି ହରଷ ନୃପମଣି । ଉତ୍ତମଋଷିଙ୍କି ସେ ଆଣି ॥ ୫୫
ଦୋଳା ବୁହାଇ ତାଙ୍କ କନ୍ଧେ । ସତ୍ୱରେ ଗମିଲେ ଆନନ୍ଦେ ॥ ୫୬
ଚଳଇ ଦୋଳା ମନ୍ଦଗତି । ତା ଦେଖି କୁପିତ ନୃପତି ॥ ୫୭
ସର୍ପ ସର୍ପ ବୋଲି ବୋଇଲା । ପାଦେ ଅଗସ୍ତିଙ୍କି ମାଇଲା ॥ ୫୮
ଅଗସ୍ତି କ୍ରୋଧଭର ହୋଇ । ନହୁଷକୁ ସେ ଶାପ ଦେଇ ॥ ୫୯
ତୁ ସର୍ପ ହୁଅ ବେଗ ହୋଇ । ଯେଣୁ ସଙ୍କଟ ଦେଲୁ ତୁହି ॥ ୬୦
ଏ ହେତୁ ନହୁଷ ସ୍ୱର୍ଗରୁ । ଚ୍ୟୁତ ହୋଇଲା ସେ ଶାପରୁ ॥ ୬୧
ମହାସର୍ପ ଯେ ସେ ହୋଇଲା । ମର୍ତ୍ତ୍ୟଲୋକରେ ସେ ପଡିଲା ॥ ୬୨
ଏବେ ହୋ ଶୁଣ ପରୀକ୍ଷିତ । ଇନ୍ଦ୍ରରାଜାର ଯେ ଚରିତ ॥ ୬୩
ପରମେଶ୍ୱର ଧ୍ୟାନ କରି । ବ୍ରହ୍ମହତ୍ୟା ପାପରୁ ତରି ॥ ୬୪
ସ୍ୱର୍ଗରେ ଇନ୍ଦ୍ର ପୁନର୍ବାର । ଦେବଙ୍କୁ ଘେନି ସେ ବିହାର ॥ ୬୫
ଇନ୍ଦ୍ରଙ୍କୁ ଦେବଋଷିମାନେ । ଅଶ୍ୱମେଧଯଜ୍ଞ ବିଧାନେ ॥ ୬୬
ମହାପୁରୁଷ - ଆରାଧନ । ଦୀକ୍ଷା କରାଇଲେ ରାଜନ ॥ ୬୭
ଏଅନନ୍ତରେ ଦେବମୟ । ସର୍ବାତ୍ମା-ପୁରୁଷ-ଅବ୍ୟୟ ॥ ୬୮
ଇନ୍ଦ୍ର ବ୍ରହ୍ମଋଷି ସହିତେ । ଆରାଧି ଅଶ୍ୱମେଧ ମତେ ॥ ୬୯
ବ୍ରହ୍ମବଧ ପାତକ ଭୟ । ଯଜ୍ଞହେତୁରୁ ହେଲା କ୍ଷୟ ॥ ୭୦
ରବିକିରଣେ ତମପ୍ରାୟେ । ସକଳପାପ ହେଲା କ୍ଷୟେ ॥ ୭୧
ଅଶ୍ୱମେଧରେ ବରି ଇନ୍ଦ୍ର । ମରୀଚିଆଦି ମୁନିବୃନ୍ଦ ॥ ୭୨
ଆରାଧି ପୁରୁଷପୁରାଣ । ସ୍ୱର୍ଗେ ହୋଇଲେ ସେ ରାଜନ ॥ ୭୩
ଯେ ଯଜ୍ଞପ୍ରସାଦରୁ କରି । ନିଷ୍ପାପ ହୋଏ ବଜ୍ରଧାରୀ ॥ ୭୪
ଅଶେଷପ୍ରାଣୀମାନଙ୍କର । ପାପକୁ କରଇ ଯେ ଦୂର ॥ ୭୫
ଏ ମହାଜ୍ଞାନ ସୁଖମୟୀ । ଯେ ଜନ ଶ୍ରଦ୍ଧାରେ ଶୁଣଇ ॥ ୭୬
ଭକତଜନର ବର୍ଣ୍ଣନ । ଇନ୍ଦ୍ର-ଜୟ-ମୋକ୍ଷ କାରଣ ॥ ୭୭
ଶ୍ରଦ୍ଧାରେ କରି ଯେ ପଢ଼ଇ । ଯେ ଅବା ଅଜ୍ଞାନେ ଶୁଣଇ ॥ ୭୮
ଗାୟନ କରି ପ୍ରତିଦିନ । ସର୍ବସିଦ୍ଧି ଲଭେ ସେ ଜନ ॥ ୭୯
ଶତ୍ରୁକୁ ଜୟ ଧନ ଯଶ । ପାପମୋଚନ ଦୀର୍ଘାୟୁଷ ॥ ୮୦
ସର୍ବକଲ୍ୟାଣ ତାର ହୋଇ । ଧନ ଧ୍ୟାନ ଯଶ ଲଭଇ ॥ ୮୧
ହରିକୀର୍ତ୍ତନେ ସର୍ବ ହୋଇ । କଳିରେ ଆନଗତି ନାହିଁ ॥ ୮୨
ବୋଲଇ ଜଗନ୍ନାଥ ଦାସ । ଇନ୍ଦ୍ର ଯେ ପାପ କଲା ନାଶ ॥ ୮୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା
ସଂହିତାୟାଂ ଷଷ୍ଠସ୍କନ୍ଧେ ଇନ୍ଦ୍ରବିଜୟୋ ନାମ
ତ୍ରୟୋଦଶୋଽଧ୍ୟାୟଃ ॥
* * *