ଷଷ୍ଠ ସ୍କନ୍ଧ
ଦ୍ୱାଦଶ ଅଧ୍ୟାୟ
ଶୁକ କହନ୍ତି ହରଷିତ । ଇନ୍ଦ୍ର - ବୃତ୍ରାସୁର ଚରିତ ॥ ୧
ଶୁକ ଉବାଚ
ଏମନ୍ତେ ସଂଗ୍ରାମେ ଅସୁର । ଛାଡିବ ବୋଲି କଳେବର ॥ ୨
ଜୟରୁ ଭଲ ମୋ ମରଣ । ମନରେ କଲା ହେ ରାଜନ ॥ ୩
ଶୂଳ ଧରିଣ ବୃତ୍ରାସୁର । ଧାଇଁଲା ଇନ୍ଦ୍ରର ଉପର ॥ ୪
ଯେମନ୍ତେ କଇଟଭ ବୀର । ଧାଇଁଲା ବିଷ୍ଣୁଙ୍କ ଉପର ॥ ୫
ଯୁଗାନ୍ତଅଗ୍ନିପ୍ରାୟ ତେଜେ । ସେ ଶୂଳ ଅତ୍ୟନ୍ତ ବିରାଜେ ॥ ୬
ବୃତ୍ର ଅସୁରଚୂଡାମଣି । ଇନ୍ଦ୍ରଙ୍କୁ ପ୍ରହାରିଲା ଆଣି ॥ ୭
ଘୋରଶବଦ ରୋଷେ କଲା । ପାପିଷ୍ଠ ମଲୁ ତୁ ବୋଇଲା ॥ ୮
ଆକାଶୁ ଗ୍ରହ-ଉଲ୍କାମାନ । ଖସି ପଡିଲେ ତତକ୍ଷଣ ॥ ୯
ଦୁର୍ଜୟ ଦେଖିଣ ଅସୁର । ଭୟେ କମ୍ପିଲେ ସୁରନର ॥ ୧୦
ବଜ୍ର ଧରିଣ ଦେବରାଜ । ଛେଦିଲେ ତାର ଏକଭୁଜ ॥ ୧୧
ପରିଘ ଘେନି ଆରକରେ । ଧାଇଁଲା ଇନ୍ଦ୍ରର ଉପରେ ॥ ୧୨
କ୍ରୋଧରେ ପରିଘ ଉଞ୍ଚାଇ । ଇନ୍ଦ୍ରକୁ ପ୍ରହାରିଲା ନେଇ ॥ ୧୩
ଇନ୍ଦ୍ରହସ୍ତୁ ବଜ୍ର ଖସିଲା । ଅଧୋଭୂମିରେ ସେ ପଡିଲା ॥ ୧୪
ଅଦ୍ଭୁତ ଦେଖି ବୃତ୍ରକର୍ମ । ସୁର ଚାରଣ ସିଦ୍ଧଗଣ ॥ ୧୫
ସକଳେ କଲେ ଧନ୍ୟ ଧନ୍ୟ । ଇନ୍ଦ୍ର ସଙ୍କଟେ ଛନ୍ନ ମନ ॥ ୧୬
ଯେତେକ ସୈନ୍ୟ ଇନ୍ଦ୍ରଙ୍କର । ସକଳେ କଲେ ହାହାକାର ॥ ୧୭
ଲଜ୍ଜାରେ ବୃତ୍ରର ଅଗ୍ରତେ । ବଜ୍ର ନ ନେଲେ ଇନ୍ଦ୍ର ହସ୍ତେ ॥ ୧୮
ଇନ୍ଦ୍ରଙ୍କୁ ଚାହିଁ ବୃତ୍ରାସୁର । ବଚନ କହଇ ମଧୁର ॥ ୧୯
ବୃତ୍ର ଉବାଚ
ମନରେ ବିଷାଦ ନ କର । ବଜ୍ର ଧରିଣ ବେଗେ ମାର ॥ ୨୦
ଯୁଦ୍ଧ ଇଚ୍ଛଇ ଯେଉଁ ନର । ଦୁସ୍ତର ଜୟଟି ତାହାର ॥ ୨୧
ଯେ ଜନ ରଣେ ଭୀତ ହୋଇ । ଜୟର ଲେଶ ତାର ନାହିଁ ॥ ୨୨
ଉତ୍ପତ୍ତି-ପାଳନ-ସଂହାର । ଯେ ପ୍ରଭୁ ଏହାଙ୍କ ଈଶ୍ୱର ॥ ୨୩
ସର୍ବଜ୍ଞ ଆଦି ସନାତନ । ଅଖିଳ-ପୁରୁଷ ପୁରାଣ ॥ ୨୪
ତା ବିନୁ ଜୟ ବା ଅଜୟ । କାହାର ବୋଲେ ହୋଇ କହ ॥ ୨୫
ଯେ ପ୍ରଭୁ ଅଖିଳର ଈଶ । ଅଖିଳଲୋକ ଯାର ବଶ ॥ ୨୬
କାଳସ୍ୱରୂପ ଯେ ଈଶ୍ୱର । ମୃତ୍ୟୁ ଅମୃତ୍ୟୁ ରୂପଧର ॥ ୨୭
ସକଳ ହେତୁ ସେ ଅଟଇ । ତାହାଙ୍କୁ ଅଜ୍ଞ ନ ଜାଣଇ ॥ ୨୮
କାଷ୍ଠର ପିତୁଳୀ ଯେସନ । ଜଗତ ତାହାର ଭିଆଣ ॥ ୨୯
ଯେମନ୍ତେ ଯନ୍ତ୍ରମୟ-ମୃଗ । ପ୍ରାଣୀ ତା ବଶେ ମହାଭାଗ ॥ ୩୦
ପ୍ରକୃତି-ପୁରୁଷ ଯେ ଦୁଇ । ତା ବିନୁ ଜଡପ୍ରାୟେ ହୋଇ ॥ ୩୧
ସୃଷ୍ଟିକରତା ଅବା କେହି । ତା ବିନୁ ଯେତେକ ଅଛଇ ॥ ୩୨
ସକଳ ଆତ୍ମାରୂପ ସେହି । ଅଜ୍ଞାନୀ ଜାଣିବ ବା କାହିଁ ॥ ୩୩
ସେହି ପ୍ରାଣୀଙ୍କି ସୃଷ୍ଟିକରି । ପ୍ରତିପାଳନକୁ ଆଚରି ॥ ୩୪
ଗ୍ରାସଇ କାଳରୂପ ହୋଇ । ଧର୍ମ-ଅଧର୍ମ ରୂପ ସେହି ॥ ୩୫
ଆୟୁ ସମ୍ପଦ କୀର୍ତ୍ତି ଯେତେ । ପ୍ରାଣୀର ହୁଅଇ ଯୁଗତେ ॥ ୩୬
ସେ ଯାକୁ ପ୍ରସନ୍ନ ହୁଅଇ । ଅଷ୍ଟ ଐଶ୍ୱର୍ଯ୍ୟ ତାର ହୋଇ ॥ ୩୭
ସୁଖ ଦୁଃଖ ମୃତ୍ୟୁ ଜୀବିତ । ଏ ସର୍ବ ଈଶ୍ୱର-ଆୟତ୍ତ ॥ ୩୮
ଏ ଘେନି ଇନ୍ଦ୍ର ସମ ହୁଅ । ହର୍ଷ-ବିଷାଦକୁ ନ ପାଅ ॥ ୩୯
ସେ ସତ୍ତ୍ୱ ରଜ ତମ ଜାଣ । ପ୍ରକୃତିଗୁଣ ଏ ପ୍ରମାଣ ॥ ୪୦
ଆତ୍ମାଟି ସାକ୍ଷୀ ବୋଲି ଜାଣ । ସେ ଯାକୁ ହୁଅଇ ପ୍ରସନ୍ନ ॥ ୪୧
ସଂସାରେ ବଦ୍ଧ ସେ ନୁହଇ । ସକଳ ପାପୁଁ ସେ ତରଇ ॥ ୪୨
ରଣରେ ଛିନ୍ନଭୁଜ ହୋଇ । ଭୋ ଇନ୍ଦ୍ର ଦେଖ ମୁଁ ଅଛଇ ॥ ୪୩
ଜୟ ବା ଅଜୟ କାହାର । ଜାଣିବ କେ ବିନା ଈଶ୍ୱର ॥ ୪୪
ଶରସମୂହ ପଶାକାଠି । ଏ ଚତୁରଙ୍ଗବଳ ଗୋଟି ॥ ୪୫
ଜୀବନ ହୁଡ଼ ଜୁଆ ରଣେ । କେ ଜାଣି କେ ହାରେ କେ ଜିଣେ ॥ ୪୬
ଶୁକ ଉବାଚ
ଶୁଣ ପରୀକ୍ଷ ନୃପମଣି । ବୃତ୍ରର ବାକ୍ୟ ଇନ୍ଦ୍ର ଶୁଣି ॥ ୪୭
ବୃତ୍ରକୁ ଧନ୍ୟ ଧନ୍ୟ କରି । ହସି ବୋଇଲେ ବଜ୍ରଧାରୀ ॥ ୪୮
ଇନ୍ଦ୍ର ଉବାଚ
ଆହେ ଦାନବ ସିଦ୍ଧ ତୁହି । ତେଣୁ ତୋ ସିଦ୍ଧମତି ହୋଇ ॥ ୪୯
ସକଳ-ଆତ୍ମାର ଈଶ୍ୱର । ଭଜିଲୁ ଚରଣ ତାଙ୍କର ॥ ୫୦
ଜଗମୋହିନୀ-ବିଷ୍ଣୁ ମାୟା । ଦାନବ ଛେଦିଲୁ ତୁ ତାହା ॥ ୫୧
ଅଇରିଭବ କରି ଦୂର । କଲୁ ତୁ ସ୍ୱର୍ଲୋକ ଆଚାର ॥ ୫୨
ଅହୋ ଆଶ୍ଚର୍ଯ୍ୟ ବଡ଼ ମୋର । ସ୍ୱଭାବେ ରଜଗୁଣ ତୋର ॥ ୫୩
ଅଖିଳବ୍ରହ୍ମାଣ୍ତର ପତି । ତା ତହିଁ ତୋର ଦୃଢ଼ମତି ॥ ୫୪
ପରମବହ୍ମ ହରି ଯେହି । ତା ତହିଁ ଯାର ଭକ୍ତି ହୋଇ ॥ ୫୫
ଅମୃତସିନ୍ଧୁରେ ସେ ଜନ । କ୍ରୀଡା କରିବ ଅନୁକ୍ଷଣ ॥ ୫୬
କି କାର୍ଯ୍ୟ କୂପଜଳେ ତାର । ସେ ସ୍ୱର୍ଗଭୋଗଟି ଅସାର ॥ ୫୭
ଶୁକ ଉବାଚ
ଅନ୍ୟୋନ୍ୟେ ଧର୍ମକୁ କହିଲେ । ପୁଣି ହିଁ ଯୁଦ୍ଧ ଆରମ୍ଭିଲେ ॥ ୫୮
ସମ୍ମୁଖେ ବୀର ଦୁଇଜଣ । କରି ଲାଗିଲେ ଘୋରରଣ ॥ ୫୯
ବୃତ୍ର ପରିଘ କରେ ଲଇ । ଇନ୍ଦ୍ରକୁ ପ୍ରହାରିଲା ଧାଇଁ ॥ ୬୦
ପରିଘ ଘେନି ବାମକରେ । ଶବଦ କଲା ମହାଘୋରେ ॥ ୬୧
କର ପରିଘ ଏକାବେଳେ । ଇନ୍ଦ୍ର ଛେଦିଲେ ଅବହେଳେ ॥ ୬୨
ବୃତ୍ରର ଗଲା ଦୁଇକର । ରକତେ ହୋଏ ଜରଜର ॥ ୬୩
ପକ୍ଷ ଛିଡ଼ନ୍ତେ ବଜ୍ରାଘାତେ । ଯେସନେ ଦିଶନ୍ତି ପର୍ବତେ ॥ ୬୪
ଆୟୁଧ ଭୁଜ ଯହୁଁ ଗଲା । ସେ ବୃତ୍ର ମହାକ୍ରୋଧ କଲା ॥ ୬୫
ଅଧର ଚାପି କ୍ରୋଧଭର । ଶରୀର ବିସ୍ତାରେ ଅସୁର ॥ ୬୬
ଅଧର ହନୁ ତା ଭୂମିରେ । ଉପର ହନୁ ତା ସ୍ୱର୍ଗରେ ॥ ୬୭
ଆକାଶ ଗଭୀର ମୁଖରେ । ଲିହଇ କଠୋର ଜିହ୍ୱାରେ ॥ ୬୮
କାଳର ପ୍ରାୟେ ଦନ୍ତମାନ । ଗ୍ରାସିବ ଯେହ୍ନେ ତ୍ରିଭୁବନ ॥ ୬୯
ଅତ୍ୟନ୍ତ ଶରୀର ବିସ୍ତାରି । ଧାମଇଁ ଯେହ୍ନେ ମହାଗିରି ॥ ୭୦
ପାଦେ ଅବନୀ କମ୍ପାଇଲା । ଇନ୍ଦ୍ରର ନିକଟେ ମିଳିଲା ॥ ୭୧
ଇନ୍ଦ୍ରକୁ ଗଜେନ୍ଦ୍ର ସହିତ । ଗିଳିଲା ବୃତ୍ର ମହାଦୈତ୍ୟ ॥ ୭୨
ସ୍ୱଭାବେ ଗିଳିଲା ଅସୁର । ଗଜକୁ ଯେହ୍ନେ ସର୍ପବର ॥ ୭୩
ଦେଖି ଇନ୍ଦ୍ରକୁ ଗିଳିବାର । ବ୍ରହ୍ମାଦି ଯେତେ ସୁରନର ॥ ୭୪
ସକଳେ କଲେ ହାହାକାର । ଇନ୍ଦ୍ରକୁ ଗିଳିଲା ଅସୁର ॥ ୭୫
ଅସୁର-ଉଦରରେ ଥାଇ । ନାଶ ନୋହିଲା ସୁରସାଇଁ ॥ ୭୬
ମହାପୁରୁଷ ଧ୍ୟାନ କରି । ଯୋଗମାର୍ଗକୁ ସେ ଆବୋରି ॥ ୭୭
ପେଟଚିରିଲେ ବଜ୍ରେ ତାର । ଗର୍ଭରୁ ହୋଇଲେ ବାହାର ॥ ୭୮
ଆପଣାବଳେ ଦେବବର । ବଜ୍ରେ ଛେଦିଲେ ତାର ଶିର ॥ ୭୯
ବଜ୍ରହିଁ ଅତିବେଗେ ଗଲା । କନ୍ଧରୁ ମସ୍ତକ କାଟିଲା ॥ ୮୦
ସମ୍ପୂର୍ଣ୍ଣ ସମ୍ବତ୍ସର କାଳେ । ଶିର ତା ପଡିଲାକ ତଳେ ॥ ୮୧
ଆକାଶେ ଦୁନ୍ଦୁଭି ତକ୍ଷଣେ । ଶବଦ କଲେ ଦେବଗଣେ ॥ ୮୨
ସିଦ୍ଧ-ଗନ୍ଧର୍ବ-ଋଷିଗଣେ । ଆନନ୍ଦେ ହରଷିତ ମନେ ॥ ୮୩
ବୃତ୍ରଶତ୍ରୁକୁ ସ୍ତୁତିକଲେ । ହରଷେ ପୁଷ୍ପ ବରଷିଲେ ॥ ୮୪
ବୃତ୍ରର ତହୁଁ ଜ୍ୟୋତିରୂପ । ବାହାର ହୋଇଲା ହେ ନୃପ ॥ ୮୫
ସକଳେ ଦେଖୁଥିଲେ ରହି । ସାଲୋକ୍ୟ ପାଇଲା ସେ ତହିଁ ॥ ୮୬
ବୋଲଇ ଦାସ ଜଗନ୍ନାଥ । ଇନ୍ଦ୍ର-ବୃତ୍ର-ଯୁଦ୍ଧ-ବୃତ୍ତାନ୍ତ ॥ ୮୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ବୃତ୍ରବଧୋ ନାମ
ଦ୍ୱାଦଶୋଽଧ୍ୟାୟଃ ॥
* * *