ଷଷ୍ଠ ସ୍କନ୍ଧ

ଦ୍ୱାଦଶ ଅଧ୍ୟାୟ

ଶୁକ କହନ୍ତି ହରଷିତ । ଇନ୍ଦ୍ର - ବୃତ୍ରାସୁର ଚରିତ ॥

ଶୁକ ଉବାଚ

ଏମନ୍ତେ ସଂଗ୍ରାମେ ଅସୁର । ଛାଡିବ ବୋଲି କଳେବର ॥

ଜୟରୁ ଭଲ ମୋ ମରଣ । ମନରେ କଲା ହେ ରାଜନ ॥

ଶୂଳ ଧରିଣ ବୃତ୍ରାସୁର । ଧାଇଁଲା ଇନ୍ଦ୍ରର ଉପର ॥

ଯେମନ୍ତେ କଇଟଭ ବୀର । ଧାଇଁଲା ବିଷ୍ଣୁଙ୍କ ଉପର ॥

ଯୁଗାନ୍ତଅଗ୍ନିପ୍ରାୟ ତେଜେ । ସେ ଶୂଳ ଅତ୍ୟନ୍ତ ବିରାଜେ ॥

ବୃତ୍ର ଅସୁରଚୂଡାମଣି । ଇନ୍ଦ୍ରଙ୍କୁ ପ୍ରହାରିଲା ଆଣି ॥

ଘୋରଶବଦ ରୋଷେ କଲା । ପାପିଷ୍ଠ ମଲୁ ତୁ ବୋଇଲା ॥

ଆକାଶୁ ଗ୍ରହ-ଉଲ୍କାମାନ । ଖସି ପଡିଲେ ତତକ୍ଷଣ ॥

ଦୁର୍ଜୟ ଦେଖିଣ ଅସୁର । ଭୟେ କମ୍ପିଲେ ସୁରନର ॥ ୧୦

ବଜ୍ର ଧରିଣ ଦେବରାଜ । ଛେଦିଲେ ତାର ଏକଭୁଜ ॥ ୧୧

ପରିଘ ଘେନି ଆରକରେ । ଧାଇଁଲା ଇନ୍ଦ୍ରର ଉପରେ ॥ ୧୨

କ୍ରୋଧରେ ପରିଘ ଉଞ୍ଚାଇ । ଇନ୍ଦ୍ରକୁ ପ୍ରହାରିଲା ନେଇ ॥ ୧୩

ଇନ୍ଦ୍ରହସ୍ତୁ ବଜ୍ର ଖସିଲା । ଅଧୋଭୂମିରେ ସେ ପଡିଲା ॥ ୧୪

ଅଦ୍ଭୁତ ଦେଖି ବୃତ୍ରକର୍ମ । ସୁର ଚାରଣ ସିଦ୍ଧଗଣ ॥ ୧୫

ସକଳେ କଲେ ଧନ୍ୟ ଧନ୍ୟ । ଇନ୍ଦ୍ର ସଙ୍କଟେ ଛନ୍ନ ମନ ॥ ୧୬

ଯେତେକ ସୈନ୍ୟ ଇନ୍ଦ୍ରଙ୍କର । ସକଳେ କଲେ ହାହାକାର ॥ ୧୭

ଲଜ୍ଜାରେ ବୃତ୍ରର ଅଗ୍ରତେ । ବଜ୍ର ନ ନେଲେ ଇନ୍ଦ୍ର ହସ୍ତେ ॥ ୧୮

ଇନ୍ଦ୍ରଙ୍କୁ ଚାହିଁ ବୃତ୍ରାସୁର । ବଚନ କହଇ ମଧୁର ॥ ୧୯

ବୃତ୍ର ଉବାଚ

ମନରେ ବିଷାଦ ନ କର । ବଜ୍ର ଧରିଣ ବେଗେ ମାର ॥ ୨୦

ଯୁଦ୍ଧ ଇଚ୍ଛଇ ଯେଉଁ ନର । ଦୁସ୍ତର ଜୟଟି ତାହାର ॥ ୨୧

ଯେ ଜନ ରଣେ ଭୀତ ହୋଇ । ଜୟର ଲେଶ ତାର ନାହିଁ ॥ ୨୨

ଉତ୍ପତ୍ତି-ପାଳନ-ସଂହାର । ଯେ ପ୍ରଭୁ ଏହାଙ୍କ ଈଶ୍ୱର ॥ ୨୩

ସର୍ବଜ୍ଞ ଆଦି ସନାତନ । ଅଖିଳ-ପୁରୁଷ ପୁରାଣ ॥ ୨୪

ତା ବିନୁ ଜୟ ବା ଅଜୟ । କାହାର ବୋଲେ ହୋଇ କହ ॥ ୨୫

ଯେ ପ୍ରଭୁ ଅଖିଳର ଈଶ । ଅଖିଳଲୋକ ଯାର ବଶ ॥ ୨୬

କାଳସ୍ୱରୂପ ଯେ ଈଶ୍ୱର । ମୃତ୍ୟୁ ଅମୃତ୍ୟୁ ରୂପଧର ॥ ୨୭

ସକଳ ହେତୁ ସେ ଅଟଇ । ତାହାଙ୍କୁ ଅଜ୍ଞ ନ ଜାଣଇ ॥ ୨୮

କାଷ୍ଠର ପିତୁଳୀ ଯେସନ । ଜଗତ ତାହାର ଭିଆଣ ॥ ୨୯

ଯେମନ୍ତେ ଯନ୍ତ୍ରମୟ-ମୃଗ । ପ୍ରାଣୀ ତା ବଶେ ମହାଭାଗ ॥ ୩୦

ପ୍ରକୃତି-ପୁରୁଷ ଯେ ଦୁଇ । ତା ବିନୁ ଜଡପ୍ରାୟେ ହୋଇ ॥ ୩୧

ସୃଷ୍ଟିକରତା ଅବା କେହି । ତା ବିନୁ ଯେତେକ ଅଛଇ ॥ ୩୨

ସକଳ ଆତ୍ମାରୂପ ସେହି । ଅଜ୍ଞାନୀ ଜାଣିବ ବା କାହିଁ ॥ ୩୩

ସେହି ପ୍ରାଣୀଙ୍କି ସୃଷ୍ଟିକରି । ପ୍ରତିପାଳନକୁ ଆଚରି ॥ ୩୪

ଗ୍ରାସଇ କାଳରୂପ ହୋଇ । ଧର୍ମ-ଅଧର୍ମ ରୂପ ସେହି ॥ ୩୫

ଆୟୁ ସମ୍ପଦ କୀର୍ତ୍ତି ଯେତେ । ପ୍ରାଣୀର ହୁଅଇ ଯୁଗତେ ॥ ୩୬

ସେ ଯାକୁ ପ୍ରସନ୍ନ ହୁଅଇ । ଅଷ୍ଟ ଐଶ୍ୱର୍ଯ୍ୟ ତାର ହୋଇ ॥ ୩୭

ସୁଖ ଦୁଃଖ ମୃତ୍ୟୁ ଜୀବିତ । ଏ ସର୍ବ ଈଶ୍ୱର-ଆୟତ୍ତ ॥ ୩୮

ଏ ଘେନି ଇନ୍ଦ୍ର ସମ ହୁଅ । ହର୍ଷ-ବିଷାଦକୁ ନ ପାଅ ॥ ୩୯

ସେ ସତ୍ତ୍ୱ ରଜ ତମ ଜାଣ । ପ୍ରକୃତିଗୁଣ ଏ ପ୍ରମାଣ ॥ ୪୦

ଆତ୍ମାଟି ସାକ୍ଷୀ ବୋଲି ଜାଣ । ସେ ଯାକୁ ହୁଅଇ ପ୍ରସନ୍ନ ॥ ୪୧

ସଂସାରେ ବଦ୍ଧ ସେ ନୁହଇ । ସକଳ ପାପୁଁ ସେ ତରଇ ॥ ୪୨

ରଣରେ ଛିନ୍ନଭୁଜ ହୋଇ । ଭୋ ଇନ୍ଦ୍ର ଦେଖ ମୁଁ ଅଛଇ ॥ ୪୩

ଜୟ ବା ଅଜୟ କାହାର । ଜାଣିବ କେ ବିନା ଈଶ୍ୱର ॥ ୪୪

ଶରସମୂହ ପଶାକାଠି । ଏ ଚତୁରଙ୍ଗବଳ ଗୋଟି ॥ ୪୫

ଜୀବନ ହୁଡ଼ ଜୁଆ ରଣେ । କେ ଜାଣି କେ ହାରେ କେ ଜିଣେ ॥ ୪୬

ଶୁକ ଉବାଚ

ଶୁଣ ପରୀକ୍ଷ ନୃପମଣି । ବୃତ୍ରର ବାକ୍ୟ ଇନ୍ଦ୍ର ଶୁଣି ॥ ୪୭

ବୃତ୍ରକୁ ଧନ୍ୟ ଧନ୍ୟ କରି । ହସି ବୋଇଲେ ବଜ୍ରଧାରୀ ॥ ୪୮

ଇନ୍ଦ୍ର ଉବାଚ

ଆହେ ଦାନବ ସିଦ୍ଧ ତୁହି । ତେଣୁ ତୋ ସିଦ୍ଧମତି ହୋଇ ॥ ୪୯

ସକଳ-ଆତ୍ମାର ଈଶ୍ୱର । ଭଜିଲୁ ଚରଣ ତାଙ୍କର ॥ ୫୦

ଜଗମୋହିନୀ-ବିଷ୍ଣୁ ମାୟା । ଦାନବ ଛେଦିଲୁ ତୁ ତାହା ॥ ୫୧

ଅଇରିଭବ କରି ଦୂର । କଲୁ ତୁ ସ୍ୱର୍ଲୋକ ଆଚାର ॥ ୫୨

ଅହୋ ଆଶ୍ଚର୍ଯ୍ୟ ବଡ଼ ମୋର । ସ୍ୱଭାବେ ରଜଗୁଣ ତୋର ॥ ୫୩

ଅଖିଳବ୍ରହ୍ମାଣ୍ତŠର ପତି । ତା ତହିଁ ତୋର ଦୃଢ଼ମତି ॥ ୫୪

ପରମବହ୍ମ ହରି ଯେହି । ତା ତହିଁ ଯାର ଭକ୍ତି ହୋଇ ॥ ୫୫

ଅମୃତସିନ୍ଧୁରେ ସେ ଜନ । କ୍ରୀଡା କରିବ ଅନୁକ୍ଷଣ ॥ ୫୬

କି କାର୍ଯ୍ୟ କୂପଜଳେ ତାର । ସେ ସ୍ୱର୍ଗଭୋଗଟି ଅସାର ॥ ୫୭

ଶୁକ ଉବାଚ

ଅନ୍ୟୋନ୍ୟେ ଧର୍ମକୁ କହିଲେ । ପୁଣି ହିଁ ଯୁଦ୍ଧ ଆରମ୍ଭିଲେ ॥ ୫୮

ସମ୍ମୁଖେ ବୀର ଦୁଇଜଣ । କରି ଲାଗିଲେ ଘୋରରଣ ॥ ୫୯

ବୃତ୍ର ପରିଘ କରେ ଲଇ । ଇନ୍ଦ୍ରକୁ ପ୍ରହାରିଲା ଧାଇଁ ॥ ୬୦

ପରିଘ ଘେନି ବାମକରେ । ଶବଦ କଲା ମହାଘୋରେ ॥ ୬୧

କର ପରିଘ ଏକାବେଳେ । ଇନ୍ଦ୍ର ଛେଦିଲେ ଅବହେଳେ ॥ ୬୨

ବୃତ୍ରର ଗଲା ଦୁଇକର । ରକତେ ହୋଏ ଜରଜର ॥ ୬୩

ପକ୍ଷ ଛିଡ଼ନ୍ତେ ବଜ୍ରାଘାତେ । ଯେସନେ ଦିଶନ୍ତି ପର୍ବତେ ॥ ୬୪

ଆୟୁଧ ଭୁଜ ଯହୁଁ ଗଲା । ସେ ବୃତ୍ର ମହାକ୍ରୋଧ କଲା ॥ ୬୫

ଅଧର ଚାପି କ୍ରୋଧଭର । ଶରୀର ବିସ୍ତାରେ ଅସୁର ॥ ୬୬

ଅଧର ହନୁ ତା ଭୂମିରେ । ଉପର ହନୁ ତା ସ୍ୱର୍ଗରେ ॥ ୬୭

ଆକାଶ ଗଭୀର ମୁଖରେ । ଲିହଇ କଠୋର ଜିହ୍ୱାରେ ॥ ୬୮

କାଳର ପ୍ରାୟେ ଦନ୍ତମାନ । ଗ୍ରାସିବ ଯେହ୍ନେ ତ୍ରିଭୁବନ ॥ ୬୯

ଅତ୍ୟନ୍ତ ଶରୀର ବିସ୍ତାରି । ଧାମଇଁ ଯେହ୍ନେ ମହାଗିରି ॥ ୭୦

ପାଦେ ଅବନୀ କମ୍ପାଇଲା । ଇନ୍ଦ୍ରର ନିକଟେ ମିଳିଲା ॥ ୭୧

ଇନ୍ଦ୍ରକୁ ଗଜେନ୍ଦ୍ର ସହିତ । ଗିଳିଲା ବୃତ୍ର ମହାଦୈତ୍ୟ ॥ ୭୨

ସ୍ୱଭାବେ ଗିଳିଲା ଅସୁର । ଗଜକୁ ଯେହ୍ନେ ସର୍ପବର ॥ ୭୩

ଦେଖି ଇନ୍ଦ୍ରକୁ ଗିଳିବାର । ବ୍ରହ୍ମାଦି ଯେତେ ସୁରନର ॥ ୭୪

ସକଳେ କଲେ ହାହାକାର । ଇନ୍ଦ୍ରକୁ ଗିଳିଲା ଅସୁର ॥ ୭୫

ଅସୁର-ଉଦରରେ ଥାଇ । ନାଶ ନୋହିଲା ସୁରସାଇଁ ॥ ୭୬

ମହାପୁରୁଷ ଧ୍ୟାନ କରି । ଯୋଗମାର୍ଗକୁ ସେ ଆବୋରି ॥ ୭୭

ପେଟଚିରିଲେ ବଜ୍ରେ ତାର । ଗର୍ଭରୁ ହୋଇଲେ ବାହାର ॥ ୭୮

ଆପଣାବଳେ ଦେବବର । ବଜ୍ରେ ଛେଦିଲେ ତାର ଶିର ॥ ୭୯

ବଜ୍ରହିଁ ଅତିବେଗେ ଗଲା । କନ୍ଧରୁ ମସ୍ତକ କାଟିଲା ॥ ୮୦

ସମ୍ପୂର୍ଣ୍ଣ ସମ୍ବତ୍ସର କାଳେ । ଶିର ତା ପଡିଲାକ ତଳେ ॥ ୮୧

ଆକାଶେ ଦୁନ୍ଦୁଭି ତକ୍ଷଣେ । ଶବଦ କଲେ ଦେବଗଣେ ॥ ୮୨

ସିଦ୍ଧ-ଗନ୍ଧର୍ବ-ଋଷିଗଣେ । ଆନନ୍ଦେ ହରଷିତ ମନେ ॥ ୮୩

ବୃତ୍ରଶତ୍ରୁକୁ ସ୍ତୁତିକଲେ । ହରଷେ ପୁଷ୍ପ ବରଷିଲେ ॥ ୮୪

ବୃତ୍ରର ତହୁଁ ଜ୍ୟୋତିରୂପ । ବାହାର ହୋଇଲା ହେ ନୃପ ॥ ୮୫

ସକଳେ ଦେଖୁଥିଲେ ରହି । ସାଲୋକ୍ୟ ପାଇଲା ସେ ତହିଁ ॥ ୮୬

ବୋଲଇ ଦାସ ଜଗନ୍ନାଥ । ଇନ୍ଦ୍ର-ବୃତ୍ର-ଯୁଦ୍ଧ-ବୃତ୍ତାନ୍ତ ॥ ୮୭

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଷଷ୍ଠସ୍କନ୍ଧେ ବୃତ୍ରବଧୋ ନାମ

ଦ୍ୱାଦଶୋଽଧ୍ୟାୟଃ ॥

* * *