ଷଷ୍ଠ ସ୍କନ୍ଧ
ଏକାଦଶ ଅଧ୍ୟାୟ
ଶୁକ ଉବାଚ
କହନ୍ତି ଶୁକ-ବ୍ରହ୍ମବେତ୍ତା । ଇନ୍ଦ୍ର-ବୃତ୍ରର ଯୁଦ୍ଧକଥା ॥ ୧
ସ୍ୱାମୀର ଧର୍ମକଥା ଭୃତ୍ୟେ । ଆରତେ ନ ଘେନିଲେ ଚିତ୍ତେ ॥ ୨
ଶୁଣି ସମସ୍ତେ ପଳାଇଲେ । ସଭୟେ ସଂଗ୍ରାମ ଛାଡିଲେ ॥ ୩
କାଳଅନଳ-ତେଜେ ଯେହ୍ନେ । ଅସୁରଙ୍କର ସୈନ୍ୟମାନେ ॥ ୪
କାଳ-ପ୍ରତିକୂଳରୁ କରି । ଅନାଥ ପ୍ରାୟେ ସେ ଆଚରି ॥ ୫
ଗରୁଡ ପନ୍ନଗକୁ ଧରି । ତେସନେ ଦେବେ ଦୈତ୍ୟ ମାରି ॥ ୬
ସକଳେ ଇତସ୍ତତଃ ହୋଇ । ପଳାନ୍ତି ପ୍ରାଣଭୟ ପାଇ ॥ ୭
ଏମନ୍ତ ଦେଖି ସୈନ୍ୟଗଣ । ଅସୁର କୋପ ଗରୁଟାଣ ॥ ୮
ଦେବଙ୍କୁ ଆବୋରି ଆପଣେ । ଭର୍ତ୍ସନା କରଇ ବହନେ ॥ ୯
ପଳାଉଛନ୍ତି ଯେ ଅସୁର । ତାଙ୍କୁ ପଛରୁ କିମ୍ପା ମାର ॥ ୧୦
ଭୟେ ପଳାନ୍ତି ଯେଉଁଜନ । ତାଙ୍କ ବଧ କି ଭଲ ମଣ ॥ ୧୧
ଏମନ୍ତ ବଳବନ୍ତଙ୍କର । ସ୍ୱର୍ଗ-ପ୍ରାପତି ଯେ ଦୁସ୍ତର ॥ ୧୨
ଏତେ ବୋଲିଣ ତାଙ୍କୁ କହି । ଦେବଗଣଙ୍କୁ କ୍ରୋଧ ବହି ॥ ୧୩
ଆତ୍ମ-ଶରୀର ପ୍ରକାଶିଲା । ଦେବଙ୍କୁ ଭୟ ଦେଖାଇଲା ॥ ୧୪
ଅସୁର କଲା ଘୋରନାଦ । ବ୍ରହ୍ମାଣ୍ଡେ ପୂରିଲା ଶବଦ ॥ ୧୫
ଲୋକେ ହୋଇଲେ ହତଜ୍ଞାନ । ଦେବେ ଶୁଣିଲେ ତାର ସ୍ୱନ ॥ ୧୬
ସେ ନାଦ ଶୁଣି ଦେବଗଣେ । ମୂର୍ଚ୍ଛିତ ହୋଇ ହତଜ୍ଞାନେ ॥ ୧୭
ବିକଳେ ପଡିଲେ ଭୂମିରେ । ବଜ୍ର ପଡିଲା ଯେହ୍ନେ ଶିରେ ॥ ୧୮
ଚକ୍ଷୁ ବୁଜିଣ ଦେବଗଣେ । ପଡି ଅଛନ୍ତି ଘୋରରଣେ ॥ ୧୯
ଦ୍ୱର୍ମଦ ରଣରଙ୍ଗେ ବୀର । ପାଦେ ମର୍ଦ୍ଦିଲା ବୃତ୍ରାସୁର ॥ ୨୦
ଅବନୀ କମ୍ପେ ପାଦଭରେ । ଶୂଳ ଘେନିଣ ନିଜ କରେ ॥ ୨୧
ଭ୍ରମଇ ସଂଗ୍ରାମ-ଭୂମିରେ । ଯେସନେ ମତ୍ତ-କରିବରେ ॥ ୨୨
ତାହାକୁ ଦେଖି ବଜ୍ରଧର । କୋପେ କମ୍ପଇ ଥରହର ॥ ୨୩
ମହାଗଦାରେ ଦେବବର । ବୃତ୍ରକୁ କଲେ ସେ ପ୍ରହାର ॥ ୨୪
ଦୁଃସହ-ଗଦା ଆସିବାରେ । ବୃତ୍ର ଧଇଲା ବାମକରେ ॥ ୨୫
ଇନ୍ଦ୍ରର ଗଦା ଘେନି କର । ସେହି ଗଦାରେ ବୃତ୍ରାସୁର ॥ ୨୬
ଐରାବତର କୁତ୍ସସ୍ଥଳେ । ଦାନବ ପ୍ରହାରିଲା ବଳେ ॥ ୨୭
ତାହାର ଏ କର୍ମ ଦେଖିଣ । ସକଳେ କଲେ ଧନ୍ୟ ଧନ୍ୟ ॥ ୨୮
ବୃତ୍ର ଗଦାରେ ଐରାବତ । ବଜ୍ରରେ ଯେହ୍ନେ ଗିରିହତ ॥ ୨୯
ରଣେ ସେ ବିମୁଖ ହୋଇଲା । ଇନ୍ଦ୍ରକୁ ଘେନି ବାହୁଡିଲା ॥ ୩୦
ଅତ୍ୟନ୍ତ ହୋଇଣ ଆରତ । ବାହୁଡିଗା ଧନୁସାତ ॥ ୩୧
ଚକିତେ ହୋଇ ଛନ୍ନଚିତ୍ତ । ଏମନ୍ତେ ଦେବ ପୁରହୂତ ॥ ୩୨
ବୃତ୍ର ଅସୁର ପୁନର୍ବାର । ଇନ୍ଦ୍ରକୁ ନ କଲା ପ୍ରହାର ॥ ୩୩
ଇନ୍ଦ୍ର ଅମୃତସ୍ରାବୀ କର । ଦେଇଣ ହସ୍ତୀ କୁମ୍ଭସ୍ଥଳ ॥ ୩୪
ଆଶ୍ୱାସ କରି ଦେବବର । ରହିଲେ ବୃତ୍ରର ଆଗର ॥ ୩୫
ସଂଗ୍ରାମ କରିବାରେ ଆଶେ । ଇନ୍ଦ୍ରକୁ ଦେଖି ନିଜ ପାଶେ ॥ ୩୬
ଭ୍ରାତାର ହନ୍ତା ବଜ୍ରାୟୁଧ । ଦେଖି ଅସୁର କଲା କ୍ରୋଧ ॥ ୩୭
ସ୍ମରଣ କଲା ଭ୍ରାତୃନାଶ । ଶୋକ-ମୋହେ ହୋଇ ବିରସ ॥ ୩୮
ବୋଲଇ ଇନ୍ଦ୍ର ମୋ ବଚନ । ଶୁଣ ତୁ ହୋଇ ସାବଧାନ ॥ ୩୯
ଭାଗ୍ୟବଶରୁ ତୁ ମୋହର । ସଂଗ୍ରାମେ ମିଳିଲୁ ଛାମୁର ॥ ୪୦
ମୋହର ଭ୍ରାତୃନାଶକାରୀ । ଆଜ ନାଶିବି ତୋର ଶିରୀ ॥ ୪୧
ମୋହର ଶୂଳେ ହୃଦ ତୋର । ନିଶ୍ଚୟେ କରିବି ବିଦାର ॥ ୪୨
ଯେଉଁ କାରଣେ ମୋ ଅଗ୍ରଜ । ଅପାପୀ ଆତ୍ମଜ୍ଞାନୀ ଦ୍ୱିଜ ॥ ୪୩
ଖଡ଼ଗେ କରି ତୋର ଶିର । ଛେଦିଲୁ ତୁହି ଦୁରାଚାର ॥ ୪୪
ପଶୁର ପ୍ରାୟେକ ମାଇଲୁ । ସ୍ୱର୍ଗଭୋଗକୁ ବାଞ୍ଛା କଲୁ ॥ ୪୫
ଲଜ୍ଜା ସମ୍ପଦ ଦୟା କୀର୍ତ୍ତି । ସବୁ ଛାଡିଲୁ ମୂଢ଼ମତି ॥ ୪୬
ମୋର ତ୍ରିଶୂଳେ ତୋ ଶରୀର । ନାଶ ହୋଇବ ଦୁରାଚାର ॥ ୪୭
ଅଗ୍ନି ନ କରିବ ଦହନ । ଖାଇବେ ଗୃଧ୍ର କୃମି ଶ୍ୱାନ ॥ ୪୮
ଯେତେ ତୋ ସଙ୍ଗେ ଦୁଷ୍ଟଜନେ । ଶସ୍ତ୍ର ଧରିଣଛନ୍ତି ରଣେ ॥ ୪୯
ଯେ ମୋତେ ପ୍ରହାରକୁ କଲେ । ତାହାଙ୍କୁ ଛାଡ଼ିବି କି ଭଲେ ॥ ୫୦
ତ୍ରିଶୂଳ କରିଣ ପ୍ରହାର । କନ୍ଧ ଛେଦିବି ଏହାଙ୍କର ॥ ୫୧
ଏଥୁଉତ୍ତାରେ ପାଇ ଜ୍ଞାନ । ଇନ୍ଦ୍ରକୁ ବୋଲଇ ବଚନ ॥ ୫୨
ଭୋ ଇନ୍ଦ୍ର ଦେବଙ୍କ ଠାକୁର । କୁଳଶେ ମୋର ଶିର ହର ॥ ୫୩
ଆତ୍ମାକୁ ବଳି ମୁହିଁ ଦେବି । ଶ୍ରୀକୃଷ୍ଣ-ଚରଣ ଭଜିବି ॥ ୫୪
ଭୋ ଦେବ ଦେବଙ୍କ ଈଶ୍ୱର । ବଜ୍ର କିମ୍ପାଇଁ ନ ପ୍ରହାର ॥ ୫୫
ଅଗ୍ରେ ଯେ ଅଛି ଉଭା ହୋଇ । ସଂଶୟ କର କାହିଁପାଇଁ ॥ ୫୬
ଗଦା ପ୍ରାୟେ ବଜ୍ର ନ ମଣ । ବଜ୍ର ମୋ ମରଣ କାରଣ ॥ ୫୭
ଆପଣା ତେଜେ ବଜ୍ରଧର । ଦେବଙ୍କ ଅଇରି ସଂହାର ॥ ୫୮
ବିଷ୍ଣୁ-ଯନ୍ତ୍ରିତ ଦେବବର । ବିଜୟ ହୋଇବ ତୁମ୍ଭର ॥ ୫୯
ସଙ୍କରଷଣ ଯଥୋଚିତେ । ଯାହା ସେ କହିଛନ୍ତି ମୋତେ ॥ ୬୦
ଶ୍ରୀକୃଷ୍ଣ-ପାଦପଙ୍କଜରେ । ମନ ମୁଁ ନିବେଶିବି ସ୍ଥିରେ ॥ ୬୧
ତୁମ୍ଭର ବଜ୍ରରେ ମୋହର । ହୋଇବ ମୋହପାଶ ଦୂର ॥ ୬୨
ଯୋଗତି ଯୋଗୀ ଯୋଗେପାଇ । ସେ ଗତି ପାଇବଇଁ ମୁହିଁ ॥ ୬୩
ତିନିଭୁବନ ପ୍ରାଣୀଙ୍କର । ବହୁତ ସମ୍ପଦ ଯାହାର ॥ ୬୪
ଉଦ୍ବେଗ ଆଧି ଗର୍ବ ଆର । କଳତ୍ର ସ୍ନେହ ଯେ ଅପାର ॥ ୬୫
ତ୍ରିବର୍ଗ ଦୁଃଖ ଭକ୍ତଙ୍କର । ନାଶନ୍ତି ପ୍ରଭୁ ଚକ୍ରଧର ॥ ୬୬
ଦୁର୍ଲ୍ଲଭ ଯେ ପ୍ରଭୁ ପ୍ରସାଦ । ତେଣୁ ଲଭନ୍ତି ଅପ୍ରମାଦ ॥ ୬୭
ଭୋ ପ୍ରଭୁ ତୁମ୍ଭ ପଦ୍ମପାଦେ । ଭୃତ୍ୟର ଭୃତ୍ୟ ମୁଁ ଆନନ୍ଦେ ॥ ୬୮
ହୋଇବି ଏ ମୋହର ମନ । ସେବା କରିବି ଅନୁକ୍ଷଣ ॥ ୬୯
କୀର୍ତ୍ତନ-କର୍ମ ଯେ ତୁମ୍ଭର । କରୁ ମୋ ବଚନ ଶରୀର ॥ ୭୦
ସ୍ୱର୍ଗଲୋକେ ଇନ୍ଦ୍ର ପଦ । ବ୍ରହ୍ମଲୋକେ ବ୍ରହ୍ମସମ୍ପଦ ॥ ୭୧
ପାତାଳଭୋଗ ଯୋଗ ଯେହି । ସପତଦ୍ୱୀପେ ରାଜାହୋଇ ॥ ୭୨
ଏଣେ ମୋହର ନାହିଁ ଇଚ୍ଛା । ତୋ ପାଦସେବାରେ ମୋ ବାଞ୍ଛା ॥ ୭୩
ଯୋଗସିଦ୍ଧି ଅବା ମୋକ୍ଷରେ । କାର୍ଯ୍ୟ ମୋ ନାହିଁ ଏହାଙ୍କରେ ॥ ୭୪
ଏକାନ୍ତଭକ୍ତି ତୁମ୍ଭ ପାଦ । ବାଞ୍ଛା କରଇ ଚକ୍ରାୟୁଧ ॥ ୭୫
ଅଜାତପକ୍ଷ-ଖଗ ଯେହ୍ନେ । ମାତା ଲୋଡ଼ଇ ଅନୁକ୍ଷଣେ ॥ ୭୬
କ୍ଷୁଧାର୍ତ୍ତ ହୋଇଣ ବାଛୁରୀ । ମାତାସ୍ତନକୁ ଇଚ୍ଛା କରି ॥ ୭୭
ପ୍ରବାସୀ-ପତି-ପ୍ରିୟା ଯେହ୍ନେ । ଲୋଡ଼ଇ ମୋ ମନ ତେସନେ ॥ ୭୮
ଭୋ ପ୍ରଭୁ କମଳଲୋଚନ । ତୋ ପାଦେ ରହୁ ମୋର ମନ ॥ ୭୯
ଆପଣା କର୍ମବନ୍ଧେ ଜଡି । ସଂସାରବକ୍ରେ ଅଛି ପଡିବ ॥ ୮୦
ଏମନ୍ତ ପାପୀ ମୁହିଁ ଯହୁଁ । ଉତ୍ତମଲୋକ ସଙ୍ଗ ହେଉ ॥ ୮୧
ଯେ ଗୃହବନ୍ଧ-ପାଶ ମୋର । ଭୋ ନାଥ ଛେଦ ଦାମୋଦର ॥ ୮୨
ଦାରା-ତନୟ-ଗୃହେ ମୋର । ଭୋ ନାଥ ମନ ମୋ ନକର ॥ ୮୩
ଅସୁରବାଣୀ ସୁଧାମୟ । ଶୁଣି ସକଳ ପାପକ୍ଷୟ ॥ ୮୪
ଭୁବନମଙ୍ଗଳ ଏ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୮୫
ବୋଲଇ ଦାସ ଜଗନ୍ନାଥ । ଇନ୍ଦ୍ର-ବୃତ୍ରାସୁ ଚରିତ ॥ ୮୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ବୃତ୍ରସ୍ୟ ଇନ୍ଦ୍ରାେପଦେଶୋ
ନାମ ଏକାଦଶୋଽଧ୍ୟାୟଃ ॥
* * *