ଷଷ୍ଠ ସ୍କନ୍ଧ

ଦଶମ ଅଧ୍ୟାୟ

ଶୁକ ଉବାଚ

ଏ ରୂପେ ଇନ୍ଦ୍ରକୁ କହିଣ । ବିଶ୍ୱଭାବନ-ଭଗବାନ ॥

ଦେବତାମାନେ ଦେଖୁଥିଲେ । ତକ୍ଷଣେ ଅନ୍ତର୍ଦ୍ଧାନହେଲେ ॥

ଶ୍ରୀକୃଷ୍ଣ ଆଜ୍ଞା ପରମାଣେ । ମାଗିଲେ ଯାଇ ଦେବଗଣେ ॥

ମହତଋଷି ଆଥର୍ବଣ । ଯା ତହୁଁ ଇନ୍ଦ୍ର-ପରିତ୍ରାଣ ॥

ହରଷେ ଋଷି ଆଥର୍ବଣ । ବୋଇଲେ ଦେବଗଣେ ଶୁଣ ॥

ଜନ୍ତୁଙ୍କ ପ୍ରାଣ ପରିତ୍ରାଣେ । ଦୁସ୍ତର-ଦୁଃଖ ନିବାରଣେ ॥

ତୁମ୍ଭେ ସ୍ୱଭାବେ ଦେବଗଣ । ମରଣଦୁଃଖକୁ ନ ଜାଣ ॥

ଜୀବନ ପାଇଁ ପ୍ରାଣୀଙ୍କର । ସୁତ-କଳତ୍ର ଏ ସଂସାର ॥

ଏମନ୍ତ ପ୍ରାଣୀ ଅଛି କାହିଁ । ଜୀବନ ମାଗିଲେ ଦିଅଇ ॥

ଯେବେ ମାଗିବେ ନାରାୟଣ । ତେବେ ବା କେ ଦେବ ଜୀବନ ॥ ୧୦

ଦେବଗଣ ଉବାଚ

ଯେ ପ୍ରାଣୀ ସର୍ବଭୂତଠାରେ । ଆତ୍ମାର ପ୍ରାୟ ଦୟାକରେ ॥ ୧୧

ଈଷତମାତ୍ରେ ଦେଇ ପ୍ରାଣ । କରଇ ପ୍ରାଣୀ ପରିତ୍ରାଣ ॥ ୧୨

ତୁମ୍ଭର ପ୍ରାୟ ପୁଣ୍ୟଶ୍ଳୋକ । ଯେ ଅବା ପୁଣ୍ୟବନ୍ତ ଲୋକ ॥ ୧୩

ତାହାର ଏମନ୍ତ ବିଚାର । ସେ ନ ଜାଣଇ ପରାପର ॥ ୧୪

ଅଜ୍ଞାନ ପାଣୀ ଯେଉଁମାନେ । ପର ସଙ୍କଟ ଯେ ନ ଘେନେ ॥ ୧୫

ଯାଚଞ୍ଜା ଶ୍ରେଷ୍ଠଲୋକଙ୍କର । କେବେହେଁ ନୋହେ ହତାଦର ॥ ୧୬

ଋଷି ଉବାଚ

ଭୋ ଦେବରାଜ ଦେବବୃନ୍ଦ । ଧର୍ମ କହିଲ ମୋକ୍ଷପ୍ରଦ ॥ ୧୭

ଏ ଯେ ମୋହର ନିଜ ଦେହ । ଛାଡିବି ନ କର ସନ୍ଦେହ ॥ ୧୮

ଦେହକୁ ଧରି ଯେଉଁଜନ । ନ କରେ ଯଶ-ପୁଣ୍ୟକର୍ମ ॥ ୧୯

ତାହାକୁ ଆତ୍ମଘାତୀ କହି । ସ୍ଥାବରୁ ଅଧିକଟି ସେହି ॥ ୨୦

ଯେ ପ୍ରାଣୀ ପରଦୁଃଖେ ଦୁଃଖୀ । ପରସୁଖରେ ମହାସୁଖୀ ॥ ୨୧

ଅବ୍ୟୟ ଅକ୍ଷୟ ଏ ଧର୍ମ । କହନ୍ତି ପୁଣ୍ୟଶୋକଜନ ॥ ୨୨

ଏ ବଡ଼ ଆଶ୍ଚର୍ଯ୍ୟ ଲୋକରେ । କ୍ଷଣଭଙ୍ଗୁର ଦେହେ ନରେ ॥ ୨୩

କରନ୍ତି ଆତ୍ମସ୍ୱାର୍ଥଭେଦ । ଇହଲୋକରେ ଅପବାଦ ॥ ୨୪

ଶୁକ ଉବାଚ

ଏମନ୍ତ କହି ଆଥର୍ବଣ । ନିଶ୍ଚଳ କରି ଆତ୍ମାମନ ॥ ୨୫

ପରମବ୍ରହ୍ମେ ନିବେଶିଲେ । ସଂଯମେ ଶରୀର ଛାଡିଲେ ॥ ୨୬

ମନ-ବୁଦ୍ଧି ବ୍ରହ୍ମେ ନିବେଶି । ଏହି ଯୋଗରେ କରି ଋଷି ॥ ୨୭

ତେଜିଣ ଗଲେ ସେ ଶରୀର । ଜାଣିଲେ ଦେବ-ପୁରନ୍ଦର ॥ ୨୮

ଏଥୁ ଅନ୍ତରେ ଦେବରାଜ । ବିଶ୍ୱକର୍ମା-ନିର୍ମିତ ବଜ୍ର ॥ ୨୯

ମୁନି-ଅସ୍ଥିରେ ସୁନିର୍ମିତ । ଶ୍ରୀକୃଷ୍ଣ-ତେଜରେ ମିଶ୍ରିତ ॥ ୩୦

ବିଷ୍ଣୁ ଆଜ୍ଞାରେ ତତପର । ସେ ବଜ୍ର ଧରି ପୁରନ୍ଦର ॥ ୩୧

ସେ ଦେବଗଣରେ ବେଷ୍ଟିତ । ଆରୋହି ଗଜ-ଐରାବତ ॥ ୩୨

ମୁନିଗଣରେ ସ୍ତୁତ ହୋଇ । ତ୍ରୈଲୋକ୍ୟ ହରଷ କରାଇ ॥ ୩୩

ବୃତ୍ରମାରଣେ ଦେବରାଜ । ସୈନ୍ୟ ସହିତେ ହେଲେ ସଜ ॥ ୩୪

ଅଶେଷବଳ ସଙ୍ଗେ ଲଇଁ । ଅନ୍ଧକେ ଯେହ୍ନେ ରୁଦ୍ର ଧାଇଁ ॥ ୩୫

ଏ ଅନନ୍ତରେ ହେ ରାଜନ । କହିବା ଏକମନେ ଶୁଣ ॥ ୩୬

ସୁର-ଅସୁରଙ୍କର ରଣ । ଅତ୍ୟନ୍ତ-ପରମ-ଦାରୁଣ ॥ ୩୭

ତ୍ରେତୟାଯୁଗର ଆଦ୍ୟରେ । ହୋଇଲା ନର୍ମଦାତୀରରେ ॥ ୩୮

ରୁଦ୍ର ବସୁ ପୁଣି ଆଦିତ୍ୟେ । ବହ୍ନି ପିତୃ ଅଶ୍ୱିନୀସୁତେ ॥ ୩୯

ସାଧ୍ୟ ବିଶ୍ୱଦେବା ମରୁତ । ରୁଭୁ ଦେବଗଣେ ବେଷ୍ଟିତ ॥ ୪୦

ବିରାଜମାନ ସମ୍ପଦରେ । ବଜ୍ରକୁ ଧରି ନିଜ କରେ ॥ ୪୧

ଏ ଭାବେ ଇନ୍ଦ୍ରକୁ ଦେଖିଲେ । ଅସୁରେ କ୍ରୋଧରେ ଧାଇଁଲେ ॥ ୪୨

ନମୁଚି ଦ୍ୱିମୂର୍ଦ୍ଧା ଶମ୍ବର । ଅନର୍ବା ଋଷଭ-ଅସୁର ॥ ୪୩

ହୟଗ୍ରୀବ ଯେ ବିପ୍ରଚିତ୍ତି । ଅୟୋମୁଖ ହେତି ପ୍ରହେତି ॥ ୪୪

ଶଙ୍କୁଶିରା ଯେ ବୃଷପର୍ବ । ଉତ୍କଳ ପୁଲୋମା-ଦାନବ ॥ ୪୫

ଦାନବ ଦୈତ୍ୟଗଣ ଦକ୍ଷ । ଅସଂଖ୍ୟ ଆବର ଯେ ରକ୍ଷ ॥ ୪୬

ସୁମାଳୀ ମାଳୀ ଆଦି ଯେତେ । ସୁବର୍ଣ୍ଣେ ହୋଇଣ ମଣ୍ଡିତେ ॥ ୪୭

ଇନ୍ଦ୍ରର ସେନାର ଅଗ୍ରତେ । ବଳେ ଓଗାଳିଲେ ତୁରିତେ ॥ ୪୮

ଇନ୍ଦ୍ରଙ୍କ ସେନାର ସମୂହ । କାଳହୁଁ ଅତି ଦୁରାଶୟ ॥ ୪୯

ନିଃଶଙ୍କେ ଦେଇ ସିଂହନାଦ । ପୂରିଲେ ଦାନବ ଦୁର୍ମଦ ॥ ୫୦

ଗଦା ପରିଘ ବାଣ ପ୍ରାସ । ମୁଦ୍‌ଗର ତୋମର ଅଶେଷ ॥ ୫୧

ଶୂଳ ଖଡ଼ଗ ପରଶ୍ୱଧ । ଶତଘ୍ନୀ ଭୂଷŠଣ୍ଡୀ ଆୟୁଧ ॥ ୫୨

ଏ ଯେତେ ଅସ୍ତ୍ରଶସ୍ତ୍ରମାନ । ଦେବଙ୍କୁ କଲେ ପ୍ରହାରଣ ॥ ୫୩

ଅସୁର-ଶର-ବରଷଣେ । ଦୁଶ୍ୟ ନୁହନ୍ତି ଦେବଗଣେ ॥ ୫୪

ପୁଣ ପୁଣହିଁ ପଡିବାରେ । ନକ୍ଷତ୍ର ଯେସନେ ମେଘରେ ॥ ୫୫

ଯେ ଶସ୍ତ୍ର-ତେଜ ଦାନବର । କିଛି ନ କଲା ଦେବଙ୍କର ॥ ୫୬

ଯେତେ ଅସୁରଙ୍କ ଆୟୁଧ । ସକଳ ଦେବେ କଲେ ଛେଦ ॥ ୫୭

ଏଥୁ ଅନ୍ତରେ ଶୂନ୍ୟହସ୍ତ । ଦାନବେ ଅତ୍ୟନ୍ତ କୋପିତ ॥ ୫୮

ଶିଳାର ସଙ୍ଗେ ଦ୍ରୁମମାନ । ଦେବଙ୍କୁ କଲେ ପ୍ରହାରଣ ॥ ୫୯

ପୁଣିହିଁ ଇନ୍ଦ୍ର-ସୈନ୍ୟଗଣ । ତକ୍ଷଣେ କଲେ ତା ଛେଦନ ॥ ୬୦

ପ୍ରତାପ ଦେଖି ଦେବଙ୍କର । କୋପେ ଦାନବେ ଖରତର ॥ ୬୧

ପୁଣି ପଥର ଘେନି କରେ । ପିଟିଲେ ଦେବଙ୍କ ଉପରେ ॥ ୬୨

ବିବିଧ ଗିରିଶୃଙ୍ଗମାନ । ଦେବଙ୍କୁ କଲେ ପ୍ରହାରଣ ॥ ୬୩

ଦୈତ୍ୟେ ନିଷ୍ଫଳକାର୍ଯ୍ୟ ହୋଇ । ଆତ୍ମା ଦେହକୁ ନିନ୍ଦା ବହି ॥ ୬୪

ଯାହାକୁ ରଖନ୍ତି ଈଶ୍ୱର । ଅସୁରେ କେତେକ ମାତର ॥ ୬୫

ଆତ୍ମାର ଦମ୍ଭ ଯହୁଁ ହତ । ଦେଖି ଅସୁରେ ଭୟଚିତ୍ତ ॥ ୬୬

ସ୍ୱଭାବେ ବିଷ୍ଣୁର ବିମୁଖ । ରଣେ ଲଭିଲେ ମହାଦୁଃଖ ॥ ୬୭

ସ୍ୱାମୀକି ଛାଡି ସଂଗ୍ରାମରେ । ପଳାଇଗଲେ ପ୍ରାଣଡରେ ॥ ୬୮

ବୃତ୍ର ଅସୁର-ଚୂଡାମଣି । ସୈନ୍ୟ ପଳାନ୍ତି ବୋଲି ଜାଣି ॥ ୬୯

ଆପଦ ଦେଖି ବୃତ୍ରାସୁର । କହଇ ବଚନ ମଧୁର ॥ ୭୦

ଅତି ଭୟରେ ରଣ ଛାଡି । ପଳାନ୍ତି ହୋଇ ମଡାମଡି ॥ ୭୧

ଏମନ୍ତ ଦେଖି ବୃତ୍ରାସୁର । ସୈନ୍ୟଙ୍କୁ ବୋଲଇ ଉତ୍ତର ॥ ୭୨

ହେ ବିପ୍ରଚିତ୍ତି ଅନର୍ବନ । ନମୁଚି ଶୁଣ ମୋ ବଚନ ॥ ୭୩

ଜାତ ହୋଇଲେ ଏ ସଂସାର । ମରଣ ଧ୍ରୁବଟି ତାହାର ॥ ୭୪

ମୃତ୍ୟୁ ଯେ ଦ୍ୱିତୀୟ ପ୍ରକାର । ସାର ବୋଲନ୍ତି ଏ ସଂସାର ॥ ୭୫

ବ୍ରହ୍ମ-ଭାବନେ ଦେଇ ଚିତ୍ତ । ଯେ ପ୍ରାଣୀ ପ୍ରାଣ ହୋଏ ହତ ॥ ୭୬

ଯେ ରଣକ୍ଷେତ୍ରେ ପ୍ରାଣ ଦେଇ । ବୀରଶଯ୍ୟାରେ ରହେ ଶୋଇ ॥ ୭୭

ବୋଲଇ ଦାସ ଜଗନ୍ନାଥ । ଇନ୍ଦ୍ର-ବୃତ୍ର ଯୁଦ୍ଧ-ଚରିତ ॥ ୭୮

ସୁଜନେ ଏଣେ କର ଆଶ । ମୁଁ ତୁମ୍ଭ ଦାସଙ୍କର ଦାସ ॥ ୭୯

ଯେ ଏହା ଶ୍ରବଣେ ଶୁଣନ୍ତି । ସକଳ-ପାପକୁ ନାଶନ୍ତି ॥ ୮୦

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଷଷ୍ଠସ୍କନ୍ଧେ ବୃତ୍ରାସୁର-ଯୁଦ୍ଧବ‰ର୍ଣ୍ଣ‌ନଂ

ନାମ ଦଶୁମୋଽଧ୍ୟାୟଃ ॥

* * *