ଷଷ୍ଠ ସ୍କନ୍ଧ
ନବମ ଅଧ୍ୟାୟ
ଶୁକ ଉବାଚ
ଶୁଣ ପରୀକ୍ଷ ନୃପବର । କୃଷ୍ଣମହିମା ଅଗୋଚର ॥ ୧
ଶୁଣ ହେ ସେ ବିଶ୍ୱରୂପର । ତ୍ରିଶିର ଥିଲା ନୃପବର ॥ ୨
ଏକମୁଖରେ ସୋମପାନ । କରଇ ସେହୁ ପ୍ରତିଦିନ ॥ ୩
ଦ୍ୱିତୀୟେ ସୁରାପାନ କରେ । ଅନ୍ନ ଭକ୍ଷଇ ତୃତୀୟରେ ॥ ୪
ସେ ବିଶ୍ୱରୂପ ବିନୟରେ । ଦେବଗଣଙ୍କୁ ଉଚ୍ଚସ୍ୱରେ ॥ ୫
ଡାକି ଦିଅଇ ହବିର୍ଭାଗ । ଯେଣୁ ସେମାନେ ପିତୃବର୍ଗ ॥ ୬
ଦେବମାନଙ୍କ ତହୁଁ ଆଣି । ଯଜ୍ଞର ଭାଗ ନୃପମଣି ॥ ୭
ଦେଲା ଅସୁରମାନଙ୍କରେ । ଯଜ୍ଞଭାଗକୁ ପରୋକ୍ଷରେ ॥ ୮
ଯଦ୍ୟପି ଦେବେ ପିତା ତାର । ତାହାଙ୍କୁ କରି ଅନାଦର ॥ ୯
ପୁଣି ସେ ମାତୃସ୍ନେହବଶ । ହୋଇଣ ଅର୍ଜିଲା ଅଯଶ ॥ ୧୦
ମାତୃପକ୍ଷରେ ସ୍ନେହକରି । ଏମନ୍ତ କର୍ମ ସେ ଆଚରି ॥ ୧୧
ଏମନ୍ତ ଦେବଙ୍କ ହେଳନ । ଦେଖି ତାହାର ମଘବାନ ॥ ୧୨
ସଭୟେ ହୋଇ ଖରତର । ରୋଷେ ଛେଦିଲେ ତାର ଶିର ॥ ୧୩
ଯେ ମୁଣ୍ଡେ କରେ ସୋମପାନ । ତାହାକୁ କରନ୍ତେ ଛେଦନ ॥ ୧୪
ଜନ୍ମିଲା ହୋଇ ପକ୍ଷୀ ଏକ । ନାମ ତା ହୋଇଲା ଚାତକ ॥ ୧୫
ସୁରାପାୟୀ ଯେଉଁ ମସ୍ତକ । ଛେଦନ୍ତେ ସେ ହେଲା ଚଟକା ॥ ୧୬
ଅନ୍ନଭୋଜୀ ମସ୍ତକ ତାର । ହୋଇଲା ତିତ୍ତିର ଆକାର ॥ ୧୭
ଏମନ୍ତେ ସେ ବିଶ୍ୱରୂପର । ଇନ୍ଦ୍ର ଛେଦିଲେ ଯହୁଁ ଶିର ॥ ୧୮
କର ଅଞ୍ଜଳି ପ୍ରସାରିଣ । ବ୍ରହ୍ମହତ୍ୟା କଲେ ଗ୍ରହଣ ॥ ୧୯
ଏ ପାପୁ ଲୋକ କରେ ନିନ୍ଦା । ଇନ୍ଦ୍ର ପାଇଲେ ମନେ ବାଧା ॥ ୨୦
ଆତ୍ମାର ବିଶୁଦ୍ଧି ନିମନ୍ତେ । ବିଭାଗ କରି ଏହି ମତେ ॥ ୨୧
ସ୍ତିରୀ ଭୂ ଜଳ ଦ୍ରୁମଠାରେ । ଅର୍ପିଲେ ଏମନ୍ତ ପ୍ରକାରେ ॥ ୨୨
ଭୂମି ଘେନିଲେ ଭାଗ ଚାରି । ଖାତ ପୂରଣ ବର ବରି ॥ ୨୩
ବ୍ରହ୍ମହତ୍ୟା ତେଣୁ ଉଷରେ । ଅଦ୍ୟାପି ଦିଶଇ ଭୂମିରେ ॥ ୨୪
ଦ୍ରୁମେ ଯେ ଚାରିଭାଗ ନେଲେ । ଛେଦନେ ବଢ଼ିବାର ବରେ ॥ ୨୫
ନିର୍ଯ୍ୟାସରୂପେ ଏହାଙ୍କର । ପାପ ଦିଶଇ ନୃପବର ॥ ୨୬
କାମବଶରେ ସ୍ତିରୀଜନ । ସମ୍ଭୋଗୀ ହେବେ ପ୍ରତିଦିନ ॥ ୨୭
ଏରୂପେ ବରକୁ ପାଇଣ । ଚାରିଭାଗ କଲେ ଗ୍ରହଣ ॥ ୨୮
ରଜରୂପରେ ପ୍ରତିମାସ । ଏବେହେଁ ପାପ ହୋଏ ଦୃଶ୍ୟ ॥ ୨୯
ପାପର ଶେଷ ଚାରିଅଂଶ । ଜଳକୁ ଦେଇ ଦେବଈଶ ॥ ୩୦
ପୁଣି ସେ ଦେଲେ ତାକୁ ବରେ । ମିଶ୍ରିତ କ୍ଷୀରାଦି ଦ୍ରବ୍ୟରେ ॥ ୩୧
ସେ ପାପ ବୁଦ୍ବୁଦ-ଫେନରେ । ଅଦ୍ୟାପି ଦିଶଇ ସଂସାରେ ॥ ୩୨
ସେହି ଫେନକୁ ପକାଇଲେ । ଜଳର ପାପ ନାଶେ ଭଲେ ॥ ୩୩
ଏମନ୍ତ ପ୍ରକାରେ ହେ ନୃପ । ହରି-କଳ୍ପିତ ହେଲା ପାପ ॥ ୩୪
ଏ ଅନନ୍ତରେ ସେ ତ୍ୱଷ୍ଟାର । ଯେଣୁ ହତ ହେଲା କୁମର ॥ ୩୫
ପୁତ୍ରଶୋକରେ ଦୁଃଖୀ ହୋଇ । ଇନ୍ଦ୍ରର ଶତ୍ରୁ ବୃଦ୍ଧି ପାଇଁ ॥ ୩୬
ହୋମ ଆରମ୍ଭକୁ ବିଚାରି । ବୋଇଲେ ଅତି କ୍ରୋଧ କରି ॥ ୩୭
ଇନ୍ଦ୍ରର ଶତ୍ରୁ ହେଉ ଜାତ । ବେଗେ ଇନ୍ଦ୍ରକୁ କରୁ ହତ ॥ ୩୮
ଏମନ୍ତ ବୋଲି ସେ ବଚନ । କେତେ ଆହୁତି କଲା ଦାନ ॥ ୩୯
ପୁରୁଷେ ତହିଁରୁ ବାହାର । ରୂପ ତା ଅତି ଭୟଙ୍କର ॥ ୪୦
ଯୁଗ-ଅନ୍ତକାଳେ ଯେମନ୍ତ । ପ୍ରାଣୀଙ୍କି ଯେସନେ କୃତାନ୍ତ ॥ ୪୧
ଦିନକୁଦିନ ଅତିଘୋର । ବଢଇ ବିଶ୍ୱରୂପ ତାର ॥ ୪୨
ଦଗଧ-ଗିରି ପ୍ରାୟେ ହୋଇ । ତାହାର ଶରୀର ଦିଶଇ ॥ ୪୩
କାନ୍ତି ତାହାର ବିରାଜଇ । କଳ୍ପାନ୍ତମେଘ ପ୍ରାୟ ହୋଇ ॥ ୪୪
ତପତ-ତମ୍ବାଶିଖା ଯେହ୍ନେ । କେଶ ତା ବିରାଜେ ତେସନେ ॥ ୪୫
ମଧ୍ୟାହ୍ନ-ରବି ପ୍ରାୟ ହୋଇ । ବେନିଲୋଚନ ବିରାଜଇ ॥ ୪୬
ଅନଳ-ତେଜ ପ୍ରାୟେ ତାର । ଏମନ୍ତ ଶୂଳ ଧରି କର ॥ ୪୭
ବୁଲାଇ ଅତି ଖରତର । ଶବଦ କରେ ମହାଘୋର ॥ ୪୮
ନୃତ୍ୟ କରଇ ମତ୍ତ ହୋଇ । ପାଦେ କମ୍ପାଇ ମହାମହୀ ॥ ୪୯
ଗିରିଗୁହା ପ୍ରାୟେ ବଦନ । ତେଣୁ କି ଗ୍ରାସିବ ଗଗନ ॥ ୫୦
ଜିହ୍ୱା ବୁଲାଉଛି ଏସନ । ଗିଳିବ କିବା ତ୍ରିଭୁବନ ॥ ୫୧
ଦନ୍ତ ଅତି ରୌଦ୍ର ଦିଶଇ । ପୁଣ ପୁଣ ହୋଇ ହସଇ ॥ ୫୨
ଭୀତ ହୋଇଣ ସର୍ବଜନ । ପଳାନ୍ତି ଘେନିଣ ଜୀବନ ॥ ୫୩
ତ୍ୱଷ୍ଟାର ପୁତ୍ର ଏ ଯେ ପାପ । ଲୋକେ ପାଇଲେ ବହୁ ତାପ ॥ ୫୪
ପରମ-ଦାରୁଣ-ଅସୁର । ଏଣୁ ବୃତ୍ର ନାମଟି ତାର ॥ ୫୫
ଇନ୍ଦ୍ର ଦେବଗଣ ସହିତେ । ମିଳିଲେ ତାହାର ଅଗ୍ରତେ ॥ ୫୬
ଯେ ଯାହା ଶସ୍ତ୍ର ଧରି କରେ । ପିଟିଲେ ବୃତ୍ରର ଉପରେ ॥ ୫୭
ଶସ୍ତ୍ର ଯେତେକ ଦେବଙ୍କର । ସବୁ ଗିଳିଲା ସେ ଅସୁର ॥ ୫୮
ଏ ଅନନ୍ତରେ ଦେବଗଣ । ବିସ୍ମୟେ ହୋଇ ହତଜ୍ଞାନ ॥ ୫୯
କୃଷ୍ଣରେ ମନ ସ୍ଥିର କଲେ । ମହାପୁରୁଷ ଆରାଧିଲେ ॥ ୬୦
ଦେବଗଣ ଉବାଚ
ପବନ ଆକାଶ ଯେ ଅଗ୍ନି । ଜଳର ସହିତେ ଅବନୀ ॥ ୬୧
ଏ ମହାଭୂତେ ହୋଇ ଏକ । ନିର୍ମିତ ହୋଇଛି ତ୍ରିଲୋକ ॥ ୬୨
ବ୍ରହ୍ମା ସହିତେ ଆମ୍ଭେମାନେ । ଉଦ୍ବେଗ ପାଉଅଛୁ ମନେ ॥ ୬୩
ଯାହାକୁ ବଳି ଆମ୍ଭେମାନେ । ଦେଇଣ ସେବୁଁ ଅନୁକ୍ଷଣେ ॥ ୬୪
ଯେ କାଳ ଅନ୍ତକ ବୋଲାଇ । ସେ ଯାହାଠାରୁ ଭୟ ପାଇ ॥ ୬୫
ସେ ପ୍ରଭୁ ଆମ୍ଭର ଶରଣ । ହୁଅନ୍ତୁ ଅଖିଳକାରଣ ॥ ୬୬
ସେ ଅବିସ୍ମିତ ପୂର୍ଣ୍ଣକାମ । ପ୍ରଶାନ୍ତ ସର୍ବଭୂତେ ସମ ॥ ୬୭
ଏମନ୍ତ ଯେ ପରମେଶ୍ୱର । ତାହାଙ୍କୁ ତେଜି ଯେଉଁ ନର ॥ ୬୮
ଅନ୍ୟରେ ପଶଇ ଶରଣ । ତାହାଙ୍କୁ ମୂର୍ଖ ବୋଲି ଜାଣ ॥ ୬୯
ଶ୍ୱାନପୁଚ୍ଛକୁ ଧରି କରେ । ଅଗମ୍ୟସିନ୍ଧୁ କେହୁ ତାରେ ॥ ୭୦
ନଉକାରରୂପେଣ ସଂସାର । ଶୃଙ୍ଗରେ ବାନ୍ଧିଣ ଯାହାର ॥ ୭୧
ମନୁ ଅଛନ୍ତି ଦୁଃଖୁ ତରି । ଯାହାର ପ୍ରସାଦରୁ କରି ॥ ୭୨
ଏମନ୍ତ ଯେଉଁ ମହାବାହୁ । ତାରିବେ ବୃତ୍ରାସୁର ତହୁଁ ॥ ୭୩
ପୂର୍ବେ ସ୍ୱୟମ୍ଭୁ ପଡି ଜଳେ । ବାତେ ଉଲ୍ଲୋଳ-ଉର୍ମିମାଳେ ॥ ୭୪
ତେଣେ ଶବଦ ମହାଘୋରେ । ରଖିଲା ଯେ ନାଭିକମଳେ ॥ ୭୫
ସେ ଏକ ସଙ୍ଗେ ନାହିଁ କେହି । ସେ ଭୟୁ ରଖିଲାକ ଯେହି ॥ ୭୬
ଦୁରନ୍ତ-ପାପ ଯେ ଦାରୁଣ । ତହୁଁ ରଖନ୍ତୁ ନାରାୟଣ ॥ ୭୭
ଯେ ଏକ ଈଶ୍ୱର ଅଟଇ । ମାୟାାରେ ଆମ୍ଭଙ୍କୁ ସର୍ଜଇ ॥ ୭୮
କରୁଛୁ ଜଗତ-ପାଳନେ । ଯାର ପ୍ରସାଦୁ ଆମ୍ଭେମାନେ ॥ ୭୯
ଯାହାର ମହିମା ପ୍ରସିଦ୍ଧି । ଆମ୍ଭେ ନ ଜାଣୁ ମନ୍ଦବୁଦ୍ଧି ॥ ୮୦
ଆମ୍ଭେ ଈଶ୍ୱର ବୋଲି ମାନି । ମୋହରେ ଯେସନେ ଅଜ୍ଞାନୀ ॥ ୮୧
ଶତ୍ରୁର ଠାରୁ ଆମ୍ଭେମାନେ । ଦୁଃଖ ପାଇଲୁ ଅନୁକ୍ଷଣେ ॥ ୮୨
ଋଷି ମନୁଷ୍ୟ ପଶୁ ଆଦି । ସଂସାରେ ଯେତେକ ପ୍ରସିଦ୍ଧି ॥ ୮୩
ଯେ ପ୍ରଭୁ ଧରି ଅବତାର । ଖଣ୍ଡନ୍ତି ଦୁଃଖକୁ ଆମ୍ଭର ॥ ୮୪
ଆମ୍ଭେଟି ସର୍ବେ ଅରକ୍ଷିତ । ରଖନ୍ତୁ ପ୍ରଭୁ ଜଗନ୍ନାଥ ॥ ୮୫
ସେ ଯୁଗେ-ଯୁଗେ ରକ୍ଷାକରୁ । ଯାର ମହିମା ମହାମେରୁ ॥ ୮୬
ପରମ-ପ୍ରଧାନ ପୁରୁଷ । ଅଖିଳ ସଂସାରର ଈଶ ॥ ୮୭
ଅଖିଳଜନ୍ତୁଙ୍କ ଶରଣ । ଏମନ୍ତ ଯେଉଁ ନାରାୟଣ ॥ ୮୮
ଆମ୍ଭେ ତାହାଙ୍କର ଶରଣ । ଆମ୍ଭଙ୍କୁ କରନ୍ତୁ କଲ୍ୟାଣ ॥ ୮୯
ଶୁକ ଉବାଚ
ଦେବଙ୍କ ସ୍ତୁତି ଏ ବଚନ । ଶୁଣି ସନ୍ତୋଷ ଭଗବାନ ॥ ୯୦
ପଶ୍ଚିମଦିଗେ ହେ ରାଜନ । ହୋଇଲେ ଆସି ସେ ପ୍ରସନ୍ନ ॥ ୯୧
ଶଙ୍ଖ ଚକ୍ର ଗଦା କମଳ । ଧରିଣ ପ୍ରଭୁ ଆଦିମୂଳ ॥ ୯୨
ଆତ୍ମାର ତୁଲ୍ୟ ଷୋଳଜଣ । ସେବୁ ଅଛନ୍ତି ଅନୁକ୍ଷଣ ॥ ୯୩
ଶ୍ରୀବତ୍ସ-କଉସ୍ତୁଭ ବିନେ । ପୂର୍ଣ୍ଣ ହୋଇଣ ସର୍ବଗୁଣେ ॥ ୯୪
ଶରଦ-କମଳ-ଲୋଚନ । ଦେବେ ଦେଖିଣ ହୃଷ୍ଟମନ ॥ ୯୫
ଇନ୍ଦ୍ରାଦି ଦଶଦିଗପାଳେ । ପ୍ରଭୁଙ୍କୁ ନମିଲେ ସକଳେ ॥ ୯୬
ଦଣ୍ତବତ ପଡି ରାଜନ । ସ୍ତୁତି କଲେ ଧୀରେ ଉଠିଣ ॥ ୯୭
ଦେବଗଣ ଉବାଚ
ତୁମ୍ଭେ ଯେ ସର୍ବଯଜ୍ଞବର । ତୁମ୍ଭଙ୍କୁ କରୁଁ ନମସ୍କାର ॥ ୯୮
ସକଳ ବୟୋଧିକ ତୁମ୍ଭେ । ତୁମ୍ଭ ଚରଣେ ନମୁଁ ଆମ୍ଭେ ॥ ୯୯
ଅଖିଳ-ଈଶ୍ୱର ଗୋସାଇଁ । ନମସ୍ତେ ପ୍ରଭୁ ଭାବଗ୍ରାହୀ ॥ ୧୦୦
ତୁ ପୁରୁହୂତି ଶ୍ରେଷ୍ଠପର । ନମସ୍ତେ ପ୍ରଭୁ ଚକ୍ରଧର ॥ ୧୦୧
ନିୟନ୍ତା ତୁହି ତ୍ରିଗୁଣର । ତୋହ ଗତି କ୍ରୀଡା ବିହାର ॥ ୧୦୨
ଏହା ସଂଖ୍ୟା କରିବା ପାଇଁ । ବିଧାତା ସମର୍ଥ ନୁହଇ ॥ ୧୦୩
ହେ ଭଗବାନ ବାସୁଦେବ । ନାରାୟଣ ମହାନୁଭାବ ॥ ୧୦୪
ଆଦି ପୁରୁଷ ସର୍ବେଶ୍ୱର । କେବଳ ଜଗତ ଆଧାର ॥ ୧୦୫
ପରମହଂସ ଲକ୍ଷ୍ମୀକାନ୍ତ । ଜଗୁଜୀବନ ଜଗନ୍ନାଥ ॥ ୧୦୬
ଭୋ ନାଥ ପରମମଙ୍ଗଳ । ପରମକଲ୍ୟାଣର ମୂଳ ॥ ୧୦୭
ଭୋନାଥ ତୁମ୍ଭେ ଆତ୍ମାରାମ । ସକଳକାର୍ଯ୍ୟେ ଭାବନ ॥ ୧୦୮
ତୁ ସର୍ବ ପରମକାରଣ । ଅଖିଳଭୂତଙ୍କ ଭାବନ ॥ ୧୦୯
ପରମ-ଯୋଗ-ସମାଧିରେ । ଭଜନ ବିବିଧ ପ୍ରକାରେ ॥ ୧୧୦
ପରମ ହଂସ-ମୁନିଗଣେ । ସେବନ୍ତି ଯାହାର ବିହରେ ॥ ୧୧୧
ପରମହଂସ-ଦୀକ୍ଷା କରି । ଅଜ୍ଞାନ ଦୂରେ ପରିହରି ॥ ୧୧୨
ଏକାନ୍ତ-ଲୋକଙ୍କ ଆତ୍ମାରେ । ପ୍ରଭାବ ଯାହାର ବିହରେ ॥ ୧୧୩
ଏମନ୍ତ ପ୍ରଭୁ ତୁ ଈଶ୍ୱର । ନମସ୍ତେ ବ୍ରହ୍ମାଣ୍ତ ଠାକୁର ॥ ୧୧୪
ତୋହର ମହିମା ବିହାର । ବ୍ରହ୍ମାରେ ନୁହଁଇ ଗୋଚର ॥ ୧୧୫
ଏ ମାୟା ଅଖିଳ-ସଂସାର । ଭୋ ଦେବ ଭିଆଣ ତୋହର ॥ ୧୧୬
ତ୍ରିଗୁଣ ଘେନି ପ୍ରଭୁ ତୁହି । ସର୍ଜୁ ପାଳୁ ସଂହାରୁ ମହୀ ॥ ୧୧୭
ଭୋଦେବ ଏ ମାୟାସଂସାରେ । ତ୍ରିଗୁଣେ ଜଡି ଯେଉଁ ନରେ ॥ ୧୧୮
ପରତନ୍ତ୍ରରେ ବଶ ହୋଇ । ଶୁଭାଶୁଭ-କର୍ମ କରଇ ॥ ୧୧୯
ତାହାର ଶୁଭାଶୁଭ -ଫଳ । ତୁମ୍ଭର ତହିଁ ଆଦିମୂଳ ॥ ୧୨୦
ଭୋ ସ୍ୱାମୀ ତୁମ୍ଭେ ଆତ୍ମାରାମ । ସକଳ-କଳ୍ପେ ଉପଶମ ॥ ୧୨୧
ତୁ ସର୍ବବସ୍ତୁରୁ ବାହାର । ଏମନ୍ତ ମଣୁଁ ଚକ୍ରଧର ॥ ୧୨୨
ତୋର ବିରୋଧ ନାହିଁ ପୁଣ । ଅପରୀକ୍ଷିତ ତୋର ଗୁଣ ॥ ୧୨୩
ସଂଖ୍ୟା ନୁହଁଇ ତୋ ମହିମା । ତୋତେ ବା କେ କରିବ ସୀମା ॥ ୧୨୪
ବିତର୍କ ବିକଳ୍ପ ବିଚାର । ପ୍ରମାଣ ନ କରେ ଯାହାର ॥ ୧୨୫
ନାନା ବିଚାର ଶାସ୍ତ୍ର ଆଦି । ସଂସାରେ ଯେତେକ ପ୍ରସିଦ୍ଧି ॥ ୧୨୬
ଏହା ବିଚାରି ସାଧୁଜନେ । ତୋତେ ଚିନ୍ତନ୍ତି ଦିବ୍ୟଜ୍ଞାନେ ॥ ୧୨୭
କ୍ଷଣକେ ମତି ତାହାଙ୍କର । ଭ୍ରମ କରାଉ ଚକ୍ରଧର ॥ ୧୨୮
ସକଳ ମାୟାମୟ ହେଉ । ନଟର ପ୍ରାୟେ ତୁ ଦେଖାଉ ॥ ୧୨୯
ଯଦ୍ୟପି ଏକରୂପ ହୁଅ । ନାନାରୂପକୁ ତୁମ୍ଭେ ବହ ॥ ୧୩୦
ସମ-ବିଷମ-ବୁଧଙ୍କର । ପ୍ରବେଶ ହେଉ ତୁ ମନର ॥ ୧୩୧
ରଜ୍ଜୁରେ ସର୍ପ ବୁଦ୍ଧି ଯେହ୍ନେ । ଏକ ତୁ ଦିଶୁ ଭିନ୍ନେ ଭିନ୍ନେ ॥ ୧୩୨
ବିଚାରେ ଏକବସ୍ତୁ ତୁହି । ସର୍ବ-ଈଶ୍ୱର ତୁ ଗୋସାଇଁ ॥ ୧୩୩
ସକଳ ଜଗତ-କାରଣ । ଶୋଭାପାଉଛି ସର୍ବ ଗୁଣ ॥ ୧୩୪
ପ୍ରତ୍ୟେକ ନାମ ରୂପ ଧରି । ଲକ୍ଷିତ ହେଉ ନରହରି ॥ ୧୩୫
ଏକତୁ ପରମପୁରୁଷ । ସକଳଠାରୁ ଅବଶେଷ ॥ ୧୩୬
ଭୋ ନାଥ ମହିମା ତୁମ୍ଭର । ଅମୃତ-ରସର ସାଗର ॥ ୧୩୭
ତାହା ଆସ୍ୱାଦ କରି ମନେ । ଏକାନ୍ତ ଭକ୍ତ ଯେଉଁଜନେ ॥ ୧୩୮
ବିଷୟ ସୁଖ ଲେଶ ଛାଡି । ନିତ୍ୟେ ତୋ ରସେ ଥାନ୍ତି ବୁଡି ॥ ୧୩୯
ସର୍ବାତ୍ମା ସର୍ବଭୂତ ପ୍ରିୟ । ଭଗବାନ ସ୍ୱରୂପ ହୁଅ ॥ ୧୪୦
ଏ ସର୍ବଗୁଣେ ପୂର୍ଣ୍ଣ ହୋଇ । କେ ତୋତେ ଜାଣେ ଭାବଗ୍ରାହୀ ॥ ୧୪୧
ଅନବରତେ ସ୍ଥିରମନ । ତୋ ପାଦେ କରି ନିବେଦନ ॥ ୧୪୨
ହେ ମଧୁମଥନ ଈଶ୍ୱର । ଆତ୍ମାକୁ ଚିହ୍ନେ ସାଧୁନର ॥ ୧୪୩
କମଳଚରଣେ ତୁମ୍ଭର । ସେବୁ ଅଛନ୍ତି ନିରନ୍ତର ॥ ୧୪୪
ଯେ ପାଦପଙ୍କଜରେ ଧ୍ୟାନ । ସଂସାରେ ଗତାଗତ ଜନ ॥ ୧୪୫
ନୁହଁଇ ଯାହାର ପ୍ରସାଦେ । ଗତି ଲଭଇ ଅପ୍ରମାଦେ ॥ ୧୪୬
ତ୍ରୈଲୋକ୍ୟପ୍ରଭୁ ଭଗବାନ । ହେ ତ୍ରିବିକ୍ରମ ତ୍ରିନୟନ ॥ ୧୪୭
ତିନିଲୋକର ମନୋହର । ଅନୁଭାବ-ରୂପ ଯାହାର ॥ ୧୪୮
ତୁମ୍ଭ ପ୍ରକୃତିରୁ ଉଦିତ । ଏମନ୍ତ ଯେତେକ ଦଇତ୍ୟ ॥ ୧୪୯
ଏହାଙ୍କ କର୍ମ-ଭାଗ୍ୟଫଳ । ଶାନ୍ତିକି କର ଆଦିମୂଳ ॥ ୧୫୦
ଆତ୍ମମାୟାରେ ସୁରନର । ମୃଗ ସହିତେ ଜଳଚର ॥ ୧୫୧
ଏ ଆଦି ଯେତେକ ଅପର । ଯଥା ଅପ୍ରାଧେ ଦଣ୍ଡ କର ॥ ୧୫୨
ଏମନ୍ତ ତୁମ୍ଭେ ଯେ ଈଶ୍ୱର । ବୃତ୍ରକୁ ଭୋନାଥ ସଂହର ॥ ୧୫୩
କହିଲୁ ପ୍ରଭୁ ଭବଗ୍ରାହୀ । ଯେବା ତୁମ୍ଭର ଇଚ୍ଛା ହୋଇ ॥ ୧୫୪
ତୋର ତନୟ ହେଉ ଆମ୍ଭେ । ଭୋ ନାଥ ଆମ୍ଭ ପିତା ତୁମ୍ଭେ ॥ ୧୫୫
ତୋହର ଚରଣନଳିନ । ବନ୍ଦିକରିଛି ଆମ୍ଭମନ ॥ ୧୫୬
ଆପଣାକରି ଆମ୍ଭମାନ । ରଖିଣଅଛୁ ଭଗବାନ ॥ ୧୫୭
ଆମ୍ଭଙ୍କୁ ଅନୁକମ୍ପା କରି । ଏହା ଦେଖାଅ ନରହରି ॥ ୧୫୮
ବିଶଦହାସ ମନୋହର । ବଦନ ଈକ୍ଷଣ ତୁମ୍ଭର ॥ ୧୫୯
ସ୍ରବୁଛି ଯହୁଁ ମଧୁରସ । ଅମୃତସମ ପୀତବାସ ॥ ୧୬୦
ଆମ୍ଭର ତ୍ରାସ ଦୂରକର । ଭୋନାଥ ଶରଣ ତୋହର ॥ ୧୬୧
ଉତ୍ପତ୍ତି ସ୍ଥିତି ଯେ ପ୍ରଳୟ । ଏହା କାରଣ ତୁମ୍ଭେ ହୁଅ ॥ ୧୬୨
ସକଳ ଜୀବେ ପୂର୍ଣ୍ଣ ହୋଇ । ଅକ୍ଷୟ-ବ୍ରହ୍ମ-ରୂପ ବହି ॥ ୧୬୩
ତୁ ସର୍ବ-ମାୟାମୟ-ରୂପ । ଅଶେଷ-ପ୍ରଧାନ-ସ୍ୱରୂପ ॥ ୧୬୪
ତୁ ଦେଶକାଳପାତ୍ର ହୋଇ । ସକଳଠାରେ ଅଛୁ ରହି ॥ ୧୬୫
ସକଳବ୍ୟାପୀ ଚକ୍ରଧର । ଆାକାଶ ଶରୀର ତୋହର ॥ ୧୬୬
ପରମବ୍ରହ୍ମରୂପ ତୁହି । ଥାଉ ତୁ ଆତ୍ମାରୂପ ବହି ॥ ୧୬୭
ଆମ୍ଭେ ଅଗ୍ନିର କଣା ପ୍ରାୟେ । କିସ କହିବୁଁ ଦେବରାୟେ ॥ ୧୬୮
ଆମ୍ଭ ପରମଗୁରୁ ତୁହି । ତୋ ପାଦ-ଶତଦଳ ଦୁଇ ॥ ୧୬୯
ବିବିଧ ପାପକର୍ମ ମୋହେ । ସଂସାରେ ଯେବା ଶ୍ରମ ହୋଏ ॥ ୧୭୦
ଛେଦଇ ଯେ ଦଳକମଳ । ଛାୟାରେ ଆମ୍ଭେ ତାର ମୂଳ ॥ ୧୭୧
ଆଶ୍ରୟକରି ଆମ୍ଭମନ । ଅଛି ହେ ପ୍ରଭୁ ଭଗବାନ ॥ ୧୭୨
ଆମ୍ଭର କାର୍ଯ୍ୟ ଆଦିମୂଳ । ଭୋ ନାଥ କର ତୁ ସଫଳ ॥ ୧୭୩
ହେ ପ୍ରଭୁ ଏ ତିିନିଭୁବନ । ଗ୍ରାସୁଛି ତ୍ୱଷ୍ଟାର ନନ୍ଦନ ॥ ୧୭୪
ବଳ ଆୟୁଧ ଯେ ଆମ୍ଭର । ନାଶୁଛି ପାପୀ ବୃତ୍ରାସୁର ॥ ୧୭୫
ଏବେ ବିନାଶ କର ତାକୁ । ହେ କୃଷ୍ଣ ଆମ୍ଭର ତେଜକୁ ॥ ୧୭୬
ନମସ୍ତେ ପ୍ରଭୁ ଶୁଦ୍ଧ-ହଂସ । ବିହାର ହୃଦୟ-ଆକାଶ ॥ ୧୭୭
ନମସ୍ତେ ପ୍ରଭୁ କୃଷ୍ଣ ତୁହି । ବ୍ରହ୍ମାଣ୍ଡେ ଯାର ଯଶ ଶୋହି ॥ ୧୭୮
ଭବସାଗର ପଥଶ୍ରମ । ତୁ ତାହା ନାଶୁ ଭଗବାନ ॥ ୧୭୯
ପରମଗତି ଶ୍ରେଷ୍ଠଗତି । ନମସ୍ତେ ପ୍ରଭୁ ଦାଶରଥି ॥ ୧୮୦
ପବନ ଆକାଶ ଯେ ଅଗ୍ନି । ଜଳସହିତେ ଯେ ଅବନୀ ॥ ୧୮୧
ବ୍ରହ୍ମାଦି କରି ଆମ୍ଭେମାନେ । ଉଦ୍ବେଗ କରିଅଛୁ ମନେ ॥ ୧୮୨
ଶୁକ ଉବାଚ
ଏ ଅନନ୍ତରେ ହେ ରାଜନ । ସ୍ତୁତି କରନ୍ତେ ଦେବଗଣ ॥ ୧୮୩
ସାଦରେ ସ୍ତୁତି ଶୁଣି ହରି । ସନ୍ତୋଷ ହେଲେ ଦଇତ୍ୟାରି ॥ ୧୮୪
ଶୁଣି ସାନନ୍ଦ ଭଗବାନ । ଦେବଙ୍କୁ ବୋଲନ୍ତି ବଚନ ॥ ୧୮୫
ଭଗବାନ ଉବାଚ
ଏ ତୁମ୍ଭ ସୁବିଦ୍ୟା-ସ୍ତୁତିରେ । ସନ୍ତୋଷ ହେଲୁ ଦେବବରେ ॥ ୧୮୬
ଯେଉଁ ସ୍ତୁତିର ପରସାଦେ । ସ୍ତୁତି-ଭକତି ମୋର ପାଦେ ॥ ୧୮୭
ତତ୍ତ୍ୱଜ୍ଞ ଏକାନ୍ତ ଯେ ମତି । ମୋ ତହୁଁ ଅନ୍ୟ ନ ବାଞ୍ଛନ୍ତି ॥ ୧୮୮
ମୁହିଁ ପ୍ରସନ୍ନ ହୋଏ ଯାରେ । କି ଅବା ଦୁର୍ଲ୍ଲଭ ତାହାରେ ॥ ୧୮୯
ଗୁଣରେ ବସ୍ତୁ ଯେ ଦେଖନ୍ତି । ଏମନ୍ତ କୃପଣ ଯେ ଛନ୍ତି ॥ ୧୯୦
ସେ ଆତ୍ମା-ଶ୍ରେୟ ନ ଜାଣନ୍ତି । ସଂସାର ମୋହେ ସେ ପଡ଼ନ୍ତି ॥ ୧୯୧
ଯେ ବିଦ୍ୟାବନ୍ତ ଏ ଜଗତେ । ସେ ଶ୍ରେୟ ଚିନ୍ତେ ମୋକ୍ଷପଥେ ॥ ୧୯୨
ଇଚ୍ଛା ନ ରହଇ ତାହାର । ସର୍ବକାମ ଦେଇ ହସ୍ତର ॥ ୧୯୩
ହେ ଇନ୍ଦ୍ର ଯାଅ ହରଷେଣ । ତୁମ୍ଭର ହୋଇବ କଲ୍ୟାଣ ॥ ୧୯୪
ଅଥର୍ବଣ ଯେ ଋଷିବର । ମାଗ ତାହାଙ୍କର ଶରୀର ॥ ୧୯୫
ବିଦ୍ୟା ତପ ବ୍ରତେ ଯାହାର । ପବିତ୍ର ହୋଇଛି ଶରୀର ॥ ୧୯୬
ପ୍ରାର୍ଥନା ତୁମ୍ଭେମାନେ କଲେ । ଧର୍ମଜ୍ଞ ଅଙ୍ଗ ଦେବ ଭଲେ ॥ ୧୯୭
ଅସ୍ଥି ତାହାଙ୍କର ଆଣିବ । ଆୟୁଧ ବଜ୍ର ଗଢାଇବ ॥ ୧୯୮
ବିଶ୍ୱକର୍ମାନିର୍ମିତ କରି । ବଜ୍ରକୁ ଧରି ବଜ୍ରଧାରୀ ॥ ୧୯୯
ସେ ବଜ୍ରେ କରି ବୃତ୍ରାସୁର । ଛେଦିବ ଶୁଣ ପୁରନ୍ଦର ॥ ୨୦୦
ମୋହର ତେଜେ ଯୁକ୍ତ ହୋଇ । ଶତ୍ରୁ ନାଶିବ ଦେବସାଇଁ ॥ ୨୦୧
ବୃତ୍ରକୁ କରି ପ୍ରାଣେ ହତ । ସ୍ୱର୍ଗ ଲଭିବ ଦେବଯୂଥ ॥ ୨୦୨
ଯେ ତେଜ ଯଶ ସେ ଆୟୁଧ । ପୁଣି ହିଁ ଲଭିବ ସମ୍ପଦ ॥ ୨୦୩
ମୋର ଭକତଲୋକଙ୍କର । ହିଂସା ନୋହିବ ପୁରନ୍ଦର ॥ ୨୦୪
ବୋଲଇ ଦାସ ଜଗନ୍ନାଥ । ଇନ୍ଦ୍ରକୁ କୃଷ୍ଣ କୃପାଚିତ୍ତ ॥ ୨୦୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ନବମୋଽଧ୍ୟାୟଃ ॥
* * *