ଷଷ୍ଠ ସ୍କନ୍ଧ

ଅଷ୍ଟମ ଅଧ୍ୟାୟ

ପରୀକ୍ଷିତ ଉବାଚ

ଶୁଣ ହେ ମୁନି ତପୋଧନ । ତୁମ୍ଭେ ଯେ କହିଲ ବିଧାନ ॥

କବଚ ନାରାୟଣ ରୂପ । ଇନ୍ଦ୍ରଙ୍କୁ ଦେଲେ ବିଶ୍ୱରୂପ ॥

ଯେଣେ ଇନ୍ଦ୍ର ରକ୍ଷିତ ହୋଇ । ସ୍ୱର୍ଗରେ ଭୋଗ ସେ ଭୁଞ୍ଜଇ ॥

ଗଜ ତୁରଙ୍ଗ ରିପୁବଳେ । ଲୀଳାମାତ୍ରକେ ଜିଣି ହେଳେ ॥

ତ୍ରୈଲୋକ୍ୟ ଅଶେଷ ସମ୍ପଦେ । ଭୁଞ୍ଜୁ ଅଛନ୍ତି ଅପ୍ରମାଦେ ॥

ଭୋ ସ୍ୱାମୀ ମୋତେ ଯେବେ ଦୟା । ବିସ୍ତାରି କହିବାକ ଏହା ॥

କେମନ୍ତ ବର୍ମ ନାରାୟଣ । ଇନ୍ଦ୍ରର ରକ୍ଷାର କାରଣ ॥

ଯେ ବର୍ମବଳେ ଶତ୍ରୁଜିଣି । ସ୍ୱର୍ଗେ ନିର୍ଭୟ ବଜ୍ରପାଣି ॥

ରାଜା ବିନୟ ଦେଖି ମୁନି । କହନ୍ତି ତାର ଭାବ ଘେନି ॥

ଶୁକ ଉବାଚ

ଇନ୍ଦ୍ର ନିମନ୍ତେ ହୋଇ ବୃତ । ପ୍ରସନ୍ନ ହୋଇ ପୁରୋହିତ ॥ ୧୦

ଯେ ବର୍ମ ନାମ ନାରାୟଣ । କହିଲେ ଏକମନେ ଶୁଣ ॥ ୧୧

ବିଶ୍ୱରୂପ ଉବାଚ

କର ଚରଣ ଜଳେ ଧୋଇ । ଗŠଣ୍ଡୂଷ ଉଦଙ୍ମୁଖ ହୋଇ ॥ ୧୨

ମନ୍ତ୍ରରେ କରି ଅଙ୍ଗନ୍ୟାସ । ମଉନ ଶୁଚି ହୋଇ ତୋଷ ॥ ୧୩

ଯେବଣ ବର୍ମେ ନାରାୟଣ । ତୋଷ ହୋଇବେ ତତକ୍ଷଣ ॥ ୧୪

ନିକଟ ଭୟ ଯେତେବେଳେ । ଜାନୁ ଚରଣ ବକ୍ଷସ୍ଥଳେ ॥ ୧୫

ଉଦର ହୃଦୟ ମୁଖରେ । ଓଁକାର ଆଦି ଦେଇ ଶିରେ ॥ ୧୬

ଓଁକାର ଆଦି ନାରାୟଣ । ଉଚ୍ଚାର କରିବ ତକ୍ଷଣ ॥ ୧୭

କରେ କରିବ କରନ୍ୟାସ । ଯେ ବିଦ୍ୟା ଅକ୍ଷରଦ୍ୱାଦଶ ॥ ୧୮

ପ୍ରଣବ ଆଦି କରି ଯେତେ । କରିବ '‘ୟ'’ କାର ପର୍ଯ୍ୟନ୍ତେ ॥ ୧୯

ଅଙ୍ଗୁଳି ଅଙ୍ଗୁଷ୍ଟି ପର୍ବରେ । ଯଥାକ୍ରମେ ଦେଇ ଅକ୍ଷରେ ॥ ୨୦

ହୃଦରେ ଦେଇଣ ଓଁକାର । ମସ୍ତକେ ଦେବ ସେ '‘ବି'’ କାର ॥ ୨୧

‘'ଷ'’ କାର ଭୁରୁଯୁଗେ ଦେଇ । '‘ଣ'’ କାର ଶିଖାରେ ବସାଇ ॥ ୨୨

‘'ବେ’' କାର ନୟନ ମଧ୍ୟରେ । ‘'ନ'’ କାର ସକଳ ସନ୍ଧିରେ ॥ ୨୩

‘'ମ'’ କାର କରିବ ସ୍ମରଣ । ମନ୍ତ୍ର-ସ୍ୱରୂପେ ହୋଇ ଜନ୍ମ ॥ ୨୪

ବିଷ୍ଣବେ ନମଃ ଉଚ୍ଚାରିବ । ଓଁକାର ତହିଁ ଆଦ୍ୟେ ଦେବ ॥ ୨୫

ପରମ-ଆତ୍ମା ଏହି ମନ୍ତ୍ରେ । ଧ୍ୟାନ କରିବ ଅବିରତେ ॥ ୨୬

ଷଟ ଶକତି ରୂପ ଯୁତ । ଅନାଦି ଦିବ୍ୟ ଶୁଦ୍ଧସତ୍ତ୍ୱ ॥ ୨୭

ଯେ ହରି ଗରୁଡ଼ପୃଷ୍ଠରେ । ପାଦପଦ୍ମ ଦେଇଛି ଶିରେ ॥ ୨୮

ଯେ ଅଷ୍ଟବାହୁରେଣ କରି । ଚର୍ମ ଆସି ଗଦାକୁ ଧରି ॥ ୨୯

ଶଙ୍ଖ ପାଶ ଇଷୁ ଚାପରେ । ରଖନ୍ତୁ ମୋତେ ଚକ୍ରଧରେ ॥ ୩୦

ଯେ ଜଳେ ମର୍ତ୍ସ୍ୟରୂପ ହୋଇ । ସେ ପ୍ରଭୁ ରକ୍ଷାକରୁ ଦେହୀ ॥ ୩୧

ଜଳଜନ୍ତୁଙ୍କ ସକାଶରୁ । ରଖିବେ ବରୁଣ-ପାଶରୁ ॥ ୩୨

ମାୟାବାମନ ରୂପ ଛଳେ । ସେ ରକ୍ଷାକରୁ ଅବହେଳେ ॥ ୩୩

ତ୍ରିବିକ୍ରମ ରଖୁ ଭୂମିରେ । ବିଶ୍ୱରୂପ ଯେ ଆକାଶରେ ॥ ୩୪

ବନ ସଂଗ୍ରାମ ସଙ୍କଟରୁ । ଦୁର୍ଗମୁ ସେ ମୋତେ ସେ ଉଦ୍ଧରୁ ॥ ୩୫

ଅସୁରଯୂଥର ଅଇରି । ନୃସିଂହ ମୋତେ ସେ ଉଦ୍ଧରି ॥ ୩୬

ଯାହାର ଅଟ୍ଟ ହାସ ଶୁଣି । କମ୍ପନ୍ତି ଏ ଦିଗ ଧରଣୀ ॥ ୩୭

ଦୈତ୍ୟପତ୍ନୀଙ୍କ ଗର୍ଭମାନେ । ପଡ଼ନ୍ତି ଯେ ହାସ-ନିଃସ୍ୱନେ ॥ ୩୮

ସେ ପ୍ରଭୁ ଯୁଦ୍ଧଆଦି ସ୍ଥଳେ । ମୋତେ ରଖନ୍ତୁ ଅବହେଳେ ॥ ୩୯

ପଥେ ରଖନ୍ତୁ ଯଜ୍ଞକଳ୍ପ । ଅଖିଳାଧାର ବିଶ୍ୱରୂପ ॥ ୪୦

ଦଶନେ ଅବନୀ ଯେ ଧରି । ମୋତେ ସେ ବରାହ ଉଦ୍ଧରି ॥ ୪୧

ଅଦ୍ରିକୂଟରେ ପର୍ଶୁରାମ । ପ୍ରବାସେ ରାମ ଯେ ଲକ୍ଷ୍ମଣ ॥ ୪୨

ଭରତ-ଅଗ୍ରଜଟି ଯେହୁ । ସେ ମୋ ରକ୍ଷକ ସଦା ହେଉ ॥ ୪୩

ଅଖିଳ-ଚିନ୍ତା-ପ୍ରମାଦରୁ । ସେ ନାରାୟଣ ରକ୍ଷାକରୁ ॥ ୪୪

ନରକ-ଶରୀରରୁ ମୋତେ । ରକ୍ଷା କରିବେ ଜଗନ୍ନାଥେ ॥ ୪୫

ଆବର ନରରୂପୀ ହରି । ରଖନ୍ତୁ ଗର୍ବରୁ ଉଦ୍ଧରି ॥ ୪୬

ବିପତ୍ତିମାନ ହୋଇ ଯେତେ । ରଖିବେ ଜଗନ୍ନାଥ ମୋତେ ॥ ୪୭

ଯୋଗଭ୍ରଷ୍ଟରୁ ଦତ୍ତାତ୍ରେୟ । ରଖନ୍ତୁ ହୋଇ ସେ ସଦୟ ॥ ୪୮

କିପଳରୂପୀ ଦେବହରି । ରଖନ୍ତୁ କର୍ମବନ୍ଧ ହରି ॥ ୪୯

ଅନଙ୍ଗପୀଡ଼ାରୁ ଜଗତେ । ସନତ୍କୁମାର ରଖୁ ମୋତେ ॥ ୫୦

ଦେବହେଳନାଦି ଦୋଷରୁ । ହୟଗ୍ରୀବ-ମୂର୍ତ୍ତି ଉଦ୍ଧରୁ ॥ ୫୧

ଦେବତାଆରାଧନବିଘ୍ନୁ । ନାରଦ ରଖନ୍ତୁ ମୋ ତନୁ ॥ ୫୨

କମଠରୂପୀ ଚକ୍ରଧର । ଅଶେଷପାପୁ ତ୍ରାହିକର ॥ ୫୩

ଅପଥ୍ୟଭୋଜନରୁ ମୋର । ଯେ ବ୍ୟାଧିଜନ୍ମେ ଅତିଘୋର ॥ ୫୪

ତାହା ନାଶିବେ ଧନ୍ୱନ୍ତରି । ଯେ ଦ୍ୱନ୍ଦ୍ୱଭୟଟି ମୋହରି ॥ ୫୫

ତହୁଁ ରଖିବେ ନାଭିସୁତ । ଋଷଭ ନାମେ ଯେ ବିଦିତ ॥ ୫୬

ଦୁର୍ବାଦ-ଜନସମୂହରୁ । ଯଜ୍ଞ ମୂରତି ରକ୍ଷା କରୁ ॥ ୫୭

ବଳବନ୍ତଙ୍କ ତହୁଁ ମୋତେ । ରଖନ୍ତୁ ବଳଦେବ ନିତ୍ୟେ ॥ ୫୮

ସର୍ପଙ୍କ ପ୍ରତାପରୁ ମୋତେ । ଶେଷରୂପୀ ରଖୁଯୁଗତେ ॥ ୫୯

ମୋହର ମନ ବୁଦ୍ଧି ବେନି । ରଖନ୍ତୁ ବ୍ୟାସ ମହାମୁନି ॥ ୬୦

ପାଷŠନିକର-ପ୍ରମାଦ । ତହୁଁ ରଖିବେ ଦେବବୁଦ୍ଧ ॥ ୬୧

ଧର୍ମପାଳନେ ଅବତାର । ଯେ ପ୍ରଭୁ କଳ୍କିରୂପଧର ॥ ୬୨

କଳିର ପାପ ନାଶ କରି । ରଖନ୍ତୁ କଳ୍କିରୂପଧାରୀ ॥ ୬୩

ହେ ଦେବ ଇନ୍ଦ୍ର ଏ ବିଧିରେ । ଧ୍ୟାୟିବ ଦିବା-ରଜନୀରେ ॥ ୬୪

ପ୍ରାତଃକାଳରେ କୃପା କରି । ମୋର ସକଳରିଷ୍ଟ ହରି ॥ ୬୫

କେଶବ ଗଦା ଧରି କରେ । ମୋତେ ରଖନ୍ତୁ ପ୍ରଭାତରେ ॥ ୬୬

ଗୋବିନ୍ଦ ବେଣୁ ଧରି କରେ । ରଖନ୍ତୁ ଦିବସଆଦ୍ୟରେ ॥ ୬୭

ପୂର୍ବାହ୍ନେ ଶକ୍ତି ଧରି ହସ୍ତେ । ରଖନ୍ତୁ ନାରାୟଣ ମୋତେ ॥ ୬୮

ରଖନ୍ତୁ ବିଷ୍ଣୁ ଚକ୍ରଧର । ଦିବସ-ମଧ୍ୟମଭାଗର ॥ ୬୯

ଅପରାହ୍ନରେ ମଧୁହାରୀ । ରଖନ୍ତୁ ଧନୁ କରେ ଧରି ॥ ୭୦

ରଖନ୍ତୁ ସାୟଂକାଳେ ମୋତେ । ତ୍ରିଧାମା-ମାଧବ ତୁରିତେ ॥ ୭୧

ପ୍ରଦୋଷେ ରଖୁ ହୃଷୀକେଶ । ଅଶେଷ ବ୍ରହ୍ମାŠର ଈଶ ॥ ୭୨

ଅର୍ଦ୍ଧରଜନୀ ବା ନିଶୀଥେ । ରଖନ୍ତୁ ପଦ୍ମନାଭ ମୋତେ ॥ ୭୩

ଶ୍ରୀବ›ଧାମା ପରରାତ୍ରେ । ଖଡ୍ଗଆୟୁଧ ଧରି ହସ୍ତେ ॥ ୭୪

ଅନୁସନ୍ଧ୍ୟାରେ ଦାମୋଦର । ରାତ୍ରିର ପ୍ରଭାତେ ବିଶ୍ୱେଶ୍ୱର ॥ ୭୫

କାଳମୂରତି-ଭଗବାନ । ରଖନ୍ତୁ ମୋହର ଜୀବନ ॥ ୭୬

ଯେ ଚକ୍ର ତେଜ ଏ ସଂସାରେ । ପ୍ରଳୟାନଳ ତୁଚ୍ଛ କରେ ॥ ୭୭

କୃଷ୍ଣରେ ପ୍ରଯୋଜିତ ହୋଇ । ନିର୍ଭୟେ ଜଗତେ ଭ୍ରମଇ ॥ ୭୮

ତା ପାଦପଦ୍ମେ ମୋର ଶିର । ନିତ୍ୟେ କରଇ ନମସ୍କାର ॥ ୭୯

ସେ ଚକ୍ର ମୋର ଅରି-ସୈନ୍ୟ । ଦହନ କରିବ ବହନ ॥ ୮୦

ପବନ ସହ ହୁତାଶନ । ଦହଇ ଯେହ୍ନେ ଶୁଷ୍କତୃଣ ॥ ୮୧

ଗଦା ଅଶନି ପ୍ରାୟ ହୋଇ । ମୋର ବିପକ୍ଷ ଦେହେ ଯାଇ ॥ ୮୨

ସ୍ଫୁଲିଙ୍ଗେ ଚୂର୍ଣ୍ଣ‰କର ହିଆ । ତୁମ୍ଭେ ଅଖିଳନାଥ-ପ୍ରିୟା ॥ ୮୩

ମୁହିଁ ଅଟଇ ତାର ଦାସ । ମୋ ଶତ୍ରୁପକ୍ଷ କର ନାଶ ॥ ୮୪

କୁଷ୍ମାŠ ବିନାୟକ ଯକ୍ଷ । ଗୁହ୍ୟକ ଭୂତଗଣ ରକ୍ଷ ॥ ୮୫

ପିଶାଚ ପ୍ରେତ ମାତୃଗଣ । ଶୀଘ୍ରେ କର ତୁ ପ୍ରମଥନ ॥ ୮୬

ହେ ପାଞ୍ଚଜନ୍ୟ ଶଙ୍ଖସାର । କୃଷ୍ଣେ ପୂରିତ ହୋଇ ମୋର ॥ ୮୭

ଶତ୍ରୁର ହୃଦୟ କମ୍ପାଅ । ନିଃସ୍ୱନେ ମହାଭୟ ଦିଅ ॥ ୮୮

ତୁ ହେ ଖଡଗ ତୀକ୍ଷ୍ଣ ଧାର । ଅଶେଷ ରିପୁ ନାଶ କର ॥ ୮୯

କୃଷ୍ଣରେ ହୋଇ ପ୍ରଯୋଜିତ । ସକଳ ରିପୁ କର ଗ୍ରସ୍ତ ॥ ୯୦

ହେ ଶତଚନ୍ଦ୍ର ଧର୍ମ ଶୁଣ । ଯେତେ ଅଛନ୍ତି ରିପୁଗଣ ॥ ୯୧

ତାହାଙ୍କ ଲୋଚନ ଆଚ୍ଛାଦ । ଯେଣେ ହୋଇବ ଦୃଷ୍ଟିଭେଦ ॥ ୯୨

ଯହୁଁ ମୋ ଭୟଜାତ ହୋଇ । ଗ୍ରହ ମନୁଷ୍ୟ କେତୁ ଯେହି ॥ ୯୩

ଯେ ସରୀସୃପ ଭୂତ ଆଦି । ହିଂସକ ପାପ ମନ୍ଦବାଦୀ ॥ ୯୪

ଶ୍ରୀକୃଷ୍ଣ-ରୂପ-ଅସ୍ତ୍ର ନାମ । ଯେଣୁ ମୁଁ କଲି ସଂକୀର୍ତ୍ତନ ॥ ୯୫

ତାର ପ୍ରସାଦୁ ଯାଉ କ୍ଷୟ । ଏ ଯେତେ ସର୍ବଦୁଷ୍ଟଭୟ ॥ ୯୬

ଯେ ମୋର ଶ୍ରେୟ ଆଚରଣେ । ହିଂସା କରନ୍ତି ଦୁଷ୍ଟଗଣେ ॥ ୯୭

ଗରୁଡ ଭଗବାନ ମୋତେ । ରକ୍ଷା କରିବେ ଅବିରତେ ॥ ୯୮

ରଖିବେ ବିଶ୍ୱକ୍ସେନ-ହରି । ଅଶେଷ କଷ୍ଟୁ ମୋତେ ତାରି ॥ ୯୯

ବିଷ୍ଣୁର ନାମ ରୂପ ଯାନ । ଆବର ଆୟୁଧ ବାହନ ॥ ୧୦୦

ଏମାନେ ହୋଇ ପରସନ୍ନ । ଆପଦୁ କରିବେ ମୋଚନ ॥ ୧୦୧

ପ୍ରଭୁ ନିକଟେ ଯେତେ ଗଣ । ଅପରେ ବାହନ ଭୂଷଣ ॥ ୧୦୨

ବୁଦ୍ଧି ଇନ୍ଦ୍ରିୟ ମୋର ମନ । ସର୍ବେ ରଖନ୍ତୁ ମୋର ପ୍ରାଣ ॥ ୧୦୩

ଯେମନ୍ତେ ପ୍ରଭୁ ଭଗବାନ । ସତ-ଅସତର କାରଣ ॥ ୧୦୪

ଏହି କବଚୁ ମୋର ସର୍ବ । ନଷ୍ଟ ହୁଅନ୍ତୁ ଉପଦ୍ରବ ॥ ୧୦୫

ଆତ୍ମା ଅଶେଷ-ପ୍ରାଣୀଙ୍କର । ସକଳ-କାର୍ଯ୍ୟରୁ ବାହାର ॥ ୧୦୬

ଭୂଷଣ ଆୟୁଧ ସ୍ୱନାମ । ଧରନ୍ତି ସ୍ୱମାୟାରେ ଭିନ୍ନ ॥ ୧୦୭

ଏମନ୍ତ ପରମଈଶ୍ୱର । ରକ୍ଷାକରନ୍ତୁ ମୋ ଶରୀର ॥ ୧୦୮

ସର୍ବଜ୍ଞ ଭଗବାନ ହରି । ସର୍ବ-ସ୍ୱରୂପେ ରୂପ ଧରି ॥ ୧୦୯

ସଦା ସର୍ବତ୍ର ସର୍ବଠାରୁ । ସତ୍ୟ-ପ୍ରମାଣେ ରକ୍ଷାକରୁ ॥ ୧୧୦

ଦିଗ ବିଦିଗ ଅଧ ଉର୍ଦ୍ଧ୍ବ । ରଖନ୍ତୁ ନରସିଂହ ଦେବ ॥ ୧୧୧

ସ୍ୱନରେ ଲୋକଭୟ ଧ୍ୱଂସେ । ସ୍ୱତେଜେ ସର୍ବତେଜ ନାଶେ ॥ ୧୧୨

ଭୋ ଇନ୍ଦ୍ର ଶୁଣ ମୋ ବଚନ । କହିଲି ବର୍ମ-ନାରାୟଣ ॥ ୧୧୩

ତୁମ୍ଭେ ଏ ବର୍ମକୁ ଧାରଣ । ଶରୀରେ କର ଦେବଗଣ ॥ ୧୧୪

ଅସୁରଯୂଥପଙ୍କୁ ଯୁଦ୍ଧେ । ଜୟ କରିବ ଅପ୍ରମାଦେ ॥ ୧୧୫

ହତ ହୋଇବେ ଯାତୁଧାନେ । ସ୍ୱର୍ଗ ଲଭିବେ ଦେବଗଣେ ॥ ୧୧୬

ତେଜ ଗୁଣ ଯେତେ ଆୟୁଧ । ପୁଣି ହିଁ ଲଭିବ ସମ୍ପଦ ॥ ୧୧୭

ମୋର ଭକତ ଲୋକଙ୍କର । ହିଂସା ନୋହିବ ପୁନର୍ବାର ॥ ୧୧୮

ପୁଣି କହନ୍ତି ବିଶ୍ୱରୂପ । କହିବା ଶୁଣ ସାଧୁ ନୃପ ॥ ୧୧୯

ଏ ବିଦ୍ୟା ଯାରତହିଁ ଥାଇ । ଯେ ଯାକୁ ଦୃଷ୍ଟିରେ ଦେଖଇ ॥ ୧୨୦

ପାଦେ ବା ସ୍ପରଶ କରଇ । ତା ଗାତ୍ରେ ଭୟ ନ ରହଇ ॥ ୧୨୧

ଏ ବିଦ୍ୟା ଯେହୁ ଧରିଥାଇ । ଭୀତି ତାହାର କାହିଁ ନାହିଁ ॥ ୧୨୨

ରାଜା ତସ୍କର ଗ୍ରହ ଆଦି । ଯେ ଦୁଷ୍ଟଗଣ ନାନାବ୍ୟାଧି ॥ ୧୨୩

ଏ ବିଦ୍ୟା ପୂର୍ବେ ଦ୍ୱିଜ ଏକ । ଧରିଣ ଥିଲା କଉଶିକ ॥ ୧୨୪

ମରୁଭୂମିରେ ବସି ସେହି । ଯୋଗ ଧାରଣେ ନିଜ ଦେହୀ ॥ ୧୨୫

ତେଜିଲା ତହିଁ ଦ୍ୱିଜବର । ଶୁଣ କହିବା ସୁନାସୀର ॥ ୧୨୬

ଗନ୍ଧର୍ବପତି ଏକଦିନେ । ତାହାର ଉପରେ ବିମାନେ ॥ ୧୨୭

ଯାଉଣ ଥିଲା ଚିତ୍ରରଥ । ଅମରକନ୍ୟାରେ ବେଷ୍ଟିତ ॥ ୧୨୮

ଯହିଁ ବ୍ରାହ୍ମଣ ମରିଥିଲା । ତାହାର ଉର୍ଦ୍ଧ୍ବେ ଯହୁଁ ଗଲା ॥ ୧୨୯

ଗଗନୁ ପଡିଲା ତକ୍ଷଣେ । ବିମାନ ଗଲା ତାର କେଣେ ॥ ୧୩୦

ପଡିଲା ଅଧୋମୁଖ । ସଭୟେ ଚକିତେ ଚାହଁଇ ॥ ୧୩୧

ବାଳଖିଲ୍ୟାର ବାକ୍ୟ ଶୁଣି । ତକ୍ଷଣେ ବିପ୍ର-ଅସ୍ଥି ଆଣି ॥ ୧୩୨

ନଦୀରେ ନେଇ ପକାଇଲା । ମନରେ ବିସ୍ମୟ ହୋଇଲା ॥ ୧୩୩

ସରସ୍ୱତୀରେ କରି ସ୍ନାନ । ଶୀଘ୍ରେ ସେ କଲାକ ଭୋଜନ ॥ ୧୩୪

ପୁଣି ବିମାନ ଆରୋହିଲା । ସୁଖେ ସେ ନିଜପୁରେ ଗଲା ॥ ୧୩୫

ଶୁକ ଉବାଚ

ଯେ ଏହା ଶ୍ରବଣରେ ଶୁଣି । ଆଦର କରି ଧରେ ପ୍ରାଣୀ ॥ ୧୩୬

ସେ ସର୍ବପାପୁଁ ହୋଏ ପାର । ସର୍ବେ କରନ୍ତି ନମସ୍କାର ॥ ୧୩୭

ଇନ୍ଦ୍ର ବିଶ୍ୱରୂପର ତହିଁ । ଏ ମହାବିଦ୍ୟା ଶିକ୍ଷାପାଇ ॥ ୧୩୮

ସଂଗ୍ରାମେ ଅସୁର ଜିଣିଲେ । ତ୍ରୈଲୋକ୍ୟେ ଲକ୍ଷ୍ମୀ ଭୋଗକଲେ ॥ ୧୩୯

ବୋଲଇ ଜଗନ୍ନାଥ ଦ୍ୱିଜ । ଗୋବିନ୍ଦନାମ ନିତ୍ୟେ ଭଜ ॥ ୧୪୦

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଷଷ୍ଠସ୍କନ୍ଧେ ନାରାୟଣବର୍ମ କଥନଂ ନାମ ଅଷ୍ଟମୋଽଧ୍ୟାୟଃ ॥

* * *