ଷଷ୍ଠ ସ୍କନ୍ଧ
ସପ୍ତମ ଅଧ୍ୟାୟ
ପରୀକ୍ଷିତ ଉବାଚ
କେଉଁ ହେତୁରୁ ଆଙ୍ଗିରସ । ଦେବଙ୍କୁ କଲେ ଅବିଶ୍ୱାସ ॥ ୧
ନିଜର ଶିଷ୍ୟ ଦେବଗଣେ । ବର୍ଜିଲେ ତାଙ୍କୁ କି କାରଣେ ॥ ୨
ଏକଥା କହ ମୁନିବର । ଯେବେ କରୁଣା ମୋତେ କର ॥ ୩
ଶୁକ ଉବାଚ
ଶୁର କହିବା ଯା ପଚାର । ଯେହେତୁ ଛାଡିଲେ ଅମର ॥ ୪
ଏକ କାଳରେ ପୁରୁହୂତ । ଐଶ୍ୱର୍ଯ୍ୟେ ହୋଇ ବିହ୍ୱଳିତ ॥ ୫
ନିରତେ ଅସତ-ମାର୍ଗରେ । ପ୍ରବୃତ୍ତ ହେଲେ ସେ ଗର୍ବରେ ॥ ୬
ପବନ ବସୁ ରୁଦ୍ରଗଣ । ଆଦିତ୍ୟ ଯେତେ ଋଭୁ ପୁଣ ॥ ୭
ବିଶ୍ୱଦେବା ସାଧ୍ୟ ସହିତେ । ଅଶ୍ୱିନୀକୁମାର ସମେତେ ॥ ୮
ସିଦ୍ଧ ଗନ୍ଧର୍ବ ଯେ ଚାରଣ । ବ୍ରହ୍ମା ଶଙ୍କର ମୁନିଗଣ ॥ ୯
କିନ୍ନର ବିଦ୍ୟାଧରଗଣ । ସେବିତ ଅପସରାମାନ ॥ ୧୦
ପତଙ୍ଗ ଉରଗ ଯେ ଆଦି । ସେବନ୍ତି ଯେ ଯାହା ପ୍ରସିଦ୍ଧି ॥ ୧୧
ସ୍ତୁତି କରନ୍ତି ବନ୍ଦୀଗଣ । ଆସ୍ଥାନେ ବସି ମଘବାନ ॥ ୧୨
ଲଳିତେ ହେକୁ ଗୀତ ଗାଇ । ଚାମର ଧରି କେ ବିଞ୍ଚଇ ॥ ୧୩
ଚନ୍ଦ୍ରମଣ୍ଡଳ ପ୍ରାୟ ହୋଇ । ଯେ ଶ୍ୱେତଛତ୍ର ଶୋଭାପାଇ ॥ ୧୪
ଅନ୍ୟ ଯେ ପାରିଷଦଗଣ । ବିଞ୍ଚନ୍ତି ଘେନିର ବ୍ୟଜନ ॥ ୧୫
ଶଚୀ ସଙ୍ଗତେ ଦେବରାୟେ । ରତ୍ନଆସନରେ ବିଜୟେ ॥ ୧୬
ଏମନ୍ତ ସମୟେ ରାଜନ । କହିବା ଶୁଣ ଏକମନ ॥ ୧୭
ପରମଗୁରୁ ଦେବଙ୍କର । ପ୍ରବେଶ ହେଲେ ସେ ସଭାର ॥ ୧୮
ପୂଜିତ ମୁନିମାନଙ୍କର । ବନ୍ଦିତ ସୁରାସୁରଙ୍କର ॥ ୧୯
ତାହାଙ୍କ ପ୍ରତି ଆନ କରି । ଅଭିବାଦନକୁ ନ କରି ॥ ୨୦
ଏମନ୍ତେ ମୁନିଙ୍କି ଦେଖିଲେ । ଇନ୍ଦ୍ର ଆସନୁ ନ ଉଠିଲେ ॥ ୨୧
ସେଠାରୁ ଶୀଘ୍ରେ ଆଙ୍ଗିରସ । ମଉନେ ମନ୍ଦିରେ ପ୍ରବେଶ ॥ ୨୨
ଶ୍ରୀମଦେ ଇନ୍ଦ୍ରର ବିକ୍ରିୟା । ମନେ ଜାଣିଲେ ମୁନି ଏହା ॥ ୨୩
ତାହାଙ୍କ ବିନୁ କେ ପଣ୍ଡିତ । ସ୍ୱର୍ଗ-ରକ୍ଷଣେ ସମରଥ ॥ ୨୪
ତକ୍ଷଣେ ଇନ୍ଦ୍ରଜାଣି କରି । ଗୁରୁ-ଅପରାଧ ବିଚାରି ॥ ୨୫
ଆତ୍ମାକୁ ଇନ୍ଦ୍ର ନିନ୍ଦା କଲେ । ଅନେକ ସନ୍ତାପ ପାଇଲେ ॥ ୨୬
ବଡ଼ ଅସାଧୁପଣ କଲି । ମୁଁ ଅଳ୍ପବୁଦ୍ଧିକି ପାଇଲି ॥ ୨୭
ଗୁରୁ-ଆଚାର୍ଯ୍ୟଙ୍କୁ ସଭାରେ । ନିନ୍ଦିଲି ଐଶ୍ୱର୍ଯ୍ୟ-ମଦରେ ॥ ୨୮
ମୁଁ ଦେବମାନଙ୍କ ଈଶ୍ୱର । କଲି ଅସୁରଙ୍କ ବେଭାରେ ॥ ୨୯
ଯେ ମହାରାଜ-ଚିହ୍ନ ବହି । ମନରେ ମତ୍ତଗର୍ବ ବହି ॥ ୩୦
ଧର୍ମଧରତା ଯେଉଁମାନେ । ସାଧୁ ପଣ୍ଡିତ ଯେତେ ଜନେ ॥ ୩୧
ତାହାଙ୍କୁ ଦେଖି ନ ଉଠନ୍ତି । ସେମାନେ ଧର୍ମ ନ ଜାଣନ୍ତି ॥ ୩୨
କୁପଥ ଦେଖାନ୍ତି ଯେ ଜନ । ନରକେ ପହନ୍ତି ବହନ ॥ ୩୩
ତାହାଙ୍କ ବୋଲ ଯେ କରନ୍ତି । ପାଷଣଭେଳା ଆବୋରନ୍ତି ॥ ୩୪
ସ୍ୱଭାବେ ଗରୁ ଯେ ପାଷାଣ । ତାହାର ଆଶ୍ରୟେ ମରଣ ॥ ୩୫
ଏବେ ଅମରଗଣଙ୍କର । ଆଚାର୍ଯ୍ୟ ଅଗାଧବୁଦ୍ଧିର ॥ ୩୬
ମୁଁ ମୂଢ ସେହି ବ୍ରାହ୍ମଣର । ପୟରେ ମଣ୍ଡିବି ମୋ ଶିର ॥ ୩୭
ତାଙ୍କୁ କରାଇଲେ ପ୍ରସନ୍ନ । ଦୁଃଖ ମୋ ହୋଇବ ଦହନ ॥ ୩୮
ଏମନ୍ତ ଚିନ୍ତା ମନେ କରି । ଗୁରୁ-ଭୁବନେ ଆଗୁ ସରି ॥ ୩୯
ଗୁରୁ ତା ଆଗମନ ଦେଖି । ଗୃହକୁ ଗଲେ ସେ ଉପେକ୍ଷି ॥ ୪୦
ଗୁରୁଦରଶନ ନ ପାଇ । ଭୟ-ଶୋକରେ ଯୁକ୍ତ ହୋଇ ॥ ୪୧
ଆତ୍ମାର ଅକୁଶଳ ଜାଣି । ଚିନ୍ତିତ ହେଲେ ବଜ୍ରପାଣି ॥ ୪୨
ଅସୁରମାନେ ତାହା ଜାଣି । ଶୁକ୍ର-ମନ୍ତ୍ରଣା ପରିମାଣି ॥ ୪୩
ଦେବଙ୍କ ନାଶ ବିଚାରନ୍ତି । ସ୍ୱଭାବେ ଦୁର୍ମଦ ହୁଅନ୍ତି ॥ ୪୪
ତାହାଙ୍କ ବାଣେ ମଘବାନ । ଦେବଙ୍କ ଦେହ ହେଲା କ୍ଷୀଣ ॥ ୪୫
ବ୍ରହ୍ମା-ଛାମୁକୁ ଦେବେ ଗଲେ । ଏ ସର୍ବକଥା ନିବେଦିଲେ ॥ ୪୬
ଛନ୍ନଚିତ୍ତରେ ଦେବଗଣ । ନମିଲେ ବ୍ରହ୍ମାଙ୍କ ଚରଣ ॥ ୪୭
ଦୁଃଖିତ ଦେଖି ଦେବଗଣ । ସ୍ୱୟମ୍ଭୁ ଅଜ ଭଗବାନ ॥ ୪୮
ପରମକୃପାଯୁକ୍ତ ହୋଇ । କିଛି ବୋଇଲେ ସ୍ନେହବହି ॥ ୪୯
ବ୍ରହ୍ମା ଉବାଚ
ହେ ଦେବ ଶୁଣ କହୁଁ ଆମ୍ଭେ । ଅତ୍ୟନ୍ତ-ମନ୍ଦ କଲ ତୁମ୍ଭେ ॥ ୫୦
ଯେ ବ୍ରହ୍ମବାଦୀ ସୁବ୍ରାହ୍ମଣ । ତାହାଙ୍କୁ କଲ ଅବମାନ ॥ ୫୧
ତୁମ୍ଭଙ୍କୁ ସେ ପାପ-କାରଣେ । ଜିଣିଲେ ତେଣୁ ଶତ୍ରୁଗଣେ ॥ ୫୨
ତୁମ୍ଭଙ୍କୁ ନ ଜିଣନ୍ତି ବାଦେ । ଏବେ ଜିଣିଲେ ଅପ୍ରମାଦେ ॥ ୫୩
ହେ ଇନ୍ଦ୍ର ଶୁଣ ସାବଧାନେ । ଗୁରୁଙ୍କୁ ଲଙ୍ଘିଲ ଅଜ୍ଞାନେ ॥ ୫୪
ଶୁକ୍ରଙ୍କୁ ଆରଧି ଅସୁର । ସୁଖେ ଲଭିଲେ ତୁମ୍ଭ ପୁର ॥ ୫୫
ଗୋ ବିପ୍ର ଗୋବିନ୍ଦ ଯାହାର । ଠାକୁର ବିଘ୍ନ କାହିଁ ତାର ॥ ୫୬
ଅଶେଷପ୍ରାଣୀଙ୍କ ଈଶ୍ୱର । ଶୁଭ କରିବେ ଚକ୍ରଧର ॥ ୫୭
ବିଶ୍ୱରୂପକୁ ବେଗେ ଭଜ । ତୁମ୍ଭର କରିବେ ଯେ କାର୍ଯ୍ୟ ॥ ୫୮
ସେ ବିପ୍ର ପ୍ରସନ୍ନ ହୋଇଲେ । ତୁମ୍ଭର ଦୁଃଖ ଯିବ ଭଲେ ॥ ୫୯
ଶୁକ କହିଲେ ଶୁଣ ରାୟେ । ବ୍ରହ୍ମା ଯେ କହିଲେ ଉପାୟେ ॥ ୬୦
ଶୁଣି ଦେବତାଏ ହରଷ । ବ୍ରହ୍ମା ଏହି ଉପଦେଶ ॥ ୬୧
ଋଷିଙ୍କ ଠାବକୁ ସେ ଗଲେ । ହରଷେ ଆଲିଙ୍ଗନ କଲେ ॥ ୬୨
ଏ ଅନନ୍ତରେ ହୃଷ୍ଟ ହୋଇ । ଦେବେ କହିଲେ କଥା ଏହି ॥ ୬୩
ଦେବଗଣଉବାଚ
ଆମ୍ଭେ ଅତିଥି ହେଲୁ ଯହୁଁ । ତୁମ୍ଭ ଆଶ୍ରମେ ଶୁଭ ହେଉ ॥ ୬୪
ପିତୃମାନଙ୍କ କାର୍ଯ୍ୟ ପୂର୍ଣ୍ଣ । କର ଏ ଯଥୋଚିତ ଧର୍ମ ॥ ୬୫
ଉତ୍ତମପୁତ୍ରଙ୍କର ଧର୍ମ । ଯେ ପିତୃଗଣ ଶୁଶ୍ରୂଷଣ ॥ ୬୬
ଗୃହସ୍ଥଜନଙ୍କ ଏ ଧର୍ମ । ଅଧିକେ ବ୍ରହ୍ମଚାରୀ କର୍ମ ॥ ୬୭
ଆଚାର୍ଯ୍ୟ ବ୍ରହ୍ମାର ମୂରତି । ପିତା ପ୍ରତ୍ୟକ୍ଷେ ପ୍ରଜାପତି ॥ ୬୮
ଭ୍ରାତା ଯେ ମୂରତି ଇନ୍ଦ୍ରର । ମାତା ସାକ୍ଷାତ ପୃଥିବୀର ॥ ୬୯
ଭଗିନୀ ଦୟାର ମୂରତି । ଧର୍ମର ମୂରତି ଅତିଥି ॥ ୭୦
ଅଗ୍ନି-ମୂରତି ଅଭ୍ୟାଗତ । ଆତ୍ମାର ମୂର୍ତ୍ତି ସର୍ବଭୂତ ॥ ୭୧
ଶତ୍ରୁ ସକାଶୁ ପରାଭବ । ଯେଣେ ପିତାଙ୍କ ଆର୍ତ୍ତିଭାବ ॥ ୭୨
ଏହି କାରଣୁ ମୁନିବର । ତପସ୍ୟା ସାଧି ଦୂର କର ॥ ୭୩
ଗୁରୁ ଉପାଧ୍ୟାୟ ବ୍ରାହ୍ମଣ । ବ୍ରହ୍ମିଷ୍ଠ ଯେତେ ତୁମ୍ଭ ଗୁଣ ॥ ୭୪
ତୁମ୍ଭଙ୍କୁ କଲୁ ପୁରୋହିତ । ଶତ୍ରୁଙ୍କ ଜିଣିବୁ ତୁରିତ ॥ ୭୫
କାର୍ଯ୍ୟର ପ୍ରୟୋଜନ ପାଇଁ । କନିଷ୍ଠ-ପୂଜା ନିନ୍ଦା ନୋହି ॥ ୭୬
ବେଦରେ ଯାର ଜ୍ଞାନ ନାହିଁ । ଜ୍ୟେଷ୍ଠରେ ଯୋଗ୍ୟ ସେହୁ ନୋହି ॥ ୭୭
ବୟସେ ହେଲେ ହେଁ କନିଷ୍ଠ । ଜ୍ଞାନରେ ଅଟ ତୁମ୍ଭେ ଜ୍ୟେଷ୍ଠ ॥ ୭୮
ଶୁକ ଉବାଚ
ତାହାଙ୍କୁ ପୁରୋହିତ ପଣେ । ବରଣ କଲେ ଦେବଗଣେ ॥ ୭୯
ମୁନି ବିଶ୍ୱରୂପ ହସିଲେ । ଦେବତାମାନଙ୍କୁ ବୋଇଲେ ॥ ୮୦
ବିଶ୍ୱରୂପ ଉବାଚ
ଭୋ ଦେବଗଣେ କହୁଁ ଶୁଣ । ତୁମ୍ଭେ ଯେ ଅଖିଳକାରଣ ॥ ୮୧
ନିନ୍ଦିତ-କାର୍ଯ୍ୟ ପୌରୋହିତ୍ୟେ । କିମ୍ପା ଆରାଧ ତୁମ୍ଭେ ମୋତେ ॥ ୮୨
ହେ ଅଧୀଶ୍ୱର ତୁମ୍ଭେ ଶୁଣ । ଅର୍ଥେ ମୋ ନାହିଁ ପ୍ରୟୋଜନ ॥ ୮୩
କ୍ଷେତ୍ରରୁ ଧାନ୍ୟାଦି ଗ୍ରହଣ । କରି ବଞ୍ଚଇ ମୁହିଁ ଦିନ ॥ ୮୪
କିମ୍ପାଇ ତୁଚ୍ଛବୁଦ୍ଧି କରି । ପୁରୋହିଁତପଣ ଆଚରି ॥ ୮୫
ଅଜ୍ଞାନୀଲୋକ ଏହି କର୍ମ । ପାଇ ହୁଅନ୍ତି ମହାପ୍ରେମ ॥ ୮୬
ତଥାପି ତୁମ୍ଭର କଥାରେ । ଏହା କେ ଅସ୍ୱୀକାର କରେ ॥ ୮୭
କିନ୍ତୁ ତୁମ୍ଭେ ଯେ ମୋର ଗୁରୁ । ଆମ୍ଭେ ଯେ ଅବଜ୍ଞା ନ କରୁ ॥ ୮୮
ତୁମ୍ଭର ଯେତେ କଥାମାନ । ସାଧିବୁ ଶୁଣ ଦେବଗଣ ॥ ୮୯
ଶୁକ ଉବାଚ
ଏ ଅନନ୍ତରେ ବିଶ୍ୱରୂପ । ବରଣ ହୋଇ ଶୁଣ ନୃପ ॥ ୯୦
ଶ୍ରୀକୃଷ୍ଣ ବୋଲିଣ ସୁମରି । ପରମ ସମାଧିରେ କରି ॥ ୯୧
ଶୁକ୍ରର ବିଦ୍ୟାବଳୁ କରି । ଅସୁରଙ୍କର ଯଶ ଶିରୀ ॥ ୯୨
ନିଶ୍ଚୟେ କରିଥିଲେ ନାଶ । ଶୁଣ ରାଜନ ଇତିହାସ ॥ ୯୩
ବୈଷ୍ଣବୀବିଦ୍ୟା ବୋଲି ଯାହା । ଇନ୍ଦ୍ରର ଅର୍ଥେ ଆଣି ତାହା ॥ ୯୪
ଇନ୍ଦ୍ରଙ୍କୁ ଆଣି ତାହା ଦେଲେ । ଯାହାକୁ ଅସୁରେ ଶଙ୍କିଲେ ॥ ୯୫
ସେ ବିଦ୍ୟାପ୍ରଭାବରୁ ଇନ୍ଦ୍ର । ଜିଣିଲା ଯେ ଦାନବବୃନ୍ଦ ॥ ୯୬
ମହତ ବିଶ୍ୱରୂପ ଧୀର । ଦେଲେ ଇନ୍ଦ୍ରଙ୍କୁ ବିଦ୍ୟାସାର ॥ ୯୭
ଇନ୍ଦ୍ରର ଗୁରୁଦ୍ରୋହ-ଦୋଷ । କହିଲେ ଜଗନ୍ନାଥ ଦାସ ॥ ୯୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ସପ୍ତମୋଽଧ୍ୟାୟଃ ॥
* * *