ଷଷ୍ଠ ସ୍କନ୍ଧ

ସପ୍ତମ ଅଧ୍ୟାୟ

ପରୀକ୍ଷିତ ଉବାଚ

କେଉଁ ହେତୁରୁ ଆଙ୍ଗିରସ । ଦେବଙ୍କୁ କଲେ ଅବିଶ୍ୱାସ ॥

ନିଜର ଶିଷ୍ୟ ଦେବଗଣେ । ବର୍ଜିଲେ ତାଙ୍କୁ କି କାରଣେ ॥

ଏକଥା କହ ମୁନିବର । ଯେବେ କରୁଣା ମୋତେ କର ॥

ଶୁକ ଉବାଚ

ଶୁର କହିବା ଯା ପଚାର । ଯେହେତୁ ଛାଡିଲେ ଅମର ॥

ଏକ କାଳରେ ପୁରୁହୂତ । ଐଶ୍ୱର୍ଯ୍ୟେ ହୋଇ ବିହ୍ୱଳିତ ॥

ନିରତେ ଅସତ-ମାର୍ଗରେ । ପ୍ରବୃତ୍ତ ହେଲେ ସେ ଗର୍ବରେ ॥

ପବନ ବସୁ ରୁଦ୍ରଗଣ । ଆଦିତ୍ୟ ଯେତେ ଋଭୁ ପୁଣ ॥

ବିଶ୍ୱଦେବା ସାଧ୍ୟ ସହିତେ । ଅଶ୍ୱିନୀକୁମାର ସମେତେ ॥

ସିଦ୍ଧ ଗନ୍ଧର୍ବ ଯେ ଚାରଣ । ବ୍ରହ୍ମା ଶଙ୍କର ମୁନିଗଣ ॥

କିନ୍ନର ବିଦ୍ୟାଧରଗଣ । ସେବିତ ଅପସରାମାନ ॥ ୧୦

ପତଙ୍ଗ ଉରଗ ଯେ ଆଦି । ସେବନ୍ତି ଯେ ଯାହା ପ୍ରସିଦ୍ଧି ॥ ୧୧

ସ୍ତୁତି କରନ୍ତି ବନ୍ଦୀଗଣ । ଆସ୍ଥାନେ ବସି ମଘବାନ ॥ ୧୨

ଲଳିତେ ହେକୁ ଗୀତ ଗାଇ । ଚାମର ଧରି କେ ବିଞ୍ଚଇ ॥ ୧୩

ଚନ୍ଦ୍ରମଣ୍ଡଳ ପ୍ରାୟ ହୋଇ । ଯେ ଶ୍ୱେତଛତ୍ର ଶୋଭାପାଇ ॥ ୧୪

ଅନ୍ୟ ଯେ ପାରିଷଦଗଣ । ବିଞ୍ଚନ୍ତି ଘେନିର ବ୍ୟଜନ ॥ ୧୫

ଶଚୀ ସଙ୍ଗତେ ଦେବରାୟେ । ରତ୍ନଆସନରେ ବିଜୟେ ॥ ୧୬

ଏମନ୍ତ ସମୟେ ରାଜନ । କହିବା ଶୁଣ ଏକମନ ॥ ୧୭

ପରମଗୁରୁ ଦେବଙ୍କର । ପ୍ରବେଶ ହେଲେ ସେ ସଭାର ॥ ୧୮

ପୂଜିତ ମୁନିମାନଙ୍କର । ବନ୍ଦିତ ସୁରାସୁରଙ୍କର ॥ ୧୯

ତାହାଙ୍କ ପ୍ରତି ଆନ କରି । ଅଭିବାଦନକୁ ନ କରି ॥ ୨୦

ଏମନ୍ତେ ମୁନିଙ୍କି ଦେଖିଲେ । ଇନ୍ଦ୍ର ଆସନୁ ନ ଉଠିଲେ ॥ ୨୧

ସେଠାରୁ ଶୀଘ୍ରେ ଆଙ୍ଗିରସ । ମଉନେ ମନ୍ଦିରେ ପ୍ରବେଶ ॥ ୨୨

ଶ୍ରୀମଦେ ଇନ୍ଦ୍ରର ବିକ୍ରିୟା । ମନେ ଜାଣିଲେ ମୁନି ଏହା ॥ ୨୩

ତାହାଙ୍କ ବିନୁ କେ ପଣ୍ଡିତ । ସ୍ୱର୍ଗ-ରକ୍ଷଣେ ସମରଥ ॥ ୨୪

ତକ୍ଷଣେ ଇନ୍ଦ୍ରଜାଣି କରି । ଗୁରୁ-ଅପରାଧ ବିଚାରି ॥ ୨୫

ଆତ୍ମାକୁ ଇନ୍ଦ୍ର ନିନ୍ଦା କଲେ । ଅନେକ ସନ୍ତାପ ପାଇଲେ ॥ ୨୬

ବଡ଼ ଅସାଧୁପଣ କଲି । ମୁଁ ଅଳ୍ପବୁଦ୍ଧିକି ପାଇଲି ॥ ୨୭

ଗୁରୁ-ଆଚାର୍ଯ୍ୟଙ୍କୁ ସଭାରେ । ନିନ୍ଦିଲି ଐଶ୍ୱର୍ଯ୍ୟ-ମଦରେ ॥ ୨୮

ମୁଁ ଦେବମାନଙ୍କ ଈଶ୍ୱର । କଲି ଅସୁରଙ୍କ ବେଭାରେ ॥ ୨୯

ଯେ ମହାରାଜ-ଚିହ୍ନ ବହି । ମନରେ ମତ୍ତଗର୍ବ ବହି ॥ ୩୦

ଧର୍ମଧରତା ଯେଉଁମାନେ । ସାଧୁ ପଣ୍ଡିତ ଯେତେ ଜନେ ॥ ୩୧

ତାହାଙ୍କୁ ଦେଖି ନ ଉଠନ୍ତି । ସେମାନେ ଧର୍ମ ନ ଜାଣନ୍ତି ॥ ୩୨

କୁପଥ ଦେଖାନ୍ତି ଯେ ଜନ । ନରକେ ପହନ୍ତି ବହନ ॥ ୩୩

ତାହାଙ୍କ ବୋଲ ଯେ କରନ୍ତି । ପାଷଣଭେଳା ଆବୋରନ୍ତି ॥ ୩୪

ସ୍ୱଭାବେ ଗରୁ ଯେ ପାଷାଣ । ତାହାର ଆଶ୍ରୟେ ମରଣ ॥ ୩୫

ଏବେ ଅମରଗଣଙ୍କର । ଆଚାର୍ଯ୍ୟ ଅଗାଧବୁଦ୍ଧିର ॥ ୩୬

ମୁଁ ମୂଢ ସେହି ବ୍ରାହ୍ମଣର । ପୟରେ ମଣ୍ଡିବି ମୋ ଶିର ॥ ୩୭

ତାଙ୍କୁ କରାଇଲେ ପ୍ରସନ୍ନ । ଦୁଃଖ ମୋ ହୋଇବ ଦହନ ॥ ୩୮

ଏମନ୍ତ ଚିନ୍ତା ମନେ କରି । ଗୁରୁ-ଭୁବନେ ଆଗୁ ସରି ॥ ୩୯

ଗୁରୁ ତା ଆଗମନ ଦେଖି । ଗୃହକୁ ଗଲେ ସେ ଉପେକ୍ଷି ॥ ୪୦

ଗୁରୁଦରଶନ ନ ପାଇ । ଭୟ-ଶୋକରେ ଯୁକ୍ତ ହୋଇ ॥ ୪୧

ଆତ୍ମାର ଅକୁଶଳ ଜାଣି । ଚିନ୍ତିତ ହେଲେ ବଜ୍ରପାଣି ॥ ୪୨

ଅସୁରମାନେ ତାହା ଜାଣି । ଶୁକ୍ର-ମନ୍ତ୍ରଣା ପରିମାଣି ॥ ୪୩

ଦେବଙ୍କ ନାଶ ବିଚାରନ୍ତି । ସ୍ୱଭାବେ ଦୁର୍ମଦ ହୁଅନ୍ତି ॥ ୪୪

ତାହାଙ୍କ ବାଣେ ମଘବାନ । ଦେବଙ୍କ ଦେହ ହେଲା କ୍ଷୀଣ ॥ ୪୫

ବ୍ରହ୍ମା-ଛାମୁକୁ ଦେବେ ଗଲେ । ଏ ସର୍ବକଥା ନିବେଦିଲେ ॥ ୪୬

ଛନ୍ନଚିତ୍ତରେ ଦେବଗଣ । ନମିଲେ ବ୍ରହ୍ମାଙ୍କ ଚରଣ ॥ ୪୭

ଦୁଃଖିତ ଦେଖି ଦେବଗଣ । ସ୍ୱୟମ୍ଭୁ ଅଜ ଭଗବାନ ॥ ୪୮

ପରମକୃପାଯୁକ୍ତ ହୋଇ । କିଛି ବୋଇଲେ ସ୍ନେହବହି ॥ ୪୯

ବ୍ରହ୍ମା ଉବାଚ

ହେ ଦେବ ଶୁଣ କହୁଁ ଆମ୍ଭେ । ଅତ୍ୟନ୍ତ-ମନ୍ଦ କଲ ତୁମ୍ଭେ ॥ ୫୦

ଯେ ବ୍ରହ୍ମବାଦୀ ସୁବ୍ରାହ୍ମଣ । ତାହାଙ୍କୁ କଲ ଅବମାନ ॥ ୫୧

ତୁମ୍ଭଙ୍କୁ ସେ ପାପ-କାରଣେ । ଜିଣିଲେ ତେଣୁ ଶତ୍ରୁଗଣେ ॥ ୫୨

ତୁମ୍ଭଙ୍କୁ ନ ଜିଣନ୍ତି ବାଦେ । ଏବେ ଜିଣିଲେ ଅପ୍ରମାଦେ ॥ ୫୩

ହେ ଇନ୍ଦ୍ର ଶୁଣ ସାବଧାନେ । ଗୁରୁଙ୍କୁ ଲଙ୍ଘିଲ ଅଜ୍ଞାନେ ॥ ୫୪

ଶୁକ୍ରଙ୍କୁ ଆରଧି ଅସୁର । ସୁଖେ ଲଭିଲେ ତୁମ୍ଭ ପୁର ॥ ୫୫

ଗୋ ବିପ୍ର ଗୋବିନ୍ଦ ଯାହାର । ଠାକୁର ବିଘ୍ନ କାହିଁ ତାର ॥ ୫୬

ଅଶେଷପ୍ରାଣୀଙ୍କ ଈଶ୍ୱର । ଶୁଭ କରିବେ ଚକ୍ରଧର ॥ ୫୭

ବିଶ୍ୱରୂପକୁ ବେଗେ ଭଜ । ତୁମ୍ଭର କରିବେ ଯେ କାର୍ଯ୍ୟ ॥ ୫୮

ସେ ବିପ୍ର ପ୍ରସନ୍ନ ହୋଇଲେ । ତୁମ୍ଭର ଦୁଃଖ ଯିବ ଭଲେ ॥ ୫୯

ଶୁକ କହିଲେ ଶୁଣ ରାୟେ । ବ୍ରହ୍ମା ଯେ କହିଲେ ଉପାୟେ ॥ ୬୦

ଶୁଣି ଦେବତାଏ ହରଷ । ବ୍ରହ୍ମା ଏହି ଉପଦେଶ ॥ ୬୧

ଋଷିଙ୍କ ଠାବକୁ ସେ ଗଲେ । ହରଷେ ଆଲିଙ୍ଗନ କଲେ ॥ ୬୨

ଏ ଅନନ୍ତରେ ହୃଷ୍ଟ ହୋଇ । ଦେବେ କହିଲେ କଥା ଏହି ॥ ୬୩

ଦେବଗଣଉବାଚ

ଆମ୍ଭେ ଅତିଥି ହେଲୁ ଯହୁଁ । ତୁମ୍ଭ ଆଶ୍ରମେ ଶୁଭ ହେଉ ॥ ୬୪

ପିତୃମାନଙ୍କ କାର୍ଯ୍ୟ ପୂର୍ଣ୍ଣ । କର ଏ ଯଥୋଚିତ ଧର୍ମ ॥ ୬୫

ଉତ୍ତମପୁତ୍ରଙ୍କର ଧର୍ମ । ଯେ ପିତୃଗଣ ଶୁଶ୍ରୂଷଣ ॥ ୬୬

ଗୃହସ୍ଥଜନଙ୍କ ଏ ଧର୍ମ । ଅଧିକେ ବ୍ରହ୍ମଚାରୀ କର୍ମ ॥ ୬୭

ଆଚାର୍ଯ୍ୟ ବ୍ରହ୍ମାର ମୂରତି । ପିତା ପ୍ରତ୍ୟକ୍ଷେ ପ୍ରଜାପତି ॥ ୬୮

ଭ୍ରାତା ଯେ ମୂରତି ଇନ୍ଦ୍ରର । ମାତା ସାକ୍ଷାତ ପୃଥିବୀର ॥ ୬୯

ଭଗିନୀ ଦୟାର ମୂରତି । ଧର୍ମର ମୂରତି ଅତିଥି ॥ ୭୦

ଅଗ୍ନି-ମୂରତି ଅଭ୍ୟାଗତ । ଆତ୍ମାର ମୂର୍ତ୍ତି ସର୍ବଭୂତ ॥ ୭୧

ଶତ୍ରୁ ସକାଶୁ ପରାଭବ । ଯେଣେ ପିତାଙ୍କ ଆର୍ତ୍ତିଭାବ ॥ ୭୨

ଏହି କାରଣୁ ମୁନିବର । ତପସ୍ୟା ସାଧି ଦୂର କର ॥ ୭୩

ଗୁରୁ ଉପାଧ୍ୟାୟ ବ୍ରାହ୍ମଣ । ବ୍ରହ୍ମିଷ୍ଠ ଯେତେ ତୁମ୍ଭ ଗୁଣ ॥ ୭୪

ତୁମ୍ଭଙ୍କୁ କଲୁ ପୁରୋହିତ । ଶତ୍ରୁଙ୍କ ଜିଣିବୁ ତୁରିତ ॥ ୭୫

କାର୍ଯ୍ୟର ପ୍ରୟୋଜନ ପାଇଁ । କନିଷ୍ଠ-ପୂଜା ନିନ୍ଦା ନୋହି ॥ ୭୬

ବେଦରେ ଯାର ଜ୍ଞାନ ନାହିଁ । ଜ୍ୟେଷ୍ଠରେ ଯୋଗ୍ୟ ସେହୁ ନୋହି ॥ ୭୭

ବୟସେ ହେଲେ ହେଁ କନିଷ୍ଠ । ଜ୍ଞାନରେ ଅଟ ତୁମ୍ଭେ ଜ୍ୟେଷ୍ଠ ॥ ୭୮

ଶୁକ ଉବାଚ

ତାହାଙ୍କୁ ପୁରୋହିତ ପଣେ । ବରଣ କଲେ ଦେବଗଣେ ॥ ୭୯

ମୁନି ବିଶ୍ୱରୂପ ହସିଲେ । ଦେବତାମାନଙ୍କୁ ବୋଇଲେ ॥ ୮୦

ବିଶ୍ୱରୂପ ଉବାଚ

ଭୋ ଦେବଗଣେ କହୁଁ ଶୁଣ । ତୁମ୍ଭେ ଯେ ଅଖିଳକାରଣ ॥ ୮୧

ନିନ୍ଦିତ-କାର୍ଯ୍ୟ ପୌରୋହିତ୍ୟେ । କିମ୍ପା ଆରାଧ ତୁମ୍ଭେ ମୋତେ ॥ ୮୨

ହେ ଅଧୀଶ୍ୱର ତୁମ୍ଭେ ଶୁଣ । ଅର୍ଥେ ମୋ ନାହିଁ ପ୍ରୟୋଜନ ॥ ୮୩

କ୍ଷେତ୍ରରୁ ଧାନ୍ୟାଦି ଗ୍ରହଣ । କରି ବଞ୍ଚଇ ମୁହିଁ ଦିନ ॥ ୮୪

କିମ୍ପାଇ ତୁଚ୍ଛବୁଦ୍ଧି କରି । ପୁରୋହିଁତପଣ ଆଚରି ॥ ୮୫

ଅଜ୍ଞାନୀଲୋକ ଏହି କର୍ମ । ପାଇ ହୁଅନ୍ତି ମହାପ୍ରେମ ॥ ୮୬

ତଥାପି ତୁମ୍ଭର କଥାରେ । ଏହା କେ ଅସ୍ୱୀକାର କରେ ॥ ୮୭

କିନ୍ତୁ ତୁମ୍ଭେ ଯେ ମୋର ଗୁରୁ । ଆମ୍ଭେ ଯେ ଅବଜ୍ଞା ନ କରୁ ॥ ୮୮

ତୁମ୍ଭର ଯେତେ କଥାମାନ । ସାଧିବୁ ଶୁଣ ଦେବଗଣ ॥ ୮୯

ଶୁକ ଉବାଚ

ଏ ଅନନ୍ତରେ ବିଶ୍ୱରୂପ । ବରଣ ହୋଇ ଶୁଣ ନୃପ ॥ ୯୦

ଶ୍ରୀକୃଷ୍ଣ ବୋଲିଣ ସୁମରି । ପରମ ସମାଧିରେ କରି ॥ ୯୧

ଶୁକ୍ରର ବିଦ୍ୟାବଳୁ କରି । ଅସୁରଙ୍କର ଯଶ ଶିରୀ ॥ ୯୨

ନିଶ୍ଚୟେ କରିଥିଲେ ନାଶ । ଶୁଣ ରାଜନ ଇତିହାସ ॥ ୯୩

ବୈଷ୍ଣବୀବିଦ୍ୟା ବୋଲି ଯାହା । ଇନ୍ଦ୍ରର ଅର୍ଥେ ଆଣି ତାହା ॥ ୯୪

ଇନ୍ଦ୍ରଙ୍କୁ ଆଣି ତାହା ଦେଲେ । ଯାହାକୁ ଅସୁରେ ଶଙ୍କିଲେ ॥ ୯୫

ସେ ବିଦ୍ୟାପ୍ରଭାବରୁ ଇନ୍ଦ୍ର । ଜିଣିଲା ଯେ ଦାନବବୃନ୍ଦ ॥ ୯୬

ମହତ ବିଶ୍ୱରୂପ ଧୀର । ଦେଲେ ଇନ୍ଦ୍ରଙ୍କୁ ବିଦ୍ୟାସାର ॥ ୯୭

ଇନ୍ଦ୍ରର ଗୁରୁଦ୍ରୋହ-ଦୋଷ । କହିଲେ ଜଗନ୍ନାଥ ଦାସ ॥ ୯୮

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଷଷ୍ଠସ୍କନ୍ଧେ ସପ୍ତମୋଽଧ୍ୟାୟଃ ॥

* * *