ଷଷ୍ଠ ସ୍କନ୍ଧ
ଷଷ୍ଠ ଅଧ୍ୟାୟ
ଶୁକ ଉବାଚ
ଶୁଣ ରାଜନ ଏ ଅନ୍ତରେ । ଦକ୍ଷ ଯେ ବ୍ରହ୍ମାଙ୍କ ଆଜ୍ଞାରେ ॥ ୧
ଭାରିଯା ଅସିକ୍ନୀଙ୍କ ଠାରେ । ଷାଠିଏକନ୍ୟା ଜନ୍ମାଇଳେ ॥ ୨
ଧର୍ମଙ୍କୁ ଦେଲେ କନ୍ୟା ଦଶ । କଶ୍ୟପେ ଦେଲେ ଭ୍ରୟୋଦଶ ॥ ୩
ସପ୍ତବିଂଶତି ଚନ୍ଦ୍ର କରେ । ପ୍ରଦାନ କଲେ ଆନନ୍ଦରେ ॥ ୪
ଭୂତ ଅଙ୍ଗିରା କୃଶାଶ୍ୱଙ୍କୁ । ବେନି ବେନିଟି ଦେଲେ ତାଙ୍କୁ ॥ ୫
ଆବର ଚାରି ଯେ କନ୍ୟାଙ୍କୁ । ଅର୍ପିଲେ ତାର୍କ୍ଷ୍ୟକାଶ୍ୟପଙ୍କୁ ॥ ୬
ଏ ସର୍ବକନ୍ୟାଙ୍କର ନାମ । କହିବା ଶୁଣ ହେ ରାଜନ ॥ ୭
ପ୍ରଜାପତିଙ୍କ କନ୍ୟା ଯେତେ । ପୁତ୍ରବତୀ ହେଲେ ସମସ୍ତେ ॥ ୮
ଏହାଙ୍କ ପୁତ୍ର ପୌତ୍ରମାନେ । ପୂର୍ଣ୍ଣ ହୋଇଲେ ତ୍ରିଭୁବନେ ॥ ୯
ଧର୍ମ ଯେ କନ୍ୟାଙ୍କୁ ଗ୍ରହଣ । କଲେ ତାହାଙ୍କ ନାମ ଶୁଣ ॥ ୧୦
ଭାନୁ ଲମ୍ବା କକୁଭ ଜାମି । ମୁହୂର୍ତ୍ତା ବସୁ ଧର୍ମପତ୍ନୀ ॥ ୧୧
ବିଶ୍ୱା ସାଧ୍ୟ ଯେ ମରୁତ୍ୱତୀ । ସଙ୍କଳ୍ପା ନାମେ ଯେହୁ ସତୀ ॥ ୧୨
ଏବେ ତାହାଙ୍କ ପୁତ୍ର ନାମ । କହିବା ଶୁଣ ହେ ରାଜନ ॥ ୧୩
ଭାନୁର ପୁତ୍ର ହେ ରାଜନ । ଦେବଋଷଭ ଯେ ତା ନାମ ॥ ୧୪
ଋଷଭ ସୁତ ଇନ୍ଦ୍ରସେନ । ବିଦ୍ୟୋତ ଲମ୍ବାରୁ ଜନମ ॥ ୧୫
କକୁଭ ପୁତ୍ର ଯେ ସଙ୍କଟ । ତାହାର ତନୟ କୀକଟ ॥ ୧୬
ଦୁର୍ଗାଭିମାନୀ ଦେବଗଣ । ତା ଠାରୁ ହୋଇଲେ ଜନମ ॥ ୧୭
ଜାମିର ପୁତ୍ର ସ୍ୱର୍ଗନାମ । ତା ଠାରୁ ନନ୍ଦୀର ଜନମ ॥ ୧୮
ବିଶ୍ୱାର ତହୁଁ ବିଶ୍ୱଦେବା । ତାଙ୍କୁ ଅପୁତ୍ରିକ ବୋଲିବା ॥ ୧୯
ସାଧ୍ୟାର ସୁତ ସାଧ୍ୟଗଣ । ତା ତହୁଁ ଅର୍ଥସିଦ୍ଧି ଜନ୍ମ ॥ ୨୦
ଜୟନ୍ତ ମରୁତ୍ୱାନ ଦୁଇ । ଜନ୍ମିଲେ ମରୁତ୍ୱତୀ ତହିଁ ॥ ୨୧
ଜୟନ୍ତ ନାମେ ଯେ ପ୍ରକାଶ । ସେ ଅଟେ ବାସୁଦେବ ଅଂଶ ॥ ୨୨
ଉପେନ୍ଦ୍ର ବୋଲି ଜଗତରେ । ଯାକୁ ଜାଣନ୍ତି ବିଜ୍ଞନରେ ॥ ୨୩
ମୁହୂର୍ତ୍ତା ଗର୍ଭେ ଦେବଗଣ । ଜନ୍ମିଲେ ଅଖିଳକାରଣ ॥ ୨୪
ଏମାନେ ପ୍ରାଣୀହିତ ଚିନ୍ତି । ସ୍ୱକାମ ଫଳକୁ ଦିଅନ୍ତି ॥ ୨୫
ଯେ କାଳେ ଯେ ଫଳ ପ୍ରାଣୀରେ । ଦିଅନ୍ତି ମୁହୂର୍ତ୍ତ ରୂପରେ ॥ ୨୬
ସଙ୍କଳ୍ପ ସଙ୍କଳ୍ପାର ସୁତ । ତା ଠାରୁ କାମ ହେଲା ଜାତ ॥ ୨୭
ବସୁର ଅଷ୍ଟବସୁ ସୁତ । କହିବା ଶୁଣ ପରୀକ୍ଷିତ ॥ ୨୮
ଧ୍ରୁବାର୍କ ଦୋଷ ଅଗ୍ନି ଦ୍ରୋଣ । ବିଭାବସୁ ବସୁ ଯେ ପ୍ରାଣ ॥ ୨୯
ଦ୍ରୋଣର ପତ୍ନୀ ଅଭିମତି । ତା ଠାରୁ ହୋଇଲେ ଉତ୍ପତ୍ତି ॥ ୩୦
ହରଷ ଶୋକ ଭୟ ପୁଣ । ଏ ଆଦି ହୋଇ ଯେତେ ଗଣ ॥ ୩୧
ପ୍ରାଣର ଉର୍ଜସ୍ୱତୀ ନାମା । ପତ୍ନୀ ଯେ ଅତି ମନୋରମା ॥ ୩୨
ତା ତହୁଁ ଏ ତିନି ଉଦ୍ଭବ । ସହ ଆୟୁ ଯେ ପୁରୋଜବ ॥ ୩୩
ଧରଣୀ ଜାୟା ଯେ ଧ୍ରୁବର । ତା ଗର୍ଭୁ ଜାତ ନାନାପୁର ॥ ୩୪
ଅର୍କ ନାମରେ ଯେ ବସୁର । ବାସନା ନାମେ ପତ୍ନୀ ତାର ॥ ୩୫
ତା ତହୁଁ ତର୍ଷାଦି ତନୟ । ବହୁତ ହୋଇଲେ ଉଦୟ ॥ ୩୬
ଅଗ୍ନିର ଭାର୍ଯ୍ୟା ଧାରା ହେଲେ । ବହୁପୁତ୍ର ସେ ପ୍ରସବିଲେ ॥ ୩୭
ପୁଣି ତା ତହୁଁ ସ୍କନ୍ଦ ହେଲେ । କୃତ୍ତିକା ପୁତ୍ର ବୋଲାଇଲେ ॥ ୩୮
ଶର୍ବରୀ ରମଣୀ ଦୋଷର । ତା ତହୁଁ ଜନ୍ମ ଶିଶୁମାର ॥ ୩୯
ଯେ ଶିଶୁମାର ବିଷ୍ଣୁ ଅଂଶେ । ଜାତ ହୋଇଲେ ବସୁବଂଶେ ॥ ୪୦
ଈଶ୍ୱରଅଂଶ ସେ ଅଟଇ । ଜଗତବ୍ୟାପିତ ସେ ହୋଇ ॥ ୪୧
ବସୁ ବନିତା ଆଙ୍ଗିରସୀ । ତହୁଁ ବିଶ୍ୱକର୍ମା ପ୍ରକାଶି ॥ ୪୨
ସକଳକଳାମାନଙ୍କର । ସ୍ୱାମୀ ଅଟଇ ଜଗତର ॥ ୪୩
ସେ ବିଶ୍ୱକର୍ମା ବିର୍ଯ୍ୟୁଜାତ । ଚାକ୍ଷୁସ ମନୁ ନାମେ ସୁତ ॥ ୪୪
ବିଶ୍ୱଦେବାଦି ସାଧ୍ୟ ଯେତେ । ମନୁର ପୁତ୍ର ଏ ଜଗତେ ॥ ୪୫
ବିଭାବସୁଙ୍କ ତିନିସୁତ । ଉଷା-ଗର୍ଭରୁ ହେଲେ ଜାତ ॥ ୪୬
ତାହାଙ୍କ ନାମ ଶୁଣ ନୃପ । ବ୍ୟୁଷ୍ଟ ରୋଚିଷ ଯେ ଆତପ ॥ ୪୭
ଏ ତିନି ପୁତ୍ରଙ୍କ ମଧ୍ୟର । ଆତପ ନାମ ଅଟେ ଯାର ॥ ୪୮
ତା ଠାରୁ ଦିବସ ଜନମ । ଯାହାର ନାମ ପଞ୍ଚଯାମ ॥ ୪୯
ଯା ହେତୁ ପ୍ରାଣୀ ଜାଗରିତ । ସଂସାରେ ହୋନ୍ତି ଆତଯାତ ॥ ୫୦
ଏବେ ସେ ଭୂତଙ୍କର ବଂଶ । କହିବା ଶୁଣ ନରଈଶ ॥ ୫୧
ଯେ ପତ୍ନୀ ସ୍ୱରୂପା ନାମେଣ । ତା ଠାରୁ ଜାତ ରୁଦ୍ରଗଣ ॥ ୫୨
ତାହାଙ୍କ ନାମ ଏକ ଏକ । କହିବା କର ହେ ବିବେକ ॥ ୫୩
ରୈବତ ଅଜ ଭବ ଭୀମ । ଉଗ୍ର ବୃଷାକପି ଯେ ବାମ ॥ ୫୪
ଅଜୈକପାଦ ଅହିର୍ବୁଧ୍ନ୍ୟ । ମହାନ ବହୁରୂପ ନାମ ॥ ୫୫
ରୁଦ୍ରର ପାରିଷଦ ଯେତେ । କହିବି ଏକେ ଏକେ କେତେ ॥ ୫୬
ପ୍ରେତ ବିନାୟକ ଯେ ଘୋର । ଏମନ୍ତେ ଜନ୍ମିଲେ ଅପାର ॥ ୫୭
ଏ ଏକାଦଶ ରୁଦ୍ରଗଣ । ଜନମ ହେଲେ ପୃଥ୍ୱୀରେଣ ॥ ୫୮
ଅଙ୍ଗିରସ ଯେ ପ୍ରଜାପତି । ତାହାର ପତ୍ନୀ ସ୍ୱଧାସତୀ ॥ ୫୯
ପିତୃଗଣଙ୍କୁ ସେ ଜନ୍ମାଇଁ । ଆବର ଶୁଣ ଯାହା କହି ॥ ୬୦
ସତୀର ଅଥର୍ବାଙ୍ଗି ରସ । ସୁତ ହୋଇଲେ ହେ ନରେଶ ॥ ୬୧
କୃଶାଶ୍ୱନାମେ ପ୍ରଜାପତି । ଅର୍ଚ୍ଚି ଧୀଷଣା ତା ଯୁବତୀ ॥ ୬୨
ଧୂମକେତୁ ଯେ ଅର୍ଚ୍ଚିସୁତ । ଧୀଷଣା ଠାରୁ ଚାରିପୁତ୍ର ॥ ୬୩
ବେଦଶିରା ମନୁ ବୟୁନ । ଦେବଳ ଏ ଚାରିନନ୍ଦନ ॥ ୬୪
ତାର୍କ୍ଷ୍ୟ ନାମରେ ଯେ କଶ୍ୟପ । ତା ପତ୍ନୀ ନାମ ଶୁଣ ନୃପ ॥ ୬୫
ବିନତା ପତଙ୍ଗୀ ଯାମିନୀ । କଦ୍ରୂ ଏ ଚାରୋଟି କାମିନୀ ॥ ୬୬
ବିନତା ଗରୁଡ ଅରୁଣ । ଦୁଇ ସନ୍ତାନ କଲେ ଜନ୍ମ ॥ ୬୭
ଗରୂଡ ବିଷ୍ଣୁଙ୍କ ବାହାନ । ସୂର୍ଯ୍ୟଙ୍କ ସାରଥି ଅରୁଣ ॥ ୬୮
ପତଙ୍ଗୀ ପତଙ୍ଗମାନଙ୍କୁ । ଯାମିନୀ ଶଲଭ ପୁତ୍ରଙ୍କୁ ॥ ୬୯
କଦ୍ରୂର ଗର୍ଭୁନାଗ ଯେତେ । ଉତ୍ପନ୍ନ ହୋଇଲେ ସମସ୍ତେ ॥ ୭୦
କୃତ୍ତିକା ଆଦି ଯେତେ ଋକ୍ଷ । ଚନ୍ଦ୍ରର ପତ୍ନୀ ଏ ପ୍ରତ୍ୟକ୍ଷ ॥ ୭୧
ନିତ୍ୟେ କେବଳ ରୋହିଣୀର । ପ୍ରେମରେ ବଶ ଶଶଧର ॥ ୭୨
ଦେଖନ୍ତେ କନ୍ୟାଙ୍କର ଦୁଃଖ । ଶାପ ବିହିଲେ କୋପେ ଦକ୍ଷ ॥ ୭୩
ସେ ଶାପୁ କ୍ଷୟ ରୋଗେ ସୋମ । ଦିନକୁ ଦିନ ହେଲେ କ୍ଷୀଣ ॥ ୭୪
ଦକ୍ଷଙ୍କୁ ପ୍ରସନ୍ନ କରାଇ । କଳା ଲଭିଲେ ପୁଣ ସେହି ॥ ୭୫
କୃଷ୍ଣ-ଶୁକ୍ଳରେ ଏହି କଳା । କ୍ରମରେ କ୍ଷୟ ବୃଦ୍ଧି ହେଲା ॥ ୭୬
ଏ ଅନନ୍ତରେ ମାତୃଗଣ । ତାହାଙ୍କ ନାମ କହୁଁ ଶୁଣ ॥ ୭୭
କଶ୍ୟପ-ପତ୍ନୀମାନଙ୍କର । କହିବା ନାମର ବିସ୍ତାର ॥ ୭୮
ଯାହାର ଅପତ୍ୟରୁ କରି । ଜଗତଯାକ ଅଛି ପୂରି ॥ ୭୯
କୀର୍ତ୍ତନ କଲେ ତାଙ୍କ ନାମ । ପ୍ରାଣୀ ଲଭନ୍ତି ସୁଖଧାମ ॥ ୮୦
ତେଣୁ ମୁଁ ତୁମ୍ଭର ନିକଟେ । ତାହାଙ୍କ ନାମକୁ ପ୍ରକଟେ ॥ ୮୧
ଅଦିତି ଦିତି ଦନୁ ତିନି । କାଷ୍ଠା ଅରିଷ୍ଟା ପୁଣ ବେନି ॥ ୮୨
ସୁରସା ଇଳା ମୁନି ପୁଣି । କ୍ରୋଧବଶା ତାମ୍ରା ତରୁଣୀ ॥ ୮୩
ସୁରଭି ସରମା ପ୍ରକାଶ । ତିମି ସହିତେ ତ୍ରୟୋଦଶ ॥ ୮୪
ଏହାଙ୍କର ଯେ ହେଲେ ସୁତ । କହିବା ଶୁଣ ପରୀକ୍ଷିତ ॥ ୮୫
ଜଳଜନ୍ତୁଏ ତିମିଠାରୁ । ଶ୍ୱାପଦେ ସରମା-ଗର୍ଭରୁ ॥ ୮୬
ଗୋରୁ ମହୀଷ ଆଦି ଯେତେ । ଦ୍ୱିଖୁର-ପଶୁ ଏ ସମସ୍ତେ ॥ ୮୭
ସୁରଭିଠାରୁ ହେଲେ ଜାତ । କହିବା ଶୁଣ ତାମ୍ରା ସୁତ ॥ ୮୮
ଶ୍ୟେନ-ଗୃଧ୍ରାଦି ବିହଙ୍ଗମ । ମୁନିର ଅପସରୀଗଣ ॥ ୮୯
ଦ୍ୱନ୍ଦଶୂକାଦି ସର୍ପ ଯେତେ । କ୍ରୋଧବଶାସୁତ ସମସ୍ତେ ॥ ୯୦
ଇଳାର ତହୁଁ ବୃକ୍ଷମାନ । ସୁରସାସୁତ ଯାତୁଧାନ ॥ ୯୧
ଗନ୍ଧର୍ବେ ଅରିଷ୍ଠାର ପୁତ୍ର । କାଷ୍ଠାର ଏକଖୁର ସୁତ ॥ ୯୨
ଦନୁର ଏକଷଠିସୁତ । ଅଠର ପ୍ରଧାନ ଯେ ପୁତ୍ର ॥ ୯୩
ଶୁଣ କହିବା ହେ ରାଜନ । ଏହାଙ୍କ ଏକଏକ ନାମ ॥ ୯୪
ଦ୍ୱିମୂର୍ଦ୍ଧା ଅରିଷ୍ଟ ଶମ୍ବର । ହୟଗ୍ରୀବ ଯେ ଶଙ୍କୁଶିର ॥ ୯୫
ବିଭାବସୁ ଯେ ଅୟୋମୁଖ । ବୃଷପର୍ବା ଯେ ବିରୁପାକ୍ଷ ॥ ୯୬
ସ୍ୱର୍ଭାନୁ କପିଳ ଅରୁଣ । ପୁଲୋମା ଏକଚକ୍ର ଜାଣ ॥ ୯୭
ଧୂମ୍ରକେଶ ଅନୁତାପନ । ଦୁର୍ଜୟ ବିପ୍ରଚିତ୍ତି ନାମ ॥ ୯୮
ସ୍ୱର୍ଭାନୁ କୁମାରୀ ସୁପ୍ରଭା । ନମୁଚି ତାଙ୍କୁ ହେଲେ ବିଭା ॥ ୯୯
ରାଜନ ଯେ ବୃଷପର୍ବାର । ଶର୍ମିଷ୍ଠା ନାମେ କନ୍ୟାବର ॥ ୧୦୦
ଅତି ସୁନ୍ଦରୀ କନ୍ୟା ଥିଲା । ଯଯାତି ତାକୁ ବିଭା ହେଲା ॥ ୧୦୧
ଦନୁର ପୁତ୍ର ବୈଶ୍ୱାନର । ଚାରୋଟି କନ୍ୟା ହେଲେ ତାର ॥ ୧୦୨
ସେମାନେ ପରମାସୁନ୍ଦରୀ । କହିବା ନାମ ତାହାଙ୍କରି ॥ ୧୦୩
ଉପଦାନବୀ ହୟଶିରୀ । କାଳକା ପୁଲୋମା ସୁନ୍ଦରୀ ॥ ୧୦୪
ଉପଦାନବୀ କନ୍ୟା ତୁଲେ । ହିରଣ୍ୟାକ୍ଷ ଯେ ବିଭାହେଲେ ॥ ୧୦୫
ହୟଶିରୀ ନାମେ ସୁନ୍ଦରୀ । କ୍ରତୁର ସେହି ହେଲା ନାରୀ ॥ ୧୦୬
ପୁଲୋମା କାଳକା ଏ ଦୁଇ । କଶ୍ୟପ ସଙ୍ଗେ ବିଭା ହୋଇ ॥ ୧୦୭
ବ୍ରହ୍ମାଙ୍କ ଆଜ୍ଞା ପାଇ କରି । କଶ୍ୟପ ବିଭା ବେନିନାରୀ ॥ ୧୦୮
ଏ ଦୁଇକନ୍ୟାଙ୍କ ଗର୍ଭରୁ । ଦାନବେ କଶ୍ୟପ-ବୀର୍ଯ୍ୟରୁ ॥ ୧୦୯
ଷାଠିଏ ସହସ୍ର ସମ୍ଭୂତ । ସର୍ବେ ହୋଇଲେ ବଳବନ୍ତ ॥ ୧୧୦
ଇନ୍ଦ୍ରର ଅପ୍ରୀତି କରନ୍ତି । ନିତ୍ୟେ କୁକର୍ମ ଆଚରନ୍ତି ॥ ୧୧୧
ସର୍ବଦା ଯୁଦ୍ଧେ ରତ ହେଲେ । ଋଷିଙ୍କ ଯାଗ ବିନାଶିଲେ ॥ ୧୧୨
ପିତାର ପିତା ଯେ ତୋହର । ଅର୍ଜ୍ଜୁନ ନାମଟି ଯାହାର ॥ ୧୧୩
ସ୍ୱର୍ଗକୁ ଯାଇ କଲା ନଷ୍ଟ । ଦାନବ ବଳବନ୍ତ ଦୁଷ୍ଟ ॥ ୧୧୪
ଦାନବ ବିପ୍ରଚିତ୍ତି ନାରୀ । ସିଂହିକା ନାମଟି ତାହାରି ॥ ୧୧୫
ଏକ ଦାନବ ଶତେ ସୁତ । ତା ଗର୍ଭୁ ହୋଇଲେ ସମ୍ଭୂତ ॥ ୧୧୬
ରାହୁ ତା ପ୍ରଥମ ନନ୍ଦନ । ଶତକନିଷ୍ଠ କେତୁ ନାମ ॥ ୧୧୭
ସେ ସର୍ବେ ଗ୍ରହମାନଙ୍କରେ । ବିଖ୍ୟାତ ହୋଇଲେ ସଂସାରେ ॥ ୧୧୮
ଏଥୁ ଅନ୍ତରେ ନୃପବର । ଅଦିତି ବଂଶର ବିଚାର ॥ ୧୧୯
ଯହିଁ ଶ୍ରୀବ୍ରହ୍ମାଣ୍ତଠାକୁର । ଅଂଶେ ହୋଇଲେ ଅବତାର ॥ ୧୨୦
ଅର୍ଯ୍ୟମା ବିବସ୍ୱାନ ତ୍ୱଷ୍ଟା । ଧାତା ବିଧାତା ଯେ ସବିତା ॥ ୧୨୧
ପୂଷା ଭଗ ଆର ବରୂଣ । ମିତ୍ର ଶକ୍ର ଯେ ଉଋକ୍ରମ ॥ ୧୨୨
ବିବସ୍ୱାନଙ୍କ ତହୁଁ ଜାତ । ଶ୍ରଦ୍ଧାଦେବ ହେଲେ ସାକ୍ଷାତ ॥ ୧୨୩
ସେ ଶ୍ରାଦ୍ଧଦେବ ମନୁ ନାମେ । ଖ୍ୟାତ ହୋଇଲା ଧରାଧାମେ ॥ ୧୨୪
ଭାଗ୍ୟବତୀ ଯାମୀ ଏ ଦୁଇ । ଯମ ଯମୁନା ପ୍ରସବଇ ॥ ୧୨୫
ଯେ ଯାମୀ ବଡବା ରୂପରେ । ଜନ୍ମାଇ ଅଶ୍ୱିନୀକୁମାରେ ॥ ୧୨୬
ଛାୟାରେ ଶନିଶ୍ଚର ସୁତ । ବିବସ୍ୱାନର ବିର୍ଯ୍ୟୁ ଜାତ ॥ ୧୨୭
ଏ ଅନନ୍ତରେ ତାର ତହିଁ । ସାବର୍ଣ୍ଣିମନୁ ଜାତ ହୋଇ ॥ ୧୨୮
କନ୍ୟାଏ ହୋଇଲା ଜନମ । ଯାହାର ପତି ସମ୍ବରଣ ॥ ୧୨୯
ମାତୃକା ପତ୍ନୀ ଅର୍ଜମାର । ବହୁତ ସୁତ ହେଲେ ତାର ॥ ୧୩୦
ଏ ସର୍ବ ମନୁଷ୍ୟଜାତିରେ । କଳ୍ପନା କଲେ ବେଦବରେ ॥ ୧୩୧
ପୂଷା ସ୍ୱଭାବେ ଅନପତ୍ୟ । ପୂର୍ବେ ତ ଥିଲା ଭଗ୍ନଦନ୍ତ ॥ ୧୩୨
ପୂର୍ବକାଳରେ ଦକ୍ଷ ପ୍ରତି । କୁପିତ ହେଲେ ଉମାପତି ॥ ୧୩୩
ତା ଦେଖି ପୂଷା ନିଜ ଦନ୍ତ । ଦେଖାଇ ହସିଲା ବହୁତ ॥ ୧୩୪
ଏଣୁ ତା ଦନ୍ତ ଭଗ୍ନ ହୋଏ । ଏବେ କହିବା ଶୁଣ ରାୟେ ॥ ୧୩୫
ଦୈତ୍ୟ କନ୍ୟା ପତ୍ନୀ ତ୍ୱଷ୍ଟାର । ରଚନା ନାମ ସେ କନ୍ୟାର ॥ ୧୩୬
ଏହାଙ୍କ ସୁତ ଶୁଣ ନୃପ । ସନ୍ନିବେଶ ଯେ ବିଶ୍ୱରୂପ ॥ ୧୩୭
ଯାହାଙ୍କୁ ସୁରଗଣମାନେ । ବରିଲେ ପୁରୋହିତ ପଣେ ॥ ୧୩୮
ଶତ୍ରୁମଉଳା ଯେବେ ତାର । ସେ ଯେ ସ୍ୱଭାବେ ବଳିୟାର ॥ ୧୩୯
ତଥାପି ପୁରୋହିତ ପଣେ । ବରଣ କଲେ ଦେବଗଣେ ॥ ୧୪୦
ଯେବେ ସେ ଗୁରୁ ଆଙ୍ଗିରସ । ମନରେ ହୋଇ ଅସନ୍ତୋଷ ॥ ୧୪୧
ତାଙ୍କୁ ତେଜିଲେ ମୁନିରାଣ । ସେ ମୁନି ସକଳକାରଣ ॥ ୧୪୨
ସେ କଥା ସୁଜ୍ଞଜନ ହିତେ । ଏ ଷଷ୍ଠସ୍କନ୍ଧ ଭାଗବତେ ॥ ୧୪୩
ବୋଲଇ ଦାସ ଜଗନ୍ନାଥ । ଦକ୍ଷଙ୍କ ସୃଷ୍ଟି ଏ ଜଗତ ॥ ୧୪୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ଷଷ୍ଠୋଽଧ୍ୟାୟଃ ॥
* * *