ଷଷ୍ଠ ସ୍କନ୍ଧ

ପଞ୍ଚମ ଅଧ୍ୟାୟ

ଶୁକ ଉବାଚ

ବିଷ୍ଣୁ ମାୟାର ପ୍ରଭାବରୁ । ପଞ୍ଚଜନକନ୍ୟା ଗର୍ଭରୁ ॥

ହର୍ଯ୍ୟଶ୍ୱନାମରେ ଅୟୁତ । ସେ ଦକ୍ଷ ଜନ୍ମାଇଲେ ସୁତ ॥

ପୃଥକଭାବ ତାଙ୍କ ନାହିଁ । ସକଳେ ଧର୍ମଶୀଳ ହୋଇ ॥

ପିତାର ଆଜ୍ଞା ଘେନି ଶିରେ । ପ୍ରଜାସର୍ଜନ କରିବାରେ ॥

ପଶ୍ଚିମଦିଗକୁ ଗମିଲେ । ସେଠାରେ ତୀର୍ଥେକ ଦେଖିଲେ ॥

ଯା ନାମ ନାରାୟଣସର । ସଙ୍ଗମେ ସେ ସିନ୍ଧୁସାଗର ॥

ସିଦ୍ଧମୁନିରେ ଯେ ସେବିତ । ସ୍ପରଶେ ପାପ କରେ ହତ ॥

ସେ ସରୋବରକୁ ଯେ ଯାଇ । ପରମହଂସଦୀକ୍ଷା ବହି ॥

ଯନ୍ତ୍ରିତ ସେ ପିତା-ଆଜ୍ଞାରେ । ନାନା-ଉଗ୍ରତପ ସାଧିଲେ ॥

ପ୍ରଜାର ବୃଦ୍ଧିକାମକଲେ । ତପସାଧନେ ମନ ଦେଲେ ॥ ୧୦

ନାରଦ ଆସି ତତକ୍ଷଣେ । କହିଲେ ମଧୁର-ବଚନେ ॥ ୧୧

ହର୍ଯ୍ୟଶ୍ୱେ ଶୁଣ ମୋ ଉତ୍ତର । କେମନ୍ତେ ତୁମ୍ଭେ ପ୍ରଜାକର ॥ ୧୨

ପୃଥ୍ୱୀର ପରିମାଣ କାହିଁ । କେବେ କି ଦେଖିଅଛ କେହି ॥ ୧୩

ତୁମ୍ଭେ ବାଳକବୁଦ୍ଧି କର । ସୃଷ୍ଟି କରିବାକୁ ବିଚାର ॥ ୧୪

ଏକଗୋଟି ଯେ ରାଜ୍ୟ ଅଛି । ଏକ ପୁରୁଷ ତହିଁ ଅଛି ॥ ୧୫

ଗହ୍ୱର ଗୋଟିଏ ଅଛଇ । ଯହିଁରୁ କେହି ନ ଫେରଇ ॥ ୧୬

ବହୁରୂପର ସ୍ତିରୀ ଏକ । ଅଛି ପୁଂଶ୍ଚଳୀ ପତିଏକ ॥ ୧୭

ନଦୀଏ ବହେ ବେନିଆଡେ । ଘର ପଚିଶ ପଦାର୍ଥରେ ॥ ୧୮

ବିଚିତ୍ରନାଦ ହଂସ ଆର । ପଦାର୍ଥ ଅଛଇ ଅପର ॥ ୧୯

କ୍ଷୁରବଜ୍ରରେ ଗଢା ହୋଇ । ନିରତେ ଭ୍ରମଣ କରଇ ॥ ୨୦

ତୁମ୍ଭେ ହୋ ନ ଜାଣ ଏମାନ । ନ ବୁଝି ପିତାର ବଚନ ॥ ୨୧

କିପରି ସୃଷ୍ଟି କରିବାରେ । ମନ ବଳାଅ ଅବିଚାରେ ॥ ୨୨

ନାରଦତହିଁ କୂଟବାଣୀ । ହର୍ଯ୍ୟଶ୍ୱେ ଶୁଣି ମନେ ଗୁଣି ॥ ୨୩

ନିର୍ମଳବୁଦ୍ଧି ତାହାଙ୍କର । ଏମନ୍ତେ କରନ୍ତି ବିଚାର ॥ ୨୪

ପୃଥିବୀ ଜୀବ ନାମ ହୋଇ । ଅନାଦି ବାସନାକୁ ପାଇ ॥ ୨୫

ଯେଣୁ ଏ ବହଇ ଶରୀର । କାରଣ ଯେ ଆତ୍ମବନ୍ଧର ॥ ୨୬

ଅଦୃଶ୍ୟ ଏହାର ନିର୍ବାଣ । ତେଣୁ ନ ଜାଣି ପରିମାଣ ॥ ୨୭

ଅସତକର୍ମ ପ୍ରବର୍ତ୍ତନେ । କି ଅର୍ଥଲାଭ ଏ ସାଧନେ ॥ ୨୮

ଏକ ପୁରୁଷ ସେ ଈଶ୍ୱର । ସମସ୍ତ ସାକ୍ଷୀ ସେ ରାଜ୍ୟର ॥ ୨୯

ନିତ୍ୟ ମୁକତ ଭଗବାନ । ତେଣେ ତ ନାହିଁ ଆମ୍ଭଜ୍ଞାନ ॥ ୩୦

ପୁରୁଷ ଯହିଁ ପ୍ରବେଶିଲେ । ବାହୁଡି ନ ଆସଇ ଭଲେ ॥ ୩୧

ପାତାଳଗତି ପ୍ରାୟ ହୋଏ । ଜ୍ୟୋତିସ୍ୱରୂପ ବ୍ରହ୍ମମୟେ ॥ ୩୨

ତହିଁରେ ଆମ୍ଭ ନାହିଁ ଜ୍ଞାନ । ଏ ସୃଷ୍ଟିକର୍ମେ କି କାରଣ ॥ ୩୩

ଏ ବୁଦ୍ଧି ନାନାମାର୍ଗେ ଯାଇ । ଆତ୍ମାକାରଣ ନ ଜାଣଇ ॥ ୩୪

ରଜତମରେ ବିମୋହିତ । ପୁଂଶ୍ଚଳୀ ପରାୟେ ଚରିତ ॥ ୩୫

ପୁଂଶ୍ଚଳୀ ସଙ୍ଗେ କରି ଭାବ । କେବଳ ଶ୍ରମମାତ୍ର ଲାଭ ॥ ୩୬

କୁତ୍ସିତଭାର୍ଯ୍ୟା-ଗୃହୀ ଯେହ୍ନେ । ନିରତେ ବଞ୍ଚଇ କଷଣେ ॥ ୩୭

ଏଣୁ ଅସତ ଅବିବେକ । କର୍ମେ ବା କି ଲାଭ ଅଧିକ ॥ ୩୮

ଜନ୍ମ ମରଣ ବେନିଦିଗେ । ମାୟାନଦୀ ଯେ ବହେ ବେଗେ ॥ ୩୯

ତହିଁ ପଡ଼ିଣ ଜୀବ ଭ୍ରମେ । କି କାର୍ଯ୍ୟ ଅସତ କରମେ ॥ ୪୦

ପଚିଶ ତତ୍ତ୍ୱେ ଗଢ଼ା ଦେହ । ଶ୍ରୀହରି ତହିଁର ଆଶ୍ରୟ ॥ ୪୧

ତାହାଙ୍କୁ ନ ଜାଣିଣ ଭଲେ । କି ଲାଭ ତୁଚ୍ଛା କର୍ମ କଲେ ॥ ୪୨

ବିଚିତ୍ରନାଦ-ହଂସ ସେହି । ଅଧ୍ୟାତ୍ମଶାସ୍ତ୍ର ଯେ ବୋଲାଇ ॥ ୪୩

ତହିଁର ତତ୍ତ୍ୱ ନ ଜାଣିଲୁ । ଅସତ-କର୍ମରେ ଫୁଟିଲୁ ॥ ୪୪

ଯା ଚକ୍ର ତୀକ୍ଷ୍‌ଣ କ୍ଷୁରଧାର । ବଜ୍ରୁ କଠିନ ଯେହୁଁ କାଳ ॥ ୪୫

ସ୍ୱତନ୍ତ୍ରେ କରଇ ଭ୍ରମଣ । ଜଗତ କରେ କରଷଣ ॥ ୪୬

ତାହାର ଗତିକି ନ ବୁଝି । ଅସତକର୍ମେ କିମ୍ପା ମଜ୍ଜି ॥ ୪୭

ଅଧ୍ୟାତ୍ମଶାସ୍ତ୍ର ପିତା ସମ । ନ ବୁଝି ତାହାର ମରମ ॥ ୪୮

ପ୍ରବୃତ୍ତିମାର୍ଗେ କରି କର୍ମ । କିମ୍ପା ହୋଇବା ତୁଚ୍ଛା ଭ୍ରମ ॥ ୪୯

ଏମନ୍ତ ମନେ ବିଚାରିଲେ । ହର୍ଯ୍ୟଶ୍ୱେ ଏକଚିତ୍ତ ହେଲେ ॥ ୫୦

ନାରଦେ କରି ପ୍ରଦକ୍ଷିଣ । ଗଲେ ଅନିବର୍ତ୍ତ ପଥେଣ ॥ ୫୧

ଅଚ୍ୟୁତ ବ୍ରହ୍ମ ହୃଷୀକେଶ । ଅଖିଳ-ପ୍ରଭୁ-ପୀତବାସ ॥ ୫୨

ଅଭୟ-ପାଦପଙ୍କଜରେ । ଅଖŠଣ୍ତଚିତ୍ତ ହୋଇ ସ୍ଥିରେ ॥ ୫୩

ଆନନ୍ଦ ହୋଇ ମୁନିବର । ଗମନ କଲେ ନିଜପୁର ॥ ୫୪

ସୁତମାନଙ୍କ ନାଶ ଶୁଣି । ନାରଦକୃତ ବୋଲି ଜାଣି ॥ ୫୫

ପୁତ୍ରଙ୍କ ଗୁଣ ସୁମରିଲେ । ଦକ୍ଷ ଅନେକ ଶୋକ କଲେ ॥ ୫୬

ଅଜଙ୍କ ବାକ୍ୟେ ଶାନ୍ତ ହୋଇ । ପୁଣିହିଁ ଅସିକ୍ନୀର ତହିଁ ॥ ୫୭

ବୀର୍ଯ୍ୟଆଧାନ କଲେ ଦକ୍ଷ । ପୁତ୍ର ଜନ୍ମିଲେ ସବଳାଶ୍ୱ ॥ ୫୮

ସହସ୍ରପରିମିତ ହୋଇ । ସର୍ବେ ଜନ୍ମିଲେ ଦେହବହି ॥ ୫୯

ପିତାର ଆଜ୍ଞାକୁ ଧଇଲେ । ପ୍ରଜା-ସର୍ଜନେ ମନଦେଲେ ॥ ୬୦

ଯେ ନାରାୟଣ-ସରୋବର । ତହିଁ କି ଗଲେ ଖରତର ॥ ୬୧

ସେ ତୀର୍ଥ ସ୍ପରଶ ମାତ୍ରକେ । ଦହନ ହୋଇଲେ ପାତକେ ॥ ୬୨

ପରମବ୍ରହ୍ମ ଧ୍ୟାନ କରି । ମହତ ତପକୁ ଆଚରି ॥ ୬୩

କେତେହେଁ ଦିନ ନିରାହାରେ । ବଞ୍ଚିଲେ ପବନ ଆହାରେ ॥ ୬୪

ଏମନ୍ତ କରି ଆରାଧନ । ସ୍ମରଣ କଲେ ନାରାୟଣ ॥ ୬୫

ଓଁ ନମଃ ପ୍ରଭୁ ନାରାୟଣ । ଓଁ ନମଃ ପ୍ରଭୁ ଭଗବାନ ॥ ୬୬

ଅଶେଷ ପୁରୁଷ ପୁରାଣ । ଅନାଦି ପ୍ରଭୁ ନିରଞ୍ଜନ ॥ ୬୭

ବିଶୁଦ୍ଧ ସତ୍ତ୍ୱ ମହାହଂସ । ନମସ୍ତେ ପ୍ରଭୁ ହୃଷୀକେଶ ॥ ୬୮

ଏମନ୍ତ ପ୍ରକାରେ ରାଜନ । ପ୍ରଜା ନିମିତ୍ତେ ଦେଇ ମନ ॥ ୬୯

ତପ ସେ କରୁଥିଲେ ତହିଁ । ନାରଦମୁନି ତାଙ୍କୁ ଚାହିଁ ॥ ୭୦

କପଟ କରିଣ ବଚନ । ବୋଇଲେ ଶୁଣ ଋଷିଗଣ ॥ ୭୧

ଉଦ୍ଦେŸଶ୍ୟ ଭାଇମାନଙ୍କର । କିମ୍ପାଇଁ ତୁମ୍ଭେ ହୋ ନ କର ॥ ୭୨

ଭ୍ରାତୃବତ୍ସଳ ତୁମ୍ଭେମାନେ । ଏ କର୍ମ କରୁଛ କେସନେ ॥ ୭୩

ଭାଇର ଦୁଖେ ଯେହୁ ଦୁଃଖୀ । ସେ ପ୍ରାଣୀ ସର୍ବକାଳେ ସୁଖୀ ॥ ୭୪

ତାହାଙ୍କୁ ପୁଣ୍ୟବନ୍ତ କହି । ଦେବଙ୍କ ସଙ୍ଗେ ସ୍ୱର୍ଗେ ଥାଇ ॥ ୭୫

ଏମନ୍ତ କହି ତାଙ୍କ ଆଗେ । ନାରଦ ଗଲେ ଶୂନ୍ୟମାର୍ଗେ ॥ ୭୬

ସେ ପୁଣି ଭାଇମାନଙ୍କର । ଉଦ୍ଦେŸŸଶ୍ୟେ ଗଲେ ନୃପବର ॥ ୭୭

ଭାଇର କ୍ଷୋଭେ ଯେତେ ଗଲେ । ଅଦ୍ୟାପୀ ନିବୃତ୍ତ ନୋହିଲେ ॥ ୭୮

ପଶ୍ଚିମରାତ୍ରି ପ୍ରାୟ ହୋଇ । ନିବୃତ୍ତି ତାଙ୍କ ଆର କାହିଁ ॥ ୭୯

ଅନେକ କାଳ ଗଲା ଯହୁଁ । ଦକ୍ଷ ଜାଣିଲେ ପୁଣି ତହୁଁ ॥ ୮୦

ପୁତ୍ରମାନଙ୍କ ନାଶ ଶୁଣି । ନାରଦକୃତ ବୋଲି ଜାଣି ॥ ୮୧

ପୁତ୍ରଶୋକରେ ମୋହି ହୋଇ । ନାରଦେ ଅତି କ୍ରୋଧ ବହି ॥ ୮୨

ତକ୍ଷଣେ ନିକଟେ ମିଳିଲେ । ଦେଖି ନାରଦ ଭୟ କଲେ ॥ ୮୩

କୁପିତେ କମ୍ପାଇ ଅଧର । ନାରଦେ ବୋଲନ୍ତି ଉତ୍ତର ॥ ୮୪

ଦକ୍ଷ ଉବାଚ

ଅହୋ ଅସାଧୁ ସାଧୁଙ୍କର । ଚିହ୍ନକୁ ବହୁ ଅଙ୍ଗେ ତୋର ॥ ୮୫

ଯେଣୁ ମୋ ବାଳକଙ୍କୁ ତୁହି । ଭିକ୍ଷୁକ-ମାର୍ଗକୁ ଦେଖାଇ ॥ ୮୬

ତିନିଋଣରୁ ଯେ ଅମୁକ୍ତ । ନୋହିଛି କର୍ମ ସମାପତ ॥ ୮୭

ଶ୍ରେୟ-କାରଣ ତାଙ୍କ ତପ । କିମ୍ପା ତୁ ନଷ୍ଟକଲୁ ପାପ ॥ ୮୮

କେମନ୍ତେ ଭକ୍ତବୋଲି ତୋତେ । ସକଳେ ବୋଲନ୍ତି ଜଗତେ ॥ ୮୯

ଈଶ୍ୱର ପାରିଷଦ ହେଉ । ମନ୍ଦକର୍ମରେ ନିତ୍ୟେ ଥାଉ ॥ ୯୦

ଯେ ଜନ କୃଷ୍ଣଭକ୍ତ ହୋଏ । ପ୍ରାଣୀଙ୍କୁ କରଇ ସଦୟେ ॥ ୯୧

ତୁ ମିତ୍ରଦ୍ରୋହୀ ପାପୀ ହେଉ । ଏ କର୍ମ କରେ ଅବା କେହୁ ॥ ୯୨

ନିର୍ଦ୍ଦୋଷଠାରେ ଶତ୍ରୁପଣ । କିମ୍ପାଇଁ କଲୁ ଅକାରଣ ॥ ୯୩

ସୁହୃଦଲୋକେ କ୍ରୋଧଭର । ତୋ ତହୁଁ ନାହିଁ ନା ଅପର ॥ ୯୪

ମୋହର ଯେଉଁ ସ୍ନେହପାଶ । ଛେଦିଣ କଲୁ ତୁ ନିରାଶ ॥ ୯୫

ପ୍ରାଣୀମାନଙ୍କ ସ୍ନେହପାଶ । ଏ ରୂପେ ନୁହଁଇ ବିନାଶ ॥ ୯୬

କଠୋର-ବୈରାଗ୍ୟ ସାଧନ । ଯହିଁ ସ୍ନେହପାଶ ଛେଦନ ॥ ୯୭

ବିଷୟକର୍ମ ଯେହୁ ଜନ । ନ ଜାଣି କରେ ଅନୁମାନ ॥ ୯୮

ତୋ ମତ ଅଳ୍ପବୁଦ୍ଧି-ଜ୍ଞାନେ । ହିତ-ଅହିତ ସେ ନ ଜାଣେ ॥ ୯୯

ତୁ ଯେଉଁ କାରଣରୁ କରି । ସାଧୁଙ୍କ ଅପ୍ରିୟ ଆଚରି ॥ ୧୦୦

ସ୍ୱକର୍ମବଦ୍ଧ ଗୃହମେଧି । ପରର ହିତେ ଯାର ବୁଦ୍ଧି ॥ ୧୦୧

ତାଙ୍କୁ ଅମାର୍ଗ ଦେଖାଇଲୁ । ବାରେକ ଆମ୍ଭେ ତା ସହିଲୁ ॥ ୧୦୨

ମୂଢ଼ ତୁ ଆମ୍ଭ ଶାପୁଁ କରି । ଲୋକବିଷୟେ ଅନାଚାରୀ ॥ ୧୦୩

ଭ୍ରମଣ କରୁଥିବୁ ତୁହି । ସ୍ଥିତି ନୋହିବ ତୋର କାହିଁ ॥ ୧୦୪

ଶୁକ ଉବାଚ

ଅସ୍ତୁ ବୋଲିଣ ଶାପଘେନି । ସାଧୁଜନ ନାରଦ ମୁନି ॥ ୧୦୫

ଏଣୁ କରି ସେ ସାଧୁବାଦ । ସକଳ ବୋଲନ୍ତି ନାରଦ ॥ ୧୦୬

ସେ ସେହି ରୂପେ ତା ଘେନିଲେ । ଦକ୍ଷ ଯେବଣ ଶାପ ଦେଲେ ॥ ୧୦୭

ନାରଦ ଶାପ କର୍ମବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥

ବୋଲଇ ଦାସ ଜଗନ୍ନାଥ । ସଂସାର ହିତେ ଭାଗବତ ॥

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଷଷ୍ଠସ୍କନ୍ଧେ ନାରଦଶାପୋ ନାମ

ପଞ୍ଚମୋଽଧ୍ୟାୟଃ ॥

* * *