ଷଷ୍ଠ ସ୍କନ୍ଧ
ଚତୁର୍ଥ ଅଧ୍ୟାୟ
ପରୀକ୍ଷିତ ଉବାଚ
ଦେବ ଅସୁର ନର ନାଗ । ତୁମ୍ଭେ କହିଲ ମହାଭାଗ ॥ ୧
ମୃଗ-ପକ୍ଷୀଙ୍କ ସୃଷ୍ଟି ଯେତେ । କହିଲ ମୋହର ଅଗ୍ରତେ ॥ ୨
ଯେତେ ସ୍ୱୟମ୍ଭୁ-ମନ୍ୱନ୍ତରେ । ସଂକ୍ଷେପେ କହିଲ ମୋହରେ ॥ ୩
ସେ ମନ୍ୱନ୍ତରେ ଭଗବାନ । ଯେ ଅନୁସର୍ଗର ବିଧାନ ॥ ୪
ଯେମନ୍ତ ଆତ୍ମାଶକ୍ତି ଘେନି । ସର୍ଜିଲେ ପ୍ରଭୁ ଅନ୍ତର୍ଯ୍ୟାମୀ ॥ ୫
ସେକଥା ଶୁଣିବାକୁ ମୋର । ଶ୍ରଦ୍ଧା ବଳିଲା ମୁନିବର ॥ ୬
ସୂତ ଉବାଚ
ରାଜାର ପ୍ରଶ୍ନ ଶୁଣି କର୍ଣ୍ଣେ । ଆନନ୍ଦେ ହରଷ ବଦନେ ॥ ୭
ଭୋ ମୁନିଗଣେ ଶୁଣ ତାହା । ନୃପେ କହିଲେ ଶୁକ ଯାହା ॥ ୮
ଚିତ୍ତେ ଶ୍ରୀକୃଷ୍ଣପଦ ଧ୍ୟାୟି । କହନ୍ତି ରାଜା ମୁଖ ଚାହିଁ ॥ ୯
ଶୁକ ଉବାଚ
ବୋଲନ୍ତି ଶୁଣ ହୋ ରାଜନ । ଈଶ୍ୱର ସୃଷ୍ଟିର ବିଧାନ ॥ ୧୦
ଯେବେ ପ୍ରଚେତା ଭାଇଦଶ । ସମୁଦ୍ରୁ ଉଠି ଦଶଦିଶ ॥ ୧୧
ଚାହିଁଲେ ବହୁ ଦ୍ରମୁମାନ । ପୃଥିବୀ କଲା ଆଚ୍ଛାଦନ ॥ ୧୨
ବୃକ୍ଷମାନଙ୍କୁ ଦେଖି ଡୋଳେ । ତପେ ଦୀପିତ କୋପାନଳେ ॥ ୧୩
ମୁଖରୁ ଅଗ୍ନି-ବାୟୁ ଦୁଇ । ସର୍ଜିଲେ ବୃକ୍ଷକ୍ଷୟ ପାଇଁ ॥ ୧୪
ପବନ-ଅଗ୍ନିରେ ଦହନ । ବୃକ୍ଷେ ହୋଇଲେ ଯହୁଁ କ୍ଷୀଣ ॥ ୧୫
ତା ଦେଖି ଶୁଣ ପରୀକ୍ଷିତ । ଚନ୍ଦ୍ର ହୋଇଲେ ଉପଗତ ॥ ୧୬
କ୍ରୋଧ-ସାନ୍ତ୍ୱନା କରିବାରେ । ତାଙ୍କୁ ବୋଇଲେ ସୁଧାକରେ ॥ ୧୭
ଭୋ ସ୍ୱାମୀମାନେ ତୁମ୍ଭେ ଶୁଣ । ବୃକ୍ଷେ ହୋଇଲେ ଅତି କ୍ଷୀଣ ॥ ୧୮
ଦହନ ନ କରଟି ଆର । ତୁମ୍ଭେ ଯେ ପତି ପ୍ରଜାଙ୍କର ॥ ୧୯
ପ୍ରଜାପତିଙ୍କ ପତି ହରି । ଅବ୍ୟୟ ପୁରୁଷ ମୁରାରି ॥ ୨୦
ଔଷଧି ବନସ୍ପତି ଯେତେ । ତାର ସଞ୍ଚିଲା ଏ ଜଗତେ ॥ ୨୧
ସଂସାରେ ଭକ୍ଷ୍ୟ ଭୋଜ୍ୟ ଅନ୍ନ । ସେ ବିଭୁ କରିଛି ସର୍ଜନ ॥ ୨୨
ଚର-ଅଚର ଆଦି ଯେତେ । ପାଦ-ଅପାଦର ସହିତେ ॥ ୨୩
ଅହସ୍ତ-ହସ୍ତଯୁକ୍ତ ଯେହୁ । ଦ୍ୱିପଦ-ଚତୁଷ୍ପଦ କେହୁ ॥ ୨୪
ତୁମ୍ଭେ ଏ ସକଳେ ସର୍ଜିବ । ସଂସାରେ ଛନ୍ତି ଯେତେ ଜୀବ ॥ ୨୫
ପ୍ରଜାର ସୃଷ୍ଟି କରିବାରେ । ଯେଣୁ ଅଇଲ ଏ ସଂସାରେ ॥ ୨୬
ମୋ ବାଣୀ ଶୁଣ ସାବଧାନ । ଦହନ ନ କର ଏ ବନ ॥ ୨୭
ପିତା ପିତାମହ ତୁମ୍ଭର । ସେବିତ ପ୍ରପିତାମହର ॥ ୨୮
ନ କର ସତ୍ୟ ମାଗ୍ୟ ଦୂର । କ୍ରୋଧ ଅନଳ ଦୂରକର ॥ ୨୯
ବାଳକ-ବନ୍ଧୁ ପିତାମାତା । ନୟନ-ବନ୍ଧୁ ଲୋମପତା ॥ ୩୦
ଭିକ୍ଷୁକ-ବନ୍ଧୁ ଗୃହୀଜନ । ଅଜ୍ଞର ବନ୍ଧୁ ସୁଜ୍ଞଜନ ॥ ୩୧
ସ୍ତିରୀର ବନ୍ଧୁ ସ୍ୱାମୀ ନିଜ । ପ୍ରଜାର ବନ୍ଧୁ ମହାରାଜ ॥ ୩୨
ଜୀବର ହୃଦଗତେ ହରି । ଅଛନ୍ତି ଆତ୍ମରୂପ ଧରି ॥ ୩୩
ସେ ସର୍ବ ସମାନ ଦେଖଇ । ତାହାର ଜ୍ଞାନୀ ବୋଲି କହି ॥ ୩୪
କ୍ରୋଧକୁ ଜିଣେ ଯେଉଁ ନର । ସେ ଜାଣ ତ୍ରିଗୁଣୁଁ ବାହାର ॥ ୩୫
ଅନନ୍ତ ଗୁଣ ବୋଲି ତାରେ । ନିର୍ଭୟେ ବୁଲଇ ସଂସାରେ ॥ ୩୬
କଲ୍ୟାଣ ହୋଇବ ତୁମ୍ଭର । ଶେଷ ଦ୍ରୁମଙ୍କୁ ରକ୍ଷା କର ॥ ୩୭
ବୃକ୍ଷ-ପାଳିତ ଯେଉଁ କନ୍ୟା । ସେ ହେଉ ତୁମ୍ଭ ମନୋରମା ॥ ୩୮
ଏତେକ କହି ରାଜା ସୋମ । ଆନନ୍ଦେ ହରଷ ବଦନ ॥ ୩୯
କନ୍ୟାକୁ ଆଣି ତାଙ୍କୁ ଦେଲେ । ହରଷେ ନିଜପୁରେ ଗଲେ ॥ ୪୦
ସେମାନେ କନ୍ୟା ପ୍ରାପ୍ତ ହୋଇ । ବିବାହ ହେଲେ ଦୟାବହି ॥ ୪୧
ତାହାଙ୍କ ବୀର୍ଯ୍ୟେ ସେ କନ୍ୟାର । ଜନ୍ମିଲେ ଦକ୍ଷ ବେଦବର ॥ ୪୨
ଯାହାର ପ୍ରଜାର ସର୍ଜନେ । ପ୍ରଜା ପୂରିଲେ ତ୍ରିଭୁବନେ ॥ ୪୩
ଏମନ୍ତେ ଦକ୍ଷପ୍ରଜାପତି । ସର୍ଜିଲେ ସର୍ବଭୂତସ୍ଥିତି ॥ ୪୪
ମାନସେ ବୀଜେ ଅବା ଯାହା । ସର୍ଜିଲେ ଶୁଣ କହୁଁ ତାହା ॥ ୪୫
ପ୍ରଥମେ ମନୁଁ କଲା ଜାତ । ସେ ପ୍ରଜାପତି ଲୋକନାଥ ॥ ୪୬
ଦେବ ଅସୁର ନର ଆଦି । ଆକାଶ ଜଳ ସ୍ଥଳ ସିଦ୍ଧି ॥ ୪୭
ପ୍ରଜା ଅବୃଦ୍ଧି ଦେଖି ଦକ୍ଷ । ମନରେ କଲେ ଅତି ଦୁଃଖ ॥ ୪୮
ବିନ୍ଧ୍ୟପର୍ବତକୁ ସେ ଯାଇ । ତପ ଆରମ୍ଭକଲେ ତହିଁ ॥ ୪୯
ତକ୍ଷଣେ କରି ଆଚମନ । ଯେ ତୀର୍ଥ ଅଘମରଷଣ ॥ ୫୦
ଯାହାର ଜଳ ସ୍ପରଶରେ । ସକଳ ପାପ ଯାଇ ଦୂରେ ॥ ୫୧
ତହିଁ ବସିଲେ ତପ କରି । ତୋଷିଲେ ପ୍ରଭୁ ନରହରି ॥ ୫୨
ଏହି ସ୍ତବରେ କଲେ ସ୍ତୁତି । ଯେଣେ ପ୍ରସନ୍ନ ଶିରୀପତି ॥ ୫୩
ପ୍ରଜାପତି ଉବାଚ
ନମସ୍ତେ ପ୍ରଭୁ ଆଦି ଧାତା । ଜୀବ-ମାୟା ଯେ ନିୟନ୍ତା ॥ ୫୪
ଅଦୃଷ୍ଟ ଯାହାର ମହିମା । ଗୁଣ-ବୁଦ୍ଧିରେ ନୋହେ ସୀମା ॥ ୫୫
ଯାହାର ଆଜ୍ଞାରେ ଜଗତ । ନମସ୍ତେ ପ୍ରଭୁ ଆଦିଭୂତ ॥ ୫୬
ଯାହାର ସଖା ଅଟେ ଜୀବ । ନ ଜାଣେ ତାହାର ପ୍ରଭାବ ॥ ୫୭
ଏ ଦେହେ ସମାନ ବସଇ । ତଥାପି ଜୀବ ନ ଜାଣଇ ॥ ୫୮
ସଂସାରେ ଅଛି ପୂର୍ଣ୍ଣ ହୋଇ । ଯାହାର ଶତ୍ରୁ-ମିତ୍ର ନାହିଁ ॥ ୫୯
ଯାର ଚରିତ ଅସମ୍ଭବ । ନମସ୍ତେ ପ୍ରଭୁ ସ୍ୱୟମ୍ଭୁବ ॥ ୬୦
ପ୍ରକାଶ ଇନ୍ଦ୍ରିୟ ଗଣର । ଯେହ୍ନେ ବିଷୟ ଅଗୋଚର ॥ ୬୧
ଗୁଣର ଗୁଣ ପ୍ରାୟେ ହୋଇ । ସେ ମହେଶ୍ୱରଙ୍କୁ ନମଇଁ ॥ ୬୨
ଦେହ ଇନ୍ଦ୍ରିୟ ପ୍ରାଣ ମନ । ଯେ ଭୂତ ମାତ୍ରାଦି ପଞ୍ଚମ ॥ ୬୩
ଏମାନେ ନିଜ ସ୍ୱରୂପକୁ । ନ ଜାଣେ କେହି ଯେ କାହାକୁ ॥ ୬୪
ଜୀବ ଯେ ଏ ସର୍ବ ଜାଣଇ । ସେ ଜୀବ ଯାକୁ ନ ଜାଣଇ ॥ ୬୫
ସର୍ବଜ୍ଞ ଅନନ୍ତ ଅଟଇ । ତାହାଙ୍କୁ ଦଣ୍ଡବତ ମୁହିଁ ॥ ୬୬
ଯାହାର ଗୁଣ ଏ ସଂସାରେ । ଶ୍ରୁତି ସ୍ମୃତିରେ ଅଗୋଚରେ ॥ ୬୭
ସକଳ ଭୂତରେ ଯେ ଥାଇ । ତାହାକୁ କେହି ନ ଜାଣଇ ॥ ୬୮
ସମାଧିଯୋଗେ ଦୃଷ୍ଟି ସ୍ମୃତି । ବିନାଶେ ଯେ ହୋଏ ପ୍ରତୀତି ॥ ୬୯
କେବଳ ସ୍ୱରୂପ-ଜ୍ଞାନରେ । ଅଶେଷ ଘଟେ ଯେହୁ ପୂରେ ॥ ୭୦
ଯେ ହଂସ ଶୁଦ୍ଧଚିତ୍ତ ଘର । ତାହାଙ୍କୁ ମୋର ନମସ୍କାର ॥ ୭୧
ହୃଦପଦ୍ମରେ ଯାକୁ ଧରି । ପଣ୍ଡିତେ ତପକୁ ଆଚରି ॥ ୭୨
ସର୍ବବିଷୟା ମାୟା ଯାର । ନିଃଶେଷମୋକ୍ଷ ସୁଖଘର ॥ ୭୩
ସର୍ବସ୍ୱରୂପ ସର୍ବନାମ । ସକଳ ଯାହାର ଭିଆଣ ॥ ୭୪
ସେ ପ୍ରଭୁ ହୁଅନ୍ତୁ ପ୍ରସନ୍ନ । ସର୍ବ କାରଣ ଭଗବାନ ॥ ୭୫
ଭଜନ କରନ୍ତି ଯେ ଜନେ । ବୁଦ୍ଧି ଇନ୍ଦ୍ରିୟର ବଚନେ ॥ ୭୬
ଯେ ପ୍ରଭୁ ଏଥୁଁ ଅଗୋଚର । ତାହାଙ୍କୁ ମୋର ନମସ୍କାର ॥ ୭୭
ଯାହା ଠାବରେ ଯାହା ତହୁଁ । ଯେ ସର୍ବରୂପ ଏକ ଦେହୁ ॥ ୭୮
ସେ କାର୍ଯ୍ୟ କରାଇ କରଇ । ତାହାର ତହୁଁ ଆନ ନାହିଁ ॥ ୭୯
ପରମ ପରେ ଯେହୁ ପର । ଆଦ୍ୟହୁଁ ସିଦ୍ଧ ଯେ ଈଶ୍ୱର ॥ ୮୦
ଏମନ୍ତ ଯେହୁ ପରଂବ୍ରହ୍ମ । ତାହାଙ୍କୁ ନମସ୍କାର ମମ ॥ ୮୧
ନିଜ ଶକ୍ତିମାନେ ଯାହାର । ବକତାବାଦୀମାନଙ୍କର ॥ ୮୨
ବିବାଦ-ବିସମ୍ବାଦେ କରି । ପ୍ରାଣୀମାନଙ୍କ ଚିତ୍ତହରି ॥ ୮୩
ଏମନ୍ତ ଅନନ୍ତ ଯା ଗୁଣ । ନମଇଁ ତାହାର ଚରଣ ॥ ୮୪
ସଂସାରେ ଅସ୍ତି ନାସ୍ତି ଯେତେ । ବସ୍ତୁର ନିଷ୍ଠା ଏହିମତେ ॥ ୮୫
ସାଂଖ୍ୟଯୋଗରେ ପ୍ରବର୍ତ୍ତିତ । ସେ ସମ ଅଳପ ବହୁତ ॥ ୮୬
ଭିନ୍ନ ବିରୁଦ୍ଧ-ଧର୍ମ ସେହି । ତା ବିନୁ ଆନ କେହି ନାହିଁ ॥ ୮୭
ପଦ୍ମପାଦରେ ଯେ ଭଜଇ । ତାହାର ଅନୁଗ୍ରହ ପାଇ ॥ ୮୮
ଜନ୍ମଇ ନାମ-ରୂପ ଧରି । ଶରୀର ବହଇ ଯେ ହରି ॥ ୮୯
ସେ ପ୍ରଭୁ ହୁଅନ୍ତୁ ପ୍ରସନ୍ନ । ସର୍ବକାରଣ ଭଗବାନ ॥ ୯୦
ସ୍ୱକୃତଜ୍ଞାନ ପଥେ କରି । ସେ ପ୍ରଭୁ ସର୍ବଘଟେ ପୂରି ॥ ୯୧
ଶୋଭା ପାଉଛି ଅନୁକ୍ଷଣ । ଅଖିଳ-ପ୍ରାଣ-ନାରାୟଣ ॥ ୯୨
ପୃଥିବୀଗୁଣକୁ ବସାଇ । ଅନିଳ ଯେସନେ ବହଇ ॥ ୯୩
ସେ ପ୍ରଭୁ ମହିମା ଏମନ୍ତ । ପୂର୍ଣ୍ଣ-ମୋ କରୁ ମନୋରଥ ॥ ୯୪
ଶୁକ ଉବାଚ
ଏମନ୍ତେ ଦକ୍ଷ-ସ୍ତୁତି ଶୁଣି । ପ୍ରସନ୍ନ ହେଲେ ଚକ୍ରପାଣି ॥ ୯୫
ତକ୍ଷଣେ ଅଘମରଷଣ । ଆସି ମିଳିଲେ ନାରାୟଣ ॥ ୯୬
ଶୁଣ ହେ କୁରୁ ନୃପବର । ଭକ୍ତବତ୍ସଳ ଚକ୍ରଧର ॥ ୯୭
ଆରୋହି ଯାନ ଖଗରାଜ । ଲମ୍ବ ସୁନ୍ଦର ଅଷ୍ଟଭୁଜ ॥ ୯୮
ଶଙ୍ଖ ଚକ୍ର ଚର୍ମ ଖଡଗ । ଗଦା ଅସି ପାଶ ଶାରଙ୍ଗ ॥ ୯୯
ଧରିଣଛନ୍ତି ଅଷ୍ଟକର । ଅଦ୍ଭୂତ ରୂପ ମନୋହର ॥ ୧୦୦
ପୀତବସନ ଘନଶ୍ୟାମ । ବଦନ ଇକ୍ଷଣ ପ୍ରସନ୍ନ ॥ ୧୦୧
ନିବିଡଅଙ୍ଗେ ବନମାଳ । ଶୋଭିତ ମକରକୁଣ୍ଡଳ ॥ ୧୦୨
ଶ୍ରୀବତ୍ସ କଉସ୍ତୁଭ ସାଜେ । କିରୀଟ କଙ୍କଣ ବିରାଜେ ॥ ୧୦୩
କାଞ୍ଚି ଅଙ୍ଗଦ ରତ୍ନମୁଦି । ବଳୟ ନୂପୁର ପ୍ରସିଦ୍ଧି ॥ ୧୦୪
ରୂପ ତ୍ରୈଲୋକ୍ୟ ମନୋହର । ଧରିଣ ବ୍ରହ୍ମାଣ୍ଡଠାକୁର ॥ ୧୦୫
ନନ୍ଦ-ସୁନନ୍ଦ ଆଦି ଯେତେ । ବେଷ୍ଟିତ ହୋଇଣ ସମସ୍ତେ ॥ ୧୦୬
ବିଷ୍ଣୁଙ୍କୁ କରନ୍ତି ଭଜନ । ସିଦ୍ଧ ଗନ୍ଧର୍ବ ଯେ ଚାରଣ ॥ ୧୦୭
ଅତି ଅଦ୍ଭୁତ ରୂପ ହରି । ଦକ୍ଷ ଦେଖିଣ ଭୟ କରି ॥ ୧୦୮
ନମିଲେ ଦଣ୍ଡବତ ହୋଇ । ଆନନ୍ଦ କେ ପାରିବ କହି ॥ ୧୦୯
ହରଷେ ବିହ୍ୱଳିତ ମନ । ମୁଖରୁ ନ ସ୍ଫୁରେ ବଚନ ॥ ୧୧୦
ଇନ୍ଦ୍ରିୟଙ୍କରେ ପୂର୍ଣ୍ଣମନେ । ନିର୍ଝର ହ୍ରାଦିନୀ ଯେସନ ॥ ୧୧୧
ମୋର ଭକତ ପ୍ରଜାକାମ । ଏମନ୍ତ ଜାଣି ଭଗବାନ ॥ ୧୧୨
ସକଳପ୍ରାଣୀଙ୍କର ମନ । ଜାଣନ୍ତି ପ୍ରଭୁ ନାରାୟଣ ॥ ୧୧୩
ପ୍ରଜାପତିଙ୍କି ଚାହିଁ ହରି । କିଛି ବୋଇଲେ ଦୟାକରି ॥ ୧୧୪
ଭଗବାନ ଉବାଚ
ହେ ପ୍ରଜାପତି ମହାଭାଗ । ତୁମ୍ଭରେ ମୋର ଅନୁରାଗ ॥ ୧୧୫
ଯେଣୁ ଭକତି ଦୃଢ଼ମନେ । ଭଜିଲ ମୋହର ଚରଣେ ॥ ୧୧୬
ତୋହର ତପେ ପ୍ରଜାନାଥ । ପ୍ରସନ୍ନେ ହେଲୁ ଉପଗତ ॥ ୧୧୭
ଯେଣୁ ତୋ ତପ ଜନହିତ । ପ୍ରସନ୍ନ ହେଲୁ ପ୍ରଜାନାଥ ॥ ୧୧୮
ଭକ୍ତମାନଙ୍କର ସନ୍ତତି । ନିରତେ ମନେ ମୁହିଁ ଚିନ୍ତି ॥ ୧୧୯
ବ୍ରହ୍ମା ଶଙ୍କର ମନୁବର । ତୁମ୍ଭେ ଇନ୍ଦ୍ରାଦି ଦେବବର ॥ ୧୨୦
ଉଦ୍ଭବ ପ୍ରାଣୀମାନଙ୍କର । ତୁମ୍ଭେ ଯେ ବିଭୂତି ମୋହର ॥ ୧୨୧
ତପସ୍ୟା ମୋହର ହୃଦୟ । ବେଦ-ବେଦାଙ୍ଗ ମୋର ଦେହ ॥ ୧୨୨
କ୍ରିୟା ଆକୃତି ମୋର ଜାଣ । ଯଜ୍ଞ ମୋହର ଅଙ୍ଗମାନ ॥ ୧୨୩
ମୋହର ଆତ୍ମା ଧର୍ମ ଜାଣ । ଦେବତାମାନେ ମୋର ପ୍ରାଣ ॥ ୧୨୪
ବାହ୍ୟଅନ୍ତରେ ମୁହିଁ ଥାଇ । ସକଳ ଆଦିଭୂତ ମୁହିଁ ॥ ୧୨୫
ସଂସାରେ ସର୍ବରୂପ ହୋଇ । ଅବ୍ୟକ୍ତ ରୂପେ ମୁହିଁ ଥାଇ ॥ ୧୨୬
ନାମରେ ଅବଶେଷ ହୋଇ । ମୋ ତହୁୁଁ ଅନ୍ୟ କେହିନାହିଁ ॥ ୧୨୭
ଅନନ୍ତଗୁଣେ ମୁଁ ଅନନ୍ତ । ମୋର ଗୁଣରୁ ସର୍ବେ ଜାତ ॥ ୧୨୮
ଗୁଣ-ଶରୀରକୁ ଧଇଲେ । ସ୍ୱୟମ୍ଭୁ ଦେହକୁ ପାଇଲେ ॥ ୧୨୯
ସ୍ୱୟମ୍ଭୁ ସୃଜନେ ସଂସାର । ନ ଦେଖି ସମର୍ଥ ଆତ୍ମାର ॥ ୧୩୦
ସୃଷ୍ଟି କରିବା ଚିତ୍ତେ ଧରି । ଉଦ୍ୟମ କଲେ ସେ ବିଚାରି ॥ ୧୩୧
ବୋଇଲୁ ଆମ୍ଭ ବାକ୍ୟ କର । ଘୋର-ତପସ୍ୟାକୁ ଆଚର ॥ ୧୩୨
ସୃଷ୍ଟିକରତା ତୁମ୍ଭେ କାହିଁ । ତପର ବଳେ ସୃଷ୍ଟି ହୋଇ ॥ ୧୩୩
ପଞ୍ଚଜନର ଏ କୁମାରୀ । ଅସିକ୍ନୀ ନାମେ ଯେ ସୁନ୍ଦରୀ ॥ ୧୩୪
ଏହାକୁ ପତ୍ନୀଭାବେ ତୋର । ଗ୍ରହଣ କରି ସୃଷ୍ଟିକର ॥ ୧୩୫
ମୈଥୁନେ ହେବ ବଡ଼ ଶୋଭା । ଆନନ୍ଦେ ହୁଅ ଶୁଭେ ବିଭା ॥ ୧୩୬
ତୁମ୍ଭର ଠାରୁ ପ୍ରଜାଯେତେ । ମୈଥୁନେ ହୋଇବେ ଜଗତେ ॥ ୧୩୭
ମୋର ମାୟାରେ ମୋହିହେବେ । ହରଷେ ସଂସାର କରିବେ ॥ ୧୩୮
ଶୁକ ଉବାଚ
ଏତେକ କହି ଭଗବାନ । ଅଖିଳ-ସଂସାର-କାରଣ ॥ ୧୩୯
ସ୍ୱପ୍ନେ କହିଲା ପ୍ରାୟ କରି । ଅନ୍ତର ହୋଇଲେ ମୁରାରି ॥ ୧୪୦
ଏ ଦକ୍ଷପ୍ରଜାପତି କଥା । କଳ୍ପଭେଦର ଯେ ବ୍ୟବସ୍ଥା ॥ ୧୪୧
ବୋଲଇ ଦାସ ଜଗନ୍ନାଥ । ଶ୍ରୀକୃଷ୍ଣଚରିତ ଅମୃତ ॥ ୧୪୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ଚତୁର୍ଥୋଽଧ୍ୟାୟଃ ॥
* * *