ଷଷ୍ଠ ସ୍କନ୍ଧ
ତୃତୀୟ ଅଧ୍ୟାୟ
ଶୁକ ଚରଣେ ଦେଇ କର । ବୋଲେ ପରୀକ୍ଷ ନୃପବର ॥ ୧
ପରୀକ୍ଷିତ ଉବାଚ
ଆପଣା ଦୂତ ବାକ୍ୟ ଶୁଣି । କି ବା ବୋଇଲେ ଦଣ୍ଡପାଣି ॥ ୨
ଯମରାଜାର ଆଜ୍ଞାହତ । ଯେଣୁ ହୋଇଲା ବିପରୀତ ॥ ୩
ବିଷ୍ଣୁଦୂତରେ ଯମଦୂତ । ଯେଣୁ ହୋଇଲେ ପରାଜିତ ॥ ୪
ଯାହାର ବଶ ସର୍ବଜନେ । ଏ ତ ବିଚିତ୍ର ମୋର ମନେ ॥ ୫
ଯମଦଣ୍ଡର ଭଗ୍ନ କାହିଁ । ପୂର୍ବେ ଶୁଣିଲା କେହି ନାହିଁ ॥ ୬
ଏବେ ମୁଁ ଶୁଣିଲି ଅଦ୍ଭୁତ । ଭୋ ମୁନି କହିବା ତଦନ୍ତ ॥ ୭
ତୁମ୍ଭର ତହୁଁ ଅନ୍ୟ କେହୁ । ସଂଶୟ ଛେଦିବ ମୋ ତହୁଁ ॥ ୮
ଶୁକ ଉବାଚ
ବିଷ୍ଣୁଦୂତରେ ଯମଦୂତ । ଯେଣୁ ହୋଇଲେ ପରାଜିତ ॥ ୯
ଯମର ଛାମୁରେ ମିଳିଲେ । ସକଳ ବାରତ କହିଲେ ॥ ୧୦
ଯମଦୂତଉବାଚ
ସଂସାରେ ଜନ୍ତୁ ଛନ୍ତି ଯେତେ । ଏହାଙ୍କ ଶାସ୍ତି ଅବା କେତେ ॥ ୧୧
ତ୍ରିବିଧକର୍ମ ଯେ କରନ୍ତି । କା ତହୁଁ ସେ ଫଳ ଭୁଞ୍ଜନ୍ତି ॥ ୧୨
ଯେବେ ଏ ଅଖିଳଲୋକର । ଦଣ୍ଡର କରତା ଅପାର ॥ ୧୩
କାହାର ମୃତ୍ୟୁ ଅବା କାହିଁ । ଅମୃତ ଅଛି ଅବା ନାହିଁ ॥ ୧୪
କର୍ମର ବଶ ହୋଇ ଜନ୍ତୁ । ଶାସ୍ତି ଲଭନ୍ତି କର୍ମ-ହେତୁ ॥ ୧୫
ତେଣୁ ଏ ଶାସ୍ତା ଏକଜଣ । ଯେହ୍ନେ ଦୁଷ୍ଟଶାସ୍ତା ରାଜନ ॥ ୧୬
ଏଣୁ ଅଶେଷ-ଜନ୍ତୁଙ୍କର । ତୁମ୍ଭେ ଯେ ଶାସ୍ତା ଦଣ୍ଡଧର ॥ ୧୭
ଈଶ୍ୱରମାନଙ୍କ ଈଶ୍ୱର । ଶୁଭ-ଅଶୁଭର ଠାକୁର ॥ ୧୮
ତୁମ୍ଭର ଦଣ୍ଡ ଏବେ ନାହିଁ । ପାପିଷ୍ଠଜନଙ୍କର ତହିଁ ॥ ୧୯
ଅଦ୍ଭୁତ-ସିଦ୍ଧ ଚାରିଜଣ । ତୁମ୍ଭଙ୍କୁ କଲେ ଅବଜ୍ଞାନ ॥ ୨୦
ତୁମ୍ଭ ଆଦେଶ ଘେନି ଶିରେ । ଆମ୍ଭେ ଆଣୁଥିଲୁ ପାପୀରେ ॥ ୨୧
ଯାତନାଗୃହକୁ ଆଣନ୍ତେ । ମୋଚନ କରିଣ ତୁରିତେ ॥ ୨୨
ପାଶକୁ ଛେଦିଲେ ପ୍ରତ୍ୟକ୍ଷେ । ସେ ସିଦ୍ଧେ ଗଲେ ଅନ୍ତରୀକ୍ଷେ ॥ ୨୩
ଆଣନ୍ତେ ସେ ପାପୀ ବ୍ରାହ୍ମଣ । ଆସି ମିଳିଲେ ସିଦ୍ଧଗଣ ॥ ୨୪
ତାହାର ପୁତ୍ର ନାରାୟଣ । ଡାକିଲା ତା ନାମ ଧରିଣ ॥ ୨୫
ଆମ୍ଭର ରୂପକୁ ଡରିଲା । ତେଣୁ ତା ବାଳକେ ଡାକିଲା ॥ ୨୬
ବୋଇଲେ ସର୍ବପାପ ଗଲା । ଯେଣୁ ଏ ନାମ ଉଚ୍ଚାରିଲା ॥ ୨୭
ତାହାଙ୍କୁ ଭୟମାନ ପାଇ । ଛାଡି ଯେ ଦେଲୁ ଦଣ୍ଡସାଇଁ ॥ ୨୮
ଶୁଣିବା କ୍ଷମ ହେଉଁ ଯେବେ । ଏ କଥା କହ ପ୍ରଭୁ ତେବେ ॥ ୨୯
ଯେ କ୍ଷଣେ ସେ ପାପୀ ଦୁର୍ଜନ । ଉଚ୍ଚାର କଲା ନାରାୟଣ ॥ ୩୦
ତକ୍ଷଣେ ଆସି ସେ ମିଳିଲେ । ଭୟ ନ କର ହୋ ବୋଇଲେ ॥ ୩୧
ଶୁକ ଉବାଚ
ଦୂତଙ୍କ ବାକ୍ୟ ଶୁଣି ଯମ । ଆନନ୍ଦେ ହରଷବଦନ ॥ ୩୨
ଶ୍ରୀକୃଷ୍ଣ-ଅଭୟଚରଣ । ତକ୍ଷଣେ କରି ସୁମରଣ ॥ ୩୩
ଅତ୍ୟନ୍ତ ପ୍ରୀତ ହୋଇ ମନେ । ବୋଲନ୍ତି ଶୁଣ ଭୃତ୍ୟଗଣେ ॥ ୩୪
ଯମ ଉବାଚ
ମୋ ତହୁଁ ଅନ୍ୟ ଶ୍ରେଷ୍ଠ ପୁଣ । ଜଗତ ଯାହାର ଭିଆଣ ॥ ୩୫
କାର୍ପାସୁ ଯେହ୍ନେ ବସ୍ତ୍ର ହୋଇ । ବିଶ୍ୱ ତେମନ୍ତ ତାର ତହିଁ ॥ ୩୬
ଯାହାଙ୍କ ଅଂଶରୁ ଜଗତ । ଜନ୍ମ ପାଳନ ପୁଣି ହତ ॥ ୩୭
ଯାହାର ନାମ-ତତ୍ତ୍ବଗୁଣ । ବନ୍ଧନ କରେ ପ୍ରାଣୀମନ ॥ ୩୮
ରଜ୍ଜୁରେ ଯେହ୍ନେ ଗୋରୁ ଥାଇ । କେଣିକି ନ ପାରଇ ଯାଇ ॥ ୩୯
ନିୟମ-ଡ଼ୋରେ ତାହାଙ୍କର । ବନ୍ଧା ହୋଇଛି ଚରାବର ॥ ୪୦
ନାନା କର୍ମରେ ବନ୍ଧା ହୋଇ । ଜଗତ ଯାହାକୁ ସେବଇ ॥ ୪୧
ମୁହିଁ ମହେନ୍ଦ୍ର ନଈଋତି । ବରୁଣ ଆଦି ଦିଗପତି ॥ ୪୨
ସୋମ ଅନଳ ମହେଶ୍ୱର । ପବନ ବ୍ରହ୍ମା ଦିବାକର ॥ ୪୩
ବିଶ୍ୱେଦେବା ଯେ ବସୁ ଯେତେ । ରୁଦ୍ର ମରୁଦ୍ଗଣ ସହିତେ ॥ ୪୪
ସିଦ୍ଧ କିନ୍ନର ସାଧ୍ୟ କରି । ସଂସାରେ ଯେତେ ଅଧିକାରୀ ॥ ୪୫
ସଂସାରକର୍ତ୍ତା ଆଉ ଯେତେ । ଭୃଗୁ ଆଦି ଋଷି ସହିତେ ॥ ୪୬
ଏ ଆଦି ଯେତେକ କହିଲୁଁ । ତାହାର ମାୟା ନ ଜାଣିଲୁଁ ॥ ୪୭
କେ ବା ଜାଣିବ ତା ମହିମା । ପ୍ରଭୁର ନାମ ଗୁଣ ସୀମା ॥ ୪୮
ଇନ୍ଦ୍ରି ହୃଦୟ ବାକ୍ୟ ମନେ । ଯାହାକୁ ନ ଜାଣନ୍ତି ଜନେ ॥ ୪୯
ସର୍ବ ଶରୀରେ ଆତ୍ମାରୂପ । ଯେ ଇନ୍ଦ୍ରିୟଙ୍କର ଅଧିପ ॥ ୫୦
ସେ ପ୍ରଭୁ ଆତ୍ମାତନ୍ତ୍ରେ ଥାଇ । ସଂସାର ଚେଷ୍ଟା ସେ କରଇ ॥ ୫୧
ତାହାର ଦୂତଗଣେ କରି । ତାହାର ରୂପ-ଗୁଣ ଧରି ॥ ୫୨
ସଂସରେ ନିର୍ଭୟେ ବିହରେ । ହେଳେ ଅଶେଷ ପ୍ରାଣୀ ତାରେ ॥ ୫୩
ଦେବେ ପୂଜିତ ତେଜଯୁକ୍ତ । ଅଦି ଅଦ୍ଭୁତ ବିଷ୍ଣୁଦୂତ ॥ ୫୪
ଭକ୍ତିମନ୍ତ ପ୍ରାଣୀମାନଙ୍କୁ । ଶତ୍ରୁ ସକାଶରୁ ତାହାଙ୍କୁ ॥ ୫୫
ଆମ୍ଭଭୟରୁ ସେ ରଖନ୍ତି । ସର୍ବତ୍ର ସ୍ଥାନେ ବିରାଜନ୍ତି ॥ ୫୬
ବିଷ୍ଣୁ ବିଷୟେ ଯେଉଁ ଧର୍ମ । ଅଜ୍ଞାତ ଦେବ ଋଷିଗଣ ॥ ୫୭
ସିଦ୍ଧ ଅସୁର ଯେ ଚାରଣ । ମନୁଷ୍ୟ ବିଦ୍ୟାଧରମାନ ॥ ୫୮
ଏ ସର୍ବେ ଜାଣିବେ କେମନ୍ତ । ଯାହାର ମହିମା ଅନନ୍ତ ॥ ୫୯
ସ୍ୱୟମ୍ଭୁ ନାରଦ କୁମାର । ଶିବ କପିଳ ମନୁବର ॥ ୬୦
ପ୍ରହଲ୍ଲାଦ ଭୀଷ୍ମ ଜନକ । ମୁହିଁ ଦ୍ୱାଦଶ ବଳି ଶୁକ ॥ ୬୧
ହେ ଦୂତେ ଶୁଣ ମୋର ବାଣୀ । ବିଷ୍ଣୁ ଭକତି ଏତେ ଜାଣି ॥ ୬୨
ଗୁପତ ବିଶୁଦ୍ଧ ଦୁର୍ବୋଧ୍ୟ । ଯେ ଧର୍ମ ଜାଣି ମୃତ୍ୟୁ ଛେଦ ॥ ୬୩
କୃଷ୍ଣଚରଣେ ଯାର ମନ । ସଂସାରେ ଶ୍ରେଷ୍ଠ ସେହୁ ଜନ ॥ ୬୪
ନାମ ଉଚ୍ଚାରନ୍ତି ଯେ ବାରେ । ଶ୍ରୀକୃଷ୍ଣଭକ୍ତ ବୋଲି ତାରେ ॥ ୬୫
ଭାଗବତ ଯେ ବିଷ୍ଣୁବାଣୀ । ପରମଧର୍ମ ପରିମାଣି ॥ ୬୬
ହେ ଦୂତେ ଗୋବିନ୍ଦର ନାମ । ମହିମା ଦେଖ ଉଚ୍ଚାରିଣ ॥ ୬୭
ଅଜାମିଳହିଁ ଯେ ନାମରୁ । ମୁକ୍ତ ହେଲା ମୃତ୍ୟୁ ପାଶରୁ ॥ ୬୮
ଏ ତ ଅକର୍ମ କରୁଥାଇ । କୃଷ୍ଣ ତା ଗତି ନ ଜାଣଇ ॥ ୬୯
ତେଣୁ ପେଷିଲି ଦୂତ ତାରେ । ଏବେ ପଶିଲା ଶ୍ରୀପୟରେ ॥ ୭୦
ତୁମ୍ଭଙ୍କୁ ଦେଖି ଭୟ କଲା । ନାରାୟଣ ବୋଲି ବୋଇଲା ॥ ୭୧
ତକ୍ଷଣେ ସର୍ବପାପ ଗଲା । ମୋ ପାଶୁ ମୁକତ ହୋଇଲା ॥ ୭୨
ଯଜ୍ଞାଦି କରି ମୂଢମତି । ନାନା କର୍ମରେ ପ୍ରବର୍ତ୍ତନ୍ତି ॥ ୭୩
ନାମ ମହିମା ନ ଜାଣନ୍ତି । ବିଷ୍ଣୁମାୟାରେ ମୋହି ହୋନ୍ତି ॥ ୭୪
ଶ୍ରୀକୃଷ୍ଣ ନାମ ସଂକୀର୍ତ୍ତନ । ପ୍ରାଣୀଙ୍କ ପାପ ବିମୋଚନ ॥ ୭୫
ଏମନ୍ତେ ଯେ ପ୍ରାଣୀ ପଣ୍ଡିତ । କୃଷ୍ଣ ସୁମରେ ଅବିରତ ॥ ୭୬
ତାହାଙ୍କୁ ମୋର ଦଣ୍ଡ ନାହିଁ । ପାତକ ଯେତେ ତାଙ୍କ ଥାଇ ॥ ୭୭
ସକଳ ପାପ ହୋଏ ଭଙ୍ଗ । ଯେଣୁ ଈଶ୍ୱର ପରସଙ୍ଗ ॥ ୭୮
ସମଦରଶୀ ସାଧୁଜନ । ଯେମାନେ ବିଷ୍ଣୁପରାୟଣ ॥ ୭୯
ଦେବତା ସିଦ୍ଧ ତାହାଙ୍କର । ଯଶ କରନ୍ତି ସୁବିସ୍ତାର ॥ ୮୦
ପରମଈଶ୍ୱର ଗଦାରେ । ରକ୍ଷିତ ହୁଅନ୍ତି ସେନରେ ॥ ୮୧
ତାହାଙ୍କ ଦଣ୍ଡରେ ମୋହର । କେବେହେଁ ନାହିଁ ଅଧିକାର ॥ ୮୨
ମୁକୁନ୍ଦପାଦ-ଅରବିନ୍ଦ । ନିତ୍ୟେ ସ୍ରବଇ ମକରନ୍ଦ ॥ ୮୩
ତହିଁ ବିମୁଖ ଯେଉଁଜନ । ତାହାଙ୍କୁ କରିଣ ବନ୍ଧନ ॥ ୮୪
ଆଣି ତାହାଙ୍କୁ ମୋ ଅଗ୍ରତେ । ଯାତନା ଦେବ ଅବିରତେ ॥ ୮୫
ନିର୍ଲୋଭ ଯେ ପରମହଂସ । ତାହାଙ୍କୁ ନ କରି ଜିଂଘାସ ॥ ୮୬
ଗୃହବନ୍ଧନେ ମନ ଦେଇ । ନିତ୍ୟେ ଅସାଧୁ ସଙ୍ଗେ ଥାଇ ॥ ୮୭
ଜିହ୍ୱାରେ ନ ବୋଲଇ ନାମ । ନ ଚିନ୍ତେ ହରିପାଦପଦ୍ମ ॥ ୮୮
କୃଷ୍ଣର ପାଦେ ଚିତ୍ତ ଦେଇ । କେବେହେଁ ସ୍ତୁତି ନ କରଇ ॥ ୮୯
ବିଷ୍ଣୁର କର୍ମରେ ବର୍ଜିତ । ନିରତେ କୁସଙ୍ଗେ ଆଶ୍ରିତ ॥ ୯୦
ଏମନ୍ତ ଭାବେ ଯେତେ ପ୍ରାଣୀ । ଯାତନା ଦିଅ ତାଙ୍କୁ ଆଣି ॥ ୯୧
ଏମନ୍ତ ଦୂତ ଆଗେ କହି । ଯମ କହନ୍ତି କୃଷ୍ଣଧ୍ୟାୟି ॥ ୯୨
ମୋର ଦୂତଙ୍କ ଅପରାଧ । କ୍ଷମା କରିବା ପଦ୍ମପାଦ ॥ ୯୩
ଶ୍ରୀହରି ପୁରୁଷ ପୁରାଣ । କ୍ଷମା କରନ୍ତୁ ନାରାୟଣ ॥ ୯୪
ପଣ୍ଡିତେ ଯାର ପଦ୍ମପାଦେ । ସେବନ୍ତି ନିତ୍ୟେ ଅପ୍ରମାଦେ ॥ ୯୫
ତାହାଙ୍କୁ ମୋର ନମସ୍କାର । ଏ ଅପରାଧ କ୍ଷମା କର ॥ ୯୬
ଶୁକ ଉବାଚ
ଏଣୁଟି ହରି ସଙ୍କୀର୍ତ୍ତନ । ଜଗତ ମଙ୍ଗଳ କାରଣ ॥ ୯୭
ମହତ ଲୋକମାନଙ୍କର । ଏକାନ୍ତଭକ୍ତି ନୃପବର ॥ ୯୮
ଈଶ୍ୱର ଉଦ୍ଦାମ ଚରିତ । ଶୁଣି ଗାବନ୍ତି ଅବିରତ ॥ ୯୯
ଶ୍ରୀକୃଷ୍ଣ ପାଦପଙ୍କଜରେ । ଯେ ନିତ୍ୟେ ମଧୁପାନ କରେ ॥ ୧୦୦
ଯେ ପ୍ରାଣୀ ମାୟାବନ୍ଧ ମୋହେ । ନ ପଡେ ଯାତନା ସମୂହେ ॥ ୧୦୧
ଯେ ଜନ ଲୋଭମୋହେ ପଡି । ରଜତମରେ ଥାଇ ଜଡ଼ି ॥ ୧୦୨
ତାହାର ପୁନଃପୁନଃ ହୋଇ । ରଜତାମସ ଉପୁଜଇ ॥ ୧୦୩
ଏମନ୍ତ ଯମବାକ୍ୟ ଶୁଣି । ବିଷ୍ଣୁମହିମା ପରିମାଣି ॥ ୧୦୪
ଯମକିଙ୍କର ଭୟଚିତ୍ତ । ବୋଲନ୍ତି ଏ କି ବିପରୀତ ॥ ୧୦୫
ଗୋବିନ୍ଦ ଆଶ୍ରେ ଯେତେ ଜନେ । ତାହାଙ୍କୁ ଭୟକଲେ ମନେ ॥ ୧୦୬
ସେ ଦିନଠାରୁ ହେ ରାଜନ । ଦେଖିଲେ ଭୟେ ହୋନ୍ତି ଛନ୍ନ ॥ ୧୦୭
ମଳୟଗିରିତଟେ ବସି । କୃଷ୍ଣ-ମହିମା ପରଶଂସି ॥ ୧୦୮
କହିଲେ କୁମ୍ଭଜନ୍ମମୁନି । ଗୁପତ ଇତିହାସ ବାଣୀ ॥ ୧୦୯
ସୁଜନେ ଶୁଣି ଚିତ୍ତେ ଧର । ଶ୍ରୀକୃଷ୍ଣନାମ ଆଶ୍ରେ କର ॥ ୧୧୦
ଦାସ ଜଗନ୍ନାଥ ବୋଲଇ । କୃଷ୍ଣମହିମା ଯମ କହି ॥ ୧୧୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ଯମପୁରୁଷ
ସମ୍ବାଦେ ତୃତୀୟୋଽଧ୍ୟାୟଃ ॥
* * *