ଷଷ୍ଠ ସ୍କନ୍ଧ

ତୃତୀୟ ଅଧ୍ୟାୟ

ଶୁକ ଚରଣେ ଦେଇ କର । ବୋଲେ ପରୀକ୍ଷ ନୃପବର ॥

ପରୀକ୍ଷିତ ଉବାଚ

ଆପଣା ଦୂତ ବାକ୍ୟ ଶୁଣି । କି ବା ବୋଇଲେ ଦଣ୍ଡପାଣି ॥

ଯମରାଜାର ଆଜ୍ଞାହତ । ଯେଣୁ ହୋଇଲା ବିପରୀତ ॥

ବିଷ୍ଣୁଦୂତରେ ଯମଦୂତ । ଯେଣୁ ହୋଇଲେ ପରାଜିତ ॥

ଯାହାର ବଶ ସର୍ବଜନେ । ଏ ତ ବିଚିତ୍ର ମୋର ମନେ ॥

ଯମଦଣ୍ଡର ଭଗ୍ନ କାହିଁ । ପୂର୍ବେ ଶୁଣିଲା କେହି ନାହିଁ ॥

ଏବେ ମୁଁ ଶୁଣିଲି ଅଦ୍‌ଭୁତ । ଭୋ ମୁନି କହିବା ତଦନ୍ତ ॥

ତୁମ୍ଭର ତହୁଁ ଅନ୍ୟ କେହୁ । ସଂଶୟ ଛେଦିବ ମୋ ତହୁଁ ॥

ଶୁକ ଉବାଚ

ବିଷ୍ଣୁଦୂତରେ ଯମଦୂତ । ଯେଣୁ ହୋଇଲେ ପରାଜିତ ॥

ଯମର ଛାମୁରେ ମିଳିଲେ । ସକଳ ବାରତ କହିଲେ ॥ ୧୦

ଯମଦୂତଉବାଚ

ସଂସାରେ ଜନ୍ତୁ ଛନ୍ତି ଯେତେ । ଏହାଙ୍କ ଶାସ୍ତି ଅବା କେତେ ॥ ୧୧

ତ୍ରିବିଧକର୍ମ ଯେ କରନ୍ତି । କା ତହୁଁ ସେ ଫଳ ଭୁଞ୍ଜନ୍ତି ॥ ୧୨

ଯେବେ ଏ ଅଖିଳଲୋକର । ଦଣ୍ଡର କରତା ଅପାର ॥ ୧୩

କାହାର ମୃତ୍ୟୁ ଅବା କାହିଁ । ଅମୃତ ଅଛି ଅବା ନାହିଁ ॥ ୧୪

କର୍ମର ବଶ ହୋଇ ଜନ୍ତୁ । ଶାସ୍ତି ଲଭନ୍ତି କର୍ମ-ହେତୁ ॥ ୧୫

ତେଣୁ ଏ ଶାସ୍ତା ଏକଜଣ । ଯେହ୍ନେ ଦୁଷ୍ଟଶାସ୍ତା ରାଜନ ॥ ୧୬

ଏଣୁ ଅଶେଷ-ଜନ୍ତୁଙ୍କର । ତୁମ୍ଭେ ଯେ ଶାସ୍ତା ଦଣ୍ଡଧର ॥ ୧୭

ଈଶ୍ୱରମାନଙ୍କ ଈଶ୍ୱର । ଶୁଭ-ଅଶୁଭର ଠାକୁର ॥ ୧୮

ତୁମ୍ଭର ଦଣ୍ଡ ଏବେ ନାହିଁ । ପାପିଷ୍ଠଜନଙ୍କର ତହିଁ ॥ ୧୯

ଅଦ୍ଭୁତ-ସିଦ୍ଧ ଚାରିଜଣ । ତୁମ୍ଭଙ୍କୁ କଲେ ଅବଜ୍ଞାନ ॥ ୨୦

ତୁମ୍ଭ ଆଦେଶ ଘେନି ଶିରେ । ଆମ୍ଭେ ଆଣୁଥିଲୁ ପାପୀରେ ॥ ୨୧

ଯାତନାଗୃହକୁ ଆଣନ୍ତେ । ମୋଚନ କରିଣ ତୁରିତେ ॥ ୨୨

ପାଶକୁ ଛେଦିଲେ ପ୍ରତ୍ୟକ୍ଷେ । ସେ ସିଦ୍ଧେ ଗଲେ ଅନ୍ତରୀକ୍ଷେ ॥ ୨୩

ଆଣନ୍ତେ ସେ ପାପୀ ବ୍ରାହ୍ମଣ । ଆସି ମିଳିଲେ ସିଦ୍ଧଗଣ ॥ ୨୪

ତାହାର ପୁତ୍ର ନାରାୟଣ । ଡାକିଲା ତା ନାମ ଧରିଣ ॥ ୨୫

ଆମ୍ଭର ରୂପକୁ ଡରିଲା । ତେଣୁ ତା ବାଳକେ ଡାକିଲା ॥ ୨୬

ବୋଇଲେ ସର୍ବପାପ ଗଲା । ଯେଣୁ ଏ ନାମ ଉଚ୍ଚାରିଲା ॥ ୨୭

ତାହାଙ୍କୁ ଭୟମାନ ପାଇ । ଛାଡି ଯେ ଦେଲୁ ଦଣ୍ଡସାଇଁ ॥ ୨୮

ଶୁଣିବା କ୍ଷମ ହେଉଁ ଯେବେ । ଏ କଥା କହ ପ୍ରଭୁ ତେବେ ॥ ୨୯

ଯେ କ୍ଷଣେ ସେ ପାପୀ ଦୁର୍ଜନ । ଉଚ୍ଚାର କଲା ନାରାୟଣ ॥ ୩୦

ତକ୍ଷଣେ ଆସି ସେ ମିଳିଲେ । ଭୟ ନ କର ହୋ ବୋଇଲେ ॥ ୩୧

ଶୁକ ଉବାଚ

ଦୂତଙ୍କ ବାକ୍ୟ ଶୁଣି ଯମ । ଆନନ୍ଦେ ହରଷବଦନ ॥ ୩୨

ଶ୍ରୀକୃଷ୍ଣ-ଅଭୟଚରଣ । ତକ୍ଷଣେ କରି ସୁମରଣ ॥ ୩୩

ଅତ୍ୟନ୍ତ ପ୍ରୀତ ହୋଇ ମନେ । ବୋଲନ୍ତି ଶୁଣ ଭୃତ୍ୟଗଣେ ॥ ୩୪

ଯମ ଉବାଚ

ମୋ ତହୁଁ ଅନ୍ୟ ଶ୍ରେଷ୍ଠ ପୁଣ । ଜଗତ ଯାହାର ଭିଆଣ ॥ ୩୫

କାର୍ପାସୁ ଯେହ୍ନେ ବସ୍ତ୍ର ହୋଇ । ବିଶ୍ୱ ତେମନ୍ତ ତାର ତହିଁ ॥ ୩୬

ଯାହାଙ୍କ ଅଂଶରୁ ଜଗତ । ଜନ୍ମ ପାଳନ ପୁଣି ହତ ॥ ୩୭

ଯାହାର ନାମ-ତତ୍ତ୍ବଗୁଣ । ବନ୍ଧନ କରେ ପ୍ରାଣୀମନ ॥ ୩୮

ରଜ୍ଜୁରେ ଯେହ୍ନେ ଗୋରୁ ଥାଇ । କେଣିକି ନ ପାରଇ ଯାଇ ॥ ୩୯

ନିୟମ-ଡ଼ୋରେ ତାହାଙ୍କର । ବନ୍ଧା ହୋଇଛି ଚରାବର ॥ ୪୦

ନାନା କର୍ମରେ ବନ୍ଧା ହୋଇ । ଜଗତ ଯାହାକୁ ସେବଇ ॥ ୪୧

ମୁହିଁ ମହେନ୍ଦ୍ର ନଈଋତି । ବରୁଣ ଆଦି ଦିଗପତି ॥ ୪୨

ସୋମ ଅନଳ ମହେଶ୍ୱର । ପବନ ବ୍ରହ୍ମା ଦିବାକର ॥ ୪୩

ବିଶ୍ୱେଦେବା ଯେ ବସୁ ଯେତେ । ରୁଦ୍ର ମରୁଦ୍‌ଗଣ ସହିତେ ॥ ୪୪

ସିଦ୍ଧ କିନ୍ନର ସାଧ୍ୟ କରି । ସଂସାରେ ଯେତେ ଅଧିକାରୀ ॥ ୪୫

ସଂସାରକର୍ତ୍ତା ଆଉ ଯେତେ । ଭୃଗୁ ଆଦି ଋଷି ସହିତେ ॥ ୪୬

ଏ ଆଦି ଯେତେକ କହିଲୁଁ । ତାହାର ମାୟା ନ ଜାଣିଲୁଁ ॥ ୪୭

କେ ବା ଜାଣିବ ତା ମହିମା । ପ୍ରଭୁର ନାମ ଗୁଣ ସୀମା ॥ ୪୮

ଇନ୍ଦ୍ରି ହୃଦୟ ବାକ୍ୟ ମନେ । ଯାହାକୁ ନ ଜାଣନ୍ତି ଜନେ ॥ ୪୯

ସର୍ବ ଶରୀରେ ଆତ୍ମାରୂପ । ଯେ ଇନ୍ଦ୍ରିୟଙ୍କର ଅଧିପ ॥ ୫୦

ସେ ପ୍ରଭୁ ଆତ୍ମାତନ୍ତ୍ରେ ଥାଇ । ସଂସାର ଚେଷ୍ଟା ସେ କରଇ ॥ ୫୧

ତାହାର ଦୂତଗଣେ କରି । ତାହାର ରୂପ-ଗୁଣ ଧରି ॥ ୫୨

ସଂସରେ ନିର୍ଭୟେ ବିହରେ । ହେଳେ ଅଶେଷ ପ୍ରାଣୀ ତାରେ ॥ ୫୩

ଦେବେ ପୂଜିତ ତେଜଯୁକ୍ତ । ଅଦି ଅଦ୍ଭୁତ ବିଷ୍ଣୁଦୂତ ॥ ୫୪

ଭକ୍ତିମନ୍ତ ପ୍ରାଣୀମାନଙ୍କୁ । ଶତ୍ରୁ ସକାଶରୁ ତାହାଙ୍କୁ ॥ ୫୫

ଆମ୍ଭଭୟରୁ ସେ ରଖନ୍ତି । ସର୍ବତ୍ର ସ୍ଥାନେ ବିରାଜନ୍ତି ॥ ୫୬

ବିଷ୍ଣୁ ବିଷୟେ ଯେଉଁ ଧର୍ମ । ଅଜ୍ଞାତ ଦେବ ଋଷିଗଣ ॥ ୫୭

ସିଦ୍ଧ ଅସୁର ଯେ ଚାରଣ । ମନୁଷ୍ୟ ବିଦ୍ୟାଧରମାନ ॥ ୫୮

ଏ ସର୍ବେ ଜାଣିବେ କେମନ୍ତ । ଯାହାର ମହିମା ଅନନ୍ତ ॥ ୫୯

ସ୍ୱୟମ୍ଭୁ ନାରଦ କୁମାର । ଶିବ କପିଳ ମନୁବର ॥ ୬୦

ପ୍ରହଲ୍ଲାଦ ଭୀଷ୍ମ ଜନକ । ମୁହିଁ ଦ୍ୱାଦଶ ବଳି ଶୁକ ॥ ୬୧

ହେ ଦୂତେ ଶୁଣ ମୋର ବାଣୀ । ବିଷ୍ଣୁ ଭକତି ଏତେ ଜାଣି ॥ ୬୨

ଗୁପତ ବିଶୁଦ୍ଧ ଦୁର୍ବୋଧ୍ୟ । ଯେ ଧର୍ମ ଜାଣି ମୃତ୍ୟୁ ଛେଦ ॥ ୬୩

କୃଷ୍ଣଚରଣେ ଯାର ମନ । ସଂସାରେ ଶ୍ରେଷ୍ଠ ସେହୁ ଜନ ॥ ୬୪

ନାମ ଉଚ୍ଚାରନ୍ତି ଯେ ବାରେ । ଶ୍ରୀକୃଷ୍ଣଭକ୍ତ ବୋଲି ତାରେ ॥ ୬୫

ଭାଗବତ ଯେ ବିଷ୍ଣୁବାଣୀ । ପରମଧର୍ମ ପରିମାଣି ॥ ୬୬

ହେ ଦୂତେ ଗୋବିନ୍ଦର ନାମ । ମହିମା ଦେଖ ଉଚ୍ଚାରିଣ ॥ ୬୭

ଅଜାମିଳହିଁ ଯେ ନାମରୁ । ମୁକ୍ତ ହେଲା ମୃତ୍ୟୁ ପାଶରୁ ॥ ୬୮

ଏ ତ ଅକର୍ମ କରୁଥାଇ । କୃଷ୍ଣ ତା ଗତି ନ ଜାଣଇ ॥ ୬୯

ତେଣୁ ପେଷିଲି ଦୂତ ତାରେ । ଏବେ ପଶିଲା ଶ୍ରୀପୟରେ ॥ ୭୦

ତୁମ୍ଭଙ୍କୁ ଦେଖି ଭୟ କଲା । ନାରାୟଣ ବୋଲି ବୋଇଲା ॥ ୭୧

ତକ୍ଷଣେ ସର୍ବପାପ ଗଲା । ମୋ ପାଶୁ ମୁକତ ହୋଇଲା ॥ ୭୨

ଯଜ୍ଞାଦି କରି ମୂଢମତି । ନାନା କର୍ମରେ ପ୍ରବର୍ତ୍ତନ୍ତି ॥ ୭୩

ନାମ ମହିମା ନ ଜାଣନ୍ତି । ବିଷ୍ଣୁମାୟାରେ ମୋହି ହୋନ୍ତି ॥ ୭୪

ଶ୍ରୀକୃଷ୍ଣ ନାମ ସଂକୀର୍ତ୍ତନ । ପ୍ରାଣୀଙ୍କ ପାପ ବିମୋଚନ ॥ ୭୫

ଏମନ୍ତେ ଯେ ପ୍ରାଣୀ ପଣ୍ଡିତ । କୃଷ୍ଣ ସୁମରେ ଅବିରତ ॥ ୭୬

ତାହାଙ୍କୁ ମୋର ଦଣ୍ଡ ନାହିଁ । ପାତକ ଯେତେ ତାଙ୍କ ଥାଇ ॥ ୭୭

ସକଳ ପାପ ହୋଏ ଭଙ୍ଗ । ଯେଣୁ ଈଶ୍ୱର ପରସଙ୍ଗ ॥ ୭୮

ସମଦରଶୀ ସାଧୁଜନ । ଯେମାନେ ବିଷ୍ଣୁପରାୟଣ ॥ ୭୯

ଦେବତା ସିଦ୍ଧ ତାହାଙ୍କର । ଯଶ କରନ୍ତି ସୁବିସ୍ତାର ॥ ୮୦

ପରମଈଶ୍ୱର ଗଦାରେ । ରକ୍ଷିତ ହୁଅନ୍ତି ସେନରେ ॥ ୮୧

ତାହାଙ୍କ ଦଣ୍ଡŠରେ ମୋହର । କେବେହେଁ ନାହିଁ ଅଧିକାର ॥ ୮୨

ମୁକୁନ୍ଦପାଦ-ଅରବିନ୍ଦ । ନିତ୍ୟେ ସ୍ରବଇ ମକରନ୍ଦ ॥ ୮୩

ତହିଁ ବିମୁଖ ଯେଉଁଜନ । ତାହାଙ୍କୁ କରିଣ ବନ୍ଧନ ॥ ୮୪

ଆଣି ତାହାଙ୍କୁ ମୋ ଅଗ୍ରତେ । ଯାତନା ଦେବ ଅବିରତେ ॥ ୮୫

ନିର୍ଲୋଭ ଯେ ପରମହଂସ । ତାହାଙ୍କୁ ନ କରି ଜିଂଘାସ ॥ ୮୬

ଗୃହବନ୍ଧନେ ମନ ଦେଇ । ନିତ୍ୟେ ଅସାଧୁ ସଙ୍ଗେ ଥାଇ ॥ ୮୭

ଜିହ୍ୱାରେ ନ ବୋଲଇ ନାମ । ନ ଚିନ୍ତେ ହରିପାଦପଦ୍ମ ॥ ୮୮

କୃଷ୍ଣର ପାଦେ ଚିତ୍ତ ଦେଇ । କେବେହେଁ ସ୍ତୁତି ନ କରଇ ॥ ୮୯

ବିଷ୍ଣୁର କର୍ମରେ ବର୍ଜିତ । ନିରତେ କୁସଙ୍ଗେ ଆଶ୍ରିତ ॥ ୯୦

ଏମନ୍ତ ଭାବେ ଯେତେ ପ୍ରାଣୀ । ଯାତନା ଦିଅ ତାଙ୍କୁ ଆଣି ॥ ୯୧

ଏମନ୍ତ ଦୂତ ଆଗେ କହି । ଯମ କହନ୍ତି କୃଷ୍ଣଧ୍ୟାୟି ॥ ୯୨

ମୋର ଦୂତଙ୍କ ଅପରାଧ । କ୍ଷମା କରିବା ପଦ୍ମପାଦ ॥ ୯୩

ଶ୍ରୀହରି ପୁରୁଷ ପୁରାଣ । କ୍ଷମା କରନ୍ତୁ ନାରାୟଣ ॥ ୯୪

ପଣ୍ଡିତେ ଯାର ପଦ୍ମପାଦେ । ସେବନ୍ତି ନିତ୍ୟେ ଅପ୍ରମାଦେ ॥ ୯୫

ତାହାଙ୍କୁ ମୋର ନମସ୍କାର । ଏ ଅପରାଧ କ୍ଷମା କର ॥ ୯୬

ଶୁକ ଉବାଚ

ଏଣୁଟି ହରି ସଙ୍କୀର୍ତ୍ତନ । ଜଗତ ମଙ୍ଗଳ କାରଣ ॥ ୯୭

ମହତ ଲୋକମାନଙ୍କର । ଏକାନ୍ତଭକ୍ତି ନୃପବର ॥ ୯୮

ଈଶ୍ୱର ଉଦ୍ଦାମ ଚରିତ । ଶୁଣି ଗାବନ୍ତି ଅବିରତ ॥ ୯୯

ଶ୍ରୀକୃଷ୍ଣ ପାଦପଙ୍କଜରେ । ଯେ ନିତ୍ୟେ ମଧୁପାନ କରେ ॥ ୧୦୦

ଯେ ପ୍ରାଣୀ ମାୟାବନ୍ଧ ମୋହେ । ନ ପଡେ ଯାତନା ସମୂହେ ॥ ୧୦୧

ଯେ ଜନ ଲୋଭମୋହେ ପଡି । ରଜତମରେ ଥାଇ ଜଡ଼ି ॥ ୧୦୨

ତାହାର ପୁନଃପୁନଃ ହୋଇ । ରଜତାମସ ଉପୁଜଇ ॥ ୧୦୩

ଏମନ୍ତ ଯମବାକ୍ୟ ଶୁଣି । ବିଷ୍ଣୁମହିମା ପରିମାଣି ॥ ୧୦୪

ଯମକିଙ୍କର ଭୟଚିତ୍ତ । ବୋଲନ୍ତି ଏ କି ବିପରୀତ ॥ ୧୦୫

ଗୋବିନ୍ଦ ଆଶ୍ରେ ଯେତେ ଜନେ । ତାହାଙ୍କୁ ଭୟକଲେ ମନେ ॥ ୧୦୬

ସେ ଦିନଠାରୁ ହେ ରାଜନ । ଦେଖିଲେ ଭୟେ ହୋନ୍ତି ଛନ୍ନ ॥ ୧୦୭

ମଳୟଗିରିତଟେ ବସି । କୃଷ୍ଣ-ମହିମା ପରଶଂସି ॥ ୧୦୮

କହିଲେ କୁମ୍ଭଜନ୍ମମୁନି । ଗୁପତ ଇତିହାସ ବାଣୀ ॥ ୧୦୯

ସୁଜନେ ଶୁଣି ଚିତ୍ତେ ଧର । ଶ୍ରୀକୃଷ୍ଣନାମ ଆଶ୍ରେ କର ॥ ୧୧୦

ଦାସ ଜଗନ୍ନାଥ ବୋଲଇ । କୃଷ୍ଣମହିମା ଯମ କହି ॥ ୧୧୧

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଷଷ୍ଠସ୍କନ୍ଧେ ଯମପୁରୁଷ

ସମ୍ବାଦେ ତୃତୀୟୋଽଧ୍ୟାୟଃ ॥

* * *