ଷଷ୍ଠ ସ୍କନ୍ଧ

ଦ୍ୱିତୀୟ ଅଧ୍ୟାୟ

ଶୁକ ଉବାଚ

ଏମନ୍ତ ଯମଦୂତ ବାଣୀ । ବିଷ୍ଣୁ-ସେବକମାନେ ଶୁଣି ॥

ଶୁଣ ରାଜନ ଏ ଅନ୍ତରେ । ତାହାଙ୍କ ବାକ୍ୟ ଅନୁସାରେ ॥

ସକଳ ଧର୍ମ ସେ ଜାଣନ୍ତି । ଯମଦୂତଙ୍କୁ ବୋଲୁଛନ୍ତି ॥

ବିଷ୍ଣୁଦୂତ ଉବାଚ

ଏ ତ ଅତ୍ୟନ୍ତ ଅଦଭୂତ । ଦେଖିଲୁ ତୁମ୍ଭର ଚରିତ ॥

ସମଦରଶୀ ସାଧୁଜନେ । ଅଧର୍ମ ସ୍ପରଶେ କେସନେ ॥

ଅଦଣ୍ଡ୍ୟ ଅପାପୀ ଯେ ପ୍ରାଣୀ । ତାହାଙ୍କୁ ବ୍ୟର୍ଥେ ଦଣ୍ଡ ପୁଣି ॥

ପ୍ରଜାମାନଙ୍କ ପିତା ହୋଇ । ସେ ଯେବେ ପ୍ରଜା ଶାସ୍ତି ଦେଇ ॥

ତେବେ ସେ କାହାର ଶରଣ । ହୋଇବ କହ ହେ କାରଣ ॥

ମହତେ ଯାହା ଆଚରିବେ । ଇତରେ ତାହାହିଁ କରିବେ ॥

ସେ ଯାହା ପ୍ରମାଣ କରିବେ । ଲୋକେ ସେ ପଥ ଆଚରିବେ ॥ ୧୦

ଯାହାର ଅଙ୍କେ ଶିର ଦେଇ । ନିଶେଙ୍କ ଜନ ନିଦ୍ରା ଯାଇ ॥ ୧୧

ପଶୁ ଯେସନେ ସୁଖେ ଥାଇ । ଧର୍ମ-ଅଧର୍ମ ନ ଜାଣଇ ॥ ୧୨

ମିତ୍ର ସ୍ୱଭାବେ ଯାର ତହିଁ । ବିଶ୍ୱାସେ ଆତ୍ମା ସମର୍ପଇ ॥ ୧୩

ବିଶ୍ୱାସ ସର୍ବ ପ୍ରାଣୀଙ୍କର । ଦୟାପୂରିତ ଯା ଶରୀର ॥ ୧୪

ବିଶ୍ୱାସୀ ପ୍ରାଣୀଙ୍କି କେମନ୍ତେ । ସେ ହିଂସା କରେ ହୃଦଗତେ ॥ ୧୫

କୋଟିଜନ୍ମର ଶୁଭଫଳ । କଲା ଏ ଦ୍ୱିଜ ଆଜାମିଳ ॥ ୧୬

ଯେଣୁ ଆକୁଳେ ନାରାୟଣ । ମଙ୍ଗଳ କଲା ଉଚ୍ଚାରଣ ॥ ୧୭

ଏଣୁ ଏ ପାପୀ ମନ୍ଦକୃତ୍ୟ । ସକଳ କଲା ପ୍ରାୟଶ୍ଚିତ୍ତ ॥ ୧୮

ଯେଣୁ ଚତୁରାକ୍ଷର ନାମ । ମୁଖେ ବୋଇଲା ନାରାୟଣ ॥ ୧୯

ଯେ ବ୍ରହ୍ମହତ୍ୟା ମଦ୍ୟପାନ । ଗୁରୁପତ୍ନୀ ଅଭିଗମନ ॥ ୨୦

ମିତ୍ର-ବିଷୟେ ଅପରାଧ । ସ୍ତିରୀ ରାଜ ପିତୃ ଗୋ ବଧ ॥ ୨୧

ଏ ଆଦି ପାପ ଅପସରେ । ସର୍ବଦୁରିତ ନିଶ୍ଚେ ହରେ ॥ ୨୨

ପ୍ରାଶ୍ଚିତ୍ତ ସର୍ବ ପ୍ରାଣୀଙ୍କର । ନାମ ଉଚ୍ଚାରଣ ବିଷ୍ଣୁର ॥ ୨୩

ତୁŠଣ୍ଡେ ବୋଲନ୍ତି ଯେବା ନର । ତରନ୍ତି ଏ ଭବସାଗର ॥ ୨୪

ଯାହାର ବିଷ୍ଣୁଭାବେ ମତି । ପାପରେ ଗ୍ରସ୍ତ ସେ ନୁହଁନ୍ତି ॥ ୨୫

ବ୍ରତ ପ୍ରାୟଶ୍ଚିତ୍ତ ଏମାନ । ଅଧିକ ତହୁଁ ହରିନାମ ॥ ୨୬

ଶୁଦ୍ଧସତ୍ତ୍ବକୁ ପରକାଶେ । ପାପର ମୂଳବୀଜ ନାଶେ ॥ ୨୭

ଏଣୁ ଏହାକୁ ତୁମ୍ଭେମାନେ । ତେଜିଣ ଯାଅ ନିଜସ୍ଥାନେ ॥ ୨୮

ଏହାର ଯେତେ ପାପମାନ । ନିଶ୍ଚୟେ କଲା ଏ ଖŠଣ୍ଡନ ॥ ୨୯

ଯେଣୁ ଏ ଦ୍ୱିଜ ଅଜାମିଳ । ନିକଟେ ମରଣର କାଳ ॥ ୩୦

ତୁଣ୍ଡେ ଉଚ୍ଚାରି ନାରାୟଣ । ପ୍ରାଣ ଛାଡ଼ିଲା ତତକ୍ଷଣ ॥ ୩୧

ସଙ୍କେତ-ପରିହାସବେଳେ । ଗୀତାଳାପରେ ଯେବେ ହେଳେ ॥ ୩୨

ବୈକୁଣ୍ଠନାମ ଉଚ୍ଚାରଇ । ତାର କଳୁଷ ନ ରହଇ ॥ ୩୩

ପତନ ସ୍ଖଳନ ଭଗ୍ନରେ । ନାନାପ୍ରକାରେ ଯେ ସୁମରେ ॥ ୩୪

ତୁଣ୍ଡେ ଉଚ୍ଚାରେ ରାମନାମ । ତାହାକୁ ନ ଦŠଣ୍ଡଇ ଯମ ॥ ୩୫

ଅଳ୍ପ ବହୁତ ପାପମାନ । ପ୍ରାୟଶ୍ଚିତ୍ତ ହିଁ ଯଥାକ୍ରମ ॥ ୩୬

ପାପର ଗୁରୁ ଲଘୁ ଜାଣି । ମୁନି କହନ୍ତି ପରିମାଣି ॥ ୩୭

ତପ ସମାଧି ଜପ ଦାନେ । ପାପ ନାଶନ୍ତି ମୁନିଜନେ ॥ ୩୮

ପାପର ବୀଜ ନାଶ ନୋହି । ଚିତ୍ତ ନିର୍ମଳ ନୋହେ ତହିଁ ॥ ୩୯

ଯେମନ୍ତେ ଶ୍ରୀହରି କୀର୍ତ୍ତନେ । ପାଦପଙ୍କଜ ସେବାଧ୍ୟାନେ ॥ ୪୦

ଜ୍ଞାନେ ଅଜ୍ଞାନେ ଯେଉଁପ୍ରାଣୀ । ସ୍ମରଣ କରେ ଚକ୍ରପାଣି ॥ ୪୧

ନାମ କରନ୍ତି ସଙ୍କୀର୍ତ୍ତନ । ପାପକୁ ନାଶନ୍ତି ବହନ ॥ ୪୨

ଯେସନେ ବହୁ କାଷ୍ଠ ରାଶି । ଅନଳ ପ୍ରବେଶେ ବିନାଶି ॥ ୪୩

ରୋ ଶରୀରେ ଉପଗତ । ହେଲେ ଔଷଧ ବଳବନ୍ତ ॥ ୪୪

ଅଜ୍ଞାନେ ପ୍ରୟୋଗ ହୋଇଲେ । ତେମନ୍ତ ନାମ ଉଚ୍ଚାରିଲେ ॥ ୪୫

ତେବେ ସେ ଆତ୍ମାଗୁଣୁ ତାର । ସେ କି ନ କରେ ଉପକାର ॥ ୪୬

ଶୁକ କହନ୍ତି ଅନୁରାଗେ । ବିଷ୍ଣୁବରିତ ସୁଧାଭାଗେ ॥ ୪୭

ଶୁକ ଉବାଚ

ବିଷ୍ଣୁଦୂତଙ୍କ ଧର୍ମବାଣୀ । କୃତାନ୍ତଦୂତମାନେ ଶୁଣି ॥ ୪୮

ଅଜାମିଳକୁ ପାଶୁ ଫେଇ । ମୃତ୍ୟୁରୁ ଦେଲେ ବାହୁଡାଇ ॥ ୪୯

ଯମର ଦୂତମାନେ ଗଲେ । ସ୍ୱାମୀଙ୍କି ସମସ୍ତ କହିଲେ ॥ ୫୦

ପାଶରୁ ମୁକ୍ତ ଅଜାମିଳ । ଦେହ ଲଭିଲା ତତକାଳ ॥ ୫୧

ବିନାଶି ସର୍ବଭୟ ତାର । ଶିରରେ ଦେଇ ବେନିକର ॥ ୫୨

ବିଷ୍ଣୁଦୂତଙ୍କୁ ନମସ୍କାର । ଉଚ୍ଛୁକ ହୋଇଛି ମନର ॥ ୫୩

ପ୍ରସନ୍ନମୁଖ ଦେଖି ତାର । ଜାଣିଲେ ବିଷ୍ଣୁର କିଙ୍କର ॥ ୫୪

ତକ୍ଷଣେ ଅନ୍ତର୍ଦ୍ଧାନ ହୋଇ । ତାର ନିକଟୁ ଗଲେ ସେହି ॥ ୫୫

ଗୁଣଆଶ୍ରିତ ବେଦସିଦ୍ଧ । ଯେ ଭାଗବତ-ଧର୍ମଶୁଦ୍ଧ ॥ ୫୬

ଯମ-ବିଷ୍ଣୁଦୂତଙ୍କ ବାଣୀ । ଗୋବିନ୍ଦ-ଗୁଣ ବିପ୍ରମଣି ॥ ୫୭

ତକ୍ଷଣେ ଚରଣାରବିନ୍ଦେ । ଭକ୍ତି ଲଭିଲା ଅପ୍ରମାଦେ ॥ ୫୮

ଶ୍ରୀକୃଷ୍ଣ ଚରିତ ଶ୍ରବଣେ । ପୂର୍ବର ଅଶୁଭ ସ୍ମରଣେ ॥ ୫୯

ମହାସନ୍ତାପ ମନେ କଲା । ତକ୍ଷଣେ ବିଷ୍ଣୁ ସୁମରିଲା ॥ ୬୦

ଅହୋ ମୋହର ବଡ କଷ୍ଟ । ଅଜିତ ଇନ୍ଦ୍ରିୟ ମୁଁ ନଷ୍ଟ ॥ ୬୧

ସୁକର୍ମ କଲି ମୋର କ୍ଷୀଣ । କଲି ମୁଁ ବୃଷଳୀ-ଗମନ ॥ ୬୨

ଅଧର୍ମ ଆଚରଣ କରି । କାଟିଲି ଦିବସ-ଶର୍ବରୀ ॥ ୬୩

ଧିକ ମୋହର ମନ୍ଦକୃତ୍ୟ । କୁଳରେ କଳଙ୍କ ବିଦିତ ॥ ୬୪

ତେଜିଣ ନିଜ ପତ୍ନୀ ସତୀ । ରମିଲି ମୁଁ ନୀଚ ଅସତୀ ॥ ୬୫

ବୃଦ୍ଧମୋହର ତାତମାତ । ମୋର ବିହୁନେ ଅରକ୍ଷିତ ॥ ୬୬

ତପସ୍ୱୀରୂପେ ଥାନ୍ତି ବନେ । ତାଙ୍କୁ ତେଜିଲି ଅକାରଣେ ॥ ୬୭

କି ଏ ଅର୍ଜିତକର୍ମ ମୋର । ନରକେ କଲି ନିଜଘର ॥ ୬୮

ବିଧି ହୋଇଲା ବିଡମ୍ବନ । ଲଭିବି ନରକ ଦାରୁଣ ॥ ୬୯

ଧର୍ମ-ହିଂସକ ପାପୀ ଯହିଁ । ନାନା-ଯାତନା ଭୁଞ୍ଜୁ ଥାଇ ॥ ୭୦

କି ଏ ସ୍ୱପନ ଅଦଭୁତେ । ନୟନେ ଦେଖିଲି ସାକ୍ଷାତେ ॥ ୭୧

ପାଶଦଉଡି ହସ୍ତେ କରି । ଯେ ମୋତେ ନେଉଥିଲେ ଧରି ॥ ୭୨

ଏ ତ ଆଶ୍ଚର୍ଯ୍ୟ ବଡ ଏଣେ । କ୍ଷଣକେ ଚାଲିଗଲେ କେଣେ ॥ ୭୩

ଏ ଅନ୍ତେ ସିଦ୍ଧ ଚାରିଜଣ । ତାଙ୍କର ରୂପ ମନୋରମ ॥ ୭୪

ପାଶେ ବନ୍ଧନ ମୋତେ କରି । ଅଧୋଭୂମିକୁ ନେଉଁ ଧରି ॥ ୭୫

ଛଡାଇ ଦେଲେ ଏହିକ୍ଷଣି । କ୍ଷଣକେ ଗଲେ କାହିଁ ପୁଣି ॥ ୭୬

ମୁଁ ତ ଅଟଇ ପାପୀହୀନ । ମୋହର ଦେବ-ଦରଶନ ॥ ୭୭

ଏଣୁ ହୋଇଲା ଏ ମଙ୍ଗଳ । ଆତ୍ମା ମୋ ହୋଇଲା ସୁଫଳ ॥ ୭୮

ଅଶୁଚି ଦାସୀପତି ମୁହିଁ । ମୋ ତହୁଁ ପାପୀ ଅଛି କାହିଁ ॥ ୭୯

ମୋହର ମରଣର କାଳେ । ନାମକୀର୍ତ୍ତନ ଅବହେଳେ ॥ ୮୦

ଜିହ୍ୱା ମୋ କେମନ୍ତେ ବୋଇଲା । ଶ୍ରୀକୃଷ୍ଣ ମୋତେ ଦୟାକଲା ॥ ୮୧

ମୁଁ କାହିଁ ଧୂର୍ତ୍ତ ପାପୀବର । ବିପ୍ରକୁଳର ଲଜ୍ଜାକର ॥ ୮୨

ସର୍ବ ମଙ୍ଗଳର କାରଣ । ବୈକୁଣ୍ଠନାମ ଉଚ୍ଚାରଣ ॥ ୮୩

କେମନ୍ତେ ବୋଇଲଇଁ ମୁହିଁ । ଦୟା ଯେ କଲେ ଭାବଗ୍ରାହୀ ॥ ୮୪

ଇନ୍ଦ୍ରି-ଅଜିତ ମୁଁ ଅଟଇ । ଏମନ୍ତ କରିବଇଁ ମୁହିଁ ॥ ୮୫

ଯେମନ୍ତେ ଆତ୍ମାଭୋଗ ଛାଡି । ବ୍ରହ୍ମଭାବରେ ରହେ ବୁଡି ॥ ୮୬

ଅବିଦ୍ୟା-କାମକର୍ମୁ ଜନ୍ମ । ମୋଚନ କରି ଏ ବନ୍ଧନ ॥ ୮୭

ସର୍ବଭୂତରେ ଶାନ୍ତ ହୋଇ । ଦୟା ବହିବି ଚିତ୍ତେ ମୁହିଁ ॥ ୮୮

ଏ ମାୟାଗ୍ରସ୍ତ ମୋରମନ । ନିଶ୍ଚୟ କରିବି ମୋଚନ ॥ ୮୯

ଯେଉଁ ମାୟାରେ ମୋହ ମୁହିଁ । କ୍ରୀଡା-କୁରଙ୍ଗ ପ୍ରାୟ ହୋଇ ॥ ୯୦

ଦେହ ସମ୍ପଦ ମୋର ଯେତେ । ଅକ୍ଷୟ-ଦମ୍ଭ ଅବିରତେ ॥ ୯୧

ଏହାଙ୍କୁ ତେଜି ଶୁଦ୍ଧମନ । କୃଷ୍ଣ ଚରଣେ ହେଉ ଲୀନ ॥ ୯୨

ଶୁକଉବାଚ

ଏମନ୍ତେ ଜାତ ଦିବ୍ୟଜ୍ଞାନ । ଯେଣୁ ତା ସାଧୁ ଦରଶନ ॥ ୯୩

ତେଜିଣ ସକଳ-ବନ୍ଧନ । ଗଙ୍ଗାଦ୍ୱାରକୁ ଆଗମନ ॥ ୯୪

ଦେବସଦନେ ବିପ୍ର ଯାଇ । ନିଶ୍ଚଳ ମନେ ଯୋଗ ଧ୍ୟାୟି ॥ ୯୫

ଇନ୍ଦ୍ରିୟ ନିଗ୍ରହ କରିଣ । ବ୍ରହ୍ମେ ନିବେଶି ସ୍ଥିରମନ ॥ ୯୬

ସକଳ-ଗୁଣ ପରିହରି । ଆତ୍ମାକୁ ସମାଧିରେ ଧରି ॥ ୯୭

ପରମବ୍ରହ୍ମେ ମନ ଦେଲା । ମନକୁ ତହିଁ ନିବେଶିଲା ॥ ୯୮

ବ୍ରହ୍ମଭାବନେ ସ୍ଥିରମନ । ଦେଖିଲା ବିଷ୍ଣୁଦୂତମାନ ॥ ୯୯

ପୂର୍ବେ ଯେ ରୂପ ଦେଖିଥିଲା । ପୁଣି ଦେଖନ୍ତେ ପ୍ରଣମିଲା ॥ ୧୦୦

ଗଙ୍ଗାଜଳରେ ଦ୍ୱିଜବର । ତେଜିଲା ନିଜ କଳେବର ॥ ୧୦୧

ତକ୍ଷଣେ ବିଷ୍ଣୁ ଦୂତପ୍ରାୟେ । ହୋଇଲା ତାର ଦିବ୍ୟକାୟେ । ୧୦୨

ବିଷୟ-ଦୁର୍ଗତି ଖଣ୍ଡନ । ବେଷ୍ଟିତ ହୋଇ ବିଷ୍ଣୁଗଣ ॥ ୧୦୩

ହେମବିମାନ ଆରୋହିଲା । ତକ୍ଷଣେ ବିଷ୍ଣୁଲୋକେ ଗଲା ॥ ୧୦୪

ଦାସୀପତି ପତିତକର୍ମ । ନଷ୍ଟ ତାହାର ସର୍ବଧର୍ମ ॥ ୧୦୫

ବ୍ରତ-ବିହୀନ ନିନ୍ଦାଚାର । ନରକେ ପଡନ୍ତା ଶରୀର ॥ ୧୦୬

ଈଶ୍ୱର-ନାମ-ଗ୍ରହଣରୁ । ତତ୍କାଳ ମୁକ୍ତି ନରକରୁ ॥ ୧୦୭

ମୋକ୍ଷବାଞ୍ଛିତ ନରଙ୍କର । କୃଷ୍ଣକୀର୍ତ୍ତନୁ ନାହିଁ ପର ॥ ୧୦୮

କର୍ମବନ୍ଧନର ଛେଦନ । ଏହାର ସମ ନାହିଁ ଆନ ॥ ୧୦୯

ଯେ ମନରଜ-ତମେ ଥାଇ । କର୍ମେ ମଳିନ ସେ ହୁଅଇ ॥ ୧୧୦

ପରମ ଗୁହ୍ୟ ଅଘ ନାଶ । ନାମ-ମାହାତ୍ମ୍ୟ ଇତିହାସ ॥ ୧୧୧

ସେ ଯେବେ କୃଷ୍ଣନାମ ଧରେ । ଅଶେଷ-ପାତକ ନିବାରେ ॥ ୧୧୨

ଶୁଣଇ ଶ୍ରଦ୍ଧାଯୁକ୍ତ ହୋଇ । ବଦନେ କୀର୍ତ୍ତନ କରଇ ॥ ୧୧୩

ସେ ପ୍ରାଣୀ ନରକେ ନ ଯାଇ । ଯମଯାତନା ତାକୁ ନାହିଁ ॥ ୧୧୪

ତେବେ ନିର୍ମଳ ପ୍ରାଣୀ ହୋଏ । ନିଶଙ୍କେ ବିଷ୍ଣୁଲୋକେ ରହେ ॥ ୧୧୫

ଦେଖ ବ୍ରାହ୍ମଣ ପାପୀ ଥିଲା । ଅନ୍ତେ କୃଷ୍ଣଙ୍କୁ ସୁମରିଲା ॥ ୧୧୬

ଦେଖି ନିକଟେ ତା ମରଣ । ପୁତ୍ରର ନାମ ନାରାୟଣ ॥ ୧୧୭

ନାମକୁ ଆକୁଳେ ଉଚ୍ଚାରି । ଭବସାଗରୁ ହେଲା ପାରି ॥ ୧୧୮

ସକଳ ପାପେ ଅଧିକାରୀ । ସେହି ଲଭିଲା ନରହରି ॥ ୧୧୯

ସର୍ବ-ଦୁଷ୍କୃତ ତାର ଗଲା । ପରମପଦ ସେ ଲଭିଲା ॥ ୧୨୦

ଶ୍ରଦ୍ଧାରେ ନାମ ଯେ ଉଚ୍ଚାରେ । ତାର ମହିମା କେ ବିସ୍ତାରେ ॥ ୧୨୧

ଶୁଣ ରାଜନ ପୁଣ୍ୟଆତ୍ମା । ଗୋବିନ୍ଦ-ନାମର ମହିମା ॥ ୧୨୨

ନିଶ୍ଚଳଚିତ୍ତେ କୃଷ୍ଣଭଜ । ଏ ଭବବନ୍ଧମାୟା ତେଜ ॥ ୧୨୩

ଶ୍ରୀକୃଷ୍ଣନାମର ମହିମା । ଶୁକ କହିଲେ ଗୁଣସୀମା ॥ ୧୨୪

ସୁଜନେ ଏଣେ ଚିତ୍ତକର । ଏ ମାୟାବନ୍ଧନୁ ନିସ୍ତର ॥ ୧୨୫

ବୋଲଇ ଦାସ ଜଗନ୍ନାଥ । ଷଷ୍ଠସ୍କନ୍ଧରେ ଭାଗବତ ॥ ୧୨୬

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ଷଷ୍ଠସ୍କନ୍ଧେ ଅଜାମିଳ ଉପାଖ୍ୟାନେ

ଦ୍ୱିତୀୟୋଽଧ୍ୟାୟଃ ॥

* * *