ଷଷ୍ଠ ସ୍କନ୍ଧ
ଦ୍ୱିତୀୟ ଅଧ୍ୟାୟ
ଶୁକ ଉବାଚ
ଏମନ୍ତ ଯମଦୂତ ବାଣୀ । ବିଷ୍ଣୁ-ସେବକମାନେ ଶୁଣି ॥ ୧
ଶୁଣ ରାଜନ ଏ ଅନ୍ତରେ । ତାହାଙ୍କ ବାକ୍ୟ ଅନୁସାରେ ॥ ୨
ସକଳ ଧର୍ମ ସେ ଜାଣନ୍ତି । ଯମଦୂତଙ୍କୁ ବୋଲୁଛନ୍ତି ॥ ୩
ବିଷ୍ଣୁଦୂତ ଉବାଚ
ଏ ତ ଅତ୍ୟନ୍ତ ଅଦଭୂତ । ଦେଖିଲୁ ତୁମ୍ଭର ଚରିତ ॥ ୪
ସମଦରଶୀ ସାଧୁଜନେ । ଅଧର୍ମ ସ୍ପରଶେ କେସନେ ॥ ୫
ଅଦଣ୍ଡ୍ୟ ଅପାପୀ ଯେ ପ୍ରାଣୀ । ତାହାଙ୍କୁ ବ୍ୟର୍ଥେ ଦଣ୍ଡ ପୁଣି ॥ ୬
ପ୍ରଜାମାନଙ୍କ ପିତା ହୋଇ । ସେ ଯେବେ ପ୍ରଜା ଶାସ୍ତି ଦେଇ ॥ ୭
ତେବେ ସେ କାହାର ଶରଣ । ହୋଇବ କହ ହେ କାରଣ ॥ ୮
ମହତେ ଯାହା ଆଚରିବେ । ଇତରେ ତାହାହିଁ କରିବେ ॥ ୯
ସେ ଯାହା ପ୍ରମାଣ କରିବେ । ଲୋକେ ସେ ପଥ ଆଚରିବେ ॥ ୧୦
ଯାହାର ଅଙ୍କେ ଶିର ଦେଇ । ନିଶେଙ୍କ ଜନ ନିଦ୍ରା ଯାଇ ॥ ୧୧
ପଶୁ ଯେସନେ ସୁଖେ ଥାଇ । ଧର୍ମ-ଅଧର୍ମ ନ ଜାଣଇ ॥ ୧୨
ମିତ୍ର ସ୍ୱଭାବେ ଯାର ତହିଁ । ବିଶ୍ୱାସେ ଆତ୍ମା ସମର୍ପଇ ॥ ୧୩
ବିଶ୍ୱାସ ସର୍ବ ପ୍ରାଣୀଙ୍କର । ଦୟାପୂରିତ ଯା ଶରୀର ॥ ୧୪
ବିଶ୍ୱାସୀ ପ୍ରାଣୀଙ୍କି କେମନ୍ତେ । ସେ ହିଂସା କରେ ହୃଦଗତେ ॥ ୧୫
କୋଟିଜନ୍ମର ଶୁଭଫଳ । କଲା ଏ ଦ୍ୱିଜ ଆଜାମିଳ ॥ ୧୬
ଯେଣୁ ଆକୁଳେ ନାରାୟଣ । ମଙ୍ଗଳ କଲା ଉଚ୍ଚାରଣ ॥ ୧୭
ଏଣୁ ଏ ପାପୀ ମନ୍ଦକୃତ୍ୟ । ସକଳ କଲା ପ୍ରାୟଶ୍ଚିତ୍ତ ॥ ୧୮
ଯେଣୁ ଚତୁରାକ୍ଷର ନାମ । ମୁଖେ ବୋଇଲା ନାରାୟଣ ॥ ୧୯
ଯେ ବ୍ରହ୍ମହତ୍ୟା ମଦ୍ୟପାନ । ଗୁରୁପତ୍ନୀ ଅଭିଗମନ ॥ ୨୦
ମିତ୍ର-ବିଷୟେ ଅପରାଧ । ସ୍ତିରୀ ରାଜ ପିତୃ ଗୋ ବଧ ॥ ୨୧
ଏ ଆଦି ପାପ ଅପସରେ । ସର୍ବଦୁରିତ ନିଶ୍ଚେ ହରେ ॥ ୨୨
ପ୍ରାଶ୍ଚିତ୍ତ ସର୍ବ ପ୍ରାଣୀଙ୍କର । ନାମ ଉଚ୍ଚାରଣ ବିଷ୍ଣୁର ॥ ୨୩
ତୁଣ୍ଡେ ବୋଲନ୍ତି ଯେବା ନର । ତରନ୍ତି ଏ ଭବସାଗର ॥ ୨୪
ଯାହାର ବିଷ୍ଣୁଭାବେ ମତି । ପାପରେ ଗ୍ରସ୍ତ ସେ ନୁହଁନ୍ତି ॥ ୨୫
ବ୍ରତ ପ୍ରାୟଶ୍ଚିତ୍ତ ଏମାନ । ଅଧିକ ତହୁଁ ହରିନାମ ॥ ୨୬
ଶୁଦ୍ଧସତ୍ତ୍ବକୁ ପରକାଶେ । ପାପର ମୂଳବୀଜ ନାଶେ ॥ ୨୭
ଏଣୁ ଏହାକୁ ତୁମ୍ଭେମାନେ । ତେଜିଣ ଯାଅ ନିଜସ୍ଥାନେ ॥ ୨୮
ଏହାର ଯେତେ ପାପମାନ । ନିଶ୍ଚୟେ କଲା ଏ ଖଣ୍ଡନ ॥ ୨୯
ଯେଣୁ ଏ ଦ୍ୱିଜ ଅଜାମିଳ । ନିକଟେ ମରଣର କାଳ ॥ ୩୦
ତୁଣ୍ଡେ ଉଚ୍ଚାରି ନାରାୟଣ । ପ୍ରାଣ ଛାଡ଼ିଲା ତତକ୍ଷଣ ॥ ୩୧
ସଙ୍କେତ-ପରିହାସବେଳେ । ଗୀତାଳାପରେ ଯେବେ ହେଳେ ॥ ୩୨
ବୈକୁଣ୍ଠନାମ ଉଚ୍ଚାରଇ । ତାର କଳୁଷ ନ ରହଇ ॥ ୩୩
ପତନ ସ୍ଖଳନ ଭଗ୍ନରେ । ନାନାପ୍ରକାରେ ଯେ ସୁମରେ ॥ ୩୪
ତୁଣ୍ଡେ ଉଚ୍ଚାରେ ରାମନାମ । ତାହାକୁ ନ ଦଣ୍ଡଇ ଯମ ॥ ୩୫
ଅଳ୍ପ ବହୁତ ପାପମାନ । ପ୍ରାୟଶ୍ଚିତ୍ତ ହିଁ ଯଥାକ୍ରମ ॥ ୩୬
ପାପର ଗୁରୁ ଲଘୁ ଜାଣି । ମୁନି କହନ୍ତି ପରିମାଣି ॥ ୩୭
ତପ ସମାଧି ଜପ ଦାନେ । ପାପ ନାଶନ୍ତି ମୁନିଜନେ ॥ ୩୮
ପାପର ବୀଜ ନାଶ ନୋହି । ଚିତ୍ତ ନିର୍ମଳ ନୋହେ ତହିଁ ॥ ୩୯
ଯେମନ୍ତେ ଶ୍ରୀହରି କୀର୍ତ୍ତନେ । ପାଦପଙ୍କଜ ସେବାଧ୍ୟାନେ ॥ ୪୦
ଜ୍ଞାନେ ଅଜ୍ଞାନେ ଯେଉଁପ୍ରାଣୀ । ସ୍ମରଣ କରେ ଚକ୍ରପାଣି ॥ ୪୧
ନାମ କରନ୍ତି ସଙ୍କୀର୍ତ୍ତନ । ପାପକୁ ନାଶନ୍ତି ବହନ ॥ ୪୨
ଯେସନେ ବହୁ କାଷ୍ଠ ରାଶି । ଅନଳ ପ୍ରବେଶେ ବିନାଶି ॥ ୪୩
ରୋ ଶରୀରେ ଉପଗତ । ହେଲେ ଔଷଧ ବଳବନ୍ତ ॥ ୪୪
ଅଜ୍ଞାନେ ପ୍ରୟୋଗ ହୋଇଲେ । ତେମନ୍ତ ନାମ ଉଚ୍ଚାରିଲେ ॥ ୪୫
ତେବେ ସେ ଆତ୍ମାଗୁଣୁ ତାର । ସେ କି ନ କରେ ଉପକାର ॥ ୪୬
ଶୁକ କହନ୍ତି ଅନୁରାଗେ । ବିଷ୍ଣୁବରିତ ସୁଧାଭାଗେ ॥ ୪୭
ଶୁକ ଉବାଚ
ବିଷ୍ଣୁଦୂତଙ୍କ ଧର୍ମବାଣୀ । କୃତାନ୍ତଦୂତମାନେ ଶୁଣି ॥ ୪୮
ଅଜାମିଳକୁ ପାଶୁ ଫେଇ । ମୃତ୍ୟୁରୁ ଦେଲେ ବାହୁଡାଇ ॥ ୪୯
ଯମର ଦୂତମାନେ ଗଲେ । ସ୍ୱାମୀଙ୍କି ସମସ୍ତ କହିଲେ ॥ ୫୦
ପାଶରୁ ମୁକ୍ତ ଅଜାମିଳ । ଦେହ ଲଭିଲା ତତକାଳ ॥ ୫୧
ବିନାଶି ସର୍ବଭୟ ତାର । ଶିରରେ ଦେଇ ବେନିକର ॥ ୫୨
ବିଷ୍ଣୁଦୂତଙ୍କୁ ନମସ୍କାର । ଉଚ୍ଛୁକ ହୋଇଛି ମନର ॥ ୫୩
ପ୍ରସନ୍ନମୁଖ ଦେଖି ତାର । ଜାଣିଲେ ବିଷ୍ଣୁର କିଙ୍କର ॥ ୫୪
ତକ୍ଷଣେ ଅନ୍ତର୍ଦ୍ଧାନ ହୋଇ । ତାର ନିକଟୁ ଗଲେ ସେହି ॥ ୫୫
ଗୁଣଆଶ୍ରିତ ବେଦସିଦ୍ଧ । ଯେ ଭାଗବତ-ଧର୍ମଶୁଦ୍ଧ ॥ ୫୬
ଯମ-ବିଷ୍ଣୁଦୂତଙ୍କ ବାଣୀ । ଗୋବିନ୍ଦ-ଗୁଣ ବିପ୍ରମଣି ॥ ୫୭
ତକ୍ଷଣେ ଚରଣାରବିନ୍ଦେ । ଭକ୍ତି ଲଭିଲା ଅପ୍ରମାଦେ ॥ ୫୮
ଶ୍ରୀକୃଷ୍ଣ ଚରିତ ଶ୍ରବଣେ । ପୂର୍ବର ଅଶୁଭ ସ୍ମରଣେ ॥ ୫୯
ମହାସନ୍ତାପ ମନେ କଲା । ତକ୍ଷଣେ ବିଷ୍ଣୁ ସୁମରିଲା ॥ ୬୦
ଅହୋ ମୋହର ବଡ କଷ୍ଟ । ଅଜିତ ଇନ୍ଦ୍ରିୟ ମୁଁ ନଷ୍ଟ ॥ ୬୧
ସୁକର୍ମ କଲି ମୋର କ୍ଷୀଣ । କଲି ମୁଁ ବୃଷଳୀ-ଗମନ ॥ ୬୨
ଅଧର୍ମ ଆଚରଣ କରି । କାଟିଲି ଦିବସ-ଶର୍ବରୀ ॥ ୬୩
ଧିକ ମୋହର ମନ୍ଦକୃତ୍ୟ । କୁଳରେ କଳଙ୍କ ବିଦିତ ॥ ୬୪
ତେଜିଣ ନିଜ ପତ୍ନୀ ସତୀ । ରମିଲି ମୁଁ ନୀଚ ଅସତୀ ॥ ୬୫
ବୃଦ୍ଧମୋହର ତାତମାତ । ମୋର ବିହୁନେ ଅରକ୍ଷିତ ॥ ୬୬
ତପସ୍ୱୀରୂପେ ଥାନ୍ତି ବନେ । ତାଙ୍କୁ ତେଜିଲି ଅକାରଣେ ॥ ୬୭
କି ଏ ଅର୍ଜିତକର୍ମ ମୋର । ନରକେ କଲି ନିଜଘର ॥ ୬୮
ବିଧି ହୋଇଲା ବିଡମ୍ବନ । ଲଭିବି ନରକ ଦାରୁଣ ॥ ୬୯
ଧର୍ମ-ହିଂସକ ପାପୀ ଯହିଁ । ନାନା-ଯାତନା ଭୁଞ୍ଜୁ ଥାଇ ॥ ୭୦
କି ଏ ସ୍ୱପନ ଅଦଭୁତେ । ନୟନେ ଦେଖିଲି ସାକ୍ଷାତେ ॥ ୭୧
ପାଶଦଉଡି ହସ୍ତେ କରି । ଯେ ମୋତେ ନେଉଥିଲେ ଧରି ॥ ୭୨
ଏ ତ ଆଶ୍ଚର୍ଯ୍ୟ ବଡ ଏଣେ । କ୍ଷଣକେ ଚାଲିଗଲେ କେଣେ ॥ ୭୩
ଏ ଅନ୍ତେ ସିଦ୍ଧ ଚାରିଜଣ । ତାଙ୍କର ରୂପ ମନୋରମ ॥ ୭୪
ପାଶେ ବନ୍ଧନ ମୋତେ କରି । ଅଧୋଭୂମିକୁ ନେଉଁ ଧରି ॥ ୭୫
ଛଡାଇ ଦେଲେ ଏହିକ୍ଷଣି । କ୍ଷଣକେ ଗଲେ କାହିଁ ପୁଣି ॥ ୭୬
ମୁଁ ତ ଅଟଇ ପାପୀହୀନ । ମୋହର ଦେବ-ଦରଶନ ॥ ୭୭
ଏଣୁ ହୋଇଲା ଏ ମଙ୍ଗଳ । ଆତ୍ମା ମୋ ହୋଇଲା ସୁଫଳ ॥ ୭୮
ଅଶୁଚି ଦାସୀପତି ମୁହିଁ । ମୋ ତହୁଁ ପାପୀ ଅଛି କାହିଁ ॥ ୭୯
ମୋହର ମରଣର କାଳେ । ନାମକୀର୍ତ୍ତନ ଅବହେଳେ ॥ ୮୦
ଜିହ୍ୱା ମୋ କେମନ୍ତେ ବୋଇଲା । ଶ୍ରୀକୃଷ୍ଣ ମୋତେ ଦୟାକଲା ॥ ୮୧
ମୁଁ କାହିଁ ଧୂର୍ତ୍ତ ପାପୀବର । ବିପ୍ରକୁଳର ଲଜ୍ଜାକର ॥ ୮୨
ସର୍ବ ମଙ୍ଗଳର କାରଣ । ବୈକୁଣ୍ଠନାମ ଉଚ୍ଚାରଣ ॥ ୮୩
କେମନ୍ତେ ବୋଇଲଇଁ ମୁହିଁ । ଦୟା ଯେ କଲେ ଭାବଗ୍ରାହୀ ॥ ୮୪
ଇନ୍ଦ୍ରି-ଅଜିତ ମୁଁ ଅଟଇ । ଏମନ୍ତ କରିବଇଁ ମୁହିଁ ॥ ୮୫
ଯେମନ୍ତେ ଆତ୍ମାଭୋଗ ଛାଡି । ବ୍ରହ୍ମଭାବରେ ରହେ ବୁଡି ॥ ୮୬
ଅବିଦ୍ୟା-କାମକର୍ମୁ ଜନ୍ମ । ମୋଚନ କରି ଏ ବନ୍ଧନ ॥ ୮୭
ସର୍ବଭୂତରେ ଶାନ୍ତ ହୋଇ । ଦୟା ବହିବି ଚିତ୍ତେ ମୁହିଁ ॥ ୮୮
ଏ ମାୟାଗ୍ରସ୍ତ ମୋରମନ । ନିଶ୍ଚୟ କରିବି ମୋଚନ ॥ ୮୯
ଯେଉଁ ମାୟାରେ ମୋହ ମୁହିଁ । କ୍ରୀଡା-କୁରଙ୍ଗ ପ୍ରାୟ ହୋଇ ॥ ୯୦
ଦେହ ସମ୍ପଦ ମୋର ଯେତେ । ଅକ୍ଷୟ-ଦମ୍ଭ ଅବିରତେ ॥ ୯୧
ଏହାଙ୍କୁ ତେଜି ଶୁଦ୍ଧମନ । କୃଷ୍ଣ ଚରଣେ ହେଉ ଲୀନ ॥ ୯୨
ଶୁକଉବାଚ
ଏମନ୍ତେ ଜାତ ଦିବ୍ୟଜ୍ଞାନ । ଯେଣୁ ତା ସାଧୁ ଦରଶନ ॥ ୯୩
ତେଜିଣ ସକଳ-ବନ୍ଧନ । ଗଙ୍ଗାଦ୍ୱାରକୁ ଆଗମନ ॥ ୯୪
ଦେବସଦନେ ବିପ୍ର ଯାଇ । ନିଶ୍ଚଳ ମନେ ଯୋଗ ଧ୍ୟାୟି ॥ ୯୫
ଇନ୍ଦ୍ରିୟ ନିଗ୍ରହ କରିଣ । ବ୍ରହ୍ମେ ନିବେଶି ସ୍ଥିରମନ ॥ ୯୬
ସକଳ-ଗୁଣ ପରିହରି । ଆତ୍ମାକୁ ସମାଧିରେ ଧରି ॥ ୯୭
ପରମବ୍ରହ୍ମେ ମନ ଦେଲା । ମନକୁ ତହିଁ ନିବେଶିଲା ॥ ୯୮
ବ୍ରହ୍ମଭାବନେ ସ୍ଥିରମନ । ଦେଖିଲା ବିଷ୍ଣୁଦୂତମାନ ॥ ୯୯
ପୂର୍ବେ ଯେ ରୂପ ଦେଖିଥିଲା । ପୁଣି ଦେଖନ୍ତେ ପ୍ରଣମିଲା ॥ ୧୦୦
ଗଙ୍ଗାଜଳରେ ଦ୍ୱିଜବର । ତେଜିଲା ନିଜ କଳେବର ॥ ୧୦୧
ତକ୍ଷଣେ ବିଷ୍ଣୁ ଦୂତପ୍ରାୟେ । ହୋଇଲା ତାର ଦିବ୍ୟକାୟେ । ୧୦୨
ବିଷୟ-ଦୁର୍ଗତି ଖଣ୍ଡନ । ବେଷ୍ଟିତ ହୋଇ ବିଷ୍ଣୁଗଣ ॥ ୧୦୩
ହେମବିମାନ ଆରୋହିଲା । ତକ୍ଷଣେ ବିଷ୍ଣୁଲୋକେ ଗଲା ॥ ୧୦୪
ଦାସୀପତି ପତିତକର୍ମ । ନଷ୍ଟ ତାହାର ସର୍ବଧର୍ମ ॥ ୧୦୫
ବ୍ରତ-ବିହୀନ ନିନ୍ଦାଚାର । ନରକେ ପଡନ୍ତା ଶରୀର ॥ ୧୦୬
ଈଶ୍ୱର-ନାମ-ଗ୍ରହଣରୁ । ତତ୍କାଳ ମୁକ୍ତି ନରକରୁ ॥ ୧୦୭
ମୋକ୍ଷବାଞ୍ଛିତ ନରଙ୍କର । କୃଷ୍ଣକୀର୍ତ୍ତନୁ ନାହିଁ ପର ॥ ୧୦୮
କର୍ମବନ୍ଧନର ଛେଦନ । ଏହାର ସମ ନାହିଁ ଆନ ॥ ୧୦୯
ଯେ ମନରଜ-ତମେ ଥାଇ । କର୍ମେ ମଳିନ ସେ ହୁଅଇ ॥ ୧୧୦
ପରମ ଗୁହ୍ୟ ଅଘ ନାଶ । ନାମ-ମାହାତ୍ମ୍ୟ ଇତିହାସ ॥ ୧୧୧
ସେ ଯେବେ କୃଷ୍ଣନାମ ଧରେ । ଅଶେଷ-ପାତକ ନିବାରେ ॥ ୧୧୨
ଶୁଣଇ ଶ୍ରଦ୍ଧାଯୁକ୍ତ ହୋଇ । ବଦନେ କୀର୍ତ୍ତନ କରଇ ॥ ୧୧୩
ସେ ପ୍ରାଣୀ ନରକେ ନ ଯାଇ । ଯମଯାତନା ତାକୁ ନାହିଁ ॥ ୧୧୪
ତେବେ ନିର୍ମଳ ପ୍ରାଣୀ ହୋଏ । ନିଶଙ୍କେ ବିଷ୍ଣୁଲୋକେ ରହେ ॥ ୧୧୫
ଦେଖ ବ୍ରାହ୍ମଣ ପାପୀ ଥିଲା । ଅନ୍ତେ କୃଷ୍ଣଙ୍କୁ ସୁମରିଲା ॥ ୧୧୬
ଦେଖି ନିକଟେ ତା ମରଣ । ପୁତ୍ରର ନାମ ନାରାୟଣ ॥ ୧୧୭
ନାମକୁ ଆକୁଳେ ଉଚ୍ଚାରି । ଭବସାଗରୁ ହେଲା ପାରି ॥ ୧୧୮
ସକଳ ପାପେ ଅଧିକାରୀ । ସେହି ଲଭିଲା ନରହରି ॥ ୧୧୯
ସର୍ବ-ଦୁଷ୍କୃତ ତାର ଗଲା । ପରମପଦ ସେ ଲଭିଲା ॥ ୧୨୦
ଶ୍ରଦ୍ଧାରେ ନାମ ଯେ ଉଚ୍ଚାରେ । ତାର ମହିମା କେ ବିସ୍ତାରେ ॥ ୧୨୧
ଶୁଣ ରାଜନ ପୁଣ୍ୟଆତ୍ମା । ଗୋବିନ୍ଦ-ନାମର ମହିମା ॥ ୧୨୨
ନିଶ୍ଚଳଚିତ୍ତେ କୃଷ୍ଣଭଜ । ଏ ଭବବନ୍ଧମାୟା ତେଜ ॥ ୧୨୩
ଶ୍ରୀକୃଷ୍ଣନାମର ମହିମା । ଶୁକ କହିଲେ ଗୁଣସୀମା ॥ ୧୨୪
ସୁଜନେ ଏଣେ ଚିତ୍ତକର । ଏ ମାୟାବନ୍ଧନୁ ନିସ୍ତର ॥ ୧୨୫
ବୋଲଇ ଦାସ ଜଗନ୍ନାଥ । ଷଷ୍ଠସ୍କନ୍ଧରେ ଭାଗବତ ॥ ୧୨୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ
ଷଷ୍ଠସ୍କନ୍ଧେ ଅଜାମିଳ ଉପାଖ୍ୟାନେ
ଦ୍ୱିତୀୟୋଽଧ୍ୟାୟଃ ॥
* * *