ଷଷ୍ଠ ସ୍କନ୍ଧ
ପ୍ରଥମ ଅଧ୍ୟାୟ
ନମଇଁ ନୃସିଂହ ଚରଣ । ଅନାଦି ପରମ କାରଣ ॥ ୧
ଶୁକ ଚରଣେ ପ୍ରଣମିତ । ହୋଇ ବୋଲନ୍ତି ପରୀକ୍ଷିତ ॥ ୨
ପରୀକ୍ଷିତ ଉବାଚ
ଏକ ସଂଶୟ ମୋର ମନ । ତେଣୁ ମୁଁ କରି ନିବେଦନ ॥ ୩
ଭୋ ଭାଗବତ ତୁମ୍ଭେ ଆଦ୍ୟେ । କହିଲ ଯା ଦ୍ୱିତୀୟସ୍କନ୍ଧେ ॥ ୪
ଆଦ୍ୟରେ ଭଗବାନ ବ୍ରହ୍ମା । ଅଷ୍ଟ ଐଶ୍ୱର୍ଯ୍ୟ ସୁଖ ସୀମା ॥ ୫
ନିବୃତ୍ତିମାର୍ଗେ ଯା କହିଲେ । ତା ଯୋଗେଶ୍ୱର ନ ଜାଣିଲେ ॥ ୬
ନିବୃତ୍ତି ମାର୍ଗେ ଚକ୍ରପାଣି । କେବଳ ଯୋଗେ ତା ବଖାଣି ॥ ୭
ଯୋଗେ ଲଭନ୍ତି ପ୍ରଜାପତି । କ୍ରମେ ତାଙ୍କର ସଙ୍ଗେ ମୁକ୍ତି ॥ ୮
ଆର ପ୍ରବୃତ୍ତିମାର୍ଗ ଯେହି । ସ୍ୱର୍ଗାଦିସୁଖ ଯହିଁ ପାଇ ॥ ୯
ପ୍ରକୃତି ବିଲୟ ଅଭାବେ । ଜନ୍ମ ମରଣ ଜୀବ ଲଭେ ॥ ୧୦
କେମନ୍ତ ରୂପେ ତା ପ୍ରକାଶ । ବିଷ୍ଣୁର ମାୟାରେ ପ୍ରବେଶ ॥ ୧୧
ସ୍ଥିର ସମୂହ ଦୁଷ୍ଟଗଣ । ପ୍ରବୃତ୍ତି ସୃଷ୍ଟି ନୋହେ ଭିନ୍ନ ॥ ୧୨
ପୁଣି ହୁଏ ସେ ପୁଣି ଯାଏ । ସେ ମାର୍ଗ କହିଲ ତୃତୀୟେ ॥ ୧୩
ଯେ ନାନା ଅଧର୍ମ ଲକ୍ଷଣ । ନରକମାନଙ୍କ ବର୍ଣ୍ଣନ ॥ ୧୪
ଯେ ସ୍ୱାୟମ୍ଭୁବ ମନୁ ଆଦି । କହିଲ ଚତୁର୍ଥେ ସମ୍ପାଦି ॥ ୧୫
ଉତ୍ତାନପାଦ ପ୍ରିୟବ୍ରତ । ଏ ବେନି ବଂଶାନୁଚରିତ ॥ ୧୬
ଦ୍ୱୀପ ବରଷ ମହୀଧର । ନଦୀ ଉଦ୍ୟାନ ଯେ ସାଗର ॥ ୧୭
ପୃଥିବୀ ମଣ୍ଡଳର ସ୍ଥାନ । ସୂର୍ଯ୍ୟମଣ୍ଡଳ ଜ୍ୟୋତିର୍ଗଣ ॥ ୧୮
ଚନ୍ଦ୍ର ତାରକା ଆଦି କରି । ଭାଗ ବିବର ଅନୁସରି ॥ ୧୯
ଯେମନ୍ତ ପ୍ରକାରେ ଈଶ୍ୱର । ରଚିଲେ ଅଖିଳ ସଂସାର ॥ ୨୦
ନାନା ପ୍ରକାରେ ଯେ ନରକ । ପ୍ରାଣୀ ସଞ୍ଚରନ୍ତି ଅନେକ ॥ ୨୧
ଉଗ୍ର ଯାତନାକୁ ଭୁଞ୍ଜନ୍ତି । କି କଲେ ତହିଁ ନ ପଡ଼ନ୍ତି ॥ ୨୨
ବିଶେଷ କରି ମହାଭାଗ । କହ ତୁ ଭାବେ ମୋର ଆଗ ॥ ୨୩
ଶୁକଉବାଚ
ମନ ବଚନ ଶରୀରରେ । ଯେ ପ୍ରାଣୀ ପାପକାର୍ଯ୍ୟ କରେ ॥ ୨୪
ଇହଲୋକରେ ଦେହ ଧରି । ଯେବେ ପ୍ରାୟଶ୍ଚିତ୍ତ ନ କରି ॥ ୨୫
କି ଅବା ପରମଈଶ୍ୱରେ । ପୂଜା ନ କରେ ଭକ୍ତିଭରେ ॥ ୨୬
ଅଥବା ନାମସଂକୀର୍ତ୍ତନେ । ଶ୍ରଦ୍ଧା ନ କରେ ଭଗବାନେ ॥ ୨୭
ବିଶେଷେ ଯାତନା ନରକ । ସେ ପ୍ରାଣୀ ଲଭେ ଅତିରେକ ॥ ୨୮
ଯେବଣ ପ୍ରକାରେ ଭିଷକ । କରଇ ଚିକିତ୍ସା ଅନେକ ॥ ୨୯
ରୋଗରୁ ଗୁରୁ ଲଘୁ ଜାଣି । ନିଦାନ କଥା ପରିମାଣି ॥ ୩୦
ତେମନ୍ତ ମରଣର ଆଗେ । ସଂଯତମନା ହୋଇ ବେଗେ ॥ ୩୧
ପାପର ନିବାରଣ ଅର୍ଥେ । କରିବ ସଦ୍ୟ ପ୍ରାୟଶ୍ଚିତ୍ତେ ॥ ୩୨
ପରୀକ୍ଷିତ ଉବାଚ
ପାପ ଅହିତ ପରିମାଣି । ତଥାପି ବିଷୟାରେ ପ୍ରାଣୀ ॥ ୩୩
ପାପରେ ପୁଣିହିଁ ପ୍ରବର୍ତ୍ତେ । କି କାର୍ଯ୍ୟ ତେବେ ପ୍ରାୟଶ୍ଚିତ୍ତେ ॥ ୩୪
କେବେ ବା ପାପୁ ନିବର୍ତ୍ତଇ । ପୁଣି ହିଁ ପାପ ଆଚରଇ ॥ ୩୫
ଏଥୁ ଅନ୍ତରେ ପ୍ରାୟଶ୍ଚିତ୍ତେ । କୁଞ୍ଜରସ୍ନାନ କଲା ମତ ॥ ୩୬
ଏମନ୍ତ ରାଜନ ବଚନେ । ଶୁକ କହନ୍ତି ତୋଷମନେ ॥ ୩୭
କର୍ମରେ କରି କର୍ମମାନ । ନିଗ୍ରହ କରନ୍ତି ଯେ ଜନ ॥ ୩୮
କର୍ମ ସମୂଳେ ନାଶ ନୋହି । ଏହାର ସ୍ୱଭାବଟି ଏହି ॥ ୩୯
ଅଜ୍ଞାନୀ ଅଧିକାରୀ ଯେଣୁ । ବିଫଳ ପ୍ରାୟଶ୍ଚିତ୍ତ ତେଣୁ ॥ ୪୦
ସୁପଥ୍ୟ ଗ୍ରାସ ଯେ ନକରେ । ତାହାକୁ ବ୍ୟାଧି ପୀଡା କରେ ॥ ୪୧
ଏହି ନିୟମ ଯେ କରନ୍ତି । କର୍ମେ କଲ୍ୟାଣ ସେ ଲଭନ୍ତି ॥ ୪୨
ଦେହ ବଚନ ବୁଦ୍ଧି ଘେନି । ଯେ ପାପ କରିଥାଏ ପ୍ରାଣୀ ॥ ୪୩
ତପସ୍ୟା ଯମ ନିୟମରେ । ସମ ଦମ ତ୍ୟାଗ ଶୌଚରେ ॥ ୪୪
ସତ୍ୟ ବ୍ରହ୍ମଚର୍ଯ୍ୟ ଦୀକ୍ଷାରେ । ଜ୍ଞାନୀ ନାଶନ୍ତି ପାପଘୋରେ ॥ ୪୫
ଯେସନେ ଦହଇ ସକଳ । ବେଣୁର ଗୁଳ୍ମ ଦାବାନଳ ॥ ୪୬
ତେସନେ ଭକ୍ତିଯୋଗୁ କରି । ଗୋବିନ୍ଦ ଚରଣ ସୁମରି ॥ ୪୭
ମଳୟ ଚନ୍ଦନ ଯେସନ । ଅଗ୍ନିପାରୁଶେ ଯେହ୍ନେ ହେମ ॥ ୪୮
ଗୋବିନ୍ଦ ପାଦେ ଆଶ୍ରେ କରେ । ତେଣୁ ଅଘତିମିର ହରେ ॥ ୪୯
ଅଶେଷ ପାପମାନ ନାଶେ । ତମ ଯେସନେ ରବିତ୍ରାସେ ॥ ୫୦
ହେ ରାଜା ଅଘବନ୍ତ ଯେହି । ତପେ ପବିତ୍ର ତେଡେ ନୋହି ॥ ୫୧
ଯେମନ୍ତ କୃଷ୍ଣର ବିଷୟେ । ପ୍ରାଣ ଅର୍ପିଲେ ଶୁଦ୍ଧ ହୋଏ ॥ ୫୨
ସୁଶୀଳ ସାଧୁ ଯେଉଁ ଜନ । ନାରାୟଣରେ ପରାୟଣ ॥ ୫୩
ତାହାଙ୍କ ଭକ୍ତିପଥମାନ । ଲୋକର କଲ୍ୟାଣ କାରଣ ॥ ୫୪
ସେ ନିତ୍ୟେ ଥାନ୍ତି ପରହିତେ । ଜଗତ ଦେଖେ ଆତ୍ମାଗତେ ॥ ୫୫
ଶୁଣ ରାଜନ ପରିମାଣି । କୃଷ୍ଣ-ବିମୁଖ ଯେତେ ପ୍ରାଣୀ ॥ ୫୬
ତାହାଙ୍କ ତପେ ଯେତେ ଫଳ । ସକଳ ହୁଅଇ ନିଷ୍ଫଳ ॥ ୫୭
ଶ୍ରୀକୃଷ୍ଣ-ପାଦପଦ୍ମ ଦୁଇ । ତା ଗୁଣେ ଅନୁରାଗୀ ହୋଇ ॥ ୫୮
ତାହାର ଯେଉଁ ଲୟ ଧ୍ୟାନ । ନିବେଦନରେ ତନୁ ମନ ॥ ୫୯
ଯେ ଏକାବେଳେ ବୋଲେ ନାମ । ସ୍ୱପ୍ନେ ସେ ନ ଦେଖଇ ଯମ ॥ ୬୦
ଯା ଦୂତ ଦଣ୍ଡ-ପାଶଧର । ନ ଦେଖେ ଚିହ୍ନ ତାହାଙ୍କର ॥ ୬୧
ଯେ ଇତିହାସ ପୁରାତନ । କହିବା ଶୁଣ ସାବଧାନ ॥ ୬୨
ବିଷ୍ଣୁଙ୍କ ଦୂତ ଯମଦୂତ । ସମ୍ବାଦ ଅତି ଅଦଭୂତ ॥ ୬୩
କାନ୍ୟକୁବୁଜ ନାମେ ଦେଶ । ଅଜାମିଳର ତହିଁ ବାସ ॥ ୬୪
ଆଶ୍ରମେ ଦ୍ୱିଜ ସେ ବୋଲାଇ । ସ୍ୱଭାବେ ଦାସୀପତି ହୋଇ ॥ ୬୫
ସଦାଚାରକୁ ନଷ୍ଟ କରି । ଦାସୀର ସଂସର୍ଗ ଆଚରି ॥ ୬୬
କୈତବ ଚୌର୍ଯ୍ୟପଣେ ଥାଇ । କୁତ୍ସିତକର୍ମ ଆଚରଇ ॥ ୬୭
ଏମନ୍ତେ କେତେଦିନ ଗଲା । ତାହାର ପୁତ୍ର ଉପୁଜିଲା ॥ ୬୮
ସେ ନଗ୍ରେ ଥାଇ ଦାସୀପତି । ପୁତ୍ରପାଳନେ ସଦା ମତି ॥ ୬୯
ଅଠାଶୀ ବରଷେ ତାହାର । କାଳ ହୋଇଲା ନୃପବର ॥ ୭୦
ବୃଦ୍ଧବୟସେ ତାର ସୁତ । ହୋଇଲା ଦଶ ପରିମିତ ॥ ୭୧
କନିଷ୍ଠ ନାମ ନାରାୟଣ । ପିତାର ଆନନ୍ଦ କାରଣ ॥ ୭୨
ତାହାର ତହିଁ ଚିତ୍ତ ଥାଇ । ଅନ୍ୟତ୍ର କେବେହେଁ ନ ଦେଇ ॥ ୭୩
ବାଳକ ସ୍ୱଭାବେ ଅଲ୍ୟଳ । ବଚନ କହଇ ମୃଦୁଳ ॥ ୭୪
ତାହାର ଲୀଳାମାନ ଦେଖି । ହରଷ କେ ପାରିବ ଲେଖି ॥ ୭୫
ଭୋଜନ-ଜଳପାନ ବେଳେ । ନାନାପ୍ରକାରେ ସୁଖ ଭୋଳେ ॥ ୭୬
ବାଳକ-ସ୍ନେହେ ବଶ ହୋଇ । ଅଗ୍ରଭୋଜନ ତାକୁ ଦେଇ ॥ ୭୭
ମରଣ ନ ଜାଣଇ ମୂଢ଼ । ବାଳକ-ସ୍ନେହେ ଚିତ୍ତ ଦୃଢ଼ ॥ ୭୮
ମରଣକାଳ ଉପଗତ । ତକ୍ଷଣେ କରି ଦୃଢ଼ଚିତ୍ତ ॥ ୭୯
ବାଳକ ନାମ ନାରାୟଣ । ମତି ନିବେଶିଲା ତକ୍ଷଣ ॥ ୮୦
ଯମର ଦୂତ ପାଶ କରେ । ମିଳିଲେ ତାର ସମୀପରେ ॥ ୮୧
ଉଚ୍ଚପୁରୁଷ ଭୟଙ୍କର । ବକ୍ର ବଦନ ମହାଘୋର ॥ ୮୨
ଲମ୍ବଲୋମ ସର୍ବଶରୀର । ଦେଖି ଅଜାମିଳ କାତର ॥ ୮୩
ଦୂରେ ବାଳକସଙ୍ଗେ ମିଳି । ତାହାର ପୁତ୍ର କରେ କେଳି ॥ ୮୪
ଗଭୀରସ୍ୱରେ ଉଚ୍ଚ କରି । ଡାକିଲା ପୁତ୍ରନାମ ଧରି ॥ ୮୫
ଇନ୍ଦ୍ରିୟ-ଆକୁଳେ ତକ୍ଷଣ । ଡାକିଲା ପୁତ୍ର ନାରାୟଣ ॥ ୮୬
ମଲା ଅଜାମିଳ ବ୍ରାହ୍ମଣ । ସେ ନାମ କରି ସଂକୀର୍ତ୍ତନ ॥ ୮୭
ଯମର ଦୂତେ ଥିଲେ ବେଢି । ହସ୍ତରେ ପାଶରଜ୍ଜୁ ଧରି ॥ ୮୮
ଶୁଣି ତା ମୁଖୁ ନାରାୟଣ । ଆସି ମିଳିଲେ ବିଷ୍ଣୁଗଣ ॥ ୮୯
ଏମନ୍ତେ ବିଷ୍ଣୁଦୂତେ ମିଳି । ଗନ୍ଧ-ଆମୋଦେ ଦିଗ ପୂରି ॥ ୯୦
ରୂପେ କି ଦେବା ପଟାନ୍ତର । ସୁବର୍ଣବେତ ଧରି କର ॥ ୯୧
ପୀତବସନ ପହରଣ । ଦିଶନ୍ତି ଦଗ୍ଧସ୍ୱର୍ଣ୍ଣବର୍ଣ୍ଣ ॥ ୯୨
ସେ ଅଜାମିଳହୃଦୟରୁ । ଜୀବକୁ ଆକର୍ଷଣ କରୁ ॥ ୯୩
ଯମଦୂତଙ୍କୁ ବିଷ୍ଣୁଦୂତେ । ବଳେ ନିବାରିଲେ ତୁରିତେ ॥ ୯୪
ବଇବସ୍ୱତ ପ୍ରଭୁ ଯାର । ସେ ଦୂତମାନଙ୍କ ଉପର ॥ ୯୫
ପ୍ରହାର କଲେ ବିଷ୍ଣୁଦୂତେ । ତାଙ୍କୁ କହନ୍ତି ଯମଦୂତେ ॥ ୯୬
ବିଷ୍ଣୁଦୂତମାନଙ୍କୁ କହି । ତୁମ୍ଭେ ନିବାର କାହିଁ ପାଇଁ ॥ ୯୭
ଧର୍ମରାଜର ଆଜ୍ଞାମାନ । କିମ୍ପାଇଁ କରୁଛ ଲଂଘନ ॥ ୯୮
କାହାର ତୁମ୍ଭେମାନେ ଦୂତ । କାହୁଁ ବା ଅଇଳ ତୁରିତ ॥ ୯୯
କିମ୍ପାଇଁ ଆମ୍ଭଙ୍କୁ ନିରୋଧ । କିବା ଉତ୍ତମ ତୁମ୍ଭେ ସିଦ୍ଧ ॥ ୧୦୦
କିବା ଦେବତା ତୁମ୍ଭେମାନେ । ଥାଅ ଦେବଙ୍କ ସନ୍ନିଧାନେ ॥ ୧୦୧
ତୁମ୍ଭର ଚକ୍ଷୁ ପଦ୍ମତୁଲ୍ୟ । ବିରାଜେ କିରୀଟ କୁଣ୍ଡଳ ॥ ୧୦୨
ଉରେ ଲମ୍ବଇ ବନମାଳ । ଶୋଭିତ ଯେ ପୀତ ଦୁକୂଳ ॥ ୧୦୩
ସର୍ବ ଲକ୍ଷଣ ତୁମ୍ଭ ଦେହ । ଚାରୁ ଚତ୍ୱାର ଭୁଜ ବହ ॥ ୧୦୪
ଶଙ୍ଖ ଚକ୍ର ଗଦା କମଳ । ଏଣେ ଶୋଭିତ ଯେ ତୁମ୍ଭର ॥ ୧୦୫
ଧନୁ ଖଡ଼ଗ ତୂଣ ଶର । ଏ ସର୍ବ ଆୟୁଧ ତୁମ୍ଭର ॥ ୧୦୬
ଦିଗମାନଙ୍କର ତିମିର । ଆତ୍ମକାନ୍ତିରେ କଲ ଦୂର ॥ ୧୦୭
ଆମ୍ଭେ ଧର୍ମରାଜ-କିଙ୍କର । କିମ୍ପା ନିରୋଧ ତୁମ୍ଭେ କର ॥ ୧୦୮
କି ହେତୁ ଏମନ୍ତ ଆଚର । କହିବା ଆମ୍ଭର ଆଗର ॥ ୧୦୯
ଆମ୍ଭମାନଙ୍କୁ ଦୟା ବହ । କିହେତୁ କିବା ପରିଚୟ ॥ ୧୧୦
ଶୁକ ଉବାଚ
ଯମଦୂତଙ୍କ କଥା ଅନ୍ତେ । ହସି କହନ୍ତି ବିଷ୍ଣୁଦୂତେ ॥ ୧୧୧
ମେଘ-ଗମ୍ଭୀର ପ୍ରାୟେ ବାଣୀ । ଯମଦୂତଙ୍କ ଆଗେ ଭଣି ॥ ୧୧୨
ବିଷ୍ଣୁଦୂତ ଉବାଚ
ତୁମ୍ଭେ ଦୂତ ଧର୍ମରାଜାର । ତାହାଙ୍କ ଆଜ୍ଞା ଯେବେ କର ॥ ୧୧୩
ଧର୍ମ ଅଧର୍ମର ଲକ୍ଷଣ । କହିବା ଆମ୍ଭର ଆଗେଣ ॥ ୧୧୪
ପ୍ରାଣୀ କି କଲେ ଦଣ୍ଡପାଇ । ଦଣ୍ଡର ସ୍ଥାନ କେବା ହୋଇ ॥ ୧୧୫
ଦଣ୍ଡକୁ ସହଇ କେମନ୍ତେ । ମନୁଷ୍ୟ-ଜନ୍ତୁ ଏ ଜଗତେ ॥ ୧୧୬
ଯମଦୂତ ଉବାଚ
ବେଦବିହିତ ଯେତେ କର୍ମ । ସେହି ସଂସାରେ ନିତ୍ୟଧର୍ମ ॥ ୧୧୭
ତା ବିନୁ ଅନ୍ୟକର୍ମ ଯେତେ । ଅଧର୍ମ ବୋଲି ଶାସ୍ତ୍ରମତେ ॥ ୧୧୮
ସାକ୍ଷାତେ ବେଦ ନାରାୟଣ । ଏ ନିଶ୍ଚେ ବ୍ରହ୍ମାର ବଚନ ॥ ୧୧୯
ଏ ଦେବ ଆପଣା ଶକ୍ତିରେ । ସତ୍ତ୍ବ ରଜ ତମଗୁଣରେ ॥ ୧୨୦
ଗୁଣ ନାମ କ୍ରିୟା ରୂପରେ । ଯଥାତଥାରେ ଭିନ୍ନ କରେ ॥ ୧୨୧
ସୂର୍ଯ୍ୟ ଚନ୍ଦ୍ର ଦିଗ ଆକାଶ । ପବନ ସଂଧ୍ୟା ଅହର୍ନିଶ ॥ ୧୨୨
ବେବ ଭୂ ଜଳ ଅଗ୍ନି ଧର୍ମ । ଦେହୀ ଧର୍ମର ସାକ୍ଷୀ ଜାଣ ॥ ୧୨୩
ପାପକୁ ଏଣେ କରି ଜାଣି । ଦଣ୍ଡର ସ୍ଥାନ ପରିମାଣି ॥ ୧୨୪
କର୍ମଆୟତ୍ତ ହୋଇ ଜନ । ଦଣ୍ଡରେ ହୁଅଇ ଭାଜନ ॥ ୧୨୫
ଆହେ ନିଷ୍ପାପ ପ୍ରାଣୀମାନେ । କର୍ମ କରନ୍ତି ଯେତେ ଜନେ ॥ ୧୨୬
ସତକର୍ମ ଯେମାନେ କରନ୍ତି । ସ୍ୱକର୍ମ ଫଳ ସେ ଲଭନ୍ତି ॥ ୧୨୭
ମନ୍ଦକରମଯୁକ୍ତ ଯେହୁ । ସଫଳ ଲଭିବ ସେ କାହୁଁ ॥ ୧୨୮
ବିଧି ନିଷେଧ ବେନିକର୍ମ । ଏ ନିତ୍ୟେ କହନ୍ତି ଆଗମ ॥ ୧୨୯
ବିହିତକର୍ମ ଯେ କରଇ । ତାର ପାପକୁ ଭୟ ନାହିଁ ॥ ୧୩୦
ନିଷେଧକର୍ମ କରେ ଯେହୁ । ସକଳ ଦଣ୍ତ ସହେ ସେହୁ ॥ ୧୩୧
ଏ ଘେନି ବେଦ ବ୍ରହ୍ମମୟେ । ସୁଜନ ବେଦମାର୍ଗେ ରହେ ॥ ୧୩୨
ଧର୍ମ ଅଧର୍ମ ଆଚରଣ । କରନ୍ତି ଯେହୁ ପ୍ରାଣୀମାନ ॥ ୧୩୩
ସେ ପ୍ରାଣୀମାନେ ଅବନୀରେ । ଫଳାଫଳକୁ ଭୋଗକରେ ॥ ୧୩୪
ହେ ଦେବଶ୍ରେଷ୍ଠ ତୁମ୍ଭେମାନେ । ସଂସାରେ ପ୍ରାଣୀମାନେ ଯେହ୍ନେ ॥ ୧୩୫
ତ୍ରିବିଧ-ଲକ୍ଷଣ ଲଭନ୍ତି । ଯେ ଯଥାକର୍ମ ଆଚରନ୍ତି ॥ ୧୩୬
ଗୁଣ ବିଚିତ୍ରଭାବୁଁ କରି । ପ୍ରାଣୀଙ୍କ ବିଷୟ ଆଚରି ॥ ୧୩୭
କାଳର ବର୍ତ୍ତମାନ ଗୁଣ । ଭୂତ ଭବିଷ୍ୟତ ପ୍ରମାଣ ॥ ୧୩୮
ତେସନେ ପ୍ରାଣୀ ଇହଜନ୍ମ । ପ୍ରକାଶ କରେ ଧର୍ମାଧର୍ମ ॥ ୧୩୯
ଯେ ଧର୍ମରାଜ ଜନ୍ତୁସାଇଁ । ସେ ସଞ୍ଜମନୀପୁରେ ଥାଇ ॥ ୧୪୦
ପ୍ରାଣୀର ଅନ୍ତର୍ଯ୍ୟାମୀ ହୋଇ । ଧର୍ମ ଅଧର୍ମକୁ ଜାଣଇ ॥ ୧୪୧
ତମୋଗୁଣରେ ଯୁକ୍ତ ହୋଇ । ସତ୍ତ୍ବଗୁଣକୁ ନ ଭାବଇ ॥ ୧୪୨
ଏ ଦେହେ ଅହମିକା ବହି । ଜନ୍ମ ଅକାରଣେ ନାଶଇ ॥ ୧୪୩
ଜ୍ଞାନ କରମ ଦଶେନ୍ଦ୍ରିୟ । ମନ ଆର ପଞ୍ଚବିଷୟ ॥ ୧୪୪
ଏ ଷଟଦଶ ଲିଙ୍ଗ ଦେହେ । ଏ ଜୀବ ଭୁଞ୍ଜଇ ବିଷୟେ ॥ ୧୪୫
ଯେ ଅବା ପଞ୍ଚଭୂତ ଗୁଣ । ସୃଷ୍ଟିକି କରଇ ଭିଆଣ ॥ ୧୪୬
ମହତତତ୍ତ୍ବ ଅହଙ୍କାର । ଏ ଆଦି ଯେତେକ ଅପର ॥ ୧୪୭
ତ୍ରିଗୁଣଶକ୍ତି ଆଦି ଯେତେ । ଏହାକୁ ଧରି ହୃଦଗତେ ॥ ୧୪୮
ଏମନ୍ତ ପ୍ରକାରଣେ ଦେହୀ । ହରଷ-ଶୋକକୁ ଲଭଇ ॥ ୧୪୯
ତେଣୁ ଷଡବର୍ଗ ଅଜିତ । କରଇ କର୍ମ ବିପରୀତ ॥ ୧୫୦
କୋଶକାରର ପ୍ରାୟ ହୋଇ । କର୍ମରେ ଆତ୍ମାକୁ ରୋଧଇ ॥ ୧୫୧
ଏଥୁ ଅନ୍ତରେ ପୁଣି ସେହି । ତହିଁ ରହଇ ମୋହ ହୋଇ ॥ ୧୫୨
ସ୍ୱଭାବେ କର୍ମବଶ ହୋଇ । ନିରତେ କର୍ମକୁ କରଇ ॥ ୧୫୩
ଏଥୁ ଅନ୍ତରେ ପୂଣ ସେହି । ଅଦୃଷ୍ଟବଶେ ଦେହ ବହି ॥ ୧୫୪
ମାତାପିତାର ଅନୁରୂପ । ଲଭଇ ସ୍ଥୂଳ-ସୂକ୍ଷ୍ମରୂପ ॥ ୧୫୫
ପ୍ରକୃତି ସଙ୍ଗରୁ ପୁରୁଷ । ସର୍ବକର୍ମକୁ କରେ ନାଶ ॥ ୧୫୬
ପୂର୍ବବୃତ୍ତାନ୍ତ ଏବେ ଶୁଣ । ବେଦସମ୍ପୂର୍ଣ୍ଣ ଏ ବ୍ରାହ୍ମଣ ॥ ୧୫୭
ଧର୍ମଜ୍ଞ ଶୀଳବନ୍ତ ପୁଣ । ସୁଶାନ୍ତ ସୁଜ୍ଞାନୀ ନିପୁଣ ॥ ୧୫୮
ମୃଦୁ ମନ୍ତ୍ରଜ୍ଞ ଶୁଚିଦାତା । ସତ୍ୟବଚନ ଧୃତବ୍ରତା ॥ ୧୫୯
ଅତିଥି ବୃଦ୍ଧ ଗୁରୁ ଅଗ୍ନି । ଏହାଙ୍କ ସେବା ଶିରେ ଘେନି ॥ ୧୬୦
ସର୍ବଭୂତରେ ମିତ୍ରପଣ । କୋପବର୍ଜିତ ସାଧୁଗୁଣ ॥ ୧୬୧
ଅଶେଷ-ଗୁଣ-ସ୍ଥାନ ଏହି । ସୁଶୀଳବୃତ୍ତିରେ ଜୀଅଇଁ ॥ ୧୬୨
ପିତୃ ଆଜ୍ଞାକାରୀ ବ୍ରାହ୍ମଣ । ଏକକାଳେ ବନେ ଗମିଣ ॥ ୧୬୩
ପୁଷ୍ପ ସମିଧ ଫଳ କୁଶେ । ଘେନି ଆସଇ ମନତୋଷେ ॥ ୧୬୪
ସ୍ତିରୀ ସହିତେ ବନେ ଥିଲା । କାମୀ ଶୂଦ୍ରକୁ ଏ ଦେଖିଲା । ୧୬୫
ମଧୁପାନରେ ରକ୍ତନେତ୍ର । ବିହ୍ୱଳ ହୋଇଅଛି ଚିତ୍ତ ॥ ୧୬୬
ନୀବି ଖସିଛି ମତ୍ତଭରେ । ମୂଢ ଲଜ୍ଜାକୁ କରି ଦୂରେ ॥ ୧୬୭
ହାସ୍ୟ ଗାୟନ କ୍ରୀଡାରସେ । ଲୀଳା କରଇ ତାର ପାଶେ ॥ ୧୬୮
କନ୍ଦର୍ପେ ଲିପ୍ତମନ ହୋଇ । ଭୂଜେ ଆଲିଙ୍ଗନ କରଇ ॥ ୧୬୯
ବିପ୍ର ସ୍ତିରୀକୁ ଦେଖି କରି । ଇନ୍ଦ୍ରିୟବଶେ ଅନୁସରି ॥ ୧୭୦
ଏମନ୍ତେ ତାହାକୁ ଦେଖିଲା । ମନରେ ମୋହିତ ହୋଇଲା ॥ ୧୭୧
ଆପଣା ଆତ୍ମା ସ୍ଥିର କରି । ମନରେ ବହୁତ ବିଚାରି ॥ ୧୭୨
ହେଲେ ହେଁ ସତ୍ତ୍ବଗୁଣେ ସ୍ଥିତ । କନ୍ଦର୍ପେ ହୋଇଲା ପୀଡିତ ॥ ୧୭୩
ସ୍ତିରୀ-ବିଷୟେ ଅଭିରାମ । କପଟ ଗ୍ରହ ହୋଇ କାମ ॥ ୧୭୪
ତେଣେ ପ୍ରମତ୍ତମନ ତାର । ନିଜଧର୍ମକୁ କଲା ଦୂର ॥ ୧୭୫
ପୀନ-ଉରଜ ମନ ହରେ । ସ୍ନେହରେ ସ୍ତିରୀ ବିଷୟରେ ॥ ୧୭୬
ପରିତୋଷଣ ତାକୁ କରି । ସେବକମତେ ଆଜ୍ଞାକାରୀ ॥ ୧୭୭
କୋମଳବାକ୍ୟେ ମନ ହରି । ପ୍ରସନ୍ନ ଯେମନ୍ତେ ସୁନ୍ଦରୀ ॥ ୧୭୮
ନିଜ ଯୁବତୀ କୁଳସ୍ତିରୀ । ତେଜିଲା ବିପ୍ର ମନ୍ଦାଚାରୀ ॥ ୧୭୯
ସ୍ୱୈରିଣୀ ଅପାଙ୍ଗ ଇଙ୍ଗିତେ । ବନ୍ଦୀ ହୋଇଲା ତାର ଚିତ୍ତେ ॥ ୧୮୦
ତା ବିନୁ ନ ଜାଣଇ ଆନ । ତିଳେ ବିଚ୍ଛେଦ ନୋହେ ମନ ॥ ୧୮୧
ଅଧର୍ମବୁଦ୍ଧି ସେ ବ୍ରାହ୍ମଣ । ନିରତେ ବେଶ୍ୟା ପରାୟଣ ॥ ୧୮୨
ଧର୍ମେ ଅଧର୍ମେ ଧନ ଆଣି । ସନ୍ତୋଷ କରଇ ସ୍ୱୈରିଣୀ ॥ ୧୮୩
ଯେଉଁ କାରଣୁ ଲଙ୍ଘି ଶାସ୍ତ୍ର । ସ୍ୱୈରିଣୀରତ ଅବିରତ ॥ ୧୮୪
ଗର୍ହିତକର୍ମେ ପ୍ରବର୍ତ୍ତିଲା । ପୂର୍ବରୁ ଧର୍ମ ନାଶ କଲା ॥ ୧୮୫
ଏଣୁ ଏ ପାପୀ ଦ୍ୱିଜେ ନେଇ । ଯମର ଛାମୁରେ ଦେବଇଁ ॥ ୧୮୬
ବୋଲଇ ଜଗନ୍ନାଥ ଦାସ । ଯମଦୂତେ ବେଦ ପ୍ରକାଶ ॥ ୧୮୭
ଇତି ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ଅଜାମିଳ ଉପାଖ୍ୟାନେ
ପ୍ରଥମୋଽଧ୍ୟାୟଃ ॥
* * *