ପଞ୍ଚମ ସ୍କନ୍ଧ

ଷଡ଼୍‌ବିଂଶ ଅଧ୍ୟାୟ

ପରୀକ୍ଷିତ ଉବାଚ

ବିଚିତ୍ରଗତି ଲୋକଙ୍କର । ତୁମ୍ଭେ କହିଲ ମୁନିବର ॥

ଏ କଥା ସଂଶୟ ମୋ ମନେ । ଏବେ କହିବା ବିଦ୍ୟମାନେ ॥

ଏବେ କହିବା ଫଳଭାବ । ଯେମନ୍ତେ ତରଇ ଅର୍ଣ୍ଣବ ॥

ଶୁକ ଉବାଚ

ତ୍ରିଗୁଣେ ବିଚିତ୍ର ହୁଅଇ । ଶୁଣ ପରୀକ୍ଷ ମନଦେଇ ॥

କର୍ତ୍ତାରମତେ ଫଳଯାଇ । ଶ୍ରଦ୍ଧା-ଅଶ୍ରଦ୍ଧା ବେନି ହୋଇ ॥

ସାତ୍ତ୍ୱିକକର୍ମୀ ହୁଏ ସୁଖୀ । ରାଜସକର୍ମୀ ସୁଖୀଦୁଃଖୀ ॥

ତାମସ ଦୁଃଖୀ ଯେ ବିମୂଢ଼ । ଏ ତ‌ତ୍ତ୍ୱ ବୁଝେ ନାହିଁ ମୂଢ଼ ॥

ଯେତେ ଅଧର୍ମକାରୀଗଣ । ସଦା ଯେ ତମର ଅଧୀନ ॥

ତମୋଗୁଣଙ୍କ ଏହି ବ୍ରତ । ଲଭନ୍ତି ଫଳ ବିପରୀତ ॥

ସକଳ ଏକଭାବ ହୋଇ । କେବେହେଁ କେହି ନ ଭଜଇ ॥ ୧୦

ଏ ଅନନ୍ତରେ ଏବେ ଶୁଣ । ନିଷିଦ୍ଧ ଅଧର୍ମ ଲକ୍ଷର ॥ ୧୧

ଧର୍ମ ଅଧର୍ମ ବେନି ମତ । ଶ୍ରଦ୍ଧା ଅଶ୍ରଦ୍ଧା ଯେ ବିଦିତ ॥ ୧୨

ସମାନ କର୍ମଫଳମାନ । କାହାରି ନୁହଁଇ ରାଜନ ॥ ୧୩

ଯେତେ ଅବିଦ୍ୟା କାମ୍ୟକର୍ମ । ଏହା ଲକ୍ଷଣ ପରିଣାମ ॥ ୧୪

ଗତି ଯେ ଶତ ଶତ ମତ । ପ୍ରବୃତ୍ତ ହୁଏ ପରୀକ୍ଷିତ ॥ ୧୫

ଏହାର ଗତି ଅଗୋଚର । ବିସ୍ତାରି ବିର୍ଣ୍ଣବୁ ଅପର ॥ ୧୬

ପରୀକ୍ଷିତ ଉବାଚ

ଭୋ ମୁନି ତ୍ରିଲୋକ ବାହାରେ । ନରକ କିବା ଅନ୍ତରାଳେ ॥ ୧୭

କିବା ତ୍ରିଭୁବନ ମଧ୍ୟରେ । କହିବା ସାବଧାନେ ମୋରେ ॥ ୧୮

ଶୁକ ଉବାଚ

ସେ ତ‌ତ୍ତ୍ୱ ଶୁଣ ତୁ ରାଜନ । କହନ୍ତି ଋଷି ହୃଷ୍ଟମନ ॥ ୧୯

ତ୍ରିଜଗତର ଅନ୍ତରାଳ । ଦକ୍ଷିଣଦିଗେ ମହୀପାଳ ॥ ୨୦

ଭୂମିର ତଳେ ଜଳପରେ । ଅଗ୍ନିଷ୍ୱାତ୍ତସଭା ତହିଁରେ ॥ ୨୧

ସକଳ ପିତୃଗଣ ଯେତେ । ସ୍ୱଗୋତ୍ର କଲ୍ୟାଣ ନିମନ୍ତେ ॥ ୨୨

ଯହିଁ ବସନ୍ତି ହେ ରାଜନ । ତହିଁ ଅନ୍ତକ ଭଗବାନ ॥ ୨୩

ଅନ୍ତେ ଜୀବକୁ ସେ ନିଅନ୍ତି । ଯମପୁରୁଷେ ଦଣ୍ତ ଦ୍ୟନ୍ତି ॥ ୨୪

ଦୋଷ ଯେ କର୍ମ ଅନୁସରି । ଯେ ପ୍ରାଣୀ ଯାହା ଥାଇ କରି ॥ ୨୫

ଭଗବତ-ଆଜ୍ଞା ଲଂଘିଣ । ବିପଥେ ଯେ କରେ ଗମନ ॥ ୨୬

ତାହାଙ୍କୁ ନେଇ ଦଣ୍ତଧର । ଦଣ୍ତ ଯେ ଦିଅନ୍ତି ଅପାର ॥ ୨୭

ଏକବିଂଶତି ପରକାରେ । ନରକେ ଅଛନ୍ତି ଯହିଁରେ ॥ ୨୮

ଯେ ରୂପ ଯେ ନାମ ଲକ୍ଷଣ । କହିବା ଶୁଣ ହେ ରାଜନ ॥ ୨୯

ଅନ୍ଧକୂପ ଯେ ଅସିପତ୍ର । ଶୂକରମୁଖ କାଳସୂତ୍ର ॥ ୩୦

ଗୌରବ ମହା ଯେ ନରକ । ଅନ୍ଧତାମିସ୍ର କୁମ୍ଭୀପାକ ॥ ୩୧

ତାମିସ୍ର ଯେ କୃମିଭୋଜନ । ସନ୍ଦଂଶ ତପ୍ତସୂର୍ମି ନାମ ॥ ୩୨

ବଜ୍ରକଣ୍ଟକ ଶାଳମଳ । ବଇତରଣୀ ମହୀପାଳ ॥ ୩୩

ପ୍ରାଣରୋଧ ଯେ ବିଶସନ । ପୂୟୋଦ ସାରମେୟାଦନ ॥ ୩୪

ଅପରେ ଅବୀଚି ରାଜନ । ଲାଳାଭକ୍ଷ ଯେ ଅୟଃପାନ ॥ ୩୫

ଶୂଳପ୍ରୋତ କ୍ଷାର କର୍ଦ୍ଦମ । ଯେବା ରକ୍ଷୋଗଣ ଭୋଜନ ॥ ୩୬

ଅବଟନିରୋଧନ ଆର । ଦନ୍ଦଶୂକ ନାମେ ଅପର ॥ ୩୭

ସୂଚୀମୁଖ ପର୍ଯ୍ୟାବର୍ତ୍ତନ । ଅଷ୍ଟବିଂଶତି ଏହୁ ନାମ ॥ ୩୮

ଏ ଯେ ନରକ ମହୀପାଳ । ବିବିଧ ଯାତନାର ସ୍ଥଳ ॥ ୩୯

ପରସ୍ତିରୀ ଅପତ୍ୟ ଧନ । ଯେ ପ୍ରାଣୀ କରଇ ହରଣ ॥ ୪୦

ସେ କାଳପାଶେ ବନ୍ଦୀ ହୋଇ । ଯମର ପୁରେ ଦୁଃଖ ପାଇ ॥ ୪୧

ତାମିସ୍ରନରକେ ପଡ଼ଇ । ନାନା ଯାତନା ସେ ଭୁଞ୍ଜଇ ॥ ୪୨

କ୍ଷୁଧା-ପିପାସାରେ ପୀଡ଼ିତ । ହୋଇ ସେ ଦଣ୍ତରେ ତାଡ଼ିତ ॥ ୪୩

ନାନା ତର୍ଜନା ଯେ ପ୍ରହାର । ଯେତେ ଯାତନା ଭୟଙ୍କର ॥ ୪୪

ପରମକଷ୍ଟ ପାଇ ତହିଁ । କ୍ଷଣକ୍ଷଣକେ ମୋହ ଯାଇ ॥ ୪୫

ଅନ୍ଧତାମିସ୍ରେ ଏ ପ୍ରକାରେ । ଯାତନା ପ୍ରାଣୀ ଭୋଗକରେ ॥ ୪୬

କପଟେ ପରଦାରା ହରି । ଯେବେ ତାମିସ୍ରୁ ନ ଉବୁରି ॥ ୪୭

ତେବେ ପଡ଼ଇ ସେ ଯେ ତହିଁ । ଯାତନା-ସିନ୍ଧୁରେ ବୁଡ଼ଇ ॥ ୪୮

ନଷ୍ଟ ହୁଅଇ ମତି ତାର । ଦୃଷ୍ଟି ନାଶଇ ନୃପବର ॥ ୪୯

ମୁହିଁ ମୋହର ଭାବ ବହି । ପ୍ରାଣୀଦ୍ରୋହକୁ ଯେ ଚିନ୍ତଇ ॥ ୫୦

କୁଟୁମ୍ବ ପାଇଁ ହିଂସା ବହି । ସେ ପ୍ରାଣୀ ରୌରବେ ପଡଇ ॥ ୫୧

ସେ ଜୀବ ହିଂସନ୍ତି ସଂସାରେ । ତାହାଙ୍କୁ ପର ଯେ ଲୋକରେ ॥ ୫୨

ରୌରବ ମୂର୍ତ୍ତି ଜୀବ ହୋଇ । ସେଠାରେ ତାହାଙ୍କୁ ହିଂସଇ ॥ ୫୩

ମହାରୌରବ ଏହି ମତ । ଯହିଁ କ୍ରୂରଜୀବ ବିଦିତ ॥ ୫୪

ତହିଁରେ ଯେ ପ୍ରାଣୀ ପଡ଼ଇ । ରୌରବ-କ୍ରବ୍ୟାଦ ତା ଖାଇ ॥ ୫୫

ଯେ ନର ପଶୁପକ୍ଷୀମାନ । ପ୍ରାଣ ଥାଉଁ କରେ ରନ୍ଧନ ॥ ୫୬

ରାକ୍ଷସୁଁ ବଳି ସେହି ହୋଇ । କୁମ୍ଭୀପାକରେ ସେ ପଡଇ ॥ ୫୭

ତପତ-ତଇଳେ ତାହାର । ରନ୍ଧନ ହୁଅଇ ଶରୀର ॥ ୫୮

କାଳସୂତ୍ର ନରକ ନାମ । ବିସ୍ତାର ଅୟୁତ ଯୋଜନ ॥ ୫୯

ତାମ୍ରମୟ ଯେ ଭୂମିତାର । ଉପରେ ଥାଇ ଯେ ଭାସ୍କର ॥ ୬୦

ଅଧୋଭାଗରେ ଅଗ୍ନିଥାଇ । ଏମନ୍ତ ନରକ ଅଟଇ ॥ ୬୧

ଯେ ନର ବ୍ରହ୍ମହତ୍ୟା କରେ । ସେ ତହିଁ ପଡଇ ନିର୍ଭରେ ॥ ୬୨

ତପତ-ସୁବର୍ଣ୍ଣ ଫୁଟଇ । ତହିଁ ସେ ଦଗଧ ହୁଅଇ ॥ ୬୩

କ୍ଷଣକେ ଉଠଇ ଲୋଟଇ । ବସଇ ବ୍ୟାକୁଳେ ଧାମଇଁ ॥ ୬୪

କ୍ଷୁଧା ପିପାସା ପୀଡାମାନ । କ୍ଷଣକେ ହୁଏ ଅଚେତନ ॥ ୬୫

ପଶୁର ଦେହେ ରୋମଯେତେ । ବର୍ଷ ତାବତ ସେହିମତେ ॥ ୬୬

ଅତ୍ୟନ୍ତ ଯାତନା ଭୁଞ୍ଜଇ । ସେ ପ୍ରାଣୀ ତହିଁ କଡିଥାଇ ॥ ୬୭

ଯେ ନିଜ ଧର୍ମପଥ ଛାଡି । ବେଦବଚନ ନିନ୍ଦେ ହୁଡି ॥ ୬୮

ପାଷଣ୍ତ ବୋଲି ତାକୁ କହି । ଅସିପତ୍ରରେ ସେ ପଡଇ ॥ ୬୯

ଲୌହମୁନ୍ଦ୍‌ଗର ତା ଉପରେ । ପ୍ରହାର କରନ୍ତି ନିର୍ଭରେ ॥ ୭୦

ଅଦୋଷେ ଦଣ୍ତନ୍ତି ଯେ ନରେ । ପାପା ଭୁଞ୍ଜନ୍ତି ତମଘୋରେ ॥ ୭୧

ଅତ୍ୟନ୍ତ ପାପାରାଶି ବହି । ଶୂକରମୁଖେ ସେ ପଡ଼ଇ ॥ ୭୨

ତହିଁରେ ପୁରୋଇ ନିର୍ଭରେ । ନାନାଆୟୁଧର ପ୍ରହାରେ ॥ ୭୩

ଇକ୍ଷୁଦଣ୍ତର ପ୍ରାୟ କରି । ତାକୁ ପେଷନ୍ତି ଦଣ୍ତଧାରୀ ॥ ୭୪

ଅତ୍ୟନ୍ତ କଷ୍ଟକୁ ସେ ପାଇ । କ୍ଷଣ କ୍ଷଣକେ ମୋହ ଯାଇ ॥ ୭୫

ଏ ଯେ ସଂସାରେ ନରଦେହୀ । କ୍ଷୁଦ୍ରପ୍ରାଣୀଙ୍କୁ ପୀଡା ଦେଇ ॥ ୭୬

ହିଂସଇ ଜ୍ଞାନହୀନ ମତେ । ସନ୍ତାପ ଲଭଇ ତେମନ୍ତେ ॥ ୭୭

ସେ ପ୍ରାଣୀ ପରଲୋକେ ଯାଇ । ଅନ୍ଧକୂପରେ ପଡିଥାଇ ॥ ୭୮

ଯେ ଗ୍ରାସ ନ ବାଣ୍ଟି ଭୁଞ୍ଜଇ । ବାୟସ ତୁଲ୍ୟ ତାକୁ କହି ॥ ୭୯

ନରକ ଯେ କୃମି ଭୋଜନ । ନରକମାନଙ୍କେ ଅଧମ ॥ ୮୦

ଶତ ସହସ୍ର ଯେ ଯୋଜନ । ଯେ କୃମିକୁଣ୍ତ ପରିମାଣ ॥ ୮୧

ତହୁଁ ପଡ଼ଇ ସେହୁ ନର । ଉଗ୍ର-ଯାତନାର ଯେ ଘର ॥ ୮୨

କୃମିକୁ ଭକ୍ଷଇ ସେ ଜନ । ତାକୁ ଭକ୍ଷନ୍ତି କୃମିମାନ ॥ ୮୩

ଯାବତ କର୍ମ କ୍ଷୟ ନୋହେ । ତାବତ ତହିଁ ସେହୁ ରହେ ॥ ୮୪

ବିପ୍ରର ଦ୍ରବ୍ୟ ଯେ ହରଇ । ସନ୍ଦଂଶେ ପୀଡା ସେ ଲଭଇ ॥ ୮୫

ଅଗମ୍ୟା ସ୍ତିରୀ ଯେ ରମଇ । ତପ୍ତସୂର୍ମିରେ ସେ ପଡ଼ଇ ॥ ୮୬

ନାରୀ ବା ଅଗମ୍ୟ ପୁରୁଷେ । ଚିତ୍ତ ବଳାଇ ରତି ଆଶେ ॥ ୮୭

ତପତ ଲୌହମୂର୍ତ୍ତିମାନ । ତାକୁ କରାନ୍ତି ଆଲିଙ୍ଗନ ॥ ୮୮

ପୁରୁଷ ରୂପ ସ୍ତିରୀ ଗମନ । ସ୍ତିରୀଏ ପୁରୁଷ ବେଭାରେ ॥ ୮୯

ଅଗମ୍ୟ ପଶ୍ୱାଦି ଗମନ । କରଇ ପାଷଣ୍ତ ଜନ ॥ ୯୦

ବଜ୍ରକଣ୍ଟକଶାଳଳୀରେ । ଆରୋହ କରାନ୍ତି ତାହାରେ ॥ ୯୧

ଯେ ରାଜପୁରୁଷ ଅପର । କରନ୍ତି ଧର୍ମସେତୁ ଦୂର ॥ ୯୨

ଧର୍ମ ଆଚରେ ଯେହୁ ନର । ତାଙ୍କୁ ହିଂସନ୍ତି ଯେ ପାମର ॥ ୯୩

ସେ ଅନ୍ତେ ବଇତରଣୀରେ । ପାପିଷ୍ଠେ ପଡ଼ନ୍ତି ନିର୍ଭରେ ॥ ୯୪

ନିରୟ ପରିଖା ଯାହାର । ଏମନ୍ତ ଯେଉଁ ନଦୀବର ॥ ୯୫

ତହିଁର ଜଳଜନ୍ତୁମାନ । ପାପୀଙ୍କୁ କରନ୍ତି ଭକ୍ଷଣ ॥ ୯୬

ମୂତ୍ର ପୁରୀଷ ଯେ ଶୋଣିତ । ନଖ ମେଦ ଅସ୍ଥି ବହୁତ ॥ ୯୭

ଏଥି ପଡ଼ିଣ ତାପ ପାଇ । ବାସନା କର୍ମ ସୁମରଇ ॥ ୯୮

ବୃଷଳୀଗମନ ଯେ କରେ । ଶୌଚ ଆଚାର ପରିହରେ ॥ ୯୯

ନିର୍ଲ୍ଲଜ୍ଜଭାବକୁ ବହଇ । ନିତ୍ୟେ ନିୟମକୁ ଛାଡଇ ॥ ୧୦୦

ଅନ୍ତେ ସେ ପୂୟୋଦେ ପଡ଼ଇ । ଶ୍ଲେଷ୍ମା ଯେ ମଳମୂତ୍ର ଯହିଁ ॥ ୧୦୧

ଅତି ବୀଭତ୍ସ ଯେ ଭୋଜନ । ତାହାକୁ ଭୁଞ୍ଜଇ ସେ ଜନ ॥ ୧୦୨

ମୃଗୟାବିହାରେ ଯେ ନର । ପ୍ରବୃତ୍ତ ହୋଇ ବାରମ୍ବାର ॥ ୧୦୩

ମୃଗାଦି ବାଳପଶୁମାନ । ବହୁତ ମାରନ୍ତି ରାଜନ ॥ ୧୦୪

ବିବିଧବାଣେ ଯମଦୂତ । ତାକୁ ପ୍ରହାରନ୍ତି ବହୁତ ॥ ୧୦୫

କପଟଯଜ୍ଞେ ଯେହୁ ନରେ । ଦମ୍ଭ ଆଚରି ପଶୁ ମାରେ ॥ ୧୦୬

ସେ ଲୋକ ବିଶସନ ନାମେ । ନରକେ ପଡ଼ନ୍ତି ସମାନେ ॥ ୧୦୭

ପତ୍ନୀକି ରେତକୁ ପିଆଇ । ଯେ ଜନ କାମବଶ ହୋଇ ॥ ୧୦୮

ଅମୂତ୍ର ରେତ ଯେ କୁଲ୍ୟାରେ । ରେତକୁ ପିଆନ୍ତି ତାହାରେ ॥ ୧୦୯

ଯେ ନର ଗୃହେ ଅଗ୍ନି ଦେଇ । କପଟେ ଗରଳ ଭୁଞ୍ଜାଇ ॥ ୧୧୦

ସେ ପରଲୋକ ଯେବେ ଯାଇ । ବିବିଧଯାତନା ଭୁଞ୍ଜଇ ॥ ୧୧୧

ଉଗ୍ରଦଶନ ଶ୍ୱାନ ଶତ । ତାକୁ ଭୂଞ୍ଜନ୍ତି ଅବିରତ ॥ ୧୧୨

ସାକ୍ଷ୍ୟରେ ମିଥ୍ୟା ଯେ କହଇ । ଅବୀଚି-ନରକେ ପଡ଼ଇ ॥ ୧୧୩

ଅଧକୁ ହୁଅଇ ତା ଶିର । ନରକ ଭୁଞ୍ଜଇ ପାମର ॥ ୧୧୪

ଯାହାର ଶ୍ରେଷ୍ଠ ଯେଉଁ ଜନ । ସେ ତାଙ୍କ ନ କରେ ବନ୍ଦନ ॥ ୧୧୫

କ୍ଷାରକର୍ଦ୍ଦମେ ସେ ପଡ଼ଇ । ବହୁତ ଯାତନା ଭୁଞ୍ଜଇ ॥ ୧୧୬

ଯେ ପ୍ରାଣୀ ନରମେଧ କରେ । ଦେବତା-ସନ୍ତୋଷ-ପ୍ରକାରେ ॥ ୧୧୭

ସ୍ତିରୀ ବାଳକ ପଶୁ ମାରେ । ଡ଼ାକିନୀରୂପେ ସେ ସଞ୍ଚରେ ॥ ୧୧୮

ସେହି ବାଳକ-ପଶୁମାନେ । ପ୍ରବେଶି ଯମର ସଦନେ ॥ ୧୧୯

ରାକ୍ଷସରୂପକୁ ଆଚରି । ଶୋଣିତ ପିବନ୍ତି ତାହାରି ॥ ୧୨୦

ସେ ସ୍ତିରୀ ପୁରୁଷ ରକତ । ଖାଇ ହୁଅନ୍ତି ମଦେ ମତ୍ତ ॥ ୧୨୧

ନାଚନ୍ତି ଗାୟନ୍ତି ହରଷେ । ଯେମନ୍ତ ରାକ୍ଷସ-ପୁରୁଷେ ॥ ୧୨୨

ବିବିଧ ରଜ୍ଜୁର ପ୍ରକାରେ । ଯେ ନର ଗ୍ରାମ୍ୟଅରଣ୍ୟରେ ॥ ୧୨୩

ବିଶ୍ୱାସୀ-ପଶୁଙ୍କୁ ମାରଇ । ସେ ନର ନରକେ ପଡ଼ଇ ॥ ୧୨୪

ପାଶେ ବନ୍ଧନ ହୋଇ ସେହି । କ୍ଷୁଧା-ତୃଷାରେ ପୀଡା ପାଇ ॥ ୧୨୫

ବୃକ କୁକୁର ଗୃଧ୍ରଗଣ । ତୁଣ୍ତରେ କରନ୍ତି ତାଡନ ॥ ୧୨୬

ବିବିଧ-କ୍ଳେଶକୁ ଲଭଇ । ଆପଣା କର୍ମ ସୁମରଇ ॥ ୧୨୭

ଉଗ୍ରସ୍ୱଭାବ ଯେଉଁ ନରେ । ପ୍ରାଣୀଙ୍କୁ ଉଦବେଗ କରେ ॥ ୧୨୮

ନନ୍ଦଶୂକ ଘୋର ନରକେ । ପଡ଼ନ୍ତି ଯାଇ ପରଲୋକେ ॥ ୧୨୯

ପଞ୍ଚ ବା ସପ୍ତମୁଖ ଯାର । ଏମନ୍ତ ଦନ୍ଦଶୂକବର ॥ ୧୩୦

ଅନେକ ଅଛନ୍ତି ତହିଁରେ । ଭକ୍ଷନ୍ତି ସେ ପାପୀ ଶରୀରେ ॥ ୧୩୧

ଯେ ଗର୍ତ୍ତଆଦି କଷ୍ଟସ୍ଥଳେ । ପ୍ରାଣୀଙ୍କି ଥୋଇ ଅବହେଳେ ॥ ୧୩୨

ଦ୍ୱାର ରୁନ୍ଧଇ ମୁଦ ଦେଇ । ସେ ନର ନରକେ ପଡ଼ଇ ॥ ୧୩୩

ଗର୍ତ୍ତେ ପାମରକୁ ଥୁଅନ୍ତି । ମଧୂମଅଗ୍ନି ଦ୍ୱାରେ ଦ୍ୟନ୍ତି ॥ ୧୩୪

ପୂର୍ବେ ଯେ ଆସି ଯାଇ ନାହିଁ । ଅତିଥି ଭାବରେ ଆସଇ ॥ ୧୩୫

ଗୃହେ ନ ରଖି ତାକୁ ଯେବେ । ଅବଲୋକଇ କ୍ରୋଧଭାବେ ॥ ୧୩୬

କର୍କଶବାକ୍ୟ ତାକୁ କହି । ଅନ୍ତେ ସେ ନରକେ ପଡଇ ॥ ୧୩୭

ବକ୍ରତୁଣ୍ତ ଯେ ଗୃଧ୍ର କଙ୍କ । କାକ ସହିତେ ଯେବା ବକ ॥ ୧୩୮

ଦୀର୍ଘଚଞ୍ଚୁରେ ଚିରି ତାର । ଚକ୍ଷୁ ଖୋଳନ୍ତି ନୃପବର ॥ ୧୩୯

ଯେ ଅହଙ୍କାରେ ଛନ୍ନ ହୋଇ । ପ୍ରାଣୀଙ୍କି କଟାକ୍ଷେ ଚାହଁଇ ॥ ୧୪୦

କୁଟିଳହୃଦୟ ଭାବରେ । ଜୀବର ମନ୍ଦକୁ ଆଚରେ ॥ ୧୪୧

ଅନ୍ତେ ସେ ଯାଇ ପରଲୋକେ । ପଡେ ନରକ ସୂଚୀମୁଖେ ॥ ୧୪୨

ତହିଁରେ ପାପୀର ଶରୀର । ପୀଡନ୍ତି ଯମର କିଙ୍କର ॥ ୧୪୩

ଏମନ୍ତ ପ୍ରକାରେ ରାଜନ । ଶତଶତ-ନରକମାନ ॥ ୧୪୪

ଅଛନ୍ତି ଯମର ସଦନ । ତହିଁ ପାପୀଙ୍କ ନିଜସ୍ଥାନ ॥ ୧୪୫

ଯେ ଯେତେ କର୍ମ ଆଚରଇ । ସେ ରୂପେ ଫଳ ସେ ଭୁଞ୍ଜଇ ॥ ୧୪୬

ନିବୃତ୍ତି ମାର୍ଗର ଲକ୍ଷଣ । ଆଗେ ତ କହିଛୁଁ ରାଜନ ॥ ୧୪୭

ଏ ଚତୁର୍ଦ୍ଦଶଭାଗ ହୋଇ । ବ୍ରହ୍ମାଣ୍ତକୋଷ ଏ ବୋଲାଇ ॥ ୧୪୮

ପୁରାଣ ଅନୁମାନ କରି । ତୁମ୍ଭରେ କହିଲୁଁ ବିସ୍ତାରି ॥ ୧୪୯

ଯେ ଭାଗବତ ନାରାୟଣ । ମହାପୁରୁଷ ଭଗବାନ ॥ ୧୫୦

ଗରିଷ୍ଠରୂପ ତାହାଙ୍କର । ମାୟାଗୁଣରେ ନୃପବର ॥ ୧୫୧

ଯେତେକ ବର୍ଣ୍ଣିଲଇଁ ମୁହିଁ । ସକଳରୂପ ସେ ଅଟଇ ॥ ୧୫୨

ଯେ ନର ଶ୍ରଦ୍ଧାବନ୍ତ ହୋଇ । ପଢଇ ଶୁଣଇ ଶୁଣାଇ ॥ ୧୫୩

ସେ ସାଧୁଭକ୍ତ ଶୁଦ୍ଧନର । ପରମଆତ୍ମା ଯେ ଈଶ୍ୱର ॥ ୧୫୪

ଅଚିନ୍ତ୍ୟରୂପଟି ଯାହାର । ପରମସୂକ୍ଷ୍ମରୁ ଯେ ପର ॥ ୧୫୫

ଅତିସୂକ୍ଷ୍ମରୁ ସୂକ୍ଷ୍ମତର । ଦେବଙ୍କୁ ଯାହା ଅଗୋଚର ॥ ୧୫୬

ସୁଗତି ଲଭଇ ସେ ଜନ । ପରମଶ୍ରେଷ୍ଠ ତା ଜୀବନ ॥ ୧୫୭

ଦ୍ୱୀପ ବରଷ ନଦୀ ଗିରି । ସର୍ବ ସମୁଦ୍ର ଦଣ୍ତଧାରୀ ॥ ୧୫୮

ପାତାଳ ଦିଗ ଯେ ନରକ । ଭାଗ ଲକ୍ଷଣ ଯେତେ ଲୋକ ॥ ୧୫୯

ଈଶ୍ୱର ସ୍ଥୂଳ ଯେ ଶରୀର । ଆଶ୍ରୟ ସକଳଜୀବର ॥ ୧୬୦

ଏ ସର୍ବ ବିଭାଗ ପ୍ରକାରେ । ଭୋ ନୃପ କହିଲୁ ତୁମ୍ଭରେ ॥ ୧୬୧

କହଇ ଜଗନ୍ନାଥ ଦାସ । ପଞ୍ଚମସ୍କନ୍ଧେ ସୁଧାରସ ॥ ୧୬୨

ସାଦରେ ପିଅ ସାଧୁପ୍ରାଣୀ । ତରିବ ଭବତରଙ୍ଗିଣୀ ॥ ୧୬୩

ଏ ଯେ ସଂସାର-ସିନ୍ଧୁ-ଘୋର । ଦୁଷ୍ଟଜନରେ ଭୟଙ୍କର ॥ ୧୬୪

ପାଦପଲ୍ଲବଯୁଗ ଧରି । ସୁଖେ ତରିବ ଭବବାରି ॥ ୧୬୫

ତା ବିନୁ ଅନ୍ୟଗତି ନାହିଁ । ତ୍ରାହି କରିବେ ଭାବଗ୍ରାହୀ ॥ ୧୬୬

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ପଞ୍ଚମସ୍କନ୍ଧେ ନରକାନୁବର୍ଣ୍ଣ‌ନଂ ନାମ

ଷଡ୍‌ବିଂଶୋଽଧ୍ୟାୟଃ ॥

* * *