ପଞ୍ଚମ ସ୍କନ୍ଧ
ଷଡ଼୍ବିଂଶ ଅଧ୍ୟାୟ
ପରୀକ୍ଷିତ ଉବାଚ
ବିଚିତ୍ରଗତି ଲୋକଙ୍କର । ତୁମ୍ଭେ କହିଲ ମୁନିବର ॥ ୧
ଏ କଥା ସଂଶୟ ମୋ ମନେ । ଏବେ କହିବା ବିଦ୍ୟମାନେ ॥ ୨
ଏବେ କହିବା ଫଳଭାବ । ଯେମନ୍ତେ ତରଇ ଅର୍ଣ୍ଣବ ॥ ୩
ଶୁକ ଉବାଚ
ତ୍ରିଗୁଣେ ବିଚିତ୍ର ହୁଅଇ । ଶୁଣ ପରୀକ୍ଷ ମନଦେଇ ॥ ୪
କର୍ତ୍ତାରମତେ ଫଳଯାଇ । ଶ୍ରଦ୍ଧା-ଅଶ୍ରଦ୍ଧା ବେନି ହୋଇ ॥ ୫
ସାତ୍ତ୍ୱିକକର୍ମୀ ହୁଏ ସୁଖୀ । ରାଜସକର୍ମୀ ସୁଖୀଦୁଃଖୀ ॥ ୬
ତାମସ ଦୁଃଖୀ ଯେ ବିମୂଢ଼ । ଏ ତତ୍ତ୍ୱ ବୁଝେ ନାହିଁ ମୂଢ଼ ॥ ୭
ଯେତେ ଅଧର୍ମକାରୀଗଣ । ସଦା ଯେ ତମର ଅଧୀନ ॥ ୮
ତମୋଗୁଣଙ୍କ ଏହି ବ୍ରତ । ଲଭନ୍ତି ଫଳ ବିପରୀତ ॥ ୯
ସକଳ ଏକଭାବ ହୋଇ । କେବେହେଁ କେହି ନ ଭଜଇ ॥ ୧୦
ଏ ଅନନ୍ତରେ ଏବେ ଶୁଣ । ନିଷିଦ୍ଧ ଅଧର୍ମ ଲକ୍ଷର ॥ ୧୧
ଧର୍ମ ଅଧର୍ମ ବେନି ମତ । ଶ୍ରଦ୍ଧା ଅଶ୍ରଦ୍ଧା ଯେ ବିଦିତ ॥ ୧୨
ସମାନ କର୍ମଫଳମାନ । କାହାରି ନୁହଁଇ ରାଜନ ॥ ୧୩
ଯେତେ ଅବିଦ୍ୟା କାମ୍ୟକର୍ମ । ଏହା ଲକ୍ଷଣ ପରିଣାମ ॥ ୧୪
ଗତି ଯେ ଶତ ଶତ ମତ । ପ୍ରବୃତ୍ତ ହୁଏ ପରୀକ୍ଷିତ ॥ ୧୫
ଏହାର ଗତି ଅଗୋଚର । ବିସ୍ତାରି ବିର୍ଣ୍ଣବୁ ଅପର ॥ ୧୬
ପରୀକ୍ଷିତ ଉବାଚ
ଭୋ ମୁନି ତ୍ରିଲୋକ ବାହାରେ । ନରକ କିବା ଅନ୍ତରାଳେ ॥ ୧୭
କିବା ତ୍ରିଭୁବନ ମଧ୍ୟରେ । କହିବା ସାବଧାନେ ମୋରେ ॥ ୧୮
ଶୁକ ଉବାଚ
ସେ ତତ୍ତ୍ୱ ଶୁଣ ତୁ ରାଜନ । କହନ୍ତି ଋଷି ହୃଷ୍ଟମନ ॥ ୧୯
ତ୍ରିଜଗତର ଅନ୍ତରାଳ । ଦକ୍ଷିଣଦିଗେ ମହୀପାଳ ॥ ୨୦
ଭୂମିର ତଳେ ଜଳପରେ । ଅଗ୍ନିଷ୍ୱାତ୍ତସଭା ତହିଁରେ ॥ ୨୧
ସକଳ ପିତୃଗଣ ଯେତେ । ସ୍ୱଗୋତ୍ର କଲ୍ୟାଣ ନିମନ୍ତେ ॥ ୨୨
ଯହିଁ ବସନ୍ତି ହେ ରାଜନ । ତହିଁ ଅନ୍ତକ ଭଗବାନ ॥ ୨୩
ଅନ୍ତେ ଜୀବକୁ ସେ ନିଅନ୍ତି । ଯମପୁରୁଷେ ଦଣ୍ତ ଦ୍ୟନ୍ତି ॥ ୨୪
ଦୋଷ ଯେ କର୍ମ ଅନୁସରି । ଯେ ପ୍ରାଣୀ ଯାହା ଥାଇ କରି ॥ ୨୫
ଭଗବତ-ଆଜ୍ଞା ଲଂଘିଣ । ବିପଥେ ଯେ କରେ ଗମନ ॥ ୨୬
ତାହାଙ୍କୁ ନେଇ ଦଣ୍ତଧର । ଦଣ୍ତ ଯେ ଦିଅନ୍ତି ଅପାର ॥ ୨୭
ଏକବିଂଶତି ପରକାରେ । ନରକେ ଅଛନ୍ତି ଯହିଁରେ ॥ ୨୮
ଯେ ରୂପ ଯେ ନାମ ଲକ୍ଷଣ । କହିବା ଶୁଣ ହେ ରାଜନ ॥ ୨୯
ଅନ୍ଧକୂପ ଯେ ଅସିପତ୍ର । ଶୂକରମୁଖ କାଳସୂତ୍ର ॥ ୩୦
ଗୌରବ ମହା ଯେ ନରକ । ଅନ୍ଧତାମିସ୍ର କୁମ୍ଭୀପାକ ॥ ୩୧
ତାମିସ୍ର ଯେ କୃମିଭୋଜନ । ସନ୍ଦଂଶ ତପ୍ତସୂର୍ମି ନାମ ॥ ୩୨
ବଜ୍ରକଣ୍ଟକ ଶାଳମଳ । ବଇତରଣୀ ମହୀପାଳ ॥ ୩୩
ପ୍ରାଣରୋଧ ଯେ ବିଶସନ । ପୂୟୋଦ ସାରମେୟାଦନ ॥ ୩୪
ଅପରେ ଅବୀଚି ରାଜନ । ଲାଳାଭକ୍ଷ ଯେ ଅୟଃପାନ ॥ ୩୫
ଶୂଳପ୍ରୋତ କ୍ଷାର କର୍ଦ୍ଦମ । ଯେବା ରକ୍ଷୋଗଣ ଭୋଜନ ॥ ୩୬
ଅବଟନିରୋଧନ ଆର । ଦନ୍ଦଶୂକ ନାମେ ଅପର ॥ ୩୭
ସୂଚୀମୁଖ ପର୍ଯ୍ୟାବର୍ତ୍ତନ । ଅଷ୍ଟବିଂଶତି ଏହୁ ନାମ ॥ ୩୮
ଏ ଯେ ନରକ ମହୀପାଳ । ବିବିଧ ଯାତନାର ସ୍ଥଳ ॥ ୩୯
ପରସ୍ତିରୀ ଅପତ୍ୟ ଧନ । ଯେ ପ୍ରାଣୀ କରଇ ହରଣ ॥ ୪୦
ସେ କାଳପାଶେ ବନ୍ଦୀ ହୋଇ । ଯମର ପୁରେ ଦୁଃଖ ପାଇ ॥ ୪୧
ତାମିସ୍ରନରକେ ପଡ଼ଇ । ନାନା ଯାତନା ସେ ଭୁଞ୍ଜଇ ॥ ୪୨
କ୍ଷୁଧା-ପିପାସାରେ ପୀଡ଼ିତ । ହୋଇ ସେ ଦଣ୍ତରେ ତାଡ଼ିତ ॥ ୪୩
ନାନା ତର୍ଜନା ଯେ ପ୍ରହାର । ଯେତେ ଯାତନା ଭୟଙ୍କର ॥ ୪୪
ପରମକଷ୍ଟ ପାଇ ତହିଁ । କ୍ଷଣକ୍ଷଣକେ ମୋହ ଯାଇ ॥ ୪୫
ଅନ୍ଧତାମିସ୍ରେ ଏ ପ୍ରକାରେ । ଯାତନା ପ୍ରାଣୀ ଭୋଗକରେ ॥ ୪୬
କପଟେ ପରଦାରା ହରି । ଯେବେ ତାମିସ୍ରୁ ନ ଉବୁରି ॥ ୪୭
ତେବେ ପଡ଼ଇ ସେ ଯେ ତହିଁ । ଯାତନା-ସିନ୍ଧୁରେ ବୁଡ଼ଇ ॥ ୪୮
ନଷ୍ଟ ହୁଅଇ ମତି ତାର । ଦୃଷ୍ଟି ନାଶଇ ନୃପବର ॥ ୪୯
ମୁହିଁ ମୋହର ଭାବ ବହି । ପ୍ରାଣୀଦ୍ରୋହକୁ ଯେ ଚିନ୍ତଇ ॥ ୫୦
କୁଟୁମ୍ବ ପାଇଁ ହିଂସା ବହି । ସେ ପ୍ରାଣୀ ରୌରବେ ପଡଇ ॥ ୫୧
ସେ ଜୀବ ହିଂସନ୍ତି ସଂସାରେ । ତାହାଙ୍କୁ ପର ଯେ ଲୋକରେ ॥ ୫୨
ରୌରବ ମୂର୍ତ୍ତି ଜୀବ ହୋଇ । ସେଠାରେ ତାହାଙ୍କୁ ହିଂସଇ ॥ ୫୩
ମହାରୌରବ ଏହି ମତ । ଯହିଁ କ୍ରୂରଜୀବ ବିଦିତ ॥ ୫୪
ତହିଁରେ ଯେ ପ୍ରାଣୀ ପଡ଼ଇ । ରୌରବ-କ୍ରବ୍ୟାଦ ତା ଖାଇ ॥ ୫୫
ଯେ ନର ପଶୁପକ୍ଷୀମାନ । ପ୍ରାଣ ଥାଉଁ କରେ ରନ୍ଧନ ॥ ୫୬
ରାକ୍ଷସୁଁ ବଳି ସେହି ହୋଇ । କୁମ୍ଭୀପାକରେ ସେ ପଡଇ ॥ ୫୭
ତପତ-ତଇଳେ ତାହାର । ରନ୍ଧନ ହୁଅଇ ଶରୀର ॥ ୫୮
କାଳସୂତ୍ର ନରକ ନାମ । ବିସ୍ତାର ଅୟୁତ ଯୋଜନ ॥ ୫୯
ତାମ୍ରମୟ ଯେ ଭୂମିତାର । ଉପରେ ଥାଇ ଯେ ଭାସ୍କର ॥ ୬୦
ଅଧୋଭାଗରେ ଅଗ୍ନିଥାଇ । ଏମନ୍ତ ନରକ ଅଟଇ ॥ ୬୧
ଯେ ନର ବ୍ରହ୍ମହତ୍ୟା କରେ । ସେ ତହିଁ ପଡଇ ନିର୍ଭରେ ॥ ୬୨
ତପତ-ସୁବର୍ଣ୍ଣ ଫୁଟଇ । ତହିଁ ସେ ଦଗଧ ହୁଅଇ ॥ ୬୩
କ୍ଷଣକେ ଉଠଇ ଲୋଟଇ । ବସଇ ବ୍ୟାକୁଳେ ଧାମଇଁ ॥ ୬୪
କ୍ଷୁଧା ପିପାସା ପୀଡାମାନ । କ୍ଷଣକେ ହୁଏ ଅଚେତନ ॥ ୬୫
ପଶୁର ଦେହେ ରୋମଯେତେ । ବର୍ଷ ତାବତ ସେହିମତେ ॥ ୬୬
ଅତ୍ୟନ୍ତ ଯାତନା ଭୁଞ୍ଜଇ । ସେ ପ୍ରାଣୀ ତହିଁ କଡିଥାଇ ॥ ୬୭
ଯେ ନିଜ ଧର୍ମପଥ ଛାଡି । ବେଦବଚନ ନିନ୍ଦେ ହୁଡି ॥ ୬୮
ପାଷଣ୍ତ ବୋଲି ତାକୁ କହି । ଅସିପତ୍ରରେ ସେ ପଡଇ ॥ ୬୯
ଲୌହମୁନ୍ଦ୍ଗର ତା ଉପରେ । ପ୍ରହାର କରନ୍ତି ନିର୍ଭରେ ॥ ୭୦
ଅଦୋଷେ ଦଣ୍ତନ୍ତି ଯେ ନରେ । ପାପା ଭୁଞ୍ଜନ୍ତି ତମଘୋରେ ॥ ୭୧
ଅତ୍ୟନ୍ତ ପାପାରାଶି ବହି । ଶୂକରମୁଖେ ସେ ପଡ଼ଇ ॥ ୭୨
ତହିଁରେ ପୁରୋଇ ନିର୍ଭରେ । ନାନାଆୟୁଧର ପ୍ରହାରେ ॥ ୭୩
ଇକ୍ଷୁଦଣ୍ତର ପ୍ରାୟ କରି । ତାକୁ ପେଷନ୍ତି ଦଣ୍ତଧାରୀ ॥ ୭୪
ଅତ୍ୟନ୍ତ କଷ୍ଟକୁ ସେ ପାଇ । କ୍ଷଣ କ୍ଷଣକେ ମୋହ ଯାଇ ॥ ୭୫
ଏ ଯେ ସଂସାରେ ନରଦେହୀ । କ୍ଷୁଦ୍ରପ୍ରାଣୀଙ୍କୁ ପୀଡା ଦେଇ ॥ ୭୬
ହିଂସଇ ଜ୍ଞାନହୀନ ମତେ । ସନ୍ତାପ ଲଭଇ ତେମନ୍ତେ ॥ ୭୭
ସେ ପ୍ରାଣୀ ପରଲୋକେ ଯାଇ । ଅନ୍ଧକୂପରେ ପଡିଥାଇ ॥ ୭୮
ଯେ ଗ୍ରାସ ନ ବାଣ୍ଟି ଭୁଞ୍ଜଇ । ବାୟସ ତୁଲ୍ୟ ତାକୁ କହି ॥ ୭୯
ନରକ ଯେ କୃମି ଭୋଜନ । ନରକମାନଙ୍କେ ଅଧମ ॥ ୮୦
ଶତ ସହସ୍ର ଯେ ଯୋଜନ । ଯେ କୃମିକୁଣ୍ତ ପରିମାଣ ॥ ୮୧
ତହୁଁ ପଡ଼ଇ ସେହୁ ନର । ଉଗ୍ର-ଯାତନାର ଯେ ଘର ॥ ୮୨
କୃମିକୁ ଭକ୍ଷଇ ସେ ଜନ । ତାକୁ ଭକ୍ଷନ୍ତି କୃମିମାନ ॥ ୮୩
ଯାବତ କର୍ମ କ୍ଷୟ ନୋହେ । ତାବତ ତହିଁ ସେହୁ ରହେ ॥ ୮୪
ବିପ୍ରର ଦ୍ରବ୍ୟ ଯେ ହରଇ । ସନ୍ଦଂଶେ ପୀଡା ସେ ଲଭଇ ॥ ୮୫
ଅଗମ୍ୟା ସ୍ତିରୀ ଯେ ରମଇ । ତପ୍ତସୂର୍ମିରେ ସେ ପଡ଼ଇ ॥ ୮୬
ନାରୀ ବା ଅଗମ୍ୟ ପୁରୁଷେ । ଚିତ୍ତ ବଳାଇ ରତି ଆଶେ ॥ ୮୭
ତପତ ଲୌହମୂର୍ତ୍ତିମାନ । ତାକୁ କରାନ୍ତି ଆଲିଙ୍ଗନ ॥ ୮୮
ପୁରୁଷ ରୂପ ସ୍ତିରୀ ଗମନ । ସ୍ତିରୀଏ ପୁରୁଷ ବେଭାରେ ॥ ୮୯
ଅଗମ୍ୟ ପଶ୍ୱାଦି ଗମନ । କରଇ ପାଷଣ୍ତ ଜନ ॥ ୯୦
ବଜ୍ରକଣ୍ଟକଶାଳଳୀରେ । ଆରୋହ କରାନ୍ତି ତାହାରେ ॥ ୯୧
ଯେ ରାଜପୁରୁଷ ଅପର । କରନ୍ତି ଧର୍ମସେତୁ ଦୂର ॥ ୯୨
ଧର୍ମ ଆଚରେ ଯେହୁ ନର । ତାଙ୍କୁ ହିଂସନ୍ତି ଯେ ପାମର ॥ ୯୩
ସେ ଅନ୍ତେ ବଇତରଣୀରେ । ପାପିଷ୍ଠେ ପଡ଼ନ୍ତି ନିର୍ଭରେ ॥ ୯୪
ନିରୟ ପରିଖା ଯାହାର । ଏମନ୍ତ ଯେଉଁ ନଦୀବର ॥ ୯୫
ତହିଁର ଜଳଜନ୍ତୁମାନ । ପାପୀଙ୍କୁ କରନ୍ତି ଭକ୍ଷଣ ॥ ୯୬
ମୂତ୍ର ପୁରୀଷ ଯେ ଶୋଣିତ । ନଖ ମେଦ ଅସ୍ଥି ବହୁତ ॥ ୯୭
ଏଥି ପଡ଼ିଣ ତାପ ପାଇ । ବାସନା କର୍ମ ସୁମରଇ ॥ ୯୮
ବୃଷଳୀଗମନ ଯେ କରେ । ଶୌଚ ଆଚାର ପରିହରେ ॥ ୯୯
ନିର୍ଲ୍ଲଜ୍ଜଭାବକୁ ବହଇ । ନିତ୍ୟେ ନିୟମକୁ ଛାଡଇ ॥ ୧୦୦
ଅନ୍ତେ ସେ ପୂୟୋଦେ ପଡ଼ଇ । ଶ୍ଲେଷ୍ମା ଯେ ମଳମୂତ୍ର ଯହିଁ ॥ ୧୦୧
ଅତି ବୀଭତ୍ସ ଯେ ଭୋଜନ । ତାହାକୁ ଭୁଞ୍ଜଇ ସେ ଜନ ॥ ୧୦୨
ମୃଗୟାବିହାରେ ଯେ ନର । ପ୍ରବୃତ୍ତ ହୋଇ ବାରମ୍ବାର ॥ ୧୦୩
ମୃଗାଦି ବାଳପଶୁମାନ । ବହୁତ ମାରନ୍ତି ରାଜନ ॥ ୧୦୪
ବିବିଧବାଣେ ଯମଦୂତ । ତାକୁ ପ୍ରହାରନ୍ତି ବହୁତ ॥ ୧୦୫
କପଟଯଜ୍ଞେ ଯେହୁ ନରେ । ଦମ୍ଭ ଆଚରି ପଶୁ ମାରେ ॥ ୧୦୬
ସେ ଲୋକ ବିଶସନ ନାମେ । ନରକେ ପଡ଼ନ୍ତି ସମାନେ ॥ ୧୦୭
ପତ୍ନୀକି ରେତକୁ ପିଆଇ । ଯେ ଜନ କାମବଶ ହୋଇ ॥ ୧୦୮
ଅମୂତ୍ର ରେତ ଯେ କୁଲ୍ୟାରେ । ରେତକୁ ପିଆନ୍ତି ତାହାରେ ॥ ୧୦୯
ଯେ ନର ଗୃହେ ଅଗ୍ନି ଦେଇ । କପଟେ ଗରଳ ଭୁଞ୍ଜାଇ ॥ ୧୧୦
ସେ ପରଲୋକ ଯେବେ ଯାଇ । ବିବିଧଯାତନା ଭୁଞ୍ଜଇ ॥ ୧୧୧
ଉଗ୍ରଦଶନ ଶ୍ୱାନ ଶତ । ତାକୁ ଭୂଞ୍ଜନ୍ତି ଅବିରତ ॥ ୧୧୨
ସାକ୍ଷ୍ୟରେ ମିଥ୍ୟା ଯେ କହଇ । ଅବୀଚି-ନରକେ ପଡ଼ଇ ॥ ୧୧୩
ଅଧକୁ ହୁଅଇ ତା ଶିର । ନରକ ଭୁଞ୍ଜଇ ପାମର ॥ ୧୧୪
ଯାହାର ଶ୍ରେଷ୍ଠ ଯେଉଁ ଜନ । ସେ ତାଙ୍କ ନ କରେ ବନ୍ଦନ ॥ ୧୧୫
କ୍ଷାରକର୍ଦ୍ଦମେ ସେ ପଡ଼ଇ । ବହୁତ ଯାତନା ଭୁଞ୍ଜଇ ॥ ୧୧୬
ଯେ ପ୍ରାଣୀ ନରମେଧ କରେ । ଦେବତା-ସନ୍ତୋଷ-ପ୍ରକାରେ ॥ ୧୧୭
ସ୍ତିରୀ ବାଳକ ପଶୁ ମାରେ । ଡ଼ାକିନୀରୂପେ ସେ ସଞ୍ଚରେ ॥ ୧୧୮
ସେହି ବାଳକ-ପଶୁମାନେ । ପ୍ରବେଶି ଯମର ସଦନେ ॥ ୧୧୯
ରାକ୍ଷସରୂପକୁ ଆଚରି । ଶୋଣିତ ପିବନ୍ତି ତାହାରି ॥ ୧୨୦
ସେ ସ୍ତିରୀ ପୁରୁଷ ରକତ । ଖାଇ ହୁଅନ୍ତି ମଦେ ମତ୍ତ ॥ ୧୨୧
ନାଚନ୍ତି ଗାୟନ୍ତି ହରଷେ । ଯେମନ୍ତ ରାକ୍ଷସ-ପୁରୁଷେ ॥ ୧୨୨
ବିବିଧ ରଜ୍ଜୁର ପ୍ରକାରେ । ଯେ ନର ଗ୍ରାମ୍ୟଅରଣ୍ୟରେ ॥ ୧୨୩
ବିଶ୍ୱାସୀ-ପଶୁଙ୍କୁ ମାରଇ । ସେ ନର ନରକେ ପଡ଼ଇ ॥ ୧୨୪
ପାଶେ ବନ୍ଧନ ହୋଇ ସେହି । କ୍ଷୁଧା-ତୃଷାରେ ପୀଡା ପାଇ ॥ ୧୨୫
ବୃକ କୁକୁର ଗୃଧ୍ରଗଣ । ତୁଣ୍ତରେ କରନ୍ତି ତାଡନ ॥ ୧୨୬
ବିବିଧ-କ୍ଳେଶକୁ ଲଭଇ । ଆପଣା କର୍ମ ସୁମରଇ ॥ ୧୨୭
ଉଗ୍ରସ୍ୱଭାବ ଯେଉଁ ନରେ । ପ୍ରାଣୀଙ୍କୁ ଉଦବେଗ କରେ ॥ ୧୨୮
ନନ୍ଦଶୂକ ଘୋର ନରକେ । ପଡ଼ନ୍ତି ଯାଇ ପରଲୋକେ ॥ ୧୨୯
ପଞ୍ଚ ବା ସପ୍ତମୁଖ ଯାର । ଏମନ୍ତ ଦନ୍ଦଶୂକବର ॥ ୧୩୦
ଅନେକ ଅଛନ୍ତି ତହିଁରେ । ଭକ୍ଷନ୍ତି ସେ ପାପୀ ଶରୀରେ ॥ ୧୩୧
ଯେ ଗର୍ତ୍ତଆଦି କଷ୍ଟସ୍ଥଳେ । ପ୍ରାଣୀଙ୍କି ଥୋଇ ଅବହେଳେ ॥ ୧୩୨
ଦ୍ୱାର ରୁନ୍ଧଇ ମୁଦ ଦେଇ । ସେ ନର ନରକେ ପଡ଼ଇ ॥ ୧୩୩
ଗର୍ତ୍ତେ ପାମରକୁ ଥୁଅନ୍ତି । ମଧୂମଅଗ୍ନି ଦ୍ୱାରେ ଦ୍ୟନ୍ତି ॥ ୧୩୪
ପୂର୍ବେ ଯେ ଆସି ଯାଇ ନାହିଁ । ଅତିଥି ଭାବରେ ଆସଇ ॥ ୧୩୫
ଗୃହେ ନ ରଖି ତାକୁ ଯେବେ । ଅବଲୋକଇ କ୍ରୋଧଭାବେ ॥ ୧୩୬
କର୍କଶବାକ୍ୟ ତାକୁ କହି । ଅନ୍ତେ ସେ ନରକେ ପଡଇ ॥ ୧୩୭
ବକ୍ରତୁଣ୍ତ ଯେ ଗୃଧ୍ର କଙ୍କ । କାକ ସହିତେ ଯେବା ବକ ॥ ୧୩୮
ଦୀର୍ଘଚଞ୍ଚୁରେ ଚିରି ତାର । ଚକ୍ଷୁ ଖୋଳନ୍ତି ନୃପବର ॥ ୧୩୯
ଯେ ଅହଙ୍କାରେ ଛନ୍ନ ହୋଇ । ପ୍ରାଣୀଙ୍କି କଟାକ୍ଷେ ଚାହଁଇ ॥ ୧୪୦
କୁଟିଳହୃଦୟ ଭାବରେ । ଜୀବର ମନ୍ଦକୁ ଆଚରେ ॥ ୧୪୧
ଅନ୍ତେ ସେ ଯାଇ ପରଲୋକେ । ପଡେ ନରକ ସୂଚୀମୁଖେ ॥ ୧୪୨
ତହିଁରେ ପାପୀର ଶରୀର । ପୀଡନ୍ତି ଯମର କିଙ୍କର ॥ ୧୪୩
ଏମନ୍ତ ପ୍ରକାରେ ରାଜନ । ଶତଶତ-ନରକମାନ ॥ ୧୪୪
ଅଛନ୍ତି ଯମର ସଦନ । ତହିଁ ପାପୀଙ୍କ ନିଜସ୍ଥାନ ॥ ୧୪୫
ଯେ ଯେତେ କର୍ମ ଆଚରଇ । ସେ ରୂପେ ଫଳ ସେ ଭୁଞ୍ଜଇ ॥ ୧୪୬
ନିବୃତ୍ତି ମାର୍ଗର ଲକ୍ଷଣ । ଆଗେ ତ କହିଛୁଁ ରାଜନ ॥ ୧୪୭
ଏ ଚତୁର୍ଦ୍ଦଶଭାଗ ହୋଇ । ବ୍ରହ୍ମାଣ୍ତକୋଷ ଏ ବୋଲାଇ ॥ ୧୪୮
ପୁରାଣ ଅନୁମାନ କରି । ତୁମ୍ଭରେ କହିଲୁଁ ବିସ୍ତାରି ॥ ୧୪୯
ଯେ ଭାଗବତ ନାରାୟଣ । ମହାପୁରୁଷ ଭଗବାନ ॥ ୧୫୦
ଗରିଷ୍ଠରୂପ ତାହାଙ୍କର । ମାୟାଗୁଣରେ ନୃପବର ॥ ୧୫୧
ଯେତେକ ବର୍ଣ୍ଣିଲଇଁ ମୁହିଁ । ସକଳରୂପ ସେ ଅଟଇ ॥ ୧୫୨
ଯେ ନର ଶ୍ରଦ୍ଧାବନ୍ତ ହୋଇ । ପଢଇ ଶୁଣଇ ଶୁଣାଇ ॥ ୧୫୩
ସେ ସାଧୁଭକ୍ତ ଶୁଦ୍ଧନର । ପରମଆତ୍ମା ଯେ ଈଶ୍ୱର ॥ ୧୫୪
ଅଚିନ୍ତ୍ୟରୂପଟି ଯାହାର । ପରମସୂକ୍ଷ୍ମରୁ ଯେ ପର ॥ ୧୫୫
ଅତିସୂକ୍ଷ୍ମରୁ ସୂକ୍ଷ୍ମତର । ଦେବଙ୍କୁ ଯାହା ଅଗୋଚର ॥ ୧୫୬
ସୁଗତି ଲଭଇ ସେ ଜନ । ପରମଶ୍ରେଷ୍ଠ ତା ଜୀବନ ॥ ୧୫୭
ଦ୍ୱୀପ ବରଷ ନଦୀ ଗିରି । ସର୍ବ ସମୁଦ୍ର ଦଣ୍ତଧାରୀ ॥ ୧୫୮
ପାତାଳ ଦିଗ ଯେ ନରକ । ଭାଗ ଲକ୍ଷଣ ଯେତେ ଲୋକ ॥ ୧୫୯
ଈଶ୍ୱର ସ୍ଥୂଳ ଯେ ଶରୀର । ଆଶ୍ରୟ ସକଳଜୀବର ॥ ୧୬୦
ଏ ସର୍ବ ବିଭାଗ ପ୍ରକାରେ । ଭୋ ନୃପ କହିଲୁ ତୁମ୍ଭରେ ॥ ୧୬୧
କହଇ ଜଗନ୍ନାଥ ଦାସ । ପଞ୍ଚମସ୍କନ୍ଧେ ସୁଧାରସ ॥ ୧୬୨
ସାଦରେ ପିଅ ସାଧୁପ୍ରାଣୀ । ତରିବ ଭବତରଙ୍ଗିଣୀ ॥ ୧୬୩
ଏ ଯେ ସଂସାର-ସିନ୍ଧୁ-ଘୋର । ଦୁଷ୍ଟଜନରେ ଭୟଙ୍କର ॥ ୧୬୪
ପାଦପଲ୍ଲବଯୁଗ ଧରି । ସୁଖେ ତରିବ ଭବବାରି ॥ ୧୬୫
ତା ବିନୁ ଅନ୍ୟଗତି ନାହିଁ । ତ୍ରାହି କରିବେ ଭାବଗ୍ରାହୀ ॥ ୧୬୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ପଞ୍ଚମସ୍କନ୍ଧେ ନରକାନୁବର୍ଣ୍ଣନଂ ନାମ
ଷଡ୍ବିଂଶୋଽଧ୍ୟାୟଃ ॥
* * *