ପଞ୍ଚମ ସ୍କନ୍ଧ

ପଞ୍ଚବିଂଶ ଅଧ୍ୟାୟ

ଶୁକ ଉବାଚ

ପାତାଳ ତଳେ ହେ ରାଜନ । ତିରିଶ-ସହସ୍ର-ଯୋଜନ ॥

ତାମସୀକଳା ଯେ ବିଶେଷ । ଅନନ୍ତନାମ ପରକାଶ ॥

ଯେ ବିଷ୍ଣୁଅଂଶେ ଜନ୍ମ ହୋଇ । ସଙ୍କରଷଣ ନାମ ବହି ॥

ଅନନ୍ତ ମୂରତି ଠାକୁର । ସହସ୍ରମସ୍ତକ ତାହାର ॥

ତାହାର ଏକଇ ଶିରରେ । ମହୀମଣ୍ତଳ ଅଛି ସ୍ଥିରେ ॥

ଯେ ସୃଷ୍ଟି କରଇ ସଂହାର । ଭ୍ରୂକୁଟି କରିଣ କରାଳ ॥

ଏକାଦଶରୁଦ୍ର ଯେ ହୋଇ । ସଙ୍କରଷଣ ସେ ବୋଲାଇ ॥

ତିନି ଲୋଚନ ତିନି ଶିର । ପ୍ରଚଣ୍ତ ଶୂଳଟି ଯାହାର ॥

ଭକ୍ତିରେ ଅହିପତିମାନ । ଯାହାଙ୍କୁ କରନ୍ତି ବନ୍ଦନ ॥

ଯାହାର ଚରଣକମଳ । ବିରାଜେ ନଖର ମଣ୍ତଳ ॥ ୧୦

ଶିରମଣିରେ ନଖପନ୍ତି । ଚନ୍ଦ୍ରକୁ ଜିଣି ବିରାଜନ୍ତି ॥ ୧୧

କୁଣ୍ତଳ-ପ୍ରଭାରେ ମଣ୍ତିତ । ଗଣ୍ତ ମଣ୍ତଳ ହୃଷ୍ଟଚିତ୍ତ ॥ ୧୨

ତାହାଙ୍କ ଚରଣାରବିନ୍ଦେ । ଚକ୍ଷୁ ନିବେଶନ୍ତେ ଆନନ୍ଦେ ॥ ୧୩

ପରମଭକ୍ତି ଯୋଗମତେ । ଉଦିତ ହୋଏ ହୃଦଗତେ ॥ ୧୪

ଯାହାଙ୍କୁ ବିବିଧ-ବିଧାନେ । ସେବନ୍ତି ନାଗପତ୍ନୀ ମାନେ ॥ ୧୫

ଯେ ଧରେ ରୂପ ମନୋହର । ବିଶୁଦ୍ଧ ଧବଳ ଶରୀର ॥ ୧୬

ବିପୁଳ ବକ୍ଷସ୍ଥଳ ତାର । କୁଙ୍କୁମ ଚନ୍ଦନେ ରୁଚିର ॥ ୧୭

ହଳମୂଷଳ କରେ ଯାର । କି ଅବା ଦେବା ପଟାନ୍ତର ॥ ୧୮

ରଜତ ସ୍ତମ୍ଭ ଭୂଜ ଦୁଇ । ମନ୍ଦସ୍ମିତରେ ମୁଖ ଶୋହି ॥ ୧୯

ମଦ୍ୟେ ଘୂର୍ଣ୍ଣି‌ତ ସୁଲୋଚନ । ବିସ୍ତାର ଅରୁଣ ବଦନ ॥ ୨୦

ସେ ଯେ ଅନନ୍ତ ଭଗବାନ । ଅନନ୍ତ ଗୁଣର ନିଧାନ ॥ ୨୧

ସେ ଆଦିଦେବ ଯେ ଈଶ୍ୱର । କ୍ରୋଧକୁ କରିଣ ସଂହାର ॥ ୨୨

ଲୋକପାଳନ ନିମନ୍ତରେ । ତହିଁ ଅଛନ୍ତି ସେ ଠାକୁରେ ॥ ୨୩

ଉରଗ ସୁର ଯେ ଅସୁର । ସିଦ୍ଧ ଗନ୍ଧର୍ବ ବିଦ୍ୟାଧର ॥ ୨୪

ଅଶେଷ ମୁନିଗଣ ଯେତେ । ଆନନ୍ଦେ ଯେ ଯାହାର ମତେ ॥ ୨୫

ଅପରେ ପାରିଷଦ ଗଣେ । ସେବନ୍ତି ଯାହାର ଚରଣେ ॥ ୨୬

ନବତୁଳସୀ ଫୁଲ ଶିରେ । ଗନ୍ଧ ଆମୋଦଇ ପ୍ରଖରେ ॥ ୨୭

ଗନ୍ଧେ ମଧୁକର ନିକର । ଧ୍ୱନି କରନ୍ତି ମନୋହର ॥ ୨୮

ବନମାଳାଏ କଣ୍ଠେ ଧରି । କୁଣ୍ତଳ ଅତି ମନୋହାରୀ ॥ ୨୯

ସୁନ୍ଦର ଭୁଜ ଲମ୍ବମାନ । ମହେନ୍ଦ୍ରବାରଣ ଯେସନ ॥ ୩୦

ଧ୍ୟାନ ଶ୍ରବଣ ଯୋଗସାରେ । ମୁନି ଚିନ୍ତନ୍ତି ଯା ମନରେ ॥ ୩୧

କଳିକଳୁଷ କର୍ମଗ୍ରନ୍ଥି । ଅବିଦ୍ୟା ନାଶ ଯେ କରନ୍ତି ॥ ୩୨

ଶ୍ରଦ୍ଧା-ଆରତେ ଯେବା ଜନ । ଯେବେ କରଇ ସୁମରଣ ॥ ୩୩

ଯେ ଏହା କରନ୍ତି ସକଳ । କରୁଣା ବହେ ଆଦିମୂଳ ॥ ୩୪

ଯାହାର ଅନୁଭବମାନ । ନାରଦମୁନି ହେ ରାଜନ ॥ ୩୫

ବ୍ରହ୍ମା-ସଭାରେ ବିସ୍ତାରିଲେ । ସକଳେ ଶୁଣି ନିସ୍ତରିଲେ ॥ ୩୬

ଯାହାର କଟାକ୍ଷକୁ ପାଇ । ଉତ୍ପତ୍ତି ସ୍ଥିତି ଲୟ ହୋଇ ॥ ୩୭

ଯାର ମୂରତି କୃପାମୟୀ । ସତ ଅସତ ଯାର ଦେହୀ ॥ ୩୮

ସୁଜନ-ମନ ହରିବାରେ । ମୃଗେନ୍ଦ୍ର ପ୍ରାୟ ଲୀଳା କରେ ॥ ୩୯

ଯାହାର ନାମ ସୁମରଣ । ଶ୍ରବଣ କୀର୍ତ୍ତନ ରାଜନ ॥ ୪୦

ଘୋର-ଦୁର୍ଗମେ ନର ଥାଇ । ଯେବେ ଆରତେ ସୁମରଇ ॥ ୪୧

ଆପଦ ଯାଇ ତାର ଦୂର । ସକଳ-ପାପୁ ହୋଏ ପାର ॥ ୪୨

ଆଶ୍ରୟ ହୋଇଲେ ତାହାର । ମୋକ୍ଷକୁ ଲଭେ ସେ ନିର୍ଭର ॥ ୪୩

ଭୂଗୋଳ ନାନା ନଦୀ ଗିରି । ଦ୍ୱୀପ ସମୁଦ୍ର ଆଦି କରି ॥ ୪୪

ଯାହାର ମସ୍ତକେ ଜଗତ । ସ୍ଥିରେ ଅଛଇ ପରୀକ୍ଷିତ ॥ ୪୫

ଅତି ବିକ୍ରମ ଯେ ପୁରୁଷ । କେ କହୁଁ ତା ରୂପ ବିଶେଷ ॥ ୪୬

ଯେ ଆତ୍ମତନ୍ତ୍ର ଭଗବାନ । ତାର ଅଶେଷ ଗୁଣଗ୍ରାମ ॥ ୪୭

ଲୀଳାମାତ୍ରକେ ଏ ସଂସାର । ଯେ ଧରିଅଛି ବିଶ୍ୱଭାର ॥ ୪୮

ଏମନ୍ତ ପ୍ରଭାବ ଯାହାର । ଦୁରିତହାରୀ ସେ ଠାକୁର ॥ ୪୯

ଏବେ କହିଲୁ ଜୀବଗତି । କର୍ମରୁ ଯେ ଯାହା ଭୁଞ୍ଜନ୍ତି ॥ ୫୦

ଯାହାର ସ୍ଥାନଟି ଯେମନ୍ତ । ସକଳ କରିଲୁଁ ବିଦିତ ॥ ୫୧

ଯାହାର ଯେମନ୍ତ ଲକ୍ଷଣ । ଯେ ଧର୍ମ ଯାର ଆଚରଣ ॥ ୫୨

ଯେ ଉଚ୍ଚ-ନୀଚ ଜୀବଜନ୍ତୁ । ଯାହାର ଯେ କର୍ମ ଯେହେତୁ ॥ ୫୩

ତୁମ୍ଭ ପ୍ରଶନ ଅନୁସାରେ । ସକଳ କହିଲୁ ତୁମ୍ଭରେ ॥ ୫୪

ଏବେ କି ତୁମ୍ଭ ଅଭିଳାଷ । ଅପରେ କହିବୁଁ ବିଶେଷ ॥ ୫୫

ଅଖିଳ-ବ୍ରହ୍ମାଣ୍ତ-କାରଣ । ଅନାଦି ପ୍ରଭୁ ନାରାୟଣ ॥ ୫୬

ସେ ପ୍ରଭୁ ଚରଣେ ମୋ ମତି । ଅନବରତେ ହେଉ ସ୍ଥିତି ॥ ୫୭

କହଇ ଜଗନ୍ନାଥ ଦାସ । ହରିଚରିତ ସୁଧାରସ ॥ ୫୮

ସୁଜନେ ଶୁଣ ଦେଇମନ । ଫିଟିବ ଭବର ବନ୍ଧନ ॥ ୫୯

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ

ପଞ୍ଚମସ୍କନ୍ଧେ ଭୂବିବରବିଧି ଉପବର୍ଣ୍ଣ‌ନଂ

ନାମ ପଞ୍ଚବିଂଶୋଽଧ୍ୟାୟଃ ॥

* * *