ପଞ୍ଚମ ସ୍କନ୍ଧ
ଚତୁବିଂଶ ଅଧ୍ୟାୟ
ଶୁକ ଉବାଚ
ଆଦିତ୍ୟଠାରୁ ଅଧୋମେଳେ । ଅୟୁତ ଯୋଜନର ତଳେ ॥ ୧
ଭ୍ରମ ଆକାରେ ରାହୁ ସ୍ଥିତି । ଏମନ୍ତ କେ ଅବା କହନ୍ତି ॥ ୨
ସ୍ୱଭାବେ ସିଂହିକାନନ୍ଦନ । ଏ ଟି ଅସୁର ଭୋ ରାଜନ ॥ ୩
ଯେଣୁ ପ୍ରଭୁର କୃପା ହୋଇ । ଅଜରାମର ଏହା ଦେହୀ ॥ ୪
ଏହାର ଜନ୍ମକର୍ମମାନ । ପଛେ କହିବା ହେ ରାଜନ ॥ ୫
ଅଧୋଭାଗରେ ଯେ ପଡ଼ଇ । ତରଣିମଣ୍ତଳ ହୁଅଇ ॥ ୬
ଅୟୁତଯୋଜନ ବିସ୍ତାର । ଲୋକରେ ଖ୍ୟାତ ନୃପବର ॥ ୭
ଦ୍ୱାଦଶ ସହସ୍ରଯୋଜନ । ଚନ୍ଦ୍ରମଣ୍ତଳ ପରିମାଣ ॥ ୮
ତ୍ରୟୋଦଶସସ୍ରଯୋଜନ । ରାହୁମଣ୍ତଳ ଯେ ବିସ୍ତୀର୍ଣ୍ଣ ॥ ୯
ଏ ରାଦୁ ସୁଧାପାନ ବେଳେ । ଚନ୍ଦ୍ର-ସୂର୍ଯ୍ୟଙ୍କ ମଧ୍ୟେ ମିଳେ ॥ ୧୦
ତା ଦୁହେଁ କଲେ ବ୍ୟବଧାନ । ତାହା ଜାଣିଲେ ଭଗବାନ ॥ ୧୧
ବୈରାନୁବନ୍ଧଭାବେ ତହିଁ । ଚନ୍ଦ୍ର-ସୂର୍ଯ୍ୟ ଗ୍ରାସିବାପାଇଁ ॥ ୧୨
ଧାମଇଁ ବେଗବନ୍ତ ହୋଇ । ତା ଦେଖି ବ୍ରହ୍ମାଣ୍ତଗୋସାଇଁ ॥ ୧୩
ରକ୍ଷା ନିମନ୍ତେ ସୁଦର୍ଶନ । ରଖି ଅଛନ୍ତି ଭଗବାନ ॥ ୧୪
ଚକ୍ରର ଅତିତେଜ ପାଇଁ । ନିକଟୁ ନିବୃତ୍ତ ହୁଅଇ ॥ ୧୫
ଚକିତ ହୋଇଣ ତାହାର । ଉଦ୍ବେଗ ହୁଅଇ ଅନ୍ତର ॥ ୧୬
ତାହାକୁ ଉପରାଗ ନାମ । ଏ ଲୋକେ କରନ୍ତି ଗାୟନ ॥ ୧୭
ତାହାର ତଳେ ନୃପବର । ସିଦ୍ଧ ଚାରଣ ବିଦ୍ୟାଧର ॥ ୧୮
ଏହାଙ୍କ ସଦନ ନିର୍ମିତ । ଏହାର ତଳେ ପରୀକ୍ଷିତ ॥ ୧୯
ଯକ୍ଷ ପିଶାଚ ଭୂତ ପ୍ରେତ । ଏହାଙ୍କ ଗୃହ ଯେ ନିର୍ମିତ ॥ ୨୦
ଯାବତ ବାୟୁର ସଞ୍ଚାର । ଯାବତ ଗତି ଜଳଧର ॥ ୨୧
ଭୂମିମଣ୍ତଳ ହେ ରାଜନ । ତା ତଳେ ଶତେକଯୋଜନ ॥ ୨୨
ଗମନ କରନ୍ତି ଶୂନ୍ୟରେ । ସୁପର୍ଆଦି ପକ୍ଷୀବରେ ॥ ୨୩
ଭୂମିମଣ୍ତଳର ବର୍ଣ୍ଣନ । କହିତ ଅଛୁ ହେ ରାଜନ ॥ ୨୪
ଅବନୀତଳର ବେଭାର । କହିବା ଶୁଣ ନୃପବର ॥ ୨୫
ସପତଭୂବିବରେ କରି । ସପ୍ତଭୁବନ ଦଣ୍ତଧାରୀ ॥ ୨୬
ଅତଳ ବିତଳ ସୁତଳ । ତଳାତଳ ଯେ ମହାତଳ ॥ ୨୭
ରସାତଳ ଯେ ମହୀପାଳ । ସପ୍ତମେ ବିଦିତ ପାତାଳ ॥ ୨୮
କ୍ରମେ ଏ ଅୟୁତଯୋଜନ । ଏକ ଏକର ଯେ ପ୍ରମାଣ ॥ ୨୯
ବିଳସ୍ୱର୍ଗ ନାମ ଏହାର । ସ୍ୱର୍ଗୁ ଅଧିକ ସୁଖକର ॥ ୩୦
କାମ ଐଶ୍ୱର୍ଯ୍ୟ ନାନାଭୋଗ । ପରମାନନ୍ଦ ସୁଖଯୋଗ ॥ ୩୧
ନାନା ରତ୍ନରେ ଦିବ୍ୟପୁର । ସୌରଭେ ଭୁବନ ସୁନ୍ଦର ॥ ୩୨
ବିବିଧ-କ୍ରୀଡାର ମନ୍ଦିର । ସୁସଞ୍ଚସ୍ଥଳ ମନୋହର ॥ ୩୩
ଏ ସ୍ଥଳେ କ୍ରୀଡନ୍ତି ଆନନ୍ଦେ । ସେ ସ୍ଥଳବାସୀ ଜୀବବୃନ୍ଦେ ॥ ୩୪
କାଦ୍ରବ ଦାନବ ଦଇତ୍ୟେ । ଅପତ୍ୟ ପତ୍ନୀର ସହିତେ ॥ ୩୫
ଗନ୍ଧର୍ବ ବିଦ୍ୟାଧର ଯେତେ । ଅପ୍ସରାଗଣଙ୍କ ସହିତେ ॥ ୩୬
ମାୟାବୀ ମୟଦୈତ୍ୟ ଯହିଁ । ନିର୍ମାଣ କରି ଯେ ଅଛଇ ॥ ୩୭
ନାନାମଣିରେ ଦିବ୍ୟପୁର । ବିବିତ୍ର ବୈଦୂର୍ଯ୍ୟର ଘର ॥ ୩୮
ସଭା ଚତ୍ୱର ଯେ ଗୋପୁର । ବିବିଧ ନାନାମଣି ସାର ॥ ୩୯
ମିଥୁନ ଶୁକ ପାରାବତ । କୃତ୍ରିମ-ମଣିରେ ନିର୍ମିତ ॥ ୪୦
ଶାରିକାଆଦି ପକ୍ଷୀମାନ । ବିବିଧ ପ୍ରକାର ଭିଆଣ ॥ ୪୧
ମଣିସଦନ ଉଚ୍ଚ ସାର । ଶୋହଇ ଅତି ମନୋହର ॥ ୪୨
ବିଚିତ୍ର-ଚିତ୍ର ଉପବନ । ସୌରଭ ହରେ ପ୍ରାଣୀମନ ॥ ୪୩
କୁସୁମ ଫଳ ଅତିଭରେ । ବିଟପୀ ଲାଗନ୍ତି ଭୂମିରେ ॥ ୪୪
କୋମଳ ପଲ୍ଲବ ସୁରଙ୍ଗ । ପକ୍ଷୀମିଥୁନ ଯହିଁ ସଙ୍ଗ ॥ ୪୫
ବିବିଧ ଜଳାଶୟମାନ । କ୍ରୀଡନ୍ତି ନାନା ବିହଙ୍ଗମ ॥ ୪୬
ଧ୍ୱନି କରନ୍ତି ମନୋହର । ଋଷିଙ୍କ ତପ କ୍ଷୋଭକର ॥ ୪୭
ନୀରଜ କୁମୁଦ କହ୍ଲାର । ଏହାଙ୍କ ବନେ ତାଙ୍କ ଘର ॥ ୪୮
ସେ ପକ୍ଷୀଗଣ ଦିବ୍ୟସ୍ୱନ । ଶ୍ରବଣେ ହରେ ପ୍ରାଣୀମନ ॥ ୪୯
ସ୍ୱର୍ଗହୁଁ ଅତି ମନୋହର । ସେ ସ୍ଥାନମାନ ନୃପବର ॥ ୫୦
ଅହିଙ୍କ ଶିରେ ମଣିମାନ । ଯହିଁ ହରଇ ଅନ୍ଧତମ ॥ ୫୧
ସେ ଭୂମି ଅତି ଅନୁପମ । ତହିଁ ତ ନାହିଁ ରାତ୍ରଦିନ ॥ ୫୨
ଆଧିର ପରାଭବ ନାହିଁ । ଦେହରେ ରୋଗ ନ ଲାଗଇ ॥ ୫୩
ପୁରୁଷ-ଯୁବତୀମାନର । ଏଣୁ ଯେ ସୁନ୍ଦର ଶରୀର ॥ ୫୪
ତେଣୁ ସେ ଶରୀର-ଭେଦରେ । ଶରୀରକାନ୍ତି ନାହିଁ ସରେ ॥ ୫୫
ଯଶ-ସମ୍ପଦ ତାଙ୍କ ତହିଁ । ନିତ୍ୟ ପ୍ରକାଶ ଅଛି ଯହିଁ ॥ ୫୬
ତହିଁର ନରନାରୀମାନ । ପରମମଙ୍ଗଳ ଭାଜନ ॥ ୫୭
ଶ୍ରୀହରି ଚକ୍ର ବିନୁ ତହିଁ । ଅବସ୍ଥା ମୃତ୍ୟୁ ଭୟ ନାହିଁ ॥ ୫୮
ଅତଳେ ଅଛି ମହୀପାଳ । ମୟର ପୁତ୍ର ନାମ ବଳ ॥ ୫୯
ତାହାର ମାୟା ଦୃଢ଼ତରେ । ଅଦ୍ୟାପି ସଂସାରେ ପ୍ରଚରେ ॥ ୬୦
ବଳାସୁର ଜୃମ୍ଭଣେ ଜନ୍ମି । ସ୍ୱୈରିଣୀ ପୁଂଶ୍ଚଳୀ କାମିନୀ ॥ ୬୧
ହାଟକ ନାମେ ମାୟାରସ । ତାହାକୁ ପିଅନ୍ତେ ପୁରୁଷ ॥ ୬୨
ବିଳାସ-ଅବଲୋକନରେ । ନାନା ପ୍ରକାରେ କ୍ରୀଡା କରେ ॥ ୬୩
ଅୟୁତ-ମହାଗଜବଳ । ହୁଅଇ ତହୁଁ ପୁରୁଷର ॥ ୬୪
ବିତଳେ ଶମ୍ଭୁଭଗବାନ । ହାଟକେଶ୍ୱର ଯାର ନାମ ॥ ୬୫
ପ୍ରଜାପତି-ସୃଷ୍ଟି ନିମନ୍ତେ । ଅଛନ୍ତି ଭବାନୀ ସହିତେ ॥ ୬୬
ଏହାଙ୍କ ବୀର୍ଯ୍ୟୁ ଜାତ ହୋଇ । ହାଟକୀ ନାମେ ନାମେ ନଦୀ ବହି ॥ ୬୭
ତାର ସଂସର୍ଗୁ ଜାତ ହୋଇ । ସୁବର୍ଣ୍ଣ ହାଟକ ବୋଲାଇ ॥ ୬୮
ଅସୁରଙ୍କର ବଧୂଗଣ । ତାହାକୁ କରନ୍ତି ଭୂଷଣ ॥ ୬୯
ବିରୋଚନଙ୍କ ପୁତ୍ର ବଳି । ଅଛନ୍ତି ସୁତଳରେ ମିଳି ॥ ୭୦
ଉଦାରଶ୍ରବା ପୁଣ୍ୟଶ୍ଳୋକ । ଯାହାକୁ ବୋଲନ୍ତି ତ୍ରିଲୋକ ॥ ୭୧
ଇନ୍ଦ୍ରର ପ୍ରିୟଭାବ ବହି । ଅଖିଳ-ବ୍ରହ୍ମାଣ୍ତ-ଗୋସାଇଁ ॥ ୭୨
ଅଦିତି ତହୁଁ ଜାତ ହୋଇ । ବଟୁବାମନ ରୂପ ବହି ॥ ୭୩
ନାନା-ସମ୍ପଦ ତାର ହରି । ପୁଣି ଦୟାକଲେ ମୁରାରି ॥ ୭୪
ଇନ୍ଦ୍ରାଦିସୁର ତହୁଁ ବଳି । ସମ୍ପତ୍ତି ଦେଲେ ବନମାଳୀ ॥ ୭୫
ପୂଜ୍ୟ ଅଖିଳ ଦେବଙ୍କର । ଅନାଦି-ପ୍ରଭୁ ଯେ ଈଶ୍ୱର ॥ ୭୬
ସ୍ୱକର୍ମେ ତାଙ୍କୁ ଆରାଧିଣ । ସୁଖେ ସେ ଅଛନ୍ତି ରାଜନ ॥ ୭୭
ସେ ସର୍ବବୀଜ ଭଗବାନ । ପରମଆତ୍ମା ସୂକ୍ଷ୍ମ ବ୍ରହ୍ମ ॥ ୭୮
ଯେ ତୀର୍ଥପଦ ଜଗନ୍ନାଥ । ସକଳ-ଦେଶକାଳ-ପାତ୍ର ॥ ୭୯
ତାହାଙ୍କୁ ଶ୍ରଦ୍ଧାଯୁକ୍ତ ହୋଇ । ସ୍ଥିରମନରେ ଭୂମି ଦେଇ ॥ ୮୦
ବିଳସ୍ୱର୍ଗକୁ ଭୋଗ କରେ । ନାନା-ଐଶ୍ୱର୍ଯ୍ୟର ବେଭାରେ ॥ ୮୧
ଯାଚଞ୍ଜା ଛଳେ ଯେ ଉପାୟେ । ତହିଁରେ କରି ଦେବରାୟେ ॥ ୮୨
ତ୍ରିଲୋକ ବ୍ୟାପିଲେ ଶରୀରେ । ଶେଷ ନରହିଲା ସଂସାରେ ॥ ୮୩
ଯେ ଇନ୍ଦ୍ରେ ଅନୁଗ୍ରହ କରି । ଇନ୍ଦ୍ରର ଭ୍ରାତୃଭାବ ଧରି ॥ ୮୪
ଜନ୍ମିଲେ ବ୍ରହ୍ମାଣ୍ତଠାକୁର । ଯାହା ନିମନ୍ତେ ନୃପବର ॥ ୮୫
ସେ ସର୍ବଭାବ ଭଗବାନ । ଅଖିଳ-ଗୁରୁ ନାରାୟଣ ॥ ୮୬
ଯାହାର ଦ୍ୱାରେ ଗଦା ଧରି । ଅଛନ୍ତି ପ୍ରଭୁ ଯେ ଉଭାରି ॥ ୮୭
ତାହାର ଅଧୋଦେଶେ ଯେହି । ତଳାତଳ ନାମ ବୋଲାଇ ॥ ୮୮
ମୟଦାନବ ଯେ ପୂର୍ବରେ । ଦ୍ରୋହ ଚିନ୍ତିଲା ଚକ୍ରଧରେ ॥ ୮୯
ସ୍ୱପୁର ତ୍ରୟ ଦଗ୍ଧ କଲା । ତେଣୁ ସେ ବରକୁ ଲଭିଲା ॥ ୯୦
ମାୟାବୀମାନଙ୍କର ବର । ଐଶ୍ୱର୍ଯ୍ୟ ଲଭି ସେ ଅସୁର ॥ ୯୧
ଅଭୟ ବରକୁ ସେ ପାଇ । ତଳାତଳରେ ଯେ ଅଛଇ ॥ ୯୨
ସୁଦରଶନ ଚକ୍ର ଡରେ । ଶରଣ ପଶିଲା ଶମ୍ଭୁରେ ॥ ୯୩
ସେ ଭୟ ତାର ଦୂର କରି । ରଖିଲେ ଶିବ ଶୂଳଧାରୀ ॥ ୯୪
ନିର୍ଭୟ ହୋଇ ସେ ଦାନବ । ସେ ସ୍ଥଳେ ଭୁଞ୍ଜଇ ବିଭବ ॥ ୯୫
ତାହାର ଅଧୋଭାଗ ଦେଶେ । ମହାତଳପୁର ପ୍ରକାଶେ ॥ ୯୬
ତହିଁରେ ନାନା ନାଗ ଆଦି । କ୍ରୋଧବଶ ନାମ ପ୍ରସିଦ୍ଧି ॥ ୯୭
କୁହକ କାଳୀୟ ସୁଷେଣ । ତକ୍ଷକ ପ୍ରଧାନ ଏମାନ ॥ ୯୮
ସୁଦୀର୍ଘକାୟ ବଳବନ୍ତ । ତହିଁ ଅଛନ୍ତି ପରୀକ୍ଷିତ ॥ ୯୯
ନିତ୍ୟ ସେ ଗରୁଡ଼ଙ୍କ ଭୟେ । ଉଦ୍ବେଗ ହୋଏ ତାଙ୍କ କାୟେ ॥ ୧୦୦
ଦାରା ତନୟ ବନ୍ଧୁ ସଙ୍ଗେ । ବିହାର କରନ୍ତି ସେ ରଙ୍ଗେ ॥ ୧୦୧
ତାହାର ତଳେ ମହୀପାଳ । ଯେ ପୁର ନାମ ରସାତଳ ॥ ୧୦୨
ଦୈତ୍ୟ-ଦାନବ ପତିମାନ । କବଚ କାଳେୟ ହିରଣ୍ୟ ॥ ୧୦୩
ଅତ୍ୟନ୍ତ-ବଳବନ୍ତ ହୋନ୍ତି । ଦେବଙ୍କ ଦ୍ରୋହ ସେ ଚିନ୍ତନ୍ତି ॥ ୧୦୪
ସକଳ ଲୋକର କାରଣ । ମହାପୁରୁଷ ନାରାୟଣ ॥ ୧୦୫
ମହାନୁଭାବ ସେ ଯେ ହରି । ତାହାଙ୍କ ଅତିତେଜେ କରି ॥ ୧୦୬
ଗୃହୀତବଳ ସେ ଦାନବେ । ସେ ସ୍ଥଳେ ଥାନ୍ତି ଉଦବେଗେ ॥ ୧୦୭
ଇନ୍ଦ୍ରଦୂତୀର ବାକ୍ୟ ଶୁଣି । ନିତ୍ୟେ ଡରନ୍ତି ନୃପମଣି ॥ ୧୦୮
ତାହାର ତଳେଟି ପାତାଳ । ତହିଁ ଅଛନ୍ତି ନାଗବଳ ॥ ୧୦୯
ବାସୁକି ଆଦି ନାଗବଳ । ଶଙ୍ଖ କୁଳିକ ଯେ କମ୍ବଳ ॥ ୧୧୦
ମହାଶଙ୍ଖ ଯେ ଆରାଶ୍ୱେତ । ଧନଞ୍ଜୟ ଯେ ଦେବଦତ୍ତ ॥ ୧୧୧
ଧୃତରାଷ୍ଟ୍ର ଯେ ଶଙ୍ଖଚୂଡ଼ । ଯେ ମହାଭୋଗୀ ଅଶ୍ୱତର ॥ ୧୧୨
ଏ ଯେତେ ମହାଭୋଗୀମାନେ । ବସନ୍ତି ପାତାଳଭୁବନେ ॥ ୧୧୩
ପଞ୍ଚ-ସପତ-ଦଶଶିର । ଅନେକ-ଫଣା ତାହାଙ୍କର ॥ ୧୧୪
ଏହାଙ୍କ ମହାମଣିମାନ । ପ୍ରକାଶେ ଆଦିତ୍ୟ ଯେସନ ॥ ୧୧୫
ପାତାଳ ବିବର ତିମିର । ସ୍ୱତେଜେ କରନ୍ତି ଯେ ଦୂର ॥ ୧୧୬
ରାଜନ ସପତପାତାଳ । କହିଲୁ ଯେଝା ବାସସ୍ଥଳ ॥ ୧୧୭
ପଞ୍ଚମସ୍କନ୍ଧେ ଏ ବର୍ଣ୍ଣନ । ସୂଜନେ ସାବଧାନେ ଶୁଣ ॥ ୧୧୮
କୃଷ୍ଣଚରଣେ ମନ ଦିଅ । ସୁଜନେ ନିତ୍ୟେ ଏହା ଗାଅ ॥ ୧୧୯
କୃଷ୍ଣପଦାରବିନ୍ଦ ରସ । ସ୍ନେହରେ କର ଏହା ଗ୍ରାସ ॥ ୧୨୦
କହଇ ଜଗନ୍ନାଥ ଦାସ । ଶ୍ରୀଭାଗବତ ସୁଧାରସ ॥ ୧୨୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପଞ୍ଚମସ୍କନ୍ଧେ ରାହ୍ୱାଦିସ୍ଥିତିବିଳସ୍ୱର୍ଗମର୍ଯ୍ୟାଦା ନିରୂପଣଂ ନାମ
ଚତୁର୍ବିଂଶୋଽଧ୍ୟାୟଃ ॥
* * *