ପଞ୍ଚମ ସ୍କନ୍ଧ

ତ୍ରୟୋବିଂଶ ଅଧ୍ୟାୟ

ଶୁକ ଉବାଚ

ଏଥୁ ଅନ୍ତରେ ହେ ରାଜନ । ତ୍ରୟୋଦଶଲକ୍ଷଯୋଜନ ॥

ସେ ସ୍ଥାନ ବିରାଜଇ ତହିଁ । ବିଷ୍ଣୁର ସ୍ଥଳ ତାକୁ କହି ॥

ଯହିଁ ପରମ-ଭାଗବତ । ଧ୍ରୁବ ଉତ୍ତାନପାଦସୁତ ॥

ଅଛନ୍ତି କଶ୍ୟପ ସଙ୍ଗତେ । କାଳଯଷ୍ଟିର ସେବାମତେ ॥

କଳ୍ପେ ପର୍ଯ୍ୟନ୍ତେ ସୁଖଭୋଳେ । ପ୍ରଭୁଙ୍କୁ ଭଜନ୍ତି ନିଶ୍ଚଳେ ॥

ସେ ଭାଗବତ ଧୃବବାଣୀ । ପୂର୍ବେ କହିଛୁଁ ନୃପମଣି ॥

ଗ୍ରହ ନକ୍ଷତ୍ର-ଜ୍ୟୋତିର୍ଗଣ । ଧ୍ରୁବର ସହିତେ ରାଜନ ॥

ଈଶ୍ୱରସୃଷ୍ଟି ଅନୁସାରେ । ଏବେ ଦିଶଇ ସେ ଲୋକରେ ॥

କାଳଚକ୍ରରେ ଭ୍ରମେ ଜାଣ । ବେଗେ ଭ୍ରମନ୍ତି ଅନୁକ୍ଷଣ ॥

ମେରିରେ ପଶୁଗଣ ଯେହ୍ନେ । ସକଳେ ଭ୍ରମନ୍ତି ତେସନେ ॥ ୧୦

ମଣ୍ତଳଆକାରରେ ତହିଁ । ଯେ ଯାହା ସ୍ଥାନରେ ଭ୍ରମଇଁ ॥ ୧୧

ନକ୍ଷତ୍ର-ଗ୍ରହ ଆଦି ଯେତେ । ଏହି ପ୍ରକାରେ ସେ ସମସ୍ତେ ॥ ୧୨

କାଳର ଚକ୍ରେ ଯେ ଭ୍ରମଣ । ବାହାର-ଅନ୍ତରେ ଭ୍ରମିଣ ॥ ୧୩

କଳ୍ପାନ୍ତଯାଏଁ ସେ ପ୍ରକାରେ । ଅଛନ୍ତି ବିବିଧ-ବେଭାରେ ॥ ୧୪

ଶୂନ୍ୟମଣ୍ତଳେ ମେଘମାଳେ । ଯେସନେ ଥାନ୍ତି ବାୟୁବଳେ ॥ ୧୫

ଯେହ୍ନେ ଶ୍ୱେନାଦି ପକ୍ଷୀମାନେ । ପବନବଳେ ଥାନ୍ତି ଶୂନ୍ୟେ ॥ ୧୬

କର୍ମଅଧୀନେ ଜ୍ୟୋତିର୍ଗଣେ । ଶୂନ୍ୟରେ ଭ୍ରମନ୍ତି ତେସନେ ॥ ୧୭

ପ୍ରକୃତିପୁରୁଷଙ୍କ ଭୋଗ । ତହିଁରେ ହୁଅନ୍ତି ସଂଯୋଗ ॥ ୧୮

କର୍ମବନ୍ଧନ ନିମିତ୍ତରେ । ପତନ ନୁହଁନ୍ତି ଭୂମିରେ ॥ ୧୯

ଏ ଅନନ୍ତରେ ନୃପବର । ଏ ଜ୍ୟୋତିଶ୍ଚକ୍ର ଶିଶୁମାର ॥ ୨୦

ଏମନ୍ତ କରି କେ ବର୍ଣ୍ଣଇ । କହିବା ଶୁଣ ମନ ଦେଇ ॥ ୨୧

ଯେ ପ୍ରଭୁ ଅଖିଳ କାରଣ । ଶ୍ରୀବାସୁଦେବ ନାରାୟଣ ॥ ୨୨

ତାହାଙ୍କ ଯୋଗର ମୂରତି । ଶରୀର କୁଣ୍ତଳ ଆକୃତି ॥ ୨୩

ଅଧୋବଦନ ତାହାଙ୍କର । ପୁଚ୍ଛରେ ନିବାସ ଧ୍ରୁବର ॥ ୨୪

ଲାଙ୍ଗୁଳେ ପ୍ରଜାପତି ବାସ । ଅନଳ ଧର୍ମ ଯେ ସୁରେଶ ॥ ୨୫

ଧାତା ବିଧାତା ପୁଚ୍ଛମୂଳେ । ସପତଋଷି କଟିସ୍ଥଳେ ॥ ୨୬

ଦକ୍ଷିଣାବର୍ତ୍ତ ପ୍ରାୟ ହୋଇ । କୁଣ୍ତଳ ଆକାର ସେ ଦେହୀ ॥ ୨୭

ତାର ଦକ୍ଷିଣଅଂଶଗତେ । ନକ୍ଷତ୍ରମାନ ଯେ ସମସ୍ତେ ॥ ୨୮

ଅଭିଜିତ ଆଦି ଏ ଗଣ । ବାମପାରୁଶେ ତାଙ୍କ ସ୍ଥାନ ॥ ୨୯

ପୁନର୍ବସୁ ଯେ ପୁଷ୍ୟା ଦୁଇ । ବାମ-ଦକ୍ଷିଣ-ଶ୍ରେଣୀ ତହିଁ ॥ ୩୦

ଆକାଶଗଙ୍ଗା ଯେ ପୃଷ୍ଠରେ । ବିରାଜେ ଅତି ଶୁଭ୍ରତରେ ॥ ୩୧

ବାମ ଦକ୍ଷିଣ ପାଦଦେଶେ । ଆରାଦ୍ରା ଅଶ୍ଳେଷା ପ୍ରକାଶେ ॥ ୩୨

ଉତ୍ତରାଷାଢ଼ା ଅଭିଜିତ । ସବ୍ୟ-ଦକ୍ଷିଣ-ଘ୍ରାଣେ ସ୍ଥିତ ॥ ୩୩

ଶ୍ରବଣା ପୂର୍ବାଷାଢ଼ା ଦୁଇ । ବାମ-ଦକ୍ଷିଣ-ନେତ୍ରେ ରହି ॥ ୩୪

ଧନିଷ୍ଠା ମୂଳା ବେନିଜନେ । ଦକ୍ଷିଣ ବାମ ବେନିକର୍ଣ୍ଣେ ॥ ୩୫

ମଘାଦି ଆଠ ଯେ ବିଦିତ । ବାମ ଅସ୍ଥିରେ କ୍ରମେ ସ୍ଥିତ ॥ ୩୬

ମୃଗଶିରାଦି ଦକ୍ଷିଣରେ । ଜ୍ୟେଷ୍ଠା ଶତଭିଷା ସ୍କନ୍ଧରେ ॥ ୩୭

ଉତ୍ତର ଅଧର ହନୁରେ । ଅଗସ୍ତି ଶମନ କ୍ରମରେ ॥ ୩୮

ମୁଖରେ ଅଙ୍ଗାରକ ଶୋହେ । ଉପସ୍ଥେ ଶନିଶ୍ଚର ରହେ ॥ ୩୯

ଆଦିତ୍ୟ ବକ୍ଷସ୍ଥଳେ ବସେ । ବୃହସ୍ପତି କକୁଦଦେଶେ ॥ ୪୦

ହୃଦୟେ ନାରାୟଣ ସ୍ଥିତି । ଚନ୍ଦ୍ରମା ମନରେ ବସନ୍ତି ॥ ୪୧

ନାଭିରେ ଉଶନା ପ୍ରକାଶ । ସ୍ତନରେ ଅଶ୍ୱିନୀର ବାସ ॥ ୪୨

ପ୍ରାଣ-ଅପାନେ ବୁଧ ବସେ । ଗଳାରେ ରାହୁ ଯେ ପ୍ରକାଶେ ॥ ୪୩

ସର୍ବ ଅଙ୍ଗରେ କେତୁସ୍ଥାନ । ଏ ଅନୁକ୍ରମେ ହେ ରାଜନ ॥ ୪୪

ରୋମମୂଳରେ ତାରାଗଣ । ବିଚିତ୍ରରୂପ ନାରାୟଣ ॥ ୪୫

ଏ ରୂପେ ସର୍ବଦେବ ସେହି । ଯେ ଜନ ଶୁଚିମନ୍ତ ହୋଇ ॥ ୪୬

ସନ୍ଧ୍ୟାରେ ଦେଖି ସ୍ତବ କରେ । ଅଶେଷ ପାପୁଁ ସେ ନିସ୍ତରେ ॥ ୪୭

ଏ ସ୍ତବ ତୁଣ୍ତେ ଉଚ୍ଚାରିଣ । ସ୍ତୁତି କରିବ ସାବଧାନ ॥ ୪୮

ନମଇଁ ଜ୍ୟୋତିର୍ଲୋକମୟ । କାଳ ଅଦ୍‌ଭୁତ ଯାର ଦେହ ॥ ୪୯

ସକଳଦେବ-ସ୍ୱାମୀ ତୁହି । ତୋ ପାଦେ ଆନନ୍ଦେ ନମଇଁ ॥ ୫୦

ଗ୍ରହ ନକ୍ଷତ୍ର ରାଶିଗଣ । ସର୍ବାଧି-ଦେବ ନାରାୟଣ ॥ ୫୧

ତ୍ରିକାଳସନ୍ଧ୍ୟାରେ ଯେ ନର । ସ୍ମରଣେ କରେ ନମସ୍କାର ॥ ୫୨

ଅହୋରାତ୍ରର ପାପ ତାର । ଦହନ ହୋଏ ନୃପବର ॥ ୫୩

ସେ ପ୍ରଭୁ ସ୍ୱୟଂ ଯୋଗେଶ୍ୱର । ଅନାଦି ବ୍ରହ୍ମାଣ୍ତ ଠାକୁର ॥ ୫୪

ତାହାଙ୍କ ଚରଣ କମଳେ । ମୋ ଚିତ୍ତ ରହୁ ନରନ୍ତରେ ॥ ୫୫

କହଇ ଦାସ ଜଗନ୍ନାଥ । ଭାଷା ପ୍ରବନ୍ଧେ ଭାଗବତ ॥ ୫୬

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପଞ୍ଚମସ୍କନ୍ଧେ ଶିଶୁମାର ସଂସ୍ଥାବର୍ଣ୍ଣ‌ନଂ

ନାମ ତ୍ରୟୋବିଂଶୋଽଧ୍ୟାୟଃ ॥

* * *