ପଞ୍ଚମ ସ୍କନ୍ଧ

ଦ୍ୱାବିଂଶ ଅଧ୍ୟାୟ

ପରୀକ୍ଷିତ ଉବାଚ

ଭୋ ମୁନି ଏଥିର ତଦନ୍ତ । ଶୁଣିଳେ ଯିବଇଁ ପ୍ରତୀତ ॥

ଆଦିତ୍ୟଦେବ ଯଥୋଚିତେ । ମେରୁ ପ୍ରଦକ୍ଷିଣ କରନ୍ତେ ॥

ଦ୍ୱାଦଶରାଶିଙ୍କ ସମ୍ମୁଖେ । ଭୋଗ ସେ କରନ୍ତି ପ୍ରତ୍ୟକ୍ଷେ ॥

ଆଦିତ୍ୟଗତି ବ୍ୟଗ୍ରତର । ତହିଁରେ କେମନ୍ତେ ସଞ୍ଚାର ॥

ଏଣେ ତ ମୋହର ସନ୍ଦେହ । ଭୋ ମୁନି ତଦନ୍ତ ତୁ କହ ॥

ଶୁକ ଉବାଚ

ସେ କାଳରୂପୀ ଭଗବାନ । ଲୋକଙ୍କ ମଙ୍ଗଳ କାରଣ ॥

ବେଦମୟବପୁ ଆପଣ । ଦ୍ୱାଦଶ ଭାବେ କରିଭିନ୍ନ ॥

ସୂର୍ଯ୍ୟଙ୍କ ରୂପକୁ ଯେ ଧରି । ଅଛନ୍ତି ଅନ୍ତରୀକ୍ଷ ପୂରୀ ॥

ତାଙ୍କ ପ୍ରଭାବେ ଋତୁମାନ । କରନ୍ତି ଶୀତାଦି ବିଧାନ ॥

ପ୍ରଭୁଙ୍କ ଏମନ୍ତ ବିଧାନ । ଚିନ୍ତନ୍ତି ବେଦବିଦମାନ ॥ ୧୦

ବିର୍ଣ୍ଣାଶ୍ରମାଚାରୀ ଉକତ । ହୁଅନ୍ତି ଇନ୍ଦ୍ରାଦି ଭକତ ॥ ୧୧

ତାହାଙ୍କ ମତେ ଭଗବାନ । ଇନ୍ଦ୍ରାଦି ରୂପେ ଅବତୀର୍ଣ୍ଣ ॥ ୧୨

ଲୋକଙ୍କ ଆତ୍ମା ଏ ଆଦିତ୍ୟ । ଆକାଶ ମଣ୍ତଳେ ବିଦିତ ॥ ୧୩

ସ୍ୱର୍ଗ ପୃଥିବୀ ମଧ୍ୟେ ରହି । ନିରତେ ଆକାଶେ ଭ୍ରମଇଁ ॥ ୧୪

କୁରାଳଚକ୍ର ପ୍ରାୟେ ହୋଇ । ଆଦିତ୍ୟ ରଥ ଯେ ଭ୍ରମଇଁ ॥ ୧୫

ରାଶି ନକ୍ଷତ୍ର ଆଦି ଯେତେ । ତହିଁରେ ଭ୍ରମନ୍ତି ସମସ୍ତେ ॥ ୧୬

କୁରାଳଚକ୍ରର ସହିତେ । ପିପିଲିକାଦି ଜନ୍ତୁମତେ ॥ ୧୭

ସେ କାଳଚକ୍ର ଏକ ଦେଶେ । ଭ୍ରମନ୍ତି ଯେ ଯାହା ପ୍ରକାଶେ ॥ ୧୮

ଧ୍ରୁବ ସୁମେରୁ ପ୍ରଦକ୍ଷିଣ । କରି ଭ୍ରମନ୍ତି ଅନୁକ୍ଷଣ ॥ ୧୯

ଆଦି ପୁରୁଷ ଭଗବାନ । ଧରଣୀ କଲେ ଉଦ୍ଧାରଣ ॥ ୨୦

ତ୍ରୟୀମୟ ଯେ ତାଙ୍କ ମୂର୍ତ୍ତି । କର୍ମ-ବିଶୁଦ୍ଧିରେ ତା ଚିନ୍ତି ॥ ୨୧

ସେ ମୂର୍ତ୍ତି ଦ୍ୱାଦଶ ପ୍ରକାର । କରିଣ ବ୍ରହ୍ମାଣ୍ତଠାକୁର ॥ ୨୨

ଷଡ଼ଋତୁ ବସନ୍ତ ଆଦି । ଏ ଥିରେ ଯେତେକ ପ୍ରସିଦ୍ଧି ॥ ୨୩

ଯେ ଋତୁକାଳେ ଯେ ହୁଅନ୍ତି । ଆପଣେ ବିଧାନ କରନ୍ତି ॥ ୨୪

ଆଶ୍ରମମତେ ନାନାପଥେ । ନାନାକର୍ମରେ ଯଥୋଚିତେ ॥ ୨୫

ମହାପୁରୁଷ ମହାଜନେ । ନାନାଯୋଗରେ ଶ୍ରଦ୍ଧାମନେ ॥ ୨୬

ଯେ ତାଙ୍କ ଚରଣେ ସେବନ୍ତି । ସକଳ ପାପୁ ସେ ତରନ୍ତି ॥ ୨୭

ପରମ କଲ୍ୟାଣ ଲଭନ୍ତି । ଅନ୍ତେ ପରମଗତି ପାନ୍ତି ॥ ୨୮

ଏମନ୍ତେ ଶୁଣ ନୃପବର । ସେ ସୂର୍ଯ୍ୟଆତ୍ମା ପ୍ରାଣୀଙ୍କର ॥ ୨୯

ପୃଥିବୀ ଆକାଶ ମଧ୍ୟରେ । କାଳଚକ୍ରରେ ଏ ଶୂନ୍ୟରେ ॥ ୩୦

ଦ୍ୱାଦଶମାସକୁ ଭଜନ୍ତି । ସମ୍ବତ୍ସର ନାମ ବହନ୍ତି ॥ ୩୧

ମାସକେ ବେନିପକ୍ଷ କରି । ଭୁଞ୍ଜନ୍ତି ଅହୋରାତ୍ର କରି ॥ ୩୨

ସେ ବେନି ମାସେ ଏକ ଋତୁ । ଛ ଋତୁ ସମ୍ବତ୍ସର ହେତୁ ॥ ୩୩

ଯେ କାଳ ନଭ ଅର୍ଦ୍ଧଭାଗେ । ରହନ୍ତି କାଳଚକ୍ର ଲାଗେ ॥ ୩୪

ତାକୁ ଅୟନ ବୋଲି କହି । ଶୁଣ ରାଜନ ମନ ଦେଇ ॥ ୩୫

ଦ୍ୟାବାପୃଥିବୀର ସହିତେ । ନଭୋମଣ୍ତଳକୁ ଯାବତେ ॥ ୩୬

ରବି ଭୁଞ୍ଜନ୍ତି ଯେତେକାଳେ । ସମ୍ବତ୍ସରଟି ବୋଲି ତାରେ ॥ ୩୭

ଏ ଅନନ୍ତରେ ହେ ରାଜନ । ଚନ୍ଦ୍ରର ଏ ରୂପେ ଗମନ ॥ ୩୮

ଲକ୍ଷେଯୋଜନର ଅନ୍ତରେ । ସୂର୍ଯ୍ୟର ଠାରୁ ସେ ବିହରେ ॥ ୩୯

ପ୍ରବଳଗତି ତାର ଖରେ । ଚନ୍ଦ୍ର ଭୁଞ୍ଜନ୍ତି ଯେ ବେଭାରେ ॥ ୪୦

ସୂର୍ଯ୍ୟଙ୍କ ଭୋଗ ବେନିପକ୍ଷେ । ବେନିନକ୍ଷତ୍ର ପାଦଋକ୍ଷେ ॥ ୪୧

ପକ୍ଷଭୋଗକୁ ଏକଦିନେ । ଭୁଞ୍ଜନ୍ତି ଅହୋରାତ୍ର ମାନେ ॥ ୪୨

ଏ ଅନନ୍ତରେ ନୃପବର । ବର୍ଦ୍ଧିତକଳା-ଶଶଧର ॥ ୪୩

ଅହୋରାତ୍ର ସେ ଦେବଙ୍କର । ସେ ଶୁକ୍ଳପକ୍ଷରେ ବିହାର ॥ ୪୪

କ୍ଷୀଣକଳାରେ ପିତୃଙ୍କର । ଅହୋରାତ୍ର ହେ ନୃପବର ॥ ୪୫

ସେ ଯେ ସକଳ ପ୍ରାଣୀଙ୍କର । ଜୀବନଭୂତ-ଶଶଧର ॥ ୪୬

ଭୁଞ୍ଜନ୍ତି ତ୍ରିଂଶତମୂହୂର୍ତ୍ତ । ଏକନକ୍ଷତ୍ର ଯଥୋଚିତ ॥ ୪୭

ଏଣୁ ସେ ଅନାଦିପୁରୁଷ । ଷୋଡ଼ଶକଳା ସେ ବିଶେଷ ॥ ୪୮

ଅମୃତଶରୀରକୁ ଧରି । ପ୍ରାଣୀଙ୍କୁ ଆପ୍ୟାୟନ କରି ॥ ୪୯

ମନୁଷ୍ୟ ପଶୁପକ୍ଷୀ ଆଦି । ସରୀସୃପ ବୃକ୍ଷ ପ୍ରସିଦ୍ଧି ॥ ୫୦

ଏହାଙ୍କ ହୃଦରେ ବସନ୍ତି । ଏଣୁ ସେ ସର୍ବସୁଖ ଦ୍ୟନ୍ତି ॥ ୫୧

ଏହାର ଉର୍ଦ୍ଧ୍ୱେ ହେ ରାଜନ । ତୃତୀୟ ଲକ୍ଷ ଯେ ଯୋଜନ ॥ ୫୨

ଭ୍ରମନ୍ତି ନକ୍ଷତ୍ର ସକଳେ । ଜଗତପିତାର କୌଶଳେ ॥ ୫୩

ଏ ସବୁ ନକ୍ଷତ୍ର ବିଖ୍ୟାତ । ଅଭିଜିତ ତାରା ସହିତ ॥ ୫୪

ନକ୍ଷତ୍ର ଯେ ଅଷ୍ଟାବିଂଶତି । ମେରୁର ଦକ୍ଷିଣେ ବସନ୍ତି ॥ ୫୫

ଦ୍ୱିଲକ୍ଷ ତାହାର ଉପରେ । ଉଶନା ବାସ ଯେଉଁଠାରେ ॥ ୫୬

ଆଦିତ୍ୟ ପ୍ରାୟ ନାନାଗତି । ପାରୁଶେ ତାଙ୍କର ବସତି ॥ ୫୭

ଲୋକର ଯେ ଶୁଭ କଲ୍ୟାଣ । ଏଥେଁ ସେ ନିତ୍ୟ ପରାୟଣ ॥ ୫୮

ଏ ଗ୍ରହ ସାଞ୍ଚାର ଯେ ହେଲେ । ବୃଷ୍ଟି ହୁଅନ୍ତି ମହୀତଳେ ॥ ୫୯

ଶୁକ୍ରଙ୍କ କାର୍ଯ୍ୟର ସମାନ । ବୁଧର କାର୍ଯ୍ୟର ପ୍ରମାଣ ॥ ୬୦

ଶୁକ୍ରଙ୍କ ଉପର-ଭାଗରେ । ଦ୍ୱିଲକ୍ଷଯୋଜନ ଅନ୍ତରେ ॥ ୬୧

ସର୍ବଦା ବୁଧ ତହିଁ ରହି । ଜୀବଙ୍କ କଲ୍ୟାଣ ସାଧଇ ॥ ୬୨

ବୁଧ ନାମେ ଯେ ଚନ୍ଦ୍ରସୁତ । ତହିଁରେ ତାହାଙ୍କର ସ୍ଥିତ ॥ ୬୩

ପ୍ରାଣୀର ସୁଖେ ସେହୁ ଥାଇ । ଯେବେ ସେ ସୂର୍ଯ୍ୟ ବେଗ ହୋଇ ॥ ୬୪

ଅତିଗମନ ଖରତରେ । ଅନାବୃଷ୍ଟିକି ସେ ଆଚରେ ॥ ୬୫

ଦ୍ୱିଲକ୍ଷଯୋଜନ ଅନ୍ତରେ । ମଙ୍ଗଳ ବୁଧଙ୍କ ଉପରେ ॥ ୬୬

ଏଥି ଅନ୍ତରେ ଏହା ରହି । ପ୍ରାଣୀଙ୍କ ମନ୍ଦ ଯେ କରଇ ॥ ୬୭

ଏକରାଶିରେ ତିନିପକ୍ଷ । ମଙ୍ଗଳ ଭୁଞ୍ଜଇ ପ୍ରତ୍ୟକ୍ଷ ॥ ୬୮

ବକ୍ରଭାବରେ ଭୋଗକରେ । ଏ କ୍ରମେ ଦ୍ୱାଦଶରାଶିରେ ॥ ୬୯

ମଙ୍ଗଳ ଉପର ଭାଗରେ । ଦ୍ୱିଲକ୍ଷଯୋଜନ ଅନ୍ତରେ ॥ ୭୦

ତହିଁ ଅଛନ୍ତି ବୃହସ୍ପତି । ଯେ ଦେବପୁରୋହିତ ହୋନ୍ତି ॥ ୭୧

ଏକରାଶିରେ ସେ ବରଷେ । ଭୋଗ ଯେ କରନ୍ତି ସନ୍ତୋଷେ ॥ ୭୨

ସେ ବୃହସ୍ପତି ଭଗବାନ । ବ୍ରାହ୍ମଣକୁଳର କଲ୍ୟାଣ ॥ ୭୩

ଯେବେ ସେ ବକ୍ରଗତି ହୋଇ । କଦର୍ଯ୍ୟଫଳକୁ ଦିଅଇ ॥ ୭୪

ତହୁଁ ଦ୍ୱିଲକ୍ଷଯୋଜନରେ । ରହି ଅଛନ୍ତି ଶନିଶ୍ଚରେ ॥ ୭୫

ଏକରାଶିରେ ଭୋଗ ତାର । ତିରିଶମାସ ନୃପବର ॥ ୭୬

ଅଶାନ୍ତି ସକଳେ କରଇ । ଅଧିକ କେ ଅବା ଭୁଞ୍ଜଇ ॥ ୭୭

ତହିଁ ଉପରେ ହେ ରାଜନ । ଏକାଦଶଲକ୍ଷ ଯୋଜନ ॥ ୭୮

ଋଷିଙ୍କ ବାସ ଯେ ସେଠାରେ । ସେ କୃପା କରନ୍ତି ପ୍ରାଣୀରେ ॥ ୭୯

ଲୋକଙ୍କ ଭାବନ୍ତି କୁଶଳ । ଅଶେଷ-କରୁଣାର ମୂଳ ॥ ୮୦

ବିଷ୍ଣୁ ପଦକୁ ନିତ୍ୟେ ଚିନ୍ତି । ପ୍ରଦକ୍ଷିଣରେ ଭ୍ରମୁଛନ୍ତି ॥ ୮୧

ସେ ମୁନିଗଣଙ୍କ ପୟରେ । ମୋ ଚିତ୍ତ ରହୁ ନିରନ୍ତରେ ॥ ୮୨

କହଇ ବିପ୍ର ଜଗନ୍ନାଥ । ପଞ୍ଚମସ୍କନ୍ଧେ ଭାଗବତ ॥ ୮୩

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପଞ୍ଚମସ୍କନ୍ଧେ ଜ୍ୟୋତିଶ୍ଚକ୍ରବର୍ଣ୍ଣନେ ଦ୍ୱାବିଂଶୋଽଧ୍ୟାୟଃ ॥

* * *