ପଞ୍ଚମ ସ୍କନ୍ଧ
ଦ୍ୱାବିଂଶ ଅଧ୍ୟାୟ
ପରୀକ୍ଷିତ ଉବାଚ
ଭୋ ମୁନି ଏଥିର ତଦନ୍ତ । ଶୁଣିଳେ ଯିବଇଁ ପ୍ରତୀତ ॥ ୧
ଆଦିତ୍ୟଦେବ ଯଥୋଚିତେ । ମେରୁ ପ୍ରଦକ୍ଷିଣ କରନ୍ତେ ॥ ୨
ଦ୍ୱାଦଶରାଶିଙ୍କ ସମ୍ମୁଖେ । ଭୋଗ ସେ କରନ୍ତି ପ୍ରତ୍ୟକ୍ଷେ ॥ ୩
ଆଦିତ୍ୟଗତି ବ୍ୟଗ୍ରତର । ତହିଁରେ କେମନ୍ତେ ସଞ୍ଚାର ॥ ୪
ଏଣେ ତ ମୋହର ସନ୍ଦେହ । ଭୋ ମୁନି ତଦନ୍ତ ତୁ କହ ॥ ୫
ଶୁକ ଉବାଚ
ସେ କାଳରୂପୀ ଭଗବାନ । ଲୋକଙ୍କ ମଙ୍ଗଳ କାରଣ ॥ ୬
ବେଦମୟବପୁ ଆପଣ । ଦ୍ୱାଦଶ ଭାବେ କରିଭିନ୍ନ ॥ ୭
ସୂର୍ଯ୍ୟଙ୍କ ରୂପକୁ ଯେ ଧରି । ଅଛନ୍ତି ଅନ୍ତରୀକ୍ଷ ପୂରୀ ॥ ୮
ତାଙ୍କ ପ୍ରଭାବେ ଋତୁମାନ । କରନ୍ତି ଶୀତାଦି ବିଧାନ ॥ ୯
ପ୍ରଭୁଙ୍କ ଏମନ୍ତ ବିଧାନ । ଚିନ୍ତନ୍ତି ବେଦବିଦମାନ ॥ ୧୦
ବିର୍ଣ୍ଣାଶ୍ରମାଚାରୀ ଉକତ । ହୁଅନ୍ତି ଇନ୍ଦ୍ରାଦି ଭକତ ॥ ୧୧
ତାହାଙ୍କ ମତେ ଭଗବାନ । ଇନ୍ଦ୍ରାଦି ରୂପେ ଅବତୀର୍ଣ୍ଣ ॥ ୧୨
ଲୋକଙ୍କ ଆତ୍ମା ଏ ଆଦିତ୍ୟ । ଆକାଶ ମଣ୍ତଳେ ବିଦିତ ॥ ୧୩
ସ୍ୱର୍ଗ ପୃଥିବୀ ମଧ୍ୟେ ରହି । ନିରତେ ଆକାଶେ ଭ୍ରମଇଁ ॥ ୧୪
କୁରାଳଚକ୍ର ପ୍ରାୟେ ହୋଇ । ଆଦିତ୍ୟ ରଥ ଯେ ଭ୍ରମଇଁ ॥ ୧୫
ରାଶି ନକ୍ଷତ୍ର ଆଦି ଯେତେ । ତହିଁରେ ଭ୍ରମନ୍ତି ସମସ୍ତେ ॥ ୧୬
କୁରାଳଚକ୍ରର ସହିତେ । ପିପିଲିକାଦି ଜନ୍ତୁମତେ ॥ ୧୭
ସେ କାଳଚକ୍ର ଏକ ଦେଶେ । ଭ୍ରମନ୍ତି ଯେ ଯାହା ପ୍ରକାଶେ ॥ ୧୮
ଧ୍ରୁବ ସୁମେରୁ ପ୍ରଦକ୍ଷିଣ । କରି ଭ୍ରମନ୍ତି ଅନୁକ୍ଷଣ ॥ ୧୯
ଆଦି ପୁରୁଷ ଭଗବାନ । ଧରଣୀ କଲେ ଉଦ୍ଧାରଣ ॥ ୨୦
ତ୍ରୟୀମୟ ଯେ ତାଙ୍କ ମୂର୍ତ୍ତି । କର୍ମ-ବିଶୁଦ୍ଧିରେ ତା ଚିନ୍ତି ॥ ୨୧
ସେ ମୂର୍ତ୍ତି ଦ୍ୱାଦଶ ପ୍ରକାର । କରିଣ ବ୍ରହ୍ମାଣ୍ତଠାକୁର ॥ ୨୨
ଷଡ଼ଋତୁ ବସନ୍ତ ଆଦି । ଏ ଥିରେ ଯେତେକ ପ୍ରସିଦ୍ଧି ॥ ୨୩
ଯେ ଋତୁକାଳେ ଯେ ହୁଅନ୍ତି । ଆପଣେ ବିଧାନ କରନ୍ତି ॥ ୨୪
ଆଶ୍ରମମତେ ନାନାପଥେ । ନାନାକର୍ମରେ ଯଥୋଚିତେ ॥ ୨୫
ମହାପୁରୁଷ ମହାଜନେ । ନାନାଯୋଗରେ ଶ୍ରଦ୍ଧାମନେ ॥ ୨୬
ଯେ ତାଙ୍କ ଚରଣେ ସେବନ୍ତି । ସକଳ ପାପୁ ସେ ତରନ୍ତି ॥ ୨୭
ପରମ କଲ୍ୟାଣ ଲଭନ୍ତି । ଅନ୍ତେ ପରମଗତି ପାନ୍ତି ॥ ୨୮
ଏମନ୍ତେ ଶୁଣ ନୃପବର । ସେ ସୂର୍ଯ୍ୟଆତ୍ମା ପ୍ରାଣୀଙ୍କର ॥ ୨୯
ପୃଥିବୀ ଆକାଶ ମଧ୍ୟରେ । କାଳଚକ୍ରରେ ଏ ଶୂନ୍ୟରେ ॥ ୩୦
ଦ୍ୱାଦଶମାସକୁ ଭଜନ୍ତି । ସମ୍ବତ୍ସର ନାମ ବହନ୍ତି ॥ ୩୧
ମାସକେ ବେନିପକ୍ଷ କରି । ଭୁଞ୍ଜନ୍ତି ଅହୋରାତ୍ର କରି ॥ ୩୨
ସେ ବେନି ମାସେ ଏକ ଋତୁ । ଛ ଋତୁ ସମ୍ବତ୍ସର ହେତୁ ॥ ୩୩
ଯେ କାଳ ନଭ ଅର୍ଦ୍ଧଭାଗେ । ରହନ୍ତି କାଳଚକ୍ର ଲାଗେ ॥ ୩୪
ତାକୁ ଅୟନ ବୋଲି କହି । ଶୁଣ ରାଜନ ମନ ଦେଇ ॥ ୩୫
ଦ୍ୟାବାପୃଥିବୀର ସହିତେ । ନଭୋମଣ୍ତଳକୁ ଯାବତେ ॥ ୩୬
ରବି ଭୁଞ୍ଜନ୍ତି ଯେତେକାଳେ । ସମ୍ବତ୍ସରଟି ବୋଲି ତାରେ ॥ ୩୭
ଏ ଅନନ୍ତରେ ହେ ରାଜନ । ଚନ୍ଦ୍ରର ଏ ରୂପେ ଗମନ ॥ ୩୮
ଲକ୍ଷେଯୋଜନର ଅନ୍ତରେ । ସୂର୍ଯ୍ୟର ଠାରୁ ସେ ବିହରେ ॥ ୩୯
ପ୍ରବଳଗତି ତାର ଖରେ । ଚନ୍ଦ୍ର ଭୁଞ୍ଜନ୍ତି ଯେ ବେଭାରେ ॥ ୪୦
ସୂର୍ଯ୍ୟଙ୍କ ଭୋଗ ବେନିପକ୍ଷେ । ବେନିନକ୍ଷତ୍ର ପାଦଋକ୍ଷେ ॥ ୪୧
ପକ୍ଷଭୋଗକୁ ଏକଦିନେ । ଭୁଞ୍ଜନ୍ତି ଅହୋରାତ୍ର ମାନେ ॥ ୪୨
ଏ ଅନନ୍ତରେ ନୃପବର । ବର୍ଦ୍ଧିତକଳା-ଶଶଧର ॥ ୪୩
ଅହୋରାତ୍ର ସେ ଦେବଙ୍କର । ସେ ଶୁକ୍ଳପକ୍ଷରେ ବିହାର ॥ ୪୪
କ୍ଷୀଣକଳାରେ ପିତୃଙ୍କର । ଅହୋରାତ୍ର ହେ ନୃପବର ॥ ୪୫
ସେ ଯେ ସକଳ ପ୍ରାଣୀଙ୍କର । ଜୀବନଭୂତ-ଶଶଧର ॥ ୪୬
ଭୁଞ୍ଜନ୍ତି ତ୍ରିଂଶତମୂହୂର୍ତ୍ତ । ଏକନକ୍ଷତ୍ର ଯଥୋଚିତ ॥ ୪୭
ଏଣୁ ସେ ଅନାଦିପୁରୁଷ । ଷୋଡ଼ଶକଳା ସେ ବିଶେଷ ॥ ୪୮
ଅମୃତଶରୀରକୁ ଧରି । ପ୍ରାଣୀଙ୍କୁ ଆପ୍ୟାୟନ କରି ॥ ୪୯
ମନୁଷ୍ୟ ପଶୁପକ୍ଷୀ ଆଦି । ସରୀସୃପ ବୃକ୍ଷ ପ୍ରସିଦ୍ଧି ॥ ୫୦
ଏହାଙ୍କ ହୃଦରେ ବସନ୍ତି । ଏଣୁ ସେ ସର୍ବସୁଖ ଦ୍ୟନ୍ତି ॥ ୫୧
ଏହାର ଉର୍ଦ୍ଧ୍ୱେ ହେ ରାଜନ । ତୃତୀୟ ଲକ୍ଷ ଯେ ଯୋଜନ ॥ ୫୨
ଭ୍ରମନ୍ତି ନକ୍ଷତ୍ର ସକଳେ । ଜଗତପିତାର କୌଶଳେ ॥ ୫୩
ଏ ସବୁ ନକ୍ଷତ୍ର ବିଖ୍ୟାତ । ଅଭିଜିତ ତାରା ସହିତ ॥ ୫୪
ନକ୍ଷତ୍ର ଯେ ଅଷ୍ଟାବିଂଶତି । ମେରୁର ଦକ୍ଷିଣେ ବସନ୍ତି ॥ ୫୫
ଦ୍ୱିଲକ୍ଷ ତାହାର ଉପରେ । ଉଶନା ବାସ ଯେଉଁଠାରେ ॥ ୫୬
ଆଦିତ୍ୟ ପ୍ରାୟ ନାନାଗତି । ପାରୁଶେ ତାଙ୍କର ବସତି ॥ ୫୭
ଲୋକର ଯେ ଶୁଭ କଲ୍ୟାଣ । ଏଥେଁ ସେ ନିତ୍ୟ ପରାୟଣ ॥ ୫୮
ଏ ଗ୍ରହ ସାଞ୍ଚାର ଯେ ହେଲେ । ବୃଷ୍ଟି ହୁଅନ୍ତି ମହୀତଳେ ॥ ୫୯
ଶୁକ୍ରଙ୍କ କାର୍ଯ୍ୟର ସମାନ । ବୁଧର କାର୍ଯ୍ୟର ପ୍ରମାଣ ॥ ୬୦
ଶୁକ୍ରଙ୍କ ଉପର-ଭାଗରେ । ଦ୍ୱିଲକ୍ଷଯୋଜନ ଅନ୍ତରେ ॥ ୬୧
ସର୍ବଦା ବୁଧ ତହିଁ ରହି । ଜୀବଙ୍କ କଲ୍ୟାଣ ସାଧଇ ॥ ୬୨
ବୁଧ ନାମେ ଯେ ଚନ୍ଦ୍ରସୁତ । ତହିଁରେ ତାହାଙ୍କର ସ୍ଥିତ ॥ ୬୩
ପ୍ରାଣୀର ସୁଖେ ସେହୁ ଥାଇ । ଯେବେ ସେ ସୂର୍ଯ୍ୟ ବେଗ ହୋଇ ॥ ୬୪
ଅତିଗମନ ଖରତରେ । ଅନାବୃଷ୍ଟିକି ସେ ଆଚରେ ॥ ୬୫
ଦ୍ୱିଲକ୍ଷଯୋଜନ ଅନ୍ତରେ । ମଙ୍ଗଳ ବୁଧଙ୍କ ଉପରେ ॥ ୬୬
ଏଥି ଅନ୍ତରେ ଏହା ରହି । ପ୍ରାଣୀଙ୍କ ମନ୍ଦ ଯେ କରଇ ॥ ୬୭
ଏକରାଶିରେ ତିନିପକ୍ଷ । ମଙ୍ଗଳ ଭୁଞ୍ଜଇ ପ୍ରତ୍ୟକ୍ଷ ॥ ୬୮
ବକ୍ରଭାବରେ ଭୋଗକରେ । ଏ କ୍ରମେ ଦ୍ୱାଦଶରାଶିରେ ॥ ୬୯
ମଙ୍ଗଳ ଉପର ଭାଗରେ । ଦ୍ୱିଲକ୍ଷଯୋଜନ ଅନ୍ତରେ ॥ ୭୦
ତହିଁ ଅଛନ୍ତି ବୃହସ୍ପତି । ଯେ ଦେବପୁରୋହିତ ହୋନ୍ତି ॥ ୭୧
ଏକରାଶିରେ ସେ ବରଷେ । ଭୋଗ ଯେ କରନ୍ତି ସନ୍ତୋଷେ ॥ ୭୨
ସେ ବୃହସ୍ପତି ଭଗବାନ । ବ୍ରାହ୍ମଣକୁଳର କଲ୍ୟାଣ ॥ ୭୩
ଯେବେ ସେ ବକ୍ରଗତି ହୋଇ । କଦର୍ଯ୍ୟଫଳକୁ ଦିଅଇ ॥ ୭୪
ତହୁଁ ଦ୍ୱିଲକ୍ଷଯୋଜନରେ । ରହି ଅଛନ୍ତି ଶନିଶ୍ଚରେ ॥ ୭୫
ଏକରାଶିରେ ଭୋଗ ତାର । ତିରିଶମାସ ନୃପବର ॥ ୭୬
ଅଶାନ୍ତି ସକଳେ କରଇ । ଅଧିକ କେ ଅବା ଭୁଞ୍ଜଇ ॥ ୭୭
ତହିଁ ଉପରେ ହେ ରାଜନ । ଏକାଦଶଲକ୍ଷ ଯୋଜନ ॥ ୭୮
ଋଷିଙ୍କ ବାସ ଯେ ସେଠାରେ । ସେ କୃପା କରନ୍ତି ପ୍ରାଣୀରେ ॥ ୭୯
ଲୋକଙ୍କ ଭାବନ୍ତି କୁଶଳ । ଅଶେଷ-କରୁଣାର ମୂଳ ॥ ୮୦
ବିଷ୍ଣୁ ପଦକୁ ନିତ୍ୟେ ଚିନ୍ତି । ପ୍ରଦକ୍ଷିଣରେ ଭ୍ରମୁଛନ୍ତି ॥ ୮୧
ସେ ମୁନିଗଣଙ୍କ ପୟରେ । ମୋ ଚିତ୍ତ ରହୁ ନିରନ୍ତରେ ॥ ୮୨
କହଇ ବିପ୍ର ଜଗନ୍ନାଥ । ପଞ୍ଚମସ୍କନ୍ଧେ ଭାଗବତ ॥ ୮୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପଞ୍ଚମସ୍କନ୍ଧେ ଜ୍ୟୋତିଶ୍ଚକ୍ରବର୍ଣ୍ଣନେ ଦ୍ୱାବିଂଶୋଽଧ୍ୟାୟଃ ॥
* * *