ପଞ୍ଚମ ସ୍କନ୍ଧ

ଏକବିଂଶ ଅଧ୍ୟାୟ

ଶୁକ ଉବାଚ

ଭୁବନକୋଷ ପରିମାଣ । କହିଲୁ ଯେତେକ ଲକ୍ଷଣ ॥

ଏମନ୍ତ ଦିବିମଣ୍ତଳର । ଲକ୍ଷଣ ଶୁଣ ନୃପବର ॥

ଚଣକ ବେନିଫାଳ ଯେହ୍ନେ । ଏକକୁ ଆରେକ ସମାନେ ॥

ତେସନ ଧରା ପରିମାଣ । ଦିବିମଣ୍ତଳ ଯେ ସମାନ ॥

ଏ ବେନି ମଧ୍ୟେ ଯେ ଆକାଶ । ସଂଲଗ୍ନ ତା ଉଭୟ ପାର୍ଶ୍ୱ ॥

ଏ ମଧ୍ୟଅନ୍ତରୀକ୍ଷେ ରହି । ସୂର୍ଯ୍ୟ ତ୍ରିଲୋକକୁ ତାପଇ ॥

ଅୟନ ବେନିଭାଗ ହୋଇ । ଉତ୍ତର-ଦକ୍ଷିଣେ ଭ୍ରମଇଁ ॥

ମନ୍ଦ କ୍ଷିପ୍ର ବା ବେଗସମ । ଦିନ ରାତି ବେନି ରାଜନ ॥

ମକରଠାରୁ ରାଶି ଯେତେ । ଦୀର୍ଘ-ହ୍ରସ୍ୱ ଜାଣ ଯୁଗତେ ॥

ବିଷୁବେ ସମାନକୁ ପାଇ । ପୁଣି ଦୀର୍ଘ-ହ୍ରସ୍ୱେ ବଢଇ ॥ ୧୦

ତୁଳା ମେଷ ବିଷୁବ ପାଇ । ଅହୋରାତ୍ର ସମାନ ହୋଇ ॥ ୧୧

ଏସବୁ ଯେ ପରିବର୍ତ୍ତନ । ସୁଧୀ କରନ୍ତି ପରିମାଣ ॥ ୧୨

ନ'କୋଟି ଏକାବନଲକ୍ଷ । ଯୋଜନ ପ୍ରମା ପ୍ରତ୍ୟକ୍ଷ ॥ ୧୩

ମାନସୋତ୍ତରଗିରି ତହିଁ । ଇନ୍ଦ୍ରର ପୁର ବିରାଜଇ ॥ ୧୪

ପୂର୍ବଭାଗରେ ସେ ମେରୁର । ଦେବଧାନୀ ନାମ ତାହାର ॥ ୧୫

ଯମର ପୁର ତା ଦକ୍ଷିଣେ । ବିରାଜେ ସଂଯମନୀ ନାମେ ॥ ୧୬

ପଶ୍ଚିମେ ପୁର ବରୁଣର । ନିମ୍ନୋଚନୀ ନାମ ତାହାର ॥ ୧୭

ଉତ୍ତରଭାଗେ ଚନ୍ଦ୍ରପୁରୀ । ନାମ ତାହାର ବିଭାବରୀ ॥ ୧୮

ତହିଁ ଉଦୟ ମଧ୍ୟ ଅସ୍ତ । ନିଶୀଥକାଳ ଯେ ବିଦିତ ॥ ୧୯

ସୁମେରୁ ଚତ୍ୱାରଦିଗରେ । ପ୍ରାଣୀ ପ୍ରବୃତ୍ତି-ନିବୃତ୍ତିରେ ॥ ୨୦

ଅହର୍ନିଶି ଭାବରେ ରହି । ପ୍ରାଣୀଙ୍କ ସମୟ ହୁଅଇ ॥ ୨୧

ବାମାବର୍ତ୍ତନ କରି ତହିଁ । ନିତ୍ୟେ ଆଦିତ୍ୟ ସେ ଭ୍ରମଇଁ ॥ ୨୨

ଉଦୟ କାଳେ ଯେ ଲକ୍ଷଣ । ଅସ୍ତକାଳରେ ସେହି ପୁଣ ॥ ୨୩

ଦ୍ୱିକୋଟିଦ୍ୱାଦଶଯୋଜନ । ଲକ୍ଷରେ କରି ପରିମାଣ ॥ ୨୪

ପଞ୍ଚଦଶଘଟିକା ବେଳେ । ଇନ୍ଦ୍ରର ପୁରୁ ଅବହେଳେ ॥ ୨୫

ଯମର ପୁରରେ ପ୍ରବେଶ । ସେଠାରେ କରନ୍ତି ପ୍ରକାଶ ॥ ୨୬

ଏଥୁଁ ବରୁଣଆଦି ଯେତେ । ଆଦିତ୍ୟ ଭ୍ରମନ୍ତି ସେ ନିତ୍ୟେ ॥ ୨୭

ଚନ୍ଦ୍ରାଦି ଯେତେ ଗ୍ରହମାନ । ଏହି କ୍ରମରେ ସେ ଭ୍ରମଣ ॥ ୨୮

ଜ୍ୟୋତିଷଚକ୍ର ଏ ପ୍ରକାରେ । ଭ୍ରମଇଁ ଚତ୍ୱାର-ଦିଗରେ ॥ ୨୯

ଆଦିତ୍ୟ ରଥର ଗମନ । ମୁହୂର୍ତ୍ତକରେ ହେ ରାଜନ ॥ ୩୦

ଚଉତ୍ରିଂଶଲକ୍ଷ ଯୋଜନ । ଅଷ୍ଟଶତଅଧିକ ପୁଣ ॥ ୩୧

ଇନ୍ଦ୍ରାଦି ସର୍ବଦେବ ପୁରେ । ଏ କ୍ରମେ ଭ୍ରମନ୍ତି ନିଶ୍ଚଳେ ॥ ୩୨

ଶତେକ ପାଖୁଡା ପଦ୍ମର । ସୂଚି ମାରନ୍ତେ ନୃପବର ॥ ୩୩

ସେ ଯେହ୍ନେ ତ‌ତ୍କାଳେ ଗଳଇ । ତେସନେ ଶୀଘ୍ର ସେ ଚଳଇ ॥ ୩୪

ଦ୍ୱାଦଶ ଅର ନାମ ତାର । ସେ ରଥେ ଏକ ଚକ୍ରବର ॥ ୩୫

ସୁମେରୁ-ମସ୍ତକ ଉପରେ । କ୍ରମେ ସେ ମାନସଉତ୍ତରେ ॥ ୩୬

ତୈଳଯନ୍ତ୍ରର ପ୍ରାୟ ହୋଇ । ରବିର ରଥ ସେ ଭ୍ରମଇଁ ॥ ୩୭

ରଥର ଗର୍ଭ ପରିମାଣ । ଷଡ଼ତ୍ରିଂଶ ଲକ୍ଷ ଯୋଜନ ॥ ୩୮

ଚତୁର୍ଥଭାଗ ଉଚ୍ଚ ହୋଇ । ଯୁଗ ସେ ବିସ୍ତାରେ ଅଟଇ ॥ ୩୯

ସପତଛନ୍ଦ ଅଶ୍ୱ ହୋନ୍ତି । ଆଦିତ୍ୟଦେବଙ୍କୁ ବହନ୍ତି ॥ ୪୦

ଅରୁଣ ସାରଥି ତହିଁରେ । ତପତଅଶ୍ୱ ଯେଝାଠାରେ ॥ ୪୧

ଅଙ୍ଗୁଷ୍ଠ-ପବମାତ୍ର ହୋଇ । ଷାଠିସହସ୍ର ମୁନି ତହିଁ ॥ ୪୨

ବିବିତ ସେ ବାଳଖିଲ୍ୟାରେ । ରବିରଥ ଅଗ୍ରଭାଗରେ ॥ ୪୩

ମୁନିଏ ସର୍ବେ ନାନାମତେ । ସ୍ତୁତି କରନ୍ତି ଯଥୋଚିତେ ॥ ୪୪

ଅନ୍ୟ ଯେ ନାନା ଋଷିଗଣ । ଗନ୍ଧର୍ବ ସିଦ୍ଧ ଯେ ଚାରଣ ॥ ୪୫

ସକଳ ଯକ୍ଷଙ୍କର ବର । ଅପ୍‌ସରାଗଣେ ଯେଝାଠାର ॥ ୪୬

ଯେ ଯାତୁଧାନ ନାଗମାନ । ସଙ୍ଗତେ ଘେନି ଯେଝାଗଣ ॥ ୪୭

ଅପ୍‌ସରାଗଣ ନୃତ୍ୟଗୀତେ । ଏମନ୍ତେ ଯେ ଯାହାର ମତେ ॥ ୪୮

ସେ ସୂର୍ଯ୍ୟରୂପୀ ଭଗବାନ । ଅଖିଳ-ଆତ୍ମାର କାରଣ ॥ ୪୯

ତାହାଙ୍କ ଚରଣାରବିନ୍ଦେ । ନମନ୍ତି ପରମ ଆନନ୍ଦେ ॥ ୫୦

ଯେ ଯାହା କର୍ମ ଅନୁମତେ । ସେବନ୍ତି ତାଙ୍କ ପାଦଗତେ ॥ ୫୧

ନବକୋଟିଲକ୍ଷ ଯୋଜନ । ଅଧିକ ଲକ୍ଷ ଏକାବନ ॥ ୫୨

କ୍ଷଣମାତ୍ରକେ ଭଗବାନ । ବେନିସହସ୍ର ଯେ ଯୋଜନ ॥ ୫୩

ଏମନ୍ତ କୋଷ ଯେ ଭୁବନ । ସେ ସୂର୍ଯ୍ୟ କରନ୍ତି ଭ୍ରମଣ ॥ ୫୪

ଅଖିଳ ଅନାଦି କାରଣ । ସେ ସୂର୍ଯ୍ୟରୂପକୁ ଧରିଣ ॥ ୫୫

ଭ୍ରମନ୍ତି ପ୍ରାଣୀଙ୍କର ହିତେ । ତାହାଙ୍କ ପାଦପଦ୍ମଗତେ ॥ ୫୬

ମୁଁ ଯେ ପାମର ମୂଢଚିତ୍ତ । ତହିଁରେ ରହୁ ଅବିରତ ॥ ୫୭

ଅଚିନ୍ତ୍ୟ ତାହାଙ୍କ ଚରିତ । କହଇ ଦାସ ଜଗନ୍ନାଥ ॥ ୫୮

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ପଞ୍ଚମସ୍କନ୍ଧେ ଜ୍ୟୋତିଶ୍ଚକ୍ରସୂର୍ଯ୍ୟରଥମଣ୍ତଳବର୍ଣ୍ଣ‌ନଂ

ନାମ ଏକବିଂଶୋଽଧ୍ୟାୟଃ ॥

* * *