ପଞ୍ଚମ ସ୍କନ୍ଧ
ଏକବିଂଶ ଅଧ୍ୟାୟ
ଶୁକ ଉବାଚ
ଭୁବନକୋଷ ପରିମାଣ । କହିଲୁ ଯେତେକ ଲକ୍ଷଣ ॥ ୧
ଏମନ୍ତ ଦିବିମଣ୍ତଳର । ଲକ୍ଷଣ ଶୁଣ ନୃପବର ॥ ୨
ଚଣକ ବେନିଫାଳ ଯେହ୍ନେ । ଏକକୁ ଆରେକ ସମାନେ ॥ ୩
ତେସନ ଧରା ପରିମାଣ । ଦିବିମଣ୍ତଳ ଯେ ସମାନ ॥ ୪
ଏ ବେନି ମଧ୍ୟେ ଯେ ଆକାଶ । ସଂଲଗ୍ନ ତା ଉଭୟ ପାର୍ଶ୍ୱ ॥ ୫
ଏ ମଧ୍ୟଅନ୍ତରୀକ୍ଷେ ରହି । ସୂର୍ଯ୍ୟ ତ୍ରିଲୋକକୁ ତାପଇ ॥ ୬
ଅୟନ ବେନିଭାଗ ହୋଇ । ଉତ୍ତର-ଦକ୍ଷିଣେ ଭ୍ରମଇଁ ॥ ୭
ମନ୍ଦ କ୍ଷିପ୍ର ବା ବେଗସମ । ଦିନ ରାତି ବେନି ରାଜନ ॥ ୮
ମକରଠାରୁ ରାଶି ଯେତେ । ଦୀର୍ଘ-ହ୍ରସ୍ୱ ଜାଣ ଯୁଗତେ ॥ ୯
ବିଷୁବେ ସମାନକୁ ପାଇ । ପୁଣି ଦୀର୍ଘ-ହ୍ରସ୍ୱେ ବଢଇ ॥ ୧୦
ତୁଳା ମେଷ ବିଷୁବ ପାଇ । ଅହୋରାତ୍ର ସମାନ ହୋଇ ॥ ୧୧
ଏସବୁ ଯେ ପରିବର୍ତ୍ତନ । ସୁଧୀ କରନ୍ତି ପରିମାଣ ॥ ୧୨
ନ'କୋଟି ଏକାବନଲକ୍ଷ । ଯୋଜନ ପ୍ରମା ପ୍ରତ୍ୟକ୍ଷ ॥ ୧୩
ମାନସୋତ୍ତରଗିରି ତହିଁ । ଇନ୍ଦ୍ରର ପୁର ବିରାଜଇ ॥ ୧୪
ପୂର୍ବଭାଗରେ ସେ ମେରୁର । ଦେବଧାନୀ ନାମ ତାହାର ॥ ୧୫
ଯମର ପୁର ତା ଦକ୍ଷିଣେ । ବିରାଜେ ସଂଯମନୀ ନାମେ ॥ ୧୬
ପଶ୍ଚିମେ ପୁର ବରୁଣର । ନିମ୍ନୋଚନୀ ନାମ ତାହାର ॥ ୧୭
ଉତ୍ତରଭାଗେ ଚନ୍ଦ୍ରପୁରୀ । ନାମ ତାହାର ବିଭାବରୀ ॥ ୧୮
ତହିଁ ଉଦୟ ମଧ୍ୟ ଅସ୍ତ । ନିଶୀଥକାଳ ଯେ ବିଦିତ ॥ ୧୯
ସୁମେରୁ ଚତ୍ୱାରଦିଗରେ । ପ୍ରାଣୀ ପ୍ରବୃତ୍ତି-ନିବୃତ୍ତିରେ ॥ ୨୦
ଅହର୍ନିଶି ଭାବରେ ରହି । ପ୍ରାଣୀଙ୍କ ସମୟ ହୁଅଇ ॥ ୨୧
ବାମାବର୍ତ୍ତନ କରି ତହିଁ । ନିତ୍ୟେ ଆଦିତ୍ୟ ସେ ଭ୍ରମଇଁ ॥ ୨୨
ଉଦୟ କାଳେ ଯେ ଲକ୍ଷଣ । ଅସ୍ତକାଳରେ ସେହି ପୁଣ ॥ ୨୩
ଦ୍ୱିକୋଟିଦ୍ୱାଦଶଯୋଜନ । ଲକ୍ଷରେ କରି ପରିମାଣ ॥ ୨୪
ପଞ୍ଚଦଶଘଟିକା ବେଳେ । ଇନ୍ଦ୍ରର ପୁରୁ ଅବହେଳେ ॥ ୨୫
ଯମର ପୁରରେ ପ୍ରବେଶ । ସେଠାରେ କରନ୍ତି ପ୍ରକାଶ ॥ ୨୬
ଏଥୁଁ ବରୁଣଆଦି ଯେତେ । ଆଦିତ୍ୟ ଭ୍ରମନ୍ତି ସେ ନିତ୍ୟେ ॥ ୨୭
ଚନ୍ଦ୍ରାଦି ଯେତେ ଗ୍ରହମାନ । ଏହି କ୍ରମରେ ସେ ଭ୍ରମଣ ॥ ୨୮
ଜ୍ୟୋତିଷଚକ୍ର ଏ ପ୍ରକାରେ । ଭ୍ରମଇଁ ଚତ୍ୱାର-ଦିଗରେ ॥ ୨୯
ଆଦିତ୍ୟ ରଥର ଗମନ । ମୁହୂର୍ତ୍ତକରେ ହେ ରାଜନ ॥ ୩୦
ଚଉତ୍ରିଂଶଲକ୍ଷ ଯୋଜନ । ଅଷ୍ଟଶତଅଧିକ ପୁଣ ॥ ୩୧
ଇନ୍ଦ୍ରାଦି ସର୍ବଦେବ ପୁରେ । ଏ କ୍ରମେ ଭ୍ରମନ୍ତି ନିଶ୍ଚଳେ ॥ ୩୨
ଶତେକ ପାଖୁଡା ପଦ୍ମର । ସୂଚି ମାରନ୍ତେ ନୃପବର ॥ ୩୩
ସେ ଯେହ୍ନେ ତତ୍କାଳେ ଗଳଇ । ତେସନେ ଶୀଘ୍ର ସେ ଚଳଇ ॥ ୩୪
ଦ୍ୱାଦଶ ଅର ନାମ ତାର । ସେ ରଥେ ଏକ ଚକ୍ରବର ॥ ୩୫
ସୁମେରୁ-ମସ୍ତକ ଉପରେ । କ୍ରମେ ସେ ମାନସଉତ୍ତରେ ॥ ୩୬
ତୈଳଯନ୍ତ୍ରର ପ୍ରାୟ ହୋଇ । ରବିର ରଥ ସେ ଭ୍ରମଇଁ ॥ ୩୭
ରଥର ଗର୍ଭ ପରିମାଣ । ଷଡ଼ତ୍ରିଂଶ ଲକ୍ଷ ଯୋଜନ ॥ ୩୮
ଚତୁର୍ଥଭାଗ ଉଚ୍ଚ ହୋଇ । ଯୁଗ ସେ ବିସ୍ତାରେ ଅଟଇ ॥ ୩୯
ସପତଛନ୍ଦ ଅଶ୍ୱ ହୋନ୍ତି । ଆଦିତ୍ୟଦେବଙ୍କୁ ବହନ୍ତି ॥ ୪୦
ଅରୁଣ ସାରଥି ତହିଁରେ । ତପତଅଶ୍ୱ ଯେଝାଠାରେ ॥ ୪୧
ଅଙ୍ଗୁଷ୍ଠ-ପବମାତ୍ର ହୋଇ । ଷାଠିସହସ୍ର ମୁନି ତହିଁ ॥ ୪୨
ବିବିତ ସେ ବାଳଖିଲ୍ୟାରେ । ରବିରଥ ଅଗ୍ରଭାଗରେ ॥ ୪୩
ମୁନିଏ ସର୍ବେ ନାନାମତେ । ସ୍ତୁତି କରନ୍ତି ଯଥୋଚିତେ ॥ ୪୪
ଅନ୍ୟ ଯେ ନାନା ଋଷିଗଣ । ଗନ୍ଧର୍ବ ସିଦ୍ଧ ଯେ ଚାରଣ ॥ ୪୫
ସକଳ ଯକ୍ଷଙ୍କର ବର । ଅପ୍ସରାଗଣେ ଯେଝାଠାର ॥ ୪୬
ଯେ ଯାତୁଧାନ ନାଗମାନ । ସଙ୍ଗତେ ଘେନି ଯେଝାଗଣ ॥ ୪୭
ଅପ୍ସରାଗଣ ନୃତ୍ୟଗୀତେ । ଏମନ୍ତେ ଯେ ଯାହାର ମତେ ॥ ୪୮
ସେ ସୂର୍ଯ୍ୟରୂପୀ ଭଗବାନ । ଅଖିଳ-ଆତ୍ମାର କାରଣ ॥ ୪୯
ତାହାଙ୍କ ଚରଣାରବିନ୍ଦେ । ନମନ୍ତି ପରମ ଆନନ୍ଦେ ॥ ୫୦
ଯେ ଯାହା କର୍ମ ଅନୁମତେ । ସେବନ୍ତି ତାଙ୍କ ପାଦଗତେ ॥ ୫୧
ନବକୋଟିଲକ୍ଷ ଯୋଜନ । ଅଧିକ ଲକ୍ଷ ଏକାବନ ॥ ୫୨
କ୍ଷଣମାତ୍ରକେ ଭଗବାନ । ବେନିସହସ୍ର ଯେ ଯୋଜନ ॥ ୫୩
ଏମନ୍ତ କୋଷ ଯେ ଭୁବନ । ସେ ସୂର୍ଯ୍ୟ କରନ୍ତି ଭ୍ରମଣ ॥ ୫୪
ଅଖିଳ ଅନାଦି କାରଣ । ସେ ସୂର୍ଯ୍ୟରୂପକୁ ଧରିଣ ॥ ୫୫
ଭ୍ରମନ୍ତି ପ୍ରାଣୀଙ୍କର ହିତେ । ତାହାଙ୍କ ପାଦପଦ୍ମଗତେ ॥ ୫୬
ମୁଁ ଯେ ପାମର ମୂଢଚିତ୍ତ । ତହିଁରେ ରହୁ ଅବିରତ ॥ ୫୭
ଅଚିନ୍ତ୍ୟ ତାହାଙ୍କ ଚରିତ । କହଇ ଦାସ ଜଗନ୍ନାଥ ॥ ୫୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ
ପଞ୍ଚମସ୍କନ୍ଧେ ଜ୍ୟୋତିଶ୍ଚକ୍ରସୂର୍ଯ୍ୟରଥମଣ୍ତଳବର୍ଣ୍ଣନଂ
ନାମ ଏକବିଂଶୋଽଧ୍ୟାୟଃ ॥
* * *