ପଞ୍ଚମ ସ୍କନ୍ଧ

ବିଂଶ ଅଧ୍ୟାୟ

ଶୁକ ଉବାଚ

ଏ ଅନନ୍ତରେ ହେ ରାଜନ । ପ୍ଳକ୍ଷ ଆଦି ଯେ ଦ୍ୱୀପମାନ ॥

ବରଷ-ଲକ୍ଷଣ ପ୍ରମାଣ । କହିବା ସାବଧାନେ ଶୁଣ ॥

ଜମ୍ବୁଦ୍ୱୀପ ଯେତେ ପ୍ରମାଣ । ପ୍ଲକ୍ଷ ଯେ ତହିଁରେ ଦ୍ୱିଗୁଣ ॥

ଜମ୍ବୁବୃକ୍ଷେ ଏ ଦ୍ୱୀପ ଖ୍ୟାତ । ପ୍ଲକ୍ଷରେ ସେ ଦ୍ୱୀପ ବିଖ୍ୟାତ ॥

ସପତଜିହ୍ୱ ଅଗ୍ନି ତହିଁ । ଅପରେ ଛନ୍ତି ଯେତେ ରହି ॥

ପ୍ରିୟବ୍ରତର ସେ ନନ୍ଦନ । ଇଧ୍ମଜିହ୍ୱ ତାହାର ନାମ ॥

ସେ ଦ୍ୱୀପ ସମଭାଗ କରି । ପୁତ୍ରଙ୍କୁ ଦେଲା ଦଣ୍ତଧାରୀ ॥

ସପତପୁତ୍ରେ ଯେଝାମତେ । ସପ୍ତବରଷ ଯଥୋଚିତେ ॥

କଳ୍ପେ ପର୍ଯ୍ୟନ୍ତ ଭୋଗକଲେ । ସ୍ୱଚ୍ଛନ୍ଦେ ଅବନୀ ମଣ୍ତଳେ ॥

ବରଷ ନାମ ଶୁଣ ତୁହି । ଶିବ ଯବସ ଶାନ୍ତ ହୋଇ ॥ ୧୦

ସୁଭଦ୍ର କ୍ଷେମ ଯେ ଅମୃତ । ଅଭୟ ନାମ ଏ ଯେ ସପ୍ତ ॥ ୧୧

ତହିଁରେ ଛନ୍ତି ଗିରି-ସାତ । ନଦୀହିଁ ସାତ ତହିଁ ଖ୍ୟାତ ॥ ୧୨

ଏଥେ ଯେତେକ ଗିରିମାନ । ଅଛନ୍ତି ଶୁଣ ହେ ରାଜନ ॥ ୧୩

ମଣିକୂଟ ଯେ ଇନ୍ଦ୍ରସେନ । ବଜ୍ରକୂଟ ଯେ ଜ୍ୟୋତିଷ୍ମାନ ॥ ୧୪

ହିରଣ୍ୟଷ୍ଠୀବ ମେଘମାଳ । ସୁପର୍ଣ୍ଣଶୃଙ୍ଗ ସେତୁଶୈଳ ॥ ୧୫

ସାବିତ୍ରୀ ଆଙ୍ଗିରସୀ ବେନି । ଅରୁଣା ନୃମଣା ତଟିନୀ ॥ ୧୬

ସୁପ୍ରଭାତା ଯେ ସତ୍ୟମ୍ଭରା । ବିଖ୍ୟାତ ଆର ଋତମ୍ଭରା ॥ ୧୭

ଏ ମହାନଦୀମାନେ ତହିଁ । ଏଣୁ ଏ ସ୍ଥଳୀ ବିରାଜଇ ॥ ୧୮

ତହିଁର ଜଳ ସ୍ନାନ ପାନେ । ମାନବ-ପଶୁ-ଜୀବମାନେ ॥ ୧୯

ସକଳ ପାପ ଦୂର କରି । ସୁଖେଣ ଅଛନ୍ତି ବିହରି ॥ ୨୦

ଦେବଙ୍କ ଆୟୁଷ ପ୍ରମାଣେ । ଜୀବନ୍ତି ତହିଁ ପ୍ରାଣୀମାନେ ॥ ୨୧

ଯଜ୍ଞ-ଯୋଗ ନାନା ପ୍ରାକାରେ । ସୂର୍ଯ୍ୟଙ୍କୁ ପୂଜନ୍ତି ସେ ନରେ ॥ ୨୨

ସ୍ତୁତି କରନ୍ତି ଏ ବଚନେ । ଶୁଣ ରାଜନ ସାବଧାନେ ॥ ୨୩

ବିଷ୍ଣୁଙ୍କ ସ୍ୱରୂପକୁ ଧରି । ଅଖିଳ ପ୍ରକାଶ ଯେ କରି ॥ ୨୪

ତୁ ସତ୍ୟବ୍ରହ୍ମ ଯେ ପୁରୁଷ । ସକଳଭୂତେ ତୋର ବାସ ॥ ୨୫

ତୁ ଯେ ଅଶେଷ ବହୁ ନାମ । ତୋ ପାଦେ ଆମ୍ଭର ପ୍ରଣାମ ॥ ୨୬

ସେ ପଞ୍ଚଦ୍ୱୀପ ପ୍ଳକ୍ଷ ଆଦି । ଏଥିରେ ଯେତେକ ପ୍ରସିଦ୍ଧି ॥ ୨୭

ସେ ଦ୍ୱୀପବାସୀଙ୍କ ଆୟୁଷ । ଇନ୍ଦ୍ରିୟ ବଳ ଯେ ସାହସ ॥ ୨୮

ସ୍ୱଇଚ୍ଛାମତେ ସେ ହୁଅଇ । ଉତପତ୍ତିରୁ ଯେଝାତହିଁ ॥ ୨୯

ପ୍ଳକ୍ଷଦ୍ୱୀପର ଚାରିପାଶେ । ଇକ୍ଷୁରସ ସିନ୍ଧୁ ପ୍ରକାଶେ ॥ ୩୦

ଏହାକୁ ଦ୍ୱିଗୁର ବିସ୍ତାର । ଶାଳ୍ମଳଦ୍ୱୀପ ନୃପବର ॥ ୩୧

ସୁରାସମୁଦ୍ର ବେଢି ତାରେ । ଅଛଇ ବଳୟ ଆକାରେ ॥ ୩୨

ସେ ଦ୍ୱୀପେ ଯାର ଅଧିକାର । ପ୍ରିୟବ୍ରତର ସେ କୁମର ॥ ୩୩

ଯଜ୍ଞବାହୁ ତାହାର ନାମ । ସେ ସାଧୁ ବିଷ୍ଣୁ ପରାୟଣ ॥ ୩୪

ଏ ଦ୍ୱୀପ ସପ୍ତଭାଗ କରି । ପୁତ୍ରଙ୍କୁ ଦେଲା ଦଣ୍ତଧାରୀ ॥ ୩୫

ବିଭାଗେ ତାର ସପ୍ତସୁତେ । ନେଲେ ସେ ଯେ ଯାହାର ମତେ ॥ ୩୬

ସେ ସାତକୁମରଙ୍କ ନାମ । ଶୁଣ ରାଜନ ସାବଧାନ ॥ ୩୭

ପାରିଭଦ୍ର ଯେ ସୁରୋଚନ । ଦେବବର୍ଷ ଯେ ଆପ୍ୟାୟନ ॥ ୩୮

ରମଣକ ଯେ ଅବିଜ୍ଞାତ । ସୌମନସ୍ୟ ଏ ଭାଇ ସାତ ॥ ୩୯

ଏହି ବରଷେ ନଦୀ ଗିରି । ଏତେ ଅଛନ୍ତି ଦଣ୍ତଧାରୀ ॥ ୪୦

ଶତଶୃଙ୍ଗ ଯେ ପୁଷ୍ପବର୍ଷ । ମୁକୁନ୍ଦ କୁନ୍ଦ ଯେ ସ୍ୱରସ ॥ ୪୧

ସହସ୍ରଶ୍ରୁତିର ସହିତେ । ବାମଦେବ ସପ୍ତପର୍ବତେ ॥ ୪୨

ପ୍ରଥମ ନଦୀ ଅନୁମତି । ଦ୍ୱିତୀୟ ସିନୀବାଲୀ ଖ୍ୟାତି ॥ ୪୩

ତୃତୀୟ ସରସ୍ୱତୀ ହୋଇ । କୁହୁ ରଜନୀ ପୁଣ ଦୂଇ ॥ ୪୪

ଆବର ନନ୍ଦା ରାକା ପୁଣ । ନଦୀଙ୍କ ଏହି ସପ୍ତନାମ ॥ ୪୫

ବର୍ଷବାସୀ ପୁରୁଷ ନାମ । ଶ୍ରବଣ କର ତୁ ରାଜନ ॥ ୪୬

ଶ୍ରୁତଧର ଯେ ବୀର୍ଯ୍ୟଧର । ବସୁନ୍ଧର ଯେ ଇଷନ୍ଧର ॥ ୪୭

ଏ ଯେ ବରଷ ପ୍ରାଣୀମାନେ । ତପ ଆରଧି ଦିନେଦିନେ ॥ ୪୮

ସେ ରାଜା ଭଗବାନ ସୋମ । ତାହାଙ୍କୁ କରନ୍ତି ବନ୍ଦନ ॥ ୪୯

ଭୋ ନାଥ ତୋର ସୁଧାରସ । ପିତୃ ଦେବତାଙ୍କ ସନ୍ତୋଷ ॥ ୫୦

ଆମ୍ଭେ ତୋ ଚରଣେ ଶରଣ । ଅମୃତପଦ ଯେ କାରଣ ॥ ୫୧

ଔଷଧିନାଥ ନମୋନମ । ନମସ୍ତେ କଳାପୂର୍ଣ୍ଣ ସୋମ ॥ ୫୨

ଘୃତ-ସମୁଦ୍ର ମଧ୍ୟଦେଶେ । କୁଶଦ୍ୱୀପ ନାମ ପ୍ରକାଶେ ॥ ୫୩

କ୍ରମେ ସେ ସିନ୍ଧୁଦ୍ୱୀପ ମାନ । ପୂର୍ବକୁ ଅପରେ ଦ୍ୱିଗୁଣ ॥ ୫୪

ପ୍ରିୟବ୍ରତର ସେ ନନ୍ଦନ । ହିରଣ୍ୟରେତା ତାର ନାମ ॥ ୫୫

କୁଶଦ୍ୱୀପରେ ସେ ରାଜନ । ତାହାର ସପତ ନନ୍ଦନ ॥ ୫୬

ସେ ଦ୍ୱୀପ କ୍ରମେ ଭାଗକରି । ପୁତ୍ରଙ୍କୁ ଦେଲେ ଦଣ୍ତଧାରୀ ॥ ୫୭

ସପତ ବରଷକୁ କଲା । ଯେ ଯାହାମତେ ତାଙ୍କୁ ଦେଲା ॥ ୫୮

ସକଳ ସମ୍ପଦ ଛାଡିଲା । ଆପଣେ ତପ ଆଶ୍ରେ କଲା ॥ ୫୯

ବସୁଦାନ ଯେ ସ୍ତୁତ୍ୟବ୍ରତ । ଦୃଢ଼ରୁଚି ଯେ ନାଭିଗୁପ୍ତ ॥ ୬୦

ବସୁ ବିବିକ୍ତ ନାମ ଆଉ । ବାମଦେବ ଯେ ପୁତ୍ରେ ଏହୁ ॥ ୬୧

ନଦୀ ପର୍ବତ ସୀମା କରି । ବେଭାରେ ଦେଲା ଦଣ୍ତଧାରୀ ॥ ୬୨

ଗିରିଙ୍କ ନାମ ମହୀପାଳ । ଚକ୍ର ଚତୁଃଶୃଙ୍ଗ କପିଳ ॥ ୬୩

ଚିତ୍ରକୂଟ ଯେ ଉର୍ଦ୍ଧ୍ୱରୋମ । ଦେବାନୀକ ଗିରି ଦ୍ରବିଣ ॥ ୬୪

ରସକୁଲ୍ୟା ଯେ ମିତ୍ରବୃନ୍ଦା । ମଧୁକୁଲ୍ୟା ଯେ ଶ୍ରୁତବିନ୍ଦା ॥ ୬୫

ଦେବଗର୍ଭା ଯେ ଘୃତଚ୍ୟୁତା । ମନ୍ତ୍ରମାଳା ଗିରି ଦୁହିତା ॥ ୬୬

ଏ ସପ୍ତନଦୀ ଜଳପାନେ । ସୁଖେ ବଞ୍ଚନ୍ତି ତହିଁ ଜନେ ॥ ୬୭

ଅଗ୍ନିଦେବତାଙ୍କୁ ଯେ ସ୍ମରି । ଅଛନ୍ତି ଏକମନ କରି ॥ ୬୮

ପରମବ୍ରହ୍ମର ମୂରତି । ତୋ ରୂପ ଯୋଗୀଜନେଚିନ୍ତି ॥ ୬୯

ସଂସାରେ ଯେତେ ସାଧୁଜନ । ଯଜ୍ଞେ କରନ୍ତି ତୋ ଅର୍ଚ୍ଚନ ॥ ୭୦

ଏମନ୍ତେ ନାନାସ୍ତୁତି ମତେ । ଅଗ୍ନି ପୂଜନ୍ତି ଯଥୋଚିତେ ॥ ୭୧

କ୍ଷୀରସିନ୍ଧୁ ମଧ୍ୟ ଭାଗରେ । ଦ୍ୱୀପ ଯେ କ୍ରୋଞ୍ଚ ନାମ ଧରେ ॥ ୭୨

କ୍ରୌଞ୍ଚନାମେ ଯେ ଗିରିବର । ତା ନାମେ ନାମ ସେ ଦ୍ୱୀପର ॥ ୭୩

ପ୍ରିୟବ୍ରତର ପୁତ୍ର ହୋଇ । ଘୃତପୃଷ୍ଠ ନାମ ବହଇ ॥ ୭୪

ସେ ଦ୍ୱୀପେ ରାଜତ୍ୱ ତାହାର । ସପତ ତାହାଙ୍କ କୁମର ॥ ୭୫

ସପ୍ତବରଷ ପୁତ୍ରେ ଦେଇ । ନିଶ୍ଚଳେ କୃଷ୍ଣଙ୍କୁ ଭଜଇ ॥ ୭୬

ମଧୁରୁହ ଯେ ମେଘପୃଷ୍ଠ । ସୁଧାମା ଆମ ଯେ ଭ୍ରାଜିଷ୍ଟ ॥ ୭୭

ଲୋହିତାର୍ଣ୍ଣ ଯେ ବନସ୍ଫତି । ଏ ସପ୍ତ ନାମେ ବର୍ଷ ଖ୍ୟାତି ॥ ୭୮

ଶୁକ୍ଳ ବର୍ଦ୍ଧମାନ ଭୋଜନ । ଉପବର୍ହଣ ନାମେ ଆନ ॥ ୭୯

ନନ୍ଦ ନନ୍ଦନ ବେନି ଖ୍ୟାତ । ସର୍ବତୋଭଦ୍ର ମିଶି ସାତ ॥ ୮୦

ଅଭୟା ଶୁକ୍ଳା ତୀର୍ଥବତୀ । ଅମୃତୌଘା ଯେ ରୂପବତୀ ॥ ୮୧

ଆର୍ଯ୍ୟକା ଯେ ପବିତ୍ରବତୀ । ଏ ସପ୍ତନଦୀ ନାମ ଖ୍ୟାତି ॥ ୮୨

ଏସବୁ ନଦୀଙ୍କର ଜଳ । ଅତୀବ ପବିତ୍ର ନିର୍ମଳ ॥ ୮୩

ସେ ଜଳ କରି ନିତ୍ୟେ ପାନ । କ୍ରୌଞ୍ଚଦ୍ୱୀପେ ସେ ଯେତେ ଜନ ॥ ୮୪

ପୁରୁଷ ଋଷଭ ଦ୍ରବିଣ । ଦେବକ ନାମରେ ସେ ପୁଣ ॥ ୮୫

ଯାହାର ଜଳ ପାନ କରି । ଦେବଦେହକୁ ପ୍ରାଣୀ ଧରି ॥ ୮୬

ପୂଜନ୍ତି ବରୁଣକୁ ଯାର । ସଲିଳମୟ କଳେବର ॥ ୮୭

ହେ ଆପମୟ ତୁ ଈଶ୍ୱର । ଭୁବନ ପବିତ୍ର ତୁ କର ॥ ୮୮

ତୁମ୍ଭର ପାଦରେ ବନ୍ଦନ । ଆମ୍ଭରେ ତେଣୁ କରି ମନ ॥ ୮୯

ତୁମ୍ଭର ଆପରେ ବହନ । ଆମ୍ଭର ପୂତ କର ମନ ॥ ୯୦

ଆମ୍ଭଙ୍କୁ ଅନୁକମ୍ପା କର । ବାହ୍ୟାଭ୍ୟନ୍ତର ପାପ ହର ॥ ୯୧

ଏ ଅନନ୍ତରେ ପରୀକ୍ଷିତ । ଶାକଦ୍ୱୀପର ଯେ ତଦନ୍ତ ॥ ୯୨

ବତିଶଲକ୍ଷ ଯେ ଯୋଜନ । ଶାକଦ୍ୱୀପର ପରିମାଣ ॥ ୯୩

ଦଧିସମୁଦ୍ର ବେଢି ତାରେ । ଅଛି ଯେ ବଳୟ ପ୍ରକାରେ ॥ ୯୪

ତହିଁରେ ଶାକ-ତରୁବର । ସୁଗନ୍ଧ କରଇ ବିସ୍ତାର ॥ ୯୫

ପ୍ରିୟବ୍ରତର ସେ କୁମର । ମେଧାତିଥି ନାମ ଯାହାର ॥ ୯୬

ରାଜତ୍ୱପଣ କରି ତହିଁ । ଶାକଦ୍ୱୀପକୁ ସେ ପାଳଇ ॥ ୯୭

ଦ୍ୱୀପକୁ ସାତଭାଗ କରି । ପୁତ୍ରଙ୍କୁ ଦେଲା ଦଣ୍ତଧାରୀ ॥ ୯୮

ତାହାଙ୍କ ପୁତ୍ରଙ୍କର ନାମ । କହିବା ଶୁଣ ହେ ରାଜନ ॥ ୯୯

ପବମାନ ଯେ ମନୋଜବ । ଧୂମ୍ରାନୀକ ଯେ ପୁରୋଜବ ॥ ୧୦୦

ଚିତ୍ରରେଫ ଯେ ବହୁରୂପ । ବିଶ୍ୱାଧାର ଏ ସାତନୃପ ॥ ୧୦୧

ସପ୍ତବରଷ ଯେଝାମତେ । ଦେଇ ଏ ପୁତ୍ରେ ଯଥୋଚିତେ ॥ ୧୦୨

ପ୍ରଭୁପାଦରେ ଚିତ୍ତ ଦେଲା । ତପୋବନରେ ସେ ରହିଲା ॥ ୧୦୩

ସେ ଦ୍ୱୀପ ପର୍ବତଙ୍କ ନାମ । କହିବା ଶୁଣ ହେ ରାଜନ ॥ ୧୦୪

ସହସ୍ରସ୍ରୋତ ଦେବପାଳ । ମହାନସ ଶତକେସର ॥ ୧୦୫

ଗିରି ବଳଭଦ୍ର ଈଶାନ । ଉରୁଶୃଙ୍ଗ ଯେ ସାତନାମ ॥ ୧୦୬

ଅପରାଜିତା ନିଜଧୃତି । ଆୟୁର୍ଦା ଯେ ସହସ୍ରଶୂତି ॥ ୧୦୭

ଉଭୟସୃଷ୍ଟି ପଞ୍ଚପଦୀ । ଅଗଘା ଆଦି ସପ୍ତନଦୀ ॥ ୧୦୮

ସେ ବରଷର ଯେ ପୁରୁଷ । ଋତବ୍ରତ ଆଦି ବିଶେଷ ॥ ୧୦୯

ପବନରୂପୀ ଭଗବାନ । ତାହାଙ୍କୁ କରନ୍ତି ସେବନ ॥ ୧୧୦

ପରମଯୋଗ-ସମାଧିରେ । ସ୍ତୁତି କରନ୍ତି ସେ ପ୍ରଭୁରେ ॥ ୧୧୧

ଭୋ ଦେବ ପବନ ଆକାର । ତୋତେ ଆମ୍ଭର ନମସ୍କାର ॥ ୧୧୨

ପ୍ରାଣୀଙ୍କ ଅନ୍ତର ବାହାରେ । ତୁ ନାଥ ଥାଉ ନିରନ୍ତରେ ॥ ୧୧୩

ଦଧିସିନ୍ଧୁ ପରେ ରାଜନ । ପୁଷ୍କରଦ୍ୱୀପ ଯେ ଦ୍ୱିଗୁଣ ॥ ୧୧୪

ସ୍ୱାଦୁଜଳସିନ୍ଧୁ ତାହାରେ । ବେଢିଛି ବଳୟ ଆକାରେ ॥ ୧୧୫

ତହିଁ କମଳ ବିରାଜିତ । ସୁବର୍ଣ୍ଣମୟ ଲକ୍ଷପତ୍ର ॥ ୧୧୬

ସେହି କମଳେ ଭଗବାନ । ବସନ୍ତି ଯେ କମଳାସନ ॥ ୧୧୭

ଯାହାର ନାମ ଦ୍ୱୀପବର । ଲୋକପ୍ରସିଦ୍ଧ ଯେ ପୁଷ୍କର ॥ ୧୧୮

ଏ ଦ୍ୱୀପମଧ୍ୟେ ନୃପବର । ପର୍ବତ ମାନସଉତ‌ତ୍ତର ॥ ୧୧୯

ବିସ୍ତାର ଅୟୁତଯୋଜନ । ଚାରିଦିଗରେ ହେ ରାଜନ ॥ ୧୨୦

ଇନ୍ଦ୍ରାଦି ଲୋକପାଳଙ୍କର । ଅଛଇ ଏଥି ଚାରିପୁର ॥ ୧୨୧

ମେରୁ ଭ୍ରମନ୍ତେ ଦିନକର । ଉପରେ ଭ୍ରମେ ଚକ୍ର ତାର ॥ ୧୨୨

ଏ ଦ୍ୱୀପପତି ବୀତିହୋତ୍ର । ପ୍ରିୟବ୍ରତଙ୍କର ଏ ପୁତ୍ର ॥ ୧୨୩

ଧାତକି ରମଣକ ଦୁଇ । ବୀତିହୋତ୍ରର ପୁତ୍ର ହୋଇ ॥ ୧୨୪

ଏ ଦ୍ୱୀପେ ତାଙ୍କ ଅଧିକାର । ଶୁଣ ପରୀକ୍ଷ ନୃପବର ॥ ୧୨୫

ସେ ସ୍ଥଳଲୋକଙ୍କ ସହିତେ । ଏହି ସ୍ତୁତିରେ ଯଥୋଚିତେ ॥ ୧୨୬

ଯେ ବ୍ରହ୍ମରୂପୀ ଭଗବାନ । ତାହାଙ୍କୁ କରନ୍ତି ଭଜନ ॥ ୧୨୭

ବର୍ଷଦ୍ୱୟର ବାସୀଗର । ଭଜନ୍ତି ନିତ୍ୟେ ପଦ୍ମାସନ ॥ ୧୨୮

ଯାହାଙ୍କ ଚରଣାରବିନ୍ଦ । ନିତ୍ୟେ ବାଞ୍ଛନ୍ତି ମୁନିବୃନ୍ଦ ॥ ୧୨୯

ଭକ୍ତିଯୋଗରେ ସାଧୁଗଣ । ପୂଜନ୍ତି ଯାହାଙ୍କ ଚରଣ ॥ ୧୩୦

ସେ ବ୍ରହ୍ମ ବିଶ୍ୱରୂପ ହୋଇ । ଅଖିଳ-ସୃଷ୍ଟିକି ଭିଆଇ ॥ ୧୩୧

ଏ ବ୍ରହ୍ମରୂପୀ ଯେ ଠାକୁର । ନମଇଁ ତାହାଙ୍କ ପୟର ॥ ୧୩୨

ଏହାର ପରେ ପରୀକ୍ଷିତ । ଲୋକାଲୋକ ନାମେ ପର୍ବତ ॥ ୧୩୩

ତାହାର ମଧ୍ୟେ ଯେଉଁ ସ୍ଥଳ । ପାଞ୍ଚନଭୂମି ମହୀପାଳ ॥ ୧୩୪

ମେରୁ-ମାନସ ମଧ୍ୟ ଦେଶେ । କାଞ୍ଚନଭୂମି ଯେ ପ୍ରକାଶେ ॥ ୧୩୫

ଯେଣୁ ଏହାର ଅନନ୍ତରେ । ଗତାଗତ ନାହିଁ ଅପରେ ॥ ୧୩୬

ଏଣୁ ଏ ଲୋକାଲୋକ ନାମ । ଏ ସର୍ବ ଈଶ୍ୱରଭିଆଣ ॥ ୧୩୭

ଏହୁ ଯେ ଭୂଗୋଳ ରାଜନ । ପଞ୍ଚାଶକୋଟି ଯେ ବିସ୍ତୀର୍ଣ୍ଣ ॥ ୧୩୮

ପୃଥ୍ୱୀର ଚାରିଭାଗ ସମ । ଏ ଲୋକାଲୋକ ଗିରି ନାମ ॥ ୧୩୯

ଅଖିଳ ଜଗତର ଗୁରୁ । ଯେ ଆତ୍ମଯୋନି ମହାମେରୁ ॥ ୧୪୦

ଅଖିଳ ଲୋକଙ୍କର ହିତେ । ଏହା ଉପରେ ଯଥୋଚିତେ ॥ ୧୪୧

ଦିଗ୍ଗଜପତିଏ ଚତ୍ୱାରେ । ରଖିଲେ କ୍ରମେ ସେ ବେଭାରେ ॥ ୧୪୨

ଏ ଚାରି ଗଜପତି ନାମ । ଭୋ ନୃପ ଶୁଣ ତୁ ଆପଣ ॥ ୧୪୩

ଋଷଭ ନାମ ଯେ ଏକର । ପୁଷ୍କରଚୂଡ ଯେ ଅପର ॥ ୧୪୪

ଅପରାଜିତ ଯେ ବାମନ । ଶେଷ ଦୁଇର ଏହି ନାମ ॥ ୧୪୫

ଏହାଙ୍କ ବଳ ନିମନ୍ତରେ । ଅଖିଳ-ବ୍ରହ୍ମାଣ୍ତ-ଠାକୁରେ ॥ ୧୪୬

ସେନାଦିପାରିଷଦବରେ । ନାନା ଆୟୁଧ ଧରି କରେ ॥ ୧୪୭

ସେ ହସ୍ତୀ ରକ୍ଷଣର ପାଇଁ । ରଖିଲେ ପ୍ରଭୁ ଭାବଗ୍ରାହୀ ॥ ୧୪୮

ନାନା ଅଳଙ୍କାରକୁ ଦେଇ । ବିଚିତ୍ରବେଶକୁ କରାଇ ॥ ୧୪୯

ଆପଣେ ଗଦା ଧରି କରେ । ବୁଲନ୍ତି ଲୋକାଲୋକ ପରେ ॥ ୧୫୦

ବରଷ ଦ୍ୱୀପ ନଦୀ ଗିରି । ତୁମ୍ଭରେ କହିଲୁ ବିସ୍ତାରି ॥ ୧୫୧

ଲୋକାଲୋକଗିରି ଅନ୍ତରେ । ଈଶ୍ୱରସୃଷ୍ଟି ଅଗୋଚରେ ॥ ୧୫୨

ଅଣ୍ତ ମଧ୍ୟରେ ରବି ସ୍ଥିତି । ଭୂମି ସ୍ୱର୍ଗର ମଧ୍ୟବର୍ତ୍ତୀ ॥ ୧୫୩

ସୂର୍ଯ୍ୟ ଭୂମିର ଯେ ଅନ୍ତର । କହନ୍ତି ମଧ୍ୟ ବ୍ରହ୍ମାଣ୍ତର ॥ ୧୫୪

ସୂର୍ଯ୍ୟଅଣ୍ତ ମଧ୍ୟରେ ମଧ୍ୟ । ପଞ୍ଚାଶକୋଟି ଯେ ପ୍ରସିଦ୍ଧ ॥ ୧୫୫

ବୈରାଜରୂପେ ଗ୍ରହେଶ୍ୱର । ପ୍ରବିଷ୍ଟ ମୃତାଣ୍ତ ମଧ୍ୟର ॥ ୧୫୬

ମୃତଅଣ୍ତରେ ଉଦେ ହୋନ୍ତି । ମାର୍ତ୍ତଣ୍ତ ନାମକୁ ବହନ୍ତି ॥ ୧୫୭

ହିରଣ୍ୟ ଅଣ୍ତୁ ଯେ ସମ୍ଭବ । ତେଣୁ ନାମ ହିରଣ୍ୟଗର୍ଭ ॥ ୧୫୮

ଦିଶ ଆକାଶ ସୂର୍ଯ୍ୟ କରି । ବିଭାଗ ହୋଇ ଦଣ୍ତଧାରୀ ॥ ୧୫୯

ଦେବତୀର୍ଯ୍ୟକ ନର ଆଦି । ସରୀସୃପ ବୃକ୍ଷ ପ୍ରସିଦ୍ଧି ॥ ୧୬୦

ଆତ୍ମାର ଚକ୍ଷୁରୂପ ସେହି । ସେ ସୂର୍ଯ୍ୟ ଅଖିଳ ଗୋସାଇଁ ॥ ୧୬୧

ତା ଶକ୍ତି ଜଗତେ ପ୍ରକାଶ । ଜଗତ ତମ କରେ ନାଶ ॥ ୧୬୨

ବିଷ୍ଣୁର ରୂପ ସେ ସାକ୍ଷତ । କହଇ ବିପ୍ର ଜଗନ୍ନାଥ ॥ ୧୬୩

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା

ସଂହିତାୟାଂ ପଞ୍ଚମସ୍କନ୍ଧେ ଭୁବନକୋଷବର୍ଣ୍ଣନେ

ବିଂଶୋଽଧ୍ୟାୟଃ ॥

* * *