ପଞ୍ଚମ ସ୍କନ୍ଧ

ଉନବିଂଶ ଅଧ୍ୟାୟ

ଶୁକ ଉବାଚ

କିଂପୁରୁଷବରଷ ବାଣୀ । ରାଜନ ଶୁଣ ପରିମାଣି ॥

ସୀତାରମଣ ପ୍ରଭୁ ରାମ । ତାହାଙ୍କ କନିଷ୍ଠ ଲକ୍ଷ୍ମଣ ॥

ପରମ ପ୍ରଭୁ ଯେ ଈଶ୍ୱର । ତାହାଙ୍କୁ ହନୁ ମହାବୀର ॥

ପରମ ଭାଗବତ ସେହି । ନିଶ୍ଚଳେ ଭକ୍ତିଯୋଗ ଲଇଁ ॥

ପ୍ରଭୁ ପଦାରବିନ୍ଦ ତଳେ । ସେବଇ ମନର ନିଶ୍ଚଳେ ॥

ଶ୍ରୀରାମ କଥା ପୁଣ୍ୟତମ । ଗନ୍ଧର୍ବେ କରନ୍ତି ଗାୟନ ॥

ଆର୍ଷ୍ଟିଷେଣ ସହିତ ତହିଁ । ହନୁ ଶୁଣଇ ତୋଷ ହୋଇ ॥

ଏମନ୍ତ କରନ୍ତି ଗାୟନ । ସ୍ତୁତି କରନ୍ତି ଏ ବଚନ ॥

ଉତ୍ତମଶ୍ଳୋକ ତୁ ଠାକୁର । ନମଇଁ ତୋହର ପୟର ॥

ସକଳ ଲକ୍ଷଣ ତୋ ତହିଁ । ସକଳ ଶ୍ରେଷ୍ଠ ତୁ ଗୋସାଇଁ ॥ ୧୦

ସର୍ବ-ବନ୍ଦନ ତୁ ଠାକୁର । ତୋତେ ମୋହର ନମସ୍କାର ॥ ୧୧

ନମଇଁ ବ୍ରହ୍ମାଣ୍ତ ଈଶ୍ୱର । ସକଳ ଦେବଙ୍କର ବୀର ॥ ୧୨

ମହାପୁରୁଷ ମହାରାଜ । ନମଇଁ ବ୍ରହ୍ମାଣ୍ତର ବୀଜ ॥ ୧୩

ସ୍ୱତେଜେ କରି ତିନିଗୁଣ । ବିନାଶ କରୁ ନାରାୟଣ ॥ ୧୪

ପ୍ରଶାନ୍ତ-ସାଧୁ ତୁ ଠାକୁର । ଜ୍ଞାନୀଙ୍କି ଜ୍ଞାନେ ତୁ ଗୋଚର ॥ ୧୫

ତୋହର ନାମ ରୂପ ଯେତେ । କେହି ନ ଜାଣନ୍ତି ଜଗତେ ॥ ୧୬

ମାୟାସଂସାରେ ତୋର ଜନ୍ମ । ରାକ୍ଷସ-ସଂହାର-କାରଣ ॥ ୧୭

ଅନ୍ୟଥା କାହିଁ ଭଗବାନ । ସୀତାହରଣେ କ୍ଷୋଭ ମନ ॥ ୧୮

ମାନବଶିକ୍ଷାର ନିମନ୍ତେ । ତୋହର ଜନ୍ମ ଏ ଜଗତେ ॥ ୧୯

ଅଖିଳ-ବ୍ରହ୍ମାଣ୍ତ-ଠାକୁର । ତୁମ୍ଭେ ବା କି କରି ନ ପାର ॥ ୨୦

ତେବେ ପତ୍ନୀର ନିମିତ୍ତରେ । କ୍ଲେଶ ମାନବ-ଅବତାରେ ॥ ୨୧

ଏ କି ତୋହରେ ସମ୍ଭବଇ । ଭୋ ନାଥ ତୋର ମାୟା ଏହି ॥ ୨୨

ଜନ୍ମ ମରଣ ଯାର ନାହିଁ । ଅଖିଳପ୍ରଭୁ ଭାବଗ୍ରାହୀ ॥ ୨୩

ସୁର-ଅସୁର ଆଦି କରି । ବ୍ରହ୍ମାଣ୍ତେ ଯେତେ ଦେହଧାରୀ ॥ ୨୪

ଏ ସର୍ବଆତ୍ମା ଯେ ଈଶ୍ୱର । କି ଅବା ଅକର୍ତ୍ତବ୍ୟ ତୋର ॥ ୨୫

ଉତ୍ତରକୋଶଳରେ ଜାତ । ଯେ ପ୍ରଭୁ ନରଦେହବନ୍ତ ॥ ୨୬

ସେ ରାମ ପାଦତଳେ ମୁହିଁ । ସହସ୍ରେ ପ୍ରଣାମ କରଇ ॥ ୨୭

ଶୁଣ ରାଜନ ମନତୋଷେ । ଏବେ ଯେ ଭାରତବରଷେ ॥ ୨୮

ନର ନାରାୟଣ ସେ ହରି । କଳ୍ପେ ପର୍ଯ୍ୟନ୍ତ ଦେହଧରି ॥ ୨୯

ସାଧୁଙ୍କ ପରିତ୍ରାଣ ପାଇଁ । ସଂସାରେ ରୂପବନ୍ତ ହୋଇ ॥ ୩୦

ଭ୍ରମନ୍ତି ଆତ୍ମାଗୁଣ ମତେ । ନାରଦ ତାକୁ ଯଥୋଚିତେ ॥ ୩୧

ଭକ୍ତିରେ ସାଧୁଜନ ମେଳେ । ସ୍ତୁତି କରନ୍ତି ଯେ ନିଶ୍ଚଳେ ॥ ୩୨

ନମସ୍ତେ ସ୍ୱଭାବ-ସୁଶୀଳ । ତୋ ରୂପ ଚରିତ୍ର ନିର୍ମଳ ॥ ୩୩

ଋଷିଙ୍କ ବର ତୁ ଠାକୁର । ତୋତେ ମୋହର ନମସ୍କାର ॥ ୩୪

ନର-ନାରାୟଣ ଶରୀର । ପରମହଂସ ତୁ ଠାକୁର ॥ ୩୫

ସକଳ ଆତ୍ମଭୂତ ତୁହି । ତୋ ପାଦପଦ୍ମେ ପ୍ରଣମଇଁ ॥ ୩୬

ସକଳ କର୍ତ୍ତା ତୁ ଈଶ୍ୱର । ନାହିଁ ତୋହର ଅହଙ୍କାର ॥ ୩୭

ତୁ ଯେ ମାନବ କଳେବର । ଶରୀରଭୋଗ ନାହିଁ ତୋର ॥ ୩୮

ସକଳ ଦେଖୁ ତୁ ଠାକୁର । ଗୁଣରେ ଦୋଷ ନାହିଁ ତୋର ॥ ୩୯

ସକଳ ଗୁଣେ ତୋ ବିହାର । ସର୍ବବିଷୟେ ନିର୍ବିକାର ॥ ୪୦

ତୋହର ତହିଁ ଯାର ମନ । ତାହାର ସଂସାର ଖଣ୍ତନ ॥ ୪୧

ଦାରା ତନୟ ଧନ ଘର । ଏଣେ ଅର୍ପିତ ମନ ଯାର ॥ ୪୨

ସେ ତୋତେ ପାଇବେଟି କାହିଁ । ଶ୍ରମ କେବଳ ତାଙ୍କ ଦେହୀ ॥ ୪୩

ଏ ମୋର ମୂଢ଼ମତି ତୁହି । ବିନାଶ କର ଭାବଗ୍ରାହୀ ॥ ୪୪

ଏ ତୋର ପାଦେ ମୋର ମନ । ନିଶ୍ଚଳେ ରହୁ ଭଗବାନ ॥ ୪୫

ଏ ଯେ ଭାରତବରଷର । ପର୍ବତ ଅଛନ୍ତି ଅପାର ॥ ୪୬

ମଳୟ ଋଷଭ କୂଟକ । ମଙ୍ଗଳ ପ୍ରସ୍ଥ ଯେ ମୈନାକ ॥ ୪୭

କୋଲ୍ଲ ସହ୍ୟ ଦ୍ରୋଣ ତ୍ରିକୂଟ । ଦେବଗିରି ବିନ୍ଧ୍ୟ ବେଙ୍କଟ ॥ ୪୮

ବାରିଧାର ଯେ ଋଷ୍ୟମୂକ । ଋକ୍ଷଗିରି ଯେ ଗୋକାମୁଖ ॥ ୪୯

ପାରିଯାତ୍ର ଯେ ଶୁକ୍ତିମାନ । ଚିତ୍ରକୂଟ ଯେ ଗୋବର୍ଦ୍ଧନ ॥ ୫୦

କାମଗିରି କକୁଭ ନୀଳ । ରୈବତକ ଯେ ଇନ୍ଦ୍ରକୀଳ ॥ ୫୧

ମହେନ୍ଦ୍ର ଶ୍ରୀଶୈଳ ସମେତେ । ଅଛନ୍ତି ଶତ ସସ୍ର ମତେ ॥ ୫୨

ଆବର ନଦନଦୀ ଆଦି । ଶତସହସ୍ର ଯେ ପ୍ରସିଦ୍ଧି ॥ ୫୩

ଚନ୍ଦ୍ରବସା ଯେ ତାମ୍ରପର୍ଣ୍ଣୀ । ଅବଟୋଦା ଯେ ପୟସ୍ୱିନୀ ॥ ୫୪

କୃତମାଳା କାବେରୀ ପୁଣ୍ୟା । ଶର୍କରାବର୍ତ୍ତା କୃଷ୍ଣା ବେଣ୍ୟା ॥ ୫୫

ବୈହାୟସୀ ଯେ ତୁଙ୍ଗଭଦ୍ରା । ଭୀମରଥୀ ତାପ୍ତି ନିର୍ବିନ୍ଧ୍ୟା ॥ ୫୬

ଗୋଦାବରୀ ରେବା ସୁରସା । ପୟୋଷ୍ଣୀ ନର୍ମଦା ଯେ ବିଶ୍ୱା ॥ ୫୭

ଚର୍ମଣ୍ୱତୀ ଶୋଣ ତ୍ରିସାମା । ସରଯୂ ଶତଦ୍ରୁ ସୁଷୋମା ॥ ୫୮

ବ୍ରହ୍ମପୁତ୍ର ଯେ ମନ୍ଦାକିନୀ । ଯମୁନା ବିତସ୍ତା ଅସିକ୍ନୀ ॥ ୫୯

ମହାନଦୀ ଯେ ବେଦସ୍ମୃତି । ଋଷିକୁଲ୍ୟା ଯେ ରୋଧସ୍ୱତୀ ॥ ୬୦

କୌଶିକୀ ସିନ୍ଧୁ ସରସ୍ୱତୀ । ଚନ୍ଦ୍ରଭାଗା ଯେ ଷଷ୍ଠବତୀ ॥ ୬୧

ଦୃଶଦ୍‌ବତୀ ପୁଣି ଗୋମତୀ । ମରୁତବୃଦ୍ଧା ସପ୍ତବତୀ ॥ ୬୨

ଏ ପୁଣ୍ୟଜଳ ସ୍ନାନପାନ । କରି ତରନ୍ତି ପ୍ରଜାଜନ ॥ ୬୩

ତ‌ତ୍ତ୍ୱଜ୍ଞ-ଯୋଗୀ ଋଷିମାନେ । କର୍ମ କରନ୍ତି ଏହି ସ୍ଥାନେ ॥ ୬୪

ଏହି ବରଷେ ହେ ରାଜନ । କର୍ମରୁ ପ୍ରାଣୀ ହୋନ୍ତି ଜନ୍ମ ॥ ୬୫

ଶୁକ୍ଳ ଲୋହିତ କୃଷ୍ଣ ବର୍ଣ୍ଣ । କର୍ମରୁ ଲଭେ ପ୍ରାଣୀ ଜନ୍ମ ॥ ୬୬

ସା‌ତ୍ତ୍ୱିକ ରାଜସ ତାମସ । କର୍ମରେ ଦେବତା ମାନସ ॥ ୬୭

ଯେ ପ୍ରାଣୀ ଦୃଢ କରେ ମନ । ସକଳ-ତୀର୍ଥେ କୃଷ୍ଣନାମ ॥ ୬୮

ସ୍ୱର୍ଗ ନରକ ଭୂମିଭାଗ । କର୍ମଅଧୀନେ କରେ ଭୋଗ ॥ ୬୯

ଯେ ପ୍ରାଣୀ ସର୍ବଭୂତପର । କୃଷ୍ଣରେ ମତିଟି ଯାହାର ॥ ୭୦

ସର୍ବଭୂତରେ ଆତ୍ମା ସେହି । ଅଖିଳ-ବ୍ରହ୍ମାଣ୍ତ-ଗୋସାଇଁ ॥ ୭୧

ସେ ବାସୁଦେବ ଚକ୍ରଧର । ତାହାର ତହିଁ ମତି ଯାର ॥ ୭୨

ଭକତିଯୋଗ ଦୃଢ଼ତାରେ । ସେ ପ୍ରାଣୀ କର୍ମବନ୍ଧୁ ତରେ ॥ ୭୩

ମହାପୁରୁଷ ପ୍ରସଙ୍ଗରେ । ହେଳାରେ ଶ୍ରଦ୍ଧାରେ ବା କରେ ॥ ୭୪

ଦେବେ ତାହାର ଗୁଣ-କର୍ମ । ଆନନ୍ଦେ କରନ୍ତି ଗାୟନ ॥ ୭୫

ଧନ୍ୟ ଜୀବନ ତାର ସାର । ମୁକୁନ୍ଦ ପାଦେ ମତି ଯାର ॥ ୭୬

ଭାରତେ ମାନବ-ଜନ୍ମରେ । ସେ ପ୍ରାଣୀ ଶ୍ରେଷ୍ଠ ସର୍ବଠାରେ ॥ ୭୭

ଦୁଷ୍କର-ଜପ-ତପମାନ । ତଥିରେ କି ଅବା କାରଣ ॥ ୭୮

ଯଜନ ଆଦି ଷଟକର୍ମ । ଭକ୍ତି-ବିହୀନେ ନିଷ୍କାରଣ ॥ ୭୯

ପ୍ରଭୁ-ପଦାରବିନ୍ଦ ସାର । ସୁମତି ନାହିଁଟି ଯାହାର ॥ ୮୦

କଳ୍ପ-ଆୟୁଷ ସୁଖମାନ । ଏହୁ ସକଳ ବ୍ୟର୍ଥଶ୍ରମ ॥ ୮୧

କ୍ଷଣେ ଆୟୁଷ ଭାରତରେ । ମନ ଯାହାର କୃଷ୍ଣଠାରେ ॥ ୮୨

ସେ ପ୍ରାଣୀ ସର୍ବଶ୍ରେଷ୍ଠ ହୋଇ । ତାହାର ସମ କେହି ନାହିଁ ॥ ୮୩

ପ୍ରାଣ-ପ୍ରୟାଣ ସମୟରେ । ଯେବେ ମାନସେ କୃଷ୍ଣ-ସ୍ମରେ ॥ ୮୪

କ୍ଷଣକେ କର୍ମକୁ ଛେଦଇ । ବୈକୁଣ୍ଠପଦକୁ ଲଭଇ ॥ ୮୫

ବୈକୁଣ୍ଠକଥା ସୁଧାରସ । ଯେ ସ୍ଥଳେ ନ ହୁଏ ପ୍ରକାଶ ॥ ୮୬

କୃଷ୍ଣଆଶ୍ରିତ ପ୍ରାଣୀମାନ । ଯହିଁ ନାହାନ୍ତି ସାଧୁଜନ ॥ ୮୭

ସୁଯଜ୍ଞ-ମହୋବ ଆଦି । ଯେ ସ୍ଥଳେ ନାହିଁ ଭକ୍ତି ସିଦ୍ଧି ॥ ୮୮

ଇନ୍ଦ୍ରର ପୁର ଯେବେ ହୋଇ । ତହିଁରେ ବାସ ନ ଯୋଗାଇ ॥ ୮୯

ମାନବ ଜନ୍ମ ହୋଇ ନର । ଜ୍ଞାନେ ଅଜ୍ଞାନ ଧ୍ୱଂସ ଯାର ॥ ୯୦

ତଥାପି ପ୍ରଭୁଙ୍କ ଭଜନ । ତେଜଇ ହୋଇ ମତେ ଛନ୍ନ ॥ ୯୧

ନାନାଯୋନିରେ ଜନ୍ମ ହୋଇ । କର୍ମବନ୍ଧନେ ସେ ପଡଇ ॥ ୯୨

ଶ୍ରଦ୍ଧାରେ ଯେତେ ଯେତେ ନରେ । ଘୃତ ଦିଅନ୍ତି ଅଗ୍ନିଠାରେ ॥ ୯୩

ନାନା-ଦେବତା ରୂପ ହୋଇ । ଯଜ୍ଞ ଭୁଞ୍ଜନ୍ତି ଭାବଗ୍ରାହୀ ॥ ୯୪

ମାୟାରେ ପୃଥକ ସେ ହୋଇ । ତ୍ୱ ତା ବିନୁ କେହି ନାହିଁ ॥ ୯୫

ତାଙ୍କୁ ଭଜନ୍ତି ଯେତେ ପ୍ରାଣୀ । ତାହାଙ୍କୁ ମନୁଷ୍ୟରେ ଗଣି ॥ ୯୬

ଇଚ୍ଛା ନ କଲେ ଫଳ ଦେଇ । ଯେଣୁ ତା ନାମ ଭାବଗ୍ରାହୀ ॥ ୯୭

ପଦପଲ୍ଲବ ଭଜନରେ । ଯାହାର ମନ ନିରନ୍ତରେ ॥ ୯୮

ସେ ଭକ୍ତପ୍ରାଣୀମାନଙ୍କରେ । କରୁଣା କରନ୍ତି ବେଭାରେ ॥ ୯୯

ଦେବେ ବୋଲନ୍ତି ସ୍ୱର୍ଗେ ଥାଇ । ଭାରତବର୍ଷେ ଜନ୍ମ ହୋଇ ॥ ୧୦୦

ଯହିଁ ହରିର ସ୍ମୃତି ଜାତ । ହରି ଚରଣେ ସେବାବନ୍ତ ॥ ୧୦୧

ଶୁକ ଉବାଚ

ଜମ୍ବୁଦ୍ୱୀପରେ ନୃପବର । ଯେ ଅଷ୍ଟ ଉପଦ୍ୱୀପ ସାର ॥ ୧୦୨

ଅଶ୍ୱ ଖୋଜନ୍ତେ ବସୁନ୍ଧରୀ । ସଗରପୁତ୍ରଙ୍କରେ କରି ॥ ୧୦୩

ଗର୍ତ୍ତ ହୋଇଲା ଚାରିଦିଗ । ଏଣୁ ଏ ଅଷ୍ଟଦ୍ୱୀପ ଭାଗ ॥ ୧୦୪

ଶୁଣ ହେ ପରୀକ୍ଷ ରାଜନ । ଯେ ଅଷ୍ଟ ଉପଦ୍ୱୀପ ନାମ ॥ ୧୦୫

ସୁବର୍ଣ୍ଣପ୍ରସ୍ଥ ନାମେ ଏକ । ଚନ୍ଦ୍ରଶୁକ୍ଳ ନାମ ଆରକ ॥ ୧୦୬

ତୃତୀୟ ନାମ ଆବର୍ତ୍ତନ । ଚତୁର୍ଥ ମନ୍ଦରହରିଣ ॥ ୧୦୭

ରମଣକ ନାମ ପଞ୍ଚମ । ଷଷ୍ଠର ପାଞ୍ଚଜନ୍ୟ ନାମ ॥ ୧୦୮

ସିଂହଳ ଲଙ୍କା ନାମ ହୋଇ । ଆବର ଉପଦ୍ୱୀପ ଦୁଇ ॥ ୧୦୯

ବରଷ-ବିଭାଗ ସମେତେ । ଜମ୍ବୁଦ୍ୱୀପର ଯଥୋଚିତେ ॥ ୧୧୦

ତୁମ୍ଭ ପ୍ରଶନ ଅନୁସାରେ । ଭୋ ନୃପ କହିଲୁ ତୁମ୍ଭରେ ॥ ୧୧୧

ଦ୍ୱୀପ ବରଷ ବନ ଗିରି । ସକଳକର୍ତ୍ତା ନରହରି ॥ ୧୧୨

ସେ ପ୍ରଭୁ ଚରଣାରବିନ୍ଦେ । ମୋ ମନ ରହୁ ଅପ୍ରମାଦେ ॥ ୧୧୩

କହଇ ବିପ୍ର ଜଗନ୍ନାଥ । କୃଷ୍ଣଚରିତ ଭାଗବତ ॥ ୧୧୪

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଜମ୍ବୁଦ୍ୱୀପବର୍ଣ୍ଣ‌ନଂ ନାମ ଏକୋନବିଂଶୋଽଧ୍ୟାୟଃ । ।

* * *