ପଞ୍ଚମ ସ୍କନ୍ଧ
ଉନବିଂଶ ଅଧ୍ୟାୟ
ଶୁକ ଉବାଚ
କିଂପୁରୁଷବରଷ ବାଣୀ । ରାଜନ ଶୁଣ ପରିମାଣି ॥ ୧
ସୀତାରମଣ ପ୍ରଭୁ ରାମ । ତାହାଙ୍କ କନିଷ୍ଠ ଲକ୍ଷ୍ମଣ ॥ ୨
ପରମ ପ୍ରଭୁ ଯେ ଈଶ୍ୱର । ତାହାଙ୍କୁ ହନୁ ମହାବୀର ॥ ୩
ପରମ ଭାଗବତ ସେହି । ନିଶ୍ଚଳେ ଭକ୍ତିଯୋଗ ଲଇଁ ॥ ୪
ପ୍ରଭୁ ପଦାରବିନ୍ଦ ତଳେ । ସେବଇ ମନର ନିଶ୍ଚଳେ ॥ ୫
ଶ୍ରୀରାମ କଥା ପୁଣ୍ୟତମ । ଗନ୍ଧର୍ବେ କରନ୍ତି ଗାୟନ ॥ ୬
ଆର୍ଷ୍ଟିଷେଣ ସହିତ ତହିଁ । ହନୁ ଶୁଣଇ ତୋଷ ହୋଇ ॥ ୭
ଏମନ୍ତ କରନ୍ତି ଗାୟନ । ସ୍ତୁତି କରନ୍ତି ଏ ବଚନ ॥ ୮
ଉତ୍ତମଶ୍ଳୋକ ତୁ ଠାକୁର । ନମଇଁ ତୋହର ପୟର ॥ ୯
ସକଳ ଲକ୍ଷଣ ତୋ ତହିଁ । ସକଳ ଶ୍ରେଷ୍ଠ ତୁ ଗୋସାଇଁ ॥ ୧୦
ସର୍ବ-ବନ୍ଦନ ତୁ ଠାକୁର । ତୋତେ ମୋହର ନମସ୍କାର ॥ ୧୧
ନମଇଁ ବ୍ରହ୍ମାଣ୍ତ ଈଶ୍ୱର । ସକଳ ଦେବଙ୍କର ବୀର ॥ ୧୨
ମହାପୁରୁଷ ମହାରାଜ । ନମଇଁ ବ୍ରହ୍ମାଣ୍ତର ବୀଜ ॥ ୧୩
ସ୍ୱତେଜେ କରି ତିନିଗୁଣ । ବିନାଶ କରୁ ନାରାୟଣ ॥ ୧୪
ପ୍ରଶାନ୍ତ-ସାଧୁ ତୁ ଠାକୁର । ଜ୍ଞାନୀଙ୍କି ଜ୍ଞାନେ ତୁ ଗୋଚର ॥ ୧୫
ତୋହର ନାମ ରୂପ ଯେତେ । କେହି ନ ଜାଣନ୍ତି ଜଗତେ ॥ ୧୬
ମାୟାସଂସାରେ ତୋର ଜନ୍ମ । ରାକ୍ଷସ-ସଂହାର-କାରଣ ॥ ୧୭
ଅନ୍ୟଥା କାହିଁ ଭଗବାନ । ସୀତାହରଣେ କ୍ଷୋଭ ମନ ॥ ୧୮
ମାନବଶିକ୍ଷାର ନିମନ୍ତେ । ତୋହର ଜନ୍ମ ଏ ଜଗତେ ॥ ୧୯
ଅଖିଳ-ବ୍ରହ୍ମାଣ୍ତ-ଠାକୁର । ତୁମ୍ଭେ ବା କି କରି ନ ପାର ॥ ୨୦
ତେବେ ପତ୍ନୀର ନିମିତ୍ତରେ । କ୍ଲେଶ ମାନବ-ଅବତାରେ ॥ ୨୧
ଏ କି ତୋହରେ ସମ୍ଭବଇ । ଭୋ ନାଥ ତୋର ମାୟା ଏହି ॥ ୨୨
ଜନ୍ମ ମରଣ ଯାର ନାହିଁ । ଅଖିଳପ୍ରଭୁ ଭାବଗ୍ରାହୀ ॥ ୨୩
ସୁର-ଅସୁର ଆଦି କରି । ବ୍ରହ୍ମାଣ୍ତେ ଯେତେ ଦେହଧାରୀ ॥ ୨୪
ଏ ସର୍ବଆତ୍ମା ଯେ ଈଶ୍ୱର । କି ଅବା ଅକର୍ତ୍ତବ୍ୟ ତୋର ॥ ୨୫
ଉତ୍ତରକୋଶଳରେ ଜାତ । ଯେ ପ୍ରଭୁ ନରଦେହବନ୍ତ ॥ ୨୬
ସେ ରାମ ପାଦତଳେ ମୁହିଁ । ସହସ୍ରେ ପ୍ରଣାମ କରଇ ॥ ୨୭
ଶୁଣ ରାଜନ ମନତୋଷେ । ଏବେ ଯେ ଭାରତବରଷେ ॥ ୨୮
ନର ନାରାୟଣ ସେ ହରି । କଳ୍ପେ ପର୍ଯ୍ୟନ୍ତ ଦେହଧରି ॥ ୨୯
ସାଧୁଙ୍କ ପରିତ୍ରାଣ ପାଇଁ । ସଂସାରେ ରୂପବନ୍ତ ହୋଇ ॥ ୩୦
ଭ୍ରମନ୍ତି ଆତ୍ମାଗୁଣ ମତେ । ନାରଦ ତାକୁ ଯଥୋଚିତେ ॥ ୩୧
ଭକ୍ତିରେ ସାଧୁଜନ ମେଳେ । ସ୍ତୁତି କରନ୍ତି ଯେ ନିଶ୍ଚଳେ ॥ ୩୨
ନମସ୍ତେ ସ୍ୱଭାବ-ସୁଶୀଳ । ତୋ ରୂପ ଚରିତ୍ର ନିର୍ମଳ ॥ ୩୩
ଋଷିଙ୍କ ବର ତୁ ଠାକୁର । ତୋତେ ମୋହର ନମସ୍କାର ॥ ୩୪
ନର-ନାରାୟଣ ଶରୀର । ପରମହଂସ ତୁ ଠାକୁର ॥ ୩୫
ସକଳ ଆତ୍ମଭୂତ ତୁହି । ତୋ ପାଦପଦ୍ମେ ପ୍ରଣମଇଁ ॥ ୩୬
ସକଳ କର୍ତ୍ତା ତୁ ଈଶ୍ୱର । ନାହିଁ ତୋହର ଅହଙ୍କାର ॥ ୩୭
ତୁ ଯେ ମାନବ କଳେବର । ଶରୀରଭୋଗ ନାହିଁ ତୋର ॥ ୩୮
ସକଳ ଦେଖୁ ତୁ ଠାକୁର । ଗୁଣରେ ଦୋଷ ନାହିଁ ତୋର ॥ ୩୯
ସକଳ ଗୁଣେ ତୋ ବିହାର । ସର୍ବବିଷୟେ ନିର୍ବିକାର ॥ ୪୦
ତୋହର ତହିଁ ଯାର ମନ । ତାହାର ସଂସାର ଖଣ୍ତନ ॥ ୪୧
ଦାରା ତନୟ ଧନ ଘର । ଏଣେ ଅର୍ପିତ ମନ ଯାର ॥ ୪୨
ସେ ତୋତେ ପାଇବେଟି କାହିଁ । ଶ୍ରମ କେବଳ ତାଙ୍କ ଦେହୀ ॥ ୪୩
ଏ ମୋର ମୂଢ଼ମତି ତୁହି । ବିନାଶ କର ଭାବଗ୍ରାହୀ ॥ ୪୪
ଏ ତୋର ପାଦେ ମୋର ମନ । ନିଶ୍ଚଳେ ରହୁ ଭଗବାନ ॥ ୪୫
ଏ ଯେ ଭାରତବରଷର । ପର୍ବତ ଅଛନ୍ତି ଅପାର ॥ ୪୬
ମଳୟ ଋଷଭ କୂଟକ । ମଙ୍ଗଳ ପ୍ରସ୍ଥ ଯେ ମୈନାକ ॥ ୪୭
କୋଲ୍ଲ ସହ୍ୟ ଦ୍ରୋଣ ତ୍ରିକୂଟ । ଦେବଗିରି ବିନ୍ଧ୍ୟ ବେଙ୍କଟ ॥ ୪୮
ବାରିଧାର ଯେ ଋଷ୍ୟମୂକ । ଋକ୍ଷଗିରି ଯେ ଗୋକାମୁଖ ॥ ୪୯
ପାରିଯାତ୍ର ଯେ ଶୁକ୍ତିମାନ । ଚିତ୍ରକୂଟ ଯେ ଗୋବର୍ଦ୍ଧନ ॥ ୫୦
କାମଗିରି କକୁଭ ନୀଳ । ରୈବତକ ଯେ ଇନ୍ଦ୍ରକୀଳ ॥ ୫୧
ମହେନ୍ଦ୍ର ଶ୍ରୀଶୈଳ ସମେତେ । ଅଛନ୍ତି ଶତ ସସ୍ର ମତେ ॥ ୫୨
ଆବର ନଦନଦୀ ଆଦି । ଶତସହସ୍ର ଯେ ପ୍ରସିଦ୍ଧି ॥ ୫୩
ଚନ୍ଦ୍ରବସା ଯେ ତାମ୍ରପର୍ଣ୍ଣୀ । ଅବଟୋଦା ଯେ ପୟସ୍ୱିନୀ ॥ ୫୪
କୃତମାଳା କାବେରୀ ପୁଣ୍ୟା । ଶର୍କରାବର୍ତ୍ତା କୃଷ୍ଣା ବେଣ୍ୟା ॥ ୫୫
ବୈହାୟସୀ ଯେ ତୁଙ୍ଗଭଦ୍ରା । ଭୀମରଥୀ ତାପ୍ତି ନିର୍ବିନ୍ଧ୍ୟା ॥ ୫୬
ଗୋଦାବରୀ ରେବା ସୁରସା । ପୟୋଷ୍ଣୀ ନର୍ମଦା ଯେ ବିଶ୍ୱା ॥ ୫୭
ଚର୍ମଣ୍ୱତୀ ଶୋଣ ତ୍ରିସାମା । ସରଯୂ ଶତଦ୍ରୁ ସୁଷୋମା ॥ ୫୮
ବ୍ରହ୍ମପୁତ୍ର ଯେ ମନ୍ଦାକିନୀ । ଯମୁନା ବିତସ୍ତା ଅସିକ୍ନୀ ॥ ୫୯
ମହାନଦୀ ଯେ ବେଦସ୍ମୃତି । ଋଷିକୁଲ୍ୟା ଯେ ରୋଧସ୍ୱତୀ ॥ ୬୦
କୌଶିକୀ ସିନ୍ଧୁ ସରସ୍ୱତୀ । ଚନ୍ଦ୍ରଭାଗା ଯେ ଷଷ୍ଠବତୀ ॥ ୬୧
ଦୃଶଦ୍ବତୀ ପୁଣି ଗୋମତୀ । ମରୁତବୃଦ୍ଧା ସପ୍ତବତୀ ॥ ୬୨
ଏ ପୁଣ୍ୟଜଳ ସ୍ନାନପାନ । କରି ତରନ୍ତି ପ୍ରଜାଜନ ॥ ୬୩
ତତ୍ତ୍ୱଜ୍ଞ-ଯୋଗୀ ଋଷିମାନେ । କର୍ମ କରନ୍ତି ଏହି ସ୍ଥାନେ ॥ ୬୪
ଏହି ବରଷେ ହେ ରାଜନ । କର୍ମରୁ ପ୍ରାଣୀ ହୋନ୍ତି ଜନ୍ମ ॥ ୬୫
ଶୁକ୍ଳ ଲୋହିତ କୃଷ୍ଣ ବର୍ଣ୍ଣ । କର୍ମରୁ ଲଭେ ପ୍ରାଣୀ ଜନ୍ମ ॥ ୬୬
ସାତ୍ତ୍ୱିକ ରାଜସ ତାମସ । କର୍ମରେ ଦେବତା ମାନସ ॥ ୬୭
ଯେ ପ୍ରାଣୀ ଦୃଢ କରେ ମନ । ସକଳ-ତୀର୍ଥେ କୃଷ୍ଣନାମ ॥ ୬୮
ସ୍ୱର୍ଗ ନରକ ଭୂମିଭାଗ । କର୍ମଅଧୀନେ କରେ ଭୋଗ ॥ ୬୯
ଯେ ପ୍ରାଣୀ ସର୍ବଭୂତପର । କୃଷ୍ଣରେ ମତିଟି ଯାହାର ॥ ୭୦
ସର୍ବଭୂତରେ ଆତ୍ମା ସେହି । ଅଖିଳ-ବ୍ରହ୍ମାଣ୍ତ-ଗୋସାଇଁ ॥ ୭୧
ସେ ବାସୁଦେବ ଚକ୍ରଧର । ତାହାର ତହିଁ ମତି ଯାର ॥ ୭୨
ଭକତିଯୋଗ ଦୃଢ଼ତାରେ । ସେ ପ୍ରାଣୀ କର୍ମବନ୍ଧୁ ତରେ ॥ ୭୩
ମହାପୁରୁଷ ପ୍ରସଙ୍ଗରେ । ହେଳାରେ ଶ୍ରଦ୍ଧାରେ ବା କରେ ॥ ୭୪
ଦେବେ ତାହାର ଗୁଣ-କର୍ମ । ଆନନ୍ଦେ କରନ୍ତି ଗାୟନ ॥ ୭୫
ଧନ୍ୟ ଜୀବନ ତାର ସାର । ମୁକୁନ୍ଦ ପାଦେ ମତି ଯାର ॥ ୭୬
ଭାରତେ ମାନବ-ଜନ୍ମରେ । ସେ ପ୍ରାଣୀ ଶ୍ରେଷ୍ଠ ସର୍ବଠାରେ ॥ ୭୭
ଦୁଷ୍କର-ଜପ-ତପମାନ । ତଥିରେ କି ଅବା କାରଣ ॥ ୭୮
ଯଜନ ଆଦି ଷଟକର୍ମ । ଭକ୍ତି-ବିହୀନେ ନିଷ୍କାରଣ ॥ ୭୯
ପ୍ରଭୁ-ପଦାରବିନ୍ଦ ସାର । ସୁମତି ନାହିଁଟି ଯାହାର ॥ ୮୦
କଳ୍ପ-ଆୟୁଷ ସୁଖମାନ । ଏହୁ ସକଳ ବ୍ୟର୍ଥଶ୍ରମ ॥ ୮୧
କ୍ଷଣେ ଆୟୁଷ ଭାରତରେ । ମନ ଯାହାର କୃଷ୍ଣଠାରେ ॥ ୮୨
ସେ ପ୍ରାଣୀ ସର୍ବଶ୍ରେଷ୍ଠ ହୋଇ । ତାହାର ସମ କେହି ନାହିଁ ॥ ୮୩
ପ୍ରାଣ-ପ୍ରୟାଣ ସମୟରେ । ଯେବେ ମାନସେ କୃଷ୍ଣ-ସ୍ମରେ ॥ ୮୪
କ୍ଷଣକେ କର୍ମକୁ ଛେଦଇ । ବୈକୁଣ୍ଠପଦକୁ ଲଭଇ ॥ ୮୫
ବୈକୁଣ୍ଠକଥା ସୁଧାରସ । ଯେ ସ୍ଥଳେ ନ ହୁଏ ପ୍ରକାଶ ॥ ୮୬
କୃଷ୍ଣଆଶ୍ରିତ ପ୍ରାଣୀମାନ । ଯହିଁ ନାହାନ୍ତି ସାଧୁଜନ ॥ ୮୭
ସୁଯଜ୍ଞ-ମହୋବ ଆଦି । ଯେ ସ୍ଥଳେ ନାହିଁ ଭକ୍ତି ସିଦ୍ଧି ॥ ୮୮
ଇନ୍ଦ୍ରର ପୁର ଯେବେ ହୋଇ । ତହିଁରେ ବାସ ନ ଯୋଗାଇ ॥ ୮୯
ମାନବ ଜନ୍ମ ହୋଇ ନର । ଜ୍ଞାନେ ଅଜ୍ଞାନ ଧ୍ୱଂସ ଯାର ॥ ୯୦
ତଥାପି ପ୍ରଭୁଙ୍କ ଭଜନ । ତେଜଇ ହୋଇ ମତେ ଛନ୍ନ ॥ ୯୧
ନାନାଯୋନିରେ ଜନ୍ମ ହୋଇ । କର୍ମବନ୍ଧନେ ସେ ପଡଇ ॥ ୯୨
ଶ୍ରଦ୍ଧାରେ ଯେତେ ଯେତେ ନରେ । ଘୃତ ଦିଅନ୍ତି ଅଗ୍ନିଠାରେ ॥ ୯୩
ନାନା-ଦେବତା ରୂପ ହୋଇ । ଯଜ୍ଞ ଭୁଞ୍ଜନ୍ତି ଭାବଗ୍ରାହୀ ॥ ୯୪
ମାୟାରେ ପୃଥକ ସେ ହୋଇ । ତ୍ୱ ତା ବିନୁ କେହି ନାହିଁ ॥ ୯୫
ତାଙ୍କୁ ଭଜନ୍ତି ଯେତେ ପ୍ରାଣୀ । ତାହାଙ୍କୁ ମନୁଷ୍ୟରେ ଗଣି ॥ ୯୬
ଇଚ୍ଛା ନ କଲେ ଫଳ ଦେଇ । ଯେଣୁ ତା ନାମ ଭାବଗ୍ରାହୀ ॥ ୯୭
ପଦପଲ୍ଲବ ଭଜନରେ । ଯାହାର ମନ ନିରନ୍ତରେ ॥ ୯୮
ସେ ଭକ୍ତପ୍ରାଣୀମାନଙ୍କରେ । କରୁଣା କରନ୍ତି ବେଭାରେ ॥ ୯୯
ଦେବେ ବୋଲନ୍ତି ସ୍ୱର୍ଗେ ଥାଇ । ଭାରତବର୍ଷେ ଜନ୍ମ ହୋଇ ॥ ୧୦୦
ଯହିଁ ହରିର ସ୍ମୃତି ଜାତ । ହରି ଚରଣେ ସେବାବନ୍ତ ॥ ୧୦୧
ଶୁକ ଉବାଚ
ଜମ୍ବୁଦ୍ୱୀପରେ ନୃପବର । ଯେ ଅଷ୍ଟ ଉପଦ୍ୱୀପ ସାର ॥ ୧୦୨
ଅଶ୍ୱ ଖୋଜନ୍ତେ ବସୁନ୍ଧରୀ । ସଗରପୁତ୍ରଙ୍କରେ କରି ॥ ୧୦୩
ଗର୍ତ୍ତ ହୋଇଲା ଚାରିଦିଗ । ଏଣୁ ଏ ଅଷ୍ଟଦ୍ୱୀପ ଭାଗ ॥ ୧୦୪
ଶୁଣ ହେ ପରୀକ୍ଷ ରାଜନ । ଯେ ଅଷ୍ଟ ଉପଦ୍ୱୀପ ନାମ ॥ ୧୦୫
ସୁବର୍ଣ୍ଣପ୍ରସ୍ଥ ନାମେ ଏକ । ଚନ୍ଦ୍ରଶୁକ୍ଳ ନାମ ଆରକ ॥ ୧୦୬
ତୃତୀୟ ନାମ ଆବର୍ତ୍ତନ । ଚତୁର୍ଥ ମନ୍ଦରହରିଣ ॥ ୧୦୭
ରମଣକ ନାମ ପଞ୍ଚମ । ଷଷ୍ଠର ପାଞ୍ଚଜନ୍ୟ ନାମ ॥ ୧୦୮
ସିଂହଳ ଲଙ୍କା ନାମ ହୋଇ । ଆବର ଉପଦ୍ୱୀପ ଦୁଇ ॥ ୧୦୯
ବରଷ-ବିଭାଗ ସମେତେ । ଜମ୍ବୁଦ୍ୱୀପର ଯଥୋଚିତେ ॥ ୧୧୦
ତୁମ୍ଭ ପ୍ରଶନ ଅନୁସାରେ । ଭୋ ନୃପ କହିଲୁ ତୁମ୍ଭରେ ॥ ୧୧୧
ଦ୍ୱୀପ ବରଷ ବନ ଗିରି । ସକଳକର୍ତ୍ତା ନରହରି ॥ ୧୧୨
ସେ ପ୍ରଭୁ ଚରଣାରବିନ୍ଦେ । ମୋ ମନ ରହୁ ଅପ୍ରମାଦେ ॥ ୧୧୩
କହଇ ବିପ୍ର ଜଗନ୍ନାଥ । କୃଷ୍ଣଚରିତ ଭାଗବତ ॥ ୧୧୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଜମ୍ବୁଦ୍ୱୀପବର୍ଣ୍ଣନଂ ନାମ ଏକୋନବିଂଶୋଽଧ୍ୟାୟଃ । ।
* * *