ପଞ୍ଚମ ସ୍କନ୍ଧ

ଅଷ୍ଟାଦଶ ଅଧ୍ୟାୟ

ଶୁକ ଉବାଚ

ଭଦ୍ରାଶ୍ୱ ବରଷ ବିଧାନ । ରାଜନ ଶୁଣ ସାବଧାନ ॥

ଭଦ୍ରଶ୍ରବା ନାମ ତାଙ୍କର । ସାକ୍ଷାତେ ଧର୍ମର କୁମର ॥

ତାହାର କୁଳେ ହୋଇ ଜାତ । ଯେତେକ ପୁରୁଷ ବିଦିତ ॥

ଅଖିଳ-ବ୍ରହ୍ମାଣ୍ତ-କାରଣ । ଅନନ୍ତ ପ୍ରଭୁ ନାରାୟଣ ॥

ତାହାଙ୍କ ସନ୍ତୋଷ କାରଣେ । ପରମ ସମାଧି ବିଧାନେ ॥

ପ୍ରଭୁ ଯେ ଧର୍ମରୂତ ବହି । ଅଛନ୍ତି ପ୍ରାଣୀହିତ ପାଇଁ ॥

ତାହାଙ୍କ ସେବାରେ ନିରତେ । ଅଛନ୍ତି ଯେ ଯାହାରମତେ ॥

ପରମ ପ୍ରିୟଭାବ ଧରି । ଏହି ସ୍ତବରେ ସ୍ତୁତି କରି ॥

ଭଦ୍ରଶ୍ରବାଗଣ ଉବାଚ

ନମଇଁ ଧର୍ମ-ଅବତାର । ଆତ୍ମା-ଶୋଧନ ପ୍ରାଣୀଙ୍କର ॥

ତୁମ୍ଭର ଲୀଳା ଚମତ୍କାର । ବୁଦ୍ଧି-ଜ୍ଞାନର ଅଗୋଚର ॥ ୧୦

ଶରୀରମାତ୍ରେ ଯେ ଅଛଇ । ତଥାପି ପ୍ରାଣୀ ନ ଜାଣଇ ॥ ୧୧

ଯାର ମାୟାରେ ମୋହି ହୋଇ । ମୃତ୍ୟୁକୁ ଦେଖି ନ ଦେଖଇ ॥ ୧୨

ଜୀବ ଯେ ମୃତ୍ୟୁର ଅଧୀନ । ନ ଭାବେ ଏହା କଦାଚନ ॥ ୧୩

ଦେଖଇ ଜୀବ ଅନୁକ୍ଷଣେ । ମରନ୍ତି ଆତ୍ମୀୟସ୍ୱଜନେ ॥ ୧୪

ତାହାଙ୍କ ଦେହ ଅବିରତେ । ଭସ୍ମ ହେଉଛି ନିତ୍ୟେନିତ୍ୟେ ॥ ୧୫

ଆପଣେ ମଣି ଚିରଞ୍ଜୀବ । ପାପଆଚରେ ମୂଢ଼ଜୀବ ॥ ୧୬

ମିଥ୍ୟାସଂସାର ମୂର୍ଖଜନେ । ସତ୍ୟ କରନ୍ତି ଅନୁକ୍ଷଣେ ॥ ୧୭

ଜ୍ଞାନୀମାନେ ଏ ସଂସାରର । କହନ୍ତି ବିଶ୍ୱକୁ ନଶ୍ୱର ॥ ୧୮

ତଥାପି ଯାହାର ମାୟାରେ । ପଣ୍ତିତେ ଭ୍ରମନ୍ତି ସଂସାରେ ॥ ୧୯

ଆତ୍ମତ‌ତ୍ତ୍ୱଜ୍ଞ ଯୋଗୀମାନ । ସମାଧି ଯୋଗରେ ପ୍ରମାଣ ॥ ୨୦

ସର୍ବଦା ପ୍ରତ୍ୟକ୍ଷ କରନ୍ତି । ତେବେହେଁ ମାୟାରେ ବୁଡ଼ନ୍ତି ॥ ୨୧

ସେ ଅଜ ବ୍ରହ୍ମାଣ୍ତଠାକୁର । ତାହାଙ୍କୁ କରୁ ନମସ୍କାର ॥ ୨୨

ସକଳ-ଆବରଣ ହୋଇ । ଯାହାର ଆବରଣ ନାହିଁ ॥ ୨୩

ଏ କଥା ଉଚିତ ତୋହର । କାର୍ଯ୍ୟ କାରଣ ତୁ ଠାକୁର ॥ ୨୪

ନାନା ଶରୀରବନ୍ତ ହୋଇ । ସର୍ବ ଭୋଗକୁ ଭୁଞ୍ଜୁ ତୁହି ॥ ୨୫

ତୁ ନାଥ ସକଳ ଈଶ୍ୱର । ତୋତେ ଆମ୍ଭର ନମସ୍କାର ॥ ୨୬

ଜ୍ଞାନ-ବିଜ୍ଞାନ-ଯୁକ୍ତି ବଳେ । ତୁମ୍ଭର ଚରଣ ନ ମିଳେ ॥ ୨୭

ବେଦେ ତୁ ବିଶ୍ୱର ବିଧାତା । ସୃଷ୍ଟି ସ୍ଥିତି ପ୍ରଳୟକର୍ତ୍ତା ॥ ୨୮

ଯେବେ ପ୍ରଚଣ୍ତ ଦୈତ୍ୟଗଣ । ବେଦକୁ କଲେ ଅପମାନ ॥ ୨୯

ପ୍ରଳୟ-ଅବସାନେ ତୁହି । ହୟଗ୍ରୀବମୂର୍ତ୍ତିକି ବହି ॥ ୩୦

ରସାତଳରୁ ଉଦ୍ଧରିଲୁ । ବ୍ରହ୍ମା ମାଗନ୍ତେ ତାକୁ ଦେଲୁ ॥ ୩୧

ତୁ ସତ୍ୟସଙ୍କଳ୍ପଠାକୁର । ନମଇଁ ତୁମ୍ଭର ପୟର ॥ ୩୨

ଏମନ୍ତେ ନାନା ସ୍ତୁତିମତେ । ସେବନ୍ତି ତାଙ୍କ ପାଦଗତେ ॥ ୩୩

ନୃସିଂହ ନାମେ ଯେ ଠାକୁର । ଅଛନ୍ତି ହରିବରଷର ॥ ୩୪

ତାହାଙ୍କ ରୂପର କାରଣ । ପଛେ କହିବା ହେ ରାଜନ ॥ ୩୫

ପରମଭାଗବତଜନ । ମହାପୁରୁଷ ହେ ରାଜନ ॥ ୩୬

ଦୈତ୍ୟଦାନବ-କୁଳମଣି । ସୁଶୀଳ ସାଧୁ ସତ୍ୟବାଣୀ ॥ ୩୭

ପ୍ରହ୍ଲାଦ ନାମ ସେ ବହଇ । ପ୍ରଭୁଙ୍କ ଅତି ପ୍ରିୟ ସେହି ॥ ୩୮

ଇନ୍ଦ୍ରିୟଗୁଣ ସେ ନିବାରି । ଚଞ୍ଚଳମନ ସ୍ଥିର କରି ॥ ୩୯

ସେ ସ୍ଥଳଲୋକଙ୍କ ସହିତେ । ପ୍ରଭୁଙ୍କୁ ଚିନ୍ତେ ଅବିରତେ ॥ ୪୦

ଏହି ସ୍ତବରେ ସ୍ତୁତି କରି । ସେବଇ ପ୍ରଭୁ ନରହରି ॥ ୪୧

ତୁ ପ୍ରଭୁ ଜଗତ କାରଣ । ନୃସିଂହ ରୂପୀ ଭଗବାନ ॥ ୪୨

ତୁ ଯେ ଜଗତଜୀବ ହରି । ତୁ ଅଛୁ ସର୍ବଘଟେ ପୂରି ॥ ୪୩

ତେଜଙ୍କ ତେଜରୂପେ ତୁହି । ଅଛୁ ଯେ ପ୍ରକଟିତ ହୋଇ ॥ ୪୪

ହେ ବଜ୍ରଦଂଷ୍ଟ୍ର ବଜ୍ରନଖ । ତୁମ୍ଭ ଚରଣେ ମୋତେ ରଖ ॥ ୪୫

କର୍ମ ବାସନା ଦଗ୍‌ଧ କର । ଅଜ୍ଞାନତମ ବେଗେ ହର ॥ ୪୬

ଭୋ ନାଥ ଜୀବର ଜୀବନ । ବିଶ୍ୱକୁ କର ତୁ କଲ୍ୟାଣ ॥ ୪୭

ନମସ୍ତେ ପ୍ରଭୁ ଦଇତ୍ୟାରି । ଯାହାର ତେଜେ ଦିଗ ପୂରି ॥ ୪୮

ନଖଙ୍କ ତେଜ ପରକାଶ । ରବିକିରଣ କରେ ନାଶ ॥ ୪୯

କରାଳଦଂଷ୍ଟ୍ର ସେ ବଦନ । ଅଗ୍ନିର ପ୍ରାୟ ସେ ଲୋଚନ ॥ ୫୦

ଯାହାର ନାମେ ଦୁଷ୍ଟ ଡରେ । ନମଇଁ ତାହାର ପୟରେ ॥ ୫୧

ଭୋନାଥ ତୋହର ପ୍ରସାଦେ । ପ୍ରାଣୀ ତରନ୍ତି ଅପ୍ରମାଦେ ॥ ୫୨

ତୋହର ଅଭୟ-ଚରଣେ । ମନ ମୋ ରହୁ ଅନୁକ୍ଷଣେ ॥ ୫୩

ଦାରା ତନୟ ଗୃହେ ମୋର । ଏ ମନ ନୋହୁ ଭୋ ଈଶ୍ୱର ॥ ୫୪

ତୁମ୍ଭର ଭକ୍ତଜନସଙ୍ଗେ । ସୁଖେ ବଞ୍ଚିବି ନାନାରଙ୍ଗେ ॥ ୫୫

ଆତ୍ମାର ପ୍ରିୟ ଯେ ଅପରେ । ନାହିଁ ଏ ଅଖିଳ-ସଂସାରେ ॥ ୫୬

ସକଳ ଆତ୍ମାର ଠାକୁର । ଏଣୁ ତୁ ପ୍ରିୟ ପ୍ରାଣୀଙ୍କର ॥ ୫୭

ଯେ ଜନ ଚରଣେ ତୋହର । ସର୍ବସ୍ୱ ଦେଇ ରହେ ସ୍ଥିର ॥ ୫୮

ତାହାଙ୍କ ଅନ୍ତରର ମଳ । ଭୋଦେବ କରୁ ତୁ ନିର୍ମଳ ॥ ୫୯

ତୋହର ନାମ ସୁମରଣ । ଅଶେଷ ପାପର ଖଣ୍ତନ ॥ ୬୦

ଏମନ୍ତ ଯାହାର ପ୍ରଭାବ । ତାହାଙ୍କୁ କେବା ନ ସେଦିବ ॥ ୬୧

ତୋହର ତହିଁ ଭକ୍ତି ଯାର । ପୂଜ୍ୟ ସେ ଦେବମାନଙ୍କର ॥ ୬୨

ସକଳ ଗୁଣ ତାଙ୍କ ଠାରେ । ଆଶ୍ରୟ କରନ୍ତି ନିର୍ଭରେ ॥ ୬୩

ତୋର ଅଭକ୍ତ ଯେଉଁ ଜନ । ସଂସାରେ ବନ୍ଧନ କାରଣ ॥ ୬୪

ଯେହ୍ନେ ସକଳ ମୀନଗଣ । ଜଳରେ କରନ୍ତି ଭ୍ରମଣ ॥ ୬୫

ତେସନେ ଯେତେ ଦେହୀଗଣ । ତୋ ମଧ୍ୟେ କରେ ବିଚରଣ ॥ ୬୬

ଏହା ଜାଣିଣ ଯେହୁ ନର । ଭଜଇ ନୃସିଂହ ପୟର ॥ ୬୭

ଅଶେଷ ଭୟରୁ ତରଇ । କର୍ମବନ୍ଧନ ତାର କାହିଁ ॥ ୬୮

ଶୁଣ ରାଜନ ମନତୋଷେ । କେତୁମାଳ ନାମେ ବରଷେ ॥ ୬୯

ଅଖିଳ-ବ୍ରହ୍ମାଣ୍ତ-କାରଣ । କାମଦେବରୂପ ଧରିଣ ॥ ୭୦

ଲକ୍ଷ୍ମୀର ସନ୍ତୋଷ କାରଣେ । ବିହାର କରନ୍ତି ଆପଣେ ॥ ୭୧

ସେ ସ୍ଥଳଲୋକ ପୁଣ୍ୟଫଳେ । ନାନା-ବିହାର ସୁଖଭୋଳେ ॥ ୭୨

ଅତି ଲଳିତ ଗତି ତାର । ବିଳାସ ନାନା ମନୋହର ॥ ୭୩

ରୁଚିର ହାସ ଲୀଳାମାନ । କଟାକ୍ଷେ ଯେ ଅବଲୋକନ ॥ ୭୪

ବିକଚ-ବଦନାରବିନ୍ଦ । ନିନ୍ଦଇ ପୂର୍ଣ୍ଣମୀର ଚାନ୍ଦ ॥ ୭୫

ଲଳିତ ହାସ ସୁଖଭୋଳେ । ଲକ୍ଷ୍ମୀ ସଙ୍ଗତେ କୁତୂହଳେ ॥ ୭୬

କ୍ରୀଡା କରନ୍ତି ସୁଖମନେ । ଇନ୍ଦ୍ରିୟଭୋଗ ଅନୁମାନେ ॥ ୭୭

ପ୍ରଜାପତି-ଦୁହିତା ସଙ୍ଗେ । ତହିଁରେ ଲକ୍ଷ୍ମୀଦେବୀ ରଙ୍ଗେ ॥ ୭୮

ପରମ-ସମାଧି-ଯୋଗରେ । ସ୍ତୁତି କରନ୍ତି ବିଷ୍ଣୁଠାରେ ॥ ୭୯

ନମସ୍ତେ ପ୍ରଭୁ ହୃଷୀକେଶ । ସକଳ ଗୁଣେ ତୁ ପ୍ରକାଶ ॥ ୮୦

ଷୋଡଶ-କଳାବନ୍ତ ତୁହି । ବେଦ ତୋହର ନିଜ ଦେହୀ ॥ ୮୧

ସକଳଆତ୍ମା ତୁ ଈଶ୍ୱର । ଅମୃତମୟ ତୋ ଶରୀର ॥ ୮୨

ତୁମ୍ଭେ ପରମ-ମନୋହର । ତୁ ନାଥ ଶୁଭଙ୍କ ଈଶ୍ୱର ॥ ୮୩

ଅତି ସୁଶୀଳ ଶନ୍ତ ତୁହି । ତୋ ତହୁଁ ଆନ କେହି ନାହିଁ ॥ ୮୪

ଭୋ ନାଥ ତୋ ପାଦକମଳ । ସେବି ଲଭନ୍ତି ପୁଣ୍ୟଫଳ ॥ ୮୫

ତୋହର ଭକ୍ତ ଯେ ହୁଅଇ । ତାଙ୍କୁ ସଙ୍କଟୁ ତାରୁ ତୁହି ॥ ୮୬

ତୋ ପାଦ-ସରୋରୁହ ଦୁଇ । ନିରତେ ଯେମନ୍ତେ ସେବଇ ॥ ୮୭

ଏମନ୍ତ ଆଜ୍ଞା ମୋତେ କର । ଭୋ ନାଥ କରୁଣାସାଗର ॥ ୮୮

ଯେ ତୋତେ ମନେ ଆରାଧଇ । ତାହାର ମନୋରଥ ତୁହି ॥ ୮୯

ତୋହର ପରସନ୍ନୁ ତାର । ସକଳ ହୁଅଇ ସୁଫଳ ॥ ୯୦

ତେଣୁ ତୁ ତ୍ରୈଲୋକ୍ୟଈଶ୍ୱର । ଦ୍ୱିତୀୟ ନାହିଁ ପଟାନ୍ତର ॥ ୯୧

ଭୋ ନାଥ ତୁମ୍ଭେ ନାନାଦେହ । ସାଧୁଙ୍କ ନିସ୍ତାରଣେ ବହ ॥ ୯୨

ତୁମ୍ଭର ଚେଷ୍ଟା ଏ ସଂସାରେ । ବ୍ରହ୍ମାଦି କେବା ଜାଣିପାରେ ॥ ୯୩

ରମ୍ୟକବରଷ ଚରିତ । ଶୁଣ ରାଜନ ପରୀକ୍ଷିତ ॥ ୯୪

ପ୍ରଭୁର ମତ୍ସ୍ୟ-ଅବତାର । ଦେବମାନବେ ଅଗୋଚର ॥ ୯୫

ଅତି ସୁନ୍ଦର ରୂପରାଶି । ମନୁର ବଂଶ ତହିଁ ବସି ॥ ୯୬

ସେ ରୂପ ଆରାଧନା ପାଇଁ । ଏମନ୍ତ ସ୍ତୁତି ଯେ କରଇ ॥ ୯୭

ନମସ୍ତେ ପରମ ଈଶ୍ୱର । ଯାହାର ଯଶ ଅଗୋଚର ॥ ୯୮

ବିସ୍ତାର-ମତ୍ସ୍ୟ ତୋ ଶରୀର । ତୁ ପ୍ରଭୁ ସର୍ବପ୍ରାଣୀଙ୍କର ॥ ୯୯

ଥାଉ ଯେ ଅନ୍ତର-ବାହାରେ । ତୋ ମାୟା କେବା ଜାଣିପାରେ ॥ ୧୦୦

ତୋହର ମାୟା-ମୀନ-ଦେହୀ । ଦେବମାନବେ ଦେଖା ନାହିଁ ॥ ୧୦୧

ସଂସାର-ସାଗରେ ତୋ ଜନ୍ମ । ମାୟାତରଙ୍ଗ ଯହିଁ ଭ୍ରମ ॥ ୧୦୨

ପରମ ମହାବଳୀ ହେଉ । ସଂସାରେ ନାନା ଦେହ ବହୁ ॥ ୧୦୩

ତୁ ସର୍ବ ଜଗତଠାକୁର । ତୋ ପାଦେ ମୋର ନମସ୍କାର ॥ ୧୦୪

ହିରଣୟବରଷ ବାଣୀ । ରାଜନ ଶୁଣ ପରିମାଣି ॥ ୧୦୫

ଅଖିଳ-ବ୍ରହ୍ମାଣ୍ତ-ଠାକୁର । ଧରିଣ କୂର୍ମର ଶରୀର ॥ ୧୦୬

ଅର୍ଯ୍ୟାମା ତୁଲେ ପିତୃଗଣେ । ଯେତେ ଅଛନ୍ତି ସେହିସ୍ଥାନେ ॥ ୧୦୭

ତାହାଙ୍କୁ ଘେନି ପିତୃପତି । ପ୍ରଭୁଙ୍କୁ ଆନନ୍ଦେ ସେବନ୍ତି ॥ ୧୦୮

ଏମନ୍ତେ ନାନା ସ୍ତୁତିମତେ । ସେବନ୍ତି ପ୍ରଭୁ-ପାଦଗତେ ॥ ୧୦୯

ନମଇଁ ସର୍ବ -ସ‌ତ୍ତ୍ୱଗୁଣ । ଲକ୍ଷି ନୋହଇ ଯାର ସ୍ଥାନ ॥ ୧୧୦

ନମସ୍ତେ ପ୍ରଭୁ କୂର୍ମଦେହୀ । ତୋ ପଦେ ରଖ ହେ ଗୋସାଇଁ ॥ ୧୧୧

ତୋର ଅଶେଷ ନାମ ଗୁଣ । ନମଇଁ ପ୍ରଭୁ ଭଗବାନ ॥ ୧୧୨

ନିଜ ମାୟାରେ ଦେହଧରି । ଅଶେଷ ଦେହକୁ ଆବୋରି ॥ ୧୧୩

ନାନା-ଜନ୍ମ ଏ ପ୍ରସିଦ୍ଧି । ତୋ ପଦ୍ମପାଦେ ମୋର ବୁଦ୍ଧି ॥ ୧୧୪

ଭୋ ଦେବ ତୁହି ଜରାୟୁଜ । ତୁହି ତ ଅଣ୍ତଜ ସ୍ୱେଦଜ ॥ ୧୧୫

ତୁହିତ ପ୍ରଭୁ ଭଗବାନ । ଉଦ୍ଭିଦ ସ୍ଥାବର ଜଙ୍ଗମ ॥ ୧୧୬

ଦେବତା ଋଷି ପିତୃଭୂତ । ଇନ୍ଦ୍ରିୟ ଆଦି ଯେ ସମସ୍ତ ॥ ୧୧୭

ଆକାଶ ଗ୍ରହ ମହୀସ୍ଥଳ । ଗିରି କାନନ ନାନାଜଳ ॥ ୧୧୮

ଦିଗ ବରଷ ଯେ ସାଗର । ଏ ସର୍ବ ନାମଟି ତୋହର ॥ ୧୧୯

ବ୍ରହ୍ମାଣ୍ତେ ଯେତେକ ଅଛନ୍ତି । କବିଏ ଯେତେ ବିଚାରନ୍ତି ॥ ୧୨୦

ସେ ସର୍ବରୂପ ତୁ ଠାକୁର । ନମଇଁ ତୋହର ପୟର ॥ ୧୨୧

ଉତ୍ତରକୁରୁବରଷର । ବରାହ ରୂପୀ ମହୀଧର ॥ ୧୨୨

କୂର୍ମର ଅନ୍ତେ ତହିଁ ମହୀ । ଆନନ୍ଦେ ସ୍ତୁତି ସେ କରଇ ॥ ୧୨୩

ନମଇଁ ଅନାଦି ଅବ୍ୟୟ । ସକଳ ଯଜ୍ଞ ତୋର ଦେହ ॥ ୧୨୪

ତ୍ରିଯୁଗ ନାମରୂପଧର । ନମଇଁ ତୋହର ପୟର ॥ ୧୨୫

ନିବୃତ୍ତତୃଷ୍ଣ ଜ୍ଞାନୀଜନ । ମାୟାଟି ଯା ନାମେ ଖଣ୍ତନ ॥ ୧୨୬

ସୃଷ୍ଟି ଉଦୟ ସ୍ଥିତି ଲୟ । ତ୍ରିଗୁଣ ଘେନି ବହେ ଦେହ ॥ ୧୨୭

ସେ ତୋର ମାୟାରେ ଭ୍ରମନ୍ତି । ତୋ ମାୟା କେହି ନ ଜାଣନ୍ତି ॥ ୧୨୮

ସର୍ବ କର୍ମର ତୁ ଈଶ୍ୱର । ଭୋ ନାଥ ତୋତେ ନମସ୍କାର ॥ ୧୨୯

ସଂଗ୍ରାମେ ନାଶୁ ଦୁଷ୍ଟଗଣ । ମାୟା-ଶୂକର ରୂପେ ଜନ୍ମ ॥ ୧୩୦

ଅଗ୍ର ଦନ୍ତରେ ମୋର ପ୍ରାଣ । ଉଦ୍ଧାର କଲୁ ନାରାୟଣ ॥ ୧୩୧

ତୁମ୍ଭର ପାଦପଦ୍ମ-ଦୁଇ । ଆନନ୍ଦେ ମୁହିଁ ଯେ ନମଇଁ ॥ ୧୩୨

ବରାହ-ଧରଣୀର ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୩୩

ସୁଜନଜନଙ୍କ ପୟରେ । ମୋ ମନ ରହୁ ନିରନ୍ତରେ ॥ ୧୩୪

କହଇ ବିପ୍ର ଜଗନ୍ନାଥ । ଶ୍ରୀକୃଷ୍ଣ-ଚରିତ-ଅମୃତ ॥ ୧୩୫

ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ପଞ୍ଚମସ୍କନ୍ଧେ ଭୁବନକୋଷ ବର୍ଣ୍ଣ‌ନଂ

ନାମ ଅଷ୍ଟାଦଶୋଽଧ୍ୟାୟଃ

* * *