ପଞ୍ଚମ ସ୍କନ୍ଧ
ଅଷ୍ଟାଦଶ ଅଧ୍ୟାୟ
ଶୁକ ଉବାଚ
ଭଦ୍ରାଶ୍ୱ ବରଷ ବିଧାନ । ରାଜନ ଶୁଣ ସାବଧାନ ॥ ୧
ଭଦ୍ରଶ୍ରବା ନାମ ତାଙ୍କର । ସାକ୍ଷାତେ ଧର୍ମର କୁମର ॥ ୨
ତାହାର କୁଳେ ହୋଇ ଜାତ । ଯେତେକ ପୁରୁଷ ବିଦିତ ॥ ୩
ଅଖିଳ-ବ୍ରହ୍ମାଣ୍ତ-କାରଣ । ଅନନ୍ତ ପ୍ରଭୁ ନାରାୟଣ ॥ ୪
ତାହାଙ୍କ ସନ୍ତୋଷ କାରଣେ । ପରମ ସମାଧି ବିଧାନେ ॥ ୫
ପ୍ରଭୁ ଯେ ଧର୍ମରୂତ ବହି । ଅଛନ୍ତି ପ୍ରାଣୀହିତ ପାଇଁ ॥ ୬
ତାହାଙ୍କ ସେବାରେ ନିରତେ । ଅଛନ୍ତି ଯେ ଯାହାରମତେ ॥ ୭
ପରମ ପ୍ରିୟଭାବ ଧରି । ଏହି ସ୍ତବରେ ସ୍ତୁତି କରି ॥ ୮
ଭଦ୍ରଶ୍ରବାଗଣ ଉବାଚ
ନମଇଁ ଧର୍ମ-ଅବତାର । ଆତ୍ମା-ଶୋଧନ ପ୍ରାଣୀଙ୍କର ॥ ୯
ତୁମ୍ଭର ଲୀଳା ଚମତ୍କାର । ବୁଦ୍ଧି-ଜ୍ଞାନର ଅଗୋଚର ॥ ୧୦
ଶରୀରମାତ୍ରେ ଯେ ଅଛଇ । ତଥାପି ପ୍ରାଣୀ ନ ଜାଣଇ ॥ ୧୧
ଯାର ମାୟାରେ ମୋହି ହୋଇ । ମୃତ୍ୟୁକୁ ଦେଖି ନ ଦେଖଇ ॥ ୧୨
ଜୀବ ଯେ ମୃତ୍ୟୁର ଅଧୀନ । ନ ଭାବେ ଏହା କଦାଚନ ॥ ୧୩
ଦେଖଇ ଜୀବ ଅନୁକ୍ଷଣେ । ମରନ୍ତି ଆତ୍ମୀୟସ୍ୱଜନେ ॥ ୧୪
ତାହାଙ୍କ ଦେହ ଅବିରତେ । ଭସ୍ମ ହେଉଛି ନିତ୍ୟେନିତ୍ୟେ ॥ ୧୫
ଆପଣେ ମଣି ଚିରଞ୍ଜୀବ । ପାପଆଚରେ ମୂଢ଼ଜୀବ ॥ ୧୬
ମିଥ୍ୟାସଂସାର ମୂର୍ଖଜନେ । ସତ୍ୟ କରନ୍ତି ଅନୁକ୍ଷଣେ ॥ ୧୭
ଜ୍ଞାନୀମାନେ ଏ ସଂସାରର । କହନ୍ତି ବିଶ୍ୱକୁ ନଶ୍ୱର ॥ ୧୮
ତଥାପି ଯାହାର ମାୟାରେ । ପଣ୍ତିତେ ଭ୍ରମନ୍ତି ସଂସାରେ ॥ ୧୯
ଆତ୍ମତତ୍ତ୍ୱଜ୍ଞ ଯୋଗୀମାନ । ସମାଧି ଯୋଗରେ ପ୍ରମାଣ ॥ ୨୦
ସର୍ବଦା ପ୍ରତ୍ୟକ୍ଷ କରନ୍ତି । ତେବେହେଁ ମାୟାରେ ବୁଡ଼ନ୍ତି ॥ ୨୧
ସେ ଅଜ ବ୍ରହ୍ମାଣ୍ତଠାକୁର । ତାହାଙ୍କୁ କରୁ ନମସ୍କାର ॥ ୨୨
ସକଳ-ଆବରଣ ହୋଇ । ଯାହାର ଆବରଣ ନାହିଁ ॥ ୨୩
ଏ କଥା ଉଚିତ ତୋହର । କାର୍ଯ୍ୟ କାରଣ ତୁ ଠାକୁର ॥ ୨୪
ନାନା ଶରୀରବନ୍ତ ହୋଇ । ସର୍ବ ଭୋଗକୁ ଭୁଞ୍ଜୁ ତୁହି ॥ ୨୫
ତୁ ନାଥ ସକଳ ଈଶ୍ୱର । ତୋତେ ଆମ୍ଭର ନମସ୍କାର ॥ ୨୬
ଜ୍ଞାନ-ବିଜ୍ଞାନ-ଯୁକ୍ତି ବଳେ । ତୁମ୍ଭର ଚରଣ ନ ମିଳେ ॥ ୨୭
ବେଦେ ତୁ ବିଶ୍ୱର ବିଧାତା । ସୃଷ୍ଟି ସ୍ଥିତି ପ୍ରଳୟକର୍ତ୍ତା ॥ ୨୮
ଯେବେ ପ୍ରଚଣ୍ତ ଦୈତ୍ୟଗଣ । ବେଦକୁ କଲେ ଅପମାନ ॥ ୨୯
ପ୍ରଳୟ-ଅବସାନେ ତୁହି । ହୟଗ୍ରୀବମୂର୍ତ୍ତିକି ବହି ॥ ୩୦
ରସାତଳରୁ ଉଦ୍ଧରିଲୁ । ବ୍ରହ୍ମା ମାଗନ୍ତେ ତାକୁ ଦେଲୁ ॥ ୩୧
ତୁ ସତ୍ୟସଙ୍କଳ୍ପଠାକୁର । ନମଇଁ ତୁମ୍ଭର ପୟର ॥ ୩୨
ଏମନ୍ତେ ନାନା ସ୍ତୁତିମତେ । ସେବନ୍ତି ତାଙ୍କ ପାଦଗତେ ॥ ୩୩
ନୃସିଂହ ନାମେ ଯେ ଠାକୁର । ଅଛନ୍ତି ହରିବରଷର ॥ ୩୪
ତାହାଙ୍କ ରୂପର କାରଣ । ପଛେ କହିବା ହେ ରାଜନ ॥ ୩୫
ପରମଭାଗବତଜନ । ମହାପୁରୁଷ ହେ ରାଜନ ॥ ୩୬
ଦୈତ୍ୟଦାନବ-କୁଳମଣି । ସୁଶୀଳ ସାଧୁ ସତ୍ୟବାଣୀ ॥ ୩୭
ପ୍ରହ୍ଲାଦ ନାମ ସେ ବହଇ । ପ୍ରଭୁଙ୍କ ଅତି ପ୍ରିୟ ସେହି ॥ ୩୮
ଇନ୍ଦ୍ରିୟଗୁଣ ସେ ନିବାରି । ଚଞ୍ଚଳମନ ସ୍ଥିର କରି ॥ ୩୯
ସେ ସ୍ଥଳଲୋକଙ୍କ ସହିତେ । ପ୍ରଭୁଙ୍କୁ ଚିନ୍ତେ ଅବିରତେ ॥ ୪୦
ଏହି ସ୍ତବରେ ସ୍ତୁତି କରି । ସେବଇ ପ୍ରଭୁ ନରହରି ॥ ୪୧
ତୁ ପ୍ରଭୁ ଜଗତ କାରଣ । ନୃସିଂହ ରୂପୀ ଭଗବାନ ॥ ୪୨
ତୁ ଯେ ଜଗତଜୀବ ହରି । ତୁ ଅଛୁ ସର୍ବଘଟେ ପୂରି ॥ ୪୩
ତେଜଙ୍କ ତେଜରୂପେ ତୁହି । ଅଛୁ ଯେ ପ୍ରକଟିତ ହୋଇ ॥ ୪୪
ହେ ବଜ୍ରଦଂଷ୍ଟ୍ର ବଜ୍ରନଖ । ତୁମ୍ଭ ଚରଣେ ମୋତେ ରଖ ॥ ୪୫
କର୍ମ ବାସନା ଦଗ୍ଧ କର । ଅଜ୍ଞାନତମ ବେଗେ ହର ॥ ୪୬
ଭୋ ନାଥ ଜୀବର ଜୀବନ । ବିଶ୍ୱକୁ କର ତୁ କଲ୍ୟାଣ ॥ ୪୭
ନମସ୍ତେ ପ୍ରଭୁ ଦଇତ୍ୟାରି । ଯାହାର ତେଜେ ଦିଗ ପୂରି ॥ ୪୮
ନଖଙ୍କ ତେଜ ପରକାଶ । ରବିକିରଣ କରେ ନାଶ ॥ ୪୯
କରାଳଦଂଷ୍ଟ୍ର ସେ ବଦନ । ଅଗ୍ନିର ପ୍ରାୟ ସେ ଲୋଚନ ॥ ୫୦
ଯାହାର ନାମେ ଦୁଷ୍ଟ ଡରେ । ନମଇଁ ତାହାର ପୟରେ ॥ ୫୧
ଭୋନାଥ ତୋହର ପ୍ରସାଦେ । ପ୍ରାଣୀ ତରନ୍ତି ଅପ୍ରମାଦେ ॥ ୫୨
ତୋହର ଅଭୟ-ଚରଣେ । ମନ ମୋ ରହୁ ଅନୁକ୍ଷଣେ ॥ ୫୩
ଦାରା ତନୟ ଗୃହେ ମୋର । ଏ ମନ ନୋହୁ ଭୋ ଈଶ୍ୱର ॥ ୫୪
ତୁମ୍ଭର ଭକ୍ତଜନସଙ୍ଗେ । ସୁଖେ ବଞ୍ଚିବି ନାନାରଙ୍ଗେ ॥ ୫୫
ଆତ୍ମାର ପ୍ରିୟ ଯେ ଅପରେ । ନାହିଁ ଏ ଅଖିଳ-ସଂସାରେ ॥ ୫୬
ସକଳ ଆତ୍ମାର ଠାକୁର । ଏଣୁ ତୁ ପ୍ରିୟ ପ୍ରାଣୀଙ୍କର ॥ ୫୭
ଯେ ଜନ ଚରଣେ ତୋହର । ସର୍ବସ୍ୱ ଦେଇ ରହେ ସ୍ଥିର ॥ ୫୮
ତାହାଙ୍କ ଅନ୍ତରର ମଳ । ଭୋଦେବ କରୁ ତୁ ନିର୍ମଳ ॥ ୫୯
ତୋହର ନାମ ସୁମରଣ । ଅଶେଷ ପାପର ଖଣ୍ତନ ॥ ୬୦
ଏମନ୍ତ ଯାହାର ପ୍ରଭାବ । ତାହାଙ୍କୁ କେବା ନ ସେଦିବ ॥ ୬୧
ତୋହର ତହିଁ ଭକ୍ତି ଯାର । ପୂଜ୍ୟ ସେ ଦେବମାନଙ୍କର ॥ ୬୨
ସକଳ ଗୁଣ ତାଙ୍କ ଠାରେ । ଆଶ୍ରୟ କରନ୍ତି ନିର୍ଭରେ ॥ ୬୩
ତୋର ଅଭକ୍ତ ଯେଉଁ ଜନ । ସଂସାରେ ବନ୍ଧନ କାରଣ ॥ ୬୪
ଯେହ୍ନେ ସକଳ ମୀନଗଣ । ଜଳରେ କରନ୍ତି ଭ୍ରମଣ ॥ ୬୫
ତେସନେ ଯେତେ ଦେହୀଗଣ । ତୋ ମଧ୍ୟେ କରେ ବିଚରଣ ॥ ୬୬
ଏହା ଜାଣିଣ ଯେହୁ ନର । ଭଜଇ ନୃସିଂହ ପୟର ॥ ୬୭
ଅଶେଷ ଭୟରୁ ତରଇ । କର୍ମବନ୍ଧନ ତାର କାହିଁ ॥ ୬୮
ଶୁଣ ରାଜନ ମନତୋଷେ । କେତୁମାଳ ନାମେ ବରଷେ ॥ ୬୯
ଅଖିଳ-ବ୍ରହ୍ମାଣ୍ତ-କାରଣ । କାମଦେବରୂପ ଧରିଣ ॥ ୭୦
ଲକ୍ଷ୍ମୀର ସନ୍ତୋଷ କାରଣେ । ବିହାର କରନ୍ତି ଆପଣେ ॥ ୭୧
ସେ ସ୍ଥଳଲୋକ ପୁଣ୍ୟଫଳେ । ନାନା-ବିହାର ସୁଖଭୋଳେ ॥ ୭୨
ଅତି ଲଳିତ ଗତି ତାର । ବିଳାସ ନାନା ମନୋହର ॥ ୭୩
ରୁଚିର ହାସ ଲୀଳାମାନ । କଟାକ୍ଷେ ଯେ ଅବଲୋକନ ॥ ୭୪
ବିକଚ-ବଦନାରବିନ୍ଦ । ନିନ୍ଦଇ ପୂର୍ଣ୍ଣମୀର ଚାନ୍ଦ ॥ ୭୫
ଲଳିତ ହାସ ସୁଖଭୋଳେ । ଲକ୍ଷ୍ମୀ ସଙ୍ଗତେ କୁତୂହଳେ ॥ ୭୬
କ୍ରୀଡା କରନ୍ତି ସୁଖମନେ । ଇନ୍ଦ୍ରିୟଭୋଗ ଅନୁମାନେ ॥ ୭୭
ପ୍ରଜାପତି-ଦୁହିତା ସଙ୍ଗେ । ତହିଁରେ ଲକ୍ଷ୍ମୀଦେବୀ ରଙ୍ଗେ ॥ ୭୮
ପରମ-ସମାଧି-ଯୋଗରେ । ସ୍ତୁତି କରନ୍ତି ବିଷ୍ଣୁଠାରେ ॥ ୭୯
ନମସ୍ତେ ପ୍ରଭୁ ହୃଷୀକେଶ । ସକଳ ଗୁଣେ ତୁ ପ୍ରକାଶ ॥ ୮୦
ଷୋଡଶ-କଳାବନ୍ତ ତୁହି । ବେଦ ତୋହର ନିଜ ଦେହୀ ॥ ୮୧
ସକଳଆତ୍ମା ତୁ ଈଶ୍ୱର । ଅମୃତମୟ ତୋ ଶରୀର ॥ ୮୨
ତୁମ୍ଭେ ପରମ-ମନୋହର । ତୁ ନାଥ ଶୁଭଙ୍କ ଈଶ୍ୱର ॥ ୮୩
ଅତି ସୁଶୀଳ ଶନ୍ତ ତୁହି । ତୋ ତହୁଁ ଆନ କେହି ନାହିଁ ॥ ୮୪
ଭୋ ନାଥ ତୋ ପାଦକମଳ । ସେବି ଲଭନ୍ତି ପୁଣ୍ୟଫଳ ॥ ୮୫
ତୋହର ଭକ୍ତ ଯେ ହୁଅଇ । ତାଙ୍କୁ ସଙ୍କଟୁ ତାରୁ ତୁହି ॥ ୮୬
ତୋ ପାଦ-ସରୋରୁହ ଦୁଇ । ନିରତେ ଯେମନ୍ତେ ସେବଇ ॥ ୮୭
ଏମନ୍ତ ଆଜ୍ଞା ମୋତେ କର । ଭୋ ନାଥ କରୁଣାସାଗର ॥ ୮୮
ଯେ ତୋତେ ମନେ ଆରାଧଇ । ତାହାର ମନୋରଥ ତୁହି ॥ ୮୯
ତୋହର ପରସନ୍ନୁ ତାର । ସକଳ ହୁଅଇ ସୁଫଳ ॥ ୯୦
ତେଣୁ ତୁ ତ୍ରୈଲୋକ୍ୟଈଶ୍ୱର । ଦ୍ୱିତୀୟ ନାହିଁ ପଟାନ୍ତର ॥ ୯୧
ଭୋ ନାଥ ତୁମ୍ଭେ ନାନାଦେହ । ସାଧୁଙ୍କ ନିସ୍ତାରଣେ ବହ ॥ ୯୨
ତୁମ୍ଭର ଚେଷ୍ଟା ଏ ସଂସାରେ । ବ୍ରହ୍ମାଦି କେବା ଜାଣିପାରେ ॥ ୯୩
ରମ୍ୟକବରଷ ଚରିତ । ଶୁଣ ରାଜନ ପରୀକ୍ଷିତ ॥ ୯୪
ପ୍ରଭୁର ମତ୍ସ୍ୟ-ଅବତାର । ଦେବମାନବେ ଅଗୋଚର ॥ ୯୫
ଅତି ସୁନ୍ଦର ରୂପରାଶି । ମନୁର ବଂଶ ତହିଁ ବସି ॥ ୯୬
ସେ ରୂପ ଆରାଧନା ପାଇଁ । ଏମନ୍ତ ସ୍ତୁତି ଯେ କରଇ ॥ ୯୭
ନମସ୍ତେ ପରମ ଈଶ୍ୱର । ଯାହାର ଯଶ ଅଗୋଚର ॥ ୯୮
ବିସ୍ତାର-ମତ୍ସ୍ୟ ତୋ ଶରୀର । ତୁ ପ୍ରଭୁ ସର୍ବପ୍ରାଣୀଙ୍କର ॥ ୯୯
ଥାଉ ଯେ ଅନ୍ତର-ବାହାରେ । ତୋ ମାୟା କେବା ଜାଣିପାରେ ॥ ୧୦୦
ତୋହର ମାୟା-ମୀନ-ଦେହୀ । ଦେବମାନବେ ଦେଖା ନାହିଁ ॥ ୧୦୧
ସଂସାର-ସାଗରେ ତୋ ଜନ୍ମ । ମାୟାତରଙ୍ଗ ଯହିଁ ଭ୍ରମ ॥ ୧୦୨
ପରମ ମହାବଳୀ ହେଉ । ସଂସାରେ ନାନା ଦେହ ବହୁ ॥ ୧୦୩
ତୁ ସର୍ବ ଜଗତଠାକୁର । ତୋ ପାଦେ ମୋର ନମସ୍କାର ॥ ୧୦୪
ହିରଣୟବରଷ ବାଣୀ । ରାଜନ ଶୁଣ ପରିମାଣି ॥ ୧୦୫
ଅଖିଳ-ବ୍ରହ୍ମାଣ୍ତ-ଠାକୁର । ଧରିଣ କୂର୍ମର ଶରୀର ॥ ୧୦୬
ଅର୍ଯ୍ୟାମା ତୁଲେ ପିତୃଗଣେ । ଯେତେ ଅଛନ୍ତି ସେହିସ୍ଥାନେ ॥ ୧୦୭
ତାହାଙ୍କୁ ଘେନି ପିତୃପତି । ପ୍ରଭୁଙ୍କୁ ଆନନ୍ଦେ ସେବନ୍ତି ॥ ୧୦୮
ଏମନ୍ତେ ନାନା ସ୍ତୁତିମତେ । ସେବନ୍ତି ପ୍ରଭୁ-ପାଦଗତେ ॥ ୧୦୯
ନମଇଁ ସର୍ବ -ସତ୍ତ୍ୱଗୁଣ । ଲକ୍ଷି ନୋହଇ ଯାର ସ୍ଥାନ ॥ ୧୧୦
ନମସ୍ତେ ପ୍ରଭୁ କୂର୍ମଦେହୀ । ତୋ ପଦେ ରଖ ହେ ଗୋସାଇଁ ॥ ୧୧୧
ତୋର ଅଶେଷ ନାମ ଗୁଣ । ନମଇଁ ପ୍ରଭୁ ଭଗବାନ ॥ ୧୧୨
ନିଜ ମାୟାରେ ଦେହଧରି । ଅଶେଷ ଦେହକୁ ଆବୋରି ॥ ୧୧୩
ନାନା-ଜନ୍ମ ଏ ପ୍ରସିଦ୍ଧି । ତୋ ପଦ୍ମପାଦେ ମୋର ବୁଦ୍ଧି ॥ ୧୧୪
ଭୋ ଦେବ ତୁହି ଜରାୟୁଜ । ତୁହି ତ ଅଣ୍ତଜ ସ୍ୱେଦଜ ॥ ୧୧୫
ତୁହିତ ପ୍ରଭୁ ଭଗବାନ । ଉଦ୍ଭିଦ ସ୍ଥାବର ଜଙ୍ଗମ ॥ ୧୧୬
ଦେବତା ଋଷି ପିତୃଭୂତ । ଇନ୍ଦ୍ରିୟ ଆଦି ଯେ ସମସ୍ତ ॥ ୧୧୭
ଆକାଶ ଗ୍ରହ ମହୀସ୍ଥଳ । ଗିରି କାନନ ନାନାଜଳ ॥ ୧୧୮
ଦିଗ ବରଷ ଯେ ସାଗର । ଏ ସର୍ବ ନାମଟି ତୋହର ॥ ୧୧୯
ବ୍ରହ୍ମାଣ୍ତେ ଯେତେକ ଅଛନ୍ତି । କବିଏ ଯେତେ ବିଚାରନ୍ତି ॥ ୧୨୦
ସେ ସର୍ବରୂପ ତୁ ଠାକୁର । ନମଇଁ ତୋହର ପୟର ॥ ୧୨୧
ଉତ୍ତରକୁରୁବରଷର । ବରାହ ରୂପୀ ମହୀଧର ॥ ୧୨୨
କୂର୍ମର ଅନ୍ତେ ତହିଁ ମହୀ । ଆନନ୍ଦେ ସ୍ତୁତି ସେ କରଇ ॥ ୧୨୩
ନମଇଁ ଅନାଦି ଅବ୍ୟୟ । ସକଳ ଯଜ୍ଞ ତୋର ଦେହ ॥ ୧୨୪
ତ୍ରିଯୁଗ ନାମରୂପଧର । ନମଇଁ ତୋହର ପୟର ॥ ୧୨୫
ନିବୃତ୍ତତୃଷ୍ଣ ଜ୍ଞାନୀଜନ । ମାୟାଟି ଯା ନାମେ ଖଣ୍ତନ ॥ ୧୨୬
ସୃଷ୍ଟି ଉଦୟ ସ୍ଥିତି ଲୟ । ତ୍ରିଗୁଣ ଘେନି ବହେ ଦେହ ॥ ୧୨୭
ସେ ତୋର ମାୟାରେ ଭ୍ରମନ୍ତି । ତୋ ମାୟା କେହି ନ ଜାଣନ୍ତି ॥ ୧୨୮
ସର୍ବ କର୍ମର ତୁ ଈଶ୍ୱର । ଭୋ ନାଥ ତୋତେ ନମସ୍କାର ॥ ୧୨୯
ସଂଗ୍ରାମେ ନାଶୁ ଦୁଷ୍ଟଗଣ । ମାୟା-ଶୂକର ରୂପେ ଜନ୍ମ ॥ ୧୩୦
ଅଗ୍ର ଦନ୍ତରେ ମୋର ପ୍ରାଣ । ଉଦ୍ଧାର କଲୁ ନାରାୟଣ ॥ ୧୩୧
ତୁମ୍ଭର ପାଦପଦ୍ମ-ଦୁଇ । ଆନନ୍ଦେ ମୁହିଁ ଯେ ନମଇଁ ॥ ୧୩୨
ବରାହ-ଧରଣୀର ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୩୩
ସୁଜନଜନଙ୍କ ପୟରେ । ମୋ ମନ ରହୁ ନିରନ୍ତରେ ॥ ୧୩୪
କହଇ ବିପ୍ର ଜଗନ୍ନାଥ । ଶ୍ରୀକୃଷ୍ଣ-ଚରିତ-ଅମୃତ ॥ ୧୩୫
ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ପଞ୍ଚମସ୍କନ୍ଧେ ଭୁବନକୋଷ ବର୍ଣ୍ଣନଂ
ନାମ ଅଷ୍ଟାଦଶୋଽଧ୍ୟାୟଃ
* * *