ପଞ୍ଚମ ସ୍କନ୍ଧ
ସପ୍ତଦଶ ଅଧ୍ୟାୟ
ଶୁକ ଉବାଚ
ଶୁଣ ରାଜନ ପରୀକ୍ଷିତ । ସେ ଯଜ୍ଞପୁରୁଷ ଅଚ୍ୟୁତ ॥ ୧
ମାୟାବାମନ ଅବତାର । ତାହାଙ୍କ ବାମ ଯେ ପୟର ॥ ୨
ଯାହା କନିଷ୍ଟଅଙ୍ଗୁଳିରେ । ବ୍ରହ୍ମାଣ୍ତ ଭାଜିଲା ନିର୍ଭରେ ॥ ୩
ତହୁଁ ଅଦ୍ଭୁତ ଜଳଧାର । କି ଅବା ଦେବା ପଟାନ୍ତର ॥ ୪
ଦୁରିତ ନାଶଇ ସ୍ମରଣେ । ପ୍ରାଣୀ ତରନ୍ତି ସ୍ନାନପାନେ ॥ ୫
ତହୁଁ ଗଳିଣ ଅତିଖରେ । ପଡ଼ିଲା ତୁଙ୍ଗ-ପର୍ବତରେ ॥ ୬
ଧରାରେ ଅବତୀର୍ଣ୍ଣ ହୋଇ । ଜୀବଙ୍କ କଲ୍ୟାଣ ସାଧଇ ॥ ୭
ଧ୍ରୁବ ପରମଭାଗବତ । ଜାଣିଲେ ବିଷ୍ଣୁ ପଦାମୃତ ॥ ୮
ଭକ୍ତିଯୋଗରେ ବଶ ହୋଇ । ଆନନ୍ଦେ ରୋମ ପୁଲକାଇ ॥ ୯
ମାର୍ଜନ କରିବା ନିମନ୍ତେ । ଶିରରେ ଘେନିଲେ ତୁରିତେ ॥ ୧୦
ତେଣୁ ସପତମୁନିଗଣ । ପ୍ରଭାବ ଜାଣି ତତକ୍ଷଣ ॥ ୧୧
ସକଳଆତ୍ମା-ଭଗବାନେ । ତପ ସମାଧି ଯୋଗଧ୍ୟାନେ ॥ ୧୨
ମୋକ୍ଷ-କାରଣେ ସେ ଭଜନ୍ତି । ପ୍ରଭୁର ମହିମା ଗୁଣନ୍ତି ॥ ୧୩
ସେ ଜଳ ପାଇ ତୁଷ୍ଟ ହୋଇ । ଜଟାରେ ଥୋଇଲେ ସେ ନେଇ ॥ ୧୪
ସେ ଗଙ୍ଗା ସ୍ୱର୍ଗରୁ ଗମିଲା । ଚନ୍ଦ୍ରମଣ୍ତଳ ଆଚ୍ଛାଦିଲା ॥ ୧୫
ତାହାକୁ ଲକ୍ଷ୍ୟ କରି ଗଲା । ବ୍ରହ୍ମ ସଦନେ ସେ ପଡିଲା ॥ ୧୬
ତହୁଁ ସେ ଚାରିଧାରା ହୋଇ । ଚତୁର୍ଦ୍ଧାରୂପକୁ ବହଇ ॥ ୧୭
ଶୁଣ ପରୀକ୍ଷ ନୃପବର । ଏ ନାମ ଚାରିଟି ତାହାର ॥ ୧୮
ସୀତା ଅଳକନନ୍ଦା ଦୁଇ । ଚକ୍ଷୁ ଭଦ୍ରା ନାମକୁ ବହି ॥ ୧୯
ଚାରିଦିଗରେ ଏ ଭ୍ରମନ୍ତି । ସିନ୍ଧୁରେ ପ୍ରବେଶ ହୁଅନ୍ତି ॥ ୨୦
ବ୍ରହ୍ମସଦନୁ ସୀତା ଯାଇ । କେଶରାଚଳେ ସେ ପଡଇ ॥ ୨୧
ଅଧ-ଅଧରେ ଭ୍ରମିଯାଇ । ଗନ୍ଧମାର୍ଦ୍ଦନେ ସେ ପଡ଼ଇ ॥ ୨୨
ତାହାର ଶୃଙ୍ଗରେ ବିହରି । ଭଦ୍ରାଶ୍ୱବର୍ଷ ଶୁଦ୍ଧ କରି ॥ ୨୩
କ୍ଷାରସିନ୍ଧୁର ପୂର୍ବଭାଗେ । ପ୍ରବେଶ କରିଅଛି ବେଗେ ॥ ୨୪
ବ୍ରହ୍ମାସଦନୁ ଚକ୍ଷୁ ଯାଇ । ମାଲ୍ୟବନ୍ତଶିଖେ ପଡ଼ଇ ॥ ୨୫
କେତୁମାଳର ମଧ୍ୟ ଦେଇ । ପଶ୍ଚିମ-ସମୁଦ୍ରେ ମିଶଇ ॥ ୨୬
ମେରୁଶିଖରୁ ଭଦ୍ରା ଯାଇ । ଉତ୍ତରଦିଗେ ସେ ଭ୍ରମଇଁ ॥ ୨୭
ଉତ୍ତରକୁରୁ ବେଢି ଖରେ । ସମୁଦ୍ରେ ମିଶଇ ଉତ୍ତରେ ॥ ୨୮
ଅଳକନନ୍ଦା ନାମ ହୋଇ । ବହୁଗିରିରେ ସେ ଭ୍ରମଇ ॥ ୨୯
ସୁବର୍ଣ୍ଣଗିରି ହିମାଳୟ । ତାହାକୁ କରି ସେ ଆଶ୍ରୟ ॥ ୩୦
ଅତିପ୍ରଖର ବେଗବଶେ । ପଡ଼ଇ ଭାରତ ବରଷେ ॥ ୩୧
ତହୁଁ ଲବଣ-ସିନ୍ଧୁଜଳେ । ପ୍ରବେଶ ହୁଅଇ ନିଶ୍ଚଳେ ॥ ୩୨
ଅନ୍ୟ ଯେ ନଦନଦୀ ଯେତେ । ଶତସହସ୍ର ଯେଥାମତେ ॥ ୩୩
ନାନାଗିରିରୁ ଜାତ ହୋଇ । ସିନ୍ଧୁରେ ପ୍ରବେଶନ୍ତି ଯାଇ ॥ ୩୪
ଭାରତବରଷ ରାଜନ । ଏ କର୍ମକ୍ଷେତ୍ର ବୋଲି ଜାଣ ॥ ୩୫
ଅପରେ ଅଷ୍ଟ ଯେ ବରଷ । ସ୍ୱର୍ଗଲୋକଙ୍କର ଏ ବାସ ॥ ୩୬
ତହିଁ ପୁରୁଷଙ୍କ ଆୟୁଷ । ଦଶ ସହସ୍ର ଯେ ବରର୍ଷ ॥ ୩୭
ଦେବତା ତୁଲ୍ୟ ପରାକ୍ରମ । ନିତ୍ୟେ ସେ ଦିଶନ୍ତି ନବୀନ ॥ ୩୮
ପରମ ଆନନ୍ଦେ ସେ ନିତ୍ୟେ । ବିହାର ଯୁବତୀ ସଙ୍ଗତେ ॥ ୩୯
ସ୍ୱର୍ଗଭୋଗ ଶେଷଭାଗରେ । ଦେବେ ରହନ୍ତି ସେହି ପୁରେ ॥ ୪୦
ତହିଁରେ ଦେବଶ୍ରେଷ୍ଠମାନେ । ଆନନ୍ଦେ ହରଷିତମନେ ॥ ୪୧
ସୁରସୁନ୍ଦରୀ ବୃନ୍ଦମେଳେ । ବିହାର କରନ୍ତି ନିଶ୍ଚଳେ ॥ ୪୨
ଷଡ଼ଋତୁ ଏକସମୟେ । ଯହିଁ ଅଛନ୍ତି ଏକଠାଏ ॥ ୪୩
ନାନାକୁସୁମ ନାନାଫଳ । ସୁଗନ୍ଧ ସମୀର ଶୀତଳ ॥ ୪୪
ବିକଚ ନାନା ପୁଷ୍ପତ୍ତରେ । ଲତାଏ ବେଷ୍ଟିତ ଉପରେ ॥ ୪୫
ସଦନଆକାରେ ଆଚ୍ଛାଦି । ବୃକ୍ଷ ଲତାରେ ଛନ୍ଦାଛନ୍ଦି ॥ ୪୬
ଅତି ମଞ୍ଜୁଳ ମନୋରମ । ନିବିଡ଼ ଲତାର ସଦନ ॥ ୪୭
ପର୍ବତ-ଦ୍ରୋଣି ସୁଶୀତଳେ । ନିର୍ମଳ ନାନା ଶୀତଜଳେ ॥ ୪୮
ରୁଚିରପଙ୍କଜ ସୁନ୍ଦର । ସୁସଞ୍ଚ ଦିଶେ ସରୋବର ॥ ୪୯
ଜଳରେ ରାଜହଂସମାନେ । କ୍ରୀଡନ୍ତି ହରଷିତ ମନେ ॥ ୫୦
ଜଳ କୁକ୍କୁଯ ଜଳହଂସ । ଚକ୍ର କାରଣ୍ତବ ସାରସ ॥ ୫୧
ମଧୁରେ ନାନା ଧ୍ୱନି କରି । ଜଳେ ସେ କ୍ରୀଡନ୍ତି ବିହରି ॥ ୫୨
ଏମନ୍ତେ ନାନା ସୁଖସ୍ଥଳେ । ସୁରସୁନ୍ଦରୀବୃନ୍ଦ ମେଳେ ॥ ୫୩
ଅମରବୃନ୍ଦ ତୋଷଚିତ୍ତେ । ସର୍ବେ ରମନ୍ତି ଏକଚିତ୍ତେ ॥ ୫୪
ତପର ବଳେ ତାହାଙ୍କର । କରୁଣା କରନ୍ତି ଶ୍ରୀଧର ॥ ୫୫
ନବବରଷେ ହେ ରାଜନ । ସେ ଯେ ଅନାଦି ନାରାୟଣ ॥ ୫୬
ଲୋକର ନିସ୍ତାର କାରଣେ । ଅଛନ୍ତି ପ୍ରଭୁ ଅନୁକ୍ଷଣେ ॥ ୫୭
ଯେ ପୁଣ୍ୟ ଈଳାବୃତବର୍ଷ । ଭବ ଯେ ଏକଇ ପୁରୁଷ ॥ ୫୮
ଭବାନୀ-ଶାପ ଯୋଗୁଁ ତହିଁ । ଅନ୍ୟ ପୁରୁଷ ବାସ ନାହିଁ ॥ ୫୯
ନ ଜାଣି କେହି ତହିଁ ଗଲେ । ତକ୍ଷଣେ ସ୍ତ୍ରୀଭାବରେ ମିଳେ ॥ ୬୦
ତାହାଙ୍କ ଶାପର କାରଣ । ପଛେ କହିବା ହେ ରାଜନ ॥ ୬୧
ଭବାନୀ କୋଟିନାରୀ ମେଳେ । ଯାହାଙ୍କ ପଦରେ ଖଟିଲେ ॥ ୬୨
ସେ ମହାପୁରୁଷଙ୍କ ଶକ୍ତି । ଘେନନ୍ତି ଚତୁର୍ବିଧମୂର୍ତ୍ତି ॥ ୬୩
ଚତୁର୍ଥୀ ତାମସୀ ଯେ ଜାଣ । ଯାହାର ନାମ ସଙ୍କର୍ଷଣ ॥ ୬୪
ତହିଁ ସ୍ତୁବନ୍ତି ଶିବ ଧ୍ୟାନେ । ତାମସୀ-ମୂର୍ତ୍ତି ସଙ୍କର୍ଷଣେ ॥ ୬୫
ରୁଦ୍ର ଉବାଚ
ନମସ୍ତେ ପୁରାଣପୁରୁଷ । ଅଶେଷଗୁଣ ଯହିଁ ବାସ ॥ ୬୬
ଅବ୍ୟକ୍ତ ଅନନ୍ତ କାରଣ । ଭଜଇ ତୋହର ଚରଣ ॥ ୬୭
ବ୍ରହ୍ମା ଈଶ୍ୱର ପର ତୁହି । ପ୍ରକୃତି ଥାଇ ତୋର ତହିଁ ॥ ୬୮
ଭୂତଭାବନ ତୋର ନାମ । ତୋ ନାମେ ଏ ଭବଖଣ୍ତନ ॥ ୬୯
ଯାହାର ନାମ ଗୁଣ କର୍ମ । ମନ-ବଚନେ ନୋହେ ଗମ୍ୟ ॥ ୭୦
ତୋ ତମ-ମାୟା-ଗୁଣେ ଛନ୍ଦି । ସଂସାର କରିଅଛୁ ବନ୍ଦୀ ॥ ୭୧
ମଧୁ-ଆସବେ ତାମ୍ରବର୍ଣ୍ଣ । ଶୋଭଇ ଯାହାର ଲୋଚନ ॥ ୭୨
ଦିଶଇ ଅତି ଭୟଙ୍କର । ନାଗବଧୂଙ୍କ ମନୋହର ॥ ୭୩
ଯାହାର ସଦୃଶ ଅପରେ । ନାହିଁ ଏ ବ୍ରହ୍ମାଣ୍ତ ଭିତରେ ॥ ୭୪
ଉତ୍ପତ୍ତି-ପ୍ରଳୟ-ପାଳନ । ଏ ସର୍ବ ଯାହାର ଭିଆଣ ॥ ୭୫
ଯାହାର ଆଦି-ଅନ୍ତ ନାହିଁ । ଅନନ୍ତ ନାମ ସେ ବୋଲାଇ ॥ ୭୬
ଯାର ଅସଂଖ୍ୟଶିରେ ମହୀ । ସର୍ଷପପ୍ରାୟେ ବିରାଜଇ ॥ ୭୭
ଯାହାର ତହୁଁ ଜନ୍ମ ହୋଇ । ଅଜ ଏ ସଂସାର ସର୍ଜଇ ॥ ୭୮
ବ୍ରହ୍ମାଦି ଆମ୍ଭେ ଯେ ସକଳେ । ସେବିଛୁ ଯାର ପାଦତଳେ ॥ ୭୯
ରଜ୍ଜୁବନ୍ଧନ ପ୍ରାୟ ହୋଇ । ଯନ୍ତ୍ରିତ ହୋଇଅଛୁ ରହି ॥ ୮୦
ଅନୁଗ୍ରହରୁଟି ଯାହାର । ଭିଆଣ କରୁଁ ଏ ସଂସାର ॥ ୮୧
ତ୍ରିଗୁଣସଙ୍ଗତେ ବନ୍ଧନ । ଯାର ମାୟାରେ ପ୍ରାଣୀ ମନ ॥ ୮୨
ତ୍ରିଗୁଣବଶେ ମୋହି ହୋଇ । ଜନ୍ମର ତତ୍ତ୍ୱ ନ ଜାଣଇ ॥ ୮୩
ତେସନ ମାୟାକୁ ବିସ୍ତାରି । ଯେ ପ୍ରଭୁ ଜଗତେ ବିହରି ॥ ୮୪
ତାହାଙ୍କୁ ମୋର ନମସ୍କାର । ଯେ ପ୍ରଭୁ ଜଗତଠାକୁର ॥ ୮୫
ସୂଜନେ ଶୁଣ ଏହୁବାଣୀ । ପଞ୍ଚମସ୍କନ୍ଧେ ପରିମାଣି ॥ ୮୬
ସେ ପ୍ରଭୁ ଚରଣାରବିନ୍ଦେ । ମନ ନିବେଶି ଅପ୍ରମାଦେ ॥ ୮୭
କହଇ ବିପ୍ର ଜଗନ୍ନାଥ । ସୁଜନେ ଶୁଣ ଏକଚିତ୍ତ ॥ ୮୮
ମୁହିଁ ପାମର ଦୁରାଚାର । ଭୋ ନାଥ ମୋତେ କୃପାକର ॥ ୮୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ପଞ୍ଚମସ୍କନ୍ଧେ ସପ୍ତଦଶୋଽଧ୍ୟାୟଃ ॥
* * *