ପଞ୍ଚମ ସ୍କନ୍ଧ

ସପ୍ତଦଶ ଅଧ୍ୟାୟ

ଶୁକ ଉବାଚ

ଶୁଣ ରାଜନ ପରୀକ୍ଷିତ । ସେ ଯଜ୍ଞପୁରୁଷ ଅଚ୍ୟୁତ ॥

ମାୟାବାମନ ଅବତାର । ତାହାଙ୍କ ବାମ ଯେ ପୟର ॥

ଯାହା କନିଷ୍ଟଅଙ୍ଗୁଳିରେ । ବ୍ରହ୍ମାଣ୍ତ ଭାଜିଲା ନିର୍ଭରେ ॥

ତହୁଁ ଅଦ୍‌ଭୁତ ଜଳଧାର । କି ଅବା ଦେବା ପଟାନ୍ତର ॥

ଦୁରିତ ନାଶଇ ସ୍ମରଣେ । ପ୍ରାଣୀ ତରନ୍ତି ସ୍ନାନପାନେ ॥

ତହୁଁ ଗଳିଣ ଅତିଖରେ । ପଡ଼ିଲା ତୁଙ୍ଗ-ପର୍ବତରେ ॥

ଧରାରେ ଅବତୀର୍ଣ୍ଣ ହୋଇ । ଜୀବଙ୍କ କଲ୍ୟାଣ ସାଧଇ ॥

ଧ୍ରୁବ ପରମଭାଗବତ । ଜାଣିଲେ ବିଷ୍ଣୁ ପଦାମୃତ ॥

ଭକ୍ତିଯୋଗରେ ବଶ ହୋଇ । ଆନନ୍ଦେ ରୋମ ପୁଲକାଇ ॥

ମାର୍ଜନ କରିବା ନିମନ୍ତେ । ଶିରରେ ଘେନିଲେ ତୁରିତେ ॥ ୧୦

ତେଣୁ ସପତମୁନିଗଣ । ପ୍ରଭାବ ଜାଣି ତତକ୍ଷଣ ॥ ୧୧

ସକଳଆତ୍ମା-ଭଗବାନେ । ତପ ସମାଧି ଯୋଗଧ୍ୟାନେ ॥ ୧୨

ମୋକ୍ଷ-କାରଣେ ସେ ଭଜନ୍ତି । ପ୍ରଭୁର ମହିମା ଗୁଣନ୍ତି ॥ ୧୩

ସେ ଜଳ ପାଇ ତୁଷ୍ଟ ହୋଇ । ଜଟାରେ ଥୋଇଲେ ସେ ନେଇ ॥ ୧୪

ସେ ଗଙ୍ଗା ସ୍ୱର୍ଗରୁ ଗମିଲା । ଚନ୍ଦ୍ରମଣ୍ତଳ ଆଚ୍ଛାଦିଲା ॥ ୧୫

ତାହାକୁ ଲକ୍ଷ୍ୟ କରି ଗଲା । ବ୍ରହ୍ମ ସଦନେ ସେ ପଡିଲା ॥ ୧୬

ତହୁଁ ସେ ଚାରିଧାରା ହୋଇ । ଚତୁର୍ଦ୍ଧାରୂପକୁ ବହଇ ॥ ୧୭

ଶୁଣ ପରୀକ୍ଷ ନୃପବର । ଏ ନାମ ଚାରିଟି ତାହାର ॥ ୧୮

ସୀତା ଅଳକନନ୍ଦା ଦୁଇ । ଚକ୍ଷୁ ଭଦ୍ରା ନାମକୁ ବହି ॥ ୧୯

ଚାରିଦିଗରେ ଏ ଭ୍ରମନ୍ତି । ସିନ୍ଧୁରେ ପ୍ରବେଶ ହୁଅନ୍ତି ॥ ୨୦

ବ୍ରହ୍ମସଦନୁ ସୀତା ଯାଇ । କେଶରାଚଳେ ସେ ପଡଇ ॥ ୨୧

ଅଧ-ଅଧରେ ଭ୍ରମିଯାଇ । ଗନ୍ଧମାର୍ଦ୍ଦନେ ସେ ପଡ଼ଇ ॥ ୨୨

ତାହାର ଶୃଙ୍ଗରେ ବିହରି । ଭଦ୍ରାଶ୍ୱବର୍ଷ ଶୁଦ୍ଧ କରି ॥ ୨୩

କ୍ଷାରସିନ୍ଧୁର ପୂର୍ବଭାଗେ । ପ୍ରବେଶ କରିଅଛି ବେଗେ ॥ ୨୪

ବ୍ରହ୍ମାସଦନୁ ଚକ୍ଷୁ ଯାଇ । ମାଲ୍ୟବନ୍ତଶିଖେ ପଡ଼ଇ ॥ ୨୫

କେତୁମାଳର ମଧ୍ୟ ଦେଇ । ପଶ୍ଚିମ-ସମୁଦ୍ରେ ମିଶଇ ॥ ୨୬

ମେରୁଶିଖରୁ ଭଦ୍ରା ଯାଇ । ଉତ୍ତରଦିଗେ ସେ ଭ୍ରମଇଁ ॥ ୨୭

ଉତ୍ତରକୁରୁ ବେଢି ଖରେ । ସମୁଦ୍ରେ ମିଶଇ ଉତ୍ତରେ ॥ ୨୮

ଅଳକନନ୍ଦା ନାମ ହୋଇ । ବହୁଗିରିରେ ସେ ଭ୍ରମଇ ॥ ୨୯

ସୁବର୍ଣ୍ଣ‌ଗିରି ହିମାଳୟ । ତାହାକୁ କରି ସେ ଆଶ୍ରୟ ॥ ୩୦

ଅତିପ୍ରଖର ବେଗବଶେ । ପଡ଼ଇ ଭାରତ ବରଷେ ॥ ୩୧

ତହୁଁ ଲବଣ-ସିନ୍ଧୁଜଳେ । ପ୍ରବେଶ ହୁଅଇ ନିଶ୍ଚଳେ ॥ ୩୨

ଅନ୍ୟ ଯେ ନଦନଦୀ ଯେତେ । ଶତସହସ୍ର ଯେଥାମତେ ॥ ୩୩

ନାନାଗିରିରୁ ଜାତ ହୋଇ । ସିନ୍ଧୁରେ ପ୍ରବେଶନ୍ତି ଯାଇ ॥ ୩୪

ଭାରତବରଷ ରାଜନ । ଏ କର୍ମକ୍ଷେତ୍ର ବୋଲି ଜାଣ ॥ ୩୫

ଅପରେ ଅଷ୍ଟ ଯେ ବରଷ । ସ୍ୱର୍ଗଲୋକଙ୍କର ଏ ବାସ ॥ ୩୬

ତହିଁ ପୁରୁଷଙ୍କ ଆୟୁଷ । ଦଶ ସହସ୍ର ଯେ ବରର୍ଷ ॥ ୩୭

ଦେବତା ତୁଲ୍ୟ ପରାକ୍ରମ । ନିତ୍ୟେ ସେ ଦିଶନ୍ତି ନବୀନ ॥ ୩୮

ପରମ ଆନନ୍ଦେ ସେ ନିତ୍ୟେ । ବିହାର ଯୁବତୀ ସଙ୍ଗତେ ॥ ୩୯

ସ୍ୱର୍ଗଭୋଗ ଶେଷଭାଗରେ । ଦେବେ ରହନ୍ତି ସେହି ପୁରେ ॥ ୪୦

ତହିଁରେ ଦେବଶ୍ରେଷ୍ଠମାନେ । ଆନନ୍ଦେ ହରଷିତମନେ ॥ ୪୧

ସୁରସୁନ୍ଦରୀ ବୃନ୍ଦମେଳେ । ବିହାର କରନ୍ତି ନିଶ୍ଚଳେ ॥ ୪୨

ଷଡ଼ଋତୁ ଏକସମୟେ । ଯହିଁ ଅଛନ୍ତି ଏକଠାଏ ॥ ୪୩

ନାନାକୁସୁମ ନାନାଫଳ । ସୁଗନ୍ଧ ସମୀର ଶୀତଳ ॥ ୪୪

ବିକଚ ନାନା ପୁଷ୍ପତ୍ତରେ । ଲତାଏ ବେଷ୍ଟିତ ଉପରେ ॥ ୪୫

ସଦନଆକାରେ ଆଚ୍ଛାଦି । ବୃକ୍ଷ ଲତାରେ ଛନ୍ଦାଛନ୍ଦି ॥ ୪୬

ଅତି ମଞ୍ଜୁଳ ମନୋରମ । ନିବିଡ଼ ଲତାର ସଦନ ॥ ୪୭

ପର୍ବତ-ଦ୍ରୋଣି ସୁଶୀତଳେ । ନିର୍ମଳ ନାନା ଶୀତଜଳେ ॥ ୪୮

ରୁଚିରପଙ୍କଜ ସୁନ୍ଦର । ସୁସଞ୍ଚ ଦିଶେ ସରୋବର ॥ ୪୯

ଜଳରେ ରାଜହଂସମାନେ । କ୍ରୀଡନ୍ତି ହରଷିତ ମନେ ॥ ୫୦

ଜଳ କୁକ୍‌କୁଯ ଜଳହଂସ । ଚକ୍ର କାରଣ୍ତବ ସାରସ ॥ ୫୧

ମଧୁରେ ନାନା ଧ୍ୱନି କରି । ଜଳେ ସେ କ୍ରୀଡନ୍ତି ବିହରି ॥ ୫୨

ଏମନ୍ତେ ନାନା ସୁଖସ୍ଥଳେ । ସୁରସୁନ୍ଦରୀବୃନ୍ଦ ମେଳେ ॥ ୫୩

ଅମରବୃନ୍ଦ ତୋଷଚିତ୍ତେ । ସର୍ବେ ରମନ୍ତି ଏକଚିତ୍ତେ ॥ ୫୪

ତପର ବଳେ ତାହାଙ୍କର । କରୁଣା କରନ୍ତି ଶ୍ରୀଧର ॥ ୫୫

ନବବରଷେ ହେ ରାଜନ । ସେ ଯେ ଅନାଦି ନାରାୟଣ ॥ ୫୬

ଲୋକର ନିସ୍ତାର କାରଣେ । ଅଛନ୍ତି ପ୍ରଭୁ ଅନୁକ୍ଷଣେ ॥ ୫୭

ଯେ ପୁଣ୍ୟ ଈଳାବୃତବର୍ଷ । ଭବ ଯେ ଏକଇ ପୁରୁଷ ॥ ୫୮

ଭବାନୀ-ଶାପ ଯୋଗୁଁ ତହିଁ । ଅନ୍ୟ ପୁରୁଷ ବାସ ନାହିଁ ॥ ୫୯

ନ ଜାଣି କେହି ତହିଁ ଗଲେ । ତକ୍ଷଣେ ସ୍ତ୍ରୀଭାବରେ ମିଳେ ॥ ୬୦

ତାହାଙ୍କ ଶାପର କାରଣ । ପଛେ କହିବା ହେ ରାଜନ ॥ ୬୧

ଭବାନୀ କୋଟିନାରୀ ମେଳେ । ଯାହାଙ୍କ ପଦରେ ଖଟିଲେ ॥ ୬୨

ସେ ମହାପୁରୁଷଙ୍କ ଶକ୍ତି । ଘେନନ୍ତି ଚତୁର୍ବିଧମୂର୍ତ୍ତି ॥ ୬୩

ଚତୁର୍ଥୀ ତାମସୀ ଯେ ଜାଣ । ଯାହାର ନାମ ସଙ୍କର୍ଷଣ ॥ ୬୪

ତହିଁ ସ୍ତୁବନ୍ତି ଶିବ ଧ୍ୟାନେ । ତାମସୀ-ମୂର୍ତ୍ତି ସଙ୍କର୍ଷଣେ ॥ ୬୫

ରୁଦ୍ର ଉବାଚ

ନମସ୍ତେ ପୁରାଣପୁରୁଷ । ଅଶେଷଗୁଣ ଯହିଁ ବାସ ॥ ୬୬

ଅବ୍ୟକ୍ତ ଅନନ୍ତ କାରଣ । ଭଜଇ ତୋହର ଚରଣ ॥ ୬୭

ବ୍ରହ୍ମା ଈଶ୍ୱର ପର ତୁହି । ପ୍ରକୃତି ଥାଇ ତୋର ତହିଁ ॥ ୬୮

ଭୂତଭାବନ ତୋର ନାମ । ତୋ ନାମେ ଏ ଭବଖଣ୍ତନ ॥ ୬୯

ଯାହାର ନାମ ଗୁଣ କର୍ମ । ମନ-ବଚନେ ନୋହେ ଗମ୍ୟ ॥ ୭୦

ତୋ ତମ-ମାୟା-ଗୁଣେ ଛନ୍ଦି । ସଂସାର କରିଅଛୁ ବନ୍ଦୀ ॥ ୭୧

ମଧୁ-ଆସବେ ତାମ୍ରବର୍ଣ୍ଣ । ଶୋଭଇ ଯାହାର ଲୋଚନ ॥ ୭୨

ଦିଶଇ ଅତି ଭୟଙ୍କର । ନାଗବଧୂଙ୍କ ମନୋହର ॥ ୭୩

ଯାହାର ସଦୃଶ ଅପରେ । ନାହିଁ ଏ ବ୍ରହ୍ମାଣ୍ତ ଭିତରେ ॥ ୭୪

ଉତ୍ପତ୍ତି-ପ୍ରଳୟ-ପାଳନ । ଏ ସର୍ବ ଯାହାର ଭିଆଣ ॥ ୭୫

ଯାହାର ଆଦି-ଅନ୍ତ ନାହିଁ । ଅନନ୍ତ ନାମ ସେ ବୋଲାଇ ॥ ୭୬

ଯାର ଅସଂଖ୍ୟଶିରେ ମହୀ । ସର୍ଷପପ୍ରାୟେ ବିରାଜଇ ॥ ୭୭

ଯାହାର ତହୁଁ ଜନ୍ମ ହୋଇ । ଅଜ ଏ ସଂସାର ସର୍ଜଇ ॥ ୭୮

ବ୍ରହ୍ମାଦି ଆମ୍ଭେ ଯେ ସକଳେ । ସେବିଛୁ ଯାର ପାଦତଳେ ॥ ୭୯

ରଜ୍ଜୁବନ୍ଧନ ପ୍ରାୟ ହୋଇ । ଯନ୍ତ୍ରିତ ହୋଇଅଛୁ ରହି ॥ ୮୦

ଅନୁଗ୍ରହରୁଟି ଯାହାର । ଭିଆଣ କରୁଁ ଏ ସଂସାର ॥ ୮୧

ତ୍ରିଗୁଣସଙ୍ଗତେ ବନ୍ଧନ । ଯାର ମାୟାରେ ପ୍ରାଣୀ ମନ ॥ ୮୨

ତ୍ରିଗୁଣବଶେ ମୋହି ହୋଇ । ଜନ୍ମର ତ‌ତ୍ତ୍ୱ ନ ଜାଣଇ ॥ ୮୩

ତେସନ ମାୟାକୁ ବିସ୍ତାରି । ଯେ ପ୍ରଭୁ ଜଗତେ ବିହରି ॥ ୮୪

ତାହାଙ୍କୁ ମୋର ନମସ୍କାର । ଯେ ପ୍ରଭୁ ଜଗତଠାକୁର ॥ ୮୫

ସୂଜନେ ଶୁଣ ଏହୁବାଣୀ । ପଞ୍ଚମସ୍କନ୍ଧେ ପରିମାଣି ॥ ୮୬

ସେ ପ୍ରଭୁ ଚରଣାରବିନ୍ଦେ । ମନ ନିବେଶି ଅପ୍ରମାଦେ ॥ ୮୭

କହଇ ବିପ୍ର ଜଗନ୍ନାଥ । ସୁଜନେ ଶୁଣ ଏକଚିତ୍ତ ॥ ୮୮

ମୁହିଁ ପାମର ଦୁରାଚାର । ଭୋ ନାଥ ମୋତେ କୃପାକର ॥ ୮୯

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ପଞ୍ଚମସ୍କନ୍ଧେ ସପ୍ତଦଶୋଽଧ୍ୟାୟଃ ॥

* * *