ପଞ୍ଚମ ସ୍କନ୍ଧ

ଷୋଡ଼ଶ ଅଧ୍ୟାୟ

ରାଜନ ଉବାଚ

ଏ ଭୂମିମଣ୍ତଳ ବିସ୍ତାର । ତୁମ୍ଭେ କହିଲ ମୁନିବର ॥

ଯାବତ ସୂର୍ଯ୍ୟର ପ୍ରକାଶ । ନକ୍ଷତ୍ର ଚନ୍ଦ୍ରଙ୍କର ବାସ ॥

ପ୍ରିୟବ୍ରତ-ରଥଚରଣ । ଯାବତ କରିଛି ଭ୍ରମଣ ॥

ତହୁଁ ଯେ ଗର୍ତ୍ତ ଉପୁଜିଲା । ସପତସିନ୍ଧୁ ସେ ହୋଇଲା ॥

ଏହା କହିଲ ବିପରୀତ । ଅପରେ କି କି ଦ୍ୱୀପ ସାତ ॥

ଏହାର କେତେ ପରିମାଣ । ଅପରେ ଯେତେକ ଲକ୍ଷର ॥

ଏ ସର୍ବ କହ ମୁନିବର । ଶୁଣିତେ ଶରଧା ମୋହର ॥

ଅଖିଳ-ବ୍ରହ୍ମାଣ୍ତ-କାରଣ । ଅନନ୍ତ ଯାର ନାମ-ଗୁଣ ॥

ଯେ ସ୍ଥୂଳରୂପ ଭଗବାନ । ସେ ଜ୍ୟୋତିର୍ମୟ ସୂକ୍ଷ୍ମ ବ୍ରହ୍ମ ॥

ପରମ ପରଙ୍କର ପର । ଯେ ବାସୁଦେବ ଚକ୍ରଧର ॥ ୧୦

ତାହାଙ୍କ ଚରଣାରବିନ୍ଦେ । ମନ ମୋ ରହୁ ଅପ୍ରମାଦେ ॥ ୧୧

ଯେଣୁ ତୁମ୍ଭର ଅଗୋଚର । ନାହିଁ ଏ ବ୍ରହ୍ମାଣ୍ତ ମଧ୍ୟରେ ॥ ୧୨

ଏଣୁ ଏ ମୋହର ସନ୍ଦେହ । ଭୋ ମୁନି ବିସ୍ତାରିଣ କହ ॥ ୧୩

ଶୁଣ ପରୀକ୍ଷ ନୃପବର । ମାୟାରେ ପ୍ରଭୁଙ୍କ ଶରୀର ॥ ୧୪

ସଂସାର ଯାହାର ଭିଆଣ । ଅଶେଷପୁର ଯାର ସ୍ଥାନ ॥ ୧୫

ତାହାଙ୍କ ରୂପ ଗୁଣ ନାମ । ବର୍ଣ୍ଣନେ କେବା ଅଛି କ୍ଷମ ॥ ୧୬

ନର ଅମର ଯେବେ ହୋଇ । ତେବେ ସେ ବର୍ଣ୍ଣି ନ ପାରଇ ॥ ୧୭

ତଥାପି କିଛି ଶ୍ରେଷ୍ଠ କରି । କହିବା ଶୁଣ ଦଣ୍ତଧାରୀ ॥ ୧୮

ଭୂଗୋଳଚକ୍ରର ବର୍ଣ୍ଣନ । ରାଜନ ସାବଧାନେ ଶୁଣ ॥ ୧୯

ଏ ଜମ୍ବୁଦ୍ୱୀପ ନୃପବର । ବିକଚକମଳ ଆକାର ॥ ୨୦

ଅତି ଅଦ୍‌ଭୁତ ଏହି ସ୍ଥଳ । ଲକ୍ଷେକ ଯୋଜନ ବିସ୍ତାର ॥ ୨୧

ଏ ମଧ୍ୟେ ନବ ଯେ ବରଷ । ସହସ୍ରଯୋଜନ ପ୍ରକାଶ ॥ ୨୨

ମହତ ନବପର୍ବତରେ । ବିଭାଗ ହୋଏ ଯେ ଯାହାରେ ॥ ୨୩

ଏ ନବବରଷ ମଧ୍ୟରେ । ବର୍ଷ ଈଳାବୃତ ନାମରେ ॥ ୨୪

ଯାହାର ନାଭିଦେଶ ତହିଁ । ପର୍ବତରାଜ ବିରାଜଇ ॥ ୨୫

ସୁବର୍ଣ୍ଣମୟ ବିରାଜିତ । ଅତି ସୁନ୍ଦର ଅଦଭୁତ ॥ ୨୬

ଯାହାର ମସ୍ତକ ପ୍ରମାଣ । ବିତ୍ରଶ ସହସ୍ର-ଯୋଜନ ॥ ୨୭

ଷୋଳସହସ୍ର ଯେ ଯୋଜନ । ତାହାର ମୂଳ ପରିମାଣ ॥ ୨୮

ସୁବର୍ଣ୍ଣଶୃଙ୍ଗ ତିନି ତାର । ମହୀରେ ସ୍ତମ୍ଭର ଆକାର ॥ ୨୯

ପୂର୍ବ ଭାଗରେ ତିନି ଗିରି । ନୀଳ ଧବଳ ରୂପ ଧରି ॥ ୩୦

ଲବଣସିନ୍ଧୁ ନିକଟରେ । ବେନିସହସ୍ର ଯେ ବିସ୍ତାରେ ॥ ୩୧

ନିଷଧ ହେମକୂଟ ଆଦି । ଦକ୍ଷିଣେ ଏହାଙ୍କ ପ୍ରସିଦ୍ଧି ॥ ୩୨

ଏହା ଦକ୍ଷିଣେ ଗିରିବର । ହିମାଳୟ ନାମ ତାହାର ॥ ୩୩

ପୂର୍ବହୁଁ ଯଥାକ୍ରମେ ତାର । ଅୟୁତଯୋଜନ ବିସ୍ତାର ॥ ୩୪

ପୂର୍ବେ ପଶ୍ଚିମେ ମାଲ୍ୟବାନ । ବିଶାଳ ଯେ ଗନ୍ଧମାର୍ଦ୍ଦନ ॥ ୩୫

ଦ୍ୱିସସ୍ରଯୋଜନ ବିସ୍ତାର । ଅଛଇ ଜଗତେ ପ୍ରଚାର ॥ ୩୬

ଭଦ୍ରାଶ୍ୱ କେତୁମାଳ ଆଦି । ଏହାଙ୍କ ସୀମା ସେ ପ୍ରସିଦ୍ଧି ॥ ୩୭

ମନ୍ଦର ଯେ ମେରୁମନ୍ଦର । ସୁପାର୍ଶ୍ୱ ଆଦି ଗିରିବର ॥ ୩୮

ସ୍ୱର୍ଣ୍ଣ‌ଗିରିଚତୁର୍ଭାଗରେ । ଅଛନ୍ତି ବେଷ୍ଟିତ ଆକାରେ ॥ ୩୯

ବୃକ୍ଷ ନ୍ୟାଗ୍ରୋଧ ଆମ୍ରସାର । ଜମ୍ବୁ କଦମ୍ବ ଏ ଚତ୍ୱାର ॥ ୪୦

ପର୍ବତପ୍ରାୟେ ଉଚ୍ଚଶିର । ଯୋଜନସହସ୍ର ବିସ୍ତାର ॥ ୪୧

ଚତ୍ୱାର-ସିନ୍ଧୁ ତା ନିକଟେ । ବିରାଜେ ନାନା ଶୁଭ୍ରତଟେ ॥ ୪୨

ମଧୁକ୍ଷୀର ଯେ ଈକ୍ଷୁ ଜଳ । ଯହିଁ ସକଳ ଦେବମେଳ ॥ ୪୩

ଯେ ଯାହା ମତେ କରି ଧ୍ୟାନ । ପ୍ରଭୁଙ୍କୁ କରନ୍ତି ଭଜନ ॥ ୪୪

ସେ ଜଳ ଅତି ଚମତ୍କାର । ସେବନେ ତୁଷ୍ଟ ଯୋଗୀବର ॥ ୪୫

ଭଦ୍ର ଚୈତ୍ରରଥ ନନ୍ଦନ । ବୈଭ୍ରାଜ ଚାରି ଉପବନ ॥ ୪୬

ଯହିଁ ଅମରବୃନ୍ଦମାନ । କ୍ରୀଡା କରନ୍ତି ଅନୁକ୍ଷଣ ॥ ୪୭

କାମିନୀ ସଙ୍ଗତେ ଘେନିଣ । ଯହିଁ ଅନଙ୍ଗ ମୂର୍ତ୍ତିମାନ ॥ ୪୮

ଏକାଦଶଶତଯୋଜନ । ମନ୍ଦର-ଗିରିକ୍ରୋଟ ଜାଣ ॥ ୪୯

ଅତ୍ୟନ୍ତ-ତୁଙ୍ଗ ବୃକ୍ଷବର । ସୁରଙ୍ଗ-ଦଳ ଫଳ ତାର ॥ ୫୦

ସୁଗନ୍ଧ ଅମୃତ ସୁସ୍ୱାଦ । ରସ ଗଳଇ ବିଶାରଦ ॥ ୫୧

ସେଠାରୁ ଅରୁଣୋଦା ସାର । ମନ୍ଦରୁ ହୋଇଛି ବାହାର ॥ ୫୨

ମେରୁମନ୍ଦରୁ ଜମ୍ବୁଫଳ । ପାଚି ପଡଇ ମହୀତଳ ॥ ୫୩

ହସ୍ତୀପ୍ରମାଣେ ଫଳ ତାର । ରସ ଗଳଇ ଯେ ଅପାର ॥ ୫୪

ତହିଁରୁ ଜମ୍ବୁନଦ ଜାତ । ଶୁଣ ସୁମନେ ପରୀକ୍ଷିତ ॥ ୫୫

ତାହାର ଜଳ-ସଂଯୋଗରେ । ସୁବର୍ଣ୍ଣ ହୋଇଛି କ୍ଷିତିରେ ॥ ୫୬

ମହା କଦମ୍ବ-ତରୁବର । ତହିଁର ମଧ୍ୟରେ କ୍ରୋଟର ॥ ୫୭

ପରମଧାରା ରୂପ ହୋଇ । ତହୁଁ ଯେ ମଧୁ ପ୍ରସରଇ ॥ ୫୮

ଈଲାବୃତକୁ ବେଢି କରି । ସୁଗନ୍ଧ ଆମୋଦ ପ୍ରସରି ॥ ୫୯

ତାର ସ୍ପରଶୁ ଯେ ପବନ । ସୁଗନ୍ଧ ଶତେକଯୋଜନ ॥ ୬୦

କୁମୁଦଗିରି-ତଟଦେଶେ । ବିଶାଳବଟ ଯେ ପ୍ରକାଶେ ॥ ୬୧

ତାହାର କନ୍ଦରୁ ବାହାର । ସୁସ୍ୱାଦୁ ପୟୋରାଶି ସାର ॥ ୬୨

ଈଳାବୃତର ଯେ ଉତ୍ତରେ । ପ୍ରଜାଏ ସୁସ୍ଥ ଯାର ନୀରେ ॥ ୬୩

ଯାବତ ଜୀବ ସୁଖୀ ହୋଇ । ଅଛନ୍ତି ଯାର ଜଳ ପିଇ ॥ ୬୪

କୁରଙ୍ଗ କୁଶୁମ୍ଭ କୁରର । ବୈକଙ୍କ ତ୍ରିକୁଟ ଶିଶିର ॥ ୬୫

ବୈଦୁର୍ଯ୍ୟ ନିଷଦ ରୂଚକ । କପିଳ ଶିନୀବାସ ଶଙ୍ଖ ॥ ୬୬

ଋଷଭ ଯାରୁଧି ପତଙ୍ଗ । କାଳଞ୍ଜର ଯେ ହଂସ ନାଗ ॥ ୬୭

ନୀରଦ ଆଦି ଯେ ବିଦିତ । ଏମନ୍ତ ବିଂଶ ଯେ ପର୍ବତ ॥ ୬୮

ମେରୁକର୍ଣ୍ଣିକା ଚାରିପାଶେ । ବିରାଜେ କେଶର-ସଦୃଶେ ॥ ୬୯

ଜଠର ଦେବକୁଟ ଦୁଇ । ମେରୁର ପୂର୍ବଭାଗେ ରହି ॥ ୭୦

ବେନିସହସ୍ର ଉଚ୍ଚତାର । ଅଠରଯୋଜନ ବିସ୍ତାର ॥ ୭୧

ପବନ ପାରିପାତ୍ର ଦୁଇ । ତାହାର ପଶ୍ଚିମେ ଶୋଭଇ ॥ ୭୨

କୈଳାସ କରବୀର ଦୁଇ । ଦକ୍ଷିଣପାଶେ ବିରାଜଇ ॥ ୭୩

ଉତ୍ତରେ ତ୍ରିଶୃଙ୍ଗ ମକର । ଅଛନ୍ତି ବେନିଗିରିବର ॥ ୭୪

ଏ ଅଷ୍ଟଗିରି ମଧ୍ୟଦେଶେ । ସୁବର୍ଣ୍ଣ‌ଗିରି ଯେ ପ୍ରକାଶେ ॥ ୭୫

ସୁବର୍ଣ୍ଣ‌ଗିରି ଅଗ୍ରଦେଶେ । ବ୍ରହ୍ମାର ସଦନ ପ୍ରକାଶେ ॥ ୭୬

ଅୟୁତଯୋଜନ ସେ ହୋଇ । ନାନାକୁସୁମେ ସୁବାସଇ ॥ ୭୭

ହେମକଳସ ତୁଙ୍ଗ ସାର । କି ଅବା ଦେବା ପଟାନ୍ତର ॥ ୭୮

ଚାରିଦିଗରେ ଯେ ତାହାର । ଇନ୍ଦ୍ରାଦିଲୋକପାଳଙ୍କର ॥ ୭୯

ଯଥାକ୍ରମରେ ଯେଝାମତେ । ନିର୍ମିତ ପୁର ଯଥୋଚିତେ ॥ ୮୦

ଆନନ୍ଦ ହୋଇ ଯତୋଚିତେ । ବିହାର କରନ୍ତି ସମସ୍ତେ ॥ ୮୧

ଅଷ୍ଟଦିଗପାଳଙ୍କ ପୁର । ସୁସଞ୍ଚ ଅତି ମନୋହର ॥ ୮୨

ପଞ୍ଚମସ୍କନ୍ଧେ ଏହୁ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୮୩

ପ୍ରଭୁ-ପଦାରବିନ୍ଦତଳେ । ମୋମନ ରହୁ ସୁନିଶ୍ଚଳେ ॥ ୮୪

କହଇ ଦାସ ଜଗନ୍ନାଥ । କୃଷ୍ଣଚରିତ ଭାଗବତ ॥ ୮୫

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ପଞ୍ଚମସ୍କନ୍ଧେ ଭୁବନକୋଷ ବର୍ଣ୍ଣ‌ନଂ ନାମ ଷୋଡ଼ଶୋଽଧ୍ୟାୟଃ ॥

* * *