ପଞ୍ଚମ ସ୍କନ୍ଧ
ପଞ୍ଚଦଶ ଅଧ୍ୟାୟ
ଶୁକ ଉବାଚ
ଶୁଣ ପରୀକ୍ଷ ନରନାଥ । ଭରତବଂଶାନୁଚରିତ ॥ ୧
ସୁମତି ତାହାର ତନୟେ । ଋଷଭପଥେ ସେ ଆଶ୍ରୟେ ॥ ୨
ପାଷଣ୍ତଜନେ କଳିଯୁଗେ । ଧର୍ମକଳ୍ପିବେ ତାଙ୍କ ମାର୍ଗେ ॥ ୩
ବେଦ ଯେତେକ ଅଛି କହି । ତହିଁରେ ଏ ଦେବତା ନାହିଁ ॥ ୪
ତାହାର ବୃଦ୍ଧସେନା ନାମ । ଭାର୍ଯ୍ୟା ଅଟଇ ଅନୁପମ ॥ ୫
ସୁମତି-ପତ୍ନୀଠାରେ ସୁତ । ହୋଇଲା ନାବ ଦେବଜିତ ॥ ୬
ତାହାର ହୋଇଲା କୁମର । ଦେବଦ୍ୟୁମନ ନାମ ତାର ॥ ୭
ପରମେଷ୍ଠୀ ତାର କୁମର । ଜନ୍ମିଲା ଧେନୁମତୀ ଠାର ॥ ୮
ସୁବର୍ଚ୍ଚଳା ଯେ ପତ୍ନୀ ତାର । ଜନ୍ମିଲା ପ୍ରତୀହ କୁମର ॥ ୯
ଏ ଆତ୍ମବିଦ୍ୟା ବ୍ୟାଖ୍ୟାକରି । ଭଜିଲା ପ୍ରଭୁ ନରହରି ॥ ୧୦
ତାହାର ପ୍ରତିହର୍ତ୍ତା ନାମ । ତନୟ ହୋଇଲେ ଜନମ ॥ ୧୧
ପ୍ରତିହର୍ତ୍ତାର ଯେ କୁମର । ବେନି ହୋଇଲେ ନୃପବର ॥ ୧୨
ଭୂମାନ ଅଜ ଯେ କୁମର । ହୋଇଲେ ସ୍ତୁତିଠାରେ ତାର ॥ ୧୩
ଉଦ୍ଗୀଥ ଭୂମାର ଯେ ସୁତ । ଋଷିକୂଲ୍ୟାର ତହୁଁ ଜାତ ॥ ୧୪
ଦେବକୂଲ୍ୟାର ତହିଁ ତାର । ହୋଇଲା ପ୍ରସ୍ତାବ କୁମର ॥ ୧୫
ନିରୁତ୍ସାୟାର ତହିଁ ତାର । ଜନ୍ମିଲା ବିଭୁ ଯେ କୁମର ॥ ୧୬
ରତିର ଠାରେ ଯେ ବିଭୁର । ପୃଥୁବେଣ ବୋଲି କୁମର ॥ ୧୭
ଆକୂତି ଠାରେ ତାର ସୁତ । ନକ୍ତ ନାମରେ ସେ ବିଦିତ ॥ ୧୮
ନକ୍ତରାଜାର ଯେ କୁମର । ହୋଇଲା ଗୟ ନୃପବର ॥ ୧୯
ସେ ବିଷ୍ଣୁଅଂଶକୁ ବହଇ । ନାନା ଲକ୍ଷଣେ ପୂର୍ଣ୍ଣ ହୋଇ ॥ ୨୦
ସ୍ୱଧର୍ମେ ପ୍ରଜାପାଳନରେ । ମନ ତାହାର ନିରନ୍ତରେ ॥ ୨୧
ଯେ ମହାପୁରୁଷ ଈଶ୍ୱର । ଅନାଦିନାତ ନିରାକାର ॥ ୨୨
ସେ ସର୍ବଦେବଙ୍କର ବର । ପରମବ୍ରହ୍ମ ଯୋଗେଶ୍ୱର ॥ ୨୩
ତାହାଙ୍କ ତହିଁ ମନ ଦେଇ । ପରମଭକ୍ତିଭାବ ବହି ॥ ୨୪
ସତ୍ତ୍ୱପ୍ରଧାନମତି ହୋଇ । ଆନନ୍ଦେ ପାଳଇ ସେ ମହୀ ॥ ୨୫
ତାହାର ଗୁଣ ମହୀତଳେ । ଗାୟନ କରନ୍ତି ସକଳେ ॥ ୨୬
ଗୟର ସମ କେ ସଂସାରେ । ଯଜ୍ଞାଦିକର୍ମ କରିବାରେ ॥ ୨୭
ଯାହାର ଭକ୍ତିଭାବୁଁ କରି । ବଶ ହୋଇଲେ ନରହରି ॥ ୨୮
ଯାହାକୁ ଦକ୍ଷକନ୍ୟାଯାକ । ସନ୍ତୋଷେ କଲେ ଅଭିଷେକ ॥ ୨୯
ସକଳତୀର୍ଥୁ ଜଳ ନେଇ । ରାଜତ୍ୱପଣ ତାକୁ ଦେଇ ॥ ୩୦
ତାହାର ପ୍ରଜାସୁଖ ପାଇଁ । ବହୁତ ଶସ୍ୟ ଦେଲା ମହୀ ॥ ୩୧
ମହୀରେ ଯେତେ ନୃପବର । ଖଟନ୍ତି ତାହାର ପୟର ॥ ୩୨
ସଂଗ୍ରାମେ ଯାହାର ଚରିତ । ସ୍ତୁତି କରନ୍ତି ଶୂରବନ୍ତ ॥ ୩୩
ଯାହାର ଯଜ୍ଞମାନଙ୍କରେ । ସନ୍ତୋଷ ହେଲେ ଦ୍ୱିଜବରେ ॥ ୩୪
ଇନ୍ଦ୍ର-ସୂର୍ଯ୍ୟାଦି ଦେବ ଯେତେ । ସନ୍ତୁଷ୍ଟ ହୋଇଲେ ସମସ୍ତେ ॥ ୩୫
ଏ ଅନନ୍ତରେ ପରୀକ୍ଷିତ । ତାହାର ହେଲେ ତିନିସୂତ ॥ ୩୬
ସୁଗତି ଚିତ୍ରରଥ ନାମ । ତୃତୀୟ ଯେ ଅବରୋଧନ ॥ ୩୭
ଚିତ୍ରରଥର ପତ୍ନୀଠାର । ସମ୍ରାଟ ହୋଇଲେ କୁମର ॥ ୩୮
ଉତ୍କଳାପତ୍ନୀଠାରେ ତାର । ମରୀଚି ହୋଇଲା କୁମର ॥ ୩୯
ତା ପତ୍ନୀ ବିନ୍ଦୁମତୀ ଠାରେ । ବିନ୍ଦୁମାନ ହେଲା କୁମରେ ॥ ୪୦
ବିନ୍ଦୁମାନର ଯେ କୁମର । ମଧୁ ହୋଇଲା ନୃପବର ॥ ୪୧
ତାର ବୀରବ୍ରତ କୁମର । ଭୋଜା ନାମରେ ପତ୍ନୀ ତାର ॥ ୪୨
ତାହାର ତହୁଁ ବେନିସୁତ । ମନ୍ଥୁ ପ୍ରମନ୍ଥୁ ଯେ ବିଦିତ ॥ ୪୩
ମନ୍ଥୁର ସତ୍ୟାଠାରେ ସୁତ । ଭୌବନ ହୋଇଲେ ବିଦିତ ॥ ୪୪
ଦୂଷଣା-ପତ୍ନୀଠାରେ ତାର । ତୋଷ୍ଟା ସେ ହୋଇଲା କୁମର ॥ ୪୫
ବିରୋଚନାର ତହିଁ ତାର । ବିରଜ ହୋଇଲା କୁମର ॥ ୪୬
ଶୁଣ ରାଜନ ପରୀକ୍ଷିତ । ବିରଜ-ପୁତ୍ର ହେଲେ ଶତ ॥ ୪୭
ଏହାଙ୍କ ମଧ୍ୟେ ଶ୍ରେଷ୍ଠତର । ଶତଜିତ ପୁତ୍ର ତାହାର ॥ ୪୮
ବିଷୂଚୀ ପତ୍ନୀଠାରେ ତାର । କନ୍ୟା ଗୋଟିଏ ଯେ ଅପର ॥ ୪୯
ଶୁଣ ରାଜନ ପରୀକ୍ଷିତ । ଏମନ୍ତେ ଲୋକେ ହୋଇ ଜାତ ॥ ୫୦
ପ୍ରିୟବତର ବଂଶମାନ । ବିରଜ ପ୍ରଭାବୁଁ ରାଜନ ॥ ୫୧
ବିଷ୍ଣୁପ୍ରଭାବୁ ଦେବେ ଯେହ୍ନେ । ଶୋଭିତ ହୋଇଲେ ତେସନେ ॥ ୫୨
ବିଦିତ ହେଲେ ସର୍ବସ୍ଥାନେ । ବିଷ୍ଣୁ ଭକତି ବିଦ୍ୟମାନେ ॥ ୫୩
ପ୍ରିୟବ୍ରତର ବଂଶମାନ । ସୁଜନେ ସାବଧାନେ ଶୁଣ ॥ ୫୪
ଏଣୁ କୃଷ୍ଣର ପାଦତଳେ । ଭକତି ହୋଇବ ନିଶ୍ଚଳେ ॥ ୫୫
କହଇ ବିପ୍ର ଜଗନ୍ନାଥ । କୃଷ୍ଣଚରିତ ଭାଗବତ ॥ ୫୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପଞ୍ଚମସ୍କନ୍ଧେ ପ୍ରିୟବ୍ରତବଂଶାନୁକୀର୍ତ୍ତନମ୍ନାମ
ପଞ୍ଚଦଶୋଽଧ୍ୟାୟଃ ॥
* * *