ପଞ୍ଚମ ସ୍କନ୍ଧ

ଚତୁŸର୍ଦ୍ଦଶ ଅଧ୍ୟାୟ

ଶୁକ ଉବାଚ

ଏ ଯେଉଁ ସଂସାର-ଅରଣ୍ୟ । ତହିଁରେ ଯେତେ ଜୀବଗଣ ॥

ବେପାରୀ ବଣିଜାର ପ୍ରାୟେ । ସଂସାରମାର୍ଗେ ଭ୍ରମୁଥାଏ ॥

ଭଗବାନ ପ୍ରଭୁ ଈଶ୍ୱର । ଯେ ବିଷ୍ଣୁ ଅଖିଳଠାକୁର ॥

ତାର ମାୟାରେ ମୋହ ହୋଇ । ଏ ଜୀବ କିଛି ନ ଜାଣଇ ॥

ଦେହାଭିମାନୀ ହୋଇ ନର । ସ‌ତ୍ତ୍ୱାଦିଗୁଣେ ତାହାଙ୍କର ॥

କୁଶଳ-ଅକୁଶଳ ଦୁଇ । ମିଶ୍ରଣେ ନିର୍ମିତ ଯେ ହୋଇ ॥

ବିବିଧ ଦେହମାନ ବହି । ସଂଯୋଗ ବିଯୋଗ ସେ ହୋଇ ॥

ଏଣେ ନିର୍ମିତ ଯେ ସଂସାର । ଇନ୍ଦ୍ରିୟଦ୍ୱାରେ ତା ବିହାର ॥

ଦୁର୍ଗମମାର୍ଗ ଏ ସଂସାର । ଇନ୍ଦ୍ରିୟଦ୍ୱାରେ ତା ବିହାର ॥

ଏହାକୁ ମୂଢ ନ ଜାଣଇ । ବିଷ୍ଣୁ ମାୟାରେ ମୋହ ହୋଇ ॥ ୧୦

ଘୋର-ଅରଣ୍ୟ ଏ ସଂସାର । ଏଥିରେ ରତ ମୂଢ଼ନର ॥ ୧୧

ବିବିଧ ବିଫଳ ଯେ କର୍ମ । ତେଣେ ହୁଅଇ ମତିଭ୍ରମ ॥ ୧୨

ପ୍ରଭୁଙ୍କ ଚରଣାରବିନ୍ଦ । ସ୍ୱାଦୁ ସୁଗନ୍ଧ ମକରନ୍ଦ ॥ ୧୩

ତାହାକୁ ଆସ୍ୱାଦ ଯେ କରି । ଅଛନ୍ତି ସେ ପଦ ଆବୋରି ॥ ୧୪

ତାହାଙ୍କ ଠାରେ ଏ ସଂସାର । ହୁଅଇ ସୁଖର ଆକର ॥ ୧୫

ପାପ ନାଶଇ ସୁଖ ଦେଇ । ଏମନ୍ତ ପଦବୀ ସେ ହୋଇ ॥ ୧୬

ସେ ପଥ ଆଶ୍ରୟ ନ କରି । ଭ୍ରମନ୍ତି ମାୟାକୁ ଆବୋରି ॥ ୧୭

ଏ ଦେହେ ଯେତେ ଇନ୍ଦ୍ରିଗଣ । ଚଉର ବୋଲି ତାଙ୍କୁ ଜାଣ ॥ ୧୮

ପରମଗୁରୁ ଆରାଧନ । ଏ ଆଦି ଯେତେ ଶୁଭକର୍ମ ॥ ୧୯

ବହୁ କୁଚ୍ଛ୍ରାଦି ତପଫଳ । ବଳେ ହରନ୍ତି ମହୀପାଳ ॥ ୨୦

ଦୃଷ୍ଟିରେ ବସ୍ତୁରୂପ ଦେଖି । କରେ ସ୍ପରଶ ଉପଲକ୍ଷି ॥ ୨୧

ଶବଦ ଶୁଣଇ କର୍ଣ୍ଣରେ । ଆସ୍ୱାଦ କରଇ ଜିହ୍ୱାରେ ॥ ୨୨

ଏ ଆଦି ଯେତେ ଇନ୍ଦ୍ରିଗଣ । ନାନା-ଉପଭୋଗ କାରଣ ॥ ୨୩

ଗ୍ରାମ୍ୟ-ଭୋଗରେ ଭୋଳ ହୋଇ । ଅଜିତେନ୍ଦ୍ରିୟ ଯେତ ଦେହୀ ॥ ୨୪

କରନ୍ତି ଆତ୍ମାପୁଣ୍ୟ ଦୂର । ତେଣୁ ସେ ମୂଢ଼ ନୃପବର ॥ ୨୫

ଅଥବା କୁଟୁମ୍ବ ବିଷୟେ । ଅପତ୍ୟ-ସ୍ନେହ ମାୟାମୋହେ ॥ ୨୬

କଦର୍ଯ୍ୟା-କୁଟୁମ୍ବ-ଭରଣ । ମୋହେ ହୁଅନ୍ତି ହତଜ୍ଞାନ ॥ ୨୭

ଦାରା ତନୟ ନାମ ବହି । ବ୍ୟାଘ୍ର ଶୃଗାଳ ପ୍ରାୟ ହୋଇ ॥ ୨୮

ନାଶନ୍ତି ତାର ଧର୍ମ-ଧନ । ମେଷ ଶାବକକୁ ଯେସନ ॥ ୨୯

ଯେସନେ କୃଷିକାରୀ ଜନେ । ଅନୁବତ୍ସର କରଷଣେ ॥ ୩୦

ଯେ ତୃଣ ଗୁଳ୍ମ ଲତା ଆଦି । ନିଃଶେଷେ ନ ପାରନ୍ତି ଛେଦି ॥ ୩୧

ସେ ବୀଜ କେବେ ନଷ୍ଟ ନୋହେ । ପୁଣି ସେ କ୍ଷେତ୍ରେ ଉଦେ ହୋଏ ॥ ୩୨

ସେ ରୂପେ ଏ ଯେ ଗୃହାଶ୍ରମ । କର୍ମନାଶନେ ନୋହେ କ୍ଷମ ॥ ୩୩

ଦଂଶ ମଶକ ନୀଚଜନ । କ୍ରୀଡା କରିଣ ହରେ ଧନ ॥ ୩୪

ଶଲଭ ଶକୁନ୍ତ ତସ୍କର । ମୂଷିକ ଆଦି ପୀଡା ଘୋର ॥ ୩୫

ଅବିଦ୍ୟା-କାମ୍ୟକର୍ମେ ମନ । ଜଡିଣ ଥାଇ ଅନୁକ୍ଷଣ ॥ ୩୬

ବାସନା କ୍ଷୀଣ ତାର ନୋହି । ଏ ନରଲୋକେ ଭ୍ରମୁଥାଇ ॥ ୩୭

ଗନ୍ଧର୍ବ-ନଗର ପରାୟେ । ମିଥ୍ୟାକୁ ସତ୍ୟେ ଦେଖେ ରାୟେ ॥ ୩୮

ଏ ଯେ ଗନ୍ଧର୍ବ ନଗରରେ । ବିଷୟ-ମୃଗତୃଷ୍ଣାତୁରେ ॥ ୩୯

ମଦ୍ୟ ମାଂସ ଯେ ସ୍ପୀସଙ୍ଗମ । ନିରତେ ଏଣେ ହୋଏ ଭ୍ରମ ॥ ୪୦

ଦାରା ତନୟ ଗୃହେ ଥାଇ । କେବଳ କ୍ଳେଶକୁ ଲଭଇ ॥ ୪୧

ଅଶେଷ ଦୋଷଙ୍କର ସ୍ଥାନ । ଅଗ୍ନି-ପୁରୀଷ ଯେ ସୁବର୍ଣ୍ଣ ॥ ୪୨

ତେଣେ ସେ ଦେଇଥାଇ ବୁଦ୍ଧି । ସୁବର୍ଣ୍ଣ-ଅର୍ଜନେ ଅବଧି ॥ ୪୩

ଯେସନେ ଶୀତାତୁରଜନେ । ପିଶାଚ ଅଗ୍ନି ଦେଖି ବନେ ॥ ୪୪

ଅଗ୍ନିମଣି ତାକୁ ପ୍ରତ୍ୟକ୍ଷେ । ଧାଇଁ ଛୁଟଇ ତାର ପଛେ ॥ ୪୫

ସ୍ୱଭାବେ ଅଗ୍ନି ସେ ନୁହଇ । ତାକୁ ପାଇବ ଅବା କାହିଁ ॥ ୪୬

କେବେ ବା ଗୃହାଶ୍ରମକର୍ମେ । ମନ ନିବେଶି ସେ ଯେ ଭ୍ରମେ ॥ ୪୭

କେବେହେଁ କୁଟୁମ୍ବ ଆବୋରି । ବାତ-ଉପମା ସେ ଯେ ନାରୀ ॥ ୪୮

ତାହାଙ୍କ ଅଙ୍କ ଆଶ୍ରେ କରେ । ଧୂଳି-ଉପମା ତା ସ୍ନେହରେ ॥ ୪୯

ତେଣେ ତା ଦୃଷ୍ଟି ଆବରଣେ । ଦିଗ ଦେବତାଙ୍କୁ ନ ଜାଣେ ॥ ୫୦

ପାପା ଆଚରେ ମତିଭ୍ରମେ । ଶାସ୍ତ୍ରମର୍ଯ୍ୟାଦା ଅତିକ୍ରମେ ॥ ୫୧

କେବେହେଁ ଦେହ ମିଥ୍ୟା ମାନି । ନିବୃତ୍ତମନ ହୋଏ ପ୍ରାଣୀ ॥ ୫୨

ନିଦ୍ରାରେ ସ୍ୱପ୍ନପ୍ରାୟ କରି । କ୍ଷଣକେ ପୁଣି ତା ପାଶୋରି ॥ ୫୩

କେବେ ଉଲ୍ଲୁକ ଅବା ଝିଲ୍ଲି । କର୍କଶରାବଠାରୁ ବଳି ॥ ୫୪

ରିପୁ ବା ରାଜକୁଳଜନ । କରନ୍ତି ଯେ ଅବା ଭର୍ତ୍ସନ ॥ ୫୫

ତେଣେ ବ୍ୟଥିତଚିତ୍ତ ହୋଇ । ବଧିରପ୍ରାୟ ରହିଥାଇ ॥ ୫୬

ଯେତେ ସୁକୃତ-କର୍ମଫଳ । ଭୋଗର ଅନ୍ତେ ମହୀପାଳ ॥ ୫୭

ଜୀବନସୃତ ଯେତେ ଧନୀ । ତାହାଙ୍କୁ ଅନୁସରେ ପ୍ରାଣୀ ॥ ୫୮

ପ୍ରାଣୁ ଅଧିକ ସ୍ନେହ ଭରେ । ସେ ଧନ ରଖେ ନିରନ୍ତରେ ॥ ୫୯

ଦେବ ଅତିଥି ପିତୃଜନ । ନ ଦିଏ ନକରେ ଭୋଜନ ॥ ୬୦

ଏଣୁ ଅସତସେଙ୍ଗ ନର । ଲଭଇ ପାଷଣ୍ତ ଶରୀର ॥ ୬୧

ଉଭୟଲୋକେ ଦୁଃଖ ପାଏ । ଏମନ୍ତ ଜାଣ ନରରାୟେ ॥ ୬୨

କେବେ ବା କ୍ଷୁଧା ତୃଷାଭରେ । ଅତି ପୀଡିତ ହୋଇ ନରେ ॥ ୬୩

ପିତା ପୁତ୍ର ଯେ ଅନ୍ୟୁ ଅନ୍ୟେ । ନାଶନ୍ତି ପୁଣି ଅନ୍ନବିନେ ॥ ୬୪

ଗୃହ ଦ୍ରବିଣ ଦାରା ସୁତ । ଏ ଆଦି ଯେତେ ପ୍ରିୟଅର୍ଥ ॥ ୬୫

ତହିଁ କ୍ଲେଶିତ କେହି ହୋଇ । ବନଅନଳେ ଯେହ୍ନେ ଦହି ॥ ୬୬

କେବେ ବା ରାଜା ହରେ ଧନ । ନାନାକ୍ଲେଶରେ ଦୁଃଖମନ ॥ ୬୭

ଜୀବନମୃତ ପ୍ରାୟ ହୋଇ । କେବେ ବା କ୍ଷଣେ ସେ ରହଇ ॥ ୬୮

କେବେ ବା ପିତୃ-ପିତାମହେ । ଚିନ୍ତାରେ ଲଭେ ସ୍ୱପ୍ନ ପ୍ରାୟେ ॥ ୬୯

କେବେ ବା ଗୃହାଶ୍ରମ-କର୍ମେ । ମନନିବେଶି ମାୟାଭ୍ରମେ ॥ ୭୦

ପାପ-ଅନଳେ ଦେହ ଧରି । ନିତ୍ୟ ଭ୍ରମଇଁ କର୍ମକରି ॥ ୭୧

ଲୌକିକ-କର୍ମେ କ୍ଳେଶଜାତ । କ୍ଷଣକ୍ଷଣକେ ଦୁଃଖଚିତ୍ତ ॥ ୭୨

କଣ୍ଟକ-ଦୁର୍ଗମ-ପର୍ବତେ । ଅରୋହେ ନାନା କଷ୍ଟମତେ ॥ ୭୩

କେବେ ବା କୁଟୁମ୍ବ ଆବୋରି । ବିଷୟା-ବିଷ ପାନକରି ॥ ୭୪

କ୍ଷୁଧା-ଅନଳେ ଦହି ହୁଏ । ତେଣୁ କୁଟୁମ୍ବେ କ୍ରୋଧ ବହେ ॥ ୭୫

କେବେ ସେ ନିଦ୍ରା-ଅଜଗରେ । ଅଜ୍ଞାନତମେ ଶୋଇ ମରେ ॥ ୭୬

ଶ୍ମଶାନ ଶବ ପ୍ରାୟ ହୋଇ । ସୁଖଦୁଃଖକୁ ନ ଜାଣଇ ॥ ୭୭

ଦୁର୍ଜନଦ୍ୱନ୍ଦ୍ୱେ ଦୁଃଖକରି । ଉନ୍ନିଦ୍ର-ଭାବକୁ ଆଚରି ॥ ୭୮

ବ୍ୟଥିତ-ହୃଦୟକୁ ପାଇ । ଅନ୍ଧ ଯେସନେ କଷ୍ଟେ ଥାଇ ॥ ୭୯

ଅଜ୍ଞାନଭାବୁ କଷ୍ଟଚିତ୍ତେ । ପଡ଼ଇ ଅନ୍ଧତମେ ଅନ୍ତେ ॥ ୮୦

ସକାମେ ହରି ପରଧନ । କେବେ ତା ନ କରେ ପ୍ରଦାନ ॥ ୮୧

ନିରତେ ପରଦାରା ସେବି । ପରକଥାରେ ପରାଭବି ॥ ୮୨

ସ୍ୱାମୀରେ ଦ୍ରୋହ ଚିନ୍ତା କରେ । ଦୁର୍ଗମ-ନରକ ଆବୋରେ ॥ ୮୩

ଏମନ୍ତେ ଆତ୍ମା-କର୍ମଫଳେ । ପ୍ରାଣୀ ଭ୍ରମନ୍ତି ଏ ଶୟଳେ ॥ ୮୪

ଜନ୍ମବାସନାଫଳେ ତାର । ପୁଣି ଜନ୍ମଇ ଏ ସଂସାର ॥ ୮୫

ଶୁଣ ରାଜନ ଏକମନେ । ଯେବେ ଏ କର୍ମେ କର୍ମୀମାନେ ॥ ୮୬

ଛେଦନ୍ତି କୃଷ୍ଣେ ଆଶ୍ରେ କରି । ତେବେ ସଂସାରୁ ପ୍ରାଣୀ ତରି ॥ ୮୭

ଶୀତ ବରଷା ଯେ ତପତି । ତ୍ରିତାପତାପେ ଦୁଃଖମତି ॥ ୮୮

ଏ ଆଦି ନିବାରଣ ସେହି । କେବେ ହେଁ କରି ନ ପାରଇ ॥ ୮୯

ଦୁରନ୍ତଚିନ୍ତାମଗ୍ନ ହୋଇ । ବିଷର୍ଣ୍ଣଭାବରେ ରହଇ ॥ ୯୦

କେବେହେଁ ନାନା ଗୀତନାଦେ । ଦୈବର ବିଭୂତି ସମ୍ପଦେ ॥ ୯୧

କେବେହେଁ ହୃଦେ ନ ଚିନ୍ତିବ । ବିଷ୍ଣୁର ପାଦେ ମନଦେବ ॥ ୯୨

ଆନର ଧନ ଆନେ ଦେଇ । ସ୍ୱଭାବେ ଦ୍ୱନ୍ଦ୍ୱ ଉପୁଜାଇ ॥ ୯୩

ଏ ଯେ ସଂସାର ଘୋରପଥ । ନାନା ଉପସର୍ଗ ସହିତ ॥ ୯୪

ଦ୍ୱେଷଭାବକୁ ଲୋକେ ପାଇ । ଅନ୍ତେ ସେ ନରକ ଲଭଇ ॥ ୯୫

ଏ ଭାବେ ଆଶ୍ରେ କରି ପ୍ରାଣୀ । ଏ ଭବ ଅନୁଭବେ ଜାଣି ॥ ୯୬

ଶୋକ-ଲୋଭାଦି ମୋହମାନ । ମାତ୍ସର୍ଯ୍ୟ ଈର୍ଷ୍ୟା ଅଭିମାନ ॥ ୯୭

ସୁଖ ଦୁଃଖ ବା ଅପମାନ । ରାଗ ଦ୍ୱେଷ ଯେ କ୍ଷୁଧା ଜନ୍ମ ॥ ୯୮

ପିପାସାଆଦି ବ୍ୟାଧି ଯେତେ । ଜରା-ମରଣାଦି ସହିତେ ॥ ୯୯

ଦେବମାୟାେ ମୋହ ହୋଇ । ନାରୀର ବଶଭାବ ବହି ॥ ୧୦୦

ତା ଭୁଜଲତାରେ ବନ୍ଧନ । ତା ସ୍ନେହେ ମନ କରି ଛନ୍ନ ॥ ୧୦୧

ତା ଅବଲୋକନ-ବିହାରେ । ତେଣେ ଆସକ୍ତ ମୂଢ଼ନରେ ॥ ୧୦୨

ସୁତ-ତୁହିତାଙ୍କ ବଚନେ । ଶ୍ରୁତି ନିବେଶି ଅନୁକ୍ଷଣେ ॥ ୧୦୩

ତାହାଙ୍କ କୋମଳବଚନ । ଶ୍ରବଣେ ପୀୟୁଷ ଯେସନ ॥ ୧୦୪

ହୃଦୟେ ହରଷିତ ହୋଇ । ଆଶାକୁ ତହିଁରେ ବଳାଇ ॥ ୧୦୫

ଦୁର୍ବଳଆତ୍ମା ଯେ ଅଟନ୍ତି । ଜୀବକୁ ନରକେ କ୍ଷେପନ୍ତି ॥ ୧୦୬

କେବେ ବା ଅଖିଳଈଶ୍ୱର । ବିଷ୍ଣୁ ଭଗବାନ ଠାକୁର ॥ ୧୦୭

ଯାହାର କାଳଚକ୍ରେ କରି । ସଂସାରସମୂହ ସଂହରି ॥ ୧୦୮

ସକଳ ବଶଟି ତାହାର । ଏମନ୍ତ ପ୍ରଭୁ ଯେ ଈଶ୍ୱର ॥ ୧୦୯

ତାହାର କାଳଚକ୍ର କରେ । ଭ୍ରମଇଁ ଅଖିଳସଂସାରେ ॥ ୧୧୦

ଯେ ଯଜ୍ଞପୁରୁଷ ଠାକୁର । ତାହାଙ୍କୁ କରି ଅନାଦର ॥ ୧୧୧

ପାଷଣ୍ତଭାବକୁ ଆଚରି । ନାନାଦେବତା ସେବାକରି ॥ ୧୧୨

ଆତ୍ମାର ଗତି ନ ବିଚାରି । ବିବିଧ କୁପଥ ଆଚରି ॥ ୧୧୩

ନିଗମ-ଅନାଚାର-କର୍ମ । କରନ୍ତି ହୋଇ ମତିଭ୍ରମ ॥ ୧୧୪

ପାଷଣ୍ତଭାବରେ ବିଦିତ । ଆତ୍ମାକୁ କରନ୍ତି ବଞ୍ଚିତ ॥ ୧୧୫

ଅଗ୍ନିହୋତ୍ରାଦି ସହିତରେ । ବଞ୍ଚଇ ଶୁଦ୍ର -ପରକାରେ ॥ ୧୧୬

ମୈଥୁନଭାବ ଅନୁକ୍ଷଣେ । ଆକୁଳ କୁଟୁମ୍ବପୋଷଣେ ॥ ୧୧୭

ଅଜ୍ଞାନ-ପାଷଣ୍ତ ବେଭାରେ । ନିରତେ ସ୍ତ୍ରୀବଶେ ବିହରେ ॥ ୧୧୮

ଅତି-କୃପଣବୁଦ୍ଧି ହୋଇ । ଅନ୍ୟୋନ୍ୟେ ସ୍ନେହଭାବ ବହି ॥ ୧୧୯

ତା ମୁଖ ଚାହେଁ ଅନୁକ୍ଷଣେ । ପ୍ରତେଜି ପିତୃମାତୃଗଣେ ॥ ୧୨୦

ବିସ୍ମରି ମୃତ୍ୟୁକାଳ ତହିଁ । ଅଜ୍ଞାନେ ସ୍ୱଚ୍ଛନ୍ଦେ ଭ୍ରମଇଁ ॥ ୧୨୧

ବାନର-ପଶୁର ସମାନ । ମୈଥୁନେ ହରୁଥାଇ ଦିନ ॥ ୧୨୨

ପରମ-ଉତ୍ସବ ମଣଇ । ଦାରାତନୟମଧ୍ୟେ ରହି ॥ ୧୨୩

ମୃତ୍ୟୁ-ଅଜଗର ଭୟରେ । ପଶଇ ଗିରି-କନ୍ଦରରେ ॥ ୧୨୪

ଶୀତ ତପତ ଦୁଃଖମାନ । ଦୈବ୍ୟର ବିଭୂତିବ୍ୟସନ ॥ ୧୨୫

ଦୁସ୍ତର ଚିନ୍ତାମଗ୍ନ ହୋଇ । ବିକଳଭାବରେ ରହଇ ॥ ୧୨୬

କେବେହେଁ ଏକାନ୍ତେ ରମଇଁ । କେବେହେଁ କ୍ଷୀଣଧନ ହୋଇ ॥ ୧୨୭

ଦ୍ରବ୍ୟ-ସଂଗ୍ରହେ ଯେ ସ୍ୱଭାବ । ଶଯ୍ୟା ଆସନ ଆଦିଭୋଗ ॥ ୧୨୮

ସକଳ-ଉପଭୋଗ ତାର । ଦ୍ରବ୍ୟ-ବିହୀନେ ହୋଏ ଦୂର ॥ ୧୨୯

ପୁଣି କେବେହେଁ ମନୋରଥ । ଦ୍ରବ୍ୟ-ଲାଳସେ ଭ୍ରମେ ଚିତ୍ତ ॥ ୧୩୦

ପୁଣି କେବେହେଁ ଦ୍ରବ୍ୟ ପାଇଁ । ମତି ତାହାର ତୁଷ୍ଟ ହୋଇ ॥ ୧୩୧

ସୁଖବିହାର ଆଦି ଯେତେ । ଇଚ୍ଛଇ କଳତ୍ର ସହିତେ ॥ ୧୩୨

ଏମନ୍ତ ଚିତ୍ତବୃତ୍ତି ସଙ୍ଗେ । ବୁଡଇ ସ୍ନେହ-ଅନୁରାଗେ ॥ ୧୩୩

ତେଣୁ ସେ ପୂର୍ବ-ବାସନାରେ । ବିବିଧ ଶରୀରେ ପ୍ରଚରେ ॥ ୧୩୪

ତେଣୁ ସଂସାରପଥେ ନର । ନାନା କ୍ଲେଶ ବ୍ୟାଧି ଶରୀର ॥ ୧୩୫

ପୁଣି ଜନ୍ମିଣ ନାଶ ଯାଇ । ନାନା ଆପଦକୁ ଭୁଞ୍ଜଇ ॥ ୧୩୬

ନାନା ଶୋକ ମୋହ ତାପରେ । ପୀଡିତ ହୋଏ ତା ଶରୀରେ ॥ ୧୩୭

ଅସାଧୁ-ବନ୍ଧନେ ବଞ୍ଚଇ । ସେ ପଥ ପାର ନ ଦେଖଇ ॥ ୧୩୮

ଯେ ପଥ ଅତ୍ୟନ୍ତ ନିର୍ମଳ । ସୁସାଧୁ ନର ଯହିଁ ଠୁଳ ॥ ୧୩୯

ଅଗମ୍ୟ ରାଜଋଷିଙ୍କର । ଯେ ପଥ ଅତି ଅଗୋଚର ॥ ୧୪୦

ମାୟାକୁ ପରିହାର କରି । ଯେ କର୍ମେ ଆୟୁର୍ବଳ ସାରି ॥ ୧୪୧

ସେ ପଥ ପାର ନ ଦେଖନ୍ତି । ଲେଉଟି ସଂସାରେ ଭ୍ରମନ୍ତି ॥ ୧୪୨

ଏଣୁ ଋଷିଏ ଶ୍ରଦ୍ଧାଚିତ୍ତେ । ଗାବନ୍ତି ଭରତଚରିତେ ॥ ୧୪୩

ଭରତ ରାଜଋଷିବର । ତା ପଥ ଅତି ଅଗୋଚର ॥ ୧୪୪

ଯୋଗର ଅନୁଶୀଳ କରେ । ଯେ ମାର୍ଗେ ଅମର ଶରୀରେ ॥ ୧୪୫

ଆପଦ-ନରକୁ ବିମୁକ୍ତ । ଯାହାକୁ ଭାବନ୍ତି ଜଗତ ॥ ୧୪୬

ପ୍ରାଣୀର ମନୋରଥ ପଥେ । ଅଗମ୍ୟ ଅଟଇ ଯୁଗତେ ॥ ୧୪୭

ଏମନ୍ତ କେବା ନରଦେବ । ତା ପଥେ ପଥିକ ହୋଇବ ॥ ୧୪୮

ଗରୁଡ଼ପକ୍ଷୀ ଗତି ଯହିଁ । ମକ୍ଷିକା ଗତି ତହିଁ କାହିଁ ॥ ୧୪୯

ଦୁସ୍ତ୍ୟଜ ସୁତ ଦାରା ଧନ । ସୁହୃଦ ରାଜ୍ୟ ଗୃହମାନ ॥ ୧୫୦

ଏହା ଯେ ତୁଚ୍ଛପ୍ରାୟେ ବୁଝେ । ଉତ୍ତମଶ୍ଳୋକ ପାଦେ ଭଜେ ॥ ୧୫୧

ଯାହାର ସାମ୍ରାଜ୍ୟ-ବିଭବ । ତ୍ରିଦଶମାନଙ୍କୁ ଦୁର୍ଲଭ ॥ ୧୫୨

ଏହା ନ ଦେଖି ସାଧୁ ଚିତ୍ତେ । ମହତ ଗୁରୁପାଦଗତେ ॥ ୧୫୩

ସେବିଣ ମନ-ବୁଦ୍ଧି ଦେଇ । ଥିଲେ ଯେ ମନକୁ ବୁଡାଇ ॥ ୧୫୪

ହେ ଯଜ୍ଞଧର୍ମ ତପୋମୟ । ବିଧି-ନିପୁଣ ଯୋଗଦେହ ॥ ୧୫୫

ସାଂଖ୍ୟଯୋଗରେ ଯେହୁ ସାର । ହେ ପ୍ରଭୁ ପ୍ରକୃତି ଈଶ୍ୱର ॥ ୧୫୬

ହେ ନାରାୟଣ କୃଷ୍ଣ ହରି । ଏମନ୍ତ ନାମ ମୁଖେ ଧରି ॥ ୧୫୭

ଛାଡିଲେ ମୃଗକଳେବର । କି ଅବା ଦେବା ପଟାନ୍ତର ॥ ୧୫୮

ହେ ଭାଗବତ ପରୀକ୍ଷିତ । ବିଶୁଦ୍ଧକର୍ମା ଯେ ଭରତ ॥ ୧୫୯

ଏହା ଶଗୁଣ-ଚରିତମାନ । ପଢ଼ନ୍ତି ଶୁଣନ୍ତି ଯେ ଜନ ॥ ୧୬୦

ଆୟୁଷ ଯଶ ଧର୍ମ ତାର । ଲଭଇ ମଙ୍ଗଳ ଅପାର ॥ ୧୬୧

ଏହା ଯେ ଶୁଣେ ଶୁଦ୍ଧଚିତ୍ତେ । ଭରତ ଉପାଖ୍ୟାନ ଗତେ ॥ ୧୬୨

କୃଷ୍ଣଚରଣେ ଭକ୍ତି ତାର । ଅଶେଷପାପୁ ହୋଏ ପାର ॥ ୧୬୩

ଯେବେ ହୋଇବ ସିନ୍ଧୁ ପାର । ଗୋବିନ୍ଦପାଦେ ଆଶ୍ରେ କର ॥ ୧୬୪

ପ୍ରଭୁ-ପଦାରବିନ୍ଦଗତେ । ମନ ମୋ ରହୁ ଅବିରତେ ॥ ୧୬୫

ପଞ୍ଚମସ୍କନ୍ଧେ ଭାଗବତ । ସୁଜନେ ଶୁଣ ଦେଇ ଚିତ୍ତ ॥ ୧୬୬

ଅମୃତ-ରସମୟ-ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୬୭

ବୋଲଇ ଜଗନ୍ନାଥ ଦାସ । ଭରତ-ଗୀତ-କଥାରସ ॥ ୧୬୮

ଇତିଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ପଞ୍ଚମସ୍କନ୍ଧେ ଭରତୋପାଖ୍ୟାନେ ଚତୁର୍ଦ୍ଦଶୋଽଧ୍ୟାୟଃ ॥

* * *