ପଞ୍ଚମ ସ୍କନ୍ଧ
ତ୍ରୟୋଦଶ ଅଧ୍ୟାୟ
ଜଡ଼ଭରତ ଉବାଚ
ଏ ପଥ ଅତ୍ୟନ୍ତ-ଦୁର୍ଗମ । ପ୍ରବୃତ୍ତିମାର୍ଗ ଯାର ନାମ ॥ ୧
ମାୟାରେ ତହିଁ ପ୍ରବେଶିଣ । ଯେ ଭବ ଗହନ-ଅରଣ୍ୟ ॥ ୨
ସତ୍ତ୍ୱ-ରଜ-ତମର ମତେ । ପୃଥକଭାବେ କର୍ମ ଚିନ୍ତେ ॥ ୩
ସଂସାର-ଅରଣ୍ୟେ ଭ୍ରମଇଁ । ସୁଖର ଲେଖ ତାର ନାହିଁ ॥ ୪
ଯେମନ୍ତେ ବଣିଜାରମାନେ । ଅର୍ଥଅର୍ଜନ ଲୋଭମନେ ॥ ୫
ଏ ଯେ ସଂସାର ମହାଘୋର । ଅରଣ୍ୟ ଅତି ଭୟଙ୍କର ॥ ୬
ଏଥି ନିବେଶେ ମୂଢ ମନ । ନାନାଯାତନାର ଯେ ସ୍ଥାନ ॥ ୭
ଯେ ବନେ ଷଡ଼ଇନ୍ଦ୍ରି-ଚୋର । ନାନାଭୋଗରେ ତତପର ॥ ୮
ଦେଖ ସଂସାରେ କୁନାୟକ । ବୁଦ୍ଧି-ସାରଥି ଅବିବେକ ॥ ୯
ଶୃଗାଳତୁଲ୍ୟ ଦାରାପୁତ୍ର । ସେ ବନେ ଅଛନ୍ତି ନିରତ ॥ ୧୦
ଯେ ଯାହା ମତେ ଆକର୍ଷନ୍ତି । ମେଷକୁ ଯେହ୍ନେ ବୃକପନ୍ତି ॥ ୧୧
ସେ ବନେ ଲତା ତୃଣ ଗୁଳ୍ମ । ଗହ୍ୱରପ୍ରାୟ କାମ୍ୟକର୍ମ ॥ ୧୨
ଦୁର୍ଜନ-ମଶକାଦି ତେଣେ । ପୀଡ଼ନ୍ତି କଠୋର-ଦଂଶନେ ॥ ୧୩
ଗନ୍ଧର୍ବପୁରପ୍ରାୟ ଦେହେ । ମଣେ ଅସତ୍ୟ ସତ୍ୟପ୍ରାୟେ ॥ ୧୪
ନିବାସ ପଶୁ ଯେ ଦ୍ରବିଣ । ତହିଁରେ ହୋଇ ହୃଷ୍ଟମନ ॥ ୧୫
କରଇ ତହିଁ ଆତ୍ମବୁଦ୍ଧି । ଏମନ୍ତ ବନେ ସେ ଦୁର୍ବୁଦ୍ଧି ॥ ୧୬
ବାତ-ଭ୍ରମିତ ରେଣୁ ଲାଗି । ଚକ୍ଷୁ ହୁଅଇ ଦୁଃଖଭାଗୀ ॥ ୧୭
ବିବିଧ-ଘୋରସ୍ୱନ ଲାଗି । କର୍ଣ୍ଣ ହୁଅଇ ଦୁଃଖଭାଗୀ ॥ ୧୮
ଉଲ୍ଲକଆଦି ଘୋରବାଣୀ । ଆତ୍ମା ଦୁଃଖିତ ତାହା ଶୁଣି ॥ ୧୯
କ୍ଷୁଧାପୀଡିତ ଯେବେ ହୋଇ । ନିଷ୍ଫଳ-ବୃକ୍ଷକୁ ଧାମଇଁ ॥ ୨୦
କେବେ ବା ମୃଗତୃଷ୍ଣା ଦେଖି । ତୃଷାରେ ଧାମଇଁ ନିରେଖି ॥ ୨୧
ନିରାଶ ହୋଇଣ ତହିଁରେ । ଧାମଇଁ ଶୁଷ୍କନଦୀତୀରେ ॥ ୨୨
ଅନ୍ୟୋନ୍ୟଭାବକୁ ସେ ବହି । ନିର୍ଦ୍ଧନ-ପ୍ରାଣୀଙ୍କି ମାଗଇ ॥ ୨୩
ଦାରା ତନୟ ଅଗ୍ନି ପ୍ରାୟେ । ତହିଁ କ୍ରୀଡ଼ଇ ମାୟାମୋହେ ॥ ୨୪
କେବେହେଁ ଶାନ୍ତି ନ ଭଜଇ । ପୁଣି ଉଦ୍ବେଗ-ମନ ହୋଇ ॥ ୨୫
ବିବିଧ-ଶୋକ-ଦୁଃଖ ପାଇ । ପରମକ୍ଲେଶକୁ ଲଭଇ ॥ ୨୬
ଗନ୍ଧର୍ବପୁରେ ପ୍ରବେଶିଣ । ପ୍ରମୋଦଲଭେ ଏକକ୍ଷଣ ॥ ୨୭
କଣ୍ଟକ-ଦୁର୍ଗମ-ପାଷାଣେ । ନିରତେ ଭ୍ରମେ ଅକାରଣେ ॥ ୨୮
ବିମନ ହୋଇ ଦୁଃଖପାଇ । କ୍ଷଣକେ ପୁଣି ପାଶୋରଇ ॥ ୨୯
ଅନ୍ତର-ବାହାରେ ଯନ୍ତ୍ରିତ । ପ୍ରାଣୀ ହୁଅଇ ଅବିରତ ॥ ୩୦
କୁଟୁମ୍ବ ପାଇଁ ନାନାପାପ । ବିପକ୍ଷପକ୍ଷେ ବହେ କୋପ ॥ ୩୧
ଦୁଷ୍ଟଜନ୍ତୁରେ ପୀଡ଼ା ପାଇ । ବିପିନେ ନିରତେ ଭ୍ରମଇଁ ॥ ୩୨
ଅନ୍ଧ ଯେସନେ ଅନ୍ଧକୂପେ । ପଡ଼ଇ କର୍ମର ବିପାକେ ॥ ୩୩
ସେ ଭବବନେ କଦାଚିତ । ପରଯୋଷିତେ ହୋଇରତ ॥ ୩୪
ତା ସ୍ୱାମୀ ଦେଖିଲେ ଦଣ୍ତଇ । ତହିଁରେ ବ୍ୟଥିତ ହୁଅଇ ॥ ୩୫
କାହିଁ ବା ଶୀତ ବର୍ଷା ବାତ । ଗ୍ରୀଷମେ ହୁଅଇ ପୀଡିତ ॥ ୩୬
ଧନବିହୁନେ ଗୃହ ନାହିଁ । ଶଯ୍ୟା ଆସନ ଅବା କାହିଁ ॥ ୩୭
ଲୋଡ଼ଇ ପୁଣି ପରଧନ । ତେଣେ ହୁଅଇ ହୀନିମାନ ॥ ୩୮
ଦୁଃଖେ ଅର୍ଜିତ ଯେତେ ଧନ । କେହି ବା ହରାଇ ବିପନ୍ନ ॥ ୩୯
ତାହାଙ୍କ ତେଜି ଅନ୍ୟେ ଯାନ୍ତି । ପୁଣି ଲେଉଟି ନ ଆସନ୍ତି ॥ ୪୦
ଏ ମୋର ଭୂମି ମୋର ଗୃହ । ପଣ୍ତିତେ କରନ୍ତି କଳହ ॥ ୪୧
ଯେ ସର୍ବ ଶ୍ରୀକୃଷ୍ଣେ ଅର୍ପଇ । ତା ଗତି ପାଇବେ ସେ କାହିଁ ॥ ୪୨
ବାଳଭାଷିତେ ମୋହ ହୋଇ । ଯୋଷିତ-ଭୁଜଲତା କେହି ॥ ୪୩
ଆଶ୍ରୟ କରି କାଳଡରେ । ପାଷଣ୍ତ ସଙ୍ଗତେ ବିହରେ ॥ ୪୪
ତହିଁ ବଞ୍ଚିତ ହୋଇ ପୁଣ । ହଂସର ତୁଲ୍ୟ ବିପ୍ରଗଣ ॥ ୪୫
ସେଙ୍ଗ ବିହରେ କିଛିକାଳ । ତାଙ୍କ ଆଚାର କୁଳଶୀଳ ॥ ୪୬
ଦେଖି ନ ମଣେ ତାକୁ ଈଷ୍ଟ । ମର୍କଟ ସଙ୍ଗେ ହୁଏ ଭ୍ରଷ୍ଟ ॥ ୪୭
କେବେ ବା ପ୍ରମାଦ ବଶରେ । ପଡଇ ଗିରି କନ୍ଦରରେ ॥ ୪୮
ପୁଣି ଭ୍ରମଇଁ ଛାଡି କରି । ନିର୍ଭୟ-ପଥକୁ ଆବୋରି ॥ ୪୯
ତହିଁ ଅତି-କଷ୍ଟରୁ ନର । ବାହୁଡି ଭ୍ରମଇଁ ଅପାର ॥ ୫୦
ପୁଣି ଆତ୍ମାର ତତ୍ତ୍ୱବାଣୀ । କ୍ଷଣକେ ପାଶୋରଇ ପ୍ରାଣୀ ॥ ୫୧
ମାୟା-ରଚିତ ଏ ସଂସାର । ନିସ୍ତାର ନୋହେ ମୂଢନର ॥ ୫୨
ନାନାକୁକର୍ମରେ ଭ୍ରମନ୍ତି । ଆତ୍ମା-କାରଣ ନ ଜାଣନ୍ତି ॥ ୫୩
ହେ ରହୂଗଣ ଏ ସଂସାର । ଦୁର୍ଗମପଥ ଯେ ଏହାର ॥ ୫୪
ସେ ଜୀବଆତ୍ମା ଏଣୁ ତୁଲ୍ୟ । ଜାଣଇ ପ୍ରାଣୀ-ମନ୍ଦଭଲ ॥ ୫୫
ସୁଜିତଆତ୍ମା ହୋଇ ତହିଁ । ହରିସେବାରେ ମନଦେଇ ॥ ୫୬
ଜ୍ଞାନଖଡଗ ଧରି କର । ନିଶ୍ଚିନ୍ତେ ଏଥୁ ହୁଅ ପାର ॥ ୫୭
ରହୂଗଣ ଉବାଚ
ସାଧୁମାନଙ୍କ ଜନ୍ମସାର । ସଂସାରେ କିବା ଜନ୍ମ ଆର ॥ ୫୮
ଯେ ଜନ ହୃଷୀକେଶ-ଗୁଣ । ବଦନେ କରେ ଉଚ୍ଚାରଣ ॥ ୫୯
ଶ୍ରବଣେ ଶୁଣି ଯଶଗାଇ । ସୁସାଧୁ ସଙ୍ଗତେ ବସଇ ॥ ୬୦
ଭୋ ସ୍ୱାମୀ ତୁମ୍ଭ ପାଦରେଣୁ । ମୋ ଦେହେ ଲାଗିଲାକ ଯେଣୁ ॥ ୬୧
ସର୍ବଦୁରିତ କ୍ଷୟଗଲା । ମନ ମୋ ନିର୍ମଳ ହୋଇଲା ॥ ୬୨
ଅବିଦ୍ୟାକର୍ମ ଯେ ମୋହର । ଭୋ ସ୍ୱାମୀ ସମାଗମେ ତୋର ॥ ୬୩
ଅବିବେକାଦି ଯେ ପ୍ରମାଦେ । ହତ ହୋଇଲେ ତୋ ପ୍ରସାଦେ ॥ ୬୪
ନମଇଁ ମହତ-ଈଶ୍ୱର । ନମସ୍ତେ ଶିଶୁରୂପଧର ॥ ୬୫
ତୁ ନାଥ ଯୁବାରୂପଧର । ତୋତେ ମୋହର ନମସ୍କାର ॥ ୬୬
ଅବଧୂତରୁପକୁ ଧରି । ପୃଥିବୀ ପର୍ଯ୍ୟଟନ କରି ॥ ୬୭
ଏମନ୍ତ ରୂପ ଯେ ତୁମ୍ଭର । ତୋ ପାଦେ ମୋର ନମସ୍କାର ॥ ୬୮
ଏ ରୂପ ଧରି ଯେ ବ୍ରାହ୍ମଣ । ପୃଥିବୀ କରେ ପର୍ଯ୍ୟଟନ ॥ ୬୯
ପ୍ରଜାଙ୍କ କୁଶଳ ନିମନ୍ତେ । ଭାବେ ଭ୍ରମଣ ଏ ଜଗତେ ॥ ୭୦
ଶୁକ ଉବାଚ
ଏମନ୍ତେ ରହୂଗଣ ବାଣୀ । ସାନନ୍ଦେ ଶୁଣି ବିପ୍ରମଣି ॥ ୭୧
ପରମ-କରୁଣାକୁ ବହି । ରହୂଗଣକୁ ତତ୍ତ୍ୱ କହି ॥ ୭୨
ହରଷ ହୋଇ ରହୂଗଣ । ବନ୍ଦିଲେ ତାହାଙ୍କ ଚରଣ ॥ ୭୩
ରାଜାର ପୂଜାକୁ ଘେନିଲେ । ଧରଣୀ-ଭ୍ରମଣେ ଗମିଲେ ॥ ୭୪
ସେ ନରପତି ରହୂଗଣ । ପରମତତ୍ତ୍ୱକୁ ପାଇଣ ॥ ୭୫
ଆତ୍ମା ଅବିଦ୍ୟା ଧ୍ୟାନ ଯେତେ । ଦେହ ଅହଙ୍କାର ସହିତେ ॥ ୭୬
ତକ୍ଷଣେ ଛାଡ଼ିଲା ସକଳ । ଶୁଣ ପରୀକ୍ଷ ମହୀପାଳ ॥ ୭୭
ଆଶ୍ରିତ-ଭାଗବତଜନ । ଏଡ଼େ ପ୍ରଭାବ ହେ ରାଜନ ॥ ୭୮
ପରୀକ୍ଷିତ ଉବାଚ
ଯେତେ ପ୍ରକାରେ ଏ ସଂସାର । ବର୍ଣ୍ଣିଲେ ବ୍ରାହ୍ମଣ-କୁମର ॥ ୭୯
ଯେ ଭାଗବତ-ଶ୍ରେଷ୍ଠନର । ଜାଣିବ ତହିଁ ବିଚାର ॥ ୮୦
ଏହାଙ୍କ ବାକ୍ୟ ଅନୁସରି । ଯେ ପ୍ରାଣି ହେତୁରେ ନ ଧରି ॥ ୮୧
ତାଙ୍କର କି ଗତି ଅପାର । ଏ ଯେ ଦୁରଧିଗମ୍ୟ ମୋର ॥ ୮୨
ତାହାର ସଂଘଟନ ଯେତେ । ବୁଝାଇ କହ ମୋ ଅଗ୍ରତେ ॥ ୮୩
ତୁ ଅନୁଗ୍ରହ କରି କହ । ମୋହର ଫେଡିବା ସନ୍ଦେହ ॥ ୮୪
ସେ ବିପ୍ର ରହୂଗଣ ବାଣୀ । କର୍ଣ୍ଣେ ଶୁଣନ୍ତି ଯେତେ ପ୍ରାଣୀ ॥ ୮୫
ସକଳ ପାପୁ ସେ ତରନ୍ତି । ଅନ୍ତେ କୈବଲ୍ୟକୁ ଲଭନ୍ତି ॥ ୮୬
କହଇ ବିପ୍ର ଜଗନ୍ନାଥ । ପଞ୍ଚମସ୍କନ୍ଧେ ଭାଗବତ ॥ ୮୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା
ସଂହିତାୟାଂ ପଞ୍ଚମସ୍କନ୍ଧେ ତ୍ରୟୋଦଶୋଽଧ୍ୟାୟଃ ॥
* * *