ପଞ୍ଚମ ସ୍କନ୍ଧ

ଦ୍ୱାଦଶ ଅଧ୍ୟାୟ

ରହୂଗଣ ଉବାଚ

ନମଇଁ ପ୍ରଭୁ ବିପ୍ରବର । ପ୍ରାଣୀଙ୍କ ହିତେ ତୋ ଶରୀର ॥

ସ୍ୱଇଚ୍ଛା-ବିହାର ତୋହର । ନମସ୍ତେ ଦୟାର ସାଗର ॥

ବେଶରେ ତୁହି ଅବଧୂତ । ମାୟାରୂପରେ ତୁ ଯେ ସ୍ଥିତ ॥

ଗୁପତଭାବେ ଭ୍ରୁମ ତୁହି । ତୋହର ମାୟା କେ ଜାଣଇ ॥

ବିଅର୍ଥେ ପ୍ରାଣୀ ଆତଯାତ । ତୁ ଯେ ମାୟାର ପରେ ସ୍ଥିତ ॥

ବ୍ୟାଧିରେ ପୀଡିତ ଯେ ଜନ । ତାହର ଔଷଧି ଯେସନ ॥

ନିଦାଘ-ଆତପେ ପୀଡିତ । ତାହାକୁ ଯେହ୍ନେ ଜଳଶୀତ ॥

ସଂସାର-ଦୁଃଖ-ଦାବାନଳ । ତହିଁ ମୁଁ ହୋଇଲି ଆକୁଳ ॥

ପୀୟୂଷରସ ତୁମ୍ଭ ବାଣୀ । ପିଇ ତରିଲି ଦ୍ୱିଜମଣି ॥

ସଂଶୟ ମନରୁ ମୋହର । ତୁମ୍ଭେ ଛେଦିବ ବିପ୍ରବର ॥ ୧୦

ଅଜ୍ଞାନ-ଜଡ଼ଭାବ ଥିଲେ । ତାହା ଛେଦିବ ତୁମ୍ଭେ ଭଲେ ॥ ୧୧

ଅଧ୍ୟାତ୍ମଯୋଗ ତୋ ବଚନ । ଶୁଣି ସନ୍ତୋଷ ମୋର ମନ ॥ ୧୨

ତ‌ତ୍ତ୍ୱଜ୍ଞାନରେ ପ୍ରାଣୀଙ୍କର । ମନ ନୋହଇ ଦୃଢ଼ତର ॥ ୧୩

ଯେତେ ଏ କ୍ରିୟାଫଳମାନ । କହିଲ ଈଶ୍ୱର-ଅଧୀନ ॥ ୧୪

ପରମତ‌ତ୍ତ୍ୱ ଏ ବେଭାର । ପୃଥୁଳବୁଦ୍ଧି ମାନଙ୍କର ॥ ୧୫

ଏ ଯେ ସଂଶୟ ମନେ ମୋର । ଭୋ ବିପ୍ର ଛେଦନ ତୁ କର ॥ ୧୬

ଜଡ଼ଭରତ ଉବାଚ

ପାର୍ଥିବ-ବିକାର ଯେହୁଟି । ଭାରକୁ ବହଇ ସେହିଟି ॥ ୧୭

ଶ୍ରମ ଯେ ହୋଇବ କାହାର । ଏହାକୁ ବୁଝ ନୃପବର ॥ ୧୮

ଶରୀରେ ଅଛି ଯେ ଚରଣ । ତହିଁ ଉପରେ ଗୁଳ୍‌ଫ ଜାଣ ॥ ୧୯

ଜାନୁ ଊରୁ ଯେ ମଧ୍ୟଦେଶ । ବକ୍ଷସ୍ଥଳ ଯେ ସ୍କନ୍ଧଦେଶ ॥ ୨୦

ସ୍କନ୍ଧରେ ବିମାନ ଅଛଇ । କେ ତାର ଭାରକୁ ବହଇ ॥ ୨୧

ତହିଁରେ ଅବୟବ ବହି । ସୌବୀର ରାଜା ବସିଛଇଁ ॥ ୨୨

ସେ ଅଟେ ପାର୍ଥିବ-ବିକାର । ଏହା ତୁ ନୃପ ହେତୁକର ॥ ୨୩

ଏହି ବିକାରେ ଅଭିମାନ । ତୋହର ହୋଇଛି ରାଜନ ॥ ୨୪

ଏ ଯେ ସଂସାରେ ପ୍ରାଣୀମାନେ । ନୃପସେବକ ନାମ ଭିନ୍ନେ ॥ ୨୫

କେହୁ କାହାକୁ ନମସ୍କାର । କରଇ ଆଚାର ବେଭାର ॥ ୨୬

ଏ ଜୀବମାନେ ବସି ତହିଁ । ନାନା-କୁକଥାମାନ କହି ॥ ୨୭

ମୁଁ ନୃପ ବୋଲି ଅହଙ୍କାର । ଏ ମୂଢ଼ଲୋକଙ୍କ ବେଭାର ॥ ୨୮

ପ୍ରାଣୀଙ୍କି ଦଣ୍ତ ଦେଉ ତୁହି । ଏମନ୍ତେ ନାନାକଥା କହି ॥ ୨୯

ପ୍ରମତ୍ତଭାବକୁ ଧଇଲୁ । ଏଣୁ ତୁ ମୋତେ ନ ଚିହ୍ନିଲୁ ॥ ୩୦

ଦେଖ ଏ ଅଖିଳସଂସାର । ଜନ୍ମଇଁ ଯହୁଁ ଚରାଚର ॥ ୩୧

ଯା ତହୁଁ ନାନା ଯାହାପରେ । ବଡ଼ଟି ନାହିଁ ଏ ସଂସାରେ ॥ ୩୨

ପରମ ଅଣୁ ସୂକ୍ଷ୍ମ ସ୍ଥୂଳ । ଏ ଆଦି ଯେତେକ ସକଳ ॥ ୩୩

ତା ବିନୁ ଅନ୍ୟ କେହି ନାହିଁ । ଅଜ୍ଞାନମତି ନ ଜାଣଇ ॥ ୩୪

ବୃହତ କ୍ଷୁଦ୍ର ଆଦି ଯେତେ । ନିର୍ଜୀବ ସଜୀବ ସହିତେ ॥ ୩୫

ଦ୍ରବ୍ୟ ସ୍ୱଭାବ କାଳ କର୍ମ । ପୃଥକଭାବ ଯେହୁ ନାମ ॥ ୩୬

ଜ୍ଞାନ ବିଶୁଦ୍ଧ ସେ ଅଟଇ । ପରମଆତ୍ମା-ରୂପ ବହି ॥ ୩୭

ଏକ ଅନେକ ସର୍ବ ସେହି । ପ୍ରଭୁଙ୍କ ବିନୁ ଆନ ନାହିଁ ॥ ୩୮

ସର୍ବଜ୍ଞପୁରୁଷ ଅଚ୍ୟୁତ । ତାହାର ଲୀଳା ଏ ଜଗତ ॥ ୩୯

ସେ ପ୍ରଭୁ ଅଖିଳକାରଣ । ମୁନିଏ କରନ୍ତି ଗାୟନ ॥ ୪୦

ହେ ରହୂଗଣ ସାବଧାନେ । ଶୁଣ ତୁ ମୋହର ବଚନେ ॥ ୪୧

ବିବିଧ-ତପ ଯଜ୍ଞକର୍ମ । କି ଅବା ବେଦଅଧ୍ୟୟନ ॥ ୪୨

ଏ ଆଦି ଯେତେ ହେ ରାଜନ । ସକଳ-ଶ୍ରେଷ୍ଠ ଭକ୍ତଜନ ॥ ୪୩

ଯା ପାଦରଜେ ପାପମାନ । ନିଃଶେଷେ ହୁଅନ୍ତି ଖଣ୍ତନ ॥ ୪୪

ଉତ୍ତମଶ୍ଳୋକ କଥାସାର । ଯେ ପ୍ରାଣୀ କରନ୍ତି ଉଚ୍ଚାର ॥ ୪୫

ଗ୍ରାମ୍ୟକଥାରେ ତାର ମତି । କେବେହେଁ ନୁହଁଇ ସଙ୍ଗତି ॥ ୪୬

ଯେବେ ନିଶ୍ଚଳଭାବେ ମନ । ପ୍ରଭୁରେ କରଇ ଅର୍ପଣ ॥ ୪୭

ତାହାଙ୍କୁ ପ୍ରଭୁ ଭାବଗ୍ରାହୀ । ସ‌ତ୍ତ୍ୱପ୍ରଧାନ-ମତି ଦେଇ ॥ ୪୮

ଏବେ ତୁ ଶୁଣ ନୃପମଣି । ଆମ୍ଭର ପୂର୍ବଜନ୍ମ-ବାଣୀ ॥ ୪୯

ଭରତ ନାମେ ରାଜା ମୁହିଁ । ବ୍ରହ୍ମାର ବଂଶେ ଜାତ ହୋଇ ॥ ୫୦

ସର୍ବସମ୍ପଦ ଦୂର କଲି । ନିଶ୍ଚଳେ ପ୍ରଭୁଙ୍କୁ ଭଜିଲି ॥ ୫୧

ପୂର୍ବଅର୍ଜିତ କର୍ମଫଳ । ମୃଗବାଳକେ ମତିଭୋଳ ॥ ୫୨

ଯେଣୁ ଅସାଧୁସଙ୍ଗ କଲି । ମୃଗଶରୀର ମୁଁ ପାଇଲି ॥ ୫୩

ପୂର୍ବଜନ୍ମର ପୁଣ୍ୟ ଥିଲା । ପ୍ରଭୁଙ୍କ କରୁଣା ହୋଇଲା ॥ ୫୪

ତେଣୁ ପୂର୍ବର କଥାମାନ । ମୋହର ହୋଇଲା ସ୍ମରଣ ॥ ୫୫

ଏବେ ହୋ ଶୁଣ ନୃପବର । ଲଭିଲି ବ୍ରାହ୍ମଣ-ଶରୀର ॥ ୫୬

ଏଣୁ ସଙ୍ଗକୁ ମୁହିଁ ଡ଼ରି । ଏ ଜଡ଼ରୂପକୁ ଆବୋରି ॥ ୫୭

ଭ୍ରମଇଁ ଏ ଘୋର-ସଂସାରେ । କର୍ମବନ୍ଧନ ଖଣ୍ତିବାରେ ॥ ୫୮

ଏକାକୀ ନିବୃତ୍ତ-ବେଭାରେ । ମନ ନିବେଶି କୃଷ୍ଣଠାରେ ॥ ୫୯

ଶୁଣ ରାଜନ ଏକମନେ । ଏଣୁ ସଂସାରେ ପ୍ରାଣୀମାନେ ॥ ୬୦

ଅସତ-ସଙ୍ଗୁ ମୋକ୍ଷ ନୋହେ । ନାନାଯୋନିରେ ଦେହ ବହେ ॥ ୬୧

ସାଧୁସଙ୍ଗତେ ସଙ୍ଗ ଯାର । ପବିତ୍ର ହୁଏ ତା ଶରୀର ॥ ୬୨

ନିଶ୍ଚଳମତି ସେ ହୁଅଇ । ସଂସାରସାଗରୁ ତରଇ ॥ ୬୩

ସାଧୁସଙ୍ଗତି ପ୍ରଭାବରେ । ପ୍ରଭୁର କୃପା ହୋଇ ତାରେ ॥ ୬୪

ସେ ଯେ ଅନାଦି ଚକ୍ରଧର । ଜଗତବନ୍ଧୁ ଦାମୋଦର ॥ ୬୫

ସେ ପ୍ରଭୁ ପଦ୍ମପାଦତଳେ । ମୋ ମନ ରହିବ ନିଶ୍ଚଳେ ॥ ୬୬

ଜଡ଼ଭରତ-ତ‌ତ୍ତ୍ୱବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୬୭

ବୋଲଇ ବିପ୍ର ଜଗନ୍ନାଥ । ପଞ୍ଚମସ୍କନ୍ଧେ ଭାଗବତ ॥ ୬୮

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ପଞ୍ଚମସ୍କନ୍ଧେ ବ୍ରାହ୍ମଣ-ରହୂଗଣ ସମ୍ବାଦେ

ଦ୍ୱାଦଶୋଽଧ୍ୟାୟଃ ॥

* * *