ପଞ୍ଚମ ସ୍କନ୍ଧ
ଦ୍ୱାଦଶ ଅଧ୍ୟାୟ
ରହୂଗଣ ଉବାଚ
ନମଇଁ ପ୍ରଭୁ ବିପ୍ରବର । ପ୍ରାଣୀଙ୍କ ହିତେ ତୋ ଶରୀର ॥ ୧
ସ୍ୱଇଚ୍ଛା-ବିହାର ତୋହର । ନମସ୍ତେ ଦୟାର ସାଗର ॥ ୨
ବେଶରେ ତୁହି ଅବଧୂତ । ମାୟାରୂପରେ ତୁ ଯେ ସ୍ଥିତ ॥ ୩
ଗୁପତଭାବେ ଭ୍ରୁମ ତୁହି । ତୋହର ମାୟା କେ ଜାଣଇ ॥ ୪
ବିଅର୍ଥେ ପ୍ରାଣୀ ଆତଯାତ । ତୁ ଯେ ମାୟାର ପରେ ସ୍ଥିତ ॥ ୫
ବ୍ୟାଧିରେ ପୀଡିତ ଯେ ଜନ । ତାହର ଔଷଧି ଯେସନ ॥ ୬
ନିଦାଘ-ଆତପେ ପୀଡିତ । ତାହାକୁ ଯେହ୍ନେ ଜଳଶୀତ ॥ ୭
ସଂସାର-ଦୁଃଖ-ଦାବାନଳ । ତହିଁ ମୁଁ ହୋଇଲି ଆକୁଳ ॥ ୮
ପୀୟୂଷରସ ତୁମ୍ଭ ବାଣୀ । ପିଇ ତରିଲି ଦ୍ୱିଜମଣି ॥ ୯
ସଂଶୟ ମନରୁ ମୋହର । ତୁମ୍ଭେ ଛେଦିବ ବିପ୍ରବର ॥ ୧୦
ଅଜ୍ଞାନ-ଜଡ଼ଭାବ ଥିଲେ । ତାହା ଛେଦିବ ତୁମ୍ଭେ ଭଲେ ॥ ୧୧
ଅଧ୍ୟାତ୍ମଯୋଗ ତୋ ବଚନ । ଶୁଣି ସନ୍ତୋଷ ମୋର ମନ ॥ ୧୨
ତତ୍ତ୍ୱଜ୍ଞାନରେ ପ୍ରାଣୀଙ୍କର । ମନ ନୋହଇ ଦୃଢ଼ତର ॥ ୧୩
ଯେତେ ଏ କ୍ରିୟାଫଳମାନ । କହିଲ ଈଶ୍ୱର-ଅଧୀନ ॥ ୧୪
ପରମତତ୍ତ୍ୱ ଏ ବେଭାର । ପୃଥୁଳବୁଦ୍ଧି ମାନଙ୍କର ॥ ୧୫
ଏ ଯେ ସଂଶୟ ମନେ ମୋର । ଭୋ ବିପ୍ର ଛେଦନ ତୁ କର ॥ ୧୬
ଜଡ଼ଭରତ ଉବାଚ
ପାର୍ଥିବ-ବିକାର ଯେହୁଟି । ଭାରକୁ ବହଇ ସେହିଟି ॥ ୧୭
ଶ୍ରମ ଯେ ହୋଇବ କାହାର । ଏହାକୁ ବୁଝ ନୃପବର ॥ ୧୮
ଶରୀରେ ଅଛି ଯେ ଚରଣ । ତହିଁ ଉପରେ ଗୁଳ୍ଫ ଜାଣ ॥ ୧୯
ଜାନୁ ଊରୁ ଯେ ମଧ୍ୟଦେଶ । ବକ୍ଷସ୍ଥଳ ଯେ ସ୍କନ୍ଧଦେଶ ॥ ୨୦
ସ୍କନ୍ଧରେ ବିମାନ ଅଛଇ । କେ ତାର ଭାରକୁ ବହଇ ॥ ୨୧
ତହିଁରେ ଅବୟବ ବହି । ସୌବୀର ରାଜା ବସିଛଇଁ ॥ ୨୨
ସେ ଅଟେ ପାର୍ଥିବ-ବିକାର । ଏହା ତୁ ନୃପ ହେତୁକର ॥ ୨୩
ଏହି ବିକାରେ ଅଭିମାନ । ତୋହର ହୋଇଛି ରାଜନ ॥ ୨୪
ଏ ଯେ ସଂସାରେ ପ୍ରାଣୀମାନେ । ନୃପସେବକ ନାମ ଭିନ୍ନେ ॥ ୨୫
କେହୁ କାହାକୁ ନମସ୍କାର । କରଇ ଆଚାର ବେଭାର ॥ ୨୬
ଏ ଜୀବମାନେ ବସି ତହିଁ । ନାନା-କୁକଥାମାନ କହି ॥ ୨୭
ମୁଁ ନୃପ ବୋଲି ଅହଙ୍କାର । ଏ ମୂଢ଼ଲୋକଙ୍କ ବେଭାର ॥ ୨୮
ପ୍ରାଣୀଙ୍କି ଦଣ୍ତ ଦେଉ ତୁହି । ଏମନ୍ତେ ନାନାକଥା କହି ॥ ୨୯
ପ୍ରମତ୍ତଭାବକୁ ଧଇଲୁ । ଏଣୁ ତୁ ମୋତେ ନ ଚିହ୍ନିଲୁ ॥ ୩୦
ଦେଖ ଏ ଅଖିଳସଂସାର । ଜନ୍ମଇଁ ଯହୁଁ ଚରାଚର ॥ ୩୧
ଯା ତହୁଁ ନାନା ଯାହାପରେ । ବଡ଼ଟି ନାହିଁ ଏ ସଂସାରେ ॥ ୩୨
ପରମ ଅଣୁ ସୂକ୍ଷ୍ମ ସ୍ଥୂଳ । ଏ ଆଦି ଯେତେକ ସକଳ ॥ ୩୩
ତା ବିନୁ ଅନ୍ୟ କେହି ନାହିଁ । ଅଜ୍ଞାନମତି ନ ଜାଣଇ ॥ ୩୪
ବୃହତ କ୍ଷୁଦ୍ର ଆଦି ଯେତେ । ନିର୍ଜୀବ ସଜୀବ ସହିତେ ॥ ୩୫
ଦ୍ରବ୍ୟ ସ୍ୱଭାବ କାଳ କର୍ମ । ପୃଥକଭାବ ଯେହୁ ନାମ ॥ ୩୬
ଜ୍ଞାନ ବିଶୁଦ୍ଧ ସେ ଅଟଇ । ପରମଆତ୍ମା-ରୂପ ବହି ॥ ୩୭
ଏକ ଅନେକ ସର୍ବ ସେହି । ପ୍ରଭୁଙ୍କ ବିନୁ ଆନ ନାହିଁ ॥ ୩୮
ସର୍ବଜ୍ଞପୁରୁଷ ଅଚ୍ୟୁତ । ତାହାର ଲୀଳା ଏ ଜଗତ ॥ ୩୯
ସେ ପ୍ରଭୁ ଅଖିଳକାରଣ । ମୁନିଏ କରନ୍ତି ଗାୟନ ॥ ୪୦
ହେ ରହୂଗଣ ସାବଧାନେ । ଶୁଣ ତୁ ମୋହର ବଚନେ ॥ ୪୧
ବିବିଧ-ତପ ଯଜ୍ଞକର୍ମ । କି ଅବା ବେଦଅଧ୍ୟୟନ ॥ ୪୨
ଏ ଆଦି ଯେତେ ହେ ରାଜନ । ସକଳ-ଶ୍ରେଷ୍ଠ ଭକ୍ତଜନ ॥ ୪୩
ଯା ପାଦରଜେ ପାପମାନ । ନିଃଶେଷେ ହୁଅନ୍ତି ଖଣ୍ତନ ॥ ୪୪
ଉତ୍ତମଶ୍ଳୋକ କଥାସାର । ଯେ ପ୍ରାଣୀ କରନ୍ତି ଉଚ୍ଚାର ॥ ୪୫
ଗ୍ରାମ୍ୟକଥାରେ ତାର ମତି । କେବେହେଁ ନୁହଁଇ ସଙ୍ଗତି ॥ ୪୬
ଯେବେ ନିଶ୍ଚଳଭାବେ ମନ । ପ୍ରଭୁରେ କରଇ ଅର୍ପଣ ॥ ୪୭
ତାହାଙ୍କୁ ପ୍ରଭୁ ଭାବଗ୍ରାହୀ । ସତ୍ତ୍ୱପ୍ରଧାନ-ମତି ଦେଇ ॥ ୪୮
ଏବେ ତୁ ଶୁଣ ନୃପମଣି । ଆମ୍ଭର ପୂର୍ବଜନ୍ମ-ବାଣୀ ॥ ୪୯
ଭରତ ନାମେ ରାଜା ମୁହିଁ । ବ୍ରହ୍ମାର ବଂଶେ ଜାତ ହୋଇ ॥ ୫୦
ସର୍ବସମ୍ପଦ ଦୂର କଲି । ନିଶ୍ଚଳେ ପ୍ରଭୁଙ୍କୁ ଭଜିଲି ॥ ୫୧
ପୂର୍ବଅର୍ଜିତ କର୍ମଫଳ । ମୃଗବାଳକେ ମତିଭୋଳ ॥ ୫୨
ଯେଣୁ ଅସାଧୁସଙ୍ଗ କଲି । ମୃଗଶରୀର ମୁଁ ପାଇଲି ॥ ୫୩
ପୂର୍ବଜନ୍ମର ପୁଣ୍ୟ ଥିଲା । ପ୍ରଭୁଙ୍କ କରୁଣା ହୋଇଲା ॥ ୫୪
ତେଣୁ ପୂର୍ବର କଥାମାନ । ମୋହର ହୋଇଲା ସ୍ମରଣ ॥ ୫୫
ଏବେ ହୋ ଶୁଣ ନୃପବର । ଲଭିଲି ବ୍ରାହ୍ମଣ-ଶରୀର ॥ ୫୬
ଏଣୁ ସଙ୍ଗକୁ ମୁହିଁ ଡ଼ରି । ଏ ଜଡ଼ରୂପକୁ ଆବୋରି ॥ ୫୭
ଭ୍ରମଇଁ ଏ ଘୋର-ସଂସାରେ । କର୍ମବନ୍ଧନ ଖଣ୍ତିବାରେ ॥ ୫୮
ଏକାକୀ ନିବୃତ୍ତ-ବେଭାରେ । ମନ ନିବେଶି କୃଷ୍ଣଠାରେ ॥ ୫୯
ଶୁଣ ରାଜନ ଏକମନେ । ଏଣୁ ସଂସାରେ ପ୍ରାଣୀମାନେ ॥ ୬୦
ଅସତ-ସଙ୍ଗୁ ମୋକ୍ଷ ନୋହେ । ନାନାଯୋନିରେ ଦେହ ବହେ ॥ ୬୧
ସାଧୁସଙ୍ଗତେ ସଙ୍ଗ ଯାର । ପବିତ୍ର ହୁଏ ତା ଶରୀର ॥ ୬୨
ନିଶ୍ଚଳମତି ସେ ହୁଅଇ । ସଂସାରସାଗରୁ ତରଇ ॥ ୬୩
ସାଧୁସଙ୍ଗତି ପ୍ରଭାବରେ । ପ୍ରଭୁର କୃପା ହୋଇ ତାରେ ॥ ୬୪
ସେ ଯେ ଅନାଦି ଚକ୍ରଧର । ଜଗତବନ୍ଧୁ ଦାମୋଦର ॥ ୬୫
ସେ ପ୍ରଭୁ ପଦ୍ମପାଦତଳେ । ମୋ ମନ ରହିବ ନିଶ୍ଚଳେ ॥ ୬୬
ଜଡ଼ଭରତ-ତତ୍ତ୍ୱବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୬୭
ବୋଲଇ ବିପ୍ର ଜଗନ୍ନାଥ । ପଞ୍ଚମସ୍କନ୍ଧେ ଭାଗବତ ॥ ୬୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ପଞ୍ଚମସ୍କନ୍ଧେ ବ୍ରାହ୍ମଣ-ରହୂଗଣ ସମ୍ବାଦେ
ଦ୍ୱାଦଶୋଽଧ୍ୟାୟଃ ॥
* * *