ପଞ୍ଚମ ସ୍କନ୍ଧ

ଏକାଦଶ ଅଧ୍ୟାୟ

ଜଡ଼ଭରତ ଉବାଚ

ହେ ନୃପ ଶୁଣ ସାବଧାନେ । ତୁ ଯେ କହିଲୁ ଅନୁମାନେ ॥

ମୂର୍ଖ-ପଣ୍ତିତ ଦୁଇମତ । ଏ କଥା ଅଟଇ ଉଚିତ ॥

ତଥାପି ପଣ୍ତିତ ତୁ ନୋହୁ । ପଣ୍ତିତପ୍ରାୟେ କଥା କହୁ ॥

କେ କାହା ସ୍ୱାମୀ କେବା ଭତ୍ୟ । ଏମନ୍ତ ଜାଣ ନରନାଥ ॥

ଅଜ୍ଞାନବଶୁ ଦେଖୁ ଭିନ୍ନ । ତ‌ତ୍ତ୍ୱବିଚାରେ ସର୍ବସମ ॥

ଅପରେ ଶୁଣ ହେ ରାଜନ । ଗୃହ କର୍ମରେ ଯେଉଁଜନ ॥

ସୁକର୍ମବିଦ୍ୟାକୁ ଆଚରେ । ତ‌ତ୍ତ୍ୱଜ୍ଞାନକୁ ମନେ ଧରେ ॥

ପଣ୍ତିତ ବୋଲିବା ତାହାରେ । ସେ ଶୁଦ୍ଧ ଏ ଘୋର-ସଂସାରେ ॥

ସେ ସାଧୁ ବୋଲାଇ ସଂସାରେ । ପ୍ରାଣୀଙ୍କି ଯେବା ଦୟାକରେ ॥

ଦଣ୍ତିବା ଶକ୍ତି ଯାର ଥାଇ । ସେ ଯେବେ କ୍ଷମା ଆଚରଇ ॥ ୧୦

ସାଧୁଙ୍କ ଶ୍ରେଷ୍ଠ ସେହୁ ନର । ସୁଖଦୁଃଖରୁ ସେ ବାହାର ॥ ୧୧

ଅପରେ ଶୁଣ ନୃପବର । ଯାବତ ପ୍ରାଣୀମାନଙ୍କର ॥ ୧୨

ସ‌ତ୍ତ୍ୱ ରଜ ତମ ଗୁଣରେ । ମନ ରହଇ ଦୃଢତରେ ॥ ୧୩

ଯେ ଗୁଣ ଯାହାର ହୁଅଇ । ସେ ଗୁଣେ ପ୍ରାଣୀ ପ୍ରକାଶଇ ॥ ୧୪

କୁଶଳ ମନ୍ଦଭାବେ ଦୁଇ । ମଧ୍ୟମ ଭାବକୁ ବହଇ ॥ ୧୫

ଧରଇ ଗୁଣ ଅନୁସାରେ । ରୂପ ଗୁଣ ନାମ ବେଭାରେ ॥ ୧୬

ଯେ ଦୁଃଖସୁଖ ଆଦି କରି । ଲଭଇ କର୍ମକୁ ଆବୋରି ॥ ୧୭

ଦେଖ ଏ ଅନିତ୍ୟ-ଶରୀର । ମାୟା-ଚରିତ ଆତ୍ମାସାର ॥ ୧୮

ତାହାର ଗୁଣ ଅନୁସାରେ । ପ୍ରାଣୀ ଯେ କର୍ମମାନ କରେ ॥ ୧୯

କ୍ଷେତ୍ରଜ୍ଞାଭାବକୁ ସେ ବହି । ସକଳ-ସାକ୍ଷୀ ହୋଇ ରହି ॥ ୨୦

ତେଣୁ କହନ୍ତି ବେଦସାର । ଗୁଣନିର୍ଗୁଣ ଏ ବିଚାର ॥ ୨୧

ସଗୁଣେ ପ୍ରାଣୀମାନଙ୍କର । ନାନାବ୍ୟସନର ଆଚାର ॥ ୨୨

ନିର୍ଗୁଣଭାବକୁ ଯେ ଧରେ । ସେ ପ୍ରାଣୀ ଭବସିନ୍ଧୁ ତରେ ॥ ୨୩

ଘୃତ-ପ୍ରଦୀପ ପ୍ରାୟେ ହୋଇ । ସଗୁଣେ ସଂସାରେ ଭ୍ରମଇଁ ॥ ୨୪

ଦ୍ରବ୍ୟ ସ୍ୱଭାବ କାଳ କର୍ମ । ଆଶ୍ରୟ ଅଙ୍ଗ ହେ ରାଜନ ॥ ୨୫

ମାୟାରବଳେ ଏ ସଂସାରେ । ପ୍ରାଣୀମାନଙ୍କ ମନ ହରେ ॥ ୨୬

କ୍ଷେତ୍ରଜ୍ଞଭାବକୁ ଆଚରି । ଶରୀର ରହିଛି ଆବୋରି ॥ ୨୭

ପ୍ରତ୍ୟକ୍ଷଭାବେ କେବେ ଥାଇ । କେବେ ବା ପ୍ରାଣୀ ନ ଜାଣଇ ॥ ୨୮

ଶୁଦ୍ଧ-ଅଶୁଦ୍ଧ ଏ ଶରୀରେ । ଦେଖଇ ଭୁଞ୍ଜଇ ବିକାରେ ॥ ୨୯

ଅପରେ ଶୁଣ ହେ ରାଜନ । କ୍ଷେତ୍ରଜ୍ଞ ପୁରୁଷ-ପୁରାଣ ॥ ୩୦

ପରମଆତ୍ମା ଜ୍ୟୋତିର୍ମୟ । ଅନାବୃତ ସେ ସର୍ବଦେହ ॥ ୩୧

ସେ ନାରାୟଣ ଭଗବାନ । ବାସୁଦେବ ଆଦିକାରଣ ॥ ୩୨

ଯାର ସ୍ମରଣେ ପାପମାନ । ବିଶେଷେ ହୁଅନ୍ତି ଖଣ୍ତନ ॥ ୩୩

ସ୍ୱକୀୟ-ମାୟାରେ ଜଗତ । କ୍ରୀଡା କରି ଅବିରଚ ॥ ୩୪

ସ୍ଥାବରଜଙ୍ଗମାଦି ଠାରେ । ପବନ ଯେସନେ ସଞ୍ଚରେ ॥ ୩୫

ତେମନ୍ତ ହୋଇ ସର୍ବଠାରେ । କ୍ଷେତ୍ରଜ୍ଞରୂପେ ସେ ବିହରେ ॥ ୩୬

ଯାବତକାଳ ପ୍ରାଣୀମନ । ମାୟାକୁ ନ କରେ ଖଣ୍ତନ ॥ ୩୭

ଷଡ଼ଅଇରି ନ ଜିଣଇ । ବିମୁକ୍ତସଙ୍ଗ ସେ ନୁହଇ ॥ ୩୮

ପ୍ରଭୁଙ୍କୁ ଏ ରୂପେ ନ ଜାଣେ । ତାବତ ଭ୍ରମେ ଅକାରଣେ ॥ ୩୯

ସଂସାର-ତାପେ ଗ୍ରସ୍ତମନ । ସେ ଯେ ଅନାଦି ନାରାୟଣ ॥ ୪୦

ଯାବତ ତାଙ୍କୁ ନ ଚିହ୍ନଇ । ଶୋକ-ମୋହରେ ଭ୍ରମୁଥାଇ ॥ ୪୧

ତୁ ଏବେ ଶୁଣ ନୃପବର । ସେ ଯେ ବ୍ରହ୍ମାଣ୍ତର ଠାକୁର ॥ ୪୨

ଅଖିଳପ୍ରାଣୀଙ୍କର ଗୁରୁ । ଯାର ମହିମା ମହାମେରୁ ॥ ୪୩

ତାହାର ଚରଣାରବିନ୍ଦେ । ମନ ନିବଶେି ଅପ୍ରମାଦେ ॥ ୪୪

ମାୟା-କପଟ ଏ ସଂସାର । ତୁ ଏହା ଶୀଘ୍ର ପରିହର ॥ ୪୫

ପଞ୍ଚମସ୍କନ୍ଧେ ବିପ୍ରବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୪୬

ସେ ପ୍ରଭୁ ପାଦକମଳରେ । ମନ ମୋ ରହୁ ନିରନ୍ତରେ ॥ ୪୭

କହଇ ବିପ୍ର ଜଗନ୍ନାଥ । ହରିଚରିତ ଭାଗବତ ॥ ୪୮

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ପଞ୍ଚମସ୍କନ୍ଧେ ବ୍ରାହ୍ମଣରହୂଗଣସମ୍ବାଦେ

ଏକଦଶୋଽଧ୍ୟାୟଃ ॥

* * *