ପଞ୍ଚମ ସ୍କନ୍ଧ

ଦଶମ ଅଧ୍ୟାୟ

ଶୁକ ଉବାଚ

ଏଥୁ ଅନ୍ତରେ ଏକଦିନେ । ଶୁଣ ରାଜନ ସାବଧାନେ ॥

ସିନ୍ଧୁପତି ଯେ ରହୂଗଣ । ସେ ରାଜା ବିଷ୍ଣୁ ପରାୟଣ ॥

ତାହାର ଏକ ଶ୍ରେଷ୍ଠଭୃତ୍ୟେ । ରାଜାର ଗମନ ନିମନ୍ତେ ॥

ବମାନ ବହିବାର ପାଇଁ । ଏକ ପୁରୁଷେ ସେ ଲୋଡଇ ॥

ଦଇବଯୋଗ ଦେଖ ତାର । ସେ ବିଷ୍ଣୁଅଂଶ ବିପ୍ରବର ॥

ସେଠାରେ ହେଲା ଉପସ୍ଥିତ । ତାକୁ ଦେଖିଲା ନୃପଦୂତ ॥

ହରଷମନେ ବିଚାରଇ । ଏହାର ତୁଲ୍ୟ କେହି ନାହିଁ ॥

ଅତିବଳିଷ୍ଠ ଏ ଶରୀର । ବିମାନ ବହିବ ନିକର ॥

ଏମନ୍ତେ ଶୀଘ୍ରେ ଘେନିଗଲା । ବିମାନ ବୁହାରେ ଖଞ୍ଜିଲା ॥

ତହିଁ ନିଯୁକ୍ତ ନର ସଙ୍ଗେ । ବିମାନ ବହିଲା ସେ ରଙ୍ଗେ ॥ ୧୦

ସାକ୍ଷାତେ ବିଷ୍ଣୁଭକ୍ତ ସେହି । ପର ଅଧୀନ ପ୍ରାୟ ହୋଇ ॥ ୧୧

ସେ ଯେ ପରମ-ଭାଗବତ । ଏ କର୍ମ ତାର ଅନୁଚିତ ॥ ୧୨

ପୂର୍ବେ ଯେ ପାପକର୍ମ କଲା । ଅସାଧୁ-ସଙ୍ଗକୁ ଭଜିଲା ॥ ୧୩

ସେହି ସକାଶୁ ଏହିଗତି । ଶୁଣ ତୁ ଏକମନେ ଚିନ୍ତି ॥ ୧୪

ବିମାନ ବହି ନ ଜାଣଇ । ବିଷମସମେ ସେ ଚଳଇ ॥ ୧୫

କ୍ଷୁଦ୍ର-ଜୀବଙ୍କ ମୃତ୍ୟୁଭୟେ । ପାଦ ନ କ୍ଷେପନ୍ତି ନିର୍ଭୟେ ॥ ୧୬

ତେଣୁ ବିମାନ ବକ୍ର ହୋଇ । ରାଜା ଦେହରେ କଷ୍ଟ ପାଇ ॥ ୧୭

ବିମାନ ବୁହା ପୁରୁଷରେ । ନୃପ କହଇ କୋପଭରେ ॥ ୧୮

ବିଷମସମ ଭାବ ହୋଇ । ବିମାନ ବହ କାହିଁ ପାଇଁ ॥ ୧୯

ପ୍ରଭୁବଚନ କୋପଭରେ । ଶୁଣି କମ୍ପନ୍ତି ସେ କିଙ୍କରେ ॥ ୨୦

ଅତ୍ୟନ୍ତ ଭୟଚିତ୍ତ ହୋଇ । ଜଡ଼କୁ ଦେଲେ ସେ ଦେଖାଇ ॥ ୨୧

ଭୋନାଥ ଆମ୍ଭ ଦୋଷ ନାହିଁ । ଏ ଯେ ପୁରୁଷ ନ ଚଳଇ ॥ ୨୨

ଏହାର ବକ୍ରଗତି ପାଇଁ । ବିମାନ ବକ୍ରଭାବ ହୋଇ ॥ ୨୩

ଭୋନାଥ ଶୁଣ ସାବଧାନେ । ପୁଣି ହିଁ ଚଳଇ ବିଷମେ ॥ ୨୪

ଏହାର ସଙ୍ଗତେ ରାଜନ । ବହି ନ ପାରିବୁ ବିମାନ ॥ ୨୫

ଏହାର ସଂସର୍ଗ ଦୋଷରେ । ଆମ୍ଭଙ୍କୁ ଦଣ୍ତିବ ବେଭାରେ ॥ ୨୬

ଏମନ୍ତେ ଭୃତ୍ୟବାକ୍ୟ ଶୁଣି । ସେ ଯେ ରାଜନ ଶିରୋମଣି ॥ ୨୭

ଏହାଙ୍କୁ ସଂସର୍ଗ ଦୋଷରେ । କିମ୍ପା ଦଣ୍ତିବା ଅବିଚାରେ ॥ ୨୮

ରାଜା ସ୍ୱଭାବେ ସାଧୁ ହୋଇ । ରଜୋଗୁଣରୁ କ୍ରୋଧ ବହି ॥ ୨୯

ବିଷ୍ଣୁଭକତ ନୃପବର । ଭରତେ ବୋଲନ୍ତି ଉତ୍ତର ॥ ୩୦

ପୁଷ୍ଟ ପୃଥୁଳ ତୋ ଶରୀର । କଠିନ ପୀନ ଗ୍ରୀବା ତୋର ॥ ୩୧

ସ୍ଥକିତେ ଚଳୁ କି କାରଣ । ଏ ତୋର ଦେହ ନିଷ୍କାରଣ ॥ ୩୨

ଏ କ୍ଷୁଦ୍ରେ ତୋର ସଙ୍ଗତରେ । ବିମାନ ବୁହନ୍ତି ତ‌ତ୍ପରେ ॥ ୩୩

ବ୍ୟର୍ଥ ତୋହର କଳେବର । ମିଥ୍ୟାରେ ବହୁ ତୁ ଶରୀର ॥ ୩୪

ଏମନ୍ତେ ଶୁଣ ପରୀକ୍ଷିତ । ସେ ଯେ ବ୍ରାହ୍ମଣ ବିଷ୍ଣୁଭକ୍ତ ॥ ୩୫

ଏମନ୍ତ ବଚନେ ମଉନ । ସ୍ୱଭାବେ ବହନ୍ତି ବିମାନ ॥ ୩୬

ପୁଣି ବିମାନ ବକ୍ର ହେଲା । ସେ ରାଜା ଅତି କୋପ କଲା ॥ ୩୭

ରାଜା ଉବାଚ

ଆରେ ପାମର ମୂଢ଼ଚିତ୍ତ । ଜୀବନ ଥାଉଁ ତୁହି ମୃତ ॥ ୩୮

ମୋହର ଅଙ୍ଗେ କଷ୍ଟ ଦେଉ । ପ୍ରମତ୍ତଭାବକୁ ତୁ ବହୁ ॥ ୩୯

ଯମର ପ୍ରାୟ ମୁଁ ଅଟଇ । ଦୁଷ୍ଟଙ୍କ ଦର୍ପ ବିନାଶଇ ॥ ୪୦

ତୋହର ମତ୍ତଭାବ ମୁହିଁ । ଆଜହୁଁ ଦୂର କରିବଇଁ ॥ ୪୧

ଏମନ୍ତେ ଅତି ନିନ୍ଦାମାନ । ଜଡକୁ କଲା ସେ ରାଜନ ॥ ୪୨

ରଜୋଗୁଣରୁ ତମ ତାର । ତମୋଗଣରୁ ଅହଙ୍କାର ॥ ୪୩

ସେ ଯେ ବ୍ରାହ୍ମଣର କୁମର । ସକଳଭୂତେ ଦୟାପର ॥ ୪୪

ଈଷତହାସ୍ୟ-ବଦନରେ । ବଚନ କହନ୍ତି ରାଜାରେ ॥ ୪୫

ବ୍ରାହ୍ମଣ ଉବାଚ

ଭୋ ନୃପ ଶୁଣ ସାବଧାନେ । ତୁମ୍ଭେ ଯା କହିଲ ବଚନେ ॥ ୪୬

ହେ ବୀର ଭାର ନାମ ଯେହି । ଭାର ବହଇ ଅବା କେହି ॥ ୪୭

ଗମନ କରି ନ ପାରଇ । ଅତିହିଁ ସ୍ଥୂଳ ମୋର ଦେହୀ ॥ ୪୮

ଜୀବନ ମୃତ ଯେ ବୋଇଲ । ସେ କଥା ସତ୍ୟଟି କହିଲ ॥ ୪୯

ଯେ ସ୍ଥୂଳ କୃଶ ଆଧି ବ୍ୟାଧି । କ୍ଷୁଧା ପିପାସା ଭୟ ଆଦି ॥ ୫୦

ନିଦ୍ରା ବିହାର କ୍ରୋଧ ଯେତେ । ମଦ ଅହଙ୍କାର ସହିତେ ॥ ୫୧

ଯା ଦେହେ ଅଭିମାନ ଥାଇ । ତାହାର ତହିଁ ଏତେ ଥାଇ ॥ ୫୨

ମୋର ଦେହରେ ଏତେ ନାହିଁ । ଏଣୁ ଜୀବନମୃତ ମୁହିଁ ॥ ୫୩

ବିଶେଷ କହିଲି ରାଜନ । ବ୍ରହ୍ମବିଚାରେ ଏ ବଚନ ॥ ୫୪

କେ ଅବା କାହାରେ ବହଇ । ଏମନ୍ତ ମୁହିଁ ନ ଦେଖଇ ॥ ୫୫

କେବା ଈଶ୍ୱର କେ କିଙ୍କର । ଏମନ୍ତ ନ ଦେଖି ଅପର ॥ ୫୬

ତୁମ୍ଭେ ଆମ୍ଭରେ ଏ ବଚନ । କେମନ୍ତେ କହିଲ ରାଜନ ॥ ୫୭

ଆମ୍ଭେ କି କରିବୁ ତୁମ୍ଭରେ । ସ୍ୱଭାବେ ଏ ଜଡ଼-ଶରୀରେ ॥ ୫୮

ପ୍ରମତ୍ତ-ଜଡ଼ଭାବେ ମୁହିଁ । ବିମାନ କେବେ ବହିନାହିଁ ॥ ୫୯

ଶୁକ ଉବାଚ

ଶୁଣ ପରୀକ୍ଷ ନୃପବର । ସେ ଯେ ବ୍ରାହ୍ମଣର କୁମର ॥ ୬୦

ସୁଶୀଳ ସାଧୁ ସମଚିତ୍ତ । ବିଶେଷେ ଶ୍ରୀକୃଷ୍ଣଭକତ ॥ ୬୧

ରାଜାର ବାକ୍ୟ ଅନୁସାରେ । ଏମନ୍ତ କହି ସେ ମଧୁରେ ॥ ୬୨

ପ୍ରାରବ୍‌ଧକର୍ମ କ୍ଷୟପାଇଁ । ପୁଣି ବହନ୍ତି ତୁନିହୋଇ ॥ ୬୩

ଏମନ୍ତେ ଶୁଣ ନୃପବର । ବିଷୟକର୍ମ କରି ଦୂର ॥ ୬୪

ତ‌ତ୍ତ୍ୱଜିଜ୍ଞାସା ନିମନ୍ତରେ । ରାଜା ଯେ ଥାଏ ସ୍ନେହଭରେ ॥ ୬୫

ବିପ୍ର ବଚନେ ତ‌ତ୍ତ୍ୱଜ୍ଞାନ । ବିଷୟ ଭ୍ରମ ତା ଖଣ୍ତନ ॥ ୬୬

ଅମୃତପ୍ରାୟ ତାଙ୍କ ବାଣୀ । ମନେ ଚିନ୍ତିଲା ନୃପମଣି ॥ ୬୭

ତକ୍ଷଣେ ଶୀଘ୍ରତର ହୋଇ । ବିମାନୁ ପଡିଲା ଓହ୍ଲାଇ ॥ ୬୮

ବ୍ରାହ୍ମଣ ପାଦଯୁଗଳରେ । ଶିର ସମର୍ପି ଭୟାତୁରେ ॥ ୬୯

ବୋଲଇ ବାକ୍ୟ ଗଦଗଦ । କ୍ଷମା କରିବା ଅପରାଧ ॥ ୭୦

କେ ତୁମ୍ଭେ କହ ସ୍ୱାମୀ ମୋରେ । କରୁଣାକର ଏ କିଙ୍କରେ ॥ ୭୧

ଗୁପତଭାବେ ଭ୍ରମୁଥାଅ । ବ୍ରାହ୍ମଣଭାବ ତୁମ୍ଭ ଦେହ ॥ ୭୨

କି ଅବା ଅବଧୂତ-ବର । କେମନ୍ତେ ମିଳିଲ ଏଠାର ॥ ୭୩

କାହିଁ ତୁମ୍ଭର ନିଜସ୍ଥାନ । କେମନ୍ତେ ବହିଲ ବିମାନ ॥ ୭୪

ଏ ଯେତେ ଅପରାଧ ମୋର । କ୍ଷମା ତୁ କର ଦ୍ୱିଜବର ॥ ୭୫

ଇନ୍ଦ୍ରାଦି ଯେତେ ଦେବାସୁର । ପବନ ଅଗ୍ନିଦିବାକର ॥ ୭୬

ଏହାଙ୍କ କ୍ରୋଧକୁ ମୋହର । ଭୟ ଯେ ନାହିଁ ଦ୍ୱିଜବର ॥ ୭୭

ବ୍ରାହ୍ମଣଅପମାନେ ମୋର । ହୃଦ କମ୍ପଇ ଥରହର ॥ ୭୮

ଏଣୁ ଅପରାଧ ମୋହର । କ୍ଷମାକରିବା ବିପ୍ରବର ॥ ୭୯

ଅଶେଷଜ୍ଞାନର କାରଣ । ତୁ ନାଥ ବିଷ୍ଣୁପରାୟଣ ॥ ୮୦

ଅଜ୍ଞାନ-ପ୍ରାଣୀମାନଙ୍କରେ । ଦେଖୁ ଏଜଡ଼ ଶରୀରେ ॥ ୮୧

ତୋହର ଯେତେ ବାକ୍ୟମାନ । ଗ୍ରଥିତ ହୋଇଅଛି ଜ୍ଞାନ ॥ ୮୨

ସକଳବର୍ଣ୍ଣ‌ଗୁରୁ ତୁହି । ତୋତେ ମୁଁ ପ୍ରଶନ କରଇ ॥ ୮୩

ଜ୍ଞାନ-ସ୍ୱରୂପ ତୋ ଶରୀର । ଭୋନାଥ ମୋତେ କୃପାକର ॥ ୮୪

ଅଦ୍ଭୁତ-ଜଡ଼ରୂପ ହୋଇ । ପ୍ରାଣୀଙ୍କ ହିତେ ଭ୍ରମୁ ତୁହି ॥ ୮୫

ଭୋନାଥ ବିପ୍ର-ଯୋଗେଶ୍ୱର । ମୁଁ ମୂଢ ପତିତ ପାମର ॥ ୮୬

କେମନ୍ତେ ତୋତେ ଚିହ୍ନିବଇଁ । ସ୍ୱଭାବେ ଗୃହବନ୍ଧେ ଥାଇ ॥ ୮୭

ଏ ଯେ ମୋହର ଅନୁଚର । ଅତ୍ୟନ୍ତ ମୂଢ ଦୁରାଚାର ॥ ୮୮

ଅଜ୍ଞାନହେତୁ ଆଣି ଦେଲେ । ବିଧାତାଘଟଣାର ବଳେ ॥ ୮୯

ଭାର ବହିଲେ ଶ୍ରମ ହୋଇ । ତୁ କିମ୍ପା ବୋଲୁ ଶ୍ରମ ନାହିଁ ॥ ୯୦

ସକଳ ବସ୍ତୁ ଏ ଜଗତେ । ମିଥ୍ୟାତୁ ବୋଲୁ ବା କେମନ୍ତେ ॥ ୯୧

ଘଟାଦି ଯେବେ ମିଥ୍ୟା ହୋଇ । କେମନ୍ତେ ଜଳ ଆଣି ତହିଁ ॥ ୯୨

ଆତ୍ମାର ସ୍ଥୂଳ କୁଶଭାବ । କେମନ୍ତେ ନୁହଁଇ ସମ୍ଭବ ॥ ୯୩

ଅଗ୍ନିର ତାପ ପାତ୍ରେ ଯାଇ । ସେ ତାପେ ଜଳ ଉଷ୍ଣ ହୋଇ ॥ ୯୪

ତହୁଁ ତଣ୍ତୁଳ ତାପ ପାଇ । ଅନ୍ନ ରୂପରେ ସିଦ୍ଧ ହୋଇ ॥ ୯୫

ଇନ୍ଦ୍ରିରୁ ପ୍ରାଣେ ପ୍ରାଣୁ ମନେ । ଜୀବ ତା ଭୁଞ୍ଜଇ ତକ୍ଷଣେ ॥ ୯୬

ତେସନ ଦେହ ଗ୍ରୀଷ୍ମତାପେ । ସେ ତାପ ଇନ୍ଦ୍ରିଗଣେ ବ୍ୟାପେ ॥ ୯୭

ଉପାଧି ଧର୍ମ ପୁରୁଷର । କେମନ୍ତେ ବୋଲୁ ନୁହେ ତାର ॥ ୯୮

ତୁ ଯେ ବୋଇଲୁ ଏହା ସତ୍ୟ । କେ ଅବାପ୍ରଭୁ କେବା ଭୃତ୍ୟ ॥ ୯୯

ତଥାପି ରାଜାପ୍ରଜାଭାବ । ଅବଶ୍ୟ ସଂସାରେ ରହିବ ॥ ୧୦୦

ବିଚାର କରି ଧର୍ମାଧର୍ମ । କରିବ ଦଣ୍ତ ଯେ ପାଳନ ॥ ୧୦୧

କୃଷ୍ଣ ଆଦେଶ ମଣି କଲେ । ପାପ ନଲାଗେ ତାକୁ ଭଲେ ॥ ୧୦୨

ମୁଁ ତୋତେ କଲି ଅପମାନ । ଏ ଦୋଷ ମୋହର ନଘେନ ॥ ୧୦୩

ତୋହର ମାନଅପମାନ । ତୁଲ୍ୟ ବା ବୋଲିବୁ ଏସନ ॥ ୧୦୪

ତଥାପି ମହତ-ଲଂଘନ । ଦୋଷେ ମୁଁ ନାଶ ଯିବି ଜାଣ ॥ ୧୦୫

ଏଣୁ ମାଗି କ୍ଷମାକର । ଯେଣୁ ତୁ କାତରବତ୍ସଳ ॥ ୧୦୬

ଶୁଣ ପରୀକ୍ଷ ସାବଧାନେ । ସେ ବିପ୍ର ନୃପତି ବଚନେ ॥ ୧୦୭

ଜ୍ଞାନ ବୈରାଗ୍ୟ ଆଦି କରି । ସକଳ ଅଛି ତହିଁ ପୂରି ॥ ୧୦୮

ଗୋବିନ୍ଦ-ପାଦପଦ୍ମ-ତଳେ । ମନ ତୁ ରୁହାଅ ନିଶ୍ଚଳେ ॥ ୧୦୯

ପଞ୍ଚମସ୍କନ୍ଧେ ହରିବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୧୦

କୃଷ୍ଣଚରିତ ସୁଧାରସ । କହଇ ଜଗନ୍ନାଥଦାସ ॥ ୧୧୧

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା

ସଂହିତାୟାଂ ପଞ୍ଚମସ୍କନ୍ଧେ ଦଶମୋଽଧ୍ୟାୟଃ ॥

* * *