ପଞ୍ଚମ ସ୍କନ୍ଧ
ନବମ ଅଧ୍ୟାୟ
ଶୁକ ଉବାଚ
ଶୁଣ ରାଜନ ପରୀକ୍ଷିତ । ଏ ଅନନ୍ତରେ ସେ ଭରତ ॥ ୧
ସନ୍ଧ୍ୟାଦି ତପ ଶମଦମ । ତିତିକ୍ଷା ଆଦି ଯେ ନିୟମ ॥ ୨
ଜ୍ଞାନୀଙ୍କ ମଧ୍ୟେ ଶ୍ରେଷ୍ଠବର । ଦ୍ୱିଜ ଆଙ୍ଗରସ-ପ୍ରବର ॥ ୩
ଏ ସବୁ ଗୁଣେ ଗୁଣୀ ସେହି । ପତ୍ନୀ ତାହାଙ୍କ ଥିଲା ଦୁଇ ॥ ୪
ଜ୍ୟେଷ୍ଠଭାର୍ଯ୍ୟାର ନବସୁତ । ପିତାଙ୍କ ତୁଲ୍ୟେ ଗୁଣବନ୍ତ ॥ ୫
କନିଷ୍ଠାଭାର୍ଯ୍ୟା ଗର୍ଭଜାତ । ଏକ ଦୁହିତା ଏକ ସୁତ ॥ ୬
ଏ ସୁତ ମହାଭାଗବତ । ସେହି ସେ ରାଜର୍ଷି ଭରତ ॥ ୭
ମୃଗଦେହକୁ ତ୍ୟାଗ କରି । ତଦନ୍ତେ ବିପ୍ରରୂପ ଧରି ॥ ୮
ଦ୍ୱିଜଙ୍କ ପୁତ୍ରଭାବ ବହି । ଜନ୍ମ ଲଭିଲେ ତାଙ୍କ ତହିଁ ॥ ୯
ଅପରେ ତାର ସହୋଦର । ଉତ୍ତମ-ସାଧୁଶୀଳପର ॥ ୧୦
ସେ ସାଧୁସଙ୍ଗରୁ ରାଜନ । ତାହାର ହେଲା ଶୁଦ୍ଧଜ୍ଞାନ ॥ ୧୧
ଯେଣୁ କର୍ମବନ୍ଧ ଖଣ୍ତନ । ଶ୍ରୀକୃଷ୍ଣ ନାମ-କର୍ମ-ଗୁଣ ॥ ୧୨
ତାହା ଶୁଣଇ ଅବିରତେ । ପଦାରବିନ୍ଦ ଧାୟି ଚିତ୍ତେ ॥ ୧୩
ପ୍ରଭୁଙ୍କ କୃପାରୁ ରାଜନ । ପୂର୍ବଜନ୍ମର କଥାମାନ ॥ ୧୪
ସ୍ମରଣ ହୋଇଲା ତାହାର । ଅସାଧୁ ସଙ୍ଗକୁ ତା ଡର ॥ ୧୫
ଉନ୍ମତ୍ତ ଜଡ ଯେ ବଧିର । ପ୍ରାୟେ ସେ ବ୍ରାହ୍ମଣ-କୁମର ॥ ୧୬
ଅଶେଷ-ଜ୍ଞାନେ ଶ୍ରେଷ୍ଠ ହୋଇ । କପଟ ଲୋକରେ ଦେଖାଇ ॥ ୧୭
ତେବେହେଁ ପୁତ୍ରଠାରେ ତାର । ସଂସ୍କାର କଲାକ କୁମର ॥ ୧୮
ବେଦ-ଉଚିତ-କର୍ମ ଯେତେ । ଦଶକର୍ମରେ ଯଥୋଚିତେ ॥ ୧୯
ଶୁଣ ପରୀକ୍ଷ ନୃପବର । ସେ ଯେଉଁ ବ୍ରାହ୍ମଣକୁମର ॥ ୨୦
ଶଉଚ ଆଚମନ ବିଧି । ବ୍ରାହ୍ମଣ-କର୍ମ ଯେ ପ୍ରସିଦ୍ଧି ॥ ୨୧
ଗୁରୁଙ୍କ ଉପଦେଶ ବିନେ । ଜାଣିଲା ସେ ଯେ ଅନୁମାନେ ॥ ୨୨
ପୁତ୍ରର ଶୁଦ୍ଧମନ ଜାଣି । ସେ ଯେ ବ୍ରାହ୍ମଣ-ଶିରୋମଣି ॥ ୨୩
ଅତ୍ୟନ୍ତ ସ୍ନେହଭର ହୋଇ । ମନ ଅର୍ପିଲା ତାର ତହିଁ ॥ ୨୪
ଓଁକାର ଆଦି ବେଦସାର । ବ୍ୟାହୃତି-ପ୍ରଣବ-ଅକ୍ଷର ॥ ୨୫
ସାବିତ୍ରୀ-ମୂଳମନ୍ତ୍ର-ସାର । ସାନନ୍ଦେ ଦେଲେ ବିପ୍ରବର ॥ ୨୬
ଯଜନଆଦି ଷଟକର୍ମ । ଏ ଯେ ବ୍ରାହ୍ମଣ ନିଜଧର୍ମ ॥ ୨୭
ପୁରୁଷସୂକ୍ତଆଦି ଯେତେ । ସର୍ବ କହିଲେ ଯଥୋଚିତେ ॥ ୨୮
ପ୍ରତୁସ୍ନେହରେ ବିପ୍ରବର । ଶିକ୍ଷା କରନ୍ତି ନିରନ୍ତର ॥ ୨୯
ସମ୍ପୂର୍ଣ୍ଣ ନୋହୁ ମନୋରଥ । ଏମନ୍ତେ ଶୁଣ ନରନାଥ ॥ ୩୦
ଆୟୁଷଶେଷେ ସେ ବ୍ରାହ୍ମଣ । କାଳର ହୋଇଲା ଅଧୀନ ॥ ୩୧
ଦ୍ୱିଜଙ୍କ କନିଷ୍ଠ ରମଣୀ । ଭହତପୁତ୍ର ସଙ୍ଗେ ଘେନି ॥ ୩୨
ଆପଣା ଜ୍ୟେଷ୍ଠ-ସପତ୍ନୀରେ । ସମର୍ପି ଦେଲ ସ୍ନେହଭରେ ॥ ୩୩
ଆପଣେ ପତିର ସଙ୍ଗତେ । ଚଳିଲା ହରଷିତ ଚିତ୍ତେ ॥ ୩୪
ଏମନ୍ତେ ପିତାର ଅନ୍ତରେ । ସେ ଯେ ବ୍ରାହ୍ମଣର କୁମରେ ॥ ୩୫
ଜଡ ଯେ ବ୍ରାହ୍ମଣ କୁମର । ତା ଠାରେ କଲେ ହତାଦର ॥ ୩୬
ତାହାର ପ୍ରଭାବ ନ ଜାଣି । ଜଡ଼ର ପ୍ରାୟେ ତାକୁ ମଣି ॥ ୩୭
ଜଡ଼ ବଧିର ଯେ ଉନ୍ମତ୍ତ । ଏମନ୍ତ ରୂପ ସେ ଭରତ ॥ ୩୮
ଦ୍ୱିପଦନର ପଶୁମତେ । ଏହାଙ୍କୁ ଦେଖନ୍ତି ଏମନ୍ତେ ॥ ୩୯
ସେ ପରାଧୀନ ପ୍ରାୟ ହୋଇ । ଲୋକରେ କର୍ମକୁ କରଇ ॥ ୪୦
ଲୋକେ ଶ୍ରଦ୍ଧାରେ ଯାହା ଦେଇ । ପରମତୋଷେ ତା ଭୁଞ୍ଜଇ ॥ ୪୧
ଇନ୍ଦ୍ରିୟପ୍ରୀତି ନିମିତ୍ତରେ । କେବେହେଁ ଆହାର ନ କରେ ॥ ୪୨
ନିବୃତ୍ତ ହୋଇ ସର୍ବଠାରେ । ପରମ ଆନନ୍ଦେ ବିହରେ ॥ ୪୩
ଦୁଃଖସୁଖରେ ସମ ତାର । ହୃଦେ ନ କରେ ଅହଙ୍କାର ॥ ୪୪
ଗ୍ରୀଷ୍ମ ବରଷା ଶୀତ ବାତ । ସକଳ ସହେ ସେ ଭରତ ॥ ୪୫
ଦିଶଇ ମହାମଣି ସମ । ଶରୀର ଅତି-ସ୍ଥୂଳ-ପୀନ ॥ ୪୬
ଅତ୍ୟନ୍ତ ବ୍ରହ୍ମତେଜ ବହି । ଜଡ଼ର ପ୍ରାୟେ ସେ ଭ୍ରମଇ ॥ ୪୭
ଆହାରଆଦି ସର୍ବଠାରେ । ସେ ଥାଇ ନିଗ୍ରହ-ବେଭାରେ ॥ ୪୮
ତଥାପି ଶୁଣ ହେ ରାଜନ । ତାହାର ନିଜ ଭ୍ରାତାଗଣ ॥ ୪୯
କୃଷିରକ୍ଷଣ କାରଣରେ । ନିଯୁକ୍ତ କରନ୍ତି ତାହାରେ ॥ ୫୦
ଭ୍ରାତୃବଚନ ଅନୁମତେ । କୃଷି ରଖଇ ଯଥୋଚିତେ ॥ ୫୧
ମୃଗ ବରାହଙ୍କୁ ନିବାରି । ଥାଇ ସେ ନିରତେ ଆବୋରି ॥ ୫୨
ଶୁଣ ହେ ଅଭିମୁନ୍ୟୁ ବଳା । ଏମନ୍ତେ କେତେଦିନ ଗଲା ॥ ୫୩
ଏମନ୍ତେ ସାବଧାନେ ଶୁଣ । ବୃଷଳପତି ଯେ ରାଜନ ॥ ୫୪
ଅତ୍ୟନ୍ତ ପୁତ୍ରକାମୀ ହୋଇ । ଦେବୀଙ୍କି ମହାପଶୁ ସହି । ୫୫
ଶକ୍ତି-ଭକ୍ତିରେ ଦୃଢ଼ ସେହି । ଅନ୍ୟଦେବତା ନ ଜାଣଇ ॥ ୫୬
ତାହାର ପ୍ରସାଦରୁ କରି । ଅନେକ-ସମ୍ପଦ ତାହାରି ॥ ୫୭
ଗ୍ରାମ-ଅନ୍ତରେ ଦେବୀବାସ । ମଧୁ-ମାଂସେ ବଡ଼ ତୋଷ ॥ ୫୮
ଚଣ୍ତୀର ସନ୍ତୋଷ କାରଣେ । ବିନାଶେ ନରପଶୁଗଣେ ॥ ୫୯
ରୁଧିର-ମାଂସେ ତୋଷ ହୋଇ । ନିତ୍ୟେ ଚଣ୍ତିକା ବିହରଇ ॥ ୬୦
ତାହାର ପୂଜା ଅନୁସରି । ରାଜସେବକେ ପଶୁ ଧରି ॥ ୬୧
ନରପଶୁ ଏ ଯତ୍ନ କରି । ରଖନ୍ତି ନିରତେ ପାହାରୀ ॥ ୬୨
ଦଇବେ ଅଭିମନ୍ୟୁବଳା । ସେ ନରପଶୁ କେଣେ ଗଲା ॥ ୬୩
ତାହାର ପଥ ଅନୁରେ । ଧାଇଁଲେ ତାର ଅନୁଚରେ ॥ ୬୪
ନିଶି ଅନ୍ଧାର ଘୋର ତମେ । ଖୋଜନ୍ତି ନାନାଦିଗ ଗ୍ରାମେ ॥ ୬୫
ପଶୁ ନ ପାଇ ଅନୁଚରେ । ନିରାଶ ହୋଇଲେ ଅନ୍ତରେ ॥ ୬୬
ଗୃହକୁ କରନ୍ତେ ଗମନ । ଦେଖିଲେ ବିପ୍ରର ନନ୍ଦନ ॥ ୬୭
ଇତର ପ୍ରାୟ ତାକୁ ମଣି । ଜଡ଼ର ପ୍ରଭାବ ନ ଜାଣି ॥ ୬୮
ବନ୍ଧନ କରି ତତକ୍ଷଣେ । ସ୍ୱାମୀର କର୍ମ-ସମ୍ପାଦନେ ॥ ୬୯
ଚଣ୍ତିକାଗୃହେ ପ୍ରବେଶିଲେ । ସ୍ୱାମୀଙ୍କି ସମର୍ପି ଦେଲେ ॥ ୭୦
ସୁଗନ୍ଧ-ଶୀତଳ ଜଳରେ । ସ୍ନାହନ କରାଇ ବିଧିରେ ॥ ୭୧
ଶୁଭ୍ର-ନିର୍ମଳ-ବସ୍ତ୍ର ଦେଲେ । ନାନାଭୂଷଣେ ସେ ମଣ୍ତିଲେ ॥ ୭୨
ବିବିଧ-ସ୍ୱାଦୁଦ୍ରବ୍ୟମାନ । ତାହାକୁ କରାନ୍ତି ଭୋଜନ ॥ ୭୩
ସୁଗନ୍ଧ-ଚନ୍ଦନାଦି ଦେଲେ । ମାଳାଏ କଣ୍ଠେ ଲମ୍ବାଇଲେ ॥ ୭୪
ମୃଦଙ୍ଗ ଶଙ୍ଖ ଭୋରୀ ସ୍ୱନ । ଆନନ୍ଦେ କରନ୍ତି ଗାୟନ ॥ ୭୫
ଏମନ୍ତେ ନାନାବିଧିମତେ । ସ୍ଥାପିଲେ ଦେବୀର ଅଗ୍ରତେ ॥ ୭୬
ବୃଷଳପତି ଏ ଅନ୍ତରେ । ତୀକ୍ଷ୍ଣ-ଖଡଗ ଧରି କରେ ॥ ୭୭
ତାହାର ରୁଧିରକୁ ଦେଇ । ଦେବୀ ସନ୍ତୋଷ ହେବା ପାଇଁ ॥ ୭୮
ଏମନ୍ତେ ଶୁର ହେ ରାଜନ । ବୃଷଳେ ହୋଇ ମତିଭ୍ରମ ॥ ୭୯
ଧନସମ୍ପଦ ମଦେ କରି । ତମଗୁଣକୁ ଆଶ୍ରା କରି ॥ ୮୦
ଈଶ୍ୱରଅଂଶକୁ ଯେ ଧରେ । ହିଂସା କରନ୍ତି ସେ ତାହାରେ ॥ ୮୧
ଦାରୁଣକର୍ମ ତାହାଙ୍କର । ପ୍ରତ୍ୟକ୍ଷେ ବ୍ରାହ୍ମଣକୁମର ॥ ୮୨
କୃଷ୍ଣର କଳାବନ୍ତ ଯେହି । ତାହାଙ୍କୁ କଦର୍ଥନ୍ତି ନେଇ ॥ ୮୩
ଯେ ସର୍ବଭୂତେ ସମଚିତ୍ତ । ବିଷ୍ଣୁ ଜପଇ ଅବିରତ ॥ ୮୪
ତାହାଙ୍କୁ ପଶୁରେ ବିଚାରି । ନିକଟେ ହେଲା ଖଡ୍ଗ ଧରି ॥ ୮୫
ଏବେ ହୋ ଶୁଣ ପରୀକ୍ଷିତ । ବ୍ରାହ୍ମଣ-ତେଜ ଅପ୍ରମିତ ॥ ୮୬
ଜ୍ୱାଳା-କରାଳ-ଦୁର୍ବିଃସହ । ତେଣୁ ସେ ଦଗ୍ଧଦେବୀ ଦେହ ॥ ୮୭
ଭକ୍ତଙ୍କ ପ୍ରତି ହିଂସା ଦେଖି । ଦେବୀ ମନରେ କୋପ ରଖି ॥ ୮୮
ପ୍ରତିମା ପରିତ୍ୟାଗ କଲେ । କ୍କୁ କୋଳରେ ଘେନିଲେ ॥ ୮୯
ତକ୍ଷଣେ ଉଗ୍ରମୂର୍ତ୍ତି ହୋଇ । ଉଠିଲେ ଅତି ରୋଷବହି ॥ ୯୦
ସେ ଦେବୀ ଚଣ୍ତୀ ଭଦ୍ରକାଳୀ । ଅତ୍ୟନ୍ତ କୋପେ ପରଜ୍ୱଳି ॥ ୯୧
ଭ୍ରୂକଟୀ କୁଟୀଳ ତାହାର । ବଦନ ଦିଶେ ଭୟଙ୍କର ॥ ୯୨
ଦନ୍ତ ଦିଶନ୍ତି ବିକରାଳ । ଅରୁଣ ନୟନଯୁଗଳ ॥ ୯୩
ଚଣ୍ତାଟ୍ଟହାସ ଘୋରସ୍ୱନ । ପୂର୍ଣ୍ଣ ନୋହିଛି ଦେବୀମନ ॥ ୯୪
ଧାଇଁଲେ ଅତି ଶୀଘ୍ରତରେ । ପାପିଷ୍ଠମାନଙ୍କ ଉପରେ ॥ ୯୫
ତାହାର ହସ୍ତୁ ଖଡ୍ଗ ଘେନି । ଶୁଣ ହେ ନୃପଶିରୋମଣି ॥ ୯୬
ଶାଣିତ ଅସି ତୀକ୍ଷ୍ଣ ଧାର । ଛେଦିଲେ ତାହାଙ୍କର ଶିର ॥ ୯୭
ପରମ ସନ୍ତୋଷକୁ ପାଇ । ଆପଣାଗଣ ସଙ୍ଗେ ଲଇଁ ॥ ୯୮
ରୁଧିର ସୁରା କରି ପାନ । ଭୋଳେ ହୋଇଲେ ମନେ ଛନ୍ନ ॥ ୯୯
ଦେବୀର ଯେତେ ପାରିଷଦ । ଆନନ୍ଦେ କରି ଗୀତନାଦ ॥ ୧୦୦
ମସ୍ତକମାନ ହସ୍ତେ ଧରି । ହରଷେ ବୁଲନ୍ତି ବିହରି ॥ ୧୦୧
ଶୁଣ ରାଜନ ସାବଧାନେ । ସେ ଯେ ବୃଷଳ ପାପୀମାନେ ॥ ୧୦୨
ସାଧୁଙ୍କୁ କରି ପରାଭବ । ଆପଣେ ନାଶ ଗଲେ ସର୍ବ ॥ ୧୦୩
ବିଷ୍ଣୁଭକତ ଯେତେ ନରେ । ଦୟା ବହନ୍ତି ସର୍ବଠାରେ ॥ ୧୦୪
ବଇର ହିଂସା ଦୂରେ ତେଜି । ସେ ପାଦପଦ୍ମ ହୃଦେ ଭଜି ॥ ୧୦୫
ପରମହଂସ-ଭାଗବତ । ତାହାଙ୍କୁ ରଖନ୍ତି ଅଚ୍ୟୁତ ॥ ୧୦୬
କହଇ ଦାସ ଜଗନ୍ନାଥ । ପଞ୍ଚମସ୍କନ୍ଧେ ଭାଗବତ ॥ ୧୦୭
ପ୍ରଭୁ ପଦାରବିନ୍ଦତଳେ । ମନ ମୋ ରହିବ ନିଶ୍ଚଳେ ॥ ୧୦୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା
ସଂହିତାୟାଂ ପଞ୍ଚମସ୍କନ୍ଧେ ଜଡ଼ଭରତ ଚରିତେ ନବମୋଽଧ୍ୟାୟଃ ॥
* * *