ପଞ୍ଚମ ସ୍କନ୍ଧ

ଅଷ୍ଟମ ଅଧ୍ୟାୟ

ଶୁକଉବାଚ

ଶୁଣ ରାଜନ ସାବଧାନେ । ମହାନଦୀରେ ଏକଦିନେ ॥

ସ୍ନାନ-ଆହ୍ନିକକ୍ରିୟା ସାରି । ଭରତ ଗୋବିନ୍ଦ ସୁମରି ॥

ତିନିମୁହୂର୍ତ୍ତ ଜଳେ ରହି । ଏକାନ୍ତେ ବିଷ୍ଣୁଙ୍କୁ ଭଜଇ ॥

ତକ୍ଷଣେ ଦେଖେ ମହୀପାଳ । ହରିଣୀ ହୋଇ ତୃଷାକୁଳ ॥

ମିଳିଲା ଜଳାଶୟତୀରେ । ଜଳ ପିଅଇ ସେ ସଧୀରେ ॥

ଏମନ୍ତ ସମୟେ ରାଜନ । ଶୁଭି ସିଂହର ଗର୍ଜନ ॥

ଡେଇଁଲା ମୃଗେନ୍ଦ୍ର ଭୟରେ । ପଳାଏ ଅତି ଦୁରାନ୍ତରେ ॥

ସେ ମୃଗବଧୂ ଯେ ଗର୍ଭିଣୀ । ଜଳ ପିଅନ୍ତେ ଛନ୍ନପୁଣି ॥

ଜଳପାନରେ ତୃଷା ତାର । ପୂର୍ଣ୍ଣ ନୋହିଲା ନୃପବର ॥

ଚାରିଦିଗରେ ସେ ନୟନ । ବୁଲାଇ ଅତି ଛନ୍ନଛନ୍ନ ॥ ୧୦

ନିକଟେ ସିଂହ ପ୍ରାୟ ମଣି । ଅତି କାତରେ ସେ ହରିଣୀ ॥ ୧୧

ଜଳୁ ଉଠିଣ ଧାତିକାରେ । ଡେଇଁଲା ମରଣ କାତରେ ॥ ୧୨

ସ୍ୱଭାବେ ଗର୍ଭ ହୋଇଥିଲା । ସେ ଗର୍ଭ ଜଳରେ ପଡିଲା ॥ ୧୩

ଗର୍ଭ ନିପାତେ ଖେଦମତି । ପ୍ରାଣ ତେଜିଲା ମୃଗସତୀ ॥ ୧୪

ନଦୀରେ ଦେଖି ମୃଗବାଳ । ସେ ଯେ ଭରତ-ମହୀପାଳ ॥ ୧୫

ମାତାର ମୃତ୍ୟୁ ତାର ଦେଖି । ଦୟାରେ ଅଶ୍ରୁପୂର୍ଣ୍ଣ ଆଖି ॥ ୧୬

ଚିତ୍ତେ ଆକୁଳ ନୃପବର । ପ୍ରବଶେ ବାଳକ ପାଶର ॥ ୧୭

ମୃଗନନ୍ଦନ ଘେନି କରେ । ଆଶ୍ରମେ ମିଳିଲେ ସତ୍ୱରେ ॥ ୧୮

ସେ ମୃଗନନ୍ଦନର ତହିଁ । ଅତ୍ୟନ୍ତ ସ୍ନେହଭର ହୋଇ ॥ ୧୯

ନିତ୍ୟେ କୋମଳ-ତୃଣାଙ୍କୁର । ଲୋଡି ଆଣଇ ନୃପବର ॥ ୨୦

ଯାହା ସେ କରେ ଅଭିଳାଷ । ତା ଦେଇ କରେ ମନତୋଷ ॥ ୨୧

ତା ସେବା ନିରତେ କରଇ । ମାୟାରେ ମତିଭ୍ରମ ହୋଇ ॥ ୨୨

ନିୟମ-ସନ୍ଧ୍ୟା-ତପ ଯେତେ । ବିସ୍ମର ହେଲା ନୃପ ଚିତ୍ତେ ॥ ୨୩

କେତେ ହେଁ ଦିନ ଅନନ୍ତର । ପ୍ରଭୁର ସେବା କଲା ଦୂର ॥ ୨୪

ଜଗତ ପିତାମାତା ହରି । ତାର ଚରନ ଚିତ୍ତେ ଧରି ॥ ୨୫

ଦାରା ତନୟ ଆଦି ଯେତେ । ସକଳ ଦୂରକରି ଚିତ୍ତେ ॥ ୨୬

ଏ ଭାବେ ଥିଲା ସେ ରାଜନ । ଦେଖ ଏହାର ମୂଢ଼ପଣ ॥ ୨୭

ସକଳ କର୍ମ ଦୂର କଲା । ମୃଗବାଳକେ ମନ ଦେଲା ॥ ୨୮

ବିଚାରେ ମାତାପିତା ଭାଇ । ଏହାର ଆନ କେହି ନାହିଁ ॥ ୨୯

ଆଶ୍ରୟ କରିଅଛି ମୋତେ । ମୁଁ ତାକୁ ତେଜିବି କେମନ୍ତେ ॥ ୩୦

ଏ ସାଧୁକର୍ମର କାରଣ । ଏମନ୍ତ ଚିନ୍ତିଣ ରାଜନ ॥ ୩୧

ଆସନ-ଶୟନ-ଗମନେ । ସ୍ନାନ-ଭୋଜନ-ଜନପାନେ ॥ ୩୨

ମୃଗବାଳକେ ମନ ତାର । ନିମିଷମାତ୍ର ନୋହେ ଦୂର ॥ ୩୩

କାଷ୍ଠ-ପଲାଶ ଆଣିବାରେ । ଯେବେ ସେ ଯାଇ ବନସ୍ତରେ ॥ ୩୪

ମୃଗବାଳକ ଘେନି ସଙ୍ଗେ । ପଥେ ଚଳଇ ନାନାରଙ୍ଗେ ॥ ୩୫

ବାଳକ ଚଳି ନ ପାରଇ । ଭରତ ମନେ ବିଚାରଇ ॥ ୩୬

ଅତ୍ୟନ୍ତ ସ୍ନେହବଶ ହୋଇ । କନ୍ଧେ ତାହାକୁ ସେ ବହଇ ॥ ୩୭

ହୃଦରେ ଆରୋପି ହରଷେ । ବାହୁରେ ଭିଡେ ସ୍ନେହବଶେ ॥ ୩୮

ସ୍ନାନ-ଭୋଜନବେଳେ ତାର । କ୍ଷଣେ ହେଁ ନ କରେ ଅନ୍ତର ॥ ୩୯

ଏଥି ଉତ୍ତାରେ କିଛିଦିନେ । ମୃଗଶାବକ ଗଲା ବନେ ॥ ୪୦

ସେ ଅବସରେ ନୃପବର । ନ ଦେଖି ମୃଗର କୁମର ॥ ୪୧

ଅସ୍ଥିରେ ତାହାକୁ ଲୋଡଇ । ପୁଣି ସେ ଯେବେଟି ଦେଖଇ ॥ ୪୨

ଚଞ୍ଚଳଚିତ୍ତ ସ୍ଥିର କରେ । ଆଶିଷ ବାଞ୍ଛଇ ତାହାରେ ॥ ୪୩

ହେ ବତ୍ସ ମୋହର କଲ୍ୟାଣ । ଶୁଭ କରନ୍ତୁ ନାରାୟଣ ॥ ୪୪

ଯେବେ ନିମିଷେ ନ ଦେଖଇ । ଶୋକ-ସାଗରେ ସେ ବୁଡଇ ॥ ୪୫

କୃପଣ ଦ୍ରବ୍ୟକୁ ଯେସନ । ଚଉର୍ଯ୍ୟ କରି ନେଲେ ଆନ ॥ ୪୬

ତେମନ୍ତ ପ୍ରାୟେ ମହୀପାଳ । କ୍ଷଣେ ନ ଦେଖି ମୃଗବାଳ ॥ ୪୭

ବିହଳେ ହୃଦୟ କାତର । ଲୋଡଇ ମୃଗର କୁମର ॥ ୪୮

ଭ୍ରମେ ବୋଲଇ ବାକ୍ୟମାନ । ମଲା କି ମୃଗରନନ୍ଦନ ॥ ୪୯

କି କର୍ମ କଲି ମୁଁ କିରାତ । କେଣେ ମୋ ଗଲା ମୃଗସୁତ ॥ ୫୦

ମୃଗବାଳକ ସୁକଲ୍ୟାଣେ । ଚରୁକି ଥିବ ଉପବନେ ॥ ୫୧

ପ୍ରଭୁ କି ରଖିଥିବେ ତାରେ । ଦେଖିବି ନୟନଗୋଚରେ ॥ ୫୨

କି ଅବା ମୃଗବାଳେ ମୋର । ଭକ୍ଷିଲେ ଶୃଗାଳ କୁକୁର ॥ ୫୩

ରବିର ଅସ୍ତକାଳ ହୋଇ । ମୋ ମୃଗସୁତ ନ ଦିଶଇ ॥ ୫୪

ଶୋକେ ଆକୁଳ ମୋର ଦେହୀ । କେଣେ ହେଁ ମୃଗବାଳ ନାହିଁ ॥ ୫୫

ସେ ମୃଗରାଜର କୁମର । ମନୋଜ୍ଞ-ଗମନ ତାହାର ॥ ୫୬

କ୍ଷଣକେ ଆଶ୍ରମଲୋକର । ଦୁଃଖ ଖଣ୍ତଇ ନିରନ୍ତର ॥ ୫୭

ମିଥ୍ୟାରେ ଚକ୍ଷୁବୁଜି ମୁହିଁ । କ୍ଷଣମାତ୍ରକ ଯେବେ ରହି ॥ ୫୮

ଚକିତ ପ୍ରାୟେ ସେ ହୁଅଇ । ମୋହର ଅଗ୍ରତେ ଲୋଟଇ ॥ ୫୯

ଋଷିକୁକମରଙ୍କର ସଙ୍ଗେ । ଖେଳୁ ଯେ ଥାଇ ନାନରଙ୍ଗେ ॥ ୬୦

କୋମଳତୃଣାଙ୍କୁରମାନ । ବାଳକେ ଦିଅନ୍ତି ବହନ ॥ ୬୧

ସେ ସର୍ବସୁଖ ଦୂର ହେଲା । ମୃଗକୁମର କେଣେ ଗଲା ॥ ୬୨

ସେ ମୋର କୃଷ୍ଣସାରବାଳ । ମୃଦୁ ତାହାର ପାଦତଳ ॥ ୬୩

କୋମଳ ଖୁରପୁଟପନ୍ତି । ସେ ମୋର ଦ୍ରବିଣ-ସମ୍ପତ୍ତି ॥ ୬୪

ମୃଗଶାବକ ଖୋଜିବାର । ନୃପତି ହୋଇଲା ବାହାର ॥ ୬୫

ପଥରେ ପଦଚିହ୍ନ ଦେଖି । କହଇ ନିରେଖି ନିରେଖି ॥ ୬୬

ଧନ୍ୟ ପୃଥିବୀ ତୋର ପୁଣ୍ୟ । ଏ ଚିହ୍ନ କଲୁ ତୁ ଧାରଣ ॥ ୬୭

ବିପ୍ରଙ୍କ ଯଜ୍ଞସ୍ଥାନ ପ୍ରାୟେ । ତୋ ଦେହ ଶୋଭାକୁ ଯେ ପାଏ ॥ ୬୮

ପୁଣି ଉର୍ଦ୍ଧ୍ୱକୁ ଦୃଷ୍ଟି ଦେଲା । ଯହୁଁ ସେ ଚନ୍ଦ୍ରକୁ ଦେଖିଲା ॥ ୬୯

ତହିଁ ଦେଖିଣ ମୃଗଚିହ୍ନ । ଭାବିଲା ନିଜ ମନେ ମନ ॥ ୭୦

ମୃଗଶାବକ ଦେଖି ଏକ । ଦୟାରେ କି ତାରାନାୟକ ॥ ୭୧

ସିଂହଭୟରୁ ରକ୍ଷା କଲେ । ଆପଣା ନିକଟେ ରଖିଲେ ॥ ୭୨

ଅତ୍ୟନ୍ତ ସୁଖକୁ ସେ ଦେଇ । ତା ବିନୁ ମୋର କେହି ନାହିଁ ॥ ୭୩

ଏ ଯେ ଆଶ୍ରମ-ମୁନିଗଣ । କରନ୍ତି ନାନା ଶୁଭକର୍ମ ॥ ୭୪

ହରଷଚିତ୍ତେ ମୁନିଗଣ । କରନ୍ତି ତାହାରେ କଲ୍ୟାଣ ॥ ୭୫

ମୃଗେନ୍ଦ୍ର ଭୟରୁ ତାହର । ମାତା ଯେ ଛାଡିଲା ଶରୀର ॥ ୭୬

ତେଣୁ ମୁଁ ଳଭିଲି ତାହାରେ । ଏବେ ସେ ଗଲା ବନଘୋରେ ॥ ୭୭

ଏମନ୍ତେ ଶୁଣ ମହୀପାଳ । କ୍ଷଣେ ସେ ଦେଖି ମୃଗବାଳ ॥ ୭୮

ବ୍ୟର୍ଥକର୍ମରେ ସେବା ତାର । ସୁକର୍ମ ତେଜି ନୃପବର ॥ ୭୯

ପୂର୍ବତପସ୍ୟା ହତ ତାର । ଶୁଭକର୍ମକୁ କଲା ଦୂର ॥ ୮୦

ଅଖିଳ-ବ୍ରହ୍ମାଣ୍ତ-କାରଣ । ଅନାଦିରଥ-ନାରାୟଣ ॥ ୮୧

ତାର ଚରଣ ଦୂର କରି । ମୃଗବାଳକେ ମନ ଧରି ॥ ୮୨

ମୋକ୍ଷପଦକୁ ପ୍ରତିବନ୍ଧ । ସେ ମୃଗବାଳ ପଶୁମନ୍ଦ ॥ ୮୩

ତହିଁ ମମତା ରାଜା କଲା । ଯୋଗଅଭ୍ୟାସ ନ ଜାଣିଲା ॥ ୮୪

ତାହାକୁ ଥୋଇ ହୃଦାସନେ । ଭୁଲିଲା ଜଗତ କାରଣେ ॥ ୮୫

ମୃଗର ଲାଳନ-ପାଳନ । ଏଣେ ହରଇ ସେହୁ ଦିନ ॥ ୮୬

ଏମନ୍ତେ କେତେ ଦିନ ଗଲା । ଆୟୁଷ ଶେଷ ତା ହୋଇଲା ॥ ୮୭

ଏମନ୍ତେ ଶୁଣ ହେ ରାଜନ । କାଳର ହେଲା ସେ ଅଧୀନ ॥ ୮୮

ସମୀପେ ଦେଖି ମୃଗବାଳ । ଶୋକରେ ହୋଇଲା ବିକଳ ॥ ୮୯

ପୁତ୍ରର ପ୍ରାୟେ ସ୍ନେହଭରେ । ମନ ଅର୍ପଲା ତାହାଠାରେ ॥ ୯୦

ଅତ୍ୟନ୍ତ ଶୋକକରି ମନେ । ପ୍ରାଣ ଛାଡିଲା ତତକ୍ଷଣେ ॥ ୯୧

ମୃଗର ତହିଁ ମନ ଥିଲା । ତେଣୁ ସେ ମୃଗଜନ୍ମ ହେଲା ॥ ୯୨

ମୃଗଜନ୍ମଟି ସେ କାରଣୁ । ଶୁଣ ହେ ଅଭିମନୁ-ତନୁ ॥ ୯୩

ପୂର୍ବଜନ୍ମର କଥା ତାର । ସ୍ମରଣ କଲା ନୃପବର ॥ ୯୪

ମୃଗଙ୍କ ସେଙ୍ଗ ବନେ ଥାଇ । ଅରଣ୍ୟେ ବୁଲଇ ସେ ମହୀ ॥ ୯୫

ବୁଲନ୍ତେ ଏକଦିନକର । ବୃକ୍ଷର ମୂଳେ ମୁନିବର ॥ ୯୬

ବ୍ରହ୍ମସାଧନେ ଚିତ୍ତ ଦେଇ । ମନକୁ ବ୍ରହ୍ମରନ୍ଧ୍ରେ ଥୋଇ ॥ ୯୭

ତା ଦେଖି ରାଜା ବିଚାରଇ । ମୁଁ ଯେ ହୋଇଣ ଥିଲି ଏହି ॥ ୯୮

ମନରେ ଜାଣି ସେ ରାଜନ । ବିକଳେ ହୋଇ ଛନ୍ନଛନ୍ନ ॥ ୯୯

ମୃଗଜନ୍ମର ଯେ କାରଣ । ମନେ ଜାଣିଲା ସେ ରାଜନ ॥ ୧୦୦

ପ୍ରଭୁର ସେବା ଭ୍ରଷ୍ଟ ହୋଇ । ମନେ ବହୁତ ତାପ ପାଇ ॥ ୧୦୧

ଅତ୍ୟନ୍ତ ଶୋକ କରି ମନେ । ବୋଲଇ ଲୋତକନୟନେ ॥ ୧୦୨

ଭ୍ରଷ୍ଟ ହୋଇଲି ମୁଁ ପାମର । ପ୍ରଭୁର ସେବା କଲି ଦୂର ॥ ୧୦୩

ସମସ୍ତ ତପକୁ ହୁଡିଣ । ବିବିଧ-ଯଜ୍ଞ-ଶୁଭକର୍ମ ॥ ୧୦୪

ନାମଶ୍ରବଣଂ ଉଚ୍ଚାରଣ । ନିରତେ କରି ଆରଧନ ॥ ୧୦୫

ସକଳ-ଆତ୍ମା ଭଗବାନ । ମନ ଅର୍ପିଲି ଅନୁଦିନ ॥ ୧୦୬

ଯେଣୁ ସେ ସକଳ ଛାଡିଲି । ମୃଗବାଳକେ ମନ ଦେଲି ॥ ୧୦୭

ତେଣୁ ଏ ଜୀବନ ମୋହର । ପାଇଲା ମୃଗର ଶରୀର ॥ ୧୦୮

ଏମନ୍ତ ମନରେ ବିଚାରି । ଚଞ୍ଚଳଚିତ୍ତ ସ୍ଥିର କରି ॥ ୧୦୯

ଆପଣା ମାତା ଯେ ହରିଣୀ । ତାହାକୁ ତେଜି ନୃପମଣି ॥ ୧୧୦

ପ୍ରଭୁର ଅତି ପ୍ରିୟସ୍ଥାନ । ଯେ ତୀର୍ଥ ଶାଳଗ୍ରାମ ନାମ ॥ ୧୧୧

ପରମସାଧୁ ଭକ୍ତଜନେ । ଅଛନ୍ତି ଯହିଁ ମୁନିମାନେ ॥ ୧୧୨

ତହିଁକି ଶୀଘ୍ର ଚଳିଯାଇ । ରହିଲା ମୃତ୍ୟୁବାଟ ଚାହିଁ ॥ ୧୧୩

କୁସଙ୍ଗ-ସଙ୍ଗକୁ ସେ ଡରି । ମନେ ଚିନ୍ତଇ ନରହରି ॥ ୧୧୪

ନୀରସଦଳ ସେ ଭକ୍ଷଇ । ମୃଗଶରୀର ଯିବା ପାଇଁ ॥ ୧୧୫

ମନରେ କରଇ ବିଚାର । କେମନ୍ତେ ଯବି ଏ ଶରୀର ॥ ୧୧୬

ଏମନ୍ତେ ଶୁଣ ହେ ରାଜନ । କେତେହେଁ ଗଲା ତହିଁ ଦିନ ॥ ୧୧୭

ସେ ତୀର୍ଥଜଳରେ ତାହାର । ତେଜିଲା ମୃଗକଳେବର ॥ ୧୧୮

ଯେ ପ୍ରଭୁ ବ୍ରହ୍ମାଣ୍ତ କାରଣ । ବ୍ରହ୍ମା ଚିନ୍ତଇ ଯା ଚଉଣ ॥ ୧୧୯

ସେ ଚକ୍ରଧର ନାରୟଣ । ପଦପଙ୍କଜ ସୁମରିଣ ॥ ୧୨୦

କହଇ ଦାସ ଜଗନ୍ନାଥ । ସାଦୁଙ୍କ ହିତେ ଭାଗବତ ॥ ୧୨୧

ପଞ୍ଚମସ୍କନ୍ଧେ କୃଷ୍ଣବାଣୀ । ଶୁଣି ସଂସାରୁ ତରପ୍ରାଣୀ ॥ ୧୨୨

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା

ସଂହିତାୟାଂ ପଞ୍ଚମସ୍କନ୍ଧେ ଭରତଚରିତେ

ଅଷ୍ଟମୋଽଧ୍ୟାୟଃ ॥

* * *