ପଞ୍ଚମ ସ୍କନ୍ଧ
ଅଷ୍ଟମ ଅଧ୍ୟାୟ
ଶୁକଉବାଚ
ଶୁଣ ରାଜନ ସାବଧାନେ । ମହାନଦୀରେ ଏକଦିନେ ॥ ୧
ସ୍ନାନ-ଆହ୍ନିକକ୍ରିୟା ସାରି । ଭରତ ଗୋବିନ୍ଦ ସୁମରି ॥ ୨
ତିନିମୁହୂର୍ତ୍ତ ଜଳେ ରହି । ଏକାନ୍ତେ ବିଷ୍ଣୁଙ୍କୁ ଭଜଇ ॥ ୩
ତକ୍ଷଣେ ଦେଖେ ମହୀପାଳ । ହରିଣୀ ହୋଇ ତୃଷାକୁଳ ॥ ୪
ମିଳିଲା ଜଳାଶୟତୀରେ । ଜଳ ପିଅଇ ସେ ସଧୀରେ ॥ ୫
ଏମନ୍ତ ସମୟେ ରାଜନ । ଶୁଭି ସିଂହର ଗର୍ଜନ ॥ ୬
ଡେଇଁଲା ମୃଗେନ୍ଦ୍ର ଭୟରେ । ପଳାଏ ଅତି ଦୁରାନ୍ତରେ ॥ ୭
ସେ ମୃଗବଧୂ ଯେ ଗର୍ଭିଣୀ । ଜଳ ପିଅନ୍ତେ ଛନ୍ନପୁଣି ॥ ୮
ଜଳପାନରେ ତୃଷା ତାର । ପୂର୍ଣ୍ଣ ନୋହିଲା ନୃପବର ॥ ୯
ଚାରିଦିଗରେ ସେ ନୟନ । ବୁଲାଇ ଅତି ଛନ୍ନଛନ୍ନ ॥ ୧୦
ନିକଟେ ସିଂହ ପ୍ରାୟ ମଣି । ଅତି କାତରେ ସେ ହରିଣୀ ॥ ୧୧
ଜଳୁ ଉଠିଣ ଧାତିକାରେ । ଡେଇଁଲା ମରଣ କାତରେ ॥ ୧୨
ସ୍ୱଭାବେ ଗର୍ଭ ହୋଇଥିଲା । ସେ ଗର୍ଭ ଜଳରେ ପଡିଲା ॥ ୧୩
ଗର୍ଭ ନିପାତେ ଖେଦମତି । ପ୍ରାଣ ତେଜିଲା ମୃଗସତୀ ॥ ୧୪
ନଦୀରେ ଦେଖି ମୃଗବାଳ । ସେ ଯେ ଭରତ-ମହୀପାଳ ॥ ୧୫
ମାତାର ମୃତ୍ୟୁ ତାର ଦେଖି । ଦୟାରେ ଅଶ୍ରୁପୂର୍ଣ୍ଣ ଆଖି ॥ ୧୬
ଚିତ୍ତେ ଆକୁଳ ନୃପବର । ପ୍ରବଶେ ବାଳକ ପାଶର ॥ ୧୭
ମୃଗନନ୍ଦନ ଘେନି କରେ । ଆଶ୍ରମେ ମିଳିଲେ ସତ୍ୱରେ ॥ ୧୮
ସେ ମୃଗନନ୍ଦନର ତହିଁ । ଅତ୍ୟନ୍ତ ସ୍ନେହଭର ହୋଇ ॥ ୧୯
ନିତ୍ୟେ କୋମଳ-ତୃଣାଙ୍କୁର । ଲୋଡି ଆଣଇ ନୃପବର ॥ ୨୦
ଯାହା ସେ କରେ ଅଭିଳାଷ । ତା ଦେଇ କରେ ମନତୋଷ ॥ ୨୧
ତା ସେବା ନିରତେ କରଇ । ମାୟାରେ ମତିଭ୍ରମ ହୋଇ ॥ ୨୨
ନିୟମ-ସନ୍ଧ୍ୟା-ତପ ଯେତେ । ବିସ୍ମର ହେଲା ନୃପ ଚିତ୍ତେ ॥ ୨୩
କେତେ ହେଁ ଦିନ ଅନନ୍ତର । ପ୍ରଭୁର ସେବା କଲା ଦୂର ॥ ୨୪
ଜଗତ ପିତାମାତା ହରି । ତାର ଚରନ ଚିତ୍ତେ ଧରି ॥ ୨୫
ଦାରା ତନୟ ଆଦି ଯେତେ । ସକଳ ଦୂରକରି ଚିତ୍ତେ ॥ ୨୬
ଏ ଭାବେ ଥିଲା ସେ ରାଜନ । ଦେଖ ଏହାର ମୂଢ଼ପଣ ॥ ୨୭
ସକଳ କର୍ମ ଦୂର କଲା । ମୃଗବାଳକେ ମନ ଦେଲା ॥ ୨୮
ବିଚାରେ ମାତାପିତା ଭାଇ । ଏହାର ଆନ କେହି ନାହିଁ ॥ ୨୯
ଆଶ୍ରୟ କରିଅଛି ମୋତେ । ମୁଁ ତାକୁ ତେଜିବି କେମନ୍ତେ ॥ ୩୦
ଏ ସାଧୁକର୍ମର କାରଣ । ଏମନ୍ତ ଚିନ୍ତିଣ ରାଜନ ॥ ୩୧
ଆସନ-ଶୟନ-ଗମନେ । ସ୍ନାନ-ଭୋଜନ-ଜନପାନେ ॥ ୩୨
ମୃଗବାଳକେ ମନ ତାର । ନିମିଷମାତ୍ର ନୋହେ ଦୂର ॥ ୩୩
କାଷ୍ଠ-ପଲାଶ ଆଣିବାରେ । ଯେବେ ସେ ଯାଇ ବନସ୍ତରେ ॥ ୩୪
ମୃଗବାଳକ ଘେନି ସଙ୍ଗେ । ପଥେ ଚଳଇ ନାନାରଙ୍ଗେ ॥ ୩୫
ବାଳକ ଚଳି ନ ପାରଇ । ଭରତ ମନେ ବିଚାରଇ ॥ ୩୬
ଅତ୍ୟନ୍ତ ସ୍ନେହବଶ ହୋଇ । କନ୍ଧେ ତାହାକୁ ସେ ବହଇ ॥ ୩୭
ହୃଦରେ ଆରୋପି ହରଷେ । ବାହୁରେ ଭିଡେ ସ୍ନେହବଶେ ॥ ୩୮
ସ୍ନାନ-ଭୋଜନବେଳେ ତାର । କ୍ଷଣେ ହେଁ ନ କରେ ଅନ୍ତର ॥ ୩୯
ଏଥି ଉତ୍ତାରେ କିଛିଦିନେ । ମୃଗଶାବକ ଗଲା ବନେ ॥ ୪୦
ସେ ଅବସରେ ନୃପବର । ନ ଦେଖି ମୃଗର କୁମର ॥ ୪୧
ଅସ୍ଥିରେ ତାହାକୁ ଲୋଡଇ । ପୁଣି ସେ ଯେବେଟି ଦେଖଇ ॥ ୪୨
ଚଞ୍ଚଳଚିତ୍ତ ସ୍ଥିର କରେ । ଆଶିଷ ବାଞ୍ଛଇ ତାହାରେ ॥ ୪୩
ହେ ବତ୍ସ ମୋହର କଲ୍ୟାଣ । ଶୁଭ କରନ୍ତୁ ନାରାୟଣ ॥ ୪୪
ଯେବେ ନିମିଷେ ନ ଦେଖଇ । ଶୋକ-ସାଗରେ ସେ ବୁଡଇ ॥ ୪୫
କୃପଣ ଦ୍ରବ୍ୟକୁ ଯେସନ । ଚଉର୍ଯ୍ୟ କରି ନେଲେ ଆନ ॥ ୪୬
ତେମନ୍ତ ପ୍ରାୟେ ମହୀପାଳ । କ୍ଷଣେ ନ ଦେଖି ମୃଗବାଳ ॥ ୪୭
ବିହଳେ ହୃଦୟ କାତର । ଲୋଡଇ ମୃଗର କୁମର ॥ ୪୮
ଭ୍ରମେ ବୋଲଇ ବାକ୍ୟମାନ । ମଲା କି ମୃଗରନନ୍ଦନ ॥ ୪୯
କି କର୍ମ କଲି ମୁଁ କିରାତ । କେଣେ ମୋ ଗଲା ମୃଗସୁତ ॥ ୫୦
ମୃଗବାଳକ ସୁକଲ୍ୟାଣେ । ଚରୁକି ଥିବ ଉପବନେ ॥ ୫୧
ପ୍ରଭୁ କି ରଖିଥିବେ ତାରେ । ଦେଖିବି ନୟନଗୋଚରେ ॥ ୫୨
କି ଅବା ମୃଗବାଳେ ମୋର । ଭକ୍ଷିଲେ ଶୃଗାଳ କୁକୁର ॥ ୫୩
ରବିର ଅସ୍ତକାଳ ହୋଇ । ମୋ ମୃଗସୁତ ନ ଦିଶଇ ॥ ୫୪
ଶୋକେ ଆକୁଳ ମୋର ଦେହୀ । କେଣେ ହେଁ ମୃଗବାଳ ନାହିଁ ॥ ୫୫
ସେ ମୃଗରାଜର କୁମର । ମନୋଜ୍ଞ-ଗମନ ତାହାର ॥ ୫୬
କ୍ଷଣକେ ଆଶ୍ରମଲୋକର । ଦୁଃଖ ଖଣ୍ତଇ ନିରନ୍ତର ॥ ୫୭
ମିଥ୍ୟାରେ ଚକ୍ଷୁବୁଜି ମୁହିଁ । କ୍ଷଣମାତ୍ରକ ଯେବେ ରହି ॥ ୫୮
ଚକିତ ପ୍ରାୟେ ସେ ହୁଅଇ । ମୋହର ଅଗ୍ରତେ ଲୋଟଇ ॥ ୫୯
ଋଷିକୁକମରଙ୍କର ସଙ୍ଗେ । ଖେଳୁ ଯେ ଥାଇ ନାନରଙ୍ଗେ ॥ ୬୦
କୋମଳତୃଣାଙ୍କୁରମାନ । ବାଳକେ ଦିଅନ୍ତି ବହନ ॥ ୬୧
ସେ ସର୍ବସୁଖ ଦୂର ହେଲା । ମୃଗକୁମର କେଣେ ଗଲା ॥ ୬୨
ସେ ମୋର କୃଷ୍ଣସାରବାଳ । ମୃଦୁ ତାହାର ପାଦତଳ ॥ ୬୩
କୋମଳ ଖୁରପୁଟପନ୍ତି । ସେ ମୋର ଦ୍ରବିଣ-ସମ୍ପତ୍ତି ॥ ୬୪
ମୃଗଶାବକ ଖୋଜିବାର । ନୃପତି ହୋଇଲା ବାହାର ॥ ୬୫
ପଥରେ ପଦଚିହ୍ନ ଦେଖି । କହଇ ନିରେଖି ନିରେଖି ॥ ୬୬
ଧନ୍ୟ ପୃଥିବୀ ତୋର ପୁଣ୍ୟ । ଏ ଚିହ୍ନ କଲୁ ତୁ ଧାରଣ ॥ ୬୭
ବିପ୍ରଙ୍କ ଯଜ୍ଞସ୍ଥାନ ପ୍ରାୟେ । ତୋ ଦେହ ଶୋଭାକୁ ଯେ ପାଏ ॥ ୬୮
ପୁଣି ଉର୍ଦ୍ଧ୍ୱକୁ ଦୃଷ୍ଟି ଦେଲା । ଯହୁଁ ସେ ଚନ୍ଦ୍ରକୁ ଦେଖିଲା ॥ ୬୯
ତହିଁ ଦେଖିଣ ମୃଗଚିହ୍ନ । ଭାବିଲା ନିଜ ମନେ ମନ ॥ ୭୦
ମୃଗଶାବକ ଦେଖି ଏକ । ଦୟାରେ କି ତାରାନାୟକ ॥ ୭୧
ସିଂହଭୟରୁ ରକ୍ଷା କଲେ । ଆପଣା ନିକଟେ ରଖିଲେ ॥ ୭୨
ଅତ୍ୟନ୍ତ ସୁଖକୁ ସେ ଦେଇ । ତା ବିନୁ ମୋର କେହି ନାହିଁ ॥ ୭୩
ଏ ଯେ ଆଶ୍ରମ-ମୁନିଗଣ । କରନ୍ତି ନାନା ଶୁଭକର୍ମ ॥ ୭୪
ହରଷଚିତ୍ତେ ମୁନିଗଣ । କରନ୍ତି ତାହାରେ କଲ୍ୟାଣ ॥ ୭୫
ମୃଗେନ୍ଦ୍ର ଭୟରୁ ତାହର । ମାତା ଯେ ଛାଡିଲା ଶରୀର ॥ ୭୬
ତେଣୁ ମୁଁ ଳଭିଲି ତାହାରେ । ଏବେ ସେ ଗଲା ବନଘୋରେ ॥ ୭୭
ଏମନ୍ତେ ଶୁଣ ମହୀପାଳ । କ୍ଷଣେ ସେ ଦେଖି ମୃଗବାଳ ॥ ୭୮
ବ୍ୟର୍ଥକର୍ମରେ ସେବା ତାର । ସୁକର୍ମ ତେଜି ନୃପବର ॥ ୭୯
ପୂର୍ବତପସ୍ୟା ହତ ତାର । ଶୁଭକର୍ମକୁ କଲା ଦୂର ॥ ୮୦
ଅଖିଳ-ବ୍ରହ୍ମାଣ୍ତ-କାରଣ । ଅନାଦିରଥ-ନାରାୟଣ ॥ ୮୧
ତାର ଚରଣ ଦୂର କରି । ମୃଗବାଳକେ ମନ ଧରି ॥ ୮୨
ମୋକ୍ଷପଦକୁ ପ୍ରତିବନ୍ଧ । ସେ ମୃଗବାଳ ପଶୁମନ୍ଦ ॥ ୮୩
ତହିଁ ମମତା ରାଜା କଲା । ଯୋଗଅଭ୍ୟାସ ନ ଜାଣିଲା ॥ ୮୪
ତାହାକୁ ଥୋଇ ହୃଦାସନେ । ଭୁଲିଲା ଜଗତ କାରଣେ ॥ ୮୫
ମୃଗର ଲାଳନ-ପାଳନ । ଏଣେ ହରଇ ସେହୁ ଦିନ ॥ ୮୬
ଏମନ୍ତେ କେତେ ଦିନ ଗଲା । ଆୟୁଷ ଶେଷ ତା ହୋଇଲା ॥ ୮୭
ଏମନ୍ତେ ଶୁଣ ହେ ରାଜନ । କାଳର ହେଲା ସେ ଅଧୀନ ॥ ୮୮
ସମୀପେ ଦେଖି ମୃଗବାଳ । ଶୋକରେ ହୋଇଲା ବିକଳ ॥ ୮୯
ପୁତ୍ରର ପ୍ରାୟେ ସ୍ନେହଭରେ । ମନ ଅର୍ପଲା ତାହାଠାରେ ॥ ୯୦
ଅତ୍ୟନ୍ତ ଶୋକକରି ମନେ । ପ୍ରାଣ ଛାଡିଲା ତତକ୍ଷଣେ ॥ ୯୧
ମୃଗର ତହିଁ ମନ ଥିଲା । ତେଣୁ ସେ ମୃଗଜନ୍ମ ହେଲା ॥ ୯୨
ମୃଗଜନ୍ମଟି ସେ କାରଣୁ । ଶୁଣ ହେ ଅଭିମନୁ-ତନୁ ॥ ୯୩
ପୂର୍ବଜନ୍ମର କଥା ତାର । ସ୍ମରଣ କଲା ନୃପବର ॥ ୯୪
ମୃଗଙ୍କ ସେଙ୍ଗ ବନେ ଥାଇ । ଅରଣ୍ୟେ ବୁଲଇ ସେ ମହୀ ॥ ୯୫
ବୁଲନ୍ତେ ଏକଦିନକର । ବୃକ୍ଷର ମୂଳେ ମୁନିବର ॥ ୯୬
ବ୍ରହ୍ମସାଧନେ ଚିତ୍ତ ଦେଇ । ମନକୁ ବ୍ରହ୍ମରନ୍ଧ୍ରେ ଥୋଇ ॥ ୯୭
ତା ଦେଖି ରାଜା ବିଚାରଇ । ମୁଁ ଯେ ହୋଇଣ ଥିଲି ଏହି ॥ ୯୮
ମନରେ ଜାଣି ସେ ରାଜନ । ବିକଳେ ହୋଇ ଛନ୍ନଛନ୍ନ ॥ ୯୯
ମୃଗଜନ୍ମର ଯେ କାରଣ । ମନେ ଜାଣିଲା ସେ ରାଜନ ॥ ୧୦୦
ପ୍ରଭୁର ସେବା ଭ୍ରଷ୍ଟ ହୋଇ । ମନେ ବହୁତ ତାପ ପାଇ ॥ ୧୦୧
ଅତ୍ୟନ୍ତ ଶୋକ କରି ମନେ । ବୋଲଇ ଲୋତକନୟନେ ॥ ୧୦୨
ଭ୍ରଷ୍ଟ ହୋଇଲି ମୁଁ ପାମର । ପ୍ରଭୁର ସେବା କଲି ଦୂର ॥ ୧୦୩
ସମସ୍ତ ତପକୁ ହୁଡିଣ । ବିବିଧ-ଯଜ୍ଞ-ଶୁଭକର୍ମ ॥ ୧୦୪
ନାମଶ୍ରବଣଂ ଉଚ୍ଚାରଣ । ନିରତେ କରି ଆରଧନ ॥ ୧୦୫
ସକଳ-ଆତ୍ମା ଭଗବାନ । ମନ ଅର୍ପିଲି ଅନୁଦିନ ॥ ୧୦୬
ଯେଣୁ ସେ ସକଳ ଛାଡିଲି । ମୃଗବାଳକେ ମନ ଦେଲି ॥ ୧୦୭
ତେଣୁ ଏ ଜୀବନ ମୋହର । ପାଇଲା ମୃଗର ଶରୀର ॥ ୧୦୮
ଏମନ୍ତ ମନରେ ବିଚାରି । ଚଞ୍ଚଳଚିତ୍ତ ସ୍ଥିର କରି ॥ ୧୦୯
ଆପଣା ମାତା ଯେ ହରିଣୀ । ତାହାକୁ ତେଜି ନୃପମଣି ॥ ୧୧୦
ପ୍ରଭୁର ଅତି ପ୍ରିୟସ୍ଥାନ । ଯେ ତୀର୍ଥ ଶାଳଗ୍ରାମ ନାମ ॥ ୧୧୧
ପରମସାଧୁ ଭକ୍ତଜନେ । ଅଛନ୍ତି ଯହିଁ ମୁନିମାନେ ॥ ୧୧୨
ତହିଁକି ଶୀଘ୍ର ଚଳିଯାଇ । ରହିଲା ମୃତ୍ୟୁବାଟ ଚାହିଁ ॥ ୧୧୩
କୁସଙ୍ଗ-ସଙ୍ଗକୁ ସେ ଡରି । ମନେ ଚିନ୍ତଇ ନରହରି ॥ ୧୧୪
ନୀରସଦଳ ସେ ଭକ୍ଷଇ । ମୃଗଶରୀର ଯିବା ପାଇଁ ॥ ୧୧୫
ମନରେ କରଇ ବିଚାର । କେମନ୍ତେ ଯବି ଏ ଶରୀର ॥ ୧୧୬
ଏମନ୍ତେ ଶୁଣ ହେ ରାଜନ । କେତେହେଁ ଗଲା ତହିଁ ଦିନ ॥ ୧୧୭
ସେ ତୀର୍ଥଜଳରେ ତାହାର । ତେଜିଲା ମୃଗକଳେବର ॥ ୧୧୮
ଯେ ପ୍ରଭୁ ବ୍ରହ୍ମାଣ୍ତ କାରଣ । ବ୍ରହ୍ମା ଚିନ୍ତଇ ଯା ଚଉଣ ॥ ୧୧୯
ସେ ଚକ୍ରଧର ନାରୟଣ । ପଦପଙ୍କଜ ସୁମରିଣ ॥ ୧୨୦
କହଇ ଦାସ ଜଗନ୍ନାଥ । ସାଦୁଙ୍କ ହିତେ ଭାଗବତ ॥ ୧୨୧
ପଞ୍ଚମସ୍କନ୍ଧେ କୃଷ୍ଣବାଣୀ । ଶୁଣି ସଂସାରୁ ତରପ୍ରାଣୀ ॥ ୧୨୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା
ସଂହିତାୟାଂ ପଞ୍ଚମସ୍କନ୍ଧେ ଭରତଚରିତେ
ଅଷ୍ଟମୋଽଧ୍ୟାୟଃ ॥
* * *