ପଞ୍ଚମ ସ୍କନ୍ଧ
ସପ୍ତମ ଅଧ୍ୟାୟ
ଶୁକ ଉବାଚ
ଏବେ ହୋ ଶୁଣ ପରୀକ୍ଷିତ । ଋଷଭ ଉତ୍ତାରେ ଯେମନ୍ତ ॥ ୧
କହିବା ତହିଁର ଉଦନ୍ତ । ରାଜନ ହୁଅ ଏକଚିତ୍ତ ॥ ୨
ଭରତ ମହାଭାଗବତ । ଋଷଭେ ହୋଇଣ ସମ୍ଭୂତ ॥ ୩
ତାହାଙ୍କ ଆଜ୍ଞା ଶିରେ ଘେନି । ଆନନ୍ଦେ ପାଳନ୍ତି ମେଦିନୀ ॥ ୪
ବିଶ୍ୱରୂପର କନ୍ୟା ସେହି । ପଞ୍ଚଜନୀକୁ ବିଭା ହୋଇ ॥ ୫
ପଞ୍ଚକୁମର ଯେ ତାହାର । ହୋଇଲେ ଅତି ମନୋହର ॥ ୬
ଧୂମ୍ରକେତୁ ଯେ ସୁଦର୍ଶନ । ସୁମତି ରାଷ୍ଟଭୃତ ନାମ ॥ ୭
ଅପରେ ଆବରଣ ନାମ । ହୋଇଲେ ଅତି ଅନୁପମ ॥ ୮
ଏ ଦେଶ ଅଜନାଭ ଥିଲା । ଭରତୁଁ ଭାରତ ହୋଇଲ ॥ ୯
ଏମନ୍ତେ ଶୁଣ ପରୀକ୍ଷିତ । ବିଷ୍ଣୁଭକତ ସେ ଭରତ ॥ ୧୦
ଦେବ-ବ୍ରାହ୍ମଣ-ପ୍ରଜାଜନ । ସ୍ୱଚ୍ଛନ୍ଦେ କରଇ ପାଳନ ॥ ୧୧
ଯେ ଯାହା ଧର୍ମଅନୁସାର । ଆନ ନ କରନ୍ତି ଆଚାର ॥ ୧୨
ଯେ ଦର୍ଶ-ପୌର୍ଣ୍ଣମାସ ଆଦି । ଚାତୁର୍ମାସ୍ୟ ଯଜ୍ଞ ପ୍ରସିଦ୍ଧି ॥ ୧୩
ଅଗ୍ନିହୋତ୍ର ଯେ ପଶୁ-ସୋମ । ଏ ଆଦି ଯେତେ ଯଜ୍ଞମାନ ॥ ୧୪
ଶ୍ରଦ୍ଧାରେ ଯାଗଯଜ୍ଞ କରି । ପୂଜନ୍ତି ଦେବ ନରହରି ॥ ୧୫
ଯଜ୍ଞେ ସକଳଦେବ ତୋଷି । ଯେଯାହା ଭାବେ ରାଜଋଷି ॥ ୧୬
ନାନାଯଜ୍ଞରେ ସେ ରାଜନ । ସନ୍ତୋଷେ ପୂଜେ ଭଗବାନ ॥ ୧୭
ସର୍ବଦେବତାମୂଳ ସେହି । ଅଶେଷ-ପ୍ରଭୁ-ଭାବଗ୍ରାହୀ ॥ ୧୮
ଅଖିଳଦେବଙ୍କ ଈଶ୍ୱର । ସକଳ-ବ୍ରହ୍ମାଣ୍ତ-ଠାକୁର ॥ ୧୯
ତାହାଙ୍କ ଚରଣାରବିନ୍ଦେ । ମନ ନିବେଶି ଅପ୍ରମାଦେ ॥ ୨୦
ସକଳ ଯଜ୍ଞଅବସାନେ । ଦେବେ ସନ୍ତୋଷ ହୋଇ ମନେ ॥ ୨୧
ପରମକଲ୍ୟାଣ ସେ କରି । ହରଷେ ଗଲେ ଯେଜା ପୁରୀ ॥ ୨୨
ସୁକର୍ମ-ପ୍ରସାଦୁ ରାଜାର । ନିର୍ମଳ ହେଲା କଳେବର ॥ ୨୩
ସତ୍ତ୍ୱଗୁଣରେ ନୃପମଣି । ମନେ ଚିନ୍ତଇ ଚକ୍ରପାଣି ॥ ୨୪
ଆକାଶପ୍ରାୟ ଯେ ଈଶ୍ୱର । ଶୁଦ୍ଧ ନିର୍ମଳ ସତ୍ତ୍ୱସାର ॥ ୨୫
ପରମବ୍ରହ୍ମ ବାସୁଦେବ । ଅନାଦିପୁରୁଷ ମାଧବ ॥ ୨୬
ନାନାଲକ୍ଷଣେ ବିରାଜିତ । ଚତୁରଭୁଜେ ସେ ଶୋଭିତ ॥ ୨୭
ଶ୍ରୀବତ୍ସ କଉସ୍ତୁଭମଣି । ଗଦା କମଳ ଚକ୍ରପାଣି ॥ ୨୮
ଶଙ୍ଖ ଶୋହଇ ବାମକରେ । ବନମାଳା ଯେ ଲମ୍ବେ ଉରେ ॥ ୨୯
ଏ ଆଦି ଯେତେ ଚିହ୍ନ-ବର୍ଣ୍ଣ । ଚିନ୍ତା କରଇ ସେ ରାଜନ ॥ ୩୦
ଅତିଭକତି ନାରାୟଣେ । ହୋଇଲା ତାର ଦିନୁଦିନେ ॥ ୩୧
ଏମନ୍ତେ ଗଲା କେତେଦିନ । ଶୁଣ ସୁମନେ ହେ ରାଜନ ॥ ୩୨
ଲକ୍ଷେବରଷ ସେ ରାଜନ । ଅବନୀ କରିଣ ପାଳନ ॥ ୩୩
ସକଳକର୍ମ ସାଧ୍ୟ କଲେ । ପୁତ୍ରଙ୍କୁ ରାଇ ଆଜ୍ଞା ଦେଲେ ॥ ୩୪
ରାଜସମ୍ପଦ ଯଥୋଚିତେ । ବିଭାଗ କରି ଯେଝାମତେ ॥ ୩୫
ଦେଇ ସେ ଋଷଭକୁମର । ଆପଣେ ହୋଇଲେ ବାହାର ॥ ୩୬
ପୁଲହଋଷିଙ୍କ ଆଶ୍ରମ । ତହିଁକି କଲେକ ଗମନ ॥ ୩୭
ଅଦ୍ୟାପି ହରି -ଭଗବାନ । ଯହିଁ ଅଛନ୍ତି କରି ସ୍ଥାନ ॥ ୩୮
ତହିଁର ନଦୀ ଶୁଦ୍ଧଜଳ । ସୁଖେ ସେବନ୍ତି ମୁନିକୁଳ ॥ ୩୯
ତାହର ଗଣ୍ତକୀ ଯେ ନାମ । ସ୍ପରଶେ ପାପ-ବିନାଶନ ॥ ୪୦
ପୁଲହାଶ୍ରମ ଯେ ଗହନ । ବିବିଧ ଦ୍ରୁମରେ ଶୋଭନ ॥ ୪୧
ନାନା କୁସୁମେ ପରିମଳ । ନିର୍ମଳ ସୁଶୀତଳ ଜଳ ॥ ୪୨
ମଳୟପବନ ନିରତେ । ତହିଁ ଭରତ ଶୁଦ୍ଧ ଚିତ୍ତେ ॥ ୪୩
କୋମଳ ତୁଳସୀରଦଳ । ସୁସ୍ୱାଦୁ ପକ୍ୱ ଫଳମୂଳ ॥ ୪୪
ଅନ୍ୟ ଯେ ବନ୍ୟ-ଉପହାର । ନିବେଦି ଗୋବିନ୍ଦ ପୟର ॥ ୪୫
ଇନ୍ଦ୍ରିୟଗଣକୁ ନିବାରି । ବିଷୟରସ ଦୂର କରି ॥ ୪୬
ନିତ୍ୟେ ଗୋବିନ୍ଦ-ଆରାଧନ । କରଇ ହରଷେ ରାଜନ ॥ ୪୭
ମହାପୁରୁଷ ସେବା ବିନେ । ଅନ୍ୟ ସେ ନ ଭାବଇ ମନେ ॥ ୪୮
ଜଗତ-ପ୍ରଭୁ ନାରାୟଣେ । ଶ୍ରଦ୍ଧା ବଢାଇ ଅନୁକ୍ଷଣେ ॥ ୪୯
କୈବଲ୍ୟଦାତା ନାମ ଧରି । ହୃଦୟ ଗଦଗଦ କରି ॥ ୫୦
ରୋମପୁଲକ ଅଶ୍ରୁପାତ । ହରଷ ତନୁ ଅବିରତ ॥ ୫୧
ଏମନ୍ତ ପ୍ରଭୁ ଯେ ଗୋବିନ୍ଦ । ଅରୁଣ-ଚରଣାରବିନ୍ଦ ॥ ୫୨
ଆସ୍ୱାଦ କରି ଅବିରତେ । ପରମଭକ୍ତି ଯୋଗମତେ ॥ ୫୩
ଗଭୀର-ହ୍ରଦ-ହୃଦୟରେ । ଚିତ୍ତ ବୁଡାଇ ନିରନ୍ତରେ ॥ ୫୪
ନିତ୍ୟେ ଯେ ପ୍ରଭୁ ସେବା ତାର । ବିସ୍ମର କଲା ନୃପବର ॥ ୫୫
ଏଥୁ ଅନ୍ତରେ ସେ ରାଜନ । ଅଜିନ କରି ପରିଧାନ ॥ ୫୬
ଶିରେ କପିଳ-ଜଟାଭାର । ଶରୀର ଦିଶଇ ସୁନ୍ଦର ॥ ୫୭
ସୂର୍ଯ୍ୟମଣ୍ତଳେ ସେ ରାଜନ । ବ୍ରହ୍ମରୂପକୁ କରି ଧ୍ୟାନ ॥ ୫୮
ଏମନ୍ତ ବାକ୍ୟ ଅନୁମାନେ । ବୋଲଇ ହରଷିତ ମନେ ॥ ୫୯
ହେ ପରଂବହ୍ମ ତୁ ସବିତା । ନିଖିଳ-କର୍ମଫଳଦାତା ॥ ୬୦
ଇଚ୍ଛାମାତ୍ରକେ ସୃଷ୍ଟି କରୁ । ସକଳ ଜୀବେ ପ୍ରତିପାଳୁ ॥ ୬୧
ତୋ ତେଜେ ସର୍ବବୁଦ୍ଧି ସ୍ଫୁରେ । ଶରଣ ଗଲି ତୋ ପୟରେ ॥ ୬୨
ସେ ପରାପର-ବ୍ରହ୍ମରୂପ । ତାଙ୍କୁ ଚିନ୍ତଇ ନିତ୍ୟେ ନୃପ ॥ ୬୩
ଭରତ କର୍ମ ଅନୁସରି । ସୂଜନେ ଚିନ୍ତ ନରହରି ॥ ୬୪
ସେ ପ୍ରଭୁ ଚରଣାରବିନ୍ଦେ । ମନ ନିବେଶି ଅପ୍ରମାଦେ ॥ ୬୫
କହଇ ଦାସ ଜଗନ୍ନାଥ । ଶ୍ରୀକୃଷ୍ଣ-ଭଜନ-ଚରିତ ॥ ୬୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ପଞ୍ଚମସ୍କନ୍ଧେ ଭରତଚରିତେ ଭଗବତ୍ପରିଚର୍ଯ୍ୟାୟାଂ
ସପ୍ତମୋଽଧ୍ୟାୟଃ ॥
* * *