ପଞ୍ଚମ ସ୍କନ୍ଧ

ସପ୍ତମ ଅଧ୍ୟାୟ

ଶୁକ ଉବାଚ

ଏବେ ହୋ ଶୁଣ ପରୀକ୍ଷିତ । ଋଷଭ ଉତ୍ତାରେ ଯେମନ୍ତ ॥

କହିବା ତହିଁର ଉଦନ୍ତ । ରାଜନ ହୁଅ ଏକଚିତ୍ତ ॥

ଭରତ ମହାଭାଗବତ । ଋଷଭେ ହୋଇଣ ସମ୍ଭୂତ ॥

ତାହାଙ୍କ ଆଜ୍ଞା ଶିରେ ଘେନି । ଆନନ୍ଦେ ପାଳନ୍ତି ମେଦିନୀ ॥

ବିଶ୍ୱରୂପର କନ୍ୟା ସେହି । ପଞ୍ଚଜନୀକୁ ବିଭା ହୋଇ ॥

ପଞ୍ଚକୁମର ଯେ ତାହାର । ହୋଇଲେ ଅତି ମନୋହର ॥

ଧୂମ୍ରକେତୁ ଯେ ସୁଦର୍ଶନ । ସୁମତି ରାଷ୍ଟଭୃତ ନାମ ॥

ଅପରେ ଆବରଣ ନାମ । ହୋଇଲେ ଅତି ଅନୁପମ ॥

ଏ ଦେଶ ଅଜନାଭ ଥିଲା । ଭରତୁଁ ଭାରତ ହୋଇଲ ॥

ଏମନ୍ତେ ଶୁଣ ପରୀକ୍ଷିତ । ବିଷ୍ଣୁଭକତ ସେ ଭରତ ॥ ୧୦

ଦେବ-ବ୍ରାହ୍ମଣ-ପ୍ରଜାଜନ । ସ୍ୱଚ୍ଛନ୍ଦେ କରଇ ପାଳନ ॥ ୧୧

ଯେ ଯାହା ଧର୍ମଅନୁସାର । ଆନ ନ କରନ୍ତି ଆଚାର ॥ ୧୨

ଯେ ଦର୍ଶ-ପୌର୍ଣ୍ଣମାସ ଆଦି । ଚାତୁର୍ମାସ୍ୟ ଯଜ୍ଞ ପ୍ରସିଦ୍ଧି ॥ ୧୩

ଅଗ୍ନିହୋତ୍ର ଯେ ପଶୁ-ସୋମ । ଏ ଆଦି ଯେତେ ଯଜ୍ଞମାନ ॥ ୧୪

ଶ୍ରଦ୍ଧାରେ ଯାଗଯଜ୍ଞ କରି । ପୂଜନ୍ତି ଦେବ ନରହରି ॥ ୧୫

ଯଜ୍ଞେ ସକଳଦେବ ତୋଷି । ଯେଯାହା ଭାବେ ରାଜଋଷି ॥ ୧୬

ନାନାଯଜ୍ଞରେ ସେ ରାଜନ । ସନ୍ତୋଷେ ପୂଜେ ଭଗବାନ ॥ ୧୭

ସର୍ବଦେବତାମୂଳ ସେହି । ଅଶେଷ-ପ୍ରଭୁ-ଭାବଗ୍ରାହୀ ॥ ୧୮

ଅଖିଳଦେବଙ୍କ ଈଶ୍ୱର । ସକଳ-ବ୍ରହ୍ମାଣ୍ତ-ଠାକୁର ॥ ୧୯

ତାହାଙ୍କ ଚରଣାରବିନ୍ଦେ । ମନ ନିବେଶି ଅପ୍ରମାଦେ ॥ ୨୦

ସକଳ ଯଜ୍ଞଅବସାନେ । ଦେବେ ସନ୍ତୋଷ ହୋଇ ମନେ ॥ ୨୧

ପରମକଲ୍ୟାଣ ସେ କରି । ହରଷେ ଗଲେ ଯେଜା ପୁରୀ ॥ ୨୨

ସୁକର୍ମ-ପ୍ରସାଦୁ ରାଜାର । ନିର୍ମଳ ହେଲା କଳେବର ॥ ୨୩

ସ‌ତ୍ତ୍ୱଗୁଣରେ ନୃପମଣି । ମନେ ଚିନ୍ତଇ ଚକ୍ରପାଣି ॥ ୨୪

ଆକାଶପ୍ରାୟ ଯେ ଈଶ୍ୱର । ଶୁଦ୍ଧ ନିର୍ମଳ ସ‌ତ୍ତ୍ୱସାର ॥ ୨୫

ପରମବ୍ରହ୍ମ ବାସୁଦେବ । ଅନାଦିପୁରୁଷ ମାଧବ ॥ ୨୬

ନାନାଲକ୍ଷଣେ ବିରାଜିତ । ଚତୁରଭୁଜେ ସେ ଶୋଭିତ ॥ ୨୭

ଶ୍ରୀବତ୍ସ କଉସ୍ତୁଭମଣି । ଗଦା କମଳ ଚକ୍ରପାଣି ॥ ୨୮

ଶଙ୍ଖ ଶୋହଇ ବାମକରେ । ବନମାଳା ଯେ ଲମ୍ବେ ଉରେ ॥ ୨୯

ଏ ଆଦି ଯେତେ ଚିହ୍ନ-ବର୍ଣ୍ଣ । ଚିନ୍ତା କରଇ ସେ ରାଜନ ॥ ୩୦

ଅତିଭକତି ନାରାୟଣେ । ହୋଇଲା ତାର ଦିନୁଦିନେ ॥ ୩୧

ଏମନ୍ତେ ଗଲା କେତେଦିନ । ଶୁଣ ସୁମନେ ହେ ରାଜନ ॥ ୩୨

ଲକ୍ଷେବରଷ ସେ ରାଜନ । ଅବନୀ କରିଣ ପାଳନ ॥ ୩୩

ସକଳକର୍ମ ସାଧ୍ୟ କଲେ । ପୁତ୍ରଙ୍କୁ ରାଇ ଆଜ୍ଞା ଦେଲେ ॥ ୩୪

ରାଜସମ୍ପଦ ଯଥୋଚିତେ । ବିଭାଗ କରି ଯେଝାମତେ ॥ ୩୫

ଦେଇ ସେ ଋଷଭକୁମର । ଆପଣେ ହୋଇଲେ ବାହାର ॥ ୩୬

ପୁଲହଋଷିଙ୍କ ଆଶ୍ରମ । ତହିଁକି କଲେକ ଗମନ ॥ ୩୭

ଅଦ୍ୟାପି ହରି -ଭଗବାନ । ଯହିଁ ଅଛନ୍ତି କରି ସ୍ଥାନ ॥ ୩୮

ତହିଁର ନଦୀ ଶୁଦ୍ଧଜଳ । ସୁଖେ ସେବନ୍ତି ମୁନିକୁଳ ॥ ୩୯

ତାହର ଗଣ୍ତକୀ ଯେ ନାମ । ସ୍ପରଶେ ପାପ-ବିନାଶନ ॥ ୪୦

ପୁଲହାଶ୍ରମ ଯେ ଗହନ । ବିବିଧ ଦ୍ରୁମରେ ଶୋଭନ ॥ ୪୧

ନାନା କୁସୁମେ ପରିମଳ । ନିର୍ମଳ ସୁଶୀତଳ ଜଳ ॥ ୪୨

ମଳୟପବନ ନିରତେ । ତହିଁ ଭରତ ଶୁଦ୍ଧ ଚିତ୍ତେ ॥ ୪୩

କୋମଳ ତୁଳସୀରଦଳ । ସୁସ୍ୱାଦୁ ପକ୍ୱ ଫଳମୂଳ ॥ ୪୪

ଅନ୍ୟ ଯେ ବନ୍ୟ-ଉପହାର । ନିବେଦି ଗୋବିନ୍ଦ ପୟର ॥ ୪୫

ଇନ୍ଦ୍ରିୟଗଣକୁ ନିବାରି । ବିଷୟରସ ଦୂର କରି ॥ ୪୬

ନିତ୍ୟେ ଗୋବିନ୍ଦ-ଆରାଧନ । କରଇ ହରଷେ ରାଜନ ॥ ୪୭

ମହାପୁରୁଷ ସେବା ବିନେ । ଅନ୍ୟ ସେ ନ ଭାବଇ ମନେ ॥ ୪୮

ଜଗତ-ପ୍ରଭୁ ନାରାୟଣେ । ଶ୍ରଦ୍ଧା ବଢାଇ ଅନୁକ୍ଷଣେ ॥ ୪୯

କୈବଲ୍ୟଦାତା ନାମ ଧରି । ହୃଦୟ ଗଦଗଦ କରି ॥ ୫୦

ରୋମପୁଲକ ଅଶ୍ରୁପାତ । ହରଷ ତନୁ ଅବିରତ ॥ ୫୧

ଏମନ୍ତ ପ୍ରଭୁ ଯେ ଗୋବିନ୍ଦ । ଅରୁଣ-ଚରଣାରବିନ୍ଦ ॥ ୫୨

ଆସ୍ୱାଦ କରି ଅବିରତେ । ପରମଭକ୍ତି ଯୋଗମତେ ॥ ୫୩

ଗଭୀର-ହ୍ରଦ-ହୃଦୟରେ । ଚିତ୍ତ ବୁଡାଇ ନିରନ୍ତରେ ॥ ୫୪

ନିତ୍ୟେ ଯେ ପ୍ରଭୁ ସେବା ତାର । ବିସ୍ମର କଲା ନୃପବର ॥ ୫୫

ଏଥୁ ଅନ୍ତରେ ସେ ରାଜନ । ଅଜିନ କରି ପରିଧାନ ॥ ୫୬

ଶିରେ କପିଳ-ଜଟାଭାର । ଶରୀର ଦିଶଇ ସୁନ୍ଦର ॥ ୫୭

ସୂର୍ଯ୍ୟମଣ୍ତଳେ ସେ ରାଜନ । ବ୍ରହ୍ମରୂପକୁ କରି ଧ୍ୟାନ ॥ ୫୮

ଏମନ୍ତ ବାକ୍ୟ ଅନୁମାନେ । ବୋଲଇ ହରଷିତ ମନେ ॥ ୫୯

ହେ ପରଂବହ୍ମ ତୁ ସବିତା । ନିଖିଳ-କର୍ମଫଳଦାତା ॥ ୬୦

ଇଚ୍ଛାମାତ୍ରକେ ସୃଷ୍ଟି କରୁ । ସକଳ ଜୀବେ ପ୍ରତିପାଳୁ ॥ ୬୧

ତୋ ତେଜେ ସର୍ବବୁଦ୍ଧି ସ୍ଫୁରେ । ଶରଣ ଗଲି ତୋ ପୟରେ ॥ ୬୨

ସେ ପରାପର-ବ୍ରହ୍ମରୂପ । ତାଙ୍କୁ ଚିନ୍ତଇ ନିତ୍ୟେ ନୃପ ॥ ୬୩

ଭରତ କର୍ମ ଅନୁସରି । ସୂଜନେ ଚିନ୍ତ ନରହରି ॥ ୬୪

ସେ ପ୍ରଭୁ ଚରଣାରବିନ୍ଦେ । ମନ ନିବେଶି ଅପ୍ରମାଦେ ॥ ୬୫

କହଇ ଦାସ ଜଗନ୍ନାଥ । ଶ୍ରୀକୃଷ୍ଣ-ଭଜନ-ଚରିତ ॥ ୬୬

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ପଞ୍ଚମସ୍କନ୍ଧେ ଭରତଚରିତେ ଭଗବତ୍‌ପରିଚର୍ଯ୍ୟାୟାଂ

ସପ୍ତମୋଽଧ୍ୟାୟଃ ॥

* * *