ପଞ୍ଚମ ସ୍କନ୍ଧ

ଷଷ୍ଠ ଅଧ୍ୟାୟ

ପରୀକ୍ଷିତ ଉବାଚ

ମୋର ସଂଶୟ ହୃଦଗତେ । ଭୋ ମୁନି ଫେଡ଼ ଦୟାଚିତ୍ତେ ॥

ଯେ ଇଚ୍ଛାବିହାରୀ ପୁରୁଷ । ସକଳକର୍ମର ଯେ ଈଶ ॥

ଏ ରୂପେ କିବା କାର୍ଯ୍ୟ ତାର । ସଂଶୟ ଫେଡ ମୁନିବର ॥

ଅଷ୍ଟ ଐଶ୍ୱର୍ଯ୍ୟଦାତା ହୋଇ । କଷ୍ଟେ କ୍ଲେଶିତ କାହିଁପାଇଁ ॥

ଶୁକ ଉବାଚ

ଯେ ପ୍ରଶ୍ନ କଲ ହେ ରାଜନ । କହଇ ଶୁଣ ସାବଧାନ ॥

ଐଶ୍ୱର୍ଯ୍ୟପଦ ଆଦି ଯେତେ । ନିତ୍ୟେ କଦର୍ଥନ୍ତି ସମସ୍ତେ ॥

ଏ ମନ ଚଞ୍ଚଳ ସ୍ୱଭାବ । କେବେ ହେଁ ବିଶ୍ୱାସ ନ ଯିବ ॥

ଯାହାର ମୂଳ କାମ ଲୋଭ । ଶୋକ ମୋହ ଯେ କ୍ରୋଧ ଗର୍ବ ॥

ଏ ସର୍ବ ଯାର ମୂଳ ହୋଇ । ପ୍ରାଣୀଙ୍କି ବନ୍ଧନ କରଇ ॥

କେ ଏହା ସାଧୁ କରି ମଣେ । ମୂଢ଼ ପାମର ଜନ ବିନେ ॥ ୧୦

ଏବେ ହୋ ଶୁଣ ମହୀପାଳ । ସେ ଯେ ଋଷଭ-ଅବତାର ॥ ୧୧

ଅଖିଳ-ଲୋକପାଳ-ବର । ବଦନ୍ତି ଚରଣେ ଯାହାର ॥ ୧୨

ସେ ଦେବା ନାନା ବିଲକ୍ଷଣ । ଜଡ଼ର ପ୍ରାୟ ଆଚରଣ ॥ ୧୩

ଭ୍ରମନ୍ତି ନାନା ଦେଶ-ଗ୍ରାମେ । ଯୋଗ ଶିଖାଇ ଯୋଗଧର୍ମେ ॥ ୧୪

ଏମନ୍ତେ ଗଲା କେତେଦିନ । ଶୁଣ ରାଜନ ଏକମନ ॥ ୧୫

ଋଷଭ ମନେ ବିଚାରିଲେ । ଏ ଦେହ ଛାଡିବୁ ବୋଇଲେ ॥ ୧୬

ଆତ୍ମାରେ ଆତ୍ମାକୁ ବୁଡାଇ । ଇନ୍ଦ୍ରିୟବୃତ୍ତେ ମନ ନାହିଁ ॥ ୧୭

ଏମନ୍ତ ମୁକ୍ତଲିଙ୍ଗରୂପ । ହୋଇଲେ ଈଶ୍ୱର-ସ୍ୱରୂପ ॥ ୧୮

ମୃତ୍ପିଣ୍ତ ପ୍ରାୟେ ଦେହ ମଣି । ସ୍ୱଚ୍ଛନ୍ଦେ ବିହରିଲେ ଜ୍ଞାନୀ ॥ ୧୯

ଦକ୍ଷିଣେ କର୍ଣ୍ଣାଟଦେଶରେ । ମିଳିଲେ କୁଟକଗିରିରେ ॥ ୨୦

ତହିଁର ଉପବନେ ସେହି । ବୁଲନ୍ତି ମୁକ୍ତଦେଶ ହୋଇ ॥ ୨୧

ଏମନ୍ତେ ପବନ ବେଗରେ । ଅଗ୍ନି ଜଳିଲା ଅତିଖରେ ॥ ୨୨

ବନସ୍ତ-ବୃକ୍ଷ-ଜୀବମାନ । ଶୀଘ୍ର ସେ କରଇ ଦହନ ॥ ୨୩

ସେ ଜଡ଼ରୂପ ଯୋଗେଶ୍ୱର । ପଶିଲେ ଅଗ୍ନିର ଭିତର ॥ ୨୪

ଅନଳତେଜ ଅତିଖର । ଦହିଲା ତାହାଙ୍କ ଶରୀର ॥ ୨୫

ପାଷଣ୍ତପଣ ଯହୁଁ ହୋଇ । କୁପଥମାନଙ୍କୁ ସେ ଲଇ ॥ ୨୬

କଳିଯୁଗରେ ନରନାଥ । ଏ ଯେ ଋଷଭଦେବ-ପଥ ॥ ୨୭

ନ ବୁଝ ପାଷଣ୍ତ ବହୁତ । ବାହ୍ୟ-ଆଚାରେ ଅବଧୂତ ॥ ୨୮

ଶୌଚ-ପବିତ୍ର ଦୂରକରି । ଦେବତାନିନ୍ଦାକୁ ଆଚରି ॥ ୨୯

କଳିର ଆଚର ଯେସନ । ତହିଁରେ ହୋଇ ମତିଭ୍ରମ ॥ ୩୦

ଦେବ-ବ୍ରାହ୍ମଣ-ଯଜ୍ଞମାନ । ନିନ୍ଦା କରିବେ ଅନୁକ୍ଷଣ ॥ ୩୧

ସୁକର୍ମପଥକୁ ଛାଡିବେ । କୁମାର୍ଗମାନ ଆଚରିବେ ॥ ୩୨

ଶୁଣ କହିବା ନୃପବର । ଏ ଯେ ଋଷଭ-ଅବତାର ॥ ୩୩

ରଗୁଷର ଜାତ ଯେତେ । ତାହାଙ୍କ କଇବଲ୍ୟ ଅର୍ଥେ ॥ ୩୪

ତାହାଙ୍କ ଗୁଣ ଏ ସଂସାରେ । ଗାୟନ କରୁଛନ୍ତି ନରେ ॥ ୩୫

ସପତସିନ୍ଧୁ ମଧ୍ୟେ ଥାଇ । ଦ୍ୱୀପ ବରଷ ଯେତେ ହୋଇ ॥ ୩୬

ଭାରତବର୍ଷ ତହିଁ ଧନ୍ୟ । ଯହିଁରେ ଜନ୍ମି ପ୍ରାଣୀମାନ ॥ ୩୭

ଅଖିଳଜନର ଠାକୁର । ତାହାଙ୍କ ଜନ୍ମ-ଅବତାର ॥ ୩୮

ଗାୟନ କରନ୍ତି ହରଷେ । ଯେଣେ ଅଜ୍ଞାନ-ପାପ ନାଶେ ॥ ୩୯

ଧନ୍ୟ ଏ ପ୍ରିୟବ୍ରତ ବଂଶ । ଯହିଁ ଜନ୍ମିଲେ ବିଷ୍ଣୁଅଂଶ ॥ ୪୦

ଧନ୍ୟ ସେ ରାଜାମଧ୍ୟେ ଶ୍ରେଷ୍ଠ । ଭକତ ମଧ୍ୟରେ ଗରିଷ୍ଠ ॥ ୪୧

ଏହାର ତୁଲ୍ୟ କେ ଅପର । ଯେ ବଂଶେ ଦେବ-ଯୋଗେଶ୍ୱର ॥ ୪୨

ବେଦ ବ୍ରାହ୍ମଣ ଗୋରୁ ଆଦି । ଦେବତା ନର ଯେ ପ୍ରସିଦ୍ଧି ॥ ୪୩

ଏ ସର୍ବ ଗୁରୁ ଭଗବାନ । ଋଷଭ ପରମ-କାରଣ ॥ ୪୪

ତାହାଙ୍କ ଅଦଭୁତ-କର୍ମ । ବିଶୁଦ୍ଧ ଯେତେ ଆଚରଣ ॥ ୪୫

ପ୍ରାଣୀମାନଙ୍କ ପାପହର । ପରମ-ମଙ୍ଗଳ-ମନ୍ଦିର ॥ ୪୬

ଶ୍ରଦ୍ଧାରେ ଶୁଣନ୍ତି ଯେ ନର । ହରଷେ କରନ୍ତି ବିଚାର ॥ ୪୭

ଚଞ୍ଚଳଚିତ୍ତ ସ୍ଥିର କରି । ଯେ ଅବା ବଦନେ ଉଚ୍ଚାରି ॥ ୪୮

ତା ମତି କୃଷ୍ଣର ପୟରେ । ରହଇ ଅତି ଦୃଢ଼ତରେ ॥ ୪୯

ପରମ-କୃପାମୟ ତହିଁ । ନିଶ୍ଚଳ-ଭକତି ଲଭଇ ॥ ୫୦

ଯେ ଭକ୍ତିପ୍ରସାଦରୁ ନର । ସଂସାରବନ୍ଧୁ ହୋନ୍ତି ପାର ॥ ୫୧

ବିଷୟଜଳେ ବୁଡୁଥାଇ । ଭକ୍ତିଭେଳାରେ ସେ ତରଇ ॥ ୫୨

ସେ ସର୍ବପୁରୁଷାର୍ଥ ପାଇ । ଯାର ପ୍ରସାଦୁ ମୋକ୍ଷ ହୋଇ ॥ ୫୩

ଶୁଣ କହିବା ନୃପବର । ଯେ ଯଦୁବଂଶର ଠାକୁର ॥ ୫୪

ତାହାର ଭୃତ୍ୟ ତୁ ରାଜନ । ସେ ଯେ ଅନାଦି-ଭଗବାନ ॥ ୫୫

ନାନାଦି ଅବତାର ବହି । ସଂସାରୁ ପ୍ରାଣୀଙ୍କି ତାରଇ ॥ ୫୬

ଭକ୍ତିରେ ତାଙ୍କୁ ଯେ ଭଜଇ । ସେ ପ୍ରଭୁ ତାରେ ମୋକ୍ଷ ଦେଇ ॥ ୫୭

ଯେ ନିତ୍ୟ-ଆନନ୍ଦ-ଶରୀର । ତାହାର ତୃଷ୍ଣା ଆଦି ଦୂର ॥ ୫୮

ପରମ-କଲ୍ୟାଣ-କାରଣ । ଲୋକରେ ଦୟା ପରାୟଣ ॥ ୫୯

ସେ ଯେ ରକ୍ଷଭ-ଯୋଗେଶ୍ୱର । ତାହାଙ୍କୁ ମୋର ନମସ୍କାର ॥ ୬୦

କହଇ ଦାସ ଜଗନ୍ନାଥ । ଭାଷାପ୍ରବନ୍ଧେ ଭାଗବତ ॥ ୬୧

ସେ ପ୍ରଭୁ ଋଷଭ-ଚରଣେ । ମୋ ମନ ରହୁ ଅନୁକ୍ଷଣେ ॥ ୬୨

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ପଞ୍ଚମସ୍କନ୍ଧେ ଋଷଭଦେବାନୁଚରିତେ ଷଷ୍ଠୋଽଧ୍ୟାୟଃ ॥

* * *