ପଞ୍ଚମ ସ୍କନ୍ଧ

ପଞ୍ଚମ ଅଧ୍ୟାୟ

ଋଷଭ ଉବାଚ

ଭୋ ପୁତ୍ରମାନେ ସାବଧାନ । ହୋଇଣ ଶୁଣ ମୋ ବଚନ ॥

ଯେ ପ୍ରାଣୀ କାମ୍ୟକର୍ମମାନ । ନିରତେ କରେ ଆଚରଣ ॥

ସେ ପ୍ରାଣୀ ବ୍ୟର୍ଥ ଏ ସଂସାରେ । ପଡେ ନରକେ ମହାଘୋରେ ॥

ଯେ ବ୍ରହ୍ମକର୍ମ ସ‌ତ୍ତ୍ୱଗୁଣ । ତପେ ଅନନ୍ତ-ଆରାଧନ ॥

ନିର୍ମାଣମାର୍ଗ ଏ ବିଦିତ । ଶୁଣ କହିବା ପୁତ୍ରେ ସତ୍ୟ ॥

ସ୍ତିରୀସଙ୍ଗମ ଆଦି ଯେତେ । ଏ ଗୋରତମ ଶତସୁତେ ॥

ଏ ସର୍ବ ଦୂରେ ପରିହରି । ମହାନ୍ତଜନ ସେବା କରି ॥

ମହାନ୍ତପ୍ରାଣୀ ଅଟେ ସେହି । ପ୍ରଶାନ୍ତ-ସାଧୁ ସେ ବୋଲାଇ ॥

ଯେ ଜନ କ୍ରୋଧ ବିବର୍ଜିତ । ତାହାର ସୁହୃଦ ଜଗତ ॥

ସେ ପ୍ରାଣୀ ମୋର ପଦ୍ମପାଦେ । ମନ ଅର୍ପଇ ଅପ୍ରମାଦେ ॥ ୧୦

ଯେ ଜନ ଜାୟା ଗୃହ ଧନ । ତନୟ-କ୍ଳେଶ ନାନାକର୍ମ ॥ ୧୧

କରି ନାନାଭ୍ରମ ହୋଇ । ଯାବତ ମୋତେ ନ ଭଜଇ ॥ ୧୨

ଅନିତ୍ୟ-ଦେହ ନିତ୍ୟ କରେ । ସେ ସାଧୁ ନୋହଇ ସଂସାରେ ॥ ୧୩

ତାବତ ପରାଭବ ପାଇ । ଯାବତ ଆତ୍ମା ନ ଚିହ୍ନଇ ॥ ୧୪

ଯାବତ ନାନାକର୍ମ କରେ । ମନ ବଢ଼ାଇ ନିରନ୍ତରେ ॥ ୧୫

ତାବତ କର୍ମବଶ ହୋଇ । ନାନା ଶରୀରେ ସେ ଭ୍ରମଇଁ ॥ ୧୬

ଅବ୍ୟୟ-ବାସୁଦେବ ମୁହିଁ । ମୋରେ ଯାହାର ପ୍ରୀତି ନାହିଁ ॥ ୧୭

ସେ ନୋହେ ଦେହବନ୍ଧୁଁ ପାର । ଯେଣୁ ନ ଚିହ୍ନେ ସେ ଈଶ୍ୱର ॥ ୧୮

ସ୍ୱପନପ୍ରାୟ ଦେହେ ନର । କରଇ ନାନା ଅହଙ୍କାର ॥ ୧୯

ନିଦ୍ରାରେ ଯେତେ ସୁଖଭୋଗ । ଜାଗ୍ରତେ ନ ପାଇ ତା ଲାଭ ॥ ୨୦

ଗୃହବନ୍ଧର ଏ କାରଣ । ନାରୀ ସଙ୍ଗତେ ଅନୁଦିନ ॥ ୨୧

ସ୍ତିରୀ-ପୁରୁଷ ଭାବବହି । ତହିଁରେ ମନକୁ ବାନ୍ଧଇ ॥ ୨୨

ମୋହର ଗୃହ ମୋର ଧନ । ବୋଲେ ମାୟାରେ ହୋଇ ଛନ୍ନ ॥ ୨୩

ତାବତ କର୍ମବନ୍ଧମାନ । ନୋହଇ ତାହାର ଖଣ୍ତŠନ ॥ ୨୪

ଯେବେଟି ପଦ୍ମପାଦେ ମୋର । ଆଶ୍ରୟ କରଇ ସେ ନର ॥ ୨୫

ପାଦପଲ୍ଲବଯୁଗ ଧରି । ତରଇ ଏ ଭବ-ଲହରୀ ॥ ୨୬

ଅଖିଳଗୁରୁ ମୁହିଁ ହରି । ମୋତେ ଭଜିବ ଦେହ ଧରି ॥ ୨୭

ନିବୃତ୍ତଚିତ୍ତ ହୋଇ ନର । ଭକ୍ତି କରିବ ମୋ ପୟର ॥ ୨୮

ବ୍ୟସନ-ହିଂସାକୁ ଛାଡିବ । ତପରେ ମୋତେ ଆରଧିବ ॥ ୨୯

ମୋହର ଗୁଣକର୍ମ ନାମ । ନିରତେ କରିବ କୀର୍ତ୍ତନ ॥ ୩୦

ଏକାନ୍ତଭାବ ମୋହଠାରେ । ଭୋ ପୁତ୍ରେ କରନ୍ତି ଯେ ନରେ ॥ ୩୧

ଇନ୍ଦ୍ରିୟଗୁଣଙ୍କୁ ନିବାରି । ଅଧ୍ୟାତ୍ମବିଦ୍ୟାକୁ ଆଚରି ॥ ୩୨

ଶ୍ରଦ୍ଧାରେ ବ୍ରହ୍ମଚର୍ଯ୍ୟ କରେ । ପ୍ରଶାନ୍ତ-ସତ୍ୟ-ବଚନରେ ॥ ୩୩

ମୋହର ଭାବଭକ୍ତିମାନ । ଚିତ୍ତେ ଚିନ୍ତଇ ଅନୁକ୍ଷଣ ॥ ୩୪

ଭବଜଳରୁ ସେ ତରଇ । ଗୃହବନ୍ଧନ ତାର ନାହିଁ ॥ ୩୫

ସ୍ୱକର୍ମ କରି ଏ ସଂସାରେ । ଯେ ଅର୍ପେ ମୋହର ପୟରେ ॥ ୩୬

ତାହାର କର୍ମବନ୍ଧ ମୁହିଁ । ଅକ୍ଳେଶେ ନିଶ୍ଚୟ ଛେଦଇଁ ॥ ୩୭

ଆତ୍ମାର ଶ୍ରେୟକର୍ମଠାରେ । ଶ୍ରଦ୍ଧା ନ କରନ୍ତି ପାମରେ ॥ ୩୮

ଅଳପସୁଖ ହେତୁକରି । ଅନ୍ୟୋନ୍ୟ-ହିଂସାକୁ ଆଚରି ॥ ୩୯

ଅଶେଷଦୁଖର କାରଣ । କରନ୍ତି ହୋଇ ମତିଭ୍ରମ ॥ ୪୦

ମୃଗତୃଷ୍ଣାର ପ୍ରାୟେ ହୋଇ । ଅବିଦ୍ୟାସମୂହେ ଭ୍ରମଇ ॥ ୪୧

ଅନ୍ଧ ଯେସନେ ପଥେ ଯାଇ । କକ-ଦୁର୍ଗମେ ଭ୍ରମଇ ॥ ୪୨

ଭକତିଯୋଗେ ଯେ ସଂସାରେ । ନିକଟ-ମୃତ୍ୟୁ ନ ନିବାରେ ॥ ୪୩

ସେ ନୋହେ ଗୁରୁ ମିତ୍ର ପିତା । ପତି ଜନନୀ ବା ଦେବତା ॥ ୪୪

ମୃଢ଼ ଜାଣିବ ଏହା କାହିଁ । ନିତ୍ୟେ ମାୟାରେ ଭ୍ରମୁଥାଇ ॥ ୪୫

ଭୋପୁତ୍ରେ ଶୁଣ ମୋ ଉତ୍ତର । ଏ ଯେ ମୋହର କଳେବର ॥ ୪୬

ଅଷ୍ଟାଙ୍ଗଯୋଗଧ୍ୟାନେ ମୋତେ । ମୁନି ଚିନ୍ତନ୍ତି ଅବିରତେ ॥ ୪୭

ଯେଣୁ ଆମ୍ଭର ତୁମ୍ଭେ ସୁତ । ପରମ ଶ୍ରେଷ୍ଠ-ଭାଗବତ ॥ ୪୮

ଏବେ ଏମନ୍ତ ତୁମ୍ଭେ କର । ଭରତ ଜ୍ୟେଷ୍ଠ ଯେ ତୁମ୍ଭର ॥ ୪୯

ଅକ୍ଳେଶବୁଦ୍ଧିରେ ସମସ୍ତେ । ତାହାଙ୍କୁ ଭଜ ଯଥୋଚିତେ ॥ ୫୦

ମୋର ବଚନ ଧରି ଶିରେ । ସୁଖେ ଭ୍ରମିବ ଏ ସଂସାରେ ॥ ୫୧

ସର୍ବଭୂତରେ ମୁହିଁଥାଇ । ସୁଖଦୁଃଖାଦି ମୁଁ ଭୁଞ୍ଜଇ ॥ ୫୨

ଭୂତ-ଗନ୍ଧର୍ବ ସେ ମାନବ । ପ୍ରମଥଗଣ ଯେତେ ଦେବ ॥ ୫୩

ଯେ ବ୍ରହ୍ମସୁତ ଦକ୍ଷଆଦି । ମୋର ଶରୀର ଯେ ପ୍ରସିଦ୍ଧି ॥ ୫୪

ସର୍ବଦେହର ମଧ୍ୟେ ସାର । ସଂସାରେ ବିପ୍ର-କଳେବର ॥ ୫୫

ଶ୍ରଦ୍ଧାରେ ଶୁଦ୍ଧଚିତ୍ତେ ଯେହି । ଯେ ଦ୍ରବ୍ୟ ବିପ୍ରଙ୍କୁ ଦିଅଇ ॥ ୫୬

ସନ୍ତୋଷେ ମୁଁ ତାହା ଭୁଞ୍ଜଇ । ଯଜ୍ଞେ ସନ୍ତୋଷ ତେତେ ନୋହି ॥ ୫୭

ଯମନିୟମନ୍ଦମେ ମୋତେ । ବିପ୍ରେ ପୂଜନ୍ତି ଯଥୋଚିତେ ॥ ୫୮

ସକଳ ପରଙ୍କର ପର । ମୁହିଁ ଅନନ୍ତ-ଯୋଗେଶ୍ୱର ॥ ୫୯

ସ୍ୱର୍ଗମୋକ୍ଷର ଦାତା ମୁହିଁ । ମୋ ବିନୁ ଅନ୍ୟ କେହି ନାହିଁ ॥ ୬୦

ଯେ ପ୍ରାଣୀ ଅକିଞ୍ଚନ ହୋଇ । ମୋହର ପାଦେ ମନ ଦେଇ ॥ ୬୧

ତାହାର ଯେତେ କର୍ମମାନ । ସକଳ କରଇ ଗ୍ରହଣ ॥ ୬୨

ମୋହର ପୂଜା ତୁମ୍ଭେମାନେ । କରିବ ଯଥାର୍ଥ-ବିଧାନେ ॥ ୬୩

ପବିତ୍ର ଅବଲୋକନରେ । ସ୍ଥିର-ମନ-ବାକ୍ୟ-ବୁଦ୍ଧିରେ ॥ ୬୪

ମୋହର ଅନୁଗ୍ରହ ବିନେ । ସଂସାରେ ଯେତେ ପ୍ରାଣୀମାନେ ॥ ୬୫

ଶମନ-ପାଶ-ବନ୍ଧନରୁ । କେ ଅବା ତରିବ ସଂସାରୁ ॥ ୬୬

ଶୁକ ଉବାଚ

ଏମନ୍ତ ଶିକ୍ଷା ପୁତ୍ରେ ଦେଇ । ଋଷଭ ପ୍ରଭୁ ଭାବଗ୍ରାହୀ ॥ ୬୭

ପ୍ରାଣୀଙ୍କ ନିସ୍ତାର କାରଣେ । ଧର୍ମ ବିସ୍ତାରିଲେ ଆପଣେ ॥ ୬୮

ଶତେତନୟ ମଧ୍ୟେ ସାର । ଜ୍ୟେଷ୍ଠ ଯେ ଭରତକୁମର ॥ ୬୯

ପରମ-ଭାଗବତ ସେହି । ନିରତେ ପ୍ରଭୁଙ୍କୁ ଭଜଇ ॥ ୭୦

ସାଧୁସଙ୍ଗତେ ଅନୁଗତ । ତାହାର ଗୁଣ ଯେ ବହୁତ ॥ ୭୧

ଅବନୀ ପାଳିବାର ପାଇଁ । ରାଜତ୍ୱପଣ ତାକୁ ଦେଇ ॥ ୭୨

ଯେ ମୁକ୍ତି ଧର୍ମ ମହାମୁନି । ଜ୍ଞାନ-ବୈରାଗ୍ୟ-ଭକ୍ତି ଘେନି ॥ ୭୩

ତାହାଙ୍କ ଲକ୍ଷଣ ଆଚରି । ଋଷଭ ପ୍ରଭୁ ନରହରି ॥ ୭୪

ବାହ୍ୟ-ଶରୀର-ମାତ୍ର ଧରି । ଉନ୍ମତ୍ତରୂପକୁ ଆଚରି ॥ ୭୫

ମୁକୁଳା କରି କେଶପାଶ । ଗଗନ କରି କଟିବାସ ॥ ୭୬

ଯେହ୍ନେ ବଧିର ଜଡ଼ ମୂକ । ଅନ୍ଧ ପିଶାଚ ଉନ୍ମାଦକ ॥ ୭୭

ଏମନ୍ତ ଅବଧୂତବେଶ । ଧରି ସେ ବ୍ରହ୍ମାŠଣ୍ତର ଈଶ ॥ ୭୮

ପ୍ରାଣୀଙ୍କି ବଚନ ନ କହି । ମଉନ ବ୍ରତକୁ ସେ ଲଇ ॥ ୭୯

ସକଳ-ପୁର-ଗ୍ରାମ-ଗିରି । ଘୋର କାନନ ଆଦିକରି ॥ ୮୦

ଦୁର୍ଜନ-ଦୁଷ୍ଟଙ୍କ ବଚନ । ପ୍ରହାର ଆଦି ଅପମାନ ॥ ୮୧

ଏ ପରାଭବକୁ ସେ ସହି । ସୁଖେ ଭ୍ରମନ୍ତି ଏହା ମହୀ ॥ ୮୨

ଆପଣାଠାରେ ଚିତ୍ତ ଥୋଇ । ନିତ୍ୟ ଆନନ୍ଦମନା ହୋଇ ॥ ୮୩

ଅତି ସୁନ୍ଦର ସୁକୁମାର । ଚରଣଯୁଗ ବେନିକର ॥ ୮୪

ବିପୁଳ ଉଚ୍ଚ ବକ୍ଷସ୍ଥଳ । ମଞ୍ଜୁଳ ବଦନକମଳ ॥ ୮୫

ଅଦି ସୁନ୍ଦର ତା ଶରୀର । ଈଷତହାସ ବିମ୍ବାଧର ॥ ୮୬

ନବ-ନଳୀନଦଳ ଯେହ୍ନେ । ଲୋଚନଯୁଗଳ ତେସନେ ॥ ୮୭

ସୁରଙ୍ଗ ସୁନ୍ଦର କପୋଳ । ନିଗୂଢ଼ କଣ୍ଠ ସୁମଞ୍ଜୁଳ ॥ ୮୮

ସେ ରୂପ ଦେଖିଣ ନୟନେ । ଟଳନ୍ତି ସୁରପତ୍ନୀମାନେ ॥ ୮୯

କୁସୁମାୟୁଧବାଣେ ମନ । ତକ୍ଷଣେ ହୋଏ ଅଚେତନ ॥ ୯୦

ସୁନ୍ଦର ଶରୀର ମଳିନ । ଦିଶିଲେ ଆନୁ ଆନ ବ‰ର୍ଣ୍ଣ ॥ ୯୧

ସଂସାରେ ଯେତେ ଦୁଷ୍ଟପ୍ରାଣୀ । ଯୋଗ ଭାଙ୍ଗିବେ ଏହା ଜାଣି ॥ ୯୨

ଯେ ବ୍ରତ ଅତିଭୟଙ୍କର । ଅଜଗରର ଯେ ଆଚାର ॥ ୯୩

ସେ ଅଜଗରପ୍ରାୟ ହୋଇ । ରହିଲେ ନିଜପରୂପ ଧ୍ୟାୟି ॥ ୯୪

ଏମନ୍ତେ କହିବଇଁ କେତେ । ଅଷ୍ଟାଙ୍ଗଯୋଗ ନାନାମତେ ॥ ୯୫

କରି ସେ ବଇବଲ୍ୟ ଦାତା । ଯେ ପ୍ରଭୁ ଜଗତକରତା ॥ ୯୬

ଏମନ୍ତେ ନାନାଯୋଗ ଚିନ୍ତି । ସେ ହରି ଭକତର ଗତି ॥ ୯୭

ସକଳଭୂତ ଆତ୍ମା ସେହି । ଋଷଭ ଅଂଶେ ଦେହ ବହି ॥ ୯୮

ପରମପ୍ରଭୁ ଯୋଗେଶ୍ୱର । ସେ ଯୋଗ ସାଧିଲେ ଅପାର ॥ ୯୯

ସେ ପ୍ରଭୁ ଚରଣେ ସନ୍ତତ । ନିଶ୍ଚଳେ ବହୁ ମୋର ଚିତ୍ତ ॥ ୧୦୦

କହଇ ଦାସ ଜଗନ୍ନାଥ । ଋଷଭ ଗୋବିନ୍ଦ ଚରିତ ॥ ୧୦୧

ସୁଜନେ ଚିତ୍ତେ ଏହା ଭାବ । ସଂସାରୁ ଯେମନ୍ତେ ତରିବ ॥ ୧୦୨

ଗୁରୁଦୀକ୍ଷାକୁ ମନେ କରି । ଭବସାଗରୁ ହେବ ପାରି ॥ ୧୦୩

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ପଞ୍ଚମସ୍କନ୍ଧେ ଋଷଭଦେବାନୁ ଚରିତେ

ପଞ୍ଚମୋଽଧ୍ୟାୟଃ ॥

* * *