ପଞ୍ଚମ ସ୍କନ୍ଧ
ପଞ୍ଚମ ଅଧ୍ୟାୟ
ଋଷଭ ଉବାଚ
ଭୋ ପୁତ୍ରମାନେ ସାବଧାନ । ହୋଇଣ ଶୁଣ ମୋ ବଚନ ॥ ୧
ଯେ ପ୍ରାଣୀ କାମ୍ୟକର୍ମମାନ । ନିରତେ କରେ ଆଚରଣ ॥ ୨
ସେ ପ୍ରାଣୀ ବ୍ୟର୍ଥ ଏ ସଂସାରେ । ପଡେ ନରକେ ମହାଘୋରେ ॥ ୩
ଯେ ବ୍ରହ୍ମକର୍ମ ସତ୍ତ୍ୱଗୁଣ । ତପେ ଅନନ୍ତ-ଆରାଧନ ॥ ୪
ନିର୍ମାଣମାର୍ଗ ଏ ବିଦିତ । ଶୁଣ କହିବା ପୁତ୍ରେ ସତ୍ୟ ॥ ୫
ସ୍ତିରୀସଙ୍ଗମ ଆଦି ଯେତେ । ଏ ଗୋରତମ ଶତସୁତେ ॥ ୬
ଏ ସର୍ବ ଦୂରେ ପରିହରି । ମହାନ୍ତଜନ ସେବା କରି ॥ ୭
ମହାନ୍ତପ୍ରାଣୀ ଅଟେ ସେହି । ପ୍ରଶାନ୍ତ-ସାଧୁ ସେ ବୋଲାଇ ॥ ୮
ଯେ ଜନ କ୍ରୋଧ ବିବର୍ଜିତ । ତାହାର ସୁହୃଦ ଜଗତ ॥ ୯
ସେ ପ୍ରାଣୀ ମୋର ପଦ୍ମପାଦେ । ମନ ଅର୍ପଇ ଅପ୍ରମାଦେ ॥ ୧୦
ଯେ ଜନ ଜାୟା ଗୃହ ଧନ । ତନୟ-କ୍ଳେଶ ନାନାକର୍ମ ॥ ୧୧
କରି ନାନାଭ୍ରମ ହୋଇ । ଯାବତ ମୋତେ ନ ଭଜଇ ॥ ୧୨
ଅନିତ୍ୟ-ଦେହ ନିତ୍ୟ କରେ । ସେ ସାଧୁ ନୋହଇ ସଂସାରେ ॥ ୧୩
ତାବତ ପରାଭବ ପାଇ । ଯାବତ ଆତ୍ମା ନ ଚିହ୍ନଇ ॥ ୧୪
ଯାବତ ନାନାକର୍ମ କରେ । ମନ ବଢ଼ାଇ ନିରନ୍ତରେ ॥ ୧୫
ତାବତ କର୍ମବଶ ହୋଇ । ନାନା ଶରୀରେ ସେ ଭ୍ରମଇଁ ॥ ୧୬
ଅବ୍ୟୟ-ବାସୁଦେବ ମୁହିଁ । ମୋରେ ଯାହାର ପ୍ରୀତି ନାହିଁ ॥ ୧୭
ସେ ନୋହେ ଦେହବନ୍ଧୁଁ ପାର । ଯେଣୁ ନ ଚିହ୍ନେ ସେ ଈଶ୍ୱର ॥ ୧୮
ସ୍ୱପନପ୍ରାୟ ଦେହେ ନର । କରଇ ନାନା ଅହଙ୍କାର ॥ ୧୯
ନିଦ୍ରାରେ ଯେତେ ସୁଖଭୋଗ । ଜାଗ୍ରତେ ନ ପାଇ ତା ଲାଭ ॥ ୨୦
ଗୃହବନ୍ଧର ଏ କାରଣ । ନାରୀ ସଙ୍ଗତେ ଅନୁଦିନ ॥ ୨୧
ସ୍ତିରୀ-ପୁରୁଷ ଭାବବହି । ତହିଁରେ ମନକୁ ବାନ୍ଧଇ ॥ ୨୨
ମୋହର ଗୃହ ମୋର ଧନ । ବୋଲେ ମାୟାରେ ହୋଇ ଛନ୍ନ ॥ ୨୩
ତାବତ କର୍ମବନ୍ଧମାନ । ନୋହଇ ତାହାର ଖଣ୍ତନ ॥ ୨୪
ଯେବେଟି ପଦ୍ମପାଦେ ମୋର । ଆଶ୍ରୟ କରଇ ସେ ନର ॥ ୨୫
ପାଦପଲ୍ଲବଯୁଗ ଧରି । ତରଇ ଏ ଭବ-ଲହରୀ ॥ ୨୬
ଅଖିଳଗୁରୁ ମୁହିଁ ହରି । ମୋତେ ଭଜିବ ଦେହ ଧରି ॥ ୨୭
ନିବୃତ୍ତଚିତ୍ତ ହୋଇ ନର । ଭକ୍ତି କରିବ ମୋ ପୟର ॥ ୨୮
ବ୍ୟସନ-ହିଂସାକୁ ଛାଡିବ । ତପରେ ମୋତେ ଆରଧିବ ॥ ୨୯
ମୋହର ଗୁଣକର୍ମ ନାମ । ନିରତେ କରିବ କୀର୍ତ୍ତନ ॥ ୩୦
ଏକାନ୍ତଭାବ ମୋହଠାରେ । ଭୋ ପୁତ୍ରେ କରନ୍ତି ଯେ ନରେ ॥ ୩୧
ଇନ୍ଦ୍ରିୟଗୁଣଙ୍କୁ ନିବାରି । ଅଧ୍ୟାତ୍ମବିଦ୍ୟାକୁ ଆଚରି ॥ ୩୨
ଶ୍ରଦ୍ଧାରେ ବ୍ରହ୍ମଚର୍ଯ୍ୟ କରେ । ପ୍ରଶାନ୍ତ-ସତ୍ୟ-ବଚନରେ ॥ ୩୩
ମୋହର ଭାବଭକ୍ତିମାନ । ଚିତ୍ତେ ଚିନ୍ତଇ ଅନୁକ୍ଷଣ ॥ ୩୪
ଭବଜଳରୁ ସେ ତରଇ । ଗୃହବନ୍ଧନ ତାର ନାହିଁ ॥ ୩୫
ସ୍ୱକର୍ମ କରି ଏ ସଂସାରେ । ଯେ ଅର୍ପେ ମୋହର ପୟରେ ॥ ୩୬
ତାହାର କର୍ମବନ୍ଧ ମୁହିଁ । ଅକ୍ଳେଶେ ନିଶ୍ଚୟ ଛେଦଇଁ ॥ ୩୭
ଆତ୍ମାର ଶ୍ରେୟକର୍ମଠାରେ । ଶ୍ରଦ୍ଧା ନ କରନ୍ତି ପାମରେ ॥ ୩୮
ଅଳପସୁଖ ହେତୁକରି । ଅନ୍ୟୋନ୍ୟ-ହିଂସାକୁ ଆଚରି ॥ ୩୯
ଅଶେଷଦୁଖର କାରଣ । କରନ୍ତି ହୋଇ ମତିଭ୍ରମ ॥ ୪୦
ମୃଗତୃଷ୍ଣାର ପ୍ରାୟେ ହୋଇ । ଅବିଦ୍ୟାସମୂହେ ଭ୍ରମଇ ॥ ୪୧
ଅନ୍ଧ ଯେସନେ ପଥେ ଯାଇ । କକ-ଦୁର୍ଗମେ ଭ୍ରମଇ ॥ ୪୨
ଭକତିଯୋଗେ ଯେ ସଂସାରେ । ନିକଟ-ମୃତ୍ୟୁ ନ ନିବାରେ ॥ ୪୩
ସେ ନୋହେ ଗୁରୁ ମିତ୍ର ପିତା । ପତି ଜନନୀ ବା ଦେବତା ॥ ୪୪
ମୃଢ଼ ଜାଣିବ ଏହା କାହିଁ । ନିତ୍ୟେ ମାୟାରେ ଭ୍ରମୁଥାଇ ॥ ୪୫
ଭୋପୁତ୍ରେ ଶୁଣ ମୋ ଉତ୍ତର । ଏ ଯେ ମୋହର କଳେବର ॥ ୪୬
ଅଷ୍ଟାଙ୍ଗଯୋଗଧ୍ୟାନେ ମୋତେ । ମୁନି ଚିନ୍ତନ୍ତି ଅବିରତେ ॥ ୪୭
ଯେଣୁ ଆମ୍ଭର ତୁମ୍ଭେ ସୁତ । ପରମ ଶ୍ରେଷ୍ଠ-ଭାଗବତ ॥ ୪୮
ଏବେ ଏମନ୍ତ ତୁମ୍ଭେ କର । ଭରତ ଜ୍ୟେଷ୍ଠ ଯେ ତୁମ୍ଭର ॥ ୪୯
ଅକ୍ଳେଶବୁଦ୍ଧିରେ ସମସ୍ତେ । ତାହାଙ୍କୁ ଭଜ ଯଥୋଚିତେ ॥ ୫୦
ମୋର ବଚନ ଧରି ଶିରେ । ସୁଖେ ଭ୍ରମିବ ଏ ସଂସାରେ ॥ ୫୧
ସର୍ବଭୂତରେ ମୁହିଁଥାଇ । ସୁଖଦୁଃଖାଦି ମୁଁ ଭୁଞ୍ଜଇ ॥ ୫୨
ଭୂତ-ଗନ୍ଧର୍ବ ସେ ମାନବ । ପ୍ରମଥଗଣ ଯେତେ ଦେବ ॥ ୫୩
ଯେ ବ୍ରହ୍ମସୁତ ଦକ୍ଷଆଦି । ମୋର ଶରୀର ଯେ ପ୍ରସିଦ୍ଧି ॥ ୫୪
ସର୍ବଦେହର ମଧ୍ୟେ ସାର । ସଂସାରେ ବିପ୍ର-କଳେବର ॥ ୫୫
ଶ୍ରଦ୍ଧାରେ ଶୁଦ୍ଧଚିତ୍ତେ ଯେହି । ଯେ ଦ୍ରବ୍ୟ ବିପ୍ରଙ୍କୁ ଦିଅଇ ॥ ୫୬
ସନ୍ତୋଷେ ମୁଁ ତାହା ଭୁଞ୍ଜଇ । ଯଜ୍ଞେ ସନ୍ତୋଷ ତେତେ ନୋହି ॥ ୫୭
ଯମନିୟମନ୍ଦମେ ମୋତେ । ବିପ୍ରେ ପୂଜନ୍ତି ଯଥୋଚିତେ ॥ ୫୮
ସକଳ ପରଙ୍କର ପର । ମୁହିଁ ଅନନ୍ତ-ଯୋଗେଶ୍ୱର ॥ ୫୯
ସ୍ୱର୍ଗମୋକ୍ଷର ଦାତା ମୁହିଁ । ମୋ ବିନୁ ଅନ୍ୟ କେହି ନାହିଁ ॥ ୬୦
ଯେ ପ୍ରାଣୀ ଅକିଞ୍ଚନ ହୋଇ । ମୋହର ପାଦେ ମନ ଦେଇ ॥ ୬୧
ତାହାର ଯେତେ କର୍ମମାନ । ସକଳ କରଇ ଗ୍ରହଣ ॥ ୬୨
ମୋହର ପୂଜା ତୁମ୍ଭେମାନେ । କରିବ ଯଥାର୍ଥ-ବିଧାନେ ॥ ୬୩
ପବିତ୍ର ଅବଲୋକନରେ । ସ୍ଥିର-ମନ-ବାକ୍ୟ-ବୁଦ୍ଧିରେ ॥ ୬୪
ମୋହର ଅନୁଗ୍ରହ ବିନେ । ସଂସାରେ ଯେତେ ପ୍ରାଣୀମାନେ ॥ ୬୫
ଶମନ-ପାଶ-ବନ୍ଧନରୁ । କେ ଅବା ତରିବ ସଂସାରୁ ॥ ୬୬
ଶୁକ ଉବାଚ
ଏମନ୍ତ ଶିକ୍ଷା ପୁତ୍ରେ ଦେଇ । ଋଷଭ ପ୍ରଭୁ ଭାବଗ୍ରାହୀ ॥ ୬୭
ପ୍ରାଣୀଙ୍କ ନିସ୍ତାର କାରଣେ । ଧର୍ମ ବିସ୍ତାରିଲେ ଆପଣେ ॥ ୬୮
ଶତେତନୟ ମଧ୍ୟେ ସାର । ଜ୍ୟେଷ୍ଠ ଯେ ଭରତକୁମର ॥ ୬୯
ପରମ-ଭାଗବତ ସେହି । ନିରତେ ପ୍ରଭୁଙ୍କୁ ଭଜଇ ॥ ୭୦
ସାଧୁସଙ୍ଗତେ ଅନୁଗତ । ତାହାର ଗୁଣ ଯେ ବହୁତ ॥ ୭୧
ଅବନୀ ପାଳିବାର ପାଇଁ । ରାଜତ୍ୱପଣ ତାକୁ ଦେଇ ॥ ୭୨
ଯେ ମୁକ୍ତି ଧର୍ମ ମହାମୁନି । ଜ୍ଞାନ-ବୈରାଗ୍ୟ-ଭକ୍ତି ଘେନି ॥ ୭୩
ତାହାଙ୍କ ଲକ୍ଷଣ ଆଚରି । ଋଷଭ ପ୍ରଭୁ ନରହରି ॥ ୭୪
ବାହ୍ୟ-ଶରୀର-ମାତ୍ର ଧରି । ଉନ୍ମତ୍ତରୂପକୁ ଆଚରି ॥ ୭୫
ମୁକୁଳା କରି କେଶପାଶ । ଗଗନ କରି କଟିବାସ ॥ ୭୬
ଯେହ୍ନେ ବଧିର ଜଡ଼ ମୂକ । ଅନ୍ଧ ପିଶାଚ ଉନ୍ମାଦକ ॥ ୭୭
ଏମନ୍ତ ଅବଧୂତବେଶ । ଧରି ସେ ବ୍ରହ୍ମାଣ୍ତର ଈଶ ॥ ୭୮
ପ୍ରାଣୀଙ୍କି ବଚନ ନ କହି । ମଉନ ବ୍ରତକୁ ସେ ଲଇ ॥ ୭୯
ସକଳ-ପୁର-ଗ୍ରାମ-ଗିରି । ଘୋର କାନନ ଆଦିକରି ॥ ୮୦
ଦୁର୍ଜନ-ଦୁଷ୍ଟଙ୍କ ବଚନ । ପ୍ରହାର ଆଦି ଅପମାନ ॥ ୮୧
ଏ ପରାଭବକୁ ସେ ସହି । ସୁଖେ ଭ୍ରମନ୍ତି ଏହା ମହୀ ॥ ୮୨
ଆପଣାଠାରେ ଚିତ୍ତ ଥୋଇ । ନିତ୍ୟ ଆନନ୍ଦମନା ହୋଇ ॥ ୮୩
ଅତି ସୁନ୍ଦର ସୁକୁମାର । ଚରଣଯୁଗ ବେନିକର ॥ ୮୪
ବିପୁଳ ଉଚ୍ଚ ବକ୍ଷସ୍ଥଳ । ମଞ୍ଜୁଳ ବଦନକମଳ ॥ ୮୫
ଅଦି ସୁନ୍ଦର ତା ଶରୀର । ଈଷତହାସ ବିମ୍ବାଧର ॥ ୮୬
ନବ-ନଳୀନଦଳ ଯେହ୍ନେ । ଲୋଚନଯୁଗଳ ତେସନେ ॥ ୮୭
ସୁରଙ୍ଗ ସୁନ୍ଦର କପୋଳ । ନିଗୂଢ଼ କଣ୍ଠ ସୁମଞ୍ଜୁଳ ॥ ୮୮
ସେ ରୂପ ଦେଖିଣ ନୟନେ । ଟଳନ୍ତି ସୁରପତ୍ନୀମାନେ ॥ ୮୯
କୁସୁମାୟୁଧବାଣେ ମନ । ତକ୍ଷଣେ ହୋଏ ଅଚେତନ ॥ ୯୦
ସୁନ୍ଦର ଶରୀର ମଳିନ । ଦିଶିଲେ ଆନୁ ଆନ ବର୍ଣ୍ଣ ॥ ୯୧
ସଂସାରେ ଯେତେ ଦୁଷ୍ଟପ୍ରାଣୀ । ଯୋଗ ଭାଙ୍ଗିବେ ଏହା ଜାଣି ॥ ୯୨
ଯେ ବ୍ରତ ଅତିଭୟଙ୍କର । ଅଜଗରର ଯେ ଆଚାର ॥ ୯୩
ସେ ଅଜଗରପ୍ରାୟ ହୋଇ । ରହିଲେ ନିଜପରୂପ ଧ୍ୟାୟି ॥ ୯୪
ଏମନ୍ତେ କହିବଇଁ କେତେ । ଅଷ୍ଟାଙ୍ଗଯୋଗ ନାନାମତେ ॥ ୯୫
କରି ସେ ବଇବଲ୍ୟ ଦାତା । ଯେ ପ୍ରଭୁ ଜଗତକରତା ॥ ୯୬
ଏମନ୍ତେ ନାନାଯୋଗ ଚିନ୍ତି । ସେ ହରି ଭକତର ଗତି ॥ ୯୭
ସକଳଭୂତ ଆତ୍ମା ସେହି । ଋଷଭ ଅଂଶେ ଦେହ ବହି ॥ ୯୮
ପରମପ୍ରଭୁ ଯୋଗେଶ୍ୱର । ସେ ଯୋଗ ସାଧିଲେ ଅପାର ॥ ୯୯
ସେ ପ୍ରଭୁ ଚରଣେ ସନ୍ତତ । ନିଶ୍ଚଳେ ବହୁ ମୋର ଚିତ୍ତ ॥ ୧୦୦
କହଇ ଦାସ ଜଗନ୍ନାଥ । ଋଷଭ ଗୋବିନ୍ଦ ଚରିତ ॥ ୧୦୧
ସୁଜନେ ଚିତ୍ତେ ଏହା ଭାବ । ସଂସାରୁ ଯେମନ୍ତେ ତରିବ ॥ ୧୦୨
ଗୁରୁଦୀକ୍ଷାକୁ ମନେ କରି । ଭବସାଗରୁ ହେବ ପାରି ॥ ୧୦୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ପଞ୍ଚମସ୍କନ୍ଧେ ଋଷଭଦେବାନୁ ଚରିତେ
ପଞ୍ଚମୋଽଧ୍ୟାୟଃ ॥
* * *