ପଞ୍ଚମ ସ୍କନ୍ଧ

ଚତୁର୍ଥ ଅଧ୍ୟାୟ

ଶୁକ ଉବାଚ

ଏଥୁଅନ୍ତରେ ଶୁଣ ରାୟେ । ନାଭିରେ ହୋଇଲା ତନୟେ ॥

ଯେତେ ଲକ୍ଷଣ କୃଷ୍ଣଠାରେ । ସକଳ ଅଛି ସେ କୁମରେ ॥

ଶାନ୍ତି-ବୈରାଗ୍ୟ ଗୁଣ ଯେତେ । ଐଶ୍ୱର୍ଯ୍ୟ ଆଦି ଏ ସମସ୍ତେ ॥

ଅତି ସୋହାଗେ ବହୁଧନେ । ପାଳିତ ହୋଇ ପ୍ରତିଦିନେ ॥

ଶୁକଳପକ୍ଷେ ବନ୍ଦ୍ର ଯେହ୍ନେ । ବଢ଼ଇ ପୁତ୍ର ଦିନୁଦିନେ ॥

ଅମାତ୍ୟଆଦି ପ୍ରଜା ଯେତେ । ଦେବତା-ବ୍ରାହ୍ମଣ ସହିତେ ॥

ଅବନୀତଳେ ଯେତେ ଜନ । ସାନନ୍ଦ ହେଲା ତାଙ୍କ ମନ ॥

ତାହାର ବାଳରୂପ-ଗୁଣ । ଅତି ଅଦ୍‌ଭୁତ ଯେ ଲକ୍ଷଣ ॥

ଦେଖି ତାହାର ଚିହ୍ନ ବ‰ର୍ଣ୍ଣ । ପିତା ଋଷଭ ଦେଲେ ନାମ ॥

ଯେବେ ତାହାଙ୍କ ସଙ୍ଗତରେ । ବିବାଦ କଲେ ପୁରନ୍ଦରେ ॥ ୧୦

ସେ ଭଗବାନ ଯୋଗେଶ୍ୱର । ଋଷଭ ନାମଟି ଯାହାର ॥ ୧୧

ଆପଣା ଯୋଗମାୟା ବଳେ । ଇନ୍ଦ୍ରଙ୍କୁ ନିଗ୍ରହ ଯେ କଲେ ॥ ୧୨

ନାଭି ସେ କର୍ମମାନ ଦେଖି । ଲୋତକେ ପୂ‰ର୍ଣ୍ଣ କଲା ଆଖି ॥ ୧୩

ଆନନ୍ଦେ ଗଦଗଦ ହୋଇ । ହେ ପୁତ୍ର ହେ ତାତ ବୋଲଇ ॥ ୧୪

ସେ ଭଗବାନ ଯୋଗେଶ୍ୱର । ପୁରାଣ-ପୁରୁଷ-ଠାକୁର ॥ ୧୫

ମାୟାରେ ଅଂଶରୂପ ହୋଇ । ଲୀଳାରେ ଶରୀର ବହଇ ॥ ୧୬

ତାହାଙ୍କୁ ପୁତ୍ରଭାବେ କରି । ବଦନେ ବଚନ ଉଚ୍ଚାରି ॥ ୧୭

ସ୍ନେହଭାବରେ ସେ ଭଜିଲା । ପରମବ୍ରହ୍ମକୁ ପାଇଲା ॥ ୧୮

ଏଥୁଅନ୍ତରେ ନୃପମଣି । ପୁତ୍ରର ବୁଦ୍ଧି-ବଳ ଜାଣି ॥ ୧୯

ଆତ୍ମୀୟ-ବ୍ରାହ୍ମଣଙ୍କୁ ରାଇ । ରାଜତ୍ୱପଣ ପୁତ୍ରେ ଦେଇ ॥ ୨୦

ଯେ ମେରୁଦେବୀ ପତ୍ନୀ ତାର । ସଙ୍ଗତେ ଘେନି ନୃପବର ॥ ୨୧

ବଦରିକାଶ୍ରମେ ରହିଲା । ପରମତପ ଆଚରିଲା ॥ ୨୨

ସମାଧିଯୋଗରେ ରାଜନ । ଚିନ୍ତଇ ପ୍ରଭୁ ଭଗବାନ ॥ ୨୩

କେତେହେଁ ଦିନ ତପ କଲା । ଅନ୍ତେ ସେ ମୁକତି ଲଭିଲା ॥ ୨୪

ଯା ଯଶ ଏ ବେନିଶ୍ଳୋକରେ । ଗାୟନ କରନ୍ତି ସଂସାରେ ॥ ୨୫

ଏମନ୍ତ ସଂସାରେ କେ ହେବ । ନାଭିର କର୍ମକୁ କରିବ ॥ ୨୬

ଯାହାର ଶୁଦ୍ଧଭାବୁଁ କରି । ପୁତ୍ର ହୋଇଲେ ନରହରି ॥ ୨୭

ସେ ରାଜା ବିପ୍ରଭକ୍ତ ହୋଇ । ଯଜ୍ଞେ ପୂଜିଲେ ଭାବଗ୍ରାହୀ ॥ ୨୮

ଅଗ୍ନିରେ ପ୍ରଭୁ ଚକ୍ରଧର । ଦେଖିଲେ ନୟନ-ଗାଚର ॥ ୨୯

ଏଥୁଅନ୍ତରେ ନୃପ ଶୁଣ । ସେ ଯେ ଋଷଭଗବାନ ॥ ୩୦

ଗୁରୁକୁଳରେ ବାସ କଲେ । ଲୋକରେ ଧର୍ମ ଦେଖାଇଲେ ॥ ୩୧

ସମସ୍ତ ବିଦ୍ୟା ପୂ‰ର୍ଣ୍ଣ କରି । ଗୁରୁଙ୍କ ଆଜ୍ଞା ଶିରେ ଧରି ॥ ୩୨

ଗୃହସ୍ଥଧର୍ମ ଆଚରଣ । କରନ୍ତେ ସଂସାର-ପାଳନ ॥ ୩୩

ଗୁରୁ ସନ୍ତୋଷେ ଦେଲେ ବର । ହୋଇବ ଶତେକ କୁମର ॥ ୩୪

ଏମନ୍ତେ ଗଲା କେତେଦିନ । ଋଷଭ ସେ ମହାରାଜନ ॥ ୩୫

ବେଦଉକତ ଧର୍ମମତେ । ବିଭା ହୋଇଲେ ଯଥୋଚିତେ ॥ ୩୬

ପୂର୍ବେ ଇନ୍ଦ୍ରର ହୋଇ ଦତ୍ତ । ଯେ କନ୍ୟା ଜୟନ୍ତୀ ବିଦିତ ॥ ୩୭

ତହିଁ ବିବିଧ ଭୋଗକରି । ଆନନ୍ଦେ ସ୍ୱଚ୍ଛନ୍ଦେ ବିହରି ॥ ୩୮

ଯଥାକାଳରେ ତାହାଙ୍କର । ହୋଇଲେ ଶତେକ କୁମର ॥ ୩୯

ଏହାଙ୍କ ମଧ୍ୟେ ମହାବୀର । ଜ୍ୟେଷ୍ଠ ଯେ ଭରତ କୁମର ॥ ୪୦

ଏ ଭୂମି ଯାହାର ନାମରେ । ଭାରତ ବୋଲାଇ ସଂସାରେ ॥ ୪୧

ଏ ଜ୍ୟେଷ୍ଠ ଭରତ ଅନ୍ତରେ । ହୋଇଲେ ଋଷଭ କୁମରେ ॥ ୪୨

ଯେ ଇଳାବର୍ତ୍ତ କୁଶାବର୍ତ୍ତ । ଇନ୍ଦ୍ରସ୍ପୁକ ଯେ ବ୍ରହ୍ମାବର୍ତ୍ତ ॥ ୪୩

ମଳୟ କେତୁ ଯେ ନନ୍ଦନ । ବିଦର୍ଭ ଆର ଭଦ୍ରସେନ ॥ ୪୪

କୀକଟ ଆଦି ନବପୁତ୍ର । ପଛେ କହିବା ତା ଚରିତ ॥ ୪୫

ଏହାଙ୍କ ଯେ ନବ ଅନୁଜ । ଶୁଣ କହିବା ମହାରାଜ ॥ ୪୬

ସେ କବି ହରି ଅନ୍ତରୀକ୍ଷ । ଏ ତିନି ଦାନଧ୍ୟାନେ ଦକ୍ଷ ॥ ୪୭

ପ୍ରବୁଦ୍ଧ ଯେ ପିପ୍‌ପଳାୟନ । ଷଷ୍ଠରେ ଆବିର୍ହୋତ୍ର ନାମ ॥ ୪୮

ଦୁର୍ମିଳ ଚମସ ଏ ଦୁଇ । କରଭାଜନ ନବଭାଇ ॥ ୪୯

ଏ ନବ ଶ୍ରେଷ୍ଠଭାଗବତ । ପବିତ୍ର କଲେ ଏ ଜଗତ ॥ ୫୦

ପରେ ବସୁଦେବ ନାରଦ । ବେନିଜନଙ୍କ ଯେ ସମ୍ବାଦ ॥ ୫୧

ସେଠାରେ ବ‰ର୍ଣ୍ଣିବୁ ସମସ୍ତ । ଶୁଣ ରାଜନ ପରୀକ୍ଷିତ ॥ ୫୨

ଏକାଶୀପୁତ୍ରଙ୍କ ଚରିତ । ଶୁଣ କହିବା ଏକଚିତ୍ତ ॥ ୫୩

ଶ୍ରୋତ୍ରିୟ ସୁଶୀଳ ମହାନ୍ତ । ପିତା ଆଜ୍ଞାରେ ଅନୁଗତ ॥ ୫୪

ଯଜ୍ଞାଦି କର୍ମରେ ନିପୁଣ । ହୋଇଲେ ବିଶୁଦ୍ଧ-ବ୍ରାହ୍ମଣ ॥ ୫୫

ଏଥୁ ଉତ୍ତାରେ ସେ ଈଶ୍ୱର । ଋଷଭନାମେ ଯୋଗେଶ୍ୱର ॥ ୫୬

ସେ ନିତ୍ୟ ଅବ୍ୟୟ ଅନନ୍ତ । ପରମାନନ୍ଦ ସେ ଅଚ୍ୟୁତ ॥ ୫୭

ମାୟାରେ ନରଦେହ ଧରି । ଅନେକକାଳ ସେ ବିହରି ॥ ୫୮

ଧର୍ମ ଆଚର-ଶିକ୍ଷାମାନ । ଦିଅନ୍ତି ପ୍ରଜା ପୁତ୍ରେ ଦାନ ॥ ୫୯

ପରମ ଦୟାଳୁ ସେ ପୁଣ । ସର୍ବଭୂତରେ ମିତ୍ରପଣ ॥ ୬୦

ପ୍ରତିପାଳନ୍ତି ପ୍ରଜାଜନ । ପୁତ୍ରକୁ ପିତାହିଁ ଯେସନ ॥ ୬୧

ବେଦପ୍ରମାଣେ ମୁନିଗଣ । ଯେ ପଥ କରନ୍ତି ଦର୍ଶନ ॥ ୬୨

ସେହିପ୍ରକାରେ ନୃପବର । ପାଳନ କରନ୍ତି ସଂସାର ॥ ୬୩

ଉତ୍ତମସ୍ଥଳେ ଶୁଦ୍ଧକାଳେ । ନାନାସମ୍ଭାରେ ସେ ନିଶ୍ଚଳେ ॥ ୬୪

ମନ୍ତ୍ର ସମ୍ପାଦି ଅନୁକ୍ରମେ । ସଙ୍କଳ୍ପ କରି ଶୁଦ୍ଧମନେ ॥ ୬୫

ଏମନ୍ତ କଲେ ଯଜ୍ଞ ଶତେ । ବେଦ-ବିହିତ-ଯଥୋଚିତେ ॥ ୬୬

ଋଷଭ ପରିପାଳେ ମହୀ । ଏମନ୍ତ କେ ଅବା ଅଛଇ ॥ ୬୭

ଦରିଦ୍ର ଖଳ ହିଂସ୍ର ବାଦୀ । ଅବିଦ୍ୟାବନ୍ତ ଯେ ପ୍ରସିଦ୍ଧି ॥ ୬୮

ଦ୍ରବ୍ୟେ ଯେ ଯାଚନା କରଇ । ଏମନ୍ତ ଜନ କେହି ନାହିଁ ॥ ୬୯

ଶ୍ରୀକୃଷ୍ଣଭକ୍ତି ବିନୁ ଆର । ଆନ ନ ବାଞ୍ଛ‚ନ୍ତି ସେ ନର ॥ ୭୦

ଏବେ ହୋ ଶୁଣ ସାବଧାନେ । ଋଷଭ ବୁଲୁଁ ଏକଦିନେ ॥ ୭୧

ବ୍ରହ୍ମଋଷି-ସଭାରେ ଯାଇ । ତନୟମାନେ ଛନ୍ତି ଯହିଁ ॥ ୭୨

କୋମଳ-ମଧୁର ବଚନେ । ଶିକ୍ଷା କରାନ୍ତି ଯେ ରାଜନେ ॥ ୭୩

କହନ୍ତି ହିତବାକ୍ୟମାନ । ଶୁଣନ୍ତି ଯେତେ ସଭାଜନ ॥ ୭୪

ବୋଲଇ ଜଗନ୍ନାଥ ଦାସ । ଋଷଭ ନାରାୟଣ ଅଂଶ ॥ ୭୫

ତାଙ୍କ ଚରିତ ଯେ ଶୁଣନ୍ତି । ସେ ପ୍ରାଣୀ ସଂସାରୁ ତରନ୍ତି ॥ ୭୬

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ପଞ୍ଚମସ୍କନ୍ଧେ ଚତୁର୍ଥୋଽଧ୍ୟାୟଃ ॥

* * *