ପଞ୍ଚମ ସ୍କନ୍ଧ
ତୃତୀୟ ଅଧ୍ୟାୟ
ଶୁକ ଉବାଚ
ଆଗ୍ନୀଧ୍ରସୁତଙ୍କ ମଧ୍ୟରେ । ନାଭିଙ୍କ ପୁତ୍ର ନୋହିବାରେ ॥ ୧
ବାଞ୍ଛା କରି ପୁତ୍ରକାମରେ । ତା ପତ୍ନୀ ମେରୁଦେବୀଠାରେ ॥ ୨
ଭଗବାନ - ଯଜ୍ଞପୁରୁଷେ । ସେ ରାଜା ଭଜିଲା ବିଶ୍ୱାସେ ॥ ୩
ନାଭି ଯେ ଶୁଦ୍ଧଭାବ ଧରି । ମନ୍ତ୍ରେ ଆହୁତି ହବି-ବଳି ॥ ୪
ତାହାର ଶ୍ରଦ୍ଧାଭାବୁଁ କରି । ଯଜ୍ଞେ ପ୍ରସନ୍ନ ନରହରି ॥ ୫
ଭଗବାନ-ଭକ୍ତବତ୍ସଳ । ସେ ସର୍ବଆତ୍ମାର କୁଶଳ ॥ ୬
ରାଜାର ସନ୍ତୋଷ ନିମନ୍ତେ । ସ୍ୱଚ୍ଛନ୍ଦେ ଅତି ହୃଷ୍ଟଚିତ୍ତେ ॥ ୭
ମନ-ନୟନାନନ୍ଦ-ବେଶ । ଅଗ୍ନିରେ ହୋଇଲେ ପ୍ରକାଶ ॥ ୮
ଭୁଜଯୁଗଳ ବେନିକରି । ପୀତବସନ ଛନ୍ତି ଧରି ॥ ୯
ଶଙ୍ଖ-କମଳ ବାମେ ଧରି । ଦକ୍ଷିଣକରେ ଗଦା ଅରୀ ॥ ୧୦
ତେଜେ ବିରାଜମାନ ହୋଇ । କୌସ୍ତୁଭମଣି କଣ୍ଠେ ଶୋହି ॥ ୧୧
ଅମୂଲ୍ୟରତ୍ନ-ମୁକ୍ତହାର । ବିରାଜମାନ ହୃଦୟର ॥ ୧୨
ବିବିଧମଣିମାନଙ୍କରେ । ନିର୍ମିତ ମୁକଟ ଶିରରେ ॥ ୧୩
କୁଣ୍ତଳ-କଙ୍କଣ-ସୁନ୍ଦର । କଟୁମେଖଳା ରତ୍ନସାର ॥ ୧୪
ହାର କେୟୂର ଯେ ନୂପୁର । ଏ ଆଦି ଭୂଷଣ ଶରୀର ॥ ୧୫
ସେ ଯଜ୍ଞ ବରଣକର୍ତ୍ତାର । ଉତ୍ସୁକ ହୃଦୟେ ଅପାର ॥ ୧୬
ନିର୍ଦ୍ଧନ-ଗୃହପତି ଧନେ । ପ୍ରାପତ କୋଟିନିଧି ଯେହ୍ନେ ॥ ୧୭
ତେମନ୍ତ ହୋଇ ଦ୍ୱିଜଗଣ । ଯଜ୍ଞରେ ଥିଲେ ଯେତେ ଜନ ॥ ୧୮
ପରମ-ହରଷକୁ ପାଇ । ନମିଲେ ଶିରେ କର ଦେଇ ॥ ୧୯
ଭୋନାଥ ପରମକାରଣ । ତୁମ୍ଭର ଆମ୍ଭେ ଭୃତ୍ୟଗଣ ॥ ୨୦
ସର୍ବପୂରିତ ତୁ ଠାକୁର । ସେବା ତୁ ଘେନ ହେ ଆମ୍ଭର ॥ ୨୧
ତୋହର ଚରଣାରବିନ୍ଦେ । ନମିଲୁ ପରମ ଆନନ୍ଦେ ॥ ୨୨
ତୋର ଭିଆଣ ଏ ଜଗତ । ପ୍ରକୃତି-ପୁରୁଷ ବିଦିତ ॥ ୨୩
ତ୍ରିଗୁଣେ ଜୀବ ବନ୍ଦୀ ହୋଇ । ତୋର ମାୟାରେ ଭ୍ରମୁଥାଇ ॥ ୨୪
ଯେତେ ସୃଷ୍ଟିର କର୍ତ୍ତାମାନ । ସେ ସର୍ବେ ତୋହର ଅଧୀନ ॥ ୨୫
ଭୋନାଥ ତୋହର ମହିମା । ସଂଖ୍ୟାରେ କେ କରିବ ସୀମା ॥ ୨୬
ତୋର ଆକୃତି-ରୂପ -ନାମ । ଧ୍ୟାନେ କରନ୍ତି ନିରୂପଣ ॥ ୨୭
ସାକ୍ଷାତେ ନୁହଁଇ ଗୋଚର । ଭୋ ପ୍ରଭୁ ରୂପଗୁଣ ତୋର ॥ ୨୮
ତୋହର ନାମ ଉଚ୍ଚାରଣ । ସକଳ-ପାପ-ବିଧ୍ୱଂସନ ॥ ୨୯
ଅଖିଳ-ବ୍ରହ୍ମାଣ୍ତ-ଠାକୁର । ତୁ ନାଥ କରୁଣାସାଗର ॥ ୩୦
ତୋହର ଯେତେ ଭକ୍ତଜନେ । ଆନନ୍ଦେ ପ୍ରସନ୍ନ ବଦନେ ॥ ୩୧
ସଲିଳ-ଦୂର୍ବା-ତୁଳସୀରେ । ପୂଜନ୍ତି ତୋହର ପୟରେ ॥ ୩୨
ତେଣୁ ତୁ ପରମପୁରୁଷ । ପ୍ରସନ୍ନ ହେଉ ହୃଷୀକେଶ ॥ ୩୩
ଏ ଯଜ୍ଞ ହୋଇଲା ସଫଳ । ଯେଣୁ ପ୍ରସନ୍ନ ଆଦିମୂଳ ॥ ୩୪
ସୁଫଳ କି ଅବା ଅପରେ । ହୋଇବ ଏଥୁ ଅଧିକରେ ॥ ୩୫
ବାଳକବୁଦ୍ଧି ସେ ଯେସନେ । ତେମନ୍ତ ପ୍ରାୟ ଆମ୍ଭେମାନେ ॥ ୩୬
ପୂର୍ଣ୍ଣ ଯେ ପରମ-ପୁରୁଷେ । ଯଜ୍ଞ ଯେ କରୁ ତୋ ବିଶ୍ୱାସେ ॥ ୩୭
ପରମ-ଦୟାର ସାଗର । ରାଜାଙ୍କୁ ପ୍ରଭୁ କୃପା କର ॥ ୩୮
ଏମନ୍ତ ସ୍ତୁତି ଶ୍ରବଣରେ । ଜଗତ ପ୍ରଭୁ ସେ ଅଗ୍ନିରେ ॥ ୩୯
ରାଜାର ଚକ୍ଷୁର ଗୋଚର । ହୋଇଲେ ଅତି ମନୋହର ॥ ୪୦
ଯେ ଅବଶେଷ ପାପ ଥିଲା । ତକ୍ଷଣେ ସର୍ବ ଦୂର ଗଲା ॥ ୪୧
ପୁଣି ବୋଲନ୍ତି ଦ୍ୱିଜଗଣ । ଭୋନାଥ ସାବଧାନେ ଶୁଣ ॥ ୪୨
ଜ୍ଞାନ ଅନଳେ ପାପ ଦହି । ତୋ ପାଦପଦ୍ମଯୁଗ ଧ୍ୟାୟି ॥ ୪୩
ଯେ ଆତ୍ମାରାମ-ମୁନିଗଣ । ସେବନ୍ତି ତୋହର ଚରଣ ॥ ୪୪
ଏ ତୋର ଗୁଣକର୍ମମାନ । କରନ୍ତି ଅବିରତେ ଧ୍ୟାନ ॥ ୪୫
ତୁ ନାଥ ଅଖିଳଠାକୁର । ପରମମଙ୍ଗଳର ଘର ॥ ୪୬
ଆମ୍ଭେ ସ୍ୱଭାବେ ହୀନଜନ । କରିବୁଁ ତୋହର ସ୍ମରଣ ॥ ୪୭
ସକଳ-କଳୁଷ-ନାଶନ । ନିର୍ମଳ ତୋଗୁଣ ଗାୟନ ॥ ୪୮
ଆମ୍ଭର ମରଣଦଶାରେ । ତୋ ନାମ ଥିବ ବଚନରେ ॥ ୪୯
ଏମନ୍ତ ଆଜ୍ଞା ପ୍ରଭୁ କର । ଅଖିଳବହ୍ମାଣ୍ତଠାକୁର ॥ ୫୦
ଏବେ ତୁ ଶୁଣ ଭାବଗ୍ରାହୀ । ଏ ରାଜା ପୁତ୍ରକାମୀ ହୋଇ ॥ ୫୧
ତୋର ପ୍ରସାଦୁ ଏ କୁମର । ମାଗଇ ସଦୃଶରେ ତୋର ॥ ୫୨
ସ୍ୱର୍ଗ ଭୋଗ ଯେ ମୋକ୍ଷପଦ । ସକଳ ଦେଉ ତୁ ଗୋବିନ୍ଦ ॥ ୫୩
ଏ ପୁତ୍ର ମାଗଇ ଯେମନ୍ତେ । ତୁଷ ମାଗିବା ଧନବନ୍ତେ ॥ ୫୪
ଏଥୁ ଅନ୍ତରେ ସେ ରାଜନ । ନିଶ୍ଚଳ ଚିତ୍ତେ କରି ଧ୍ୟାନ ॥ ୫୫
ଈଶ୍ୱର-ଶ୍ରୀମୁଖକୁ ଚାହିଁ । ଗଦ୍ଗଦେ ବଚନ ବୋଲଇ ॥ ୫୬
ଭୋ ନାଥ ପରମମଙ୍ଗଳ । ପ୍ରସନ୍ନ ହୁଅ ଆଦିମୂଳ ॥ ୫୭
ଏ ତୋର ଚରଣାରବିନ୍ଦ । ଆଶ୍ରୟ ନ କରି ଗୋବିନ୍ଦ ॥ ୫୮
ଏ ଭବସାଗରେ ଯେ ଜନ । ମାୟାର ହୁଅନ୍ତି ଅଧୀନ ॥ ୫୯
ସେ ମୂଢ଼ପ୍ରାଣୀମାନଙ୍କର । ଭୋ ନାଥ ଏମନ୍ତ ବେଭାର ॥ ୬୦
ତୋର ଚରଣେ ନ ଭଜନ୍ତି । ଅଜ୍ଞାନେ ସଂସାରେ ପଡନ୍ତି ॥ ୬୧
ସକଳକର୍ତ୍ତା ତୁ ଈଶ୍ୱର । ତୋର ଭିଆଣ ଏ ସଂସାର ॥ ୬୨
ଏମନ୍ତେ ନାଭି-ସ୍ତୁତି ଶୁଣି । ଦେବାଧିଦେବଶିରୋମଣି ॥ ୬୩
ଅଖିଳ-ବୃନ୍ଦାରକଗଣ । ସେବନ୍ତି ଯାହାର ଚରଣ ॥ ୬୪
ସଦୟ ଚିତ୍ତେ ଭଗବାନ । କହନ୍ତି କୋମଳ ବଚନ ॥ ୬୫
ଭଗବାନ ଉବାଚ
ହେ ସର୍ବ ମୁନିଜନ ଯେତେ । ସ୍ତୁତିରେ ବଶ କଲ ମୋତେ ॥ ୬୬
ମୋର ସଦୃଶ ଏହା ସୁତ । ମାଗିଲ ଏ ବଡ଼ ଅଦ୍ଭୁତ ॥ ୬୭
ମୋହର ରୂପତ ଅପାର । କି ରୂପେ ହୋଇବି କୁମର ॥ ୬୮
ତପସ୍ୟା-ବ୍ରହ୍ମବାକ୍ୟମାନ । ବିଅର୍ଥ ହୋଇବ କେସନ ॥ ୬୯
ବ୍ରହ୍ମାର କୁଳ ଏ ହୁଅଇ । ମୋହର ପାଳିବା ଯୋଗାଇ ॥ ୭୦
ଏବେ ମୁଁ ପୁତ୍ରରୂପ ହୋଇ । ଅଂଶରେ ଅବତରିବଇଁ ॥ ୭୧
ରାଜା ସହିତେ ମୁନିଗଣ । ଶୁଣିଲେ ଏମନ୍ତ ବଚନ ॥ ୭୨
ଏତେକ କହି ନାରାୟଣ । ଅଗ୍ନିରେ ହେଲେ ଅନ୍ତର୍ଦ୍ଧାନ ॥ ୭୩
ଏମନ୍ତେ ମୁନି ଯଜ୍ଞ କରି । ପ୍ରସନ୍ନ କରାଇଲେ ହରି ॥ ୭୪
ରାଜାର ପ୍ରିୟଭାବ ବହି । ସେ ପ୍ରଭୁ ମେରୁଦେବୀ ତହିଁ ॥ ୭୫
ସଂସାରେ ଧର୍ମ ବିସ୍ତାରିଣ । ଅବତରିଲେ ନାରାୟଣ ॥ ୭୬
ବୋଲଇ ଦାସ ଜଗନ୍ନାଥ । ରାଜା-ଯଜ୍ଞସ୍ତୁତି-ଚରିତ ॥ ୭୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ
ପଞ୍ଚମସ୍କନ୍ଧେ ନାଭିଚରିତେ ଋଷଭାବତାରୋ ନାମ
ତୃତୀୟୋଽଧ୍ୟାୟଃ ॥
* * *