ପଞ୍ଚମ ସ୍କନ୍ଧ
ଦ୍ୱିତୀୟ ଅଧ୍ୟାୟ
ଶୁକ ଉବାଚ
ଶୁଣ ରାଜନ ଏ ଅନ୍ତରେ । ପିତାର ଆଜ୍ଞା ଘେନି ଶିରେ ॥ ୧
ଜମ୍ବୁଦ୍ୱୀପରେ ପ୍ରଜାଜନ । ଆଗ୍ନୀଧ୍ର କରଇ ପାଳନ ॥ ୨
ଏମନ୍ତେ କେତେଦିନ ଗଲା । ଆଗ୍ନୀଧ୍ର ମନେ ବିଚାରିଲା ॥ ୩
ସନ୍ତୋଷ ପିତୃଲୋକଙ୍କର । କେମନ୍ତେ ହୋଇବ ମୋହାର ॥ ୪
ଏମନ୍ତ ମନେ ବିଚାରିଲା । ମନ୍ଦରଗିରିରେ ମିଳିଲା ॥ ୫
ସୁରବନିତା କ୍ରୀଡାସ୍ଥାନେ । ପଶିଲା ଗହନ କାନନେ ॥ ୬
ସଂସାରକରତାଙ୍କୁ ଧ୍ୟାୟି । ବସିଳା ସ୍ଥିରମନ ହୋଇ ॥ ୭
ତାହା ଜାଣିଲେ ଭଗବାନ । ଯେ ବ୍ରହ୍ମା ସୃଷ୍ଟିର କାରଣ ॥ ୮
ସଭାରେ କରଇ ଗାୟନ । ଯାହାର ପୂର୍ବଚିତ୍ତ ନାମ ॥ ୯
ଅତି ସୁନ୍ଦରୀ ଅପସରୀ । ତାକୁ ପେଷିଲେ ବେଗ କରି ॥ ୧୦
ଆଗ୍ନୀଧ୍ର ତପୋବନ ଲାଗେ । ମିଳିଲା ଅପସରୀ ବେଗେ ॥ ୧୧
ଅତିମଞ୍ଜୁଳ ମନୋହର । ବିବିଧ-ବିଟପୀ-ଅପାର ॥ ୧୨
ଘନ-ନିବିଡ-ଲତାମାନ । ଅଛନ୍ତି ନାନା-ପକ୍ଷୀଗଣ ॥ ୧୩
କର୍ଣ୍ଣାଭିରାମ-ଧ୍ୱନିମାନ । କରନ୍ତି ହରଷିତ ମନ ॥ ୧୪
ସ୍ୱଚ୍ଛ ନିର୍ମଳ ସ୍ୱାଦୁ ବାରି । ବିବିଧ-ଜଳାଶୟେ ପୂରି ॥ ୧୫
କୁକ୍ଳୁଟ-କାରଣ୍ତବ-ହଂସ । କରନ୍ତି ରୁଚିର-ବିଳାସ ॥ ୧୬
କାନନେ ନାନା ପୁଷ୍ପସାର । ପଦ୍ମ-ପୂରିତ-ସରୋବର ॥ ୧୭
ମନ୍ଦପବନ ବହେ ନିତ୍ୟେ । ତା ଦେଖି କନ୍ୟା ତୋଷଚିତ୍ତେ ॥ ୧୮
କରଇ ଲଳିତେ ଗାୟନ । ବିନ୍ୟାସେ ପାଦଗତିମାନ ॥ ୧୯
ଚରଣେ ନୂପୁର ତାହାର । ଧ୍ୱନି କରଇ ମନୋହର ॥ ୨୦
ଅତି ମଞ୍ଜୁଳ-ତାନ ଶୁଣି । ନୃପ କୁମର-ଶିରୋମଣି ॥ ୨୧
ସମାଧିଯୋଗରୁ ତାହାର । ନୟନକମଳଯୁଗଳ ॥ ୨୨
ଈଷିତେ ବିକଶିତ କଲା । ମନ୍ଦ-ମଧୁରେ ସେ ଚାହିଁଲା ॥ ୨୩
ନିକଟେ ତାର ମୁଖ ଦେଖି । ପିଛାଡି ନ ପାରଇ ଆଖି ॥ ୨୪
ଭ୍ରମର-ମତି ସେ ଯେସନ । ପୁଷ୍ପ ଲୋଡଇ ବନେବନ ॥ ୨୫
ଦେବମାନବ ଆଦି ଯେତେ । ଉଲ୍ଲାସ ହୁଅନ୍ତି ଜଗତେ ॥ ୨୬
ବିହାର-ଅବଲୋକନରେ । ସୁସ୍ୱର-ବଚନ-ମଧୁରେ ॥ ୨୭
ପ୍ରାଣୀର ମନକୁ ସେ ନେଇ । ଅନଙ୍ଗେ ଅସ୍ଥିର କରଇ ॥ ୨୮
ସେ ଯେତେବେଳେ ବାକ୍ୟ କହି । ବଦନୁ ସୁଗନ୍ଧ ବାସଇ ॥ ୨୯
ତେଣେ ଲୁବୁଧ-ଭୃଙ୍ଗଗଣେ । ଭ୍ରମନ୍ତି ତାର ସନ୍ନିଧାନେ ॥ ୩୦
ତେଣୁ ନ ପାରେ ବେଗେ ଯାଇ । ପବନେ ବସନ ଚଳଇ ॥ ୩୧
ତା ଦେଖି ନୃପତିନନ୍ଦନ । ହୋଇଲା ଅନଙ୍ଗେ ଅଧୀନ ॥ ୩୨
ଜଡ ପରାୟେ ସେ ହୋଇଲା । କାହୁଁ ତୁ ଅଇଲୁ ବୋଇଲା ॥ ୩୩
ବନଦେବତା ମାୟାକରି । ବନେ କି ଖୋଜୁ ବନ ହେରି ॥ ୩୪
କାମର ଅସ୍ତ୍ରମାନ ଯୋଖି । କି ଅର୍ଥେ ବୁଲୁ ତୁ ମୃଗାକ୍ଷି ॥ ୩୫
ମୃଗାକ୍ଷି କହ ତୁ ବଚନ । ମୃଗକୁ ଲୋଡୁ କି କାରଣ ॥ ୩୬
ତୋ ବେନି କମଳଲୋଚନ । ନିଶ୍ଚୟ ଅନଙ୍ଗର ବାଣ ॥ ୩୭
ଇତିଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ପଞ୍ଚମସ୍କନ୍ଧେ ଆଗ୍ନୀଧ୍ରବର୍ଣ୍ଣନଂ ନାମ
ଦ୍ୱିତୀୟୋଽଧ୍ୟାୟଃ ॥
* * *