ପଞ୍ଚମ ସ୍କନ୍ଧ

ଦ୍ୱିତୀୟ ଅଧ୍ୟାୟ

ଶୁକ ଉବାଚ

ଶୁଣ ରାଜନ ଏ ଅନ୍ତରେ । ପିତାର ଆଜ୍ଞା ଘେନି ଶିରେ ॥

ଜମ୍ବୁଦ୍ୱୀପରେ ପ୍ରଜାଜନ । ଆଗ୍ନୀଧ୍ର କରଇ ପାଳନ ॥

ଏମନ୍ତେ କେତେଦିନ ଗଲା । ଆଗ୍ନୀଧ୍ର ମନେ ବିଚାରିଲା ॥

ସନ୍ତୋଷ ପିତୃଲୋକଙ୍କର । କେମନ୍ତେ ହୋଇବ ମୋହାର ॥

ଏମନ୍ତ ମନେ ବିଚାରିଲା । ମନ୍ଦରଗିରିରେ ମିଳିଲା ॥

ସୁରବନିତା କ୍ରୀଡାସ୍ଥାନେ । ପଶିଲା ଗହନ କାନନେ ॥

ସଂସାରକରତାଙ୍କୁ ଧ୍ୟାୟି । ବସିଳା ସ୍ଥିରମନ ହୋଇ ॥

ତାହା ଜାଣିଲେ ଭଗବାନ । ଯେ ବ୍ରହ୍ମା ସୃଷ୍ଟିର କାରଣ ॥

ସଭାରେ କରଇ ଗାୟନ । ଯାହାର ପୂର୍ବଚିତ୍ତ ନାମ ॥

ଅତି ସୁନ୍ଦରୀ ଅପସରୀ । ତାକୁ ପେଷିଲେ ବେଗ କରି ॥ ୧୦

ଆଗ୍ନୀଧ୍ର ତପୋବନ ଲାଗେ । ମିଳିଲା ଅପସରୀ ବେଗେ ॥ ୧୧

ଅତିମଞ୍ଜୁଳ ମନୋହର । ବିବିଧ-ବିଟପୀ-ଅପାର ॥ ୧୨

ଘନ-ନିବିଡ-ଲତାମାନ । ଅଛନ୍ତି ନାନା-ପକ୍ଷୀଗଣ ॥ ୧୩

କ‰ର୍ଣ୍ଣାଭିରାମ-ଧ୍ୱନିମାନ । କରନ୍ତି ହରଷିତ ମନ ॥ ୧୪

ସ୍ୱଚ୍ଛ ନିର୍ମଳ ସ୍ୱାଦୁ ବାରି । ବିବିଧ-ଜଳାଶୟେ ପୂରି ॥ ୧୫

କୁକ୍ଳୁଟ-କାରଣ୍ତŠବ-ହଂସ । କରନ୍ତି ରୁଚିର-ବିଳାସ ॥ ୧୬

କାନନେ ନାନା ପୁଷ୍ପସାର । ପଦ୍ମ-ପୂରିତ-ସରୋବର ॥ ୧୭

ମନ୍ଦପବନ ବହେ ନିତ୍ୟେ । ତା ଦେଖି କନ୍ୟା ତୋଷଚିତ୍ତେ ॥ ୧୮

କରଇ ଲଳିତେ ଗାୟନ । ବିନ୍ୟାସେ ପାଦଗତିମାନ ॥ ୧୯

ଚରଣେ ନୂପୁର ତାହାର । ଧ୍ୱନି କରଇ ମନୋହର ॥ ୨୦

ଅତି ମଞ୍ଜୁଳ-ତାନ ଶୁଣି । ନୃପ କୁମର-ଶିରୋମଣି ॥ ୨୧

ସମାଧିଯୋଗରୁ ତାହାର । ନୟନକମଳଯୁଗଳ ॥ ୨୨

ଈଷିତେ ବିକଶିତ କଲା । ମନ୍ଦ-ମଧୁରେ ସେ ଚାହିଁଲା ॥ ୨୩

ନିକଟେ ତାର ମୁଖ ଦେଖି । ପିଛାଡି ନ ପାରଇ ଆଖି ॥ ୨୪

ଭ୍ରମର-ମତି ସେ ଯେସନ । ପୁଷ୍ପ ଲୋଡଇ ବନେବନ ॥ ୨୫

ଦେବମାନବ ଆଦି ଯେତେ । ଉଲ୍ଲାସ ହୁଅନ୍ତି ଜଗତେ ॥ ୨୬

ବିହାର-ଅବଲୋକନରେ । ସୁସ୍ୱର-ବଚନ-ମଧୁରେ ॥ ୨୭

ପ୍ରାଣୀର ମନକୁ ସେ ନେଇ । ଅନଙ୍ଗେ ଅସ୍ଥିର କରଇ ॥ ୨୮

ସେ ଯେତେବେଳେ ବାକ୍ୟ କହି । ବଦନୁ ସୁଗନ୍ଧ ବାସଇ ॥ ୨୯

ତେଣେ ଲୁବୁଧ-ଭୃଙ୍ଗଗଣେ । ଭ୍ରମନ୍ତି ତାର ସନ୍ନିଧାନେ ॥ ୩୦

ତେଣୁ ନ ପାରେ ବେଗେ ଯାଇ । ପବନେ ବସନ ଚଳଇ ॥ ୩୧

ତା ଦେଖି ନୃପତିନନ୍ଦନ । ହୋଇଲା ଅନଙ୍ଗେ ଅଧୀନ ॥ ୩୨

ଜଡ ପରାୟେ ସେ ହୋଇଲା । କାହୁଁ ତୁ ଅଇଲୁ ବୋଇଲା ॥ ୩୩

ବନଦେବତା ମାୟାକରି । ବନେ କି ଖୋଜୁ ବନ ହେରି ॥ ୩୪

କାମର ଅସ୍ତ୍ରମାନ ଯୋଖି । କି ଅର୍ଥେ ବୁଲୁ ତୁ ମୃଗାକ୍ଷି ॥ ୩୫

ମୃଗାକ୍ଷି କହ ତୁ ବଚନ । ମୃଗକୁ ଲୋଡୁ କି କାରଣ ॥ ୩୬

ତୋ ବେନି କମଳଲୋଚନ । ନିଶ୍ଚୟ ଅନଙ୍ଗର ବାଣ ॥ ୩୭

ଇତିଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ପଞ୍ଚମସ୍କନ୍ଧେ ଆଗ୍ନୀଧ୍ରବ‰ର୍ଣ୍ଣନଂ ନାମ

ଦ୍ୱିତୀୟୋଽଧ୍ୟାୟଃ ॥

* * *