ପଞ୍ଚମ ସ୍କନ୍ଧ
ପ୍ରଥମ ଅଧ୍ୟାୟ
ମୈତ୍ରେୟ ଉବାଚ
ପରମ-ପୁରୁଷ ଗୋବିନ୍ଦ । ଅରୁଣ-ଚରଣାରବିନ୍ଦ ॥ ୧
ତହୁଁ ଗଳଇ ମକରନ୍ଦେ । ତାହା ଯେ ପିବନ୍ତି ଆନନ୍ଦେ ॥ ୨
ଶ୍ରଦ୍ଧାଯୁକ୍ତରେ ଚିନ୍ତାକରି । ହେଳେ ତରନ୍ତି ଭବବାରି ॥ ୩
ପରମଭକ୍ତି ସେ ଲଭଇ । କରୁଣା କରନ୍ତି ଗୋସାଇଁ ॥ ୪
ତାହାଙ୍କ ଚରଣେ ବନ୍ଦଇ । ପଞ୍ଚମସ୍କନ୍ଧେ ଗୀତ ଗାଇ ॥ ୫
କହଇ ବିପ୍ର ଜଗନ୍ନାଥ । ଭାଷା ପ୍ରବନ୍ଧେ ଭାଗବତ ॥ ୬
ଶୁକ ପରୀକ୍ଷିତ ସମ୍ବାଦ । ଶୁଣିଲେ ତୁଟେ ଭବବନ୍ଧ ॥ ୭
ପରୀକ୍ଷିତ ଉବାଚ
ଭୋ ମୁନି ରାଜା ପ୍ରିୟବ୍ରତ । ସେ ଆତ୍ମାରାମ ଭାଗବତ ॥ ୮
ଗୃହେ ରମିଲା ତାର ମନ । ପ୍ରାରବ୍ଧ-କର୍ମରେ ବନ୍ଧନ ॥ ୯
ନିଶ୍ଚୟେ ମୁକ୍ତସଙ୍ଗ ଯାର । ଏମନ୍ତ ପ୍ରାଣୀମାନଙ୍କର ॥ ୧୦
କିମ୍ପା ଏ ଗୃହେ ମନ ରହେ । ଭୋ ମୁନି ଫେଡିବା ସନ୍ଦେହେ ॥ ୧୧
ନିଶ୍ଚେ ମହତଲୋକଙ୍କର । ଉତ୍ତମ ଶ୍ଳୋକ କଥାସାର ॥ ୧୨
ନିବୃତ୍ତଚିତ୍ତ ସେ ହୁଅନ୍ତି । ସେ କିମ୍ପା ବ୍ୟର୍ଥ ଆଚରନ୍ତି ॥ ୧୩
ଏ ମୋତେ ସଂଶୟ ବହୁତ । ଯେ ପ୍ରାଣୀ ଗୃହେ ମୋହଚିତ୍ତ ॥ ୧୪
ତା ମତି କୃଷ୍ଣ-ବିଷୟରେ । ହୋଇଲା କେମନ୍ତ ପ୍ରକାରେ ॥ ୧୫
ଏମନ୍ତ ରାଜା ମୁଖୁଁ ଶୁଣି । ମୁନି କହନ୍ତି ପରିମାଣି ॥ ୧୬
ଶୁକ ଉବାଚ
ଯାହା ତୁ କରିଲୁ ପ୍ରଶନ । ଧନ୍ୟ ରାଜନ ତୋ ବଚନ ॥ ୧୭
ଉତ୍ତମଶ୍ଳୋକ ଯେ ଗୋବିନ୍ଦ । ତାହାଙ୍କ ଚରଣାରବିନ୍ଦ ॥ ୧୮
ତହୁଁ ଅମୀୟରସ ବହେ । ସେ ରସ ଯେବା ପ୍ରାଣୀ ପିଏ ॥ ୧୯
ଭକତ ସାଧୁ ସେହୁ ଜନ । ପରମହଂସ ଦିବ୍ୟଜ୍ଞାନ ॥ ୨୦
ତାହାର କୃଷ୍ଣକଥା ବିନେ । କେବେହେଁ ମନ ନୋହେ ଆନେ ॥ ୨୧
ଅନ୍ୟ ଯେ ଗୁଣକଥାମାନ । ଇଚ୍ଛା ନ କରନ୍ତି ସେ ଜନ ॥ ୨୨
ତେଣୁ ସେ ନୃପ ପ୍ରିୟବ୍ରତ । ଗୁଣରେ ହୋଇଲା ପୂଜିତ ॥ ୨୩
ମୁନି ପରମ-ଭାଗବତ । ନାରଦ ଲୋକରେ ବିଖ୍ୟାତ ॥ ୨୪
ତାହାଙ୍କ ଚରଣ ସେବାରେ । ସର୍ବକଳୁଷ ଗଲା ଦୂରେ ॥ ୨୫
ତକ୍ଷଣେ ସତ୍ତ୍ୱଗୁଣ ହୋଇ । ବ୍ରହ୍ମଯଜ୍ଞରେ ଦୀକ୍ଷା ପାଇ ॥ ୨୬
ପିତାର ଆଜ୍ଞା ଘେନି ଶିରେ । ଅବନୀ ପାଳନ ବିଚାରେ ॥ ୨୭
ତେଣେ ନ ଇଚ୍ଛେ ନୃପବର । ଉତ୍ତମ ସତ୍ତ୍ୱଗୁଣ ତାର ॥ ୨୮
ଅଖିଳଲୋକଙ୍କ ଜୀବନ । ଅନାଦିନାଥ ନାରାୟଣ ॥ ୨୯
ତାହାଙ୍କ ଚରଣାରବିନ୍ଦେ । ଚିତ୍ତ ନିବେଶି ଅପ୍ରମୋଦେ ॥ ୩୦
ପ୍ରବୃତ୍ତ ସଂସାର ବେଭାର । ତହୁଁ ମନକୁ କରି ଦୂର ॥ ୩୧
ନିଶ୍ଚୟ ଜାଣି ପରାଭବ । ଇଚ୍ଛଇ ନାହିଁ ରାଜ୍ୟ ଲାଭ ॥ ୩୨
ଏଥି ଉତ୍ତାରେ ଭଗବାନ । ଦେବଙ୍କ ଯେ ଆଦି କାରଣ ॥ ୩୩
ରାଜାର ଗୁଣମାନ ଘେନି । ଜନ କୁଶଳେ ଆତ୍ମଯୋନି ॥ ୩୪
ନିଗମ ନିଜ ଗୁଣେ ଥାଇ । ଭୁବନୁ ଅଇଲେ ଗୋସାଇଁ ॥ ୩୫
ଗଗନ ମଧ୍ୟେ ଚନ୍ଦ୍ର ଯେହ୍ନେ । ବିରାଜି ଶୋହେ ତାରାଗଣେ ॥ ୩୬
ନିର୍ମଳ ପୂଜା ଉପହାରେ । ପୂଜିଲେ ତାଙ୍କୁ ଦେବବରେ ॥ ୩୭
ପଥରେ ଯୂଥ ଯୂଥ ହୋଇ । ସିଦ୍ଧ ଗନ୍ଧର୍ବେ ଗୀତ ଗାଇ ॥ ୩୮
ଚାରଣ ମୁନିଙ୍କ ସହିତେ । ଗାୟନ କଲେ ଯେଝାମତେ ॥ ୩୯
ଗନ୍ଧମାର୍ଦ୍ଦନ ଗିରି ତଳେ । ଶୋଭା କରାଇ ବିଜେ କଲେ ॥ ୪୦
ହଂସଯାନରେ ଆଗମନ । ହିରଣ୍ୟଗର୍ଭ ଯାର ନାମ ॥ ୪୧
ସେଠାରେ ଥାଇଣ ନାରଦ । ବନ୍ଦିଲେ ପିତା ପଦ୍ମପାଦ ॥ ୪୨
ମନୁ ସହିତେ ନୃପବର । ଆନନ୍ଦେ ଯୋଡି ବେନିକର ॥ ୪୩
ପିତାମହକଙ୍କୁ ସେ ନମିଲା । ଚରଣେ ଶିର ନିବେଶିଲା ॥ ୪୪
ପ୍ରିୟବ୍ରତର ପୂଜା ଘେନି । କୋମଳବାକ୍ୟେ ପଦ୍ମଯୋନି ॥ ୪୫
ସଦୟେ ଚାହିଁ ବେଦବର । ରାଜାଙ୍କୁ ବୋଲନ୍ତି ଉତ୍ତର ॥ ୪୬
ବ୍ରହ୍ମା ଉବାଚ
ହେ ପ୍ରିୟବ୍ରତ କହୁଁ ତୋତେ । କ୍ରୋଧ ନ କର ତୋର ଚିତ୍ତେ॥ ୪୭
ଆମ୍ବେ ନାରଦ ଆଦି ଯେତେ । ଯା ଆଜ୍ଞା ବହୁ ଅନାୟତ୍ତେ ॥ ୪୮
ତପସ୍ୟା ବିଦ୍ୟା ଯୋଗ କରି । ପଣ୍ତିତପଣକୁ ଆଚରି ॥ ୪୯
ଧର୍ମେ ବା ଅର୍ଥେ କେହୁ ଏଡି । ଈଶ୍ୱର ଇଚ୍ଛାକୁ ନ ପାରି ॥ ୫୦
ଜନ୍ମ ମରଣ କର୍ମେ ପାଇ । ଜୀବ ଶରୀରକୁ ବହଇ ॥ ୫୧
ଶୋକ-ମୋହକୁ ନିତ୍ୟେ ପାଇ । ସୁଖ ଦୁଃଖକୁ ସେ ଭୁଞ୍ଜଇ ॥ ୫୨
ଦଉଡି ନାସାରନ୍ଧ୍ରେ ଦେଇ । ପଶୁକୁ ଯେସନେ ବୁହାଇ ॥ ୫୩
ଈଶ୍ୱର ବାକ୍ୟ ଗୁଣ ବଳେ । ଜୀବ ଭ୍ରମଇ ଏ ଶୟଳେ ॥ ୫୪
ଦ୍ୱିପଦ ଚତୁଷ୍ପଦ ଯେତେ । ସର୍ବେ ବନ୍ଧନ ସେହିମତେ ॥ ୫୫
ଦୁଃଖସୁଖ କର୍ମ ଗୁଣରେ । ଏମାନ ଘେନି ସଙ୍ଗତରେ ॥ ୫୬
ଈଶ୍ୱର ସୃଷ୍ଟିର କରତା । ସକଳେ ତାହାଙ୍କୁ ସେବନ୍ତା ॥ ୫୭
ସେହି ଈଶ୍ୱରବଶେ ଦେହୀ । ଅନ୍ଧର ପ୍ରାୟ ଭ୍ରମୁଥାଇ ॥ ୫୮
ଦେଖୁ ଦେଖୁଣ ଭ୍ରମୁ ଥାଇ । ଏକଥା ମୂଢ଼ ନ ଜାଣଇ ॥ ୫୯
ବିମୁକ୍ତ ହେଲେ ହେଁ ପୁରୁଷ । ପ୍ରାରବ୍ଧ ଭୁଞ୍ଜଇ ଅବଶ୍ୟ ॥ ୬୦
ନିଦ୍ରାକୁ ପାଇ ଯେହ୍ନେ ନରେ । ସ୍ୱପ୍ନ ଦେହରେ ଭୋଗ କରେ ॥ ୬୧
ପ୍ରମତ୍ତ-ପ୍ରାଣୀମାନଙ୍କର । କେବେହେଁ ଭ୍ରମ ନୋହେ ଦୂର ॥ ୬୨
ଲୋଭାଦିମାନଙ୍କରେ ଯୁତ । ଯେଣୁ ହୁଅଇ ଅବିରତ ॥ ୬୩
ଯେ ବୁଧ ଜିଣେ ଇନ୍ଦ୍ରିମାନ । ତାହାର ଗୃହ କର୍ମମାନ ॥ ୬୪
ବନ୍ଧନ ନ କରେ ତାହାରେ । ନିର୍ଭୟେ ଭ୍ରମେ ସେ ଗୃହରେ ॥ ୬୫
ଲୋଭାଦି ଜିଣନ୍ତି ଯେ ଜନ । ଗୃହେ ନ ରମେ ତାର ମନ ॥ ୬୬
ଦୁର୍ଗ ମଧ୍ୟରେ ଥାଇ ଯେହ୍ନେ । ଜିଣି ପ୍ରରଳ ଶତ୍ରୁଗଣେ ॥ ୬୭
ଗୃହ ମଧ୍ୟରେ ଦେଇ ମନ । ଲୋଭାଦି ନାଶିବ ତେସନ ॥ ୬୮
ଇନ୍ଦ୍ରିୟ ଜିଣନ୍ତେ ସେ ନର । ଆନନ୍ଦେ ଭ୍ରମିବ ସଂସାର ॥ ୬୯
ତୁ ପଦ୍ମନାଭ-ପଦାଶ୍ରିତ । ସର୍ବସଙ୍ଗରୁ ହୋଇ ମୁକ୍ତ ॥ ୭୦
କରି ସଂସାର-ସୁଖ ଲାଭ । ଅନ୍ତେ ପରମଗତି ଲାଭ ॥ ୭୧
ଶୁକ ଉବାଚ
ଏମନ୍ତ ତ୍ରିଭୁବନେ ପୁରି । ଭଗବାନଙ୍କ ଆଜ୍ଞାକାରୀ ॥ ୭୨
ବିନୟେ ବ୍ରହ୍ମା ଉପଦେଶେ । ସ୍ୱୀକାର କଲା ସେ ବିଶ୍ୱାସେ ॥ ୭୩
ନାରଦ ରାଜା ପ୍ରିୟବ୍ରତେ । ପୂଜିତ ହୋଇ ଯଥୋଚିତେ ॥ ୭୪
ନିଶ୍ଚଳଆତ୍ମା ନିଜସ୍ଥାନେ । ଗମିଲେ ଚତୁରଆନନେ ॥ ୭୫
ଶୁଣ ରାଜନ ପରୀକ୍ଷିତ । ତଦନ୍ତେ ରାଜା ପ୍ରିୟବ୍ରତ ॥ ୭୬
ବ୍ରହ୍ମାଙ୍କ ଜ୍ଞାନବାକ୍ୟ ଶୁଣି । ଆପଣେ ଅକିଞ୍ଚନ ମାନି ॥ ୭୭
ମନରେ ଭାଳନ୍ତି ରାଜନ । ପାଳିବି ବ୍ରହ୍ମାଙ୍କ ବଚନ ॥ ୭୮
ନାରଦ ବାକ୍ୟେ ମନ ଦେଇ । ମନୁ ଆତ୍ମଜେ ମହୀ ଦେଇ ॥ ୭୯
ବିଷମ-ବିଷୟାକୁ ତେଜି । ରହେ ସାତ୍ତ୍ୱିକଭାବେ ମଜ୍ଜି ॥ ୮୦
ଏଥୁ ଅନ୍ତରେ ପୃଥିବୀରେ । ନିଯୁକ୍ତ ହୋଇଲା କୁମରେ ॥ ୮୧
ଅଖିଳ-ଜଗତ-ବନ୍ଦନ । ନିବେଶି କୃଷ୍ଣପାଦେ ମନ ॥ ୮୨
ଆଦିପୁରୁଷ ପାଦେ ଧ୍ୟାୟି । ମନ ନିବେଶି ନିତ୍ୟେ ତହିଁ ॥ ୮୩
ପୃଥିବୀ ପରିପାଳନରେ । ଚିତ୍ତ ସେ ଦେଲା ନିରନ୍ତରେ ॥ ୮୪
ଯେ ବିଶ୍ୱକର୍ମା ପ୍ରଜାପତି । ତାର ଦୁହିତା ବର୍ହିଷ୍କୃତୀ ॥ ୮୫
ସେ କନ୍ୟା ବରି ନରନାଥ । ବିଭା ହୋଇଲା ଯଥୋଚିତ ॥ ୮୬
ଦଶ ଆତ୍ମଜ ତାର ତହିଁ । ଜନ୍ମିଲେ ଗୁଣ-ତେଜ ବହି ॥ ୮୭
ଏକ ଦୁହିତା ରୂପବତୀ । ନାମ ଯାହାର ଉର୍ଜସ୍ୱତୀ ॥ ୮୮
ଆଗ୍ନୀଧ୍ର ଇଧ୍ୱଜିହ୍ୱ ଦୁଇ । ତୃତୀୟ ଯଜ୍ଞବାହୁ ହୋଇ ॥ ୮୯
ସବପନ ଘୃତପୁଷ୍ଠ ଆର । ହିରଣ୍ୟରେତା ମହାବୀର ॥ ୯୦
ବୀତିହୋତ୍ର ଯେ ମେଧାତିଥି । କବି ଏ ଦଶନାମ ଖ୍ୟାତି ॥ ୯୧
ଏ ଦଶନାମ ପୁତ୍ରଙ୍କର । ଏଥିର ମଧ୍ୟେ ତିନି ସାର ॥ ୯୨
ମହାବୀର କବି ସବନ । ଉର୍ଦ୍ଧ୍ୱରେତା ଏ ତନିଜଣ ॥ ୯୩
ପରମହଂସ ଦୀକ୍ଷା ଧରି । ସକଳ ଚେଷ୍ଟା ପରିହରି ॥ ୯୪
ସର୍ବଜୀବରେ କୃପାମୟ । ଶ୍ରୀବାସୁଦେବେ କରି ଲୟ ॥ ୯୫
ଭୟେ ଆରତ-ପ୍ରାଣୀଙ୍କର । ଶରଣ-ରକ୍ଷଣ-ଶ୍ରୀଧର ॥ ୯୬
ସେ ପଦ୍ମପାଦ ଆଶ୍ରୟରୁ । ନିରତେ ନାମ କୀର୍ତ୍ତନରୁ ॥ ୯୭
ପରମଭକ୍ତି ପ୍ରଭାବରେ । ଦୟା ବହିଲେ ପ୍ରାଣୀଠାରେ ॥ ୯୮
ଭାବେ ନିର୍ମଳଚିତ୍ତ ହୋଇ । ହରି ସର୍ବଭୂତେ ଦେଖଇ ॥ ୯୯
ସେ ମହାପ୍ରଭୁ ନାରାୟଣେ । ନିତ୍ୟେ ଭଜିଲେ ଦାସପଣେ ॥ ୧୦୦
ପ୍ରିୟବ୍ରତଙ୍କ ଅନ୍ୟନାରୀ । ଥିଲା ସେ ଅତୀବ ସୁନ୍ଦରୀ ॥ ୧୦୧
ଦ୍ୱିତୀୟ ପତ୍ନୀ ଗର୍ଭେ ତାର । ହୋଇଲେ ତିନି ଯେ କୁମର ॥ ୧୦୨
ଉତ୍ତମ ତାମସ ରୈବତ । ମନୁରେ ହୋଇଲେ ବିଖ୍ୟାତ ॥ ୧୦୩
ଏମନ୍ତ ପୁତ୍ରମାନ ଘେନି । ସେ ରାଜା ଚିରକାଳ ପୁଣି ॥ ୧୦୪
ସୁବାହୁ ବଳବୀର୍ଯ୍ୟ ଧରି । ପୃଥିବୀ ନିଷ୍କଣ୍ଟକ କରି ॥ ୧୦୫
ସେ ରାଜା ପୁରୁଷାର୍ଥ କରି । ଧରମପଥକୁ ଆଚରି ॥ ୧୦୬
ସେ ରାଜା ପତ୍ନୀ ବିଷୟରେ । ପ୍ରତି ଦିବସ ସ୍ନେହଭରେ ॥ ୧୦୭
ସେ ପତ୍ନୀ ନବ-ଯଉବନେ । ମନ୍ଦହାସ ଅବଲୋକନେ ॥ ୧୦୮
ବିହାର ତାର ସଙ୍ଗେ କରି । ତା ବଶ ନୋହି ଦଣ୍ତଧାରୀ ॥ ୧୦୯
ବିବିଧ-କ୍ରୀଡା ନାନାରଙ୍ଗେ । ଦିନ ହରଇ ତାର ସଙ୍ଗେ ॥ ୧୧୦
ଏମନ୍ତେ ରାଜା ପ୍ରିୟବ୍ରତ । ରାଜ୍ୟ ପାଳନେ ହେଲା ରତ ॥ ୧୧୧
ପ୍ରଜାଙ୍କୁ ପାଳନ୍ତି ହରଷେ । ଏକାଦଶ-ଅର୍ବୁଦ-ବର୍ଷେ ॥ ୧୧୨
ତାହାଙ୍କ ବେନିଭୂଜ ତେଜେ । ବିପକ୍ଷପକ୍ଷ ତାଙ୍କୁ ଭଜେ ॥ ୧୧୩
ଏମନ୍ତ ନିର୍ଭୟ-ମନରେ । ଆନନ୍ଦେ ସଂସାରେ ବିହରେ ॥ ୧୧୪
ମେରୁକୁ ସୂର୍ଯ୍ୟ ଯେବେ ଯାଏ । ତେଜରେ ପ୍ରକାଶ ସେ ହୋଏ ॥ ୧୧୫
ତେଜେ ସୂର୍ଯ୍ୟତେଜ ଗଞ୍ଜଇ । ତପସ୍ୟାବଳେ ବିରାଜଇ ॥ ୧୧୬
ଆରୋହି ଜ୍ୟୋତିର୍ମୟ-ରଥେ । ପ୍ରକାଶ କରାଇବା ଅର୍ଥେ ॥ ୧୧୭
ରଜନୀ ଦିବସେ ଭ୍ରମଇଁ । ଦ୍ୱିତୀୟସୂର୍ଯ୍ୟ ପ୍ରାୟ ହୋଇ ॥ ୧୧୮
ତପସ୍ୟାବଳୁ ପ୍ରିୟବ୍ରତ । ସାଧିଳା ଅବ୍ୟକ୍ତ ଏ ବ୍ରତ ॥ ୧୧୯
ଏମନ୍ତ ଜାଣି ବେଦପତି । ଆସି ମିଳିଲେ ତାର କତି ॥ ୧୨୦
ସସ୍ନେହେ କହେ ବେଦବର । ଏ ନୋହେ ତୁମ୍ଭ ଅଧିକାର ॥ ୧୨୧
ସେ ରାଜା ରଥର ଚକ୍ରର । ହୋଇଲା ଯେତେକ ବିସ୍ତାର ॥ ୧୨୨
ତେଣୁ ସପତସିନ୍ଧୁ ହେଲା । ପୃଥିବୀ ସାତଭାଗ କଲା ॥ ୧୨୩
ଶାକ ଶାଳ୍ମଳୀ ଜମ୍ବୁ ପ୍ଳକ୍ଷ । କୁଶ ପୁଷ୍କର ଆଉ କ୍ରୌଞ୍ଚ ॥ ୧୨୪
ଏପରି ସପ୍ତଦ୍ୱୀପ ହେଲା । ସେ ରାଜା ଆନନ୍ଦେ ବୁଡିଲା ॥ ୧୨୫
ଆନନ୍ଦମନେ ଦଣ୍ତଧାରୀ । ଏହା ସେ କର୍ମରେ ବିଚାରି ॥ ୧୨୬
ଏମନ୍ତେ ରାଜା ପ୍ରିୟବ୍ରତ । ସଂସାରକାର୍ଯ୍ୟେ ହେଲ ବ୍ରତ ॥ ୧୨୭
ପୁତ୍ରଙ୍କୁ ଅଧିପତି କଲେ । ରାଜ୍ୟ ବିଭାଗ କରିଦେଲେ ॥ ୧୨୮
ଦୁହିତା ଊର୍ଜସ୍ୱତୀ ନାମ । ତାହାକୁ ଶୁକ୍ରେ କଲା ଦାନ ॥ ୧୨୯
ତାହାର କନ୍ୟା ଅନୁପମ । ହୋଇଲା ଦେବଯାନୀ ନାମ ॥ ୧୩୦
ଏଥୁ ଅନ୍ତରେ ରାଜା ଚିତ୍ତେ । ବୈରାଗ୍ୟ ଉପୁଜେ ନିରତେ ॥ ୧୩୧
ମନେ ବିଚାରି ନୃପନାଥ । ସ୍ୱନିନ୍ଦା କଲାକ ବହୁତ ॥ ୧୩୨
ସ୍ତ୍ରୀସଙ୍ଗେ ଆସକ୍ତ ହୋଇଲି । ବଡ଼ ଅସାଧୁପଣ କଲି ॥ ୧୩୩
ଏଣୁ ଇନ୍ଦ୍ରିୟେ ବଣ ହୋଇ । ଅବିଦ୍ୟା-ବିଷୟରେ ଥାଇ ॥ ୧୩୪
ଏଣୁ ଏ ଧିକ ମୋ ଜୀବନ । ବିସ୍ମୟେ ଭାଳନ୍ତେ ରାଜନ ॥ ୧୩୫
ଈଷ୍ଟ ଦେବତା-ପ୍ରସାଦରେ । ବୈରାଗ୍ୟ ଜାତ ତା ମନରେ ॥ ୧୩୬
ବିଷୟ-ଚେଷ୍ଟା ପାଶୋରିଲା । ଇନ୍ଦ୍ରିୟମାନ ନିରୋଧିଲା ॥ ୧୩୭
ରାଜସମ୍ପଦ ନ ଇଚ୍ଛିଲା । ପୁତ୍ରଙ୍କୁ ଭାଗ କରି ଦେଲା ॥ ୧୩୮
ସ୍ୱପତ୍ନୀ ତେଜି ମୃତପ୍ରାୟେ । ମୁକ୍ତି ଇଚ୍ଛିଲା ନୃପରାୟେ ॥ ୧୩୯
ମହାନୁଭାବ ଭଗବାନ । ନାରଦ ବ୍ରହ୍ମାର ନନ୍ଦନ ॥ ୧୪୦
ତାହାଙ୍କ ପଥ ଆଶ୍ରେ କଲା । ନିଶ୍ଚୟେ ନିବୃତ୍ତ ହୋଇଲା ॥ ୧୪୧
ଯେଉଁ ରାଜାର ଏତେ କୃତ୍ୟ । ଗାୟନ କରନ୍ତି ଜଗତ ॥ ୧୪୨
ପ୍ରିୟବ୍ରତର କଲାକର୍ମ । ଏହା କେ କରିବାକୁ କ୍ଷମ ॥ ୧୪୩
ତାହାର ରଥଚକ୍ର-ମାର୍ଗେ । ସପ୍ତସମୁଦ୍ର ପୃଥ୍ୱୀଭାଗେ ॥ ୧୪୪
ଭାଗ-ବିଭାଗ ମହୀ କରି । ଦ୍ୱୀପ-ଉପଦ୍ୱୀପ ବିସ୍ତାରି ॥ ୧୪୫
ଯେବା କଲା ମନୁକୁମର । ପୃଥିବୀ-ସ୍ୱର୍ଗେ ଅଗୋଚର ॥ ୧୪୬
ସେ ପ୍ରିୟବ୍ରତର ମହିମା । ତ୍ରୈଲୋକ୍ୟେ ନାହିଁନା ଉପମା ॥ ୧୪୭
ପ୍ରିୟ ଅଖିଳ ଜନଙ୍କର । ମହାମହିମା ଅଗୋଚର ॥ ୧୪୮
ପ୍ରିୟବ୍ରତ ରାଜା ଚରିତ । କହଇ ଦାସ ଜଗନ୍ନାଥ ॥ ୧୪୯
ଇତି ଶ୍ରୀମଦ୍ଭାଗବତେ ମହୁପରାଣେ ପାରମହଂସ୍ୟା
ସଂହିତାୟାଂ ପଞ୍ଚମସ୍କନ୍ଧେ ପ୍ରିୟବ୍ରତ ବିଜୟେ
ପ୍ରଥମୋଽଧ୍ୟାୟଃ ॥
* * *