ଚତୁର୍ଥ ସ୍କନ୍ଧ
ଏକତ୍ରିଂଶ ଅଧ୍ୟାୟ
ମୈତ୍ରେୟ ଉବାଚ
ଶୁଣ ବିଦୁର ସାବଧାନେ । ତଦନ୍ତେ ଯେବଣ ବିଧାନେ ॥ ୧
ସେ ଦଶଭାଇ ଜ୍ଞାନ ପର । ହରିଆଦେଶ ଘେନି ଶିର ॥ ୨
ଅନେକକାଳ ଭୋଗଅନ୍ତେ । ବୈରାଗ୍ୟ ଉପୁଜିଲା ଚିତ୍ତେ ॥ ୩
ରାଜ-ବିଭୂତି ପତ୍ନୀ ତୁଲେ । ପୁତ୍ରେ ସମର୍ପି ବନେ ଗଲେ ॥ ୪
ପଶ୍ଚିମଜଳଧି-ତଟରେ । ରହିଲେ ସିଦ୍ଧ-ଆଶ୍ରମରେ ॥ ୫
ଜାଜଳି ନାମେ ଦ୍ୱିଜବର । ଯହିଁ ହୋଇଲେ ସିଦ୍ଧେଶ୍ୱର ॥ ୬
ତହିଁ ସେମାନେ ତପ କରି । ପୂଜିଲେ ବ୍ରହ୍ମସତ୍ରେ ହରି ॥ ୭
ଏ ମନ-ବଚନ-ଲୋଚନ । ସେ ଜୟ କଲେ ପ୍ରାଣ-ମନ ॥ ୮
ଆସନଆଦି ଦୃଢ଼ କଲେ । ସୁଶାନ୍ତ-ବିଗ୍ରହ ହୋଇଲେ ॥ ୯
ଏମନ୍ତ ସମୟେ ବିଦୁର । ନାରଦ ବ୍ରହ୍ମାଙ୍କ କୁମର ॥ ୧୦
ମିଳିଲେ ସେହିଠାବେ ଆସି । ସେମାନେ ଛନ୍ତି ତପେ ବସି ॥ ୧୧
ଦେଖି ନାରଦ-ମୁନିବର । ସେମାନେ ଉଠିଲେ ସତ୍ୱର ॥ ୧୨
ବେଗେ ଆସନ ଆଣି ଦେଲେ । ଚରଣଯୁଗ ପ୍ରକ୍ଷାଳିଲେ ॥ ୧୩
ଅତି ଆନନ୍ଦେ ଦଶଭାଇ । ଭାବେ ପୂଜିଲେ ଅର୍ଘ୍ୟ ଦେଇ ॥ ୧୪
ସୁଖେ ବସିଲେ ମୁନିବର । ସେମାନେ ଅଗ୍ରେ ଯୋଡିକର ॥ ୧୫
ରୋମ-ପୁଲକେ ଅଶ୍ରୁପନ୍ତି । ଆନନ୍ଦେ ବସି ପଚାରନ୍ତି ॥ ୧୬
ଆମ୍ଭେ କି ଭାଗ୍ୟ କରିଥିଲୁ । ଏ ତୁମ୍ଭ ଦର୍ଶନ ଲଭିଲୁ ॥ ୧୭
ଭୋ ମୁନି ଏ ତୁମ୍ଭ ଭ୍ରମଣ । ଅଜ୍ଞାନୀଜନ ଉଦ୍ଧାରଣ ॥ ୧୮
ନିର୍ଭୟ ହେତୁ ପ୍ରାଣୀଙ୍କର । ତୁମ୍ଭ ଦର୍ଶନ ମୁନିବର ॥ ୧୯
ଯେସନେ ସୂର୍ଯ୍ୟର ଉଦୟ । ଅଶେଷ-ପ୍ରାଣୀ-ସୁଖମୟ ॥ ୨୦
ତେସନେ ତୁମ୍ଭ ଦରଶନ । ଖଣ୍ତଇ ତ୍ରିତାପ-ଅଜ୍ଞାନ ॥ ୨୧
ଭୋ ମୁନି ମନଖେଦ ଯେତେ । କହିବୁଁ ତୁମ୍ଭର ଅଗ୍ରତେ ॥ ୨୨
ପୂର୍ବେ ଯେ ପ୍ରଭୁ ଭଗବାନ । କହିଣ ଥିଲେ ଦିବ୍ୟଜ୍ଞାନ ॥ ୨୩
ଆମ୍ଭେ ଯେ ଗୃହଧର୍ମେ ପଡି । ସେ ଦିବ୍ୟଜ୍ଞାନ ଦେଲୁ ଛାଡି ॥ ୨୪
ଭୋ ମୁନି କର ଅନୁଗ୍ରହ । ସେ ତତ୍ତ୍ୱଜ୍ଞାନ ଏବେ କହ ॥ ୨୫
ଏ ଭବ-ସାଗର ଦୁସ୍ତର । ସେଜ୍ଞାନେ ହୋଇବୁଁ ନିସ୍ତାର ॥ ୨୬
ମୈତ୍ରେୟ କହନ୍ତି ଭାରତ । ଏମନ୍ତ ବୋଲନ୍ତେ ପ୍ରଚେତ ॥ ୨୭
ଶୁଣି ନାରଦ-ତପୋଧନ । ଉତ୍ତମ ଶ୍ଲୋକେ କଲେ ଧ୍ୟାନ ॥ ୨୮
ଧ୍ୟାନ କରନ୍ତେ ମୁନିବର । ରୋମପୁଲକେ କଳେବର ॥ ୨୯
କୃଷ୍ଣ-ବିଷୟେ ନିମଜ୍ଜିଲେ । ଦେହ-ଜୀବନ ପାଶୋରିଲେ ॥ ୩୦
ତକ୍ଷଣେ ପାଇ ଦିବ୍ୟବୁଦ୍ଧି । ତାହାଙ୍କୁ କହନ୍ତି ପ୍ରବୋଧି ॥ ୩୧
ନାରଦ ଉବାଚ
ଶୁଣ ନୃପତି ଧର୍ମଶୀଳ । ଯେ କର୍ମେ ହୋଇବ କୁଶଳ ॥ ୩୨
କହିବା ତହିଁର ବିଧାନ । ଯହିଁରେ ହେବ ତୁମ୍ଭ ଜ୍ଞାନ ॥ ୩୩
ମନୁଷ୍ୟ ଜନ୍ମ-କର୍ମ ସେହି । ହରିଙ୍କ ସେବା ହୋଏ ଯହିଁ ॥ ୩୪
ହରିଭଜନ ଯେବେ ନାହିଁ । ଏଥୁ ଅଭାଗ୍ୟ ପରେ କାହିଁ ॥ ୩୫
ଯେ ତିନିବେଦ କର୍ମ କହେ । ସେ କର୍ମେ ପ୍ରାଣୀ ମୋକ୍ଷ ନୋହେ ॥ ୩୬
ଭବୁ ତରିବ ସେ ବା କାହିଁ । ଯାବତ ହରି ନ ଭଜଇ ॥ ୩୭
ଯେ ଦେବଆୟୁଷେ ଜୀବନ୍ତି । ହରି ନ ଭଜି ନ ତରନ୍ତି ॥ ୩୮
ଯେଣୁ ସେ ବିଷୟେ ପ୍ରମତ୍ତ । ନ ଦେଲା କୃଷ୍ଣପାଦେ ଚିତ୍ତ ॥ ୩୯
ସୁସାଧ୍ୟ କଲେ ବିଦ୍ୟାମାନ । ଅପରେ ଯେତେ ତପଦାନ ॥ ୪୦
ଏ ସର୍ବ ତାର ଅକାରଣ । ଯେବେ ନ ଭଜେ ନାରାୟଣ ॥ ୪୧
ଯେତେକ କବିତ୍ୱ-ବଚନ । ବ୍ୟର୍ଥ କି କାର୍ଯ୍ୟେ ପ୍ରୟୋଜନ ॥ ୪୨
ବିଫଳ-ବୁଦ୍ଧି ହେଲା ତାର । ନ କଲା ଯେ କୃଷ୍ଣ-ବିଚାର ॥ ୪୩
ଇନ୍ଦ୍ରିୟ ବଳ ତେଜ ଘେନି । ଏଣୁ କି ଭବୁ ତରେ ପ୍ରାଣୀ ॥ ୪୪
ଅଷ୍ଟାଙ୍ଗଯୋଗ ସାଂଖ୍ୟ ଆଦି । ସନ୍ନ୍ୟାସ-ଧର୍ମ ବେଦବାଦୀ ॥ ୪୫
ଏ ସର୍ବ ଜୀବ ନ ତାରନ୍ତି । ଭୋଗାଦି-ଫଳ ବାଞ୍ଛା ଦ୍ୟନ୍ତି ॥ ୪୬
ଅପରେ ଯେତେ ଶ୍ରେୟକର୍ମ । ଇହ ସଂସାରେ ଲୋକଧର୍ମ ॥ ୪୭
ଏ ସର୍ବକାଳେ ନ ଘଟନ୍ତି । ଯେବେ ହରିଙ୍କି ନ ଭଜନ୍ତି ॥ ୪୮
ଏ ଯେତେ କର୍ମ ଶ୍ରେୟବିଧି । ଯଜ୍ଞାଦି କର୍ମ ଅଷ୍ଟସିଦ୍ଧି ॥ ୪୯
ସେ ସର୍ବ-ଅନ୍ତରାତ୍ମା-ହରି । ଯେ ଭଲମଦେ ଅଧିକାରୀ ॥ ୫୦
କର୍ମାନୁସାରେ ଦେହେ ରହି । ପ୍ରାଣୀଙ୍କି କର୍ମଭୋଗ ଦେଇ ॥ ୫୧
ତେଣୁ ସେ ଆତ୍ମା ସର୍ବଭୂତେ । ସକଳ ପ୍ରିୟ ସେ ଏମନ୍ତେ ॥ ୫୨
ଯେବେ ହରିଙ୍କି ସେବା କରି । ଆତ୍ମାକୁ ଉଦ୍ଧାରନ୍ତି ହରି ॥ ୫୩
ଏ ସର୍ବ-ଫଳଦାତା ହରି । ପ୍ରାଣୀ ନ ଜାଣି ଭ୍ରମି ମରି ॥ ୫୪
ଦୁଃଖ-ଗହନେ କରେ ଆଶ । ଏ କର୍ମେ ମୂଢ ଅବିଶ୍ୱାସ ॥ ୫୫
ଯେ ହରି ସର୍ବଭୂତେ ଥାଇ । କର୍ମାନୁସାରେ ଫଳ ଦେଇ ॥ ୫୬
ସକଳ-ପ୍ରିୟ ସେ ମୁରାରି । ସେ ଭଲମନ୍ଦେ ଅଧିକାରୀ ॥ ୫୭
ତାହାଙ୍କୁ ଯେ ପ୍ରାଣୀ ଭଜନ୍ତି । ତେବେ ଏ ଭବୁ ନିସ୍ତରନ୍ତି ॥ ୫୮
ଏମନ୍ତ ମହିମା ଯାହାର । ସେ ପ୍ରଭୁ କରନ୍ତି ଉଦ୍ଧାର ॥ ୫୯
ଯେସନେ ସର୍ବ-ତରୁ-ମୂଳେ । ଜଳ ସିଞ୍ଚନ ନେଇ କଲେ ॥ ୬୦
ତାହାର ଭୁଜ-ସ୍କନ୍ଧ-ଶାଖା । ସର୍ବେ ସନ୍ତୋଷ ମୂଳେ ଏକା ॥ ୬୧
ପ୍ରାଣକୁ ଉପହାର ଦେଲେ । ସନ୍ତୋଷ ଇନ୍ଦ୍ରିୟ-ସକଳେ ॥ ୬୨
ଏମନ୍ତେ ହରିଙ୍କର ସେବା । କଲେ ସନ୍ତୋଷ ସର୍ବଦେବା ॥ ୬୩
ହରିଟି ସର୍ବ-ଦେବ-ମୂଳ । ଯେତେ ପ୍ରପଞ୍ଚ-ସୂକ୍ଷ୍ମମୂଳ ॥ ୬୪
ସକଳ-ଆତ୍ମା-ଅନ୍ତ ହରି । ଯେ ପାଦ ଆଶ୍ରେ ପ୍ରାଣୀ ତରି ॥ ୬୫
ଯେସନେ ରବିଠାରୁ ଜଳ । ପ୍ରଭବି ପ୍ରକାଶେ ଶୟଳ ॥ ୬୬
କାଳେ ସେ ରବିତେଜେ ପୁଣି । ପ୍ରବେଶ ହୋନ୍ତି ସର୍ବପ୍ରାଣୀ ॥ ୬୭
ସେ ରୂପେ ଏ ଗୁଣ ପ୍ରବାହ । ଏ ଚରାଚର-ଭୂତ-ଦେହ ॥ ୬୮
ଏ ସର୍ବେ ହରିରୁ କ୍ଷରନ୍ତି । କାଳେ ସେ ତହିଁ ପ୍ରବେଶନ୍ତି ॥ ୬୯
ଜଗତ ହରିଙ୍କ କିରଣ । ସୂର୍ଯ୍ୟର ପ୍ରଭାଟି ଯେସନ ॥ ୭୦
ତା ତହିଁ ସର୍ବ-ଶକ୍ତି ଥାନ୍ତି । ଯେବେ ସେ ଜାଗ୍ରତ ଲଭନ୍ତି ॥ ୭୧
ତେବେ ସେ ଦ୍ରବ୍ୟ-କ୍ରିୟା-ଜ୍ଞାନ । ହୁଅଇ ଭେଦ-ଭ୍ରମମାନ ॥ ୭୨
ଯେହ୍ନେ ଆକାଶେ ଘନପନ୍ତି । ତମ-ବିଜୁଳି ପ୍ରକାଶନ୍ତି ॥ ୭୩
ତେମନ୍ତେ ପରମ-ବ୍ରହ୍ମରେ । ସକଳ-ଶକ୍ତି ଏ କ୍ରମରେ ॥ ୭୪
ହୁଅନ୍ତି ନୁହଁନ୍ତି ସେ କାଳେ । ସର୍ବ-ସତ୍ତ୍ୱାଦି ଗୁଣଜାଳେ ॥ ୭୫
ସେ ଆତ୍ମା ଅଶେଷ-ଦେହୀଙ୍କ । ପୁରୁଷ ପ୍ରଧାନ ସେ ଏକ ॥ ୭୬
କାଳ ହିଁ ତାହାଙ୍କୁଟି କହି । ଗୁଣ-ପ୍ରବାହ-ହେତୁ ସେହି ॥ ୭୭
ତାହାଙ୍କୁ ଭଜ ଏକଭାବେ । ସଂସାରୁ ନିସ୍ତରିବ ଯେବେ ॥ ୭୮
ସକଳ-ଭୂତେ ଦୟା କର । ଯହିଁ ତହିଁରେ ତୋଷ ଧର ॥ ୭୯
ଇନ୍ଦ୍ରିୟବର୍ଗ ବିନାଶିଲେ । ହରିଙ୍କି ପାଇବ ଭଜିଲେ ॥ ୮୦
ବିଶୁଦ୍ଧ ହୋଏ ଯେବେ ମନ । ବିନାଶ ହୋନ୍ତି ଚେଷ୍ଟାମାନ ॥ ୮୧
ଏମନ୍ତ ଭକ୍ତି ଯେବେ ଚିତ୍ତେ । ବିଶୁଦ୍ଧ-ହୃଦ ଅଦିରତେ ॥ ୮୨
ତହିଁ ବସନ୍ତି ଭଗବାନ । ନ ଯାନ୍ତି ତହୁଁ ଅନ୍ୟସ୍ଥାନ ॥ ୮୩
ଏ ବିନେ ଯେ ଆନ କୁଯୋଗୀ । ବିଷୟସୁଖେ ନିତ୍ୟେ ଭୋଗୀ ॥ ୮୪
ତାହାଙ୍କ ପୂଜା ନ ଘେନନ୍ତି । ଯେଣୁ ସେ ରସକୁ ଜାଣନ୍ତି ॥ ୮୫
ବିଦ୍ୟାଦି ଧନେ ଯେଉଁ ଜନେ । ରହନ୍ତି ଅହଂକାର ମନେ ॥ ୮୬
ଯେ ସାଧୁ ଅକିଞ୍ଚନ ଦେଖି । ହତଆଦରେ ଦୂରେ ପେକ୍ଷି ॥ ୮୭
ଧନ ବିନାଶ ହେତୁ କରି । ଯେ ସାଧୁସେବା ପରିହରି ॥ ୮୮
ଅତ୍ୟନ୍ତ ମୂଢ ସେ ପାମର । ଧନରେ ଅତି ସ୍ନେହ ତାର ॥ ୮୯
ଏମନ୍ତ ପ୍ରାଣୀ ଯେ ଅଟନ୍ତି । ଅଜ୍ଞାନେ ଧର୍ମ ନଜାଣନ୍ତି ॥ ୯୦
ତାଙ୍କୁ ବିମୁଖ ନରହରି । ସାଧୁ-ଦୂଷଣ ହେତୁ କରି ॥ ୯୧
ତାହାଙ୍କ ନିକଟେ ନ ଆସେ । ବସନ୍ତି ଅକିଞ୍ଚନ ପାଶେ ॥ ୯୨
ସେ ପରିପୂର୍ଣ୍ଣ ସର୍ବ ଭାବେ । ବଶ ନୁହଁନ୍ତି ଧନ-ଲୋଭେ ॥ ୯୩
ନିଜ ଭକତ-ବଶ ହରି । ଭକ୍ତ-ଡାକକୁ ଅନୁସରି ॥ ୯୪
ଏମନ୍ତ ମହିମା ତାହାର । ସେ ପାଦେ ନ ସେବେ ପାମର ॥ ୯୫
ଦାରା-ତନୟ-ମୋହେ ଜଡି । ଦୁଃଖ-ଗହନେ ସୁଖ ଲୋଡି ॥ ୯୬
ଅଜ୍ଞାନ ଭାବେ ଦମ୍ଭେ ଥାନ୍ତି । ଯେ ଅନ୍ୟ-ଦେବଙ୍କୁ ସେବନ୍ତି ॥ ୯୭
ଯେ ହରି ଛାଡି ସେବେ ଆନ । ଯେ ପ୍ରଭୁ ଭକତ-ଅଧୀନ ॥ ୯୮
ସେ ପାଦପଦ୍ମ ଛାଡି ସେହି । ଅନ୍ୟ ଭଜନେ ମନଦେଇ ॥ ୯୯
ଏ ସେବା ଛାଡି ଅନ୍ୟ ସେବେ । କେମନ୍ତେ ଭବୁ ନିସ୍ତରିବେ ॥ ୧୦୦
ତାହାଙ୍କୁ ବୋଲି ମୂଢମତି । ସେ ପ୍ରାଣୀ ଭବୁ ନ ତରନ୍ତି ॥ ୧୦୧
ଯାହାର ଅଛି ଦିବ୍ୟଜ୍ଞାନ । ସେ କାହିଁ ଭଜେ ଦେବ ଅନ୍ୟ ॥ ୧୦୨
ସେ ହରିପାଦେ ସର୍ବସୁଖ । ଆଶ୍ରୟେ ଛେଦେ ଭବ ଦୁଃଖ ॥ ୧୦୩
ମୈତ୍ରେୟ ଉବାଚ
ମୈତ୍ରେୟ କହନ୍ତି ବିଦୁର । ଏମନ୍ତେ ଦେବ-ମୁନିବର ॥ ୧୦୪
ସେ ପ୍ରଚେବସ ତପ ଠାବେ । ଏ ଜ୍ଞାନ କହିଲେ ସ୍ୱଭାବେ ॥ ୧୦୫
ଅପରେ ହରିଗୁଣମାନ । କହି ତୋଷିଲେ ତାଙ୍କ ମନ ॥ ୧୦୬
ତକ୍ଷଣେ ବ୍ରହ୍ମଲୋକେ ଗଲେ । ସେ ସର୍ବେ ସନ୍ତୋଷେ ରହିଳେ ॥ ୧୦୭
ଶୁଣ ବିଦୁର ଜ୍ଞାନବନ୍ତ । ନାରଦ ମୁଖରୁ ନିର୍ଗତ ॥ ୧୦୮
ହରିଙ୍କ ନାମ ଯଶ ଗୁଣ । ଯେବା ଭାବନ୍ତି ଅନୁକ୍ଷଣ ॥ ୧୦୯
ସେ ସର୍ବେ କାମାର୍ଥ ଲଭନ୍ତି । ରତ୍ୟାଦି-ପାପା ବିନାଶନ୍ତି ॥ ୧୧୦
ଶୁଣି ସାନନ୍ଦ ନୃପଗଣେ । ହରି ଭଜିଲେ ଅନୁକ୍ଷଣେ ॥ ୧୧୧
ଅନ୍ତେ ସେ ହରିଙ୍କି ଲଭିଲେ । ନାରଦ-ହେତୁ ନିସ୍ତରିଲେ ॥ ୧୧୨
ଏ ଘେନି ସତସଙ୍ଗ ପ୍ରାଣୀ । ଆଦରି ଲଭେ ଚକ୍ରପାଣି ॥ ୧୧୩
ଏ ଦିନେ ନାହିଁ ସଦଗତି । ଶୁଣ ବିଦୁର ଗୁହ୍ୟ ଅତି ॥ ୧୧୪
ସାଧୁଙ୍କ ସଙ୍ଗେ ପ୍ରୀତି କର । ମାନସ-ମୋହ ଯାଉ ଦୂର ॥ ୧୧୫
ଯେତେ ସଂଶୟ ହୃଦଗତ । ପଚାରିଥିଲୁ ଯେ ବୃତ୍ତାନ୍ତ ॥ ୧୧୬
ସାର ଉଦ୍ଧରି ଶାସ୍ତ୍ରମତେ । କହିଲୁ ଶିରୀ ଭାଗବତେ ॥ ୧୧୭
ନାରଦ-ପ୍ରଚେତ-ସମ୍ବାଦ । ଶ୍ରୀହରି-କ୍ଷଣ-ଗୁଣ-ବାଦ ॥ ୧୧୮
ଫେଡି ମୁଁ କହିଲଇଁ ତାହା । ସଂଶୟ କରିଥିଲୁ ଯାହା ॥ ୧୧୯
ଶୁକ ଉବାଚ
କହନ୍ତି ଶୁଦ୍ଧମହାମୁନି । ଶୁଣ ପରୀକ୍ଷ ତତ୍ତ୍ୱଜ୍ଞାନୀ ॥ ୧୨୦
ମୈତ୍ରେୟ ଯେତେକ କହିଲେ । ବିଦୁର ବିନୟେ ଶୁଣିଲେ ॥ ୧୨୧
ଆନନ୍ଦେ ରୋମ-ପୁଲକିତ । ଭବ-ଗଦ୍ଗଦେ ଅଶ୍ରୁପାତ ॥ ୧୨୨
ଆନନ୍ଦ-ସାଗରେ ବୁଡିଲେ । ଦେହ-ଜୀବନ ପାଶୋରିଲେ ॥ ୧୨୩
ଧରି କହେ ମୁନିଚରଣ । ଭୋ ମୁନି କର ଉଦ୍ଧାରଣ ॥ ୧୨୪
ତୁମ୍ଭ ପ୍ରସନ୍ନେ ତତ୍ତ୍ୱଜ୍ଞାନ । ପାଉ ଛାଡିଲା ମୋହମାନ ॥ ୧୨୫
ଭୋ ମୁନି ତୁମ୍ଭେ ଜ୍ଞାନସାର । ଦେଖାଇଦେଲେ ତମପାର ॥ ୧୨୬
ଏମନ୍ତ ଜ୍ଞାନୀ ଯେତେ ହୋଇ । ସେ ପ୍ରାଣୀ ହରିଙ୍କି ଲଭଇ ॥ ୧୨୭
ମୁଁ ଏବେ ହେଲି ମୋକ୍ଷପାର । ତୁମ୍ଭ ପ୍ରସନ୍ନେ ମୁନିବର ॥ ୧୨୮
ଭୋ ମୁନି ଆଜ୍ଞା ହେବ ଯେବେ । ନିଜ ସଦନେ ଯିବି ତେବେ ॥ ୧୨୯
ଏମନ୍ତ କହିଣ ଆନନ୍ଦେ । ନମିଲା ମୁନିଙ୍କର ପାଦେ ॥ ୧୩୦
ସେ ତାଙ୍କୁ ତୋଷେ ଆଜ୍ଞା ଦେଲେ । ନିଶ୍ଚିନ୍ତେ ଆସନେ ରହିଲେ ॥ ୧୩୧
ହସ୍ତିନା ଗମିଲେ ବିଦୁର । ଦେଖିବା ଅର୍ତେ ସହୋଦର ॥ ୧୩୨
ଛାଡି ସକଳ-ମାୟା-ମୋହେ । ଗମିଲା ମାତ୍ର ଭାତୃସ୍ନେହେ ॥ ୧୩୩
ଆନନ୍ଦମନେ ସ୍ନେହ ଅତି । ପରୀକ୍ଷେ କହେ ଶୁକଯତି ॥ ୧୩୪
ଶୁଣ ରାଜନ ଦଣ୍ତଧର । ସେ ଯେ ପ୍ରାଚୀନ ନୃପବର ॥ ୧୩୫
ତାହାଙ୍କ ପୁଣ୍ୟ-ଯଶ-କୀର୍ତ୍ତି । ଯେ ନିତ୍ୟେ ଶୁଣେ ଦୃଢ଼ମତି ॥ ୧୩୬
ତା ଯଶ-ଆୟୁଷ ବଢ଼ଇ । ବିପୁଳ-ଭୋଗ ନ ଛାଡ଼ଇ ॥ ୧୩୭
ଅଷ୍ଟ ଐଶ୍ୱର୍ଯ୍ୟ ଭୋଗ ତୋଷେ । ସୁକୀର୍ତ୍ତି ରହେ ଚତୁର୍ଦ୍ଦିଶେ ॥ ୧୩୮
ଦେହାନ୍ତେ ଗତି ହୁଏ ତାର । ସେ ପ୍ରଭୁ କରନ୍ତି ନିସ୍ତାର ॥ ୧୩୯
ଭଣଇ ବିପ୍ର ଜଗନ୍ନାଥ । ଏ କୃଷ୍ଣ ଅଜ୍ଞାରୁ ଭକତ ॥ ୧୪୦
ଗୁପତେ ବହୁକାଳ ଥିଲା । ହରି ଅଜ୍ଞାରୁ ଉଦେ ହେଲା ॥ ୧୪୧
ହରି ହରି ଭାବନା କରୁଁ । ସଂଶୟ ଛାଡିଲା ମନରୁ ॥ ୧୪୨
ସେ ବ୍ରହ୍ମ ଅନନ୍ତ ମହିମା । କେ କହିପାରେ ଗୁଣସୀମା ॥ ୧୪୩
ଅମୁତ ଚରିତ ଏ ବାଣୀ । ଶ୍ରବଣେ ନିସ୍ତରିବେ ପ୍ରାଣୀ ॥ ୧୪୪
ହୋଇବ ଭବବନ୍ଧ ନାଶ । ସୁଜନେ କୃଷ୍ଣପାଦେ ରସ ॥ ୧୪୫
ଚତୁର୍ଥ ସ୍କନ୍ଧ ହେଲା ଶେଷ । ହୃଦରେ ଚିନ୍ତ ହୃଷୀକେଶ ॥ ୧୪୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତାୟାଂ
ଚତୁର୍ଥସ୍କନ୍ଧେ ପ୍ରଚେତ ଉପାଖ୍ୟାନଂ ନାମ ଏକତ୍ରିଂଶୋଽଧ୍ୟାୟଃ ॥
* * *